ପାପ ଧନ
ପାପ ଧନ
ରାତି ଅଧରେ ରତନ ଏଡେ ଜୋର ହସେ ଯେ ଜେଲ ରେ ଥିବା ହାର୍ଡ କୋର କ୍ରିମିନାଲ ମାନେ ବି ଚମକି ପଡନ୍ତି।ଘୋର ନିଦ୍ରା ରେ ଥିଲେ ବି ଉଠି ବସନ୍ତି।
ନୁଆଣିଆ ଟୁଙ୍ଗି ରୁ ବାହାରକୁ ଆସି କିଏ ହା ହା ହୋଇ ହସୁଛି ଜାଣିବାକୁ ଚେଷ୍ଟା କରନ୍ତି।ଖୋଜି ପାଆନ୍ତି ନାହିଁ ସେ ବନ୍ଦୀ କିଏ? କାଇଁ କୁଆଡେ ତ କେହି ନାହିଁ। ଚାରିଆଡେ ନିଶବ୍ଦ।କାହାକୁ ପଚାରିବେ ଏ ବିକଟାଳ ହସକୋଉଠୁ ଆସୁଛି।ଜେଲର କୁ ପଚାରିଲେ କହନ୍ତି, " ଯଦି ସେତେବେଳେକୁ ବାର ବାଜି ଯାଇଥାଏ, ମୋ କାନ ପାଖରେ କେହି ଢୋଲ ବଜାଏ ତାହେଲେ ବି ମତେ
ଉଠେଇ ପାରିବନି।"
"ଆପଣ ଡିଉଟି ରେ ଥାଇ ବି ଶୋଇ ପଡନ୍ତି!"
"ମାର ହୋ ଡିଉଟି କୁ।ମୁଁ ଘରକୁ ଯାଇ ଶୁଏ କି? ଲାଠି ଉପରେ ମୁଣ୍ଡ ଯାକି, ନହେଲେ କାନ୍ଥ କୁ ଆଉଜି ଶୋଇପଡେ। ଓହୋ,ରାତି ଡିଉଟି ଏତେ କଷ୍ଟ। ଯାଅ,ଯାଅ ଏଠୁ।"
ଲାଠି ଉଠେଇଲା ମାରିବାକୁ।
ସେମିତି ଆଉ ଗୋଟେ ରାତିରେ। ସେମାନେ ଜୋରରେ ଦଉଡି ଚାଲିଲେ ହସ ଆସୁଥିବା ଦିଗକୁ।ପୁଣି ଫେଲ୍ ମାରୁ ମାରୁ ଦିନେ ସେ କଏଦୀ ର ଟୁଙ୍ଗି ଆଗରେ ପହଞ୍ଚି ଯାଇ ତାକୁ ପଚାରିଲେ,
"ତୁ କିଏ ବେ ଏଡେ ଜୋର ହସୁଛୁ?ବାହାର କୁ ଆ' ଶଳା ତତେ ଦି'ଟା ଉତ୍ତମ ମଧ୍ୟମ ନଦେଲେ ହେବନି।"
"ଯୁଦ୍ଧମ୍ ଦେହି" ଡାକରା ଦେଲେ ନାମ କରା କଏଦୀ ମାନେ।
"ଆବେ ବାହାର କୁ ଆସୁଛୁ ନା ଦେଖିବୁ? ଏତେ ବଡ ଦାଢି ରଖିଛୁ,ଗେରୁଆ ଲୁଗା ପିନ୍ଧିଚୁ।ଶଳା ପାଜି।"
