ବୁଢ଼ୀ ପିଶାଚୁଣୀ
ବୁଢ଼ୀ ପିଶାଚୁଣୀ
ଥରେ ଗୋଟିଏ ଗାଁରେ ଗୌରାଙ୍ଗ ନାମରେ ଜଣେ ଗାଈଚରାଳୀ ଥିଲା। ଗାଁ ଯାକ ସମସ୍ତଙ୍କ ଗାଈବଳଦ ପୋଢ଼ମଇଁଷି ସେ ଚରାଉଥିଲା। ଦିନେ ଗାଈ ଚରେଇବାକୁ ଯାଇ ଆଉ ସେ ଫେରିଲା ନାହିଁ। ଆଗରୁ ବି ଦୁଇ ଜଣ ଗାଈ ଚରାଳୀ ଏମିତି ଗାୟବ ହୋଇଥିଲେ। ନିଛାଟିଆ ବେଳେ ସେଇ ରାସ୍ତାରେ ଯିଏ ଗଲେ ଆଉ ସେ ଫେରୁ ନଥିଲା। ଗାଁ ଯାକ ଲୋକ ବହୁତ ଚିନ୍ତାରେ ଥିଲେ। ତାଙ୍କ ଗୋରୁ ଗୋଠ ଚରେଇବାକୁ ବି କେହି ବାହାରିଲେ ନାହିଁ। ସମସ୍ତଙ୍କୁ ସେଇ ଗୋଟିଏ ଭୟ ଘାରୁଥିଲା ଯେ ଗାଁ ମୁଣ୍ଡରେ ଥିବା ମଶାଣୀରେ ବୁଢ଼ୀ ପିଶାଚୁଣୀଟିଏ ଅଛି ଏବଂ ସେ ହିଁ ସବୁ ଗାଈ ଚରାଳୀଙ୍କୁ ଗାୟବ କରୁଛି। ଲୋକେ ଆଉ ବି କହନ୍ତି ଯେ ପିଶାଚୁଣୀର ଝିଅଟିଏ ବି ଅଛି। ଦୁହେଁ ମିଶି ସୁସ୍ଥ ସବଳ ଲୋକଙ୍କୁ ବିଭିନ୍ନ ଆଳ ଦେଖେଇ ଫୁସୁଲେଇ ଜଙ୍ଗଲ ଭିତରେ ଥିବା ତାଙ୍କ ଗୁମ୍ଫାକୁ ନିଅନ୍ତି ଓ ସେମାନଙ୍କୁ ମାରି ରୋଷେଇ କରି ଖାଇଥାନ୍ତି। ମଣିଷ ମାଂସ ଓ ମଣ୍ଡା ପିଠା ତାଙ୍କର ଭାରି ପ୍ରିୟ।
ଗୌରାଙ୍ଗ ଭଳି ତା ପୁଅ ବି ଭାରୀ ସାହସୀ। ଗରିବ ହେଲେ ବି ଛୋଟବେଳୁ ସେ ପାଠ ପ୍ରତି ବେଶୀ ଆଗ୍ରହୀ ଥିଲା। ତେଣୁ ତା ମାମୁଁ ତାକୁ ପାଠ ପଢେଇବା ପାଇଁ ନିଜ ଗାଁକୁ ନେଇଯାଇଥିଲେ। ବାପାଙ୍କ ଗାୟବ ହେବା କଥାଶୁଣି ସେ ନିଜ ଗାଁକୁ ଫେରି ଆସିଲା। ଗାଁ ଯାକର ସମସ୍ତଙ୍କ ଗୋରୁପଲ ସେ ଚରେଇବ ବୋଲି ସମସ୍ତଙ୍କ ଆଗରେ ନିଜର ଇଚ୍ଛା ପ୍ରକଟ କଲା। କିଛିଲୋକ ଭାବିଲେ "ଯାହାହେଉ ଆମର ଗୋଟିଏ ଚିନ୍ତା ଗଲା", କିନ୍ତୁ ଆଉ କିଛି ଲୋକ ତାକୁ ତାଗିଦ କରି କହିଲେ, "ଦେଖ ପୁଅ, ତୁ ପଢ଼ାପିଲା, ତୋ ଦ୍ୱାରା ଏଇ ଗାଈ ଚରେଇବା କାମ ହେଇପାରିବ ନାହିଁ। ଆଉ ସେମିତି ବି ସେଇ ବୁଢ଼ୀ ପିଶାଚୁଣୀ ଓ ତା ଝିଅ ଲାଗି ଆମେ ସମସ୍ତେ ଆତଙ୍କିତ ଅଛୁ। ତୁ କାହିଁକି ନିଜ ଜୀବନକୁ ବିପଦରେ ପକେଇବାକୁ ଚାହୁଁଛୁ?" ଗୌରାଙ୍ଗର ପୁଅ ମକରନ୍ଦ କିନ୍ତୁ ମାନିଲା ନାହିଁ। ସେ ଦୃଢ଼ ନିଷ୍ପତ୍ତି ନେଇ ସାରିଥିଲା ଯେ ନିଜ ଗାଁ ଲୋକଙ୍କୁ ସେଇ ଦୁଇ ପିଶାଚୁଣୀଙ୍କ ଆତଙ୍କରୁ ବଞ୍ଚେଇବ।
ମକରନ୍ଦ ତହିଁ ଆରଦିନ ଗାଈ ଚରେଇବାକୁ ଗଲାବେଳେ ସାଥିରେ ଦୁଇଶହ ମଣ୍ଡାପିଠା ଧରିକି ଗଲା। କାରଣ ବୁଢ଼ୀ ପିଶାଚୁଣୀର ମଣ୍ଡାପିଠା ଭାରୀ ପ୍ରିୟ। ଶୁକ୍ଳପକ୍ଷରେ ପିଶାଚୁଣୀ ତା ଗୁମ୍ଫାରୁ ବାହାରେ ନାହିଁ। ନିଜକୁ ସେ ଦୁର୍ବଳ ଅନୁଭବ କରେ। କିନ୍ତୁ କୃଷ୍ଣପକ୍ଷରେ ସେ ନିଜର ବିକଟାଳ ରୂପରେ ଲୋକଙ୍କୁ ଭୟଭୀତ କରାଏ ବୋଲି ଆଗରୁ ଶୁଣିଥିଲା ମକରନ୍ଦ। ସେ ଆଉ ବି ଶୁଣିଥିଲା ଯେ ବୁଢ଼ୀ ପିଶାଚୁଣୀକୁ ମାରିବା ଭାରି କଷ୍ଟ। ତା ଶରୀରର ଏକ ନିର୍ଦ୍ଦିଷ୍ଟ ଅଙ୍ଗରେ ତାର ଜୀବନ ଅଛି।
ମକରନ୍ଦ ବାଟ ସାରା ମଣ୍ଡାପିଠା ଫିଙ୍ଗି ଫିଙ୍ଗି ଯାଉଥାଏ। ପିଠାର ମହକରେ ପିଶାଚୁଣୀ ଦୌଡି ଆସିବ ବୋଲି ଭାବି ସେ ସଜାଗ ରହିଥାଏ। ଅନେକ ସମୟ ବିତିଗଲା ପରେ ପିଶାଚୁଣୀ ତ ଆସିଲା ନାହିଁ ହେଲେ ମୁଣ୍ଡରେ ଗୋଟେ ଲୁଗା ପିଣ୍ଡୁଳା ଧରି ଜରାଜୀର୍ଣ୍ଣ ବୁଢ଼ୀଟିଏ ବାଟରେ ଯାଉଥିବାର ସେ ଦେଖିଲା। ବୁଢ଼ୀ ପାଖକୁ ଯାଇ ମକରନ୍ଦ ମନାକଲା ସେଇ ରାସ୍ତାରେ ଯିବା ପାଇଁ। କିନ୍ତୁ ବୁଢ଼ୀ କହିଲା, "ଏଇ ବୟସରେ ଆଉ ମରଣକୁ କିପରି ଭୟରେ ପୁଅ? ଆଜି ଅଛି କାଲି ମରିବି; ବଞ୍ଚିକି ହେଲେ କୋଉ ସୁଖ ପାଉଛି ଯେ; ଏଇ ଦେଖୁନୁ ତିନିଦିନ ହେଲା ପାଟିରେ ଭାତ ମୁଠାଏ ପଡିନି।" ସଙ୍ଗେ ସଙ୍ଗେ ମକରନ୍ଦ ତାର ବ୍ୟାଗ ଖୋଲି ବୁଢ଼ୀକୁ ମଣ୍ଡାପିଠା ଖାଇବାକୁ ଯାଚିଲା। ବୁଢ଼ୀ ତିନିଦିନର ଭୋକିଲା ଥିବାରୁ ଶୀଘ୍ର ଶୀଘ୍ର ପଚାଶଟି ପିଠା ଖାଇଦେଲା। ଖାଇସାରି ମକରନ୍ଦକୁ ସେ ଖୁସିରେ ଧନ୍ୟବାଦ ଦେଲା ଓ ପାଖରେ ତା କୁଡ଼ିଆ ଅଛି ବୋଲି କହି ସେଠି ତାକୁ ଛାଡି ଦେବାକୁ କହିଲା।
