Sanjeeb Kumar Nag

Children Stories Comedy

4.5  

Sanjeeb Kumar Nag

Children Stories Comedy

ସିଂହ ଗର୍ଜନ

ସିଂହ ଗର୍ଜନ

2 mins
374


ଥୁଆମୂଳ ରାମପୁରର ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ ତଳେ କଲାଚୁଆଁ ନାମରେ ଥିଲା ଛୋଟ ଗାଆଁଟିଏ। ଏକ ମଣିଷଖିଆ ବାଘର ପ୍ରକୋପରେ ଗାଁ ଲୋକେ ହନ୍ତସନ୍ତ ହେଉଥିଲେ। ଦିନବେଳେ ବି ସେମାନେ କବାଟ ଝରକା ବନ୍ଦ କରି ରହୁଥିଲେ। ଲୋକଙ୍କର କାମ ଧନ୍ଦା ସବୁ ବନ୍ଦ ହେଇଯାଇଥିଲା। ଭୋକରେ ଶୋଷରେ ସମସ୍ତେ ଆଉଟୁ ପାଉଟୁ ହଉଥିଲେ। ଶେଷରେ ଗାଁ ଯାକ ସମସ୍ତେ ମିଶି ବାଘ କବଳରୁ ରକ୍ଷା ପାଇବା ପାଇଁ ଉପାୟଟେ ପାଞ୍ଚିଲେ। ନିଷ୍ପତ୍ତି ହେଲା ଯେ ସେମାନେ ନିଜେ ଜଙ୍ଗଲରୁ ଶିକାର କରିକି ବାଘକୁ ପ୍ରତିଦିନ ହରିଣ, ଠେକୁଆ, ବାର୍ ହା ଆଦି ଯେକୌଣସି ପ୍ରାଣୀ ଦାନ କରିବେ। ବାଘ ତା ଗୁମ୍ଫାରେ ଆରାମ କରିବ ଓ ଗାଁ ଲୋକେ ଜଙ୍ଗଲରେ ଥିବା ବଡ଼ ବରଗଛ ତଳେ ପ୍ରତିଦିନ ଶିକାର କରିଥିବା ପ୍ରାଣୀକୁ ବାନ୍ଧିଦେଇ ଆସିବେ। ଗାଁ ଲୋକଙ୍କ କଥାରେ ବାଘ ରାଜି ହେଇଗଲା । 


ଗାଁର ପ୍ରତ୍ୟେକ ପରିବାର ପାଳି କରି ବାଘ ପାଇଁ ଶିକାର କରନ୍ତି। ବାଘ ବି ଆରାମରେ ଶୋଇ ରହେ ଓ ଭୋକ ହେଲେ ବରଗଛକୁ ଆସି ବନ୍ଧା ହେଇଥିବା ଜୀବକୁ ମାରିକି ଖାଏ। ସେଇ ଗାଁର ଶେଷ ମୁଣ୍ଡରେ ପାହାଡ଼ ଉପର ଗାଁ ରୁ ଆସି ବୁଢାବୁଢ଼ୀ ଦୁହେଁ ଛୋଟ କୁଡ଼ିଆଟେ କରି ରହୁଥିଲେ। ବେଦାନ୍ତ କମ୍ପାନୀ ବକ୍ସାଇଟ ଉତ୍ତୋଳନ କରିବା ଯୋଗୁଁ ତାଙ୍କ ଗାଁ ଉଠିଗଲା। ତାଙ୍କର ଯୁବା ପୁଅ ସମେତ ତାଙ୍କ ଗାଁର ସମସ୍ତେ ତାମିଲନାଡୁକୁ ଦାଦନ ଖଟିବାକୁ ଗଲେ। ବୁଢ଼ାବୁଢ଼ୀ କୌଣସି ଉପାୟ ନପାଇ ପାହାଡ଼ ତଳକୁ ଆସି ଏଇ କଲାଚୁଆଁ ଗାଁ ରେ ରହୁଥିଲେ। ଗାଁର ସବୁ ପରିବାରର ପାଳି ସରିଲା ପରେ ତାଙ୍କ ପାଳି ଥାଏ। ଠେଙ୍ଗା ଧରି ବହୁ କଷ୍ଟରେ ଚାଲୁଥିବା ବୁଢାବୁଢ଼ୀଙ୍କ ପକ୍ଷେ ଜଙ୍ଗଲରୁ ଶିକାର କରି ବାଘକୁ ଦେବା ସମ୍ଭବ ନଥିଲା। ତେଣୁ ସେଦିନ ସେମାନେ ଝାଟିମାଟିର କବାଟକୁ ବନ୍ଦ କରି ଘର ଭିତରେ ଦୁଇଟି ବଡ଼ ବଡ଼ ମାଟି ହାଣ୍ଡିରେ ଲୁଚିଥାନ୍ତି। 


