ସି ଇଜ ନୋ ମୋଓର
ସି ଇଜ ନୋ ମୋଓର
ଘରେ ଥିବା ପୋଷା ବିଲେଇଟା ସବୁ ବେଳେ ସବୁ ସମୟରେ ପାଖେ ପାଖେ ଥାଏ. ମୋବାଇଲ ଖୋଲି ଷ୍ଟାର ମେକର ରେ ଗୀତ ଗାଉଥିଲା ବେଳେ ମିଆଁଉ ମିଆଁଉ ହେଇ ସେ ମଧ୍ୟ ଗାଉଥାଏ ହେଲେ ନିଜ ଭିଡ଼ିଓ ରେ ବିଲେଇ ର ବୋବାଳି ଶୁଣି ସମସ୍ତେ କଣ ଭାବିବେ ଭାବି ଆନ୍ୟା ତାଙ୍କ ଗୀତ ବୋଲିବା ଛାଡିଦେଲେ. ସ୍କୁଲ ଯିବା ବେଳେ ପଛେ ପଛେ ପଳେଇବ ଯେ ତାକୁ ପୁଣି ଧରି ଆଣି ସ୍କୁଲରୁ ଘରେ ଛାଡ଼ିବା ବେଳକୁ ସିଆଡେ ପ୍ରାର୍ଥନା ଆରମ୍ଭ ହୋଇଯାଏ ତ ନିଜ ଉପରେ ବିରକ୍ତ ଆସିଲେ ମଧ୍ୟ ବିଲେଇଟିର ଆନ୍ତରିକତା ତଉଲ କରି ତାର ସେବା ପୂଜା କରୁଥାନ୍ତି ଆନ୍ୟା.ସେଦିନ ସେମିତି ଛାତ ଉପରେ ସେମାନେ ଠିଆ ହୋଇଥିଲେ. ସେମାନେ ବୋଲି ଆନ୍ୟା ନିଜେ ଓ ନିଜର ପୋଷା ବିଲେଇ କକି. ପଡିଶା ଘର କଲ୍ୟାଣୀ ମଣ୍ଡପରେ ବାହାଘର. ଡ୍ରୋନ ଉଡୁଥିଲା. ଆଉ ଆନ୍ୟାଙ୍କ ସହ ପୋଷା ବିଲେଇ ଶୋଇରହି ଦେହ ଚାଟି ଚାଟି ସଫା କରୁ କରୁ ଉଠି ଚାହିଁଲା. ଏମିତି ତ ଅନେକ ଥର ସାପ ସହ ଲଢ଼ି ତାକୁ ଦୁଇ ଗଡ଼ କରିଛି କକି. ବଞ୍ଚେଇ ଦେଇଛି ଅନେକ ଥର ଆନ୍ୟା ଙ୍କୁ.ଏବେ ଆକୁ ସାପ ବୋଲି ଭାବୁନିତ ବୋଲି ଆନ୍ୟା ଭାବୁ ଭାବୁ ବିଲେଇଟି ଡେଇଁ ପଡିଥିଲା ଡ୍ରୋନ ଉପରକୁ. ହେଇ ହେଇ, ଧର ଧର କହୁ କହୁ ବିଲେଇ ଡ୍ରୋନ ଉପରେ ବସି ଉଡୁଥିବାର ଦୃଶ୍ୟରେ ଆନ୍ୟା କିଂକର୍ତ୍ତବ୍ୟମୁଢ଼ ହୋଇ ଚାହିଁଥିଲେ କେବଳ. ଇଲେକ୍ଟ୍ରି ସୁଇଚ ବନ୍ଦ କରି ଡ୍ରୋନ କୁ ତଳକୁ ଖସାଇବା ବେଳେ ବରଗଛ ଉପରେ ଡ୍ରୋନ ଟି ପଡିଥିଲା ବିଲେଇ ସହ. ଆହା ଚୁ ଚୁ ଶବ୍ଦ ଭିତରେ ଦେଖାଗଲା ବିଲେଇ କିନ୍ତୁ ବଞ୍ଚିଛି. କିଛି ବି କ୍ଷତି ହୋଇନି ତାର.ଆଉ ବରଗଛ ଉପରୁ ତାଙ୍କ ନିଜ ଛାତ ଉପରେ ଠିଆ ହୋଇଥିବା ମାଲିକାଣୀ, ଆନ୍ୟା ଙ୍କୁ ଚାହିଁଛି. ସେଦିନ ସେରେ କ୍ଷୀର ପିଆଇ ବିଲେଇକୁ ହଳଦୀ ମାଖି ଅନେକ ଗେଲ କରିଥିଲେ ଆନ୍ୟା. ତା ପରେ ପରେ କିନ୍ତୁ ଭୁଆ ବିଲେଇଟି କକି ର ପଡୋଶୀ ଘର ଭୁଆ ସଙ୍ଗେ କଳି ରେ ଖଣ୍ଡିଆ ଖାବେରା ହୋଇ ଘରକୁ ରକ୍ତ ସ୍ନାନ ହୋଇ ଫେରିବା ଥିଲା ନିତିଦିନିଆ କଥା. ତ ଆନ୍ୟା ପ୍ରଥମେ ପ୍ରଥମେ ନିଓସ୍ପ୍ରିନ, ବେଟାଡାଇନି ତଥା ମରାନଡ଼ିଆ ତେଲ ଓ ହଳଦୀ ଲଗାଇ ତାର ସେବା ଶୁଶୃଷା କରୁ କରୁ ପରେ ବିଲେଇର ତାଙ୍କ ପ୍ରତି ଥିବା ଅନୁରକ୍ତି ଆନୁଗତ୍ୟ ତଥା ଅନୁରାଗ ଭୁଲିଗଲେ କେମିତି!