ମକରନ୍ଦ ବୁଢ଼ୀର ପିଣ୍ଡୁଳା ଧରି ପଛେ ପଛେ ଚାଲୁଥାଏ। ବୁଢ଼ୀ ଧୀରେ ଧୀରେ ଜଙ୍ଗଲ ଭିତରେ ଥିବା ଏକ ଛୋଟ କୁଡ଼ିଆ ଅଭିମୁଖେ ଅଗ୍ରସର ହେଉଥାଏ। ମକରନ୍ଦ ପଚାରିଲା, "ଏଇ ରାସ୍ତାରେ ଯିବାକୁ ଲୋକେ ଭୟ କରୁଛନ୍ତି, ହେଲେ ଏଇ ଜଙ୍ଗଲ ଭିତରେ ତମେ ନିର୍ଭୟରେ ରହୁଛ। ତମର ସାହାସକୁ ମାନିବାକୁ ପଡିବ।" ସ୍ମିତହାସ୍ୟ ହସି ବୁଢ଼ୀ କହିଲା, "ଏ ଦୁନିଆଁ ଏକା ଏମିତିରେ ପୁଅ, ଯାହାକୁ ଭୟ କରିବା ଉଚିତ, ଲୋକେ ତାହାକୁ ଲୋକେ ଭୟ କରନ୍ତିନି। ଯାହାକୁ ଭରସା କରିବା ଉଚିତ ତାକୁ ଭରସା କରନ୍ତି ନାହିଁ। ଯାହାକୁ ବିଶ୍ୱାସ କରିବା ଉଚିତ, ତାକୁ ବିଶ୍ବାସ କରନ୍ତି ନାହିଁ। ଯେମିତି କି ତୁ, ମୋ ଉପରେ ଭରସା କରି ଏଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଆସିଲୁ।"
ମକରନ୍ଦ ବୁଢ଼ୀର କଥାର ମର୍ମ ବୁଝିବା ଆଗରୁ କୁଡ଼ିଆ ପାଖକୁ ଦୁହେଁ ପହଞ୍ଚି ସାରିଥାନ୍ତି। ଦୂରରୁ ଯୋଉଟା ଛୋଟ କୁଡ଼ିଆ ଭଳି ଦିଶୁଥିଲା ତାହା ପ୍ରକୃତରେ ଥିଲା ଏକ ବିରାଟ ଗୁମ୍ଫା। ଗୁମ୍ଫା ନିକଟକୁ ପହଞ୍ଚୁ ପହଞ୍ଚୁ ମକରନ୍ଦ ଜାଣି ପାରିଲା ଯେ ସେଇ ବୁଢ଼ୀ ଜଣକ ହିଁ ପିଶାଚୁଣୀ। କିନ୍ତୁ ସେ କିଛି କରିବା ଆଗରୁ ବୁଢ଼ୀ ତା ଅସଲ ରୂପକୁ ଆସିଗଲା। ପଣତ କାନିରୁ କାଢି କିଛି ଧଳା ଗୁଣ୍ଡ ମୁହଁକୁ ଛିଞ୍ଚି ଦେବାରୁ ମକରନ୍ଦକୁ ସବୁ ଝାପ୍ସା ଝାପ୍ସା ଲାଗୁଥିଲା। ଗଭୀର ନିଦରେ ଶୋଇବାକୁ ତାକୁ ଇଚ୍ଛା ଲାଗୁଥିଲା। ବୁଢ଼ୀ ମକରନ୍ଦର ଦୁଇଗୋଡ଼ ଓ ଦୁଇହାତକୁ ଦଉଡ଼ିରେ ବାନ୍ଧି ଗୁମ୍ଫା ଭିତରକୁ ନେଇଗଲା। ପିଶାଚୁଣୀର ବଳରୁ ସେ ବୁଝି ପାରିଲା ଯେ, ବୁଢ଼ୀ ପିଶାଚୁଣୀକୁ ବଳରେ ହରେଇ ହେବନି। ବୁଦ୍ଧି ପ୍ରୟୋଗ କରି ହିଁ ତାକୁ ହରେଇ ହେବ।