ଦାଢି ସାଉଁଳୁ ସାଉଁଳୁ ସେ କହୁଥିଲା "ବାହାର କୁ ଗଲେ ତମେ ମତେ ମାରି ମାରି ରକ୍ତାକ୍ତ କରିଦେବ।ମୁଁ ବାହାର କୁ ଯିବିନି।ଭିତରକୁ ଆସିବା ଦିନ ଠାରୁ କେତେ ଯେ ମାଡ ଖାଇ ସାରିଲିଣି....ବାପରେ ଏତେ ମାଡ ନା ଜେଲରେ! ତୁମେମାନେ ମତେ ମାରିବ ନି କୁହ, ମୁଁ କାହିଁକି ଏଡେ ଜୋର ହସେ କହିବି।
ତୁମେମାନେ ଭାବୁଛ କି ଗୋଟିଏ ରାତିରେ ମୋ କାହାଣୀ ଶେଷ ହୋଇ ଯିବ?ବହୁତ ଲମ୍ବା; କହୁ ଥିବି କହୁ ଥିବି ରାତି ପରେ ରାତି ବିତି ଯାଉ ଥିବ।"
"ଯେତେ ରାତି ସକାଳ ହେଉଛି ହେଉ ତୁ କହ।"
ଶୁଣିବାକୁ କାନ ପତେଇଲେ ସମସ୍ତେ।
"ମାଇକିନା କଏଦୀ ଖାନ୍ନା ରେ ମୋର ପ୍ରେମିକା ମୋ ଆଗରୁ ଭିତରକୁ ଆସିଲାଣି।ଆଗରୁ କଥା ବାର୍ତ୍ତା ହୋଇଥିଲୁ ଯିଏ ଭିତରକୁ ଆଗେ ଆସିବ ସିଏ କୌଣସି ସଙ୍କେତ ଦେବ, ମୁଁ ହେଉ ବା ସିଏ।
ସେ ଆଗ ଆସିଲା,ମୁଁ ପରେ। ଏଡେ ଜୋର ହସି ଜଣେଇ ଦେଲି,ମୁଁ ଆସିଗଲି। ଆଜି ଏତିକି ରେ ଥାଉ,ବହୁତ ମାଡ। ବହୁତ ପୀଡା।ତୁମେମାନେ ଯାଅ ଫାଟି ଯାଇ ଘା' ହୋଇ ଥିବା ଜାଗା ମାନଙ୍କରେ ମୁଁ ଔଷଧ ଲଗାଏ।"
ଦିନ ଯାଇ,ରାତି ହେଲ।। କଏଦୀ ମାନେ ରତନ ଟୁଙ୍ଗି ଆଗରେ ଜମା ହୋଇଗଲେ। ଏମାନଙ୍କୁ କାହାଣୀ,ତାକୁ ସତ; ଅନେକ ବିଷାଦ ଭରା_ ବ୍ୟଥା ବେଦନା ର ସମାହାର ତା' ଜୀବନ।
ଦିତ୍ବୀୟ ପରିଚ୍ଛେଦ ଆରମ୍ଭ କଲା ରତନ।
"ବି.ଏ.ପଢିବା ବେଳକୁ ବାପାଙ୍କର ଦେହାନ୍ତ ହେଲା; ମୋ ମୁଣ୍ଡରେ ପରିବାର ବୋଝ ପଡିଲା।ଅଣ୍ଟାରେ ଅଣା ଟାଏ କି ପୁଟୁଳି ରେ ପାଏ ଚାଉଳ ନ ଥାଏ। ଛୋଟ ମୋଟ କାମ କରିବାକୁ,ମୁଁ ସମ୍ମାନ ହାନୀ ବୋଲି ଭାବୁ ଥାଏ। ପରିବାର ଉପାସ ରେ ରହିଲେ,ମୁଁ ବି।"
"ଶଳା ଆଉ ଶୁଣା ନାହିଁ। ଆମର ଚୋରି କରିବା ଆରମ୍ଭ ହୋଇଥିଲା ସେଇ ପରିସ୍ଥିତିରେ।"
