Sudeshna Misra

Action Classics Inspirational

4.5  

Sudeshna Misra

Action Classics Inspirational

ମୋହଗ୍ରସ୍ତ

ମୋହଗ୍ରସ୍ତ

8 mins
882


ସବୁଦିନ‌ କଲେଜ ଯାଏ ବାପାଙ୍କ ଗାଡ଼ିରେ। ଡ୍ରାଇଭର ଛାଡିଦିଏ ପୁଣି କ୍ଲାସ ସରିଲେ ନେଇ ଆସେ। ପ୍ରତି ଡ୍ରେସ୍ ସାଙ୍ଗକୁ ତାର ମ୍ଯାଚିଙ୍ଗ ଇୟରରିଙ୍ଗ , ନେକଲେସ୍ ଆଉ ମୁଦି। ତା ସାଙ୍ଗକୁ ଯୋତା। ଷ୍ରେଟେନିଂ କରାଯାଇଥିବା ମୁଣ୍ଡବାଳ ପୁଣି ମଝିରେ ମଝିରେ କଲର କରାଯାଇଛି। ପ୍ରାୟ ଜିନସ୍ ଓ ଟପ୍ ପିନ୍ଧେ। ବେଳେ ବେଳେ ଆଣ୍ଠୁ ଲମ୍ବର ସର୍ଟ ସ୍କାର୍ଟ। ଲିପଷ୍ଟିକ ଓ ହାଲକା କାଜଲ ଲଗେଇ ଯେତେବେଳେ ଗାଡ଼ିର ଡୋର ଖୋଲି ହାଇହିଲ୍ ପିନ୍ଧା ପାଦଟାକୁ ସିନେମା ଷ୍ଟାଇଲ୍ ରେ କଲେଜ ସାମ୍ନା ରାସ୍ତାରେ ରଖେ, 'ଓ୍ବାଓ' ବାହାରି ଆସେ କିଛି ଝିଅଙ୍କ ମୁହଁରୁ। ଆଉ ପୁଅମାନଙ୍କର କଥାତ ଛାଡ, ହ୍ବିସିଲ୍ ରେ ପ୍ରକମ୍ପିତ ହୁଏ ଆଖପାଖ ସ୍ଥାନ।


ଡ୍ରାଇଭର ଡୋର୍ ବନ୍ଦକରି କିଛି ବେଳ ଅପେକ୍ଷା କରି ଫେରିଯାଏ। ଲିପ୍ସା ତା ଖୋଲା ବାଳଗୁଡିକୁ ସାଉଁଳେଇ ନିଏ ଚମ୍ପା କଢି ପରି ଆଙ୍ଗୁଠି ଗୁଡିକରେ। ଆଉ ସିଧା ଯାଏ କ୍ଲାସ ରୁମ୍ ଭିତରକୁ। ଗାର୍ଲସ କମନରୁମରେ ସେ ପ୍ରାୟ ବସେ ନାହିଁ। ଅଯଥା ପ୍ରଶ୍ନ, ଆଖି ଠରାଠରି ଓ ଅପ୍ରିତୀକର ପରିସ୍ଥିତିକୁ ଏଡାଇଦିଏ ସେ। ଭଳିକି ଭଳି ପୋଷାକ ପିନ୍ଧିବା ତାର ସଉକ। ଷ୍ଟାଇଲ୍ , ପୋଷାକ ଇତ୍ୟାଦିରେ ତାର ଯେତିକି ଧ୍ଯାନ , ପାଠରେ ମଧ୍ୟ ସେତିକି ମନ। ତେଣୁ ଅଧ୍ୟାପକ ମାନେ ତାକୁ ଭଲ ପାଆନ୍ତି। ଯୁକ୍ତ ଦୁଇ ବିଜ୍ଞାନ ପଢିବା ପରେ ସୋସିଓଲୋଜି ଅନର୍ସ ନେଇ ଗ୍ରାଜୁଏସନ କରୁଥିଲା ସେ। ସୋସିଓଲୋଜିରେ ପିଜି ସାରି ତାପରେ ଡକ୍ଟରେଟ କରି ଅଧ୍ୟାପନା କରିବା ଥିଲା ତା ଉଦ୍ଦେଶ୍ୟ। ଲିପ୍ସା। ଏମ୍ ଏ ରେ ଗୋଲ୍ଡ ମେଡାଲ ପାଇଥିଲା ସେ।ଗୋଲ୍ଡ ମେଡାଲ ଲିପ୍ସାର ଏହିପ୍ରକାରର ଚାଲିଚଳନ ତାଙ୍କ ମା ଅନସୂୟାଙ୍କୁ ବେଶୀ ଭଲ ଲାଗେନି। କାରଣ ସେ ଘରେ କିଛି ବି କାମ କରେନି। ଏପରିକି ନିଜର ବ୍ୟକ୍ତିଗତ ଲୁଗାପଟା ଓ ବ୍ୟବହାର୍ଯ୍ୟ ଜିନିଷ ସଜାଡି ରଖିବା ପାଇଁ ସେ ଅନ୍ଯ ଉପରେ ନିର୍ଭର କରେ। ତେଣୁ ଲିପ୍ସାର ମମି ସବୁବେଳେ ତାକୁ ତାଗିଦା କରୁଥାଆନ୍ତି। ଲିପ୍ସାକୁ ସମସ୍ତଙ୍କ ସହ ମିଳିମିଶି ଚଳିବା, ଘରର କାମ ଶିଖି ଆତ୍ମନିର୍ଭରଶୀଳ ହେବା ଏସବୁ ବିଷୟରେ ଶିଖାନ୍ତି। ସମସ୍ତଙ୍କର ସୁବିଧା ଅସୁବିଧାରେ ସାଥୀ ହେବା ବୁଢାବୁଢି ମାନଙ୍କୁ ସମ୍ମାନ ଦେଇ ଦରକାର ସମୟରେ ତାଙ୍କୁ ସାହାଯ୍ୟ କରିବା ଇତ୍ୟାଦି ଶିଖେଇ ଥାଆନ୍ତି। ସେ କିନ୍ତୁ ତାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ। ଅନସୂୟା ଲିପ୍ସାକୁ କିଛି ବି କହିଲେ , ତା ଡାଡି କହନ୍ତି "କାହିଁକି ପିଲାଟା ସାଙ୍ଗେ ଲାଗୁଛ , ହାତରେ ପଡ଼ିଲେ ବଜେଇ ଶିଖିବନି"

