Lokanath Rath

Action Classics Inspirational

4.1  

Lokanath Rath

Action Classics Inspirational

ବୁଝିବାକୁ ଚେଷ୍ଟା କର ..

ବୁଝିବାକୁ ଚେଷ୍ଟା କର ..

7 mins
531


ବୁଝିବାକୁ ଚେଷ୍ଟା କର .............


ସୁଜାତା ନିଜ ଶୋଇବା ଘର ଭିତରେ ବସି ନିଜକୁ ପ୍ରସ୍ତୁତ କରୁଥିଲେ ସବୁଦିନ ପରି ଆଜିର କିଛି ଆକସ୍ମିକ ଘଟଣା ପାଇଁ | ଆଜି ତାଙ୍କୁ ୫୫ ବର୍ଷ ବୟସ ହେଲାଣି ,କିନ୍ତୁ ତାଙ୍କର ସହିବାର ଧର୍ଯ୍ୟ ସେହିପରି ଅଛି |ବେଳେ ବେଳେ ସିଏ କ୍ଲାନ୍ତ ହୋଇ ପଡୁଥିଲେ ମଧ୍ୟ ପରିବାରର ସୁଖ ଶାନ୍ତି ପାଇଁ ସବୁ କିଛି ଠିକ କରିବାକୁ ପଡୁଥିଲା |ଏବେବି ତାଙ୍କ ଶାଶୁ ସାବିତ୍ରୀ ଦେବୀ ୮୦ ବର୍ଷ ବୟସରେ ସୁସ୍ଥ ଅଛନ୍ତି ଓ ସେ କେବଳ ସୁଜାତାଙ୍କ ପାଖରେ ରହିବାକୁ ଭଲ ପାଆନ୍ତି | ସାବିତ୍ରୀ ଦେବୀଙ୍କର ତିନି ପୁଅ ,ଅଶୋକ,ଅଜୟ ଓ ଅରୁଣ | ଅଶୋକ ସବୁଠାରୁ ବଡ ଓ ସୁଜାତା ତାଙ୍କର ପତ୍ନୀ |ଅଶୋକ ଜଣେ ଦକ୍ଷ ଅଧ୍ୟାପକ ,ତାଙ୍କର ଅବସର ନେବାକୁ ଆଉ ମାତ୍ର ଦୁଇ ବର୍ଷ ବାକି ଅଛି | ସୁଜାତା ଯେତେବେଳେ ସ୍ନାତକ ଡିଗ୍ରୀ ପାସ କଲେ ,ସେତେବେଳେ ତାଙ୍କର ବାହାଘର ଅଶୋକ ବାବୁଙ୍କ ସହିତ ହେଇଥିଲା | ସେତେବେଳେ ଅଜୟ ଓ ଅରୁଣ ପାଠ ପଢୁଥିଲେ |ଶ୍ୱଶୁର ଅବିନାଶ ବାବୁ ସେତବେଳେ ଜୀବିତ ଥିଲେ ଓ ସରକାରୀ ଚାକିରୀ କରୁଥିଲେ |ସୁଜାତାଙ୍କ ପୁରା ବାରିବାରର ସମସ୍ତଙ୍କ ମନ ବୁଝି ସବୁ କାମ କରିବାକୁ ପଡୁଥିଲା |ବେଳେ ବେଳେ କିଛି ଏପଟ ସେପଟ ହେଇଗଲେ ସାବିତ୍ରୀ ଦେବୀଙ୍କ ଠାରୁ କିଛି ଗାଳି ଶୁଣିବାକୁ ପଡୁଥିଲା ଓ ସୁଜାତା ହସି ହସି ସବୁ ସହି ଯାଉଥିଲେ | ତାଙ୍କ ଶ୍ୱଶୁର ଅବିନାଶ ବାବୁ ବେଳେ ବେଳେ ସାବିତ୍ରୀ ଦେବୀଙ୍କୁ ତାଗିଦ କରି କହୁଥିଲେ ,'' ଆରେ ତାକୁ ସବୁବେଳେ ଏମିତି ରାଗିକାରୀ କାହିଁକି କହୁଚ ?