ସେଦିନ କିନ୍ତୁ ଗୋପାଳ ପୁରି ସାଙ୍ଗକୁ ଡାଲମା ବାନ୍ଧିଲା ଗାମୁଛାରେ. ଥଣ୍ଡା ବୋତଲ ଟେ ଧରିଲା ହାତରେ. ଫରରିବାକୁ ବସିଲା ଥଣ୍ଡା ପିଇ ପିଇ. ବଜାର ଟପି ତା ଗାଁ ରାସ୍ତା ବାଟ କୁ ପାଦ କାଢୁଛି କି ନାହିଁ ରିକ୍ସାବାଲା କାଳୁ ମଉସା ଡାକ ପକେଇଲେ. କହିଲେ ଆରେ ହେ ହୁଣ୍ଡା ପୁଅ ତତେ ଅନେଇ ଏଇଠି ବସିଛି ନେଇଯିବି ବୋଲି ସାଙ୍ଗରେ ଆଉ ତୁ ଚାଲି ଚାଲି ଯିବାକୁ ବଶିଲୁଣି!ଚୁପଚାପ ଗୋପାଳ ବସିଗଲା ରିକ୍ସାରେ. ଭଲ ହେଲା କାଳୁ ମଉସା ରିକ୍ସା ନେଇ ପଳେଇ ଥିଲେ ଆଜି କାନ୍ଧରେ ଝୁଲୁଥିବା ଗାମୁଛା ରେ ଥିବା ପୁରି ଓ ଡାଲମା ବୋଝ ତାକୁ ସିମେଣ୍ଟ, ବାଲି କି ଗୋଡି ବୋଝ ପରି ଲାଗିଥାଆନ୍ତା. ସେ କଥା ଭାବି ତାକୁ ଭୋକ ଲାଗୁଥିଲା. ଇଛା ହେଉଥିଲା ଗାମୁଛା ଖୋଲି ପୁରି ଓ ଡ଼ାଲମା ଖାଇନେବାକୁ. ଆଜି କିନ୍ତୁ ଖୁବ ବଳି ପଡିଥିଲା ପୁରି ଓ ଡାଲମା ହୋଟେଲ ରେ ତ ସେ ପେଟେ ଖାଇ ପୁଣି ବଳକା ସବୁକୁ ବାନ୍ଧିଛି ଗାମୁଛାରେ. ଖାଇବ ବୋଲି ଭାବିଲା ବେଳକୁ ମନେ ପଡୁଛି କୁଡ଼ିଆରେ ତା ଫେରିବା ବାଟକୁ ଅପେକ୍ଷା ରତ ତା ବୁଢା ବାପାଙ୍କ ମୁଁହଁ. ପୁଣି ମନେପଡୁଛି ସ୍ତ୍ରୀ ସବୁଦିନ ପଚାରୁଥିବା ସେଇ ଏକା ପ୍ରଶ୍ନ ଟି ଏମିତି ଯେ ଆଜି କଣ ଖାଇଛ? ପୁଣି ମନେ ପଡୁଛି ଦୁଇ ଝିଅଙ୍କ ମୁଁହଁ.କେବେ କିଛି ଆଶା ରଖିନଥିବା ଦୁଇ ଝିଅ ତାର ଏଣିକି ମାଆ ଜାନକୀ ସଙ୍ଗେ ମିଶି ରସୁଣ ଫୁଟା ସୋରିଷ ତେଲ ଘଷି ଦେଉଥିଲବେଳେ ତା ପାଦ ଦୁଇଟିକୁ କେବେ କିଛି ଅଳି କରିନଥିବା ବରଂ ତାଙ୍କ ବାପା କେତେ ବାଟ ବଜାରରୁ ଗାଁକୁ ଫେରିଛନ୍ତି ବୋଲି ଭାବନା ସହ ସେ ଦୁଇ ଭଉଣୀଙ୍କ ଗୁଲୁଗୁଲିଆ ମୁଁହଁ.ପୁଣି ଗୋପାଳ କୁ ଏମିତି ରିକ୍ସାରେ ବସି ଖାଇବାର ଦେଖିଲେ କାଳୁ ମଉସା କଣ ଭାବିବେ !ପଚାରିବେ ଆଜି କିଛି ଖାଇନଥିଲୁ କି ହୁଣ୍ଡା ପୁଅ! ଭାବୁ ଭାବୁ ଲାଜ ମାଡିଲା ଗୋପାଳକୁ.