"ହଉ ହଉ ଝିଅକୁ କେତେ ମୁଣ୍ଡରେ ବସଉଛ, ଶାଶୁ ଘରକୁ ଗଲେ କେମିତି ଚଳିବ"

"ମୁଁ କାହିଁକି ଶାଶୁଘରକୁ ଯିବି" ଚିଡି ଉଠି କହେ ଲିପ୍ସା।


ନିଜ ଝିଅର ଭବିଷ୍ୟତ ପାଇଁ ଚିନ୍ତିତ ହେଇପଡନ୍ତି, ଅନସୂୟା। କେମିତି କୋଉଠି ଚଳିବ। ଚାକିରି କଲେଵିତ ନିଜେ ଏକା ଏକା କୋଉଠି ରହିବ ନା। ଆଉ ଏକା ସବୁ କାମ କରିବାକୁ ପଡିବ। ବାହାହେଲେତ ଆଉ ଏକ ପରିବାର ସହ ମିଶିକି ରହିବାକୁ ପଡିବ। କିଛି ନହେଲେ ସ୍ବାମୀ ସହ ତ ରହିବ, ପୁଣି ଆଗକୁ ପିଲାଛୁଆଙ୍କ ଯତ୍ନ ଏହିପରି ଅନେକ ଦାୟିତ୍ବ ରହିବ। କେମିତି ତାକୁ ସବୁ ତୁଲେଇବ, ସେଇ ଚିନ୍ତାରେ ଘାରି ହେଉଥାନ୍ତି ସେ। ତେଣୁ ସେ ସବୁବେଳେ କିଛିନା କିଛି ପରାମର୍ଶ ଦେଇଥାଆନ୍ତି ମା ହିସାବରେ । ମା'ର ଭଲପାଇବା ତାର ଆକଟ ଭିତରେ ବି ଲୁଚି ରହିଥାଏ।