ବରଗଛ ତଳେ କୌଣସି ଜୀବ ବନ୍ଧାହୋଇ ନଥିବାର ଦେଖି ବାଘ ରାଗରେ ଗର୍ଜନ କରି ଗାଁ ଭିତରକୁ ମାଡି ଆସିଲା। ଗାଁ ଯାକ ସମସ୍ତେ ଝରକା କବାଟ ବନ୍ଦ କରି ଲୁଚିଲେ। ବାଘ ସମସ୍ତଙ୍କୁ ମାରି ଖାଇଦେବି ବୋଲି ଧମକ ଦେବାରୁ ଝରକା ଖୋଲି ଜଣେ ଲୋକ ବୁଢ଼ାବୁଢ଼ୀର ଘର ଦେଖେଇ ତାଙ୍କ ପାଳି ଥିବାର କହିଲା। ବୁଢ଼ାବୁଢ଼ୀ ରହୁଥିବା କୁଡ଼ିଆର ଝାଟିମାଟିର କବାଟକୁ ଭାଙ୍ଗି ବାଘ ଘର ଭିତରକୁ ପଶିଲା। ବାଘଟି ମନେ ମନେ ଭାବୁଥିଲା; "ଏଇ ବୁଢ଼ାବୁଢ଼ୀଙ୍କର ଏତେ ସାହସ ହେଲା କେମିତି? ମୋ ଠୁ ଶକ୍ତିଶାଳୀ ଅନ୍ୟ କୋଉ ରାଜା ଏଇ ଜଙ୍ଗଲକୁ ଆସିନି ତ? ନା ମତେ ଟିକିଏ ସତର୍କ ରହିବାକୁ ପଡିବ। ଏଇ ଦୁର୍ବଳ ଜରାଜୀର୍ଣ୍ଣ ବୁଢାବୁଢ଼ୀ ଏତେ ସାହସ କରି ପାରିବେନି। ନିଶ୍ଚୟ କୋଉ ଗୋଟେ ଶକ୍ତିଶାଳୀ ଜୀବର ହାତ ଅଛି ଏଇ ଘଟଣାରେ।" ଏମିତି ଭାବି ଭାବି ବାଘଟି ଡରି ଡରି ବୁଲୁଥିଲା ବୁଢ଼ାବୁଢ଼ୀଙ୍କ ଘର ଭିତରେ।


ଏଇ ସମୟରେ ବୁଢା ଫୁସକିନା ବୁଢ଼ୀକୁ କହିଲା:-

-ପାଡ଼ଟେ ଲାଗୁଛି ପାଡ଼ିବି କି?

- ପାଡ଼ କିନ୍ତୁ ଧୀରେ ପାଡ଼ (ବୁଢ଼ୀ ଉତ୍ତର ଦେଲା) 

ବୁଢା ଠୁସ କିନା ପାଡ଼ିଦେଲା। ଘର ଭିତରେ ବୁଲୁଥିବା ବାଘ ବୁଢ଼ାର ଠୁସକି ପାଡ଼ ଶୁଣି ଘର ଭିତରେ କେହିଜଣେ ଅଛି ବୋଲି ସନ୍ଦେହ କଲା। ତାକୁ ଟିକିଏ ଟିକିଏ ଭୟ ଲାଗିଆସୁଥିଲା।


କିଛି ସମୟ ପରେ ବୁଢ଼ୀ କହିଲା:-

-ହଇ ହୋ ଶୁଣୁଛ; ମତେ ବି ପାଡ଼ ଲାଗୁଛି

-ପାଡୁନ କିଏ ମନା କଲା କି? ହେଲେ ଟିକେ ଧୀରେ ପାଡିବ

ବୁଢ଼ୀ କିନ୍ତୁ ଧୀରେ ପାଡି ପାରିଲାନି; ଜୋରରେ "ଢଁ" କରି ପାଡ଼ିଦେଲା।


ସିଂହ ଗର୍ଜନ କରୁଛି ଭାବି ବାଘଟି ଭୟରେ ଲାଙ୍ଗୁଡ଼ ଜାକିକି ଘର ବାହାରକୁ ଗୋଟିଏ ଲମ୍ବା ଲମ୍ଫ ପ୍ରଦାନ କଲା ଓ ଜଙ୍ଗଲ ଛାଡିକି ପଳେଇଲା। ଘର ଭିତରେ ଲୁଚିରହି ଏସବୁ ଦେଖୁଥିବା କାଳିଆ ମୂଷା ତାଳି ମାରି ମାରି କହୁଥିଲା, "ବୁଢାବୁଢ଼ୀ ଦୁଇ ବୁଢ଼ାବୁଢ଼ୀ ଆସିଥିଲେ ଦିନେ ଗାଁ; ହାଣ୍ଡି ଉପରେ ପିଚା ରଖି ପାଡ଼ିଦେଲେ ଢୁଁ ଢାଁ, ପାଡ଼ିଦେଲେ ଢୁଁ ଢାଁ।"


Rate this content
Log in