Sunanda Mohanty

Drama Tragedy

5  

Sunanda Mohanty

Drama Tragedy

ପକ୍ଷୀ ଘର

ପକ୍ଷୀ ଘର

4 mins
466


  ମାଳ ଲୁଚି ଲୁଚି ପେଟ ଆଉଁସି ନିଏ । ମାଆ ପ୍ରଥମେ ପ୍ରଥମେ ବହୁତ ଗାଳି କରୁଥିଲା, ଏବେ ଆଉ ଗାଳି କରୁନି, ଯେବେଠୁ ମାଳ ଶୁଣେଇ ଦେଇଥିଲା ମୋ ବାପା ପରିଚୟ ମୁଁ କେବେ ତତେ ମାଗିନି, ତୁ ମୋ ପେଟର ପିଲାର ବାପା ପରିଚୟ ପାଇ କଣ ଲାଭ ପାଇବୁ? ମା ସିନା ପଚାରୁ ନଥିଲା କିଛି ହେଲେ ବରଷା ରାତିରେ, ଦୁଇବର୍ଷ ହେଲଣି ଚାଳ ଛପର ହୋଇନଥିବା କଣାରୁ ମୌସୁମୀ ବରଷା ଛିଟା ପଡି ମାଳର ନିଦ ଭାଙ୍ଗିବ କଣ ଆହୁରି ଲାଗିଯାଏ ଆଖିପତା । ସେଇ ଆଖିପତା ଦେଇ ସେ ତା ଜୀବନରେ ବିତି ଯାଇଥିବା ସୁଖଦ ମୁହୂର୍ତ୍ତ ଟିକକ ସାଉଁଟି ବସେ । ମାଧବ ଗାଇ ଜଗେ ସତ ହେଲେ ତା ପୁରିଲା ପୁରିଲା କଳା ମଚମଚ ଦେହର ଆକର୍ଷଣରେ ସେଦିନ ମାଳ ନିଜକୁ ସମର୍ପି ଦେଲାବେଳେ ଏତେ କଥା ଭାବିନଥିଲା । ତା ପେଟ ବଢିବ, ବାନ୍ତି ହେବ ଆଉ ମାଆ ଚୁଟି ଘୋଷାରି ସଵାଖାଇ କୋଉ ଗାତକୁ ଯାଇଥିଲୁ ଲୋ ବୋଲି କୁହାଟ ଛାଡିବ ।


  ଖାଲି କଣ ସେତିକି ବାବୁ ଘରୁ ଆଚାର ମାଗିଆଣେ ମାଳ ପାଇଁ ତା ମାଆ । ପୁଣି ବାବୁଆଣୀଙ୍କର ନାତିର ହଗିସ ଗୁଡିକ ଫୋପାଡିବ କଣ, ଖାଲି ମୁତ ହୋଇଛି କହି ଧୋଇଧାଇ ଚାଳରେ ଶୁଖେଇ ରଖିବ । ଏଇ ପରା କାଳ ବୈଶାଖି ବରଷା ପରେ ପରେ ମୌସୁମୀ ବରଷା ଦାଉରୁ, ହଗିସ ସବୁକୁ ଶୁଖେଇ ତୋଳି ରଖୁଛି । ଲୁହରେ ଆଖିପତା ଭିଜି ଯାଏ ମାଳର । ତାକୁ କେମିତି ଏଡ଼େରୁ ଏଡ଼େ କଲା କେଜାଣି ମାଆ?? ମାଆ ତ ତାଆରି ପରି କୁଆଁରୀ ମାଆବୋଲି ଗେଲି ନାନୀ କହେ । ତାକୁ ପାଠ ପଢେଇବା ପାଇଁ ବହୁ ସଂଗ୍ରାମ କରି ମଧ୍ୟ ପରାଜିତ ସୈନିକ ପରି ବାରଘର ଦୁଆର ପିଣ୍ଢା ହୋଇଛି । ଏବେ ସିନା ଚାଉଳ ଗଣ୍ଡେ ମିଳିଯାଉଛି ହେଲେ ଗରୀବର ମାଉଁସ, ଆଳୁ ପିଆଜ ଦିଟା ନହେଲେ, ତେଲ ଟିକେ ନହେଲେ ମାଆ ଝିଅ ଦିଟା ଚଳିବେ କେମିତି ଯେ??ନା ଅଛି ଚାଷ ନା ଅଛି ବାସ । ଇନ୍ଦିରା ଆବାସର କେଇଟା ଟଙ୍କା କରଜ ଶୁଝାରେ ସରିଛି । କାମ ଆରମ୍ଭ ହୋଇନି ବୋଲି ଦ୍ୱିତୀୟ ତୃତୀୟ କିସ୍ତି ବି ମିଳିବାକୁ ନାହିଁ । ତଥାପି ମାଆ ସ୍ବପ୍ନ ଦେଖୁଥିଲା, ତା ପାଇଁ ବାବୁଘର, ମାସିକ ପଇସା ଜମା ପୈଠ କରି ସଞ୍ଚୟ କରୁଥିଲା । ସ୍ବପ୍ନ ସତ କରିବାକୁ ଦେଲାନି ମାଳ । ମୁଁହରେ ଚୂନ କାଳି ବୋଳିଲା ।