ଗୁମ୍ଫା ଭିତରକୁ ନେଇ ବୁଢ଼ୀ ପିଶାଚୁଣୀ ତା ଝିଅକୁ ଡ଼ାକି କହିଲା, "ନେ; ଆଜି ରାତିରେ ଭଲ ସୁଆଦିଆ ଖାଇବାକୁ ମିଳିବ; ୟାକୁ ନେଇ ଗରମ ପାଣିରେ ଭଲକରି ସଫାକରି ତେଲରେ ଛାଣି ପକା; ରାତିରେ ଖାଇବି, ମୁଁ ଟିକେ ବିଶ୍ରାମ ନେଉଛି। ଆଉ ଶୁଣ, ତୋ ପାଇଁ ମଣ୍ଡାପିଠା ପୁଟୁଳିରେ ବାନ୍ଧି ଆଣିଛି ଖାଇନେବୁ"। ପିଶାଚୁଣୀର ଝିଅ ଭାରୀ ସୁନ୍ଦରୀ ଥିଲା। ସାଧାରଣ ଲୋକଙ୍କ ଭଳି ଲାଗୁଥିଲା। ଚେହେରାରୁ ସେ ସେତେ ନିଷ୍ଠୁର ଜଣା ପଡୁନଥିଲା। ଲାଗୁଥିଲା ସତେ ଯେମିତି ତାକୁ କିଛି ତନ୍ତ୍ର ମନ୍ତ୍ର କରି ବୁଢ଼ୀ ପିଶାଚୁଣୀ ସାଙ୍ଗରେ ରଖିଛି।
ଝିଅଟି ମକରନ୍ଦକୁ ଟାଣି ଟାଣି ରୋଷେଇ ଘରକୁ ନେଲାବେଳେ ମକ
ରନ୍ଦର ନିଶା ସମ୍ପୂର୍ଣ୍ଣ ରୂପେ ଉଭେଇ ଗଲା। କାରଣ ଯେତେବେଳେ ବୁଢ଼ୀ ତାକୁ ଧଳାଗୁଣ୍ଡ ଛିଞ୍ଚି ଥଲା, ସେତେବେଳେ ସେ ନିଜ ନାକ ଓ ପାଟିକୁ କିଛି ସମୟ ପାଇଁ ବନ୍ଦ କରିଦେଇଥିବାରୁ ସେଇ ଗୁଣ୍ଡର ବେଶୀ ପ୍ରଭାବ ତା ଉପରେ ପଡି ନଥିଲା।
ମକରନ୍ଦ ଉପାୟଟିଏ ପାଞ୍ଚିଲା ଓ ପିଶାଚୁଣୀର ଝିଅକୁ କହିଲା, "ତମେ ମୋତେ ରୋଷେଇ କରି ଖାଇବ ଖାଅ, ମୋର ଦୁଃଖ ନାହିଁ; କିନ୍ତୁ ମତେ ଗରମ ପାଣିରେ ସିଝେଇ ମାରିବା ଆଗରୁ ମୋର ତିନିଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ"। ଝିଅଟି ଭାବିଲା, "ଏଠିକୁ ଯେତେ ବି ମଣିଷ ଆସନ୍ତି, ସମସ୍ତେ ମରିକି ଆସନ୍ତି କିନ୍ତୁ ଏଇ ହେଉଛି ପ୍ରଥମ ମଣିଷ ଯିଏକି ବଞ୍ଚିଛି"। ପ୍ରଥମ ଥର ପାଇଁ କୌଣସି ମଣିଷର ସ୍ୱର ସେ ଶୁଣିଲା। ତେଣୁ ଟିକିଏ ଅଲଗା ଅନୁଭବ କଲା। ମକରନ୍ଦ ପ୍ରଶ୍ନକଲା;
- ମୋର ପ୍ରଥମ ପ୍ରଶ୍ନ ହେଲା ଯେ, ତୁମ ମା ଯେମିତି ଛଦ୍ମବେଶରେ ବୁଢ଼ୀଟିଏ ହେଇ ବାହାରକୁ ବାହାରନ୍ତି ସେମିତି ତୁମେ ଏବେ ଛଦ୍ମବେଶରେ ଝିଅଟିଏ ହେଇଛ, ନା ଏଇଟା ତୁମ ପ୍ରକୃତ ରୂପ?
