STORYMIRROR

Bhagirathi Mohanty

Romance Action Others

4  

Bhagirathi Mohanty

Romance Action Others

ସ୍ଥିତି ଅବସ୍ଥିତି ପରିସ୍ଥିତି

ସ୍ଥିତି ଅବସ୍ଥିତି ପରିସ୍ଥିତି

5 mins
264


ପ୍ରମୋଦ କୁ ଦେଖୁ ଦେଖୁ "ପ୍ରଦୀପ କୁମାର"   ବୋଲି ପାଟିରୁ ବାହାରି ଯାଏ। ସେଇ ହିରୋ ଙ୍କ ନାମ ଛାଡି ପିତୃ ମାତୃ ଦତ୍ତ ନାଁ ରେ ଡାକିବା ପାଇଁ ସମସ୍ତଙ୍କୁ ଅସୁନ୍ଦର ଲାଗେ।କାଳକ୍ରମେ ତାକୁ ପ୍ରମୋଦ କି ପ୍ରଦୀପ ନାଁ ରେ ନ ଡାକି "ହିରୋ" ଡାକିଲେ ସାଙ୍ଗ ସାଥି ମାନେ। ସିଏ ଯେତିକି ବଡ ହେଉଥିଲା ସେତିକି ଚମକି ଉଠୁଥିଲା ଚେହେରା। ସେଇ ଚେହେରା ତା'ର ବଇରୀ ହୋଇଥିଲା। କ୍ଲାସ ରେ ହେଉ କି କ୍ଲାସ ବାହାରେ , ତା'ସାନିଧ୍ୟ ଲାଭ କରିବା ପାଇଁ ତା'ଚାରିପାଖରେ ଭିଡ ଜମାଉ ଥିଲେ ଝିଅ ମାନେ। ତାକୁ ନିଜର କରିବା ପାଇଁ ଶତ ଚେଷ୍ଟା କରୁଥିଲେ ସେମାନେ।

       ପିମ୍ପୁଡ଼ି ପରି ଲାଇନ ରେ ରହୁଥି ଥିଲେ_କେହି କାହାକୁ ଆଗ ପଛ ହେବାକୁ ଦେଉନଥିଲେ।  ହିରୋ କିନ୍ତୁ ସେମାନଙ୍କୁ ଥରେ ବି ଘୁରି ଅନାଉ ନ ଥିଲା। ଏମାନେ ହିରୋ ମାନିଆ ରୋଗ ରେ ପୀଡିତ ଥିଲେ। ସେମାନଙ୍କର ଅମାପ ଭଲ ପାଇବାର ମାନେ ୟା ପାଇଁ କିଛି ନଥିଲା।

    ସେମାନେ କାର ରେ କଲେଜ ଆସୁଥିବେ ଆଉ ହିରୋ ସାଙ୍ଗରେ ଦେଖାହୋଇଯିବ_ତାକୁ  ଏକ ପ୍ରକାର ଟେକି ନେଇ  ଫ୍ରଣ୍ଟ ସିଟ ରେ ବସେଇ ଦେଇ, ଆଗକୁ ଚାଲୁଥିବା କାର କୁ ପଛକୁ ମୋଡି ରେଷ୍ଟୁରାଣ୍ଟ ସାଇଡରେ  ଗାଡି ପାର୍କିଂ ,ତାକୁ ଟାଣି ଟାଣି ନେଇ ଭି.ଆଇ.ପି. ରୁମରେ ବସେଇ ଦେବେ ଏବଂ ସୋ କେଶ୍ ରେ ଯେତେ କିସମ ର ମିଠା ଥିବ ମଗେଇ ତା'ଆଗରେ ବସେଇ ଦେଇ ନିଶ୍ଵାସ ମାରିବେ।

    ସିଏ କହୁ ଥିବ  "ପଖାଳ ଖାଇ ଆସିଛି, ଭୋକ ନାହିଁ" ପିଲାକୁ ଡାକି କହୁ ଥିବ,"ଏସବୁ ମିଠା ଉଠେଇ ନେ।"

     ସେଇ ଝିଅ ପଚାରୁ ଥିବ,"ପଖାଳ କ'ଣ ?