  ମାଳ ଭାବେ ସତରେ କଣ ତା ହାତ କେହି ଧରିବାକୁ ଆଗେଇ ଆସିଥାଆନ୍ତେ? ମାଆକୁ କେହି ରୋଜଗାରିଆ ପୁଅ ମିଳିଥାଆନ୍ତେ ମାଳ ହାତ ଧରିବାକୁ ? ତାଙ୍କ ମନ ମୁତାବକ ଯୌତୁକ ଦେଇପାରିଥାଆନ୍ତା ମାଆ?? ମାଧବ ଯଦି ସେତକ କହନ୍ତା!,ସେ କେଡେ ଖୁସି ହୁଅନ୍ତା । ମାଆ ଓଠରେ ହସ ଟିକେ ଦେଇ ପେଟର ପିଲାକୁ ସ୍ୱୀକୃତି ଦେଇ ମାଧବ ସଙ୍ଗେ ସଂସାର କରନ୍ତା । ଚଢେଇ ବସା ବା ପକ୍ଷୀ ବସା ପରି । ଯୋଉଟା, 'ବା' କଲେ ଦୋହଲିଯାଉଥିଲେ ବି ଛିଣ୍ଡିବାର ଭୟ ନଥାନ୍ତା । ବାବୁଘର ପୁଅ ପରି ମାଧବ, ତାକୁ ଦିଭୋର୍ସ ଦେବାକୁ କହି ଧମକାଇ ପାରନ୍ତା ନାହିଁ ହାତ ଧରି ବାହା ହୋଇଥିବା କନିଆ ବୋହୁଟାକୁ । ମାଳ ଭାବେ ଗରୀବ ହେଲେ ଭାରି ଦୁଃଖ ।