ସୋସିଲୋଜିରେ ସ୍ନାତକୋତ୍ତର ପରେ ଏମଫିଲ୍ ରେ ନାଁ ଲେଖେଇଲା ଲିପ୍ସା। ବେଶୀ ତ କ୍ଲାସ୍ ହେଉନଥାଏ, କିନ୍ତୁ ଡିସର୍ଟେସନ୍ ପାଇଁ କଣ ବିଷୟବସ୍ତୁ ନେବ ସେ ନେଇ ଦ୍ବନ୍ଦରେ ଥାଏ ସେ। ଗାଇଡ୍ ଓ ଅନ୍ୟାନ୍ୟ ପ୍ରଫେସର୍ ମାନଙ୍କ ପରାମର୍ଶ ନିଏ। ଆଉ ସିନିୟର୍ ଓ ସାଙ୍ଗମାନଙ୍କୁ ବିଭିନ୍ନ ବିଷୟରେ ପଚାରୁଥାଏ ସେ । ଲାଇବ୍ରେରୀ ଯାଇ ବହି ପଢିବା ଛଡ଼ା ପୂରୁଣା ଥେସିସ୍ ଖୋଜି ଦେଖୁବା ଥାଏ ତାର ମୂଖ୍ୟ କାମ। ଗୋଟିଏ ଥେସିସ୍ ତାକୁ ବହୁତ ଭଲ ଲାଗିଲା, ଖାଲି ବିଷୟବସ୍ତୁ ନୁହେଁ, ଗବେଷଣାର ଆବଶ୍ୟକତା ପଛରେ ଯୁକ୍ତି ଓ ସଂଗୃହିତ ସୂଚନା ଆଉ ତଥ୍ୟର ସଠିକ୍ ବିଶ୍ଳେଷଣ ବହୁତ ଭଲ ଲାଗିଲା। ଇନ୍ଟରପ୍ରିଟେସନ୍ ଓ ଭାଷା ମଧ୍ୟ ଖୁବ୍ ଭଲ। ଔପଚାରିକତାକୁ ଛାଡି ଏହାର ଆମୂଳଚୁଳ ପଢିଗଲା । ତାପରେ ପ୍ରବଳ ଆଗ୍ରହ ହେଲା କିଏ ଏ ଡିସର୍ଟେସନ୍ ର ସ୍ରଷ୍ଟା, ଜାଣିବାକୁ। ଦେଖିଲା ଲେଖା ହେଇଛି ନାଁ ନିର୍ଲ୍ଲିପ୍ତ ପଟ୍ଟନାୟକ। ଆଉ ଗାଇଡ୍ ଥିଲେ ସୋସିଓଲୋଜି ଡିପାର୍ଟମେଣ୍ଟର ବର୍ତ୍ତମାନ ର ଏଚ୍. ଓ. ଡି. । ଗବେଷଣାତ୍ମକ ପୁରା ରଚନାଟି ତାକୁ ବହୁତ ପ୍ରଭାବିତ କରିଥିଲା। ଜାତିଆଣଭେଦକୁ ନେଇ ଦୁଇଟି ଗାଁ ର ଉଦାହରଣକୁ ଚମତ୍କାର ଭାବରେ ପରିବେଷଣ କରାଯାଇଛି ସେଥିରେ। ପରଦିନ ଲିପ୍ସା ନିଜ ଗାଇଡ୍ ଙ୍କ ସହ ଏ ବିଷୟରେ କଥା ହେଇ ଏଚ୍. ଓ. ଡି.ଙ୍କ ସହ କଥା ହେଇ ଟିକେ ଅଧିକ ଜାଣିବାକୁ ତାଙ୍କ ରୁମ୍ କୁ ଗଲା। ସେ ଭଲ ପଢେ ବୋଲି ଏଚ୍. ଓ. ଡି ତାକୁ ସ୍ନେହ କରନ୍ତି। ବସ ବୋଲି କହି ଆସିବାର କାରଣ ପଚାରିଲେ। ଲିପ୍ସାର ଏ ସମ୍ପର୍କରେ ଥିବା କିଛି ପ୍ରଶ୍ନକୁ ଶୁଣି ତାର ସନ୍ଦେହ ମୋଚନ କଲେ। ତାପରେ କହିଲେ ନିର୍ଲ୍ଲିପ୍ତ ଜଣେ ବ୍ରାଇଟ୍ ଚାପ୍ । ଆମ ଡିପାର୍ଟମେଣ୍ଟର ରେକର୍ଡ ହୋଲ୍ଡର। କିନ୍ତୁ ସେ ଗାଁ ରେ ଯାଇ ପୁରା ରହିକି ଏ କାମପାଇଁ ଡାଟା ଓ ସୂଚନା ଆଣିଥିଲା। ଏଠି ଅଳ୍ପଦିନ ସେ ରିସର୍ଚ୍ଚ ଆସୋସିଏସଟ୍ ବି ଥିଲା, ଆରବର୍ଷ ଆଇ ଏ ଏସ୍ ପାଇଛି। ତେଣୁ ତୁମକୁ ବି ସେହିପରି ପରିଶ୍ରମ କରିବାକୁ ପଡିବ। ଗାଁ କୁ ଯାଇ ଡାଟା ଓ ସୂଚନା ସଂଗ୍ରହ କରିବ। ଗାଁ ରେ ଯାଇ ଏଇ ସୂଚନା ସଂଗ୍ରହ କାମଟା ଟିକେ ଅସୁବିଧା ଥିଲେବି, ଭଲ ଥେସିସ୍ ଟିଏ ଲେଖିବା ସ୍ବପ୍ନରେ ଲିପ୍ସା ମନେ ମନେ ସ୍ଥିର କଲା ଏଇ ଥେସିସ୍ ର ବିଷୟବସ୍ତୁରେ ଉଲ୍ଲିଖିତ ସମସ୍ୟାର ମହିଳାଙ୍କ ଦିଗକୁ ନେଇ ସେ ତାର ଡିସର୍ଟେସନ କରିବ। ଏ ବିଷୟରେ ସେ ତା ଗାଇଡ୍ ଙ୍କୁ ଜଣେଇ ଦେଲା। ୟା ଭିତରେ ଏମ୍ ଫିଲ୍ କ୍ଲାସ ଆରମ୍ଭ ହେଇଗଲା ।