ବିବୃତି ରଖିଲା ଶୁଣୁ ଥିବା ଜଣେ କଏଦୀ ।
"ନାଇଁ, ଶିକ୍ଷିତ ଚୋର ଅଶିକ୍ଷିତ ଚୋର ସମାନ ନୁହନ୍ତି।ଶୁଣିବ କି ନାହିଁ କୁହ,ନ ହେଲେ ଯାଅ।ଆଜି ବହୁତ ଖଟଣି।ବିଶ୍ରାମ ନେବି।"
"କହ ବେ କେତେ ଫଟେଇ ହେଉଛୁ।"
ବିକୃତ ଚେହେରା ର କଏଦୀ ଟିଏ ତା' ଅଡକୁ ମୁଠି ଉଠାଇ ଧମକ ଦେଲା ।
"ମୁଁ ଗାଁ ଛାଡି ପଳେଇ ଆସି ସହର ବଜାର ରେ ଏ ଗଳି ସେ ଗଳି ହେଲି।ଦେଶର ସମ୍ପତ୍ତି ଯାକ ହଡପ କରି,ନିଜକୁ ଧାର୍ମିକ ପ୍ରମାଣ କରିବାକୁ ଦେଉଥିବା ଅନ୍ନ ଛତ୍ର ରେ ବସି ଖାଇଲି। ସେତେବେଳେ ମନେ ପଡି ଯାଉଥାଏ,ମୋ ମା',ଭାଇ ଭଉଣୀ ମାନେ ଉପାସ ରହୁ ଥିବେ।ଆଖିରୁ ଲୁହ ବହି ପଡି ଅନ୍ନ ରେ ମିଶୁ ଥାଏ।ଖାଇ ପାରେନି,ଅଧାରୁ ଉଠି ଆସେ।"
"ତାପରେ ଚୋରି କଲୁ ଏଇୟା କହିବୁ,ହେ ହେ ହେ" ହୋଇ ହସି କହିଲା ଜଣେ ଡେଙ୍ଗା, ଉଚ୍ଚା ଚେହେରା ର ଡାକୁ।
"ନାଇଁ,ମୋ ଚୋରି କରିବାର ତରିକା ସବୁବେଳେ ସମାନ ନୁହେଁ।
ମତେ କେହି ଚୋର ବୋଲି କହିବେ ନାହିଁ। କେତେବେଳେ ମୂଲିଆ ର ଅଭିନୟ ତ ଆଉ କେତେବେଳେ ମାଲିକ ର।
ମିଠା ଖାଇବାକୁ ମନ ହେଲା,ବଡ ପେଟି ଟିଏ ଉଠେଇ ଆଣିବି। ସେତେବେଳେ ମତେ ଦେଖି କେହି ଚୋର ବୋଲି କହି ପାରିବ ନାହି। କହିବେ କୋଟିପତି। କୋଟ,ଟାଇ,କଡା ଆଇରନ କରା ପେଣ୍ଟ ସାର୍ଟ, ଆମ୍ବାସଡାର ଫୁଲ ସୋ, ଭଡାରେ ଆଣି,କିଛି ମିଠା ଭଡା ବାବଦରେ ଦେଇ ଦିଏ। ଅବଶିଷ୍ଟ କୋରିଆର ରେ ଘରକୁ ପଠେଇ ଦିଏ। ସବୁଆଡେ ତ ଦୁଇ ନମ୍ବର କାରବାର।ଚାକଚକ୍ୟ ଭିତରେ ମୋ ଠାରୁ ବଡ ବଡ ଚୋର ବସି ଥାନ୍ତି।
