ସ୍ମୃତିି ର ସିନ୍ଧୁକ
ସ୍ମୃତିି ର ସିନ୍ଧୁକ
ମୋନାଲିସା ର ଜନ୍ମ ଏକ ଗରିବ ବ୍ରାହ୍ମଣ ପରିବାରରେ।ଆଜିକାଲି ର ଦୁନିଆରେ ଧର୍ମ ସଂସ୍କୃତି ପ୍ରତି ଅନାଦର ହେତୁ ବ୍ରାହ୍ମଣ ମାନଙ୍କ ଚାହିଦା କମି କମି ଆସୁଛି।ମଉଳା ଶ୍ରାଦ୍ଧ, ପିତୃ ପିତାମହ ଙ୍କ ଦିବସ,ବ୍ରତ ଘର,ବିଭାଘର,ଘର ପ୍ରତିଷ୍ଠା,ସତ୍ୟ ନାରାୟଣ ପୂଜା,ରାଧା କୃଷ୍ଣ ମନ୍ଦିର,ଶିବ,ଦୁର୍ଗା,ଗଣେଶ,ହନୁମାନ ପୂଜା, କ୍ଵଚିତ ହେଉଛି । ସେପରି ଏକ ପରିବାରରେ ଏତେ ରୂପ ଘେନି ଜନ୍ମ ହେବା ମୋନାଲିସା ପାଇଁ ଅଭିଶାପ ଥିଲା। ତଥାପି ନିଜ ରୂପ ସହିତ ବିଦ୍ୟା ଓ ସାହସ କୁ ସମ୍ବଳ କରି ସହର କୁ ପଳେଇ ଆସି ନିଜ ସିଙ୍ଗ ରେ ମାଟି ତାଡି ବାକୁ ଚାହିଁ ଥିଲା। ତା'ର ଚିହ୍ନା ପରିଚୟ କେହି ନ ଥିଲେ। ଏତେ ବଡ ସହରରେ ସେ ଅସହାୟ ମଣୁ ଥିଲା ନିଜକୁ। ଏଇ ପାଦ ତଳକୁ ଖସି ଯିବ, ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଆବିର୍ଭାବ,ବଞ୍ଚେଇ ଦେଇଥିଲେ ତାକୁ।ଦୁଇ ପୁତ୍ର ଓ ଗୋଟିଏ କନ୍ୟା ର ଜନକ ଜନନୀ ଙ୍କ ହୋଇ ବି ଭାଗ୍ୟ ବିପର୍ଯ୍ୟୟ ରୁ ତାଙ୍କ ପାଖରେ କେହି ନ ଥିଲେ। ସେଇ ଦମ୍ପତ୍ତି ପ୍ରଫେସର ବିମଳ ଓ ବିରଜା ଙ୍କ ର ପାଳିତ କନ୍ୟା ହୋଇ ରହିଥିଲା ମୋନାଲିସା। ସମ୍ପତ୍ତି ବାନ ଦମ୍ପତ୍ତି ସେଇ ସେକ୍ଟର ରେ ଥିଲେ ଖୁବ ବିଖ୍ୟାତ। ସ୍ବାମୀ ସ୍ତ୍ରୀ ଉଭୟ ପ୍ରଫେସର ପଦବୀ ରେ ଥାଇ ଅବସର ନେଇଥିଲେ। ଏକଥା ନୁହଁ ଯେ ମୋନାଲିସା ତା'ର ପିତା ମାତା କୁ ଭୁଲି ଯାଇ ଥିଲା। ବରଂ ସେମାନଙ୍କ ମୁଣ୍ଡକୁ ହାଲୁକା କରି ଦେଇଥିଲା। ତା'ର ନୂଆ ଗାର୍ଡିଆନ୍ ଙ୍କୁ କହିଦେଲା,"ଆପଣ ମାନଙ୍କ ଠାରେ ମୁଁ ଅବଶ୍ୟ କୃତଜ୍ଞ।କିନ୍ତୁ ବେଶୀ ସ୍ନେହ ଦେଲେ ମୁଁ ଦୁର୍ବଳ ହୋଇଯିବି।ଆପଣ ମାନଙ୍କ ଉପରେ ନିର୍ଭରଶୀଳ ହୋଇ ଯିବି। ମତେ ସଂଘର୍ଷ କରିବାକୁ ଦିଅନ୍ତୁ।