ଲିଟୁର ବାପା
ଲିଟୁର ବାପା
ଲିଟୁ ପ୍ରତିଦିନ ତହଁଶିର ଡ୍ୟାମକୁ ଛେଳି ଚରେଇବାକୁ ଯାଏ। ପ୍ରତିଦିନ ଭଳି ସେଦିନ ବି ବାଟରେ ଥିବା କବରସ୍ଥଳୀ ନିକଟରେ ଅଟକି ସେ ତା ବାପାଙ୍କ ସମାଧି ପାଖରେ ବସି ତାର ସବୁ ଦୁଖଃ ତା ବାପାଙ୍କ ଆଗରେ ବଖାଣିଲା। ହଠାତ କବର ପାଖରୁ "ବାବୁ" ଡାକ ଶୁଣି ଚମକି ଗଲା ଲିଟୁ। ସାହସ କରି ସେ ପଚାରିଲା:-
- କିଏ? କିଏ ତମେ?
କବରସ୍ଥଳୀ ପାର୍ଶ୍ଵରୁ ଉତ୍ତର ଆସିଲା
- ବାବୁ; ମୁଁ ତୋ ବାପା
- କୋଉଠି ଅଛ ବାପା, ମୋ ସାମ୍ନାକୁ ଆସ
- ନାଁ, ମୁଁ ତୋ ସାମ୍ନାକୁ ଆସି ପାରିବିନି; ତୁ ଯଦି ମୋତେ ଦେଖିବାକୁ ଚେଷ୍ଟା କରିବୁ ତେବେ ମୁଁ କେବେ ବି ତୋ ସହିତ କଥା ହେଇପାରିବିନି
- ନାଇଁ ବାପା, ମୁଁ ତୁମକୁ ଦେଖିବାକୁ ଚେଷ୍ଟା କରିବିନି; ତମେ ସବୁଦିନ ମୋ ସହିତ କଥା ହେବ
- କିନ୍ତୁ ମନେରଖ, ମୁଁ ତୋ ସହିତ କଥା ହୁଏ ବୋଲି କାହାକୁ କହିବୁ ନାହିଁ। ତୋ ମାଆକୁ ବି କହିବୁନି। ବହୁତ ଦିନ ହେଲା ତୋ ମାଆର ହାତରନ୍ଧା କୁକୁଡା ମାଂସ ଖାଇନି, ମାଛ ଭଜା ଖାଇନି, ଚିଙ୍ଗୁଡ଼ି ଖାଇନି; ବହୁତ ମନେ ପଡୁଛିରେ ବାବୁ।
- ତମେ ଚିନ୍ତା କରନି ବାପା; ମୁଁ କାଲିଠୁ ପ୍ରତିଦିନ ମୋ ମାଆକୁ କହି ଅଲଗା ଅଲଗା ସୁସ୍ୱାଦୁ ଖାଦ୍ୟ ତମ ପାଇଁ ଆଣିବି।
- ହଉ, ଈଶ୍ୱର ତୋର ମଙ୍ଗଳ କରନ୍ତୁ
ତହିଁ ଆରଦିନ ଲିଟୁ ଗୋଟିଏ ଟିଫିନ୍ ଡବାରେ କୁକୁଡ଼ା ମାଂସ ଧରି ତହଁଶିର୍ ଡ୍ୟାମକୁ ଛେଳି ଚରେଇବାକୁ ଗଲା। ତା ସାଥି ଛେଳିଚରାଳୀ ମାନଙ୍କ ଗୋଠରେ ତା ଛେଳିକୁ ଛାଡ଼ିଦେଇ ସେ ଟିଫିନ୍ ଡବା ଧରି ପହଞ୍ଚି ଗଲା କବରସ୍ଥଳୀକୁ। ତା ବାପାର କବର ପାଖରେ ଛିଡା ହେଇ ସେ ତା ବାପାଙ୍କୁ ଡାକିଲା:-
- ବାପା.... ବାପା.... ମୁଁ ତମ ପାଇଁ ଆଜି ଭାତ ଓ କୁକୁଡ଼ା ମାଂସ ଆଣିଛି, ଖାଇବ ଆସ
- ସେଇଠି ରଖିଦେଇ ଯା, ଛେଳି ଚରେଇ ଫେରିଲା ବେଳେ ଏଇଠୁ ଟିଫିନ୍ ଡବା ନେଇକି ଯିବୁ (ପାଖରେ ଥିବା ଅନ୍ୟ ଏକ ସମାଧି ପାଖରୁ ଶୁଭାଗଲା)
- ହଉ ବାପା