ବିଭାଘର ବ୍ରତଘର,ଶୁଦ୍ଧ ଘର ହେଉଛି ଆରାମରେ ପଶି ଗଲି। ଖାଇଲି।ବାହାଘର ରେ ବେଶୀ ସୁବିଧା ମିଳେ।କନିଆ ଘର ଭାବୁଥିବେ ବର ପକ୍ଷର କେହି ବରଘର ଭାବୁଥିବେ, କନିଆ ଆଡୁ କେହି ହୋଇଥିବେ।
" ଯୋଉଠି ଇଚ୍ଛା ସେଇଠି ସେଇଠି ଶୋଇ ପଡ଼ୁ ଥିବୁ,ଆମେ ବି ସେଇୟା କରୁଥିଲୁ।"
ସେମାନଙ୍କ ଭିତରୁ ଜଣେ ଏକ ଆଖିଆ ଶୁକ୍ର କହିଲା।
"ନା,ମୁଁ ଜଣେ ଏକ ନମ୍ବର ଚୋର,ମୁଁ ରେଲୱେ ପ୍ଲାଟଫର୍ମ,ବାସ ରହଣି ଜାଗା,କି ଯାତ୍ରୀ ବିଶ୍ରାମ ଗୃହ ରେ ଶୁଏ ନାହିଁ। ମୋ କାର ଯାଇ ଲାଗେ ପାଞ୍ଚ ତାରକା ହୋଟେଲ ସାମନାରେ।ମତେ ପାଛୋଟି ନେଇ ଯାନ୍ତି ଭି .ଆଇ.ପି . ରୁମ୍ କୁ।ଖାଇବା ପିଇବା ବି ସ୍ବତନ୍ତ୍ର।ରାତି ପାହିଲା। ଚା 'ବିସ୍କୁଟ ରେ ଆପ୍ୟାୟିତ କଲେ। ଲାଗେଜ ଭରିଲେ ଡିକି ରେ ।ସେଲ୍ୟୁଟ ମାରିଲେ। ଗାଡି ଗଡିଲା।"
"ଆମଠୁ କ'ଣ ବଡ ଚୋର ତୁ?"
ଦାଗୀ ଜଣେ ପଚାରିଲା।
"ହଁ,ନିଶ୍ଚିତ ଭାବରେ ଜଣେ ବଡ ଚୋର।
ଚୋରି କରି ଜାଣିଲେ ଚୋରି ବିଦ୍ୟା ଭଲ।
କିଏ ଚୋରି ନ କରୁଛି? ତାଲିକା କଲେ ରାତି ପାହି ଯିବ। ମନ୍ତ୍ରୀ ଚୋର,ନେତା ଚୋର। ହାକିମ ଚୋର ....ଆମେ ସେମାନଙ୍କ ଠାରୁ ଅଧିକ ଚୋରି କରୁଛୁ କି?"
ବୟସ ଅଧିକ ଲାଗୁଥିବା ଅପରାଧୀ ଜଣକ ପଚାରିଲା,"ଯାହାକୁ ତୋ ବିଶାଳ ହସରେ ଜଣେଇ ଦେଉ ମୁଁ ଜେଲ ରେ ଅଛି,ତୋର ସେଇ ପ୍ରେମିକା କମ୍ ଚୋରଣୀ ସହ କେମିତି ସଂପର୍କ ହେଲା।?"