ଏବେ ଆନ୍ୟା ଙ୍କ ଜୀବନ ଦୀପ ଲିଭୁନି. ଉତ୍ତୋରତ୍ତର ବୟସ ରେ ବାର୍ଦ୍ଧକ୍ୟ ପୀଡିତ ଆନ୍ୟା ଆଜି ଖଟ ଶେଜ ରେଜେଇ ତକିଆ ଛାଡ଼ି ତଳେ.ପୁଣି ଶୀତରେ. ଏକମାତ୍ର କମ୍ବଳ ସାହାରାରେ ପଡିଥିଲା ବେଳେ କିଏ ଭାଗବତ ପଢୁଥିଲା ମୁଣ୍ଡ ଉପରେ ତ କିଏ ଗୀତା କିନ୍ତୁ ଜୀବନ ଯାଉ ଯାଉ ହିଙ୍କା ଆସି ମାହାର୍ଦ୍ଦ ପାଣି ନିଗିଡି ପଡୁଛି ତ ନାତି ଲେଖା ବାବାଜୀ ପଚାରୁଛି କି ପାପ କରିଛୁ କହିଦେ ବୁଢ଼ୀ. ଆଦ୍ୟା ଙ୍କ ଆଖିଆଗରେ ଚଳଚିତ୍ର ପରି ଭାସିଯାଉଛି ବିଲେଇ କକି କଥା. ସେଦିନ ସେଇ ପଡୋଶୀ ଭୁଆ ସହ ହାରି ତାଙ୍କ ଶୋଇଥିବା ଖଟ ଉପରେ ବସି ମିଆଁଉ ମିଆଁଉ ହୋଇ ଡାକୁଥିଲା ଯେମିତି ମଶାରୀ ସେପଟୁ. ହେଲେ ଆନ୍ୟାଙ୍କ ମୁଣ୍ଡକୁ ସେଦିନ ପିତ୍ତ ଚଢିଲା କାହିଁକି!ସେ ଖାଉଛି ତୁ କଣ ଖାଉନୁ ଯେ ହାରିଯାଉଛୁ ସେ ଭୁଆ ଠୁ ଥରକୁ ଥର!ଯଦି ହାରି ରକ୍ତାକ୍ତ ହେଉଛୁ ତେବେ ମୋ ଦେହରେ ବୋଲି ହୋଇ ଘଷି ହୋଇ ସେବା ପୂଜା ଚାହିଁ ମତେ କାହିଁ ଡ଼ାକୁଛୁ!କାହିଁକି ବିରକ୍ତ ହେଲେ ଆନ୍ୟା କେଜାଣି!ମଶାରି ଖୋଲି ଥିରି ଥିରି ବାହାରିଲେ. କକି ବିଲେଇ ଘୁଞ୍ଚୁନଥିଲା ବିଶ୍ୱାସ ରେ. ନିଶ୍ଵାସ ନେଉଥିଲା.ଭରସା ରଖିଥିଲା ଏବେ ମାଲିକାଣୀ ମାଆ ତାର ନିଓସ୍ପିରିନ ଲଗେଇବ ତା ଘା'ରେ ବା ମରା ନଡ଼ିଆ ତେଲ ଢାଳିବ ହେଲେ ବାଜିଲା ପାହାର. ଶକ୍ତ ପାହାର ଥିଲା କି କଣ ଦଉଡି ପଳେଇ ଗଲା ସତ ବିଲେଇଟା କିନ୍ତୁ ତା ଆରଦିନ ସେ ଘୁଷୁରୁ ଥିଲା, ଖାଦ୍ୟ ଖାଉନଥିଲା, ଡକ୍ଟର ଆସିବା ପୂର୍ବରୁ ଚାଲିଗଲା. ତା ପରଠୁ ଆନ୍ୟା ଆମିଷ ଖାଉନଥିଲେ କି ଟିଭି ଦେଖୁନଥିଲେ କି ମୋବାଇଲ ଆଡ଼େ ଅନାଉନଥିଲେ କିନ୍ତୁ କକି ନଥିଲା. ଏବେ ସେସବୁ ପାପ କୁ କହିବାକୁ ଯାଇ ସେ କହିପାରୁନଥିଲେ କିନ୍ତୁ ଗାଁ ନାତି ବାବାଜୀ କହୁଥିଲା କଣ ଶୂନ୍ୟରେ ଲେଖୁଛୁ ଆନି ବୁଢ଼ୀ!ସେତେବେଳକୁ ଡକ୍ଟର ପହଁଞ୍ଚି ପରୀକ୍ଷା କରି କହୁଥିଲେ ସି ଇଜ ନୋ ମୋର.ଦଶ ତୁଠ ରେ ଡ୍ରୋନ ଉଡିଲା ବେଳେ ସମସ୍ତେ ମନେପକାଉଥିଲେ ଆନ୍ୟାଙ୍କ ବିଲେଇ ର ଡ୍ରୋନ ରେ ଉଡିବା କଥା.