ଟିକେ ଭଲରେ ବୁଝାଇ କହୁନ |ସେ କଣ ଆମର ବୋହୁ ,ସେ ତ ଆମର ଝିଅ ପରି | ତାକୁ ତୁମେ ସବୁ ଶିଖାଇ ଦିଅ ,ସେ ଆମ ଘରର ସବୁଠାରୁ ବଡ଼ |'' ସେତେବେଳେ ସାବିତ୍ରୀ ଦେବୀ କହୁଥିଲେ ,'' ସେଇଥି ପାଇଁ ତ ମୁ କହୁଛି | ସେ ସବୁ ଜାଣିଗଲେ ପୁଣି ସମସ୍ତଙ୍କୁ ଠିକ ଠୂକ ଚଳେଇବ |'' ସୁଜାତାଙ୍କର ଯେତେବେଳେ ପୁଅ ଅନନ୍ତ ଜନ୍ମ ହେଲା ,ତାହାର ଦୁଇ ବର୍ଷ ପରେ ଅବିନାଶ ବାବୁଙ୍କର ଦେହାନ୍ତ ହୋଇଗଲା | ଅଜୟ ଓ ଅରୁଣ ପାଠ ପଢା ଶେଷକରି ଭଲ ଚାକିରୀ କଲେ | ସେମାଙ୍କର ବାହାଘର ଅଶୋକ ଓ ସୁଜାତା କରାଇ ଥିଲେ | ସେମାନଙ୍କ ପାଖରେ ସାବିତ୍ରୀ ଦେବୀ କିଛି କିଛି ଦିନ ରହି ପୁଣି ସୁଜାତାଙ୍କ ପାଖକୁ ଚାଲି ଆସିଲେ | ଅଜୟ ଓ ଅରୁଣ ଅଲଗା ଅଲଗା ସହରରେ ରହୁଛନ୍ତି | ଅଶୋକ ପିଲାଦିନରୁ ଏବେଯାଏଁ ସାବିତ୍ରୀ ଦେବୀଙ୍କ କଥା ମାନି ଚଳି ଆସିଛନ୍ତି| ତାଙ୍କ ପାଇଁ ତାଙ୍କ ମା ଯାହା କହେ ସବୁ ଠିକ | ବେଳେ ବେଳେ ସୁଜାତା ସୁଯୋଗ ଦେଖି ଅଶୋକଙ୍କ କୁହନ୍ତି ,'' ମଣୁଛି ମୁଁ ବି ମାଙ୍କ ଠାରୁ ବହୁତ ଶିଖିଚି ଓ ଶିଖୁଛି ,କିନ୍ତୁ ବେଳେ ବେଳେ ଯଦି ତାଙ୍କ ଦ୍ୱାରା କିଛି ଭୁଲ ହେଇଯାଏ ,ତେବେ ଆମେ ତାକୁ ବୁଝାଇ ଠିକ କରିଦେବା ଆମର ଦାଇତ୍ୱ | ତାଙ୍କୁ ଅସମ୍ମାନିତ ହେବ ପରି କିଛି କହିବା କିମ୍ବା କରିବା ଆଦୌ ଉଚିତ ନୁହେଁ | ଏବେ ଯୁଗ ବଦଳିବାକୁ ଲାଗିଲାଣି,ଆମକୁ ଟିକେ ଖାପ ଖୁଏଇବାକୁ ପଡିବ ସେସବୁ ସାଙ୍ଗରେ | ଖାଲି ଆମର ସେଇ ପୁରୁଣା କଥାକୁ ନେଇ ଚାଲିଲେ ହେବନି ,ତା ସହିତ ନୁଆକୁ ବି ଯୋଡିବାକୁ ହେବ |ତୁମେ ତ ଜଣେ ଅଧ୍ୟାପକ ,ତୁମେ ଟିକେ ବୁଝିବାକୁ ଚେଷ୍ଟା କର |''