"ଗୋଟିଏ ଘଣ୍ଟା ଦୋକାନ କୁ ଚୋରି କରିବାକୁ ଯାଇଥାଏ। ସିଏ ବି ସେଠାକୁ ଯାଇଥାଏ।ସବୁଠାରୁ ବେଶୀ ଦାମିକା,ଟାଇଟନ ର ଲେଟେଷ୍ଟ ମଡେଲ।ଏକ ଲକ୍ଷ୍ୟ। ମୋର ଯେଉଁ ସ୍ମାର୍ଟ ୱାଚ ଟା ପସନ୍ଦ ଥିଲା ସେଇଟି କୁ ସିଏ ଚୋରି କରିବାର ପ୍ଲାନ କରି ଆଖି ର ପଲକ ରେ ନେଇ ଚାଲିଗଲା । ମୁଁ ତା'ପିଛା ଧରି,କାହାର ସ୍କୁଟି କେଜାଣି ଅନ ଲକ୍ ଥିଲା,ସେଇଟା ଧରି ଭାଗି ଯିବା ପୂର୍ବରୁ,ତା'ଆଗ ଆଡକୁ ଚାଲି ଆସି,କହିଲି,"ରୁହ। ସେଇ ଘଣ୍ଟା ଟା ମୋର।"
ସେ ଆଶ୍ଚର୍ଯ୍ୟ ନ ହୋଇ ପଚାରିଲା,"ତମେ ଯେଉଁ ଚୋର ସ୍କୁଲ ରେ ପଢୁଥିଲ, ସେଇ ସ୍କୁଲ ମୁଁ ଟିଚର୍ ଥିଲି। ତମେ ଘଣ୍ଟା ଦୋକାନ ରେ ପ୍ରବେଶ କରିବା କ୍ଷଣି ତମକୁ ଦେଖି ଜାଣି ପାରିଥିଲି ମୋର ଯେଉଁ ଘଣ୍ଟା ଟି ପସନ୍ଦ ସେଇଟା ତମେ ବି ଚାହଁ।"
"ମୁଁ ମଜାରେ କହିଲି,ସେଇଟି ମୋ ପାଇଁ ଚୋରି କରିଛ,କାରଣ ସେଇଟି ଜେଣ୍ଟସ ୱାଚ।"
"ଦୁଇ ଜଣ ଯାକ ସେମ ପ୍ରଫେସନ।" ହସି ହସି ଗଡିଲେ ଆଜୀବନ ସଜା ପାଉଥିବା ସେଇ ବୟସ୍କ ଚୋର କଥାରେ।
"ଆଜି ସରି ଯାଉ କଥା। ରାତି ବି ପାହି ଯାଉ। କାହାଣୀ ନ ହେଲେ ବି କାହାଣୀ ପରି ଲାଗୁଛି।ମାଡି ଚାଲ।"
ଉତ୍ସାହ ଦେଲା ଚରସ୍ କାରବାର ରୁ ଘଣା ପେଲୁ ଥିବା ଜଣେ ବନ୍ଦୀ।
ଗପ ପରି ଲାଗୁଥିବା ସତ କଥା ଆରମ୍ଭ କଲା ରତନ ଚୋର।
ଚୋରଣୀ କହିଲା,"ହଁ,ଏଇଟା ତମର,ଯଦିଓ ଆଉ ଜଣଙ୍କ ପାଇଁ ଚୋରି କରିଥିଲି।"
"ତାକୁ ଦିଅ।ତମ ଦିଲ ବର ସିଏ?"
ରସିକତା ଦେଖେଇ ମୁଁ କହିଲି।
"ସିଏ ଏ ଇହ ଜଗତରେ ନାହିଁ।"
ଜଣେ ଚୋରଣୀ ର ଲୁହ ମୁଁ ଦେଖି ଅବାକ୍ ହେଲି।
ହସ,ଲୁହ,ଦୁଃଖ ସୁଖ; ମଣିଷ ର,ଆମ ପରି ପଥର ହୃଦୟ ର ଚୋର ଡକାୟତ ଙ୍କ ଲାଗି ନୁହେଁ। ମୁଁ ତାକୁ ଲୁହ ଗଡେଇ ବାକୁ ଛାଡ଼ିଦେଲି କିଛି ସମୟ।"
"ଇହ ଜଗତ ରେ ନାହିଁ!