ଏତିକି କହି ଖୁସିରେ ଦୌଡି ଦୌଡ଼ି ପଳେଇଲା ଲିଟୁ। ସାଙ୍ଗ ମାନଙ୍କ ସହ ଛେଳି ଚରେଇ ଫେରିଲା ବେଳେ ଘରକୁ ଟିଫିନ୍ ଡବା ନେଇକି ଗଲା। ଏମିତି ପ୍ରତିଦିନ ଚାଲିଥାଏ। ଲିଟୁ କୁକୁଡ଼ା ମାଂସ, ମାଛ, ଚିଙ୍ଗୁଡ଼ି ଆଦି ନେଇକି ତା ବାପାଙ୍କୁ ଖାଇବାକୁ ଦେଉଥାଏ। ଦିନେ ଲିଟୁର ମନରେ ତା ବାପାଙ୍କୁ ଦେଖିବାକୁ ଭାରି ଇଛା ହେଲା। ସେଦିନ ସେ କବର ପାଖରେ ମାଛ ତରକାରୀ ଓ ଭାତ ରଖିଦେଇ ଗଛ ଉପରେ ଲୁଚିଗଲା। କିଛି ସମୟ ପରେ ସେ ଦେଖିଲା ଯେ, ପାଖ କବର ନିକଟରେ ଥିବା ଏକ ଗାତ ଭିତରୁ ବିଲୁଆଟିଏ ବାହାରି ଏପଟେ ସେପଟେ ଦୁଇଥର ଅନେଇଲା ପରେ ସବୁତକ ଖାଇ ସକ ସକ କରି ଖାଇଦେଲା। ଖାଇସାରି କହିଲା:- ବାଃ ରେ ମଣିଷ, ତୁ କେଡେ ବୋକା, ମୁଁ କେଡେ ଚତୁର! ଲୋକେ ତୁଚ୍ଛାରେ କହନ୍ତିନି "ବିଲୁଆ ବଡ଼ ଚତୁର, ପଇଡ ବଡ଼ ମଧୁର"।
ଗଛ ଉପରୁ ଦେଖୁଥିବା ଲିଟୁର ମନ ଭାଙ୍ଗିଗଲା। ସେ ନିଜକୁ ନିଜେ ଅପମାନିତ ମନେକଲା। ଗୋଟିଏ ବିଲୁଆକୁ ନିଜ ବାପା ଭାବି ଏତେ ଶ୍ରଦ୍ଧାରେ ଖାଇବାକୁ ଆଣିଦଉଥିଲି! ଛି! .... ଛି! ମୁଁ ଏଡ଼େ ବୋକା କେମିତି ହେଲି! ମଲା ଲୋକ କଣ କେବେ କଥା ହୁଅନ୍ତି... ମଲା ଲୋକ କଣ କେବେ ଖାଦ୍ୟ ଖାଆନ୍ତି... ଏମିତି ଭାବି ଭାବି ବିଲୁଆକୁ ପାନେ ଦେବା ପାଇଁ ସେ ଉପାୟଟେ ପାଞ୍ଚିଲା।
ତହିଁ ଆରଦିନ ଲିଟୁ ଚିଙ୍ଗୁଡ଼ି ଭଜା ନେଇକି କବର ପାଖରେ ରଖିଦେଲା ଓ କହିଲା:-
- ବାପା, ଆଜି ମୋତେ କନ୍ତେଶିର ପଞ୍ଚାୟତ ଅଫିସକୁ ଯିବାର ଅଛି ଚାଉଳ ଆଣିବା ପାଇଁ; ତେଣୁ ଡ୍ୟାମରୁ ଛେଳି ଚରେଇ ଟିକେ ଜଲଦି ଫେରିବି। ତମେ ବି ଜଲଦି ଖାଇଦେଵ। ବିଲୁଆଟି ଲିଟୁକୁ ତାଛଲ୍ୟ କରି ମନେ ମନେ କହିଲା, "ଉଁ ... ଏଁ ... କୋଉ କେଜିଏ ଚିଙ୍ଗୁଡ଼ି ଆଣିଥିବୁ ଯେ ଖାଇବାକୁ ଘଣ୍ଟାଏ ଲାଗିବ; ମୂର୍ଖ ... ଛୋଟ ଗିନାରେ ଚଟଣୀ ଭଳି ଟିକିଏ ଆଣିଥିବ କି ନାଇଁ; କେତେ ଦେଖେଇ ହଉଛି"। ବିଲୁଆର ଉତ୍ତର ନପାଇ ଲିଟୁ ପୁଣିଥରେ କହିଲା:-
- ବାପା ଶୁଣୁଛ ତ?