    "ପଖାଳ ଭାତ।"

"ୟୁ ମିନ ରାଇସ?ଏତେ ସକାଳେ ରାଇସ ଖାଇ ଆସୁଛ!"

  ନ ଖାଇଲେ ବି ଖୁଆଇ ଦେବେ,ଜୋର କରି ପକେଟ୍ ରେ ପଇସା ପୂରେଇ ଦେବେ,ସେ ଯୋଉଠି ଥାଉ ଅନିସା କରି କରି ତା'ପାଖରେ ପହଞ୍ଚି ଯିବେ।

କ'ଣ କରିବ ସେ ;କେମିତି ବଞ୍ଚିବ ଏମାନଙ୍କ ଠାରୁ?ପାଠ ପଢା ଛାଡି ଦେଇ ପାରିବ?

   "ନା।"

ଅନ୍ୟ କଲେଜ ରେ ଯାଇ ପଢିବ?

 "ସେଠି ବି ଝିଅ ଅଛନ୍ତି।"

 ସର୍ବାଙ୍ଗ ରେ କଳା ମାଖି କଦାକାର କରିଦେବ ଚେହେରାକୁ?

  "ଭଗବାନ୍ ବିରୋଧି କାମ।"

  ଆତ୍ମହତ୍ୟା କରି ଦେବ .....

  ସିଦ୍ଧାନ୍ତ ରେ ପହଞ୍ଚି ପାରେନି ହିରୋ।

  ତା'ପରି ପ୍ରତିଭାଶାଳୀ କୁ ଖୋଜା ସବୁ ଠାରେ।ଅତ୍ୟନ୍ତ ପ୍ରିୟ ଅଧ୍ୟାପକଙ୍କର।ଗରିବ ଘର ର ପିଲା ଜାଣି ଲାଇବ୍ରେରୀ ରୁ ସବୁ ବହି ଯୋଗେଇ ଦିଅନ୍ତି।ସବୁ ଠିକ୍ କିନ୍ତୁ ଏଇ ଝିଅ ମାନଙ୍କୁ କ'ଣ କରିବ?

   ବିଜୁଳି ଦେଖାଦେଲା କଳା ମେଘ ଭିତରୁ_ ହଷ୍ଟେଲ ରେ ରହିବ। ରୁମ ଭିତରେ ଜାକି ଜୁକି ହୋଇ ବସି ପାଠ ପଢୁଥିବ। ଭିତର ପଟୁ କବାଟ ବନ୍ଦ କରି ବଡି ଭୋର ନିତ୍ୟ କର୍ମ ସାରି ଗାଧୋଇ, ଭିତରେ ପଶି ଯିବ ଯେ ବାହାରିବ ନି।କ୍ଲାସ ରେ ସବା ପଛ ସିଟ୍ ରେ ବସିବ। ଆଉ କେତେ ମାସ କି; ତାପରେ ଘରକୁ ପଳେଇବ।ଘରୁ ବାହାରିବ ନି। କାହାକୁ ଦେଖା ଦେବନି।ବାପା ବୋଉଙ୍କୁ କହିବ କୌଣସି ଝିଅ ଆସି ଖୋଜିଲେ କହିବେ ସେ ଘରେ ନାହିଁ।

   ଯୋଜନା ଅନୁଯାୟୀ କାମ କିଞ୍ଚିତ ବି ହୋଇପାରି ନଥିଲା।ହଷ୍ଟେଲ ରେ ଖଟ ଟିଏ ପକେଇବା ପାଇଁ ଜାଗା ମିଳି ନ ଥିଲା। ଗଧ ପିଲା ମାନେ ପଛ ସିଟ୍ ଛାଡି ନ ଥିଲେ। ତା'ଘର ଠିକଣା କେମିତି ଜାଣି ପାରି ସୁନ୍ଦରୀ ମାନେ ତାଙ୍କ ଘରେ ପହଞ୍ଚି ଯାଇ ଦ୍ବାର ଠକ୍ ଠକ୍ କରୁଥିଲେ।