ଝିଅଟି ଉତ୍ତର ଦେଲା, "ମୁଁ ଜାଣିନି, ମୁଁ ସଦାବେଳେ ଏମିତି ଥାଏ"
- ମୋର ଦ୍ବିତୀୟ ପ୍ରଶ୍ନ ହେଲା ଯେ, ତୁମେ ଛୋଟବେଳୁ ଏଇ ଗୁମ୍ଫା ଭିତରେ ଏକୁଟିଆ ଅଛ, ନା ବଡ଼ହେଲାପରେ?
- ମୁଁ ଯେବେଠୁ ଜାଣିଛି, ଏଡିକି ଅଛି।
- ମୋର ତୃତୀୟ ପ୍ରଶ୍ନ ହେଲା ଯେ, ତୁମେ ତୁମର ମୁଣ୍ଡ କାହିଁକି କୁଣ୍ଡେଇ ହେଇନ?
- ମା ମନା କରିଛନ୍ତି; ମୁଣ୍ଡ କୁଣ୍ଡେଇଲେ ମୋ ମୁଣ୍ଡରୁ ରକ୍ତ ବାହାରେ ଓ ଭାରୀ କଷ୍ଟ ହୁଏ
ଝିଅଠାରୁ ଏଭଳି ଉତ୍ତର ପାଇ ମକରନ୍ଦ ନିଶ୍ଚିତ ହେଇଗଲା ଯେ, ଝିଅଟି କୌଣସି ପିଶାଚୁଣୀ ନୁହଁ। ନିଶ୍ଚୟ ତା ମୁଣ୍ଡରେ କୁହୁକ କଣ୍ଟା ମାରି ବୁଢ଼ୀ ପିଶାଚୁଣୀ ତାକୁ ନିଜର ବଶୀଭୂତ କରି ରଖିଛି। ତେଣୁ ସେ ଝିଅଟିକୁ ଅନୁରୋଧ କଲା, "ମୋତେ ଯଦି ଏବେ ସଙ୍ଗେ ସଙ୍ଗେ କଢେଇରେ ପକେଇବ ତାହେଲେ ତମ ରୋଷେଇ ଘର ସମ୍ପୂର୍ଣ୍ଣ ରୂପେ ଅଶୁଚି ହେଇଯିବ; କାରଣ ମୋତେ ଝାଡା ଲାଗୁଛି।" ସଙ୍ଗେ ସଙ୍ଗେ ଝିଅଟି ତାର ଗୋଡ଼ର ଦଉଡି ଖୋଲିଦେଲା ଓ ଗୁମ୍ଫା ଭିତର ଦେଇ ଝରି ଯାଇଥିବା ଏକ ଝରଣାକୁ ଝାଡା ଯିବା ପାଇଁ ମକରନ୍ଦକୁ କହିଲା। ମକରନ୍ଦର ଦୁଇ ହାତରେ ବନ୍ଧା ହେଇଥିବା ଦଉଡିର ଆର ମୁଣ୍ଡକୁ ଧରି ଝିଅଟି ରୋଷେଇ ଘରର ବଡ଼ ହଣ୍ଡାରେ ପାଣି ଗରମ କରୁଥାଏ।
ମକରନ୍ଦ ସେଇ ଅନ୍ଧାରୁଆ ଗୁମ୍ଫା ଭିତର ଦେଇ ଯାଇଥିବା ଝରଣା କୂଳରେ ବସି ପଥରରେ ଘଷି ଘଷି ହାତରେ ବନ୍ଧା ହେଇଥିବା ଦଉଡିକୁ ଛିଣ୍ଡେଇ ପକେଇଲା। ସେ ସହଜରେ ବୁଢ଼ୀ ପିଶାଚୁଣୀ ଓ ତା ଝିଅକୁ ଠକି ପଳେଇ ପାରିଥାନ୍ତା କିନ୍ତୁ ନିଜ ଗାଁ ଲୋକଙ୍କୁ ସବୁଦିନ ପାଇଁ ସେଇ ପିଶାଚୁଣୀ କବଳରୁ ରକ୍ଷା କରିବ ଭାବି ସେଠାରୁ ପଳେଇଲା ନାହିଁ।
