ରୋଜିର ସହର ବୁଲା
ରୋଜିର ସହର ବୁଲା
ଷ୍ଟଲ୍ ନମ୍ବର ୧୨ରେ ସେମିତି ବେଶୀ ଭିଡ଼ ନଥାଏ। ଏଇଠି କୋଡ଼ିଏଟି ଷ୍ଟଲ ଲାଗିଛି। ପ୍ରତିବର୍ଷ ସେମାନେ ଆସନ୍ତି ଶୀତ ପଡ଼ିବା ପୂର୍ବରୁ। ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଶୀତପୋଷାକ ବିକ୍ରି କରନ୍ତି ଭୁବନେଶ୍ଵରରେ। ଜଣେ କିମ୍ବା ଦୁଇ ତିନି ଜଣ ମିଶି ଗୋଟିଏ ଲେଖାଏଁ ଷ୍ଟଲ ନିଅନ୍ତି। ଜଣେ ଲୋକ ଷ୍ଟଲ ନେଲେ ପରିବାରର ପ୍ରାୟ ସମସ୍ତେ ଆସନ୍ତି। ଆଉ ଯଦି ଦୁଇ ତିନି ଜଣ ମିଶିକି ଖୋଲନ୍ତି, ତେବେ ପରିବାରରୁ ଜଣେ ଲେଖେଁ ଆସିଲେ ଚଳେ। ଆଗରୁ ସେମାନେ କେବଳ ହାତବୁଣା ସ୍ବେଟର, ମୋଜା, ଟୋପି, ଶାଲ୍ ଆଣୁଥିଲେ। ଅନେକ ଆଗରୁ ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ହାତବୁଣା ସ୍ବେଟର, କାର୍ଡିଗନର ଚାହିଦା ଥିଲା ଅନେକ। ଏବେ ପ୍ରାୟ ମେସିନ୍ ବୁଣା। ସେହିପରି ଜିନିଷ ରଖିବାକୁ ପଡୁଛି। ଏପରିକି ବାହାରୁ ବଡ଼ ବଡ଼ କମ୍ପାନୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଜ୍ଯାକେଟ୍ ଓ ଅନ୍ୟାନ୍ୟ ଶୀତ ପୋଷାକ ଷ୍ଟାଇଲ୍ ର ଜିନିଷ ଆଣି ରଖୁଛନ୍ତି ଗରାଖଙ୍କ ଆବଶ୍ୟକତାକୁ ଆଖିରେ ରଖି।
"ମାମା, ଏଥର ଭୁବନେଶ୍ୱର ଗଲେ ସେ ସହର ଭଲକି ବୁଲିବା। ତୁ ମତେ ଆଉ ଅଟକେଇବୁନି। ତୁ କେତେବେଳେ ବି ମତେ କୁଆଡେ ବୁଲେଇ ନଉନୁ। ଆଗରୁ ଆମେ ଯେତେଥର ଯାଉଛୁ, ଖାଲି ଦୋକାନରେ ବସିକି ଫେରିଆସୁଛୁ",କହିଲା ରୋଜି । ରୋଜିର ଏ ଅଭିଯୋଗ ଅନେକ ଦିନରୁ । ବଡ ସହରରେ ବଡ ବଡ କୋଠାବାଡ଼ି, ଦୋକାନ ବଜାର, ପାର୍କ, ମନ୍ଦିର। ଏସବୁ ବୁଲିବାକୁ ରୋଜିର ଭାରି ମନ। ସାତ ଆଠ ବର୍ଷର ଝିଅ ରୋଜି। ଗଜପତି ଜିଲ୍ଲାର ଚନ୍ଦ୍ରଗିରିର ତିବ୍ବତୀୟ ଶରଣାର୍ଥୀ ପରିବାରରେ ତାର ଜନ୍ମ। ଶୀତ ପୋଷାକ ବିକ୍ରି କରିବା ସେମାନଙ୍କ ବୃତ୍ତି। ରୋଜିର ବାପା ନାହାନ୍ତି। ତା ମା ଘର ଚଳାନ୍ତି। ବର୍ଷସାରା ମା ବୁଣାବୁଣି କରନ୍ତି। ପୁଣି ପାଖ ଗାଁ ରେ ଅନ୍ୟାନ୍ୟ କାମ କରି ନିଜର ଓ ଦୁଇଛୁଆଙ୍କର ପେଟ ପୋଷନ୍ତି। ବଡ଼ ଝିଅ କିନଲେ ଘରେ ଅଛି। ସାନଝିଅକୁ ଧରି ତାଙ୍କ ମା ପ୍ରତିବର୍ଷ ପ୍ରାୟ ଦୁଇମାସ କାଳ ଏଇ ଭୁବନେଶ୍ୱର ଆସନ୍ତି। ବଡ଼ଝିଅ ଘରେ ରହେ। କାରଣ ସେ ସ୍କୁଲକୁ ଯାଉଛି, ସପ୍ତମରେ ପାଠ ପଢେ। ଆଖପାଖରେ ତାଙ୍କର ବନ୍ଧୁ ବାନ୍ଧବ ଥିବାରୁ, ସେଠି କିନଲେର କିଛି ଅସୁବିଧା ହୁଏନାହିଁ।