  ଆଉ କିଛି ଭାବୁ ନଥିଲା ସେ। ଯେତେବେଳେ ଯାହା ହେବ ଦେଖାଯିବ। 

  ଟେଷ୍ଟ ପରୀକ୍ଷା ପରେ କ୍ଲାସ ସ୍ଥଗିତ ହୋଇଥିଲା।କତିପୟ ଖାନ ଦାନ ପରିବାର ର ଝିଅ,ଯେଉଁମାନେ ତାକୁ ଜୀବନ ଦେଇ ଭଲ ପାଆନ୍ତି ବୋଲି କହନ୍ତି ସେମାନେ ପ୍ରତ୍ୟହ ତାକୁ ନିଦରୁ ଉଠେଇ ଫୁଲ ତୋଡା ଦେଇ ତାକୁ କହୁଥିଲେ,"ଏଇ ଘରଟାରେ ତମକୁ ନିଦ ହେଉଛି?ଲାଇଟ ନାହିଁ,ଫ୍ୟାନ ନାହିଁ, ତଳେ ଶୋଉଛ ....

  କହିଦେବ ବୋଲି ଭାବେ ,"ଆମ ଘର କ'ଣ ତମ ଉପରେ ଲଦି ପଡୁଛି? ଆମେ ଯୋଉଠି ଶୋଇଲେ ଯେମିତି ରହିଲେ, ତମର ଯାଏ ଆସେ କ'ଣ? ଯଦି ଏତେ ଖରାପ ଲାଗୁଛି ଏଠିକି ଆସୁଛ କାହିଁକି? ଆମ ଘର ଆମ ପାଇଁ ସ୍ବର୍ଗ। କହିବ କି ଆମ ଘର ପସନ୍ଦ ଆସୁନି ତ ଭଲ ଘର ଟିଏ ବନେଇ ଦିଅ।"ପୁଣି ଭାବେ ଏଇଟା ସ୍ବାଭିମାନ ର କଥା।ତଦ୍ୱାରା ସେମାନେ କିଣି ନେବେ ତାକୁ।ଉଠ ବସ କରିବାର ସୁଯୋଗ ପାଇ ଯିବେ। 

   ଆର୍ଥିକ ଦୁର୍ଗତି ସତ୍ତ୍ୱେ ବି ରସାୟନ ଶାସ୍ତ୍ର ରେ ସେ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଥିଲା। ଚମତ୍କାର କ୍ୟାରିଅର ଥାଇ ବି ସେ ଚାକିରି ପାଇଁ ଚେଷ୍ଟା କରୁନଥିଲା। ୟା ମୂଳରେ ଥିଲେ ସେଇ ଧନୀ ଲଳନା ମାନେ। କୁହା ଯାଇଛି,"ଆବଶ୍ୟକ ହିଁ ଉଦ୍ଭାବନ ର ଜନନୀ।"

   ଲଘିଷ୍ଟ ଆବଶ୍ୟକତା ଠାରୁ ଗରିଷ୍ଠ ଯାଏ ସିଏ କହିବା ପୂର୍ବରୁ ସବୁ ପୂରଣ ହୋଇ ଯାଉଥିଲା। ପ୍ରତିବଦଳରେ ସେମାନେ ଚାହୁଁଥିଲେ ସେ ବାର କୁ ଯିବ,ମଦ ପିଇବ,ସେମାନଙ୍କ ସାଙ୍ଗରେ ନାଚିବ । ସେମାନଙ୍କର ହାତ କଣ୍ଢେଇ ହୋଇ ରହିବ ।