ମକରନ୍ଦ ଧୀରେ ଧୀରେ ରୋଷେଇ ଘରକୁ ପଶି ଆସିଲା ଓ ପଛପଟୁ ଯାଇ ଝିଅଟିର ମୁଣ୍ଡରେ ଲାଗିଥିବା କୁହୁକ କଣ୍ଟାକୁ ଜୋରରେ ଉପାଡ଼ିଦେଲା। ଝିଅଟି କାଳେ କଷ୍ଟରେ ଚିତ୍କାର କରିବ ସେଥିପାଇଁ ତା ପାଟିକୁ ସଙ୍ଗେ ସଙ୍ଗେ ଦୁଇହାତରେ ବନ୍ଦ କରିଦେଇଥିଲା। ଝିଅଟି କିଛି ସମୟ ଛଟପଟ ହେଇ ଅଚେତ ହେଇଗଲା। ପାଖରେ ଥିବା ହଣ୍ଡାରୁ ପାଣି ନେଇ ମକରନ୍ଦ ତା ମୁହଁରେ ଛିଞ୍ଚିଲା ଓ ତାକୁ ଚେତାକୁ ଆଣିଲା।
ଚେତା ଫେରି ଆସିଲା ପରେ ଆଉ ସେଇ ଝିଅଟି ପିଶାଚୁଣୀର ବଶରେ ନଥିଲା। ତା ପରିବାରକୁ ମନେ ପକେଇ ବହୁତ କାନ୍ଦିଲା ଓ ମକରନ୍ଦକୁ ସବୁ କହିଲା। ତା ନାଁ ହେଉଛି ମନ୍ଦାକିନି ପାଖ ଗାଁ ଗଉନ୍ତିଆ ଘର ଝିଅ ସେ। ଦିନେ ଭିକାରୁଣୀ ବୁଢ଼ୀଟିଏ ଦିନ ଦ୍ବିପହର ମୁଣ୍ଡଫଟା ଖରାରେ ଭିକ ମାଗିବା ପାଇଁ ତାଙ୍କ ଘରକୁ ଯାଇଥିଲା। ସେଇ ବୁଢ଼ୀ ତାଙ୍କ ଘର ଅଗଣାରେ ବସିଥିଲା ବେଳେ ସେ ଯାଇ ନଇଁକି ତାକୁ ଚାଉଳ ଦେଉଥିଲା ଏବଂ ସେତେବେଳେ ତା ମୁଣ୍ଡରେ କିଛି ଗୋଟେ ଚୋଟ ବାଜିବାର ଅନୁଭବ କଲା। ତା ପରଠୁ ଆଉ ତାର କିଛି ମନେ ନାହିଁ।
ମକରନ୍ଦ ସବୁ ଠିକ ଠିକ ବୁଝି ପାରିଥିଲା ଯେ, ସେଇ ବୁଢ଼ୀ ଭିକାରୁଣୀ ଆଉ ଅନ୍ୟ କେହି ନଥିଲେ, ସେ ଥିଲା ଏଇ ପିଶାଚୁଣୀ। ଯିଏକି ଚାରି ପାଞ୍ଚ ବର୍ଷ ତଳେ ସେଇ ଝିଅକୁ ଗାୟବ କରିଥିଲା। ମକରନ୍ଦ ଓ ମନ୍ଦାକିନି ଦୁହେଁ ମିଶି ପିଶାଚୁଣୀକୁ ମାରିବାର ଯୋଜନା କଲେ। ଠିକ ଏତିକି ବେଳେ ଏକ ଭୟଙ୍କର ଗର୍ଜ୍ଜନ ଶୁଭାଗଲା। ଦୁହେଁ ଚମକି ପଡିଲେ। ସେଇ ଶବ୍ଦ ଥିଲା ବୁଢ଼ୀ ପିଶାଚୁଣୀର। ସେଇ ସମୟରେ ସବୁଦିନ ମନ୍ଦାକିନି ବୁଢ଼ୀ ପିଶାଚୁଣୀର ମୁଣ୍ଡ କୁଣ୍ଡେଇ ଦିଏ ଏବଂ କେବେ ଯଦି ଟିକିଏ ବିଳମ୍ବ ହୁଏ ତେବେ ସେ ଏମିତି ଗର୍ଜ୍ଜନ କରିଥାଏ।