ନ।ଲି, ନୀଳ, ହଳଦିଆ ରଙ୍ଗର ଶୀତପୋଷାକ ସବୁ ଟଙ୍ଗା ହେଇଥାଏ ଷ୍ଟଲ୍ ମାନଙ୍କରେ। ଏଥର ଭଲ ଶୀତ ପଡିଥିବାରୁ ଗ୍ରାହକ ମାନଙ୍କ ଭିଡ଼ ଟା ବେଶ୍ ରହୁଥିଲା। ରୋଜିର ମା ଓ ତାଙ୍କ ସହିତ ତାଙ୍କ ଗାଁରୁ ଆସିଥିବା ଆଉଜଣେ ଆଣ୍ଟି ଓ ଅଙ୍କଲ ଦିନରେ ଓ ସନ୍ଧ୍ୟା ବେଳେ ବିକ୍ରିବଟା ରେ ଲାଗିଥାଆନ୍ତି। କିଛି ଗରାଖ ବୋତାମ ଲଗାଇବା ଓ ମରାମତି କାମବି ଦେଇଥାଆନ୍ତି। ସେମାନେ ସବୁ ଚିହ୍ନା ହେଇଗଲାଣି। ସକାଳେ ଓ ଖରାବେଳେ ରୋଷେଇ ବାସ ହୁଏ। ଏମିତି କାମ କରୁ କରୁ ରୋଜି ମାଙ୍କର ସମୟ ଚାଲିଯାଉଥାଏ। ସେ ରୋଜିକୁ ନେଇ ସହର ବୁଲିବାକୁ ଯାଇପାରୁ ନଥାନ୍ତି।
ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ସେଇ ଷ୍ଟଲକୁ ଆସି ଜ୍ୟାକେଟ ଖୋଜିଲେ। ରୋଜିର ମା ତାଙ୍କୁ ସେଇ ପ୍ରକାରର ଜ୍ୟାକେଟ୍ ସବୁ ଦେଖଉଥାଆନ୍ତି। ସେ ଭଦ୍ରଲୋକ ୟା ପୂର୍ବରୁ ଦୁଇ ତିନିଥର ସେ ଦୋକାନକୁ ଆସିଛନ୍ତି। କିଛି କିଣାକିଣି କରନ୍ତି, ତେଣୁ ଟିକେ ଜଣାଶୁଣା ହେଇଯାଇଛନ୍ତି। ସବୁବେଳେ ଏକା ଆସନ୍ତି। କିଣୁ କିଣୁ ତାଙ୍କ ନଜରରେ ପଡ଼ିଲା ରୋଜିର କାନ୍ଦ। ଝିଅଟି କାନ୍ଦୁ ଥିବା ଦେଖି ପଚାରିଲେ କାହିଁକି କାନ୍ଦୁଚି ବୋଲି। ରୋଜିର ମା କହିଲେ କିଛି ନୁହେଁ । କିନ୍ତୁ ସେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଭଲକରି ପଚାରିବାରୁ ରୋଜି ବୁଲି ଯିବାକୁ ଜିଦି କରୁଛି ବୋଲି କହିଲେ। ଏଥର ତାଙ୍କ ସ୍ତ୍ରୀ କହିଲେ " ଆରେ ମା'କୁ କଣ ହଇରାଣ କରନ୍ତି"। ତାପରେ ବୁଝେଇକି କହିଲେ "ମନ କରିଛି ଯେତେବେଳେ ପିଲାଟାକୁ ଟିକେ ବୁଲେଇ ଆଣୁନ"? ରୋଜି ମା କଣ ଆଉ କହିବେ ଚୁପ୍ ରହିଲେ। ସେମାନେ ଗୋଟେ ଜ୍ୟାକେଟ୍ ପସନ୍ଦ କରି ରଖିଦେଇଗଲେ। ତାପରଦିନ ଆସିକି ନେବେ ବୋଲି। ସେମାନେ ଗଲାପରେ ଝିଅକୁ ଗାଳିଦେଇ କହିଲେ " ଏମିତି ସମସ୍ତଙ୍କ ଆଗରେ କାନ୍ଦିଲେ ଲୋକ କଣ ଭାବିବେ"।