କ'ଣ କହିବାକୁ ଚାହୁଁ ତୁ ? ମୁଁ ସ୍ତମ୍ବିଭୁତ ହୋଇ ପଚାରିଲି।
"ହଁ,ସିଏ ରାସ୍ତା ପାର କରିବା ବେଳେ ଟ୍ରାକ ତଳେ ଚାପି ହୋଇ ମରି ଯାଇଛି ।"
ମତେ ସେ କହିଲା।
"ସିଏ ଆମ ପରି ଜଣେ ଅସାମାଜିକ ଲୋକ ହୋଇଥିବ....ଆଉ....। ମୁଁ ଟିପ୍ପଣୀ ଦେଲି।
"ନାଇଁ,ଜଣେ ମନସ୍ତତ୍ତ୍ୱ ବିଶାରଦ। ଅସାମାଜିକ ଲୋକଙ୍କ ର ମାନସିକତା ଉପରେ ଥେସିସ ଲେଖୁଥିଲେ।ମୋ ସାଙ୍ଗରେ ପରିଚୟ ତାପରେ ପ୍ରେମ।"
ସଂକ୍ଷେପରେ କହିଲା ତା'ପୂର୍ବ ପ୍ରେମିକ ଇତି ବୃତ୍ତି।
"ସିଏ ତ ଚାଲିଗଲା ଏବେ ଠାରୁ ମତେ ପ୍ରେମ କର? "ଯୋଡା କୁ ଘୋଡା ସରି ନୁହେଁ।"
ଚୋରଣୀ ତା'ଜୀବନ ର ବତାଷି ଝଡ ମୋ ଆଗରେ ଥୋଇଲା।
"ମୋର ନିଜର ବୋଲି କେହି ନାହିଁ: ବାପା ମା,ଭାଇ ଭଉଣୀ ସମସ୍ତେ ମତେ ପର କରି ଦେଇଛନ୍ତି। ଗାଁ ର ଜଣେ ଯୁବକ ସହିତ ପ୍ରେମ ରୁ ମା'ହେବାକୁ ଯାଉଥିବା ମୋ ଦୁଃଖ କେହି ନ ବୁଝିବା ରୁ ଆବରସନ କରି,ଆଉ ଘରକୁ ଫେରି ନ ଥିଲି।ଜଣେ ଚୋର ର ବୁଦ୍ଧି ଯେତେ ପ୍ରଖର ଜଣେ ଗୁଇନ୍ଦା ର ବି ନୁହେଁ। ତୀକ୍ଷ୍ଣ ମଗଜ୍ ରୁ ବୁଦ୍ଧି ଖର୍ଚ୍ଚ କରି ବହୁତ କମେଇବା ର ସର୍ବୋତ୍କୃଷ୍ଟ ମାର୍ଗ ହେଉଛି ଚୋରି।" ସେ ଜଣେ ଫିଲୋସଫର ପରି କହିଲା।
ବୁଢା ଚୋର ଟାଏ ପଚାରିଲା,"ତା' ନାଁ କ'ଣ ?"
"ସୁରଭି।" ସଂକ୍ଷେପ ଉତ୍ତର ରତନ ର।
"ଚୋର କୁ ଚୋରଣୀ ମିଳିଗଲା ଆଉ...."
ସମସ୍ତେ ହସି ହସି ନିଶି ର ନିରବତା ଭଗ୍ନ କଲେ।
"ଯୋଡି ଯାଉଁଳି ସାଙ୍ଗରେ ରୁହ କି ଅଲଗା ଅଲଗା?"
ଆଉ ଜଣେ ମାଓବଦି ପଚାରିଲା।
"ସାଙ୍ଗରେ ରହିବାକୁ ଇଚ୍ଛା ଥିଲେ ବି ରହି ପାରି ନୁ।ଯଦି ଦୁଇ ଜଣ ଯାକ ଗୋଟିଏ ଜାଗାରେ ରହୁ, ଧରା ପଡିଗଲେ କେହି କାହାକୁ ବେଲ୍ ରେ ଆଣି ପାରିବୁନି। ଯେତେ ରାତି ହେଲେ ବି ତାପର ଦିନ ଚୋରି କରିବାର ପ୍ଲାନ ସରିଗଲେ ଯେ ଯାହାର କୋଠରି କୁ ପଳେଇ ଯାଉ।"
"ଘର ଦ୍ବାର ତ କରି ସାରି ଥିବ? ଗାଁରୁ ଆସି ଚୋରି ଡକାୟତି କରି ଦୁଇ ଚାରି ମାସରେ ଲକ୍ଷେ ଦି ଲକ୍ଷ ହୋଇଗଲେ ଘରେ ଦେଇ ଆସୁଥିବା ବେଳେ,କିଏ କାହିଁକି ପଚାରିବ,ବେପାର କରୁ କି ଚାକିରି କରୁ? ଦସ୍ୟୁ ରତ୍ନାକର କୁ ବି କେହି ପଚାରୁ ନଥିଲେ।"
ଅକାଟ୍ୟ କଥା କହିଲା ବିପିନ।
ନକଲି ନୋଟ କାରବାର ରେ ଜେଲ ରେ ସଶ୍ରମ କାରାଦଣ୍ଡ ଭୋଗୁଛି ସେ।
ଚୋରା ଗଞ୍ଜେଇ ଚାଲାଣ କରି ଧରା ପଡି ଜେଲ୍ ରେ ଥିବା ଜଣେ କଏଦୀ ପଚାରିଲା,"ଦାଢି ଏବଂ ଗୈରିକ ବସ୍ତ୍ର ପିନ୍ଧି କେବେ ଠାରୁ ଠକେଇ ଆରମ୍ଭ କଲୁ?"