ଯୋଉଠି ହାବୁଡି ପଡିବି,ଆପଣ ମାନଙ୍କ ସାହାଯ୍ୟ ଲୋଡିବି।" ସ୍ପଷ୍ଟୋକ୍ତି ରଖିଥିଲା ସିଏ। ସେ ସକାଳ ହେଲେ ଘରୁ ବାହାରି ଯାଏ। ଯିବାବେଳେ କହି ଯାଏ"ମୋ ଲାଗି ଅପେକ୍ଷା କରିବନି।ଏତେ ରାତି ହେଲାଣି କାହିଁକି ଆସୁନି ଭାବି ଭାବି ବିଚଳିତ ହବନି।ମୁଁ ନିଜ ଭିତରେ ବହୁତ ଟାଣ।ଯୋଗକୁ ଆପଣ ମାନଙ୍କ ସହ ଏମିତି ଏକ ସମୟରେ ଦେଖାହେଲା ଯେ,ଯାହା ମୋ ପାଇଁ ଥିଲା ଜଗନ୍ନାଥ ଙ୍କ ଆଶୀର୍ବାଦ।" ସବୁ ଦିନ ରାତିରେ ଡେରି ରେ ଫେରେ ସେ।ବଢ଼ା ହୋଇ,ଘୋଡେଇ ଦିଆ ହୋଇରହିଥିବା ରୁଟି ଡାଲମା ଖାଇ ସାରି ବିଛଣା କୁ ଯାଏ ।ବିଛଣା କୁ ଯାଉ ଯାଉ ନିଦ ହୁଏନି। ଶୁ ଶୁ ଗୋଟାଏ ଦି'ଟା ହୋଇ ଯାଏ। ରାତି ଦେଢ ଟା ହେଲାଣି,ଆଖି ଦୁଇଟା ବୁଜି ହୋଇ ଆସିଲାଣି। ହଠାତ୍ କାହାର କରୁଣ କ୍ରନ୍ଦନ ନିରବ ନିଶି କୁ ଶବ୍ଦାୟିତ କରିଦେଲା।ସେ ବିଛଣା ରୁ ଉଠି ବସିଲା।କିଏ ଜଣେ କାନ୍ଦୁଛି ଏବଂ କ'ଣ କହୁଛି! ଚବିଶି ପଚିଶ ଟି ବସନ୍ତ ଅତିକ୍ରମ କରିଥିବା ଭଳି ଲାଗୁଥିବା ଏକ ତରୁଣୀ ର କଣ୍ଠ ସ୍ବର! ବିଦ୍ୟୁତ ଖୁଣ୍ଟ ର କମ ଶକ୍ତି ସଂପନ୍ନ ଆଲୋକ ରେ ସେ କବାଟ ଫାଙ୍କ ରୁ ଦେଖିଲା ବେତାଳ ପରି ଗେଟ୍ ରେ ଝୁଲୁଛି ଗୋଟେ ଅଶରିରି । କାନ୍ଦୁଛି ଏବଂ କିଛି କହୁଛି। ତା'କଥା ଅସ୍ପଷ୍ଟ ହେଲେବି ଅନୁମାନ କଲା ସେ ଏଇ ଘର ର ଏମିତି ଜଣେ କିଏ ଅଛି ଯିଏ ତା'ର ବିଶ୍ଵାସ ରେ ବଡ ଆଘାତ ଟିଏ ଦେଇଛି ଏବଂ ତା'ରି ପାଇଁ ସେ ଟ୍ରେନ ଆଗକୁ ଡେଇଁ ପଡିଛି ନଚେତ ଅନ୍ୟ କୋଉ ଉପାୟ ରେ ଜୀବନ ହାରିଛି। ମୋନାଲିସା ନିଜେ ସନ୍ଦେହ ମୁକ୍ତ ହୋଇ ନଥିବାରୁ ସେଇ ରାତିରେ ଘଟିଥିବା ଭୌତିକ କାଣ୍ଡ କାହାକୁ କିଛି କହି ନ ଥିଲା।ଆଉ କେତେବେଳେ ସେ ଅଶରିରି ଟି ଭୟ ସଂଚାର କରୁଥିବ,ସେତେବେଳକୁ ସିଏ ହୁଏତ ଶୋଇ ପଡ଼ିଥିବ। ସମୟ କ୍ରମେ ତାହା ସ୍ମୃତି ର ସିନ୍ଧୁକ ରେ ମାଡି ମକଚି ହୋଇଶୋଇ ପଡିଥିଲା। ବହୁ ଘାତ ପ୍ରତିଘାତ ପରେ ନିଜର ଏକ ଜେରକ୍ସ ଦୋକାନ ଦେଇ ସେଥିରେ ବ୍ୟସ୍ତ ରହୁଥିଲା ମୋନାଲିସା।