ଏବର୍ଷ ରଥଯାତ୍ରାରେ, ବଡଦାଣ୍ଡରେ ରଥ ଉପରେ ଜଗନ୍ନାଥଙ୍କୁ, ଗରୀବର ସବୁ ଦୁଃଖ କହିବ ବୋଲି ଭାବିଥିଲା ଯେ, ମୌସୁମୀ ବର୍ଷା ସାଙ୍ଗକୁ ମାଆର ବାରଣ ଯୋଗୁଁ ଯାଇପାରିଲାନି । ବୁଝେଇ ଦେଲା ମନକୁ, ଧନ ଥିଲାଵାଲାଙ୍କର ବି ଦୁଃଖ ଅଛି । ମହାପାତ୍ର ବାବୁଙ୍କ ଘର ମାଆ ପରା ତାଙ୍କ ପୁଅକୁ କହୁଥିଲେ, ଆରେ ପାଟି ମୁଣ୍ଡ ଚିପି ଏତେ ଡବା ଖାଦ୍ୟ, ପୋଷାକ, ହଗିସ କାହିଁ ପାର୍ସଲ କରୁଛୁ ଏଡ଼େ ବକଟେ ଛୋଟ ପୁଅ ପାଇଁ । ଆମେ କଣ ମାଆ ହେଉନଥିଲୁ ନା ତତେ ବଡ଼ କରିନଥିଲୁ?? ଏକଥା ମାଆ ଠାରୁ ଶୁଣି ମାଳ କାନ୍ଦି ପକେଇ ଥିଲା । ସେମିତି ଦାସ ବାବୁଙ୍କ ପୁଅ କୁଆଡେ ଟିକେ ଟିକେ କଥାରେ ମଫସଲୀ, ଗାଉଁଲି କହି ସ୍ତ୍ରୀଟାକୁ ଦିଭୋର୍ସ ଦେବ କହିବାରୁ, ଏ ବୟସରେ ଦାସ ବାବୁ ପିଲାଙ୍କୁ ପଢ଼େଇ ବୋହୁକୁ ଚଳାଉଛନ୍ତି, ଅବୁଝା ପୁଅକୁ ବାଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏମିତି ସବୁ ବଡଘର ବଡ଼ ବଡ଼ ଗୁମର କଥା, ମାଆ କହିଦେଇ କହେ ଚୁପ ଚୁପ କାହା ଆଗେ ଏସବୁ କହିବୁନି ଲୋ ମାଳ । ସେହି ବାବୁ ଘର ସବୁ ଭଲରେ ଥିଲେ ଆମେ ଚଳିଯିବା । ଏମିତି କହି କୋଉ ବାବୁଘର ଦେଇଥିବା ଶାଢ଼ୀ ବ୍ଳାଉଜ ଶାୟା ଝିଅ ମାଳକୁ ପିନ୍ଧାଏ ମାଆ ତ,କୋଉ ଶାଢ଼ୀପଟା ସାଇତି ଥାଏ, ମାଳର ପିଲାପିଲି ହେଲେ କୋଉଠୁ ପାଇବ ନହେଲେ !ମାଳ କିନ୍ତୁ ମାଆର ପକ୍ଷୀ ବସା ଦେଖି ନିଜର ପକ୍ଷୀ ବସା ଟିଏ କରିପାରିବାର କାମନା କରେ । ମାଆ ସବୁ ବୁଝେ,ଜାଣେ, ବୁଝାଏ ମାଳକୁ ଜଗନ୍ନାଥ ସବୁ ଦେଇନଥାନ୍ତି ସମସ୍ତଙ୍କୁ ଲୋ ଝିଅ !ପ୍ରଶ୍ନ ପଚାରିଲା ଆଖିରେ ମାଆ ମୁହଁରୁ କିଛି ପଢୁ ପଢୁ ମାଳ ବୁଝିଯାଏ, ଜଗନ୍ନାଥ କାଳେ ସମସ୍ତଙ୍କୁ ସବୁ ସୁଖ ଦେଇନଥାନ୍ତି । ଦିଅନ୍ତି ଯେ ମନଜାଣି ଅଳ୍ପ, ନହେଲେ କୁଆଡେ କେହି ତାଙ୍କୁ ଭକ୍ତିରେ ଡାକିବେ ନାହିଁ । ମାଳ ମନ ବୁଝେନା ।


ଜଗନ୍ନାଥଙ୍କ ଭଳି ଏ ମାଧବ । କହୁଛି ପରିବାର ବସେଇବା ମୋ ଦେହି ସମ୍ଭବ ନୁହେଁ । ଗାଇ ଜଗି ଆଜି ଆ ଘରେ ତ କାଲି ତା ଘରେ ଗଣ୍ଡେ ବାସି ପାଖାଳ ଖାଇ ଜୀବନ ଧରିଛି, ତତେ ଆଣି ପକ୍ଷୀବସା ବାନ୍ଧିବା 'ଜୁ' ନାହିଁ ଲୋ ମୋର । ମୁହଁ ମୋଡେ ମାଳ କହେ ଦେହ ସୁଖ କଲାବେଳେ ସେ କଥା କହିଥିଲେ ମୁଁ ମୁହଁ ଆଡେଇ ଚାଲିଯାଇଥାନ୍ତି ପଛେ ତୋ ଭଳି ମରଦର ସୋହାଗ କାମନା କରିନଥାନ୍ତି । ମାଳର ଏଡ଼େ ବଡ଼ ବଡ଼ ସାହିତ୍ୟ ବୁଝିନପାରି ମାଧବ କୁହେ ପିଲା ଭାଙ୍ଗିଦେ, ଆଉ କାହା ହାତ ଧରି ପକ୍ଷୀ ବସା ଗଢେ ।