ଠିକ ଏତିକି ବେଳକୁ କାଳବୈଶାଖି ବର୍ଷାଟା ଉଠେଇ ଆସିଲା ତ ରିକ୍ସା ହୁଡ ରେ ଥିବା ଚିରା କପଡା ଉଡ଼ିଗଲା. କାନ୍ଦ କାନ୍ଦ ହୋଇଗଲେ କାଳୁ ମଉସା. କହିଲେ ତୁ ସିନା ଏଇ ରାତିକୁ ଖାତିରି ନକରି ବସିଛୁ ଗୋପାଳ ମୋ ରିକ୍ସାରେ ହେଲେ କାଲିଠୁ ମୋ ରିକ୍ସାରେ ଆଉ କିଏ ବସିବ!ଆଜି ଜଣେ ବାବୁ ତାଙ୍କ ବୁଢା ବାପାଙ୍କୁ ଧରି ମୋ ରିକ୍ସାରେ ବସି ମନ୍ଦିର ଗଲେ ଏବଂ ମୋ ଦୁଃଖ ଦୁର୍ଦ୍ଦଶା ଶୁଣି ହୁଡ଼ରେ କପଡା ପକେଇବାକୁ ଟଙ୍କା ଦେଇଥିଲେ. ଦୁଇଦିନ ହେବ ଭୋକିଲା ଥିଲି ତ ପେଟ ଭରି ଖାଉ ଖାଉ ଆଉ କେଇଟା ଟଙ୍କାରେ ରିକ୍ସା ଛାତ ପାଇଁ କପଡା ପକେଇ ପାରିଲିନି. କାଲି ଆଉ କିଏ ବସିବ ମୋ ରିକ୍ସାରେ କହି କାନ୍ଦୁଥିଲେ କାଳୁମଉସା. ପୁଣି କହୁଥିଲେ ସହଜେ ରିକ୍ସାରେ ବସିବାକୁ କେହି ଯାତ୍ରୀ ପସନ୍ଦ କରୁନଥିବା ବେଳେ ଏବେ କାଲିଠୁ କେମିତି ଦାନାପାଣି ହେବ କେଜାଣି!ରିକ୍ସା ଗାଁରେ କଷ୍ଟେ ମଷ୍ଟେ ପହଁଞ୍ଚି ଯାଇଥିଲା. ଓଦା ଜୁଡୁବୁଡୁ ଗୋପାଳ ଲୁଙ୍ଗି ଖୋଲି ଦୁଇଶହ ଟଙ୍କା ବଢ଼େଇ ଦେଲା କାଳୁମଉସାଙ୍କୁ ଓ କହିଲା କାଲି ହୁଡ ରେ କପଡା ପକେଇଦେବ ମଉସା. ମଉସା କାନ୍ଦି ପକେଇ କହିଲେ ତୋ ବାପା ଓ ସ୍ତ୍ରୀ ଙ୍କୁ ତୁ ସବୁଦିନ ଶହେ ଟଙ୍କା ଲେଖାଏଁ ଦେଉ ମୁଁ ଜାଣେ. ସେ ପଇସା ମତେ ଦେଇଦେଲେ ତୋ ବାପା ଆଉ ସ୍ତ୍ରୀ ମତେ କଣ ବୋଲି ଭାବିବେ ହୁଣ୍ଡା ପୁଅ!କିଛି ଭାବିବେନି ମଉସା. ତାଙ୍କ ପାଇଁ ମୁଁ ଏଇ ପୁରି ଓ ଡାଲମା ଆଣିଛି. ସେପଟୁ ଲଣ୍ଠନ ହାତରେ ଗୋପାଳ ର ବୁଢା ବାପା ଓ ପଛେ ପଛେ ପଖିଆ ଘୋଡ଼ି ହୋଇ ସ୍ତ୍ରୀ ଓ ଦୁଇ ଝିଅ ହାତରେ ଛତା ଧରି ଆସୁଥିବାର ଦେଖି ଗୋପାଳ କହିଲା ମୁଁ ଯାଉଛି ମଉସା. କାଳୁମଉସା ସେଦିନ ହୁଣ୍ଡା ଗୋପାଳକୁ କେତେ ଆଶୀର୍ବାଦ ଢାଳି କହିଥିଲେ କାଲି ତତେ ଅପେକ୍ଷା କରିଥିବି ସଡ଼କ ଧାରେ ଗୋପାଳ ସାଙ୍ଗହୋଇ ଫେରିବା ନିଜ ନିଜ କୁଡ଼ିଆକୁ.ଝିଅ ଦୁହିଁଙ୍କ ଭିତରୁ ଜଣେ ବାପା ଗୋପାଳ ହାତକୁ ଛତା ଓ ଆଉ ଜଣେ କାଖ ତଳେ ଜାକି ଆଣିଥିବା ଶୁଖିଲା ଗାମୁଛା ବଢ଼େଇ ଦେଲାବେଳେ ଗୋପାଳ ମଧ୍ୟ ବଢ଼େଇ ଦେଇଥିଲା ପୁରି ଡ଼ାଲମା ବନ୍ଧା ଗାମୁଛା. ସମସ୍ତେ ଖୁସି ହୋଇ ଖାଇଥିଲେ. ରାତିରେ ଗୋପାଳ ଭାବୁଥିଲା ବାପା କି ତା ସ୍ତ୍ରୀ ତାକୁ ପଇସା କାହିଁକି ମାଗିଲେନି କେଜାଣି ଆଜି!