  ସମୟ କ୍ରମେ ଅବଶିଷ୍ଟ ଯୋଉ ତିନି ଜଣ ତା'ପଛରେ ପଡିଥିଲେ, ସେମାନେ ମନେ ମନେ ୟାକୁ ବିଭା କରି ସାରିଥିଲେ। କେବଳ ନୂଆ ବୋହୂ ହୋଇ ଓଢଣା ପକେଇବା ଯାହା ବାକି ଥିଲା। ଏବେକାର ସମାଜ ର ଶାଢୀ ପିନ୍ଧିବା ବାଧ୍ୟତାମୂଳକ ହୋଇନଥିବାରୁ ତାହାର ଗୁରୁତ୍ବ ନ ଥିଲା।ସେମାନଙ୍କ ପାଇଁ ବିବାହ ର ଅର୍ଥ ଥିଲା ଫ୍ରି ସେକ୍ସ।କିନ୍ତୁ ଓପନ ସେକ୍ସ ର ପ୍ରଶ୍ରୟ ହିରୋ ସେମାନଙ୍କୁ ଦେଇ ନଥିଲା। 

 ସେମାନଙ୍କର ଇଚ୍ଛା ବିବାହ କରିବେ ପୁଣି କୁମାରୀ ପରି ରହିବେ। 

   ହିରୋ ର ବିବାହ ବୟସ ହୋଇ ଯାଇଥିଲା।ଧୀରେ ଧୀରେ ଘର ର ଉନ୍ନତି ହେଉଥିବାରୁ, କୌଣସି ଟାରେ ଅଭାବ(ଆସବାବ ପତ୍ର, ଗହଣା ଗଣ୍ଠି,ଝିଅ ବିଭାଘର ର ଯୌତୁକ ଇତ୍ୟାଦି) ନ ଥିଲା।  ପୁଅ ଘରୁ ଦଶଟାରେ ବାହାରି ଯାଇ ଚାରିଟା ପରେ,କୋଉ ଦିନ ରାତିରେ, ଘର କୁ ଫେରୁ ଥିବାରୁ ତା'ର ପିତା ମାତା, ଆତ୍ମିକ ଲୋକ ମାନେ, ତାକୁ ନ ପଚାରିବି ଧରି ନେଇଥିଲେ ହିରୋ କିଛି ଗୋଟେ କରୁଛି; ବ୍ୟବସାୟ ହେଉ କି ଚାକିରି।ଅତି କମ୍ ରୁ ଅଧ୍ୟାପକ ଟିଏ ହୋଇଥିବ। ହିରୋ ବି କେବେ ଆବଶ୍ୟକ ମନେ କରେନି ସେମାନଙ୍କୁ କହିବ ; ଚାକିରି କରିଛି କି ଆଉ କାହା ଧନ ରେ ଘର ଚଳାଉଛି। ବିବାହ ପ୍ରସ୍ତାବ ଆସିଲେ ସେମାନେ ମୋଟା ଅଙ୍କର ଯୌତୁକ ଦାବି କରୁଥିଲେ।

   "ଆମ ପୁଅ ବହୁତ ପାଠ ପଢିଛି,ବଡ ଚାକିରି ଟିଏ କରିଛି ; ରୂପରେ,ଗୁଣରେ, ବିଦ୍ୟାରେ ,କେହି କାହାକୁ କମ୍ ନୁହଁନ୍ତି" ,ବାହାଦୂରୀ ର ଡିଣ୍ଡିମ ବାଡେଇ ଥିଲେ ବି ଝିଅମାନଙ୍କ ପିତା ମାତା ୟାର ସତ୍ୟାସତ୍ୟ ଜାଣିବାକୁ ଚାହୁଁଥିଲେ ବି ହିରୋ ସବୁ ଜିନିଷ ଏମିତି ସେଟ କରି ରଖି ଥିଲା ଯେ ଆଖପାଖ ରେ ଯାହାକୁ ପଚାରିଲେ ବି ସମସ୍ତଙ୍କ ଉତ୍ତର ହିରୋ ସାପୋର୍ଟ ରେ  ଯାଉଥିଲା।