ଅଶୋକ ସୁଜାତାଙ୍କ କଥା ଶୁଣନ୍ତି ,ତାଙ୍କୁ ସୁଜାତାଙ୍କ କଥା ଯୁକ୍ତି ଯୁକ୍ତ ଲାଗେ | ସେ ବେଳେ ବେଳେ ତାଙ୍କ ମା ସାବିତ୍ରୀ ଦେବୀଙ୍କ ମନ ବୁଝି ଚେଷ୍ଟା ବି କରନ୍ତି ତାଙ୍କୁ କିଛି କିଛି ପରିବର୍ତ୍ତନ କୁ ଆଦରିବାକୁ | ବେଳେ ବେଳେ ସାବିତ୍ରୀ ଦେବୀ ବୁଝି ପାରନ୍ତି ,ବେଳେ ବେଳେ ନ ବୁଝି ନିଜ ଜିଦ ରେ ଅଟଳ ରୁହନ୍ତି | ସାବିତ୍ରୀ ଦେବୀ ନାତି ଅନନ୍ତ କୁ ବହୁତ ଭଲ ପାଆନ୍ତି | ଯଦି ଅଶୋକ କିମ୍ବା ସୁଜାତା କେବେ ଅନନ୍ତ କୁ ତାଗିଦ କରି କିଛି ଜୋରରେ କହି ଦିଅନ୍ତି ,ତେବେ ସେଦିନ ସାବିତ୍ରୀ ଦେବୀ ରାଗରେ ସେମାଙ୍କୁ ବହୁତ କଥା କହି ଯାଆନ୍ତି | ସେ ପୁଣି ଗେହ୍ଲା କରି ନିଜ ନାତିକୁ ଭଲରେ ବୁଝାଇ କୁହନ୍ତି ଓ ଉପଦେଶ ଦିଅନ୍ତି ଅଶୋକ ,ସୁଜାତା ଙ୍କ କଥା ସବୁବେଳେ ମାନିବ ପାଇଁ | ଅନନ୍ତ ଭଲ ପାଠ ପଢୁଥିଲା | ସାବିତ୍ରୀ ଦେବୀ ଙ୍କ ଇଚ୍ଛା ଥିଲା ଅନନ୍ତ ଡାକ୍ତର ହେବ ବୋଲି | ଶେଷରେ ଅନନ୍ତ ପାଠ ପଢି ଡାକ୍ତର ବି ହେଲା | ସାବିତ୍ରୀ ଦେବୀଙ୍କ ଖୁସି କହିଲେ ନ ସରେ | ତାପରେ ସାବିତ୍ରୀ ଦେବୀ ଲାଗିଗଲେ ସୁଜାତାଙ୍କ ପଛରେ କି ଶୀଘ୍ର ଅନନ୍ତର ବାହାଘର କରିବା ପାଇଁ | ତାଙ୍କ ର ଇଚ୍ଛା ବଞ୍ଚି ଥାଉ ଥାଉ ନାତି ଅନନ୍ତର ବାହାଘର ଦେଖିବେ ,ଯଦି ଈଶ୍ୱରଙ୍କ କୃପା ହେବ ତେବେ ତା ପିଲାଙ୍କୁ ନିଜ କୋଳରେ ଧରିବେ | ଅଶୋକଙ୍କ ବି ସାବିତ୍ରୀ ଦେବୀ ବହୁତ କହିଲେ ଅନନ୍ତର ବାହାଘର କରିଦେବା ପାଇଁ | ଅଶୋକ ଯେତେବେଳେ ସୁଜାତାଙ୍କ ସହିତ ସେ ବିଷୟରେ କଥା ହେଲେ ,ସୁଜାତା କହିଲେ ,'' ଆରେ ମୋତେ ବି ମା କହୁଛନ୍ତି .