"ଭାରତ ହେଉଛି ଏକ ହିନ୍ଦୁ ବହୁଳ ରାଷ୍ଟ୍ର।
ହିନ୍ଦୁ ମାନଙ୍କୁ ଧର୍ମ ନାଁରେ ଯେତେ ଠକେଇ ପାର।ଆମ ଓଡିଶା ର ଲୋକମାନେ ଅତ୍ୟନ୍ତ ଧର୍ମ ଭୀରୁ। ବାବା ହେବାରେ କିଛି କଷ୍ଟ ନାହିଁ।ସର୍ବ ସମକ୍ଷରେ ଯାହା କହିବ ତା' ପୂର୍ବ ଦିନ ପ୍ରସ୍ତୁତ ହେବାକୁ ପଡିବ।ଗୋଟିଏ ବିଷୟ କୁ ଆଧାରିତ କରି ପ୍ରବଚନ ଆରମ୍ଭ କରିବ।ଧର, ସ୍ବାମୀ ସ୍ତ୍ରୀ ଭିତରେ ସଂପର୍କ ରେ ପ୍ରବଚନ ଦେଉଛ, ତାହେଲେ ରାମ-ସୀତା ଙ୍କ ବିଷୟରେ କହିବ।ଦୁଷ୍ମନ୍ତ-ଶକୁନ୍ତଳା,ନଳ-ଦମୟନ୍ତୀ,କେଦାର- ଗୌରୀ ଙ୍କ ପ୍ରେମ କଥା କହିବ। ଯେତେ ଅଧିକ କରତାଳି ମିଳିବ, ପ୍ରୋଗ୍ରାମ କରେଇ ଥିବା ପରିଚାଳକ ଠାରୁ ସେତେ ବେଶୀ ଟଙ୍କା ଏବଂ ଭେଟି ବାବଦ କୁ ଯାହା ମିଳିଯିବ ଗଣି ଗଣି ଥକି ଯିବ।"
"ତୋ ଚୋରଣୀ ପ୍ରେମିକା ତୋତେ କିଭଳି ସାହାଯ୍ୟ କରୁଥିଲା"
ପଚାରିଲା ଦୁର୍ଦାନ୍ତ କପିଳା।
"ସୁରଭି, ଗୁରୁ ମାତା ଭୂମିକା ନିର୍ବାହ କରୁଥିଲା।ଭଜନ ଗାଉଥିଲା। ସଙ୍ଗୀତ ର ତାଳେ ତାଳେ କମ୍ପୁଥିଲା ଧର୍ମ ଅଧିବେଶନ।"
"ବିନା ଦାଢି ରେ ବି ତ ସାଧୁ ସନ୍ୟାସୀ ଅଛନ୍ତି_ ଲଣ୍ଡା ମୁଣ୍ଡିଆ ବାବା।"
"ଭେକ ଥିଲେ ଭିକ। ଯାହା କହିବ ମନ ମୋହିବ_ବାସ,ଚାଲିଲା ସଂସ୍ଥା।" ଇଣ୍ଟେଲିଜେଣ୍ଟ ଚୋର ରତନ କହିଲା।
"ଦାଢି ଛାଡିବା ଦ୍ବାରା ଅନ୍ୟ କିଛି ଲାଭ?"