ଧୀରେ ଧୀରେ ଗହଳି ବଢୁଥିଲା।ସେଥିପାଇଁ କେତେ ଜଣ ଲେଡି ଆସିଷ୍ଟାଣ୍ଟ ଙ୍କୁ ନିଯୁକ୍ତି ଦେଇ ଥିଲା ସେ।ଖାଲି ଜେରକ୍ସ ନୁହେଁ ଏଥି ସହିତ,ପ୍ରିଣ୍ଟ ଆଉଟ,ଟାଇପ୍, ,ଆୟୁଷ୍ମାନ ଭାରତ,ରେସିଡେଣ୍ଟ ସାର୍ଟିଫିକେଟ,ଇନକମ୍ଣ ସାର୍ଟିଫିକେଟ,କାଷ୍ଟ ସାର୍ଟିଫିକେଟ,ଲିଗାଲ ଏୟାର ମ୍ୟୁଟେସନ୍, କନଭାରସନ୍, ବ୍ୟାଙ୍କ ଟ୍ରାଞ୍ଜେକସନ୍,ପାନ କାର୍ଡ,ରେସନ କାର୍ଡ,ଆଧାର କରେକସନ୍,ଟିକେଟ ବୁକିଂ,ପି.ଏମ.କିସାନ,ସି.ଏମ.କିସାନ,କୃଷକ ଓଡିଶାଏବଂ ଅନ୍ୟାନ୍ୟ ବିଭାଗ ଖୋଲି ଦୁଇ ପଇସା ଭଲ ଆୟ କରୁଥିଲା ସେ। ତାକୁ ଝିଅ କରି ନେଇଥିବା ପଟ୍ଟନାୟକ ଦମ୍ପତ୍ତି ଙ୍କୁ ତା' ଆୟ ର ସିଂହ ଭାଗ ଦେବାକୁ ଚାହୁଁ ଥିଲେ ବି ପ୍ରଫେସର ପଟ୍ଟନାୟକ କହିଲେ,"ଝିଅ ପାଖରୁ ବାପା ନିଏ?ମା' ତୁ କିଛି କର ପାଇଁ ଆମର ଇଚ୍ଛା ନ ଥିଲା।ଆମ ସମ୍ପତ୍ତି ଖର୍ଚ୍ଚ କରି ସାରି ପାରିବୁନି।ଏନେଗେଜ୍ ରହିବା ପାଇଁ ତୁ ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ଛୁ ତା'ର ଲାଭ ତୋ ବାପାଙ୍କ ପାଖକୁ ପଠେଇ ଦେ।" ଦିନକରେ ମୋନାଲିସା ଦୋକାନ ଭିତର କୁ ପ୍ରବେଶ କରି ଚେୟାର ଅଧିକାର କରି,ସମସ୍ତଙ୍କ କାମ ଦେଖୁଛି ଜଣେ ବୟସ୍କା ମହିଳା ତାକୁ ହାତ ଯୋଡି,ନମସ୍କାର କଲାବେଳକୁ ସିଏ କହିଲା,"ମାଉସୀ,ତମେ ମୋ ମା'ବୟସର,ମୋତେ ଜୁହାର କରୁଛ? ତୁମର କ'ଣ ଦରକାର କୁହ ମୁଁ ସବୁ କାମ ଛାଡି ତମ କାମ ଆଗ କରିଦେବି।" କାନ୍ଦି ପକେଇ କହିଲେ ସେ,"ମା', ମୋ ଝିଅ ବଞ୍ଚିଥିଲେ ସରକାରୀ ସାହାଯ୍ୟ ଦରକାର ହୋଇ ନଥାନ୍ତା।ଶେଷ ବେଳକୁ ତାକୁ ଭଗବାନ ମୋଠାରୁ ତାକୁ ଛଡେଇ ନେଲେ।