ଆଜିକାଲି ବନ୍ଧୁବାନ୍ଧବ କଥାବାର୍ତ୍ତାରେ କେତେବେଳେ କେମିତି ଲିପ୍ସାର ବାହାଘର କରିବା ବିଷୟରେ ପଚାରିବା ଆରମ୍ଭ କଲେଣି। ଲିପ୍ସାର ବାପା ରମାକାନ୍ତ ବାବୁ ଏସବୁ କଥାକୁ ଏଡେଇ ଦେଉଥିଲେ ମଧ୍ୟ ଅନସୂୟାଙ୍କ ଦେହରେ ଲାଗେ। ସେ ବି ଭାବିଲେଣି ବାହାଘର ପାଇଁ ପ୍ରସ୍ତାବ ଦେଖିବା ଉଚିତ୍। କିନ୍ତୁ ଲିପ୍ସା ଚିଡିବ ବୋଲି କିଛି କହୁନଥାନ୍ତି। ତାଙ୍କ ଶାଶୁ ମଧ୍ଯ ଏଇଠି ରୁହନ୍ତି ଆଉ ସେ ବି ଏବିଷୟରେ କଥା ଉଠେଇଲେଣି। କିଏ କିଏ ଗୋଟେ ଦିଟା ପ୍ରସ୍ତାବ ବି ପଠେଇଲେଣି। ରମାକାନ୍ତ ବାବୁ ତାଙ୍କ ମା'ଙ୍କୁ ବହୁତ ଭଲ ପାଆନ୍ତି ଓ ମାନନ୍ତି। ଲିପ୍ସାର ଜେଜେମା ପୁରୁଣାକାଳିଆ ଲୋକ, ଆଜିକାଲିକା ପିଲାଙ୍କର ଏପରି ବେଶପୋଷାକ ଢଙ୍ଗରଙ୍ଗ ତାଙ୍କୁ ଭଲଲାଗେନି। ତାଙ୍କ ହିସାବରେ ଝିଅର ବାହାଘର ବୟସ ଗଡିଗଲାଣି। ହେଲେ ପୁଅତ କିଛି ବୁଝୁନି କି ଶୁଣୁନି।  

 

 ଲିପ୍ସାର କ୍ଲାସ ଚାଲିଥାଏ ସେହି ଥେସିସ୍ ଟି ତାର ରେଫରେନ୍ସ ବହି ହିସାବରେ ନେଇଥାଏ। ଗୋଟେ ଦିଟା ସ୍ଥାନରେ ଲିପ୍ସାର କିଛି ସନ୍ଦେହ ରହିଥାଏ, ଯେଉଁ ଟା କି ସେ ଏଚ୍. ଓ. ଡିଙ୍କ ଠୁ ବୁଝିବ ବୋଲି ଅପେକ୍ଷା କରିଥାଏ। କିଛି କାମରେ ସେ ବାହାରକୁ ଯାଇଥାଆନ୍ତି ଏଚ୍. ଓ. ଡି । କ୍ଲାସ ସହିତ ଲାଇବ୍ରେରୀ ଯାଇ ବହି ପଢିବାରେ, ତାର ବେଶୀ ସମୟ ଯାଏ। ସିନପସିସ୍ ଲେଖିବା ଓ କଣ କଣ ଚାପଟର ରହିବ, ସେଇଟା ନେଇ ବ୍ୟସ୍ତ ଥାଏ ଲିପ୍ସା। 