ମନ୍ଦାକିନି ଯାଇ ବୁଢ଼ୀର ମୁଣ୍ଡ କୁଣ୍ଡେଇ ଦେଲାବେଳେ କିଛି ପରିବର୍ତ୍ତନ ଲକ୍ଷ୍ୟ କଲା ବୋଧେ ବୁଢ଼ୀ ପିଶାଚୁଣୀ। ତେଣୁ ସେ ପଚାରିଲା,"ତୋ ହାତ କାହିଁକି ଥରୁଛି?" ଭୟରେ ଥରି ଥରି ମନ୍ଦାକିନି ଉତ୍ତର ଦେଲା, "ନାଇଁ ତ, କାହିଁକି ଥରିବ"। ରାଗରେ ତମତମ ବୁଢ଼ୀ ପିଶାଚୁଣୀ ମନ୍ଦାକିନିର ତଣ୍ଟି ଚିପି ଧରି ପଚାରିଲା, "ଆଗରୁ ତ ଡରୁ ନଥିଲୁ, ଏବେ କାହିଁକି ଡରୁଛୁ? ତୋ ମୁଣ୍ଡର କଣ୍ଟା କିଏ ଉପାଡିଲା କହ, ନହେଲେ ତଣ୍ଟି ଚିପି ମାରିଦେବି।" ମନ୍ଦାକିନିର ଗଳାକୁ ଧରି ଗୋଟେ ହାତରେ ଟେକି ଦେଇଥାଏ ବୁଢ଼ୀ ପିଶାଚୁଣୀ। ଠିକ ଏତିକି ବେଳକୁ ମକରନ୍ଦ ପଛପଟୁ ଆସି ମନ୍ଦାକିନୀର କହିବା ମୁତାବକ ବୁଢ଼ୀର ମୁଣ୍ଡରେ ଥିବା ଶିଙ୍ଗକୁ ପଥରରେ ମାରି ଭାଙ୍ଗିଦେଲା ଏବଂ ବୁଢ଼ୀ ସଙ୍ଗେ ସଙ୍ଗେ ତଳେ ପଡିଯାଇ ମରିଗଲା। କାରଣ ବୁଢ଼ୀର ଜୀବନ ତା ମୁଣ୍ଡରେ ଥିବା ସେଇ ଶିଙ୍ଗ ଭିତରେ ଥିଲା।
ଦୁହେଁ ଖୁସିରେ ଜଙ୍ଗଲରୁ ଘରକୁ ଫେରିଲେ। ଗାଁ ଯାକ ଲୋକ ସମସ୍ତେ ଠୁଳ ହେଇ ମକରନ୍ଦକୁ ପ୍ରସଂଶା କଲେ ଓ ଧନ୍ୟବାଦ ଦେଲେ। ପାଖ ଗାଁ ଗଉନ୍ତିଆ ଦୀର୍ଘ ପାଞ୍ଚ ବର୍ଷ ପରେ ନିଜର ଏକମାତ୍ର ଝିଅକୁ ପାଇଁ ବହୁତ ଖୁସି ହେଲେ ଏବଂ ମକରନ୍ଦକୁ ମନ୍ଦାକିନି ସହ ବିବାହ କରିବା ପାଇଁ ଅନୁରୋଧ କଲେ। ମନ୍ଦାକିନି ବି ମକରନ୍ଦ ଭଳି ଜଣେ ସାହସୀ ଏବଂ ସୁନ୍ଦର ଯୁବକକୁ ପାଇ ବହୁତ ଖୁସି ଥିଲା। ଗଉନ୍ତିଆ ଖୁସିରେ ନିଜର ସମସ୍ତ ଧନ ସମ୍ପତ୍ତି ମକରନ୍ଦ ଓ ମନ୍ଦାକିନିକୁ ଦେଇଦେଲେ।