କିନ୍ତୁ କଣ କରିବି ? ମୁଁ ତାକୁ ବହୁତ ପଚାରିବା ପରେ ଜାଣିଲି ଯେ ସିଏ ତା ସାଙ୍ଗରେ ପଢି ଡାକ୍ତର ହୋଇଥିବା ଆରତୀ କୁ ଭଲ ପାଉଛି ଓ ତାକୁ ବାହା ହେବ ବୋଲି କହୁଛି |ମୁଁ ଏ ବିଷୟରେ କେମିତି ମା ଙ୍କୁ କହିବି ମୋତେ କିଛି ବୁଦ୍ଧି ଦିଶୁନାହିଁ | ପ୍ରଥମେ ଅନନ୍ତର ଭଲ ପାଇବା ,ତାପରେ ସେଇ ଝିଅ ଆରତୀ ର ଡାକ୍ତର ହେଇ ଚାକିରୀ କରିଥିବା ଓ ଶେଷ ଏବଂ ବହୁତ ମହତ୍ୱପୂର୍ଣ୍ଣ ହେଲା ସେ ଆମ ଜାତିର ନୁହେଁ | ଏତେ ଗୁଡିଏ କଥାକୁ ମୁଁ ଏକ କେମିତି ମା ଙ୍କୁ କହି ରାଜି କରାଇବି ତୁମେ ଟିକେ ବୁଝିବାକୁ ଚେଷ୍ଟା କର |''ଅଶୋକ ଏସବୁ ସୁଜାତାଙ୍କ ଠାରୁ ଶୁଣି ଖଟ ଉପରେ ବସି ପଡିଲେ | ମୁଣ୍ଡରେ ହାତ ଦେଇ ଭାବିବାକୁ ଲାଗିଲେ କେମିତି ଏହି ସମସ୍ୟାର ସମାଧାନ କରାଜାଈ ପାରିବ | ସୁଜାତା ବି ବହୁତ ଚିନ୍ତା କଲେ କେମିତି ସାବିତ୍ରୀ ଦେବୀଙ୍କୁ ରାଜି କରେଇବେ ? ଉଭୟ ଅଶୋକ ଓ ସୁଜାତା ଜାଣିଛନ୍ତି ସାବିତ୍ରୀ ଦେବୀଙ୍କୁ ଭଲ ଭାବରେ | ବହୁତ ଚିନ୍ତା କଲା ପରେ ସୁଜାତା କହିଲେ ,'' ମୁଁ ଭାବୁଛି ଆଗେ ଯାଇ ଆରତିକୁ ନିଜେ ମିଶି କଥା ହେବି | ତାପରେ ପୁଣି କିଛି ରାସ୍ତା ବାହାର କରିବା | ଏଥିରେ ମୋର ତାକୁ ଦେଖିବା ଓ ବୁଝିବା ଦୁଇଟା କାମ ଏକାଥରକେ ହେଇଯିବ |'' ଅଶୋକ ଏକଥା ଶୁଣି ହସିଦେଇ ସୁଜାତାଙ୍କ କହିଲେ ,'' ତୁମ ପାଖରେ ସବୁ ଅଛି | ସମସ୍ୟା ଅଛି ,ସମାଧାନର ରାସ୍ତା ଅଛି | ପ୍ରଶ୍ନ ଅଛି ଆଉ ଉତ୍ତର ବି ଅଛି | ହଉ ,ତୁମେ ଯାହା ଭଲ ଭାବୁଛ କର |'' ଏତକ କହି ଅଶୋକ ଟିକେ ଆଶ୍ୱସ୍ତ ହେଲେ | ତାଙ୍କର ବିଶ୍ୱାସ ସୁଜାତା ନିଶ୍ଚୟ ଏଇ ସମସ୍ୟାର ସମାଧାନ କରିଦେବ |