ସେଦିନ ସେମିନାର ହେବାକୁଥାଏ। ପିଜି ଶେଷ ବର୍ଷ ଛାତ୍ରଛାତ୍ରୀ ମାନେ ଆୟୋଜନ କରୁଥାଆନ୍ତି। ଜଣଙ୍କୁ ଗେଷ୍ଟ ଲେକ୍ଚରର ଭାବରେ ଡକା ହେଇଥାଏ। ସେମିନାର ବିଷୟବସ୍ତୁ ସମ୍ପର୍କରେ ପ୍ରାଥମିକ ସୂଚନା ଦେବା ଦାୟିତ୍ବ ଥାଏ ତାର । ଏହି ସମୟରେ ପିଅନ୍ ଆସି କହିଲା ଏଚ୍. ଓ. ଡି ତାକୁ ଡାକୁଛନ୍ତି। ତାଙ୍କ ରୁମ୍ କୁ ଯାଇ ସେ ଆଇ କମ୍ ଇନ୍ ସାର କହୁ କହୁ ସେ କହିଲେ, "ଆରେ ପଚାରୁଛି କଣ , ଆସ ଆସ। ବସ " ତାପରେ ତା ପାଖ ଚେୟାରରେ ବସିଥିବା ଭଦ୍ରବ୍ୟକ୍ତିଙ୍କୁ ଚିହ୍ନେଇ କହିଲେ "ଇଏ ହେଉଛନ୍ତି ନିର୍ଲିପ୍ତ, ଆଜିର ଗେଷ୍ଟ ଲେକ୍ଚରର"। ଆଶ୍ଚର୍ଯ୍ୟ ହେଇ ଚାହିଁଲା ଲିପ୍ସା। ଯାହାର ଥେସିସକୁ ମୂଳ ରେଫରେନ୍ସ ଭାବରେ ନେଇ ନିଜ ଡିସର୍ଟେସନ କରିବାକୁ ଚାହୁଁଥିଲା, ସେ ତା ସମ୍ମୁଖରେ!! ସୌମ୍ୟ ଦର୍ଶନ ଯୁବକ, ଖୁବ୍ ସାଧାରଣ ପୋଷାକ, ମାର୍ଜିତ ଋଚିସମ୍ପନ୍ନ ବ୍ୟକ୍ତିତ୍ଵ। ସଂକ୍ଷେପରେ ସାର୍ ନମସ୍କାର କହି ସନ୍ତର୍ପଣରେ ବସିଲା ଲିପ୍ସା। ଅସ୍ତିସୂଚକ ମୁଖଭଙ୍ଗୀରେ ନମସ୍କାର ଗ୍ରହଣ କଲେ ସେ।ସାର୍ ପୁଣି କହିଲେ "ମିଟ୍ ଆଓ୍ବାର ବଡିଙ୍ଗ ସ୍କଲାର୍ ଲିପ୍ସା ଦାସ। ଆଉ ଜାଣିଛ ,ନିର୍ଲିପ୍ତ ଲିପ୍ସା ତମର ଥେସିସ୍ କୁ ରେଫରେନ୍ସ ଭାବରେ ନେଇ ନିଜ ଡିସର୍ଟେସନ କରୁଛି" ନିର୍ଲିପ୍ତଙ୍କ ମୁହଁ ରେ ଆଚ୍ଛା ଶବ୍ଦ ସହିତ ସ୍ମିତ ହାସ୍ୟ"। ତାପରେ ନିଜର ବଡ଼ କ୍ଯାସିଓ ହାତଘଣ୍ଟାକୁ ଚାହିଁ କହିଲେ ସାର୍ , ଆମର ଡେରି ହେଉନିତ ? ଲିପ୍ସାର ଅନେକ କିଛି ପଚାରିବାକୁ ଥିଲେ ମଧ୍ୟ ପାଟି ଖୋଲିପାରି ନଥିଲା ସେଦିନ। ସେମାନେ ଉଠିଲେ। ସେମିନାର ହଲକୁ ବାଟ କଢ଼େଇ ନେଲେ ତାଙ୍କୁ। ପଛେ ପଛେ ଏଚ୍. ଓ. ଡି ଆଉ ଅନ୍ଯ ସମସ୍ତେ। ସ୍ବାଗତ ଓ ପରିଚୟ ପର୍ବ ପରେ ଥିଲା ଲିପ୍ସାର ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ। ପରେ ପରେ ନିର୍ଲିପ୍ତଙ୍କ ଅଭିଭାଷଣ । ସମସ୍ତ ଛାତ୍ର ଛାତ୍ରୀ, ଦର୍ଶକ ନିରବରେ ଶୁଣୁଥୁଲେ ସେ ଚମତ୍କାର ଭାଷଣ। ସତେ ଯେମିତି ପିଇଯାଉଥିଲେ ସମସ୍ତେ । ସେମିନାର ସରିବା ପରେ ସମସ୍ତେ ବାଟେଇବାକୁ ଗଲେ ଗେଷ୍ଟଙ୍କୁ। ଗାଡ଼ିରେ ବସିଲା ସମୟରେ ଲିପ୍ସାକୁ ଚାହିଁ ନିର୍ଲିପ୍ତ କହିଲେ କ୍ଯାରି ଅନ୍ ମ୍ଯାଡାମ୍।