    ହିରୋ ପ୍ରଥମେ ଯାହାକୁ ଦେଖିବାକୁ ଗଲା,ସିଏ ତା'ର ଜବରଦସ୍ତ ପ୍ରେମିକା ମଧ୍ୟରୁ ଜଣେ।

  ଗୋଟିଏ ହାତରେ ଚା',ଅନ୍ୟ ହାତରେ ମିଠା ପ୍ଲେଟ ଟି ଧରି ହିରୋ ବସିଥିବା ଜାଗାରେ ପହଞ୍ଚି ତାକୁ ଦେଖି ସ୍ମିତ ହସ ରେ  କହିଲା,"ତମେ ମତେ ଦେଖିବାକୁ ଆସିଛ, ସୁଇଟ ହାର୍ଟ! ଏମିତିକା ମିଛ କହି କେତେ ଯେ ଝିଅଙ୍କ ଜୀବନ ସହ ବାଜି ଲଗେଇଲ..... ଆଜିକାଲି କାର ଟୋକା ମାନେ ପ୍ରାୟ ତୁମ ପରି। ତୁମେ କେଉଁ କଲେଜର ଅଧ୍ୟାପକ?କେତେ ଦରମା ପାଅ?ଲୋକଙ୍କ ପାଇଁ _ଆମେ କେହି କାହାକୁ ଚିହ୍ନି ନାହୁଁ;ଏନି ୱେ ,ମୋତେ ତମେ ବାହା ହେବ ଠିକ୍ ଅଛି।କିନ୍ତୁ ତମେ କିଛି କର ନାହିଁ। ମୁଣ୍ଡରେ କଡା କର ବୁଦ୍ଧି ନାହିଁ। ତଥାପି ମୁଁ ତମକୁ ବିଭା ହେବି ଏଇ ସର୍ତ ରେ ତୁମେ ଆମ ଘରେ ରହି ଆମର ବିଭିନ୍ନ ବ୍ୟବସାୟ  ବୁଝା ବୁଝି କରିବ।"

 "ଘର ନୁଆଇଁ ? ଅସମ୍ଭବ।" 

   "ଝିଅ ମନ ମାନିଲା?ବହୁତ ବଡ ଲୋକ,କିଛି ମାଗିବାକୁ ପଡିବ ନାହିଁ _ରଖିବା ଲାଗି ଘର ପରିବର୍ଦ୍ଧିତ କର," କହୁଥିଲେ ହିରୋ ର ଆତ୍ମୀୟ ମାନେ।

 ହିରୋ ଏମିତି ପରିସ୍ଥିତି ରେ ପଡି ଯାଇଥିଲା ଯେ  ହଁ କି ନା କିଛି ଉତ୍ତର ଦେଉନ ଥିଲା ।

  ଅନିଚ୍ଛା ସତ୍ତ୍ୱେ ବି ଦ୍ଵିତୀୟ ଥର କନିଆ ଦେଖିବାକୁ ଯାଇଥିଲା ସେ ।ଯାହାକୁ ଦେଖିଲା, ଦିନେ ଥିଲା, ତାକୁ ପାଇବାର ପ୍ରତିଯୋଗିତା କରିବା ଲିଷ୍ଟ ରେ ହିରୋ ର ନାଁ ଥିଲା।

   ଚା' କପ୍ ଟା ହାତରେ ଧରି ସେ ପଚାରିଲା,"ମତେ ଦେଖିବାକୁ ଆସିଛ ?କେତେ ଦେଖି ସାରିଛ ଆଗରୁ। ଯଦି ଆସିଛ ତେବେ ଶୁଣି ଯାଅ, ମୋ ବଡ ଭଉଣୀ ପିଲା ଜନ୍ମ କରି ନପାରି ମରି ଯାଇଥିଲା। ସେଇ ଦିନୁ ମୁଁ ଠିକ୍ କରିଛି; ବିବାହ କରିବିନି କି ପିଲା ଜନ୍ମ କରିବାର ଯନ୍ତ୍ରଣା ପାଇବି ନାହିଁ। ତମ ସାଙ୍ଗରେ ମୋର ସମ୍ପର୍କ ଥିଲା କିଛି ଅନ୍ତରଙ୍ଗ ମୁହୁର୍ତ୍ତ କଟେଇବା ପାଇଁ।"