ମୁଁ ସେ ପଟ୍ଟନାୟକ ପ୍ରଫେସର କୁ ପାଇଲେ ତାକୁ ଛାଡିବିନି। ମୋ ଝିଅ କୁ...." ସିଏ ଆଉ କିଛି କହି ନ ପାରି କାନ୍ଦିବାକୁ ଲାଗିଲେ। ଚମକି ପଡିଲା ମୋନାଲିସା;କ'ଣ କହିଲେ ଏଇ ବୟସ୍କା ମାଉସୀ! ସେ ଯେଉଁ ପଟ୍ଟନାୟକ ପ୍ରଫେସର ଙ୍କୁ ସେ ଆଙ୍ଗୁଠି ଉଠାଉଛନ୍ତି ତାକୁ ଝିଅ କରି ନେଇଥିବା ସେଇ ବିମଳ ପଟ୍ଟନାୟକ ନୁହନ୍ତି ତ! ଆଉ କାମ କରିବ କ'ଣ,ଦୁଇଜଣ ସାମନା ସାମନି ହୋଇ ବସିଥିଲେ,ପୁଷ୍ପା ମାଉସୀ ଓ ମୋନାଲିସା। ସେ ପ୍ରଶ୍ନ ର ବାଣରେ ଛାଇ ଦେଇ ପକାଇ ଥିଲା ମାଉସୀଙ୍କୁ । ସେ କାହିଁକି ତାଙ୍କ ଝିଅ ମମତା ସମ୍ପର୍କ ରେ ଟିକି ନିକି ଜାଣିବାକୁ ଇଚ୍ଛୁକ ତାହା ପଚାରିବାକୁ ତର ପାଉ ନଥିଲେ। ମୋନାଲିସା ର ପ୍ରଥମ ପ୍ରଶ୍ନ,"କେବେ କୋଉଠି କେମିତି ପ୍ରଫେସର ପଟ୍ଟନାୟକଙ୍କ ସହ ସଂପର୍କ ସ୍ଥାପନ ହୋଇଥିଲା?" "ଆମ ଦୁଇ ପରିବାର ଗୋଟିଏ ଜାତିର_କରଣ।ଆମେ ମହାନ୍ତି ସେ ପଟ୍ଟନାୟକ।ଲେଖା ଜୁଖା ରେ ଦୂର ସଂପର୍କିତ ବନ୍ଧୁ। ମମତା ର ମ୍ୟାଥମେଟିକସ୍ ଅନର୍ସ ଥିଲା। ସେ ତାଙ୍କ ପାଖକୁ ଟିଉସନ୍ ଯାଉଥିଲା । ଧୀରେ ଧୀରେ ମମତା ତାଙ୍କ ପରିବାର ସହିତ ଘନିଷ୍ଠ ହୋଇ ଯାଇଥିଲା।ଏପରିକି,ତାଙ୍କ ସ୍ତ୍ରୀଙ୍କୁ ରୋଷେଇ କାମରେ ସାହାଯ୍ୟ କରୁଥିଲା।" ଏତିକି କହି ସେ ଥକି ପଡିବା ପରି ଲାଗୁଥିଲେ। "ମାଉସୀ ଚା,କପେ ପିଇବେ?" ଉତ୍ତର କୁ ଅପେକ୍ଷା ନକରି ଚା'ବରାଦ କରିଥିଲା ମୋନାଲିସା। କଥା ଗଛରେ ଅଜସ୍ର କଢି କୁସୁମିତ ହେଉଥିଲା। "ତାପରେ କ'ଣ ହେଲା ?" ଜାଣିବାର ଉତ୍କଣ୍ଠା ମୋନାଲିସା ର ବଢି ଯାଇଥିଲା। ମାଉସୀ ଚା' କପ୍ ଟା ରଖୁ ରଖୁ କହିଲେ,"ପଟ୍ଟନାୟକ ବାବୁଙ୍କ ର ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲେ।ଝିଅକୁ ପ୍ରଣତି କୁ ଛାଡି ତା'ର ଦୁଇ ଭାଇ ଯାକ ଅତିଶୟ ଭୟଙ୍କର ଥିଲେ।ମାରପିଟ ଦଙ୍ଗା ହାଙ୍ଗମା ରେ ସେମାନେ ସକ୍ରିୟ ଥିଲେ।ଅତ୍ୟଧିକ ନିଶା ସେବନ ଯୋଗୁ ଅମଣିଷ ହୋଇ ପଡିଥିଲେ। ନିଶା ଖାଉଥିବା ଏଇ ଦୁଇଜଣଙ୍କର ଲୋଲୁପ ଦୃଷ୍ଟି ମମତା ଉପରେ ପଡିଥିଲା।