ସେଦିନ ଶାଢ଼ୀ ପିନ୍ଧି ଭାରତୀୟ ପୋଷାକରେ ଅପରୂପ ଦିଶୁଥିଲା ଲିପ୍ସା। ମ୍ଯାଡାମ୍ କି ବଢିଆ ଥିଲା ଆପଣଙ୍କ ବିଷୟବସ୍ତୁ ଇନ୍ଟ୍ରୋଡୋକସନ୍। ଅପା କି ସୁନ୍ଦର ଦିଶୁଥିଲ ତୁମେ। ତୁତ ବଢିଆ କହୁ। ତାର ସାଙ୍ଗ ଓ ଜୁନିଅର ଛାତ୍ରୀ ମାନଙ୍କର କମ୍ପ୍ଲିମେଣ୍ଟରେ ଉତଫୁଲ୍ଲିତ ହେଇଉଠୁଥିଲା ସେ। ସେଦିନ ଟିକେ ଡେରିରେ ଘରକୁ ଫେରିଥିଲା ସେ।

ଘରେ ପହଞ୍ଚି ଦେଖିଲା ଜେଜେମାଙ୍କ ଦେହ ଖରାପ୍। ପାରାଲିସିସ୍ ଆଟାକ୍ ହେଇଯାଇଛି। ବାପା ତାର ଅତ୍ଯନ୍ତ ଚିନ୍ତିତ। ବ୍ୟଗ୍ର ଭାବରେ ଫୋନ୍ କରୁଛନ୍ତି ଚାରିଆଡେ । ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନିଆଗଲା ତାଙ୍କୁ। କିଛି ଦିନ ଭିତରେ ଔଷଧ କାମ କଲା ଓ ସେ କଥା କହି ଆସ୍ତେ ହାତ ଗୋଡ ଚଳପ୍ରଚଳ କରିପାରିଲେ। ଭଗବାନ୍ ଙ୍କ ଦୟାରୁ ଗୋଟିଏ ମାସ ଭିତରେ ଅନେକାଂଶରେ ଭଲ ହେଇ ଘରକୁ ଫେରିଲେ ଜେଜେମା। ଘରକୁ ଫେରି କିନ୍ତୁ ଜେଜେମା ଙ୍କର ଏକ ନୂଆ ରୋଗ ବାହାରିଲା। ସେଟା ହେଲା ଲିପ୍ସାର ବାହାଘର ଦେଖିକି ମରିବି। ଲିପ୍ସାକୁ ଚିଡି ମାଡୁଥିଲେବି ତାଙ୍କ ଶରୀର ଅବସ୍ଥା ଦେଖି ଚୁପ୍ ରହୁଥିଲା ସେ। ଡାଡି ଯେତେ ବୁଝୋଉଥିଲେ ବି ବୁଝୁନଥିଲେ ସେ। ଅଗତ୍ୟା ମା'ର କଥାରେ ରମାକାନ୍ତ ବାବୁଙ୍କୁ ମୁଣ୍ଡ ନୁଆଇଁ ବାକୁ ପଡିଲା। ଝିଅ ପାଇଁ ବର ଖୋଜିବାକୁ ଇଚ୍ଛା କଲେ ସେ। ଅନୂସୁୟା ଖୁସି ହେଉଥିଲେ ମନେ ମନେ। ଆସିଥିବା କେତୋଟି ପ୍ରସ୍ତାବ ଭିତରୁ ଗୋଟିଏ ଖୁବ୍ ଭଲ ଥିଲା, ସମସ୍ତଙ୍କ ମନକୁ ପାଇଥିଲା। କିନ୍ତୁ ଟିକେ ଅସୁବିଧା ଥିଲା ସେଟା ହେଲା , ଲିପ୍ସାକୁ କିଛିଦିନ ଗାଁ ରେ ରହିବାକୁ ପଡିବ। କାରଣ ପୁଅର ପରିବାର ଗାଁ ରେ ରୁହନ୍ତି। ଝିଅକୁ ବହୁ କଷ୍ଟରେ ବୁଝେଇ ଥିଲେ ସେ। ଲିପ୍ସାର ଏକାଜିଦ୍ ଥିଲା ସେ ଶାଢ଼ୀ ପିନ୍ଧି କାର୍ଟୁନ୍ ହେଇ ଝିଅଦେଖାରେ ସାମିଲ ହେବନି, ଯଦିଓ ପୁଅକୁ ସେ ନିଶ୍ଚୟ ଦେଖିବ। କିନ୍ତୁ ନାଟକୀୟ ମୋଡ଼ ନେଲା ଯେତେବେଳେ ପୁଅଘର କହିଲେ ପୁଅ ଝିଅ ତ ଦେଖାଦେଖି ହେଇଛନ୍ତି , ଆପଣ ମାନେ ପୁଅକୁ ଦେଖନ୍ତୁ। ଆଉ ଝିଅକୁ ପଚାରି ତା ମତ ନେଇ ଆମକୁ କୁହନ୍ତୁ। ଆମେ ଖାଲି ଯିବୁ ଝିଅକୁ ମୁଦି ପିନ୍ଧେଇବାକୁ। ଆଶ୍ଚର୍ଯ୍ୟ ହେଲେ ରମାକାନ୍ତ ବାବୁ। ପୁଅ ଝିଅ କେବେ ଦେଖାଦେଖି ହେଇଛନ୍ତି, କିଛି ବୁଝିପାରୁନଥିଲେ। 


"ଆରେ ମା ଲିପି , ସେମାନେ କହୁଛନ୍ତି ସେ ପୁଅ ତତେ ଦେଖିଛି, ଆଉ ତୁ ବି ତାକୁ ଦେଖିଛୁ" । 

"ମୁଁ କୋଉ ପୁଅ ଫୁଅ ଦେଖିନି କି ଜାଣିନି, ଚିଡ଼ି ଚିଡି ହେଇ କହିଲା ଲିପ୍ସା। କୋଉ ପୁଅ, ତା ନାଁ କ'ଣ" 


"ନିର୍ଲ୍ଲିପ୍ତ ପଟ୍ଟନାୟକ"


ଚମକି ପଡ଼ିଲା ଲିପ୍ସା, କିଛି ଭାବିପାରୁନଥିଲା ସେ। ଅଲକ୍ଷରେ ସେ ଯାହାର ସ୍ତାବକ ହେଇଯାଇଛି, ତା ସହିତ ବାହାଘର ? ଚୁପଚାପ୍ ମୁଣ୍ଡ ଟୁଙ୍ଗାରିଲା ସେ। ପନ୍ଦର ଦିନ ଭିତରେ ବାହାଘର ହେଇଗଲା। ସହରରେ ରିସେପ୍ସନ୍ ସାରି ଗାଁ କୁ ଯିବା ସମୟ ଆସିଗଲା। ଝିଅ ବିଦା ବେଳେ ଡାଡି କହିଲେ, ମୋ ନାଁ ତଳେ ପକେଇବୁନି ମା । ବହୁତ କାନ୍ଦିଥିଲା ସେତେବେଳେ।

ଗୋଟେ ଦିନ ଶାଢ଼ୀ ପିନ୍ଧି ରହିବାଟା ବହୁତ କଷ୍ଟ ଥିଲା ତା ପକ୍ଷରେ। ଗାଁ ରେ ପହଞ୍ଚି ପ୍ରଥମେ ଦେଖିଲା ଅନେକ ଗହଳି। ବୋହୁ ଦେଖିବାକୁ ବିଶେଷ ଭିଡ଼। ରୂପ ସିନା ସୁନ୍ଦର, ଗୁଣ କେମିତି ଦେଖିବା କହି ଦୁଇ ତିନିଜଣ ସ୍ତ୍ରୀ ଲୋକ ଚାଲିଗଲେ। ଦିନ ଖାଇବା ପରେ, ତା ନଣନ୍ଦ ତାକୁ ଗୋଟେ ଘରକୁ ନେଇ କହିଲା, "ଭାଉଜ, ଟିକେ ଶୋଇପଡ଼" ହାଲିଆ ହେଇଯାଇଥିବ । କିଛି ବେଳ ନିଦ ଲାଗିଯାଇଛି ତାକୁ। କାହା ଡାକରେ ଧଡପଡ ହେଇ ଉଠି ବସିଲା।ଏମିତି ବିତିଗଲା, ସେଦିନ। ରାତି ପାହି ସକାଳ ହେଲା। ପକ୍ଷୀଙ୍କ କଳରବ ଆଉ ସକାଳ ପବନ ବେଶ୍ ଭଲ ଲାଗୁଥିଲା । ଝରକା ବାଟେ ଦେଖିଲା ଅନେକ ପ୍ରକାରର ଫଳ ଓ ଫୁଲଗଛ। ଅଦୂରରେ ପୋଖରୀ। ଭୋଜିଭାତ ସରି ଭିଡ କମିଗଲା ଚାରିପାଞ୍ଚଦିନ ଭିତରେ। ଏବେ ଘରେ ଶାଶୁ ଶ୍ୱଶୁର ନିର୍ଲିପ୍ତ ଓ ସେ। ଲିପ୍ସା ଦେଖିଲା ଶାଶୁଶଶୁର ବେଶ୍ ଭଲ ମଣିଷ। ଘରେ କାମ କରିବାକୁ ଲୋକ ବି ଅଛନ୍ତି। ଗାଁ ରେ ପତ୍ରପୋଡା , ନୂଆ ପ୍ରକାରର ଶାଗ, କଞ୍ଚା ମୁଗ ଛୁଇଁର ସ୍ବାଦ ବେଶ୍ ନିଆରା। ସନ୍ଧ୍ୟା ବେଳେ ପୋଖରୀକୂଳରେ ବସି ପାଣିରେ ଗୋଡ଼ ବୁଡ଼େଇ ମାଛ କାମୁଡ଼ା ବେଶ୍ ମଜା ଲାଗେ। ଆଉ ଗାଁ ର ଝିଅ ବୋହୁ ମାନେ ଆସି ତାକୁ ନିଇତି କୋଉଠି କି ବୁଲେଇ ନିଅନ୍ତି। ଶାଶୁ ବି କାହା କାହା ଘରକୁ ନିଅନ୍ତି। ଗାଁଆଟି ବେଶ୍ ସୁନ୍ଦର। କିଛିଦିନ ପରେ ନିର୍ଲ୍ଲିପ୍ତ ପଚାରିଲେ ତମ ଡିସର୍ଟେସନ୍ କରିବନି କି ? ହଁ କରିବି ତ କହିଲା ଲିପ୍ସା। ସେଦିନ ହରିଜନ ସାହିକୁ ନେଇଗଲେ ନିର୍ଲ୍ଲିପ୍ତ । ପ୍ରାଥମିକ ସ୍ତରରେ ଗୋଟେ ଘେରା ବୁଲି କିଛି କିଛି ବୁଝିବାକୁ ଚେଷ୍ଟା କରୁଥିଲା। ଲୋକଙ୍କ ସହିତ ମିଶିବା ପରେ ସେମାନଙ୍କ ଦୈନ୍ଯତା ଓ ସମସ୍ୟା ଦେଖିପାରୁଥିଲା। ଏବେ ସେ ଭାବିଲା ଯେତେଦିନ ସେ ସହରରେ ଥିଲା, ଗୋଟେ ମୋହଗ୍ରସ୍ତ ଜୀବନ ଜିଉଁଥିଲା। ଯେଉଁଥିରେ ପାଣି ପବନ ବେଶ୍ କୃତ୍ରିମ, ଆଉ ବାସ୍ତବତାଠୁ ଅନେକ ଦୂରରେ। ଦୁଖ କଣ ବୁଝିପାରିଲା ସେ। 

"ରୂପ ସିନା ସୁନ୍ଦର, ଗୁଣ କେମିତି" କମେଣ୍ଟକୁ ସେଦିନ ମନ ମନେ ସେ ଚ୍ୟାଲେଞ୍ଜ ଭାବେ ନେଇଥିଲା। 

ରାତି ଛଡ଼ା ଦିନସାରା ଶାଢ଼ୀ ଓ ଶଲଓ୍ବାର ସୁଟ ପିନ୍ଧିବା ବାପା ଓ ବୋଉଙ୍କ ଆଗରେ ଆଉ ଖରାପ ଲାଗୁନଥିଲା ତାକୁ। ଧୁରୁଆମା ଓ ଶାଶୁୃଙ୍କ ଠୁ ରୋଷେଇ ଶିଖୁବାଟା ବି ବେଶ୍ ମଜା ଲାଗୁଛି। ତାପରେ ଏବେ ସେ ସବୁଦିନ କୋଶ୍ଚିନେୟାର ଧରି ହରିଜନ ସାହିକୁ ବାହାରିଥାଏ। ଆଧୁନିକତାର ମନ୍ତ୍ରରେ ଦୀକ୍ଷିତ ଲିପ୍ସା ଆଜି ଆଉ ଏକ ସତ୍ୟକୁ ହୃଦୟଙ୍ଗମ କରିପାରିଛି।


  



Rate this content
Log in

Similar oriya story from Action