   ଅଭିମାନ ମାନ ସବୁ ହଟିଯାଏ ମାଳର ମାଆ ମୁହଁକୁ ଚାହିଁ । କଣ କରିଛି ବା କରିବ ମାଳ ତା ପାଇଁ ଭବିଷ୍ୟତରେ, ହେଲେ କେତେ ଗୋଟେଇ ସାଉଣ୍ଟୁଛି ମାଆ ତାର ତା ଅନାଗତ ଶିଶୁ ପାଇଁ ।ବରଷା ଛାଡୁନି । ମାଆ ଦୁଇଦିନ ହେଲା କାମକୁ ଯାଇନି, ଛିଣ୍ଡା ଛତାରେ ଯାଇ ଆସି ତିନ୍ତି ବୁଡି ମାଆକୁ ଜ୍ୱର । କୋଉ ଦିନରୁ ଘରେ ପଡ଼ିଥିବା ଯାହା ଯେମିତି ସରିଗଲାଣି । ଭୋକରେ ମାଳର ତଣ୍ଟି ଅଠା ଅଠା । ମାଆ ଅବସ୍ଥା ତଦ୍ରୁପ । ରାତିରେ ଦୁଆରେ କିଏ ଡାକିଲା । ଫିଟେଇ ଦେଖିଲା ମାଳ,ମାଧବ ଆସିଛି । ଓଦା ସରସର । କାନ୍ଧରେ ଗାମୁଛାରେ ବାନ୍ଧି ଆଣିଛି ବାବୁଘର ନାତି ଏକୋଇଶିଆର ଜଗନ୍ନାଥ ଅଭଡ଼ା, ଡାଲି ବେସର, ମହୁର ସାଙ୍ଗକୁ ଢେର ସାରା ଲେମ୍ବୁ । ଲେମ୍ଭୁ ପାଣି ମାଆ ପାଟିରେ ଦେଉ ଦେଉ ମାଧବ କହୁଥିଲା ବାଢ଼ିଲୁ,ବାଢିଲୁ, ଭାରି ଭୋକ, ଗୋଟିଏ ଥାଳିରେ ବସି ମାଧବ ଓ ମାଳ ଅବଢ଼ା ଖାଉଥିବା ଦେଖି ଜ୍ୱର କମିଆସୁଥିଲା ମାଆର । ମାଆ ପାଇଁ ଅବଢ଼ା ପାଖାଳ ସାଇତି ଦେଇ ମାଧବକୁ ମାଳ କହୁଥିଲା, କୁଆଡେ ଯାଆନା ମାଧବ, ମୋ ମୁହଁକୁ ନଚାହିଁଲେ ନାହିଁ,ମୋ ପେଟ ପିଲାକୁ ନିଜର କଲେ କର ନହେଲେ ନାହିଁ, ହେଲେ ମୋ ମାଆର ସ୍ବପ୍ନ ପୁରଣ କରିବାକୁ ତା ଜଗନ୍ନାଥ ହୋଇ ଏ ଘରେ ରହିଯା ମାଧବ । ବାହାରେ ବର୍ଷା ତୁହାକୁ ତୁହା, ମାଧବ କହୁଥିଲା ହଁ ଲୋ ମାଳ ତତେ ଆଉ ତୋ ପେଟରେ ଥିବା ମୋ ପିଲା ସହ ମାଆଙ୍କୁ ଛାଡ଼ି କୁଆଡେ ଆଉ ଯିବି !ଆଜିଠୁ ଏଇ ମୋ ପକ୍ଷୀ ଘର । ମାଆ ଜ୍ୱରରୁ ଉଠି ଅବଢ଼ା ପଖାଳ ମାଗୁଥିଲା ମାଳକୁ । ମାଆ ହାତରେ ମୁଣ୍ଡରେ ହାତ ବୁଲାଇ ଆଣି ମାଳ ସରାଗରେ ମାଆ ପାଇଁ ଅବଢ଼ା ତୋରାଣୀ ସଜାଡୁଥିଲା ଆଉ କହୁଥିଲା ହେ ମାଧବ, ଶ୍ରୀ ଜଗନ୍ନାଥ, ଗରୀବର ଭଗବାନ ପ୍ରଭୁ । ଏ ପକ୍ଷୀ ଘର ଭୁଶୁଡି ନଯାଉ ।



Rate this content
Log in

Similar oriya story from Drama