      ତୃତୀୟ କନିଆ ବି ତା'ର ଜଣା ଶୁଣା ଥିଲା।

   ସେ ତାକୁ ପଚାରିଲା,"ବିବାହ ର ଅର୍ଥ କ'ଣ; ବିଶେଷ ଭାବରେ ବହନ କରିବାର ଶକ୍ତି, ନୁହେଁ? ତମେ ନିଜ କୁ ବହନ କରି ପାରୁ ନ। ବେକାର। ଫଟା ପାହୁଲା ଟିଏ ବି ଆୟ କରିବାର ଯୋଗ୍ୟତା ନାହିଁ। ତମ ଚେହେରା ଦେଖି ମୋ ପରି କେତେ ଝିଅ ଫସି ଯାଇ, ଜାଣି ପାରି ଥିବେ ତମେ ସେମାନଙ୍କୁ ଦେହ କୁ ଖଣ୍ଡେ, ପେଟକୁ ଗଣ୍ଡେ ତମେ ଦେଇ ପାରିବନି; ପ୍ରାୟ ସେମାନେ ଦୂରେଇ ଯାଇ ଥିବେ।ମତେ ବିଭା ହେବ,ମୋର ପିଲା ହେବ ; ମା' ଛୁଆ,ବାପ ତିନି ଜଣଙ୍କୁ ପୋଷିବାର ତାକତ ମୋ ବାପାଙ୍କର ନାହିଁ। ତମେ ଯାଇ ପାର।"

   ବାରମ୍ବାର ଧକ୍କା ଖାଇ ଖାଇ ଅତ୍ୟନ୍ତ ବିଚଳିତ ହୋଇ ପଡିଥିଲା ହିରୋ।

ପିତା ମାତା, ରକ୍ତ ସମ୍ପର୍କିତ ଭିତରୁ  ଜଣେ ବି କେହି  ତାକୁ ସନ୍ଦେହ କରି ସେ ଆଖପାଖ ଯେତେ ଘରୋଇ କଲେଜ ଗୁଡିକୁ ଯାଇ ପଚାରି ହତ ଚକିତ ହୋଇ ଯାଇଥିଲା, ହିରୋ କୌଣସି କଲେଜ ରେ ଅଧ୍ୟାପକ ନାହିଁ। ସେ ବେକାର! ଏଇ ଭୁଲ ସେମାନଙ୍କୁ ମହାଙ୍ଗା ପଡିଥିଲା।

   ଅତ୍ୟଧିକ ମାନସିକ ଅବସାଦ ରୁ ହିରୋ କ'ଣ କରିବ ନ କରିବ ନିର୍ଣ୍ଣୟ କରି ନ ପାରି ଘର ଛାଡି କୁଆଡେ ପଳେଇ ଯାଇଥିଲା। ତାକୁ ଖୋଜି ଖୋଜି ନ ପାଇ, ହତାଶ ହୋଇ, ପୋଲିସ ରେ ତା'ଫଟୋ ଦେଇ, ତା' ପିତା ମାତା, ରକ୍ତ ସମ୍ପର୍କିତ ମାନେ ପ୍ରତୀକ୍ଷା କରିଥିଲେ ତା'ଫେରିବା ଦିନକୁ।

........... .......

   

  (ଗଳ୍ପଟି ଏକ ସୁନ୍ଦର ଚେହେରା ବିଶିଷ୍ଟ ନବ ଯୁବକ ଉପରେ ଆଧାରିତ ଯିଏ କଲେଜ ଯାଉଥିବା ଧନୀ ଓ ସୁନ୍ଦରୀ ଝିଅ ମାନଙ୍କ ଦ୍ଵାରା ଶିକାର ହୁଏ।ପ୍ରତିଭାଶାଳୀ ହୋଇ ବି ଏଇ ଧନୀ ସୁନ୍ଦରୀ ମାନେ ତାକୁ ଅକାତରେ ଦାନ କରି ତାକୁ ଅଳସୁଆ କରି ଦିଅନ୍ତି। କିନ୍ତୁ ଧୀରେ ଧୀରେ 'ହିରୋ'ତା'ଭୁଲ ବଝିପାରି ଅପମାନିତ ହୋଇ ଅତ୍ୟଧିକ ମାନସିକ ଚାପରୁ ଘର ଛାଡି ଚାଲି ଯାଏ।)

  

 -

 


Rate this content
Log in

Similar oriya story from Romance