ଅଲଗା ଅଲଗା ସମୟରେ ଦୁଇ ଜଣ ମମତା କୁ ପ୍ରେମ ନିବେଦନ କରୁଥିଲେ। ଜଣକ ଅଜାଣତରେ ଆଉ ଜଣେ ମମତା କୁ ନିଜର କରିବାକୁ ତା' ପଛରେ ହଜାର ହଜାର ଖର୍ଚ୍ଚ କରୁଥିଲେ। ପ୍ରଫେସର ଦମ୍ପତ୍ତି ସବୁ ଜାଣି ବି ଚୁପ ରହୁଥିଲେ। ଏକାନ୍ତରେ ମମତା କୁ ଡାକି ପ୍ରଫେସର ମା'ମ କହିଲେ,"ତୁମେ ଏଠାକୁ ଆଉ ଆସିବ ନି। ତମେ ଜାଣି ପାରୁ ଥିବ ମୁଁ କାହିଁକି ଏକଥା କହୁଛି।ଦୁଇ ପୁଅ ଯାକ ଆମ ନିୟନ୍ତ୍ରଣରେ ନାହାନ୍ତି।" ସେ ଦୀର୍ଘ ନିଶ୍ଵାସ ପକେଇ କହିଲେ,"ପ୍ରଣତି ର ବିଭାଘର ଏଇ ସିଜନ୍ ରେ ସାରି ଦେବା। ଏଇ ବାଳୁଙ୍ଗା ଦି'ଜଣ ଯାହା କରୁଛନ୍ତି କରନ୍ତୁ। ଆମକୁ ଜଣା ଅଛି ଯେତିକି କେଶ ଏମାନଙ୍କ ନାଁରେ ପେଣ୍ଡିଙ୍ଗ ଅଛି ସେମାନେ ଜେଲ ଗଲେ ବେଲ ପାଇବେନି।" "ମମତା ଟିଉସନ୍ ବନ୍ଦ ହୋଇ ଯିବା ପରେ ପ୍ରଫେସର ଙ୍କ ପୁଅ ଦି'ଜଣ ତା'ପିଛା ଛାଡି ଦେଇ ଥିଲେ କି ନାହିଁ?" "ନାଇଁ,ସେମାନେ ତାକୁ ବହୁତ ହଇରାଣ କରୁଥିଲେ।ଅଡିସନ୍ ଦେଇ ସିଲେକ୍ଟ ହୋଇ ସୁଟିଂ ସେଟ ରେ ଥିବାବେଳେ ତାକୁ ବାଧ୍ୟ କରୁଥିଲେ ବଡ ବଡ ହୋଟେଲ ରେ ଖାଇବା ପାଇଁ।" ଲାଗୁଥିଲା ମାଉସୀ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ମାଉସୀଙ୍କ କାମ ଶେଷ ପର୍ଯ୍ୟାୟରେ ଥିଲା। ଗୋଟେ ଜଳଖିଆ ପୁଡିଆ ଆଣି ମୋନାଲିସା ପୁଷ୍ପା ମାଉସୀ ଙ୍କୁ ଦେଇ ନିଜେ ଖାଇ ପାଣି ପିଇ ବାକି ତକ କଥା କହିବାକୁ ମୋନାଲିସା ତାଙ୍କୁ ଅନୁରୋଧ କରି ପଚାରିଲା,"ତାପର ର କଥା କୁହନ୍ତୁ।" "ଘରର ଜଟିଳ ପରିସ୍ଥିତି ରୁ ମୁକ୍ତି ପାଇବା ପାଇଁ ପ୍ରଣତି ଜଣେ ଆସାମ ଯୁବକ ସହ ଘରୁ ଲୁଚି ପଳେଇ ଯାଇଥିଲା। ଏକଥା ପ୍ରଚାର ହେବା ପରେ, ମମତା ଭାବୁଥିଲା ସେ ଯାହା କରିଛି ଠିକ୍ କରିଛି।" "ସେ ଖୁବ ବିଚଳିତ ହୋଇ ପଡୁଥିଲା।ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲା। ସେମାନଙ୍କୁ ତା' ବାଟ ରୁ ହଟେଇବା କୁ ଯୋଜନା କରୁଥିଲା ମମତା।କିନ୍ତୁ ସେ ନିଜେ ସେଥିରେ ଶିକାର ହୋଇଥିଲା।