- ହଁ ହଁ ପୁଅ ଶୁଣୁଛି
- ଠିକ ଅଛି; ଜଲଦି ଖାଇଦେଵ, ଆସୁଛି
ଏତିକି କହି ଲିଟୁ ପାଖରେ ଥିବା ଅନ୍ୟ ଏକ କବର ପଛରେ ଲୁଚି ପଡିଲା। ବିଲୁଆ ଖାଇବା ଲାଗି ଗାତ ଭିତରୁ ଉପରକୁ ବାହାରିଲା ବେଳକୁ ଠେଙ୍ଗା ଧରି ଲୁଚିଥିବା ଲିଟୁ ଗୋଡ଼ରେ ଗୋଡ଼ରେ ଗୋଟେ ଠେଙ୍ଗା ଲଦି ଦେବାରୁ ବିଲୁଆର ଗୋଡ଼ ଭାଙ୍ଗି ଗଲା। ଯୋଜନା ମୁତାବକ ପାଖରେ ଲୁଚିଥିବା ତା ସାଙ୍ଗମାନେ ସମସ୍ତେ ଜାଲ ପକେଇ ବିଲୁଆକୁ ଧରି ପକେଇଲେ ଓ ଚାରିଗୋଡ ବାନ୍ଧି ଗଛରେ ଝୁଲେଇ ଦେଲେ। ସେଇଦିନ ଠାରୁ ପ୍ରତିଦିନ ଛେଳି ଚରେଇ ଗଲା ବେଳେ ପିଲାମାନେ ତାକୁ ଲାଥ, ବିଧା, ଗୋଇଠା ମାରିଥାନ୍ତି ଆଉ କହିଥାନ୍ତି, "ନେ କୁକୁଡ଼ା ମାଂସ ଖା, ନେ ମାଛ ଖା, ନେ ଚିଙ୍ଗୁଡ଼ି ଖା"
ଚାରି ପାଞ୍ଚଦିନ ଏମିତି ମାଡ଼ ଖାଇ ଖାଇ ବିଲୁଆଟି ଫୁଲିଯାଇଥାଏ। ଗୋଟେ ପତଳା ବିଲୁଆ ଆସି ତାକୁ ପଚାରିଲା:-
- ଭାଇ ଏଠି ଓଲଟା କାହିଁକି ଝୁଲୁଛ
- ଦେଖି ପାରୁନ କି ଶୀର୍ଷାସନ କରୁଛି
- କାହିଁକି
- ତମେ ଜଙ୍ଗଲରେ ବୁଲିବା ଲୋକ କଣ ଜାଣିବ! ଆରେ ଏଇଟା ହେଉଛି ଯୋଗାସନର ଗୋଟିଏ ଆସନ। ମୋ ମାଲିକ ପ୍ରତିଦିନ ମୋତେ ମାଛ ମାଂସ ଖାଇବାକୁ ଦିଅନ୍ତି; ମୁଁ ଖାଇବାକୁ ମନାକଲେ ଦୁଃଖ କରନ୍ତି ବୋଲି ମନା କରି ପାରେନି। ଦେଖୁନ କେମିତି ମୋଟା ହେଇଗଲିଣି। ଫିଟ ରହିବା ପାଇଁ ଓଜନ ଟିକେ କମେଇବା ନିହାତି ଜରୁରୀ। ସେଥିପାଇଁ ଯୋଗାସନ କରୁଛି।
- ଆମ ଭାଗ୍ୟରେ ଏତେ ସୁଖ କାହିଁ! ଭୋକ ଉପାସରେ ଦିନ କଟୁଛି
- ମୋ କଥା ଯଦି ମାନିବ, ତେବେ ତମେ ବି ପ୍ରତିଦିନ ମୋ ଭଳି ଖାଇବାକୁ ପାଇବ
- ନିଶ୍ଚୟ ମାନିବି
- ଠିକ ଅଛି ତାହେଲେ, ଖୋଲ ମତେ
ବିଚରା ପତଳା ବିଲୁଆ ତାକୁ ଖୋଲି ଦେଲା ପରେ ଠକ ବିଲୁଆଟି ତାକୁ ସେଠି ବାନ୍ଧି ଦେଇ ଫେରାର ହେଇଗଲା।