ସିନ୍ଧି ଡାକୁ ମୋହନ ପଚାରିଲା।
"ସୁରଭି ର ଆବିଷ୍କାର ଦାଢି ରଖିବାର ଦ୍ବିତୀୟ ଲାଭ।"
ତା'ର ପ୍ରେମିକା ର ବୁଦ୍ଧି କୁ ପ୍ରଶଂସା କରୁଥିଲା ସିଏ।
"କ'ଣ ସେ ଲାଭ?"
ପଚାରିଲା ମୋହନ।
"ଦାଢି ଭିତରେ ଛୋଟ ଛୋଟ ପିସ୍ ସୁନା,ହୀରା,ମଣି ମୁକ୍ତା ଟୁକୁରା ଟୁକୁରା ଏଲ.ଏସ.ଡି.,ଚରସ କାରବାର ଚାଲିଲା।କେଶ ବତୀ ସୁରଭି ର ଜଟ ଭିତରେ ଆହୁରି ସୁରକ୍ଷିତ ରହିଲା ନିଶା ଦ୍ରବ୍ୟ।"
ସେ ଦୁଇଜଣ ଙ୍କ ପରି ଚୋର ମର୍ତ୍ତ୍ୟ ମଣ୍ଡଳ ରେ କେହି ନଥିବେ ବୋଲି ସେ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା।
"ବହୁତ ପଇସା କମେଇ ଲୁ,ଏବେ ଜେଲରୁ ବାହାରି ବାହା ସାହା ହୋଇ ଭଲ ରେ ରହିବ,ନା'କଣ କହୁଛୁ?"
ଜଣେ ଆତଙ୍କବାଦୀ ପଚାରିଲା।
"ନାଇଁ,ପାପ ଧନ ରେ ଘର ସଂସାର କରିବାର ଅଭିପ୍ରାୟ ନାହିଁ। ଜେଲ ଆମକୁ ଅଟକେଇ ପାରିବନି। ପୁଲିସ ଆମକୁ ଧରି ପାରିବନି।ଆମେ ଜାଣି ଜାଣି ଧରା ଦେଇଛୁ। ଜେଲ ର ମାଡ ଛେଚା,ପଥର ଭଙ୍ଗା,ଲାଠି ପାହାର ଏବଂ ଶୁଖିଲା ରୁଟି,ପାଣିଆ ଡାଲି,ନାଲି ଚା' ଖାଇ,ସଂଧ୍ୟାରେ ପ୍ରାର୍ଥନା କରି ଅବଶିଷ୍ଟ ଜୀବନ ଏଇ ଟୁଙ୍ଗିରେ କଟେଇ ପାପ ର ଭାର ଲାଘବ କରିବା ଲାଗି ଆମେ ଚେଷ୍ଟା କରିବୁ।"
ଅମାନିଆ ଅଶ୍ରୁ ଝରଣା ପରି ବହି ଚାଲି ଥିଲା।
ତାପର ଦିନ ମୁକ୍ତି ସନ୍ଦେଶ ନେଇ ଆସିଥିବା ଜେଲର୍ ଆସି ଦେଖେ ମୁହଁ ମାଡି ପଡିଛି ରତନ। ପିଣ୍ଡରେ ପ୍ରାଣ ନାହିଁ।ଦେହ ଯାକ କଟା ଦାଗ।ହାତ ମୁଠାରେ ଖୋଲିବା ବେଳେ ଛୋଟିଆ କାଗଜ ଟିଏ ଖସି ପଡିଲା।
ସେଇଥିରେ ସେ ଲେଖିଛି,"ସୁରଭି ମତେ ଯଦି ପ୍ରକୃତରେ ଭଲ ପାଉଥାଅ,ଆମ ଜଏଣ୍ଟ ଆକାଉଣ୍ଟ ଟଙ୍କା ଅନାଥାଶ୍ରମ ମାଲିକ ନାଁ କୁ ଟ୍ରାନାସ୍ଫର୍ କରିଦେଇ ବାକି ତକ ଜୀବନ ସନ୍ୟାସିନୀ ହୋଇ କଟେଇ ଦେବ।"
........+.......