ବଡ ଭାଇ ଅଭୟ ସାଙ୍ଗରେ ତା'ବିବାହ ପ୍ରସଙ୍ଗରେ କଥାବାର୍ତ୍ତା ହେବାବେଳେ ଅତି କମ ଦୂରତା ରୁ ଅଜୟ ତା'ଭାଇ କି ଲକ୍ଷ୍ୟ କରି ଗୁଳି କରୁ କରୁ ମମତା ଛାତିରେ ଗୁଳି ବାଜିବାରୁ ସେ ସେଇଠି ଟଳି ପଡିଥିଲା।ତା'ପ୍ରାଣ ବାୟୁ ଉଡି ଯାଇଥିଲା।ସେ ଗିରଫ ହୋଇ ଏବେ ଜେଲରେ। ନର ହତ୍ୟା ଅପରାଧରେ ସେ ଆଉ ଜେଲ ରୁ ବାହାରି ପାରିବ ନି।" ସେ ତଳେ ଗଡି ଗଡି କାନ୍ଦିବାରେ ଲାଗିଲେ।ତାଙ୍କର କାମ ସରି ଯାଇଥିଲା। ତାଙ୍କୁ ସେ ନେଇ ଘର ଛାଡି ଦେଇ ଆସିଥିଲା। ମୋନାଲିସା ର ଆଉ ଜାଣିବାର ବାକି ନ ଥିଲା ସେଇ ଅଶରିରି ହିଁ ମମତା। ଏମିତି ସିଏ ମଝିରେ ମଝିରେ ଆସେ ମାୟା ମମତା ରେ ବନ୍ଧା ହୋଇ ଯାଇଥିବା,ଏଇ ଘରକୁ। ମୋନାଲିସା ସବୁ ଜାଣି ସାରିବା ପରେ କହିଲା,"ଆପଣ ଙ୍କ ଅସହାୟତା କାରଣ ଆପଣମାନେ ନିଜେ।କେବେ ବି ଏତେ ସବୁ ସମସ୍ୟାର ସରଳ ସମାଧାନ ପାଇଁ ମୁଣ୍ଡ ପୂରାଇ ନ ଥିଲେ।ଭାବୁଥିଲେ ଯାହା ହେବ ହେଉ। ଆପଣ ମାନଙ୍କ ଭୁଲ ଯୋଗୁ,ଦୁଇ ପୁଅ ଙ୍କୁ ହରେଇ ଲେ। ଝିଅ ଲୁଚି ପଳେଇ ଗଲା ତା ପ୍ରେମିକ ସାଙ୍ଗରେ। ଆପଣ ଦି'ଜଣଙ୍କର ଅସହାୟତା ଏତେ ବଢି ଯାଇଥିଲା ଯେ ମତେ ଯୋଡ଼ି ଥିଲେ ଆପଣଙ୍କ ପରିବାର ସହିତ। ଝିଅଟିଏ ଆଶ୍ରା ଚାହେଁ,ଯେମିତି ଲତା ଗୋଡେଇ ଯାଏ ବୃକ୍ଷରେ,କବିତା ଚାହେଁ ଭଲ ପାଠକ। ଆପଣ ମାନେ ମତେ ଶକ୍ତି ଦେଇ ଛିଡା କରି ଥିବାରୁ ଅଶେଷ ଧନ୍ୟବାଦ।ଯିବା ପୂର୍ବରୁ ଏତିକି କହିବି ମମତା ର ମା'ଙ୍କ ଆକାଉଣ୍ଟ କୁ ଅତି କମ ରୁ ପଚାଶ ଲକ୍ଷ ଜମା କରିଦେବେ। ନହେଲେ ମମତା ହତ୍ୟା ପାଇଁ ଆପଣ ପରୋକ୍ଷ ଭାବରେ ଦାୟୀ ଥିବାରୁ ଆପଣ ମାନଙ୍କୁ ବି କାରାଦଣ୍ଡାଦେଶ ମିଳିବ।" ନିଜ କାର ଡିକି ରେ ଜିନିଷ ପତ୍ର ଲୋଡ କରି ପ୍ରଣାମ କରି ନୂଆ ଠିକଣା କୁ କାର ଚଳେଇ ପଳେଇ ଯାଇଥିଲା। ପଟ୍ଟନାୟକ ଦମ୍ପତ୍ତି ଲୁହ ଭରା ଆଖିରେ ସୋଫା ରେ ବସି ପଡିଥିଲେ। ..........+..........