ସୁଜାତା ଅନନ୍ତ ସାଙ୍ଗରେ କଥା ହେଲେ ଓ କହିଲେ ଆରତୀ ସହିତ ଏକ ଦେଖା କରିବାକୁ | ଅନନ୍ତ ତା ମା ସୁଜାତାଙ୍କ ଭଲ ଭାବରେ ଜାଣେ | ସେ ଭାବିଲା ନିଶ୍ଚୟ କିଛି କାରଣ ଥିବ ତାର ଭଲ ପାଇଁ ,ସେଥିପାଇଁ ତା ମା ସୁଜାତା ଆରତିକୁ ଏକ ଭେଟିବାକୁ ଚାହୁଁଛନ୍ତି | ଅନନ୍ତ ହଁ କହି ତାଙ୍କ ଡାକ୍ତରଖାନା ପାଖ କଫି ଦୋକାନରେ ଦୁଇଜଣଙ୍କର ଭେଟିବାର ବ୍ୟବସ୍ଥା କରିଦେଲା |ସୁଜାତା ଯେତେବେଳେ ସେହି ଜାଗାକୁ ଆସିଲେ ,ଦେଖିଲେ ଗୋଟିଏ ସୁନ୍ଦରୀ ଝିଅ ତାଙ୍କ ପୁଅ ଅନତା ପାଖରେ ଠିଆ ହୋଇଛି | ତାଙ୍କୁ ଲାଗିଲା ,ସେ ହିଁ ଆରତୀ ଓ ମାନେ ମାନେ ବହୁତ ପସନ୍ଦ କରିନେଲେ | ଯେତେବେଳେ ସୁଜାତା ସେମାନଙ୍କର ପାଖକୁ ଗଲେ ,ଅନନ୍ତ ସେଇ ଝିଅକୁ ଆରତୀ ବୋଲି କହି ପରିଚୟ କରାଇଲା | ସଂଗେ ସଂଗେ ଆରତୀ ସୁଜାତାଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ବାହାରିଲା ,ସୁଜାତା ତାକୁ କୁଣ୍ଢାଇ ପକେଇ କହିଲେ ,'' ଆରେ ,ଏଇ ଦୋକାନରେ କାହିଁକି କରୁଚୁ ? ସେତିକିରେ ସବୁ ହେଇଗଲା | ତୁ ମୋର ବୋହୁ ,ଝା ଓ ସବୁ କିଛି ହେବୁ |'' ଏତିକି କହୁ କହୁ ଆରତୀ ସୁଜାତାଙ୍କ ନେଇ ପାଖ ଚୌକିରେ ବସାଇଲା | ଆରତୀ କୁ ତାଙ୍କ ପାଖରେ ବସିବାକୁ ସୁଜାତା କହିଲେ | ତାପରେ ଅନନ୍ତ ସେମାନଙ୍କ ଠାରୁ ବିଦାୟ ନେଇ ସେଠାରୁ ଚାଲିଗଲା | ସୁଜାତା ପ୍ରଥମେ ଆରତୀର ପରିବାର ବିଷୟରେ ବୁଝିଲେ ଓ ଜାଣିବାକୁ ପାଇଲେ ପିଲାଦିନୁ ତାର ପିତା ମାତା ଙ୍କର ମୃତ୍ୟୁ ହୋଇ ଯାଇଛି | ଆରତୀ ତିନି ବର୍ଷ ବୟସର ତିଳ ବେଳେ ଗୋଟିଏ ଦୁର୍ଘଟଣାରେ ତାର ପିତା ରମେଶ ଓ ମାତା ଶାନ୍ତି ଦେବୀ ଙ୍କର ମୃତ୍ୟୁ ହୋଇ ଯାଇଥିଲା | ତାପରେ ସ୍ବର୍ଗୀୟ ରମେଶ ବାବୁଙ୍କର ଘନିଷ୍ଠ ମିତ୍ର ଆକାଶ ବାବୁ ଓ ତାଙ୍କ ପତ୍ନୀ ନମିତା ଆରତିକୁ ପାଳି ପୋସି ବଡ଼ କଲେ | ଆକାଶ ବାବୁ ଓ ନମିତାଙ୍କର କୌଣସି ସନ୍ତାନ ନାହାନ୍ତି ଏବଂ ସେମାନେ ଆରତିକୁ ଆଇନ ହିସାବରେ ନିଜର ଝିଅ ରୂପେ ଗ୍ରହଣ କରିଛନ୍ତି | ସେମାନେ ଆରତିକୁ ବହୁତ ଭଲ ପାଇନଟି ଓ ଆରତୀର ସବୁ ଇଚ୍ଛା ପୁରାଣ କରନ୍ତି | ଆରତୀ ଠାରୁ ଏତକ ଶୁଣି ତା ଆଖିରୁ ଲୁହ ପୋଛିଦେଇ ସୁଜାତା କହିଲେ ,'' ତୁ କାନ୍ଦେ ନାହିଁ | ଏବେ ପୁଣି ମୁଁ ଅଛି ତୋ ସହିତ |"ଆରତୀ ଚୁପ ହୋଇ ସୁଜାତାଙ୍କ ଚାହିଁଲା | ସୁଜାତା ମନେ ମନେ ଭାବିଲେ କେମିତି ଆରତୀ କୁ କହିବେ ? ସୁଜାତାଙ୍କ ମୁହଁର ଭାବକୁ ଦେଖି ଆରତୀ କହିଲା ,'' ଆପଣ ଯଦି କିଛି ମନେ ନ କରିବେ ମୁଁ ଆପଣଙ୍କ ମନର ସମସ୍ୟାକୁ କିଛି ଦୂର କରିବାକୁ ଚେଷ୍ଟା କରି ପାରିବି | ମୁଁ ଜାଣିଚି ଆପଣ କେମିତି ପୁରା ପରିବାର କୁ ଏକାଠି କରି ରଖିଛନ୍ତି | ଆପଣ ଜେଜେ ମା ଙ୍କ ସବୁ କଥା ମାନନ୍ତି ଓ ତାଙ୍କୁ ବହୁତ ଆଦର ସମ୍ମାନ ଦିଅନ୍ତି | ମୁଁ ବି ଚାହିଁବି ଆପଣଙ୍କୁ ସାରା ଜୀବନ ସୁଖ ଶାନ୍ତିରେ ସମ୍ମାନ ଦେଇ ରଖିବି | ଆପଣ ବହୁତ ଖଟି ଖଟି କେବେ ବି କ୍ଲାନ୍ତ ହୋଇ ନାହାନ୍ତି | ମୁଁ ଚାହେ ଆପଙ୍କ ପରି ହେବାପାଇଁ ଓ ଆପଣଙ୍କ ଠାରୁ ସବୁ ଶିଖିବି | ମୁଁ ବୁଝି ପାରୁଛି ଆପଣ ବଡ ଚିନ୍ତାରେ ଅଛନ୍ତି କେମିତି ଆମ ଦୁଇଜଣଙ୍କ ବିଷୟରେ ଜେଜେ ମା ଙ୍କୁ ଜଣାଇବେ | ସତ କଥା ଆମ ବିଷୟରେ ଜାଣି ସେ ଦୁଖୀ ହୋଇ ପାରନ୍ତି ଓ ଅରାଜି ବି ହୋଇ ପାରନ୍ତି | କିନ୍ତୁ ମୁଁ ଆପଣଙ୍କୁ ସତ କହୁଛି ଯେ ଆପଣ ସମସ୍ତଙ୍କ ସ୍ନେହ ,ଆଶୀର୍ବାଦ ଓ ସାହାରା ସହିତ ଆପଣଙ୍କ ପରି ପରିବାରକୁ ବାନ୍ଧି ରଖିବାକୁ ଚେଷ୍ଟା କରିବି |ଏବେ ଆପଣ ଜେଜେ ମା ଙ୍କୁ କିଛି କୁହନ୍ତୁ ନାହିଁ | ଯଦି ପାରିବେ ମୋତେ ତାଙ୍କ ସହିତ ମିଶିବାକୁ ଆଗେ ଦିଅନ୍ତୁ | ମୋତେ ତାଙ୍କର ସେବା କରିବା ସହିତ ତାଙ୍କୁ କିଛି ଖୁସି ଦେବାକୁ ଦିଅନ୍ତୁ | ଯଦି ସେଥିରେ ସିଏ ଖୁସି ହୋଇ ଚାହିଁବେ ,ତେବେ ଆପଣ ଆଗକୁ ବଢିବେ | କାରଣ ଆପଣ କୁ କଷ୍ଟ ଓ ଚିନ୍ତାରେ ରଖି ଆମେ କେବେ ଶାନ୍ତିରେ ରହି ପାରିବୁ ନାହିଁ | ଆଉ ମୁଁ ବି ହିନ୍ଦୁ ,ହଁ ମୁଁ କରଣ ଓ ଆପଣମାନେ କ୍ଷତ୍ରିୟ | ଯଦି ଆମ ସମସ୍ତଙ୍କ ମନ ଓ ହୃଦୟ ମିଶିଯିବ ,ତେବେ ମୁଁ ଭାବୁଛି ଏହି ସାମାନ୍ୟ ପାର୍ଥକ୍ୟ ବି ଦୂର ହୋଇଯିବ ,ଆମେ ସମସ୍ତେ ମିଶି ଯିବା |'' ଏତକ କହି ଆରତୀ ତଳକୁ ମୁହଁ କରି ବସି ରହିଲା | ସୁଜାତା ତା ମୁଣ୍ଡରେ ହାତ ବୁଲାଇ କହିଲେ ,'' ତୁ ତ ମୋର ବୋହୁ ନୁହେ ,ତୁ ମୋର ଶାଶୁଙ୍କ ଠାରୁ ଆହୁରି ବୁଦ୍ଧିମତୀ | ସତରେ ଆଜି ମୁଁ ତତେ କିଛି କହିବା ଆଗରୁ ,ତୁ ମତେ ସମସ୍ୟା ଓ ସମାଧାନର ରାସ୍ତା ,ଏହି ଦୁଇଟା ବିଷୟରେ କହି ମୋ ମନକୁ ହାଲୁକା କରିଦେଲୁ | ତତେ ଏସବୁ ବିଷୟରେ କିଏ କହିଲା ? ତୁ କେମିତି ଜାଣିଲୁ ?'' ଆରତୀ ଟିକେ ଡରି ଡରି ହସି ହସି କହିଲା ,'' ମୋତେ କେହି କହି ନାହାନ୍ତି | ମୁଁ ଯେତେବେଳେ ଜାଣିଲି ଯେ ଆପଣ ମୋ ସହିତ ଏକା ଭେଟିବାକୁ ଚାହୁଁଛନ୍ତି ,ତେବେ ଏମିତି କିଛି କରଣ ଥାଇପାରେ | ହଁ ,ମୁଁ ଆପଣ ସମସ୍ତଙ୍କ ବିଷୟରେ ଅନନ୍ତଙ୍କ ଠାରୁ ସବୁ ଶୁଣିଥିଲି |ସେଥିପାଇଁ କହିଦେଲି | ମୋତେ କ୍ଷମା କରିଦେବେ |'' ଆରତୀ କୁ ନିଜ ଆଡକୁ ଟାଣି ଆଣି ତା ମୁହଁ କୁ ଉପରକୁ କରି ସୁଜାତା ତା ମଥାରେ ଗୋଟିଏ ସ୍ନେହର ଚୁମ୍ବନ ଦେଇ କହିଲେ ,'' ତୁ ଆଜି ଏଇ କ୍ଷମା କଥା କହିଲୁ ,କିନ୍ତୁ ଆଉ କେବେ କହିବୁନି | ମୁଁ ସବୁବେଳେ ଚାହିଁବି ମୋର ବୋହୁ ସମ୍ମାନର ସହିତ ନିଜ ଜୀବନକୁ ଜିଇବା ପାଇଁ | ତୋ କଥାରେ ମୁଁ ଏକମତ | ମୁଁ ଖୁବ ଶୀଘ୍ର ଶାଶୁଙ୍କ ସହିତ ତୋର ଭେଟ କରାଇଦେବି | ତାପରେ ତୁ ସବୁ ବୁଝିବୁ |'' ଏତକ କହି ସୁଜାତା ହସି ହସି ସେଠାରୁ ବିଦାୟ ନେଲେ |

ଘରେ ପହଂଚି ସୁଜାତା ସବୁ କଥା ଅଶୋକଙ୍କ କହିଲେ | ଅଶୋକ ସବୁ ଶୁଣି କହିଲେ ,'' ଆରେ ଏଇଟା ଯଦି ଓଲଟା ପଡ଼ିଯିବ,ତେବେ କଣ ହେବ ତୁମେ ବୁଝି ପାରୁଛ ତ !''

ସୁଜାତା ହସିଦେଇ କହିଲେ ,'' ମୋର ଆରତୀ ଉପରେ ପୁରା ବିଶ୍ୱାସ ଅଛି | ସେ ଗୋଟିଏ ଆଧୁନିକ ନାରୀ ,ସେ ଶିକ୍ଷିତା ଓ ତା ପାଖରେ ବୁଝିବାର କ୍ଷମତା ବହୁତ ଅଛି | ସେ ସବୁକିଛି କରି ପାରିବ ,ସବୁ ଠିକ କରିଦେବ | ତୁମେ ବୁଝିବାକୁ ଚେଷ୍ଟା କର |''



Rate this content
Log in

Similar oriya story from Action