ସେତେବେଳେ ମା କଥାରେ ରୋଜି ଚୁପ୍ ହେଇଗଲା। କିନ୍ତୁ ତା ମନ ଲାଗିଥାଏ। ତାପରଦିନ ସେ ସ୍ବାମୀ ସ୍ତ୍ରୀ ଉଭୟ ଆସିଲେ ଆଉ ପସନ୍ଦ କରିଥିବା ଜ୍ୟାକେଟ୍ କୁ ପ୍ଯାକ୍ କରିବାକୁ କହି ଝିଅ କ'ଣ କରୁଛି ପଚାରିଲେ। ରୋଜିତ ସେଠି ମୁହଁ ଶୁଖେଇ ତଳକୁ ମୁଣ୍ଡପୋତି ବସିଥିଲା।
"ଝିଅରେ ବୁଲିଯିବୁ ? ଚାଲୁନ ତମ ଦିଜଣଙ୍କୁ ବୁଲେଇ ଆଣିବୁ।" ଆଗନ୍ତୁକ ଦିଜଣ କହିଲେ।
"ଏବେ ତ ବିକ୍ରିବଟା ବେଳ ମୁଁ କେମିତି ଛାଡିକି ଯାଇପାରିବି"
ରୋଜି ଜିଦିକରି କହିଲା "ମୁଁ ଯିବି ମୁଁ ଯିବି।"
ଅଗତ୍ୟା ଠିକଣା ହେଲା ରୋଜି ସେ ଅଙ୍କଲ୍ ଆଣ୍ଟିଙ୍କ ସହିତ ବଜାର ବୁଲିଯିବ। ସନ୍ଧ୍ୟା ରତ ରତ, ସେମାନେ ଗୋଟେ ଅଟୋରେ ସହୀଦ ନଗର ରୁ ଜନପଥ ଦେଇକି ଯାଉଥାନ୍ତି। ରୋଜିର ମନ ଖୁସୀରେ ଉଡୁଥାଏ। ସହରର ଚାକଚକ୍ଯ, ବଡ଼ ବଡ଼ କୋଠା, ଗାଡି ମଟର ଆଦି ଦେଖି ସେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଥାଏ। କିଛି ସମୟ ପରେ ସେ ବ୍ୟକ୍ତି ଜଣଙ୍କ ଅଟୋବାଲାକୁ କହିଲେ ବରମୁଣ୍ଡା ବସ୍ ଷ୍ଟାଣ ଯିବା।
ଅଙ୍କଲ୍ ବସ୍ ଷ୍ଟାଣ କାହିଁକି ଯିବା ବଜାର ବୁଲି ଯିବାନିକି ?
ହଁ ହଁ ଯିବା
କିଛି ସମୟ ମଧ୍ଯରେ ଅଟୋକୁ ଅଟକେଇବାକୁ କହିଲେ ସେ ବ୍ୟକ୍ତି। ଗୋଟେ ମଲ୍ ପାଖରେ ଅଟୋ ଅଟକିଲା।
ବାବାରେ କେଡେ ବଡ କୋଠା । କେତେ ଫଟ ମରାହେଇଛି ଦୋକାନ ସାମ୍ନାରେ। ଝଲମଲ୍ ଆଲୁଅ, ଭଳିକି ଭଳି ନୂଆ ନୂଆ ଜିନିଷ ସଜାହେଇ ରଖାଯାଇଛି। ରୋଜି ଅନେଇକି ରହିଥାଏ,ବଡ଼ ବଡ଼ ଆଖିକରି। ସୁନ୍ଦର ସୁନ୍ଦର ଫ୍ରକ୍, ଡଲ୍, ଗହଣା ସବୁ ସୋକେଶ୍ ରେ ରହିଛି। ରୋଜିର ମନ ହେଉଥାଏ କିଛି କିଣିବ ବୋଲି, ହେଲେ ତାର ମାମା ତ ନାହିଁ। ଗୋଟିଏ ଟେଡ଼ି ବିୟର ତାକୁ ବହୁତ ଭଲ ଲାଗୁଥିଲା। କିନ୍ତୁ କାହାକୁ କହିବ କିଣିଦେବାକୁ। ଏତେବେଳେ ପରେ ତାର ମାମା କଥା ମନେ ପଡ଼ିଲା। ମାମା ଥିଲେ କିଣିଦେଇ ଥାଆନ୍ତା।
ସେ ଆଣ୍ଟି ତା ହାତ ଧରିଥାଆନ୍ତି, ଆଉ ଅଙ୍କଲ୍ ଟିକେ ଦୂରରେ ଫୋନ୍ କରୁଥାଆନ୍ତି।
"ବର୍ତ୍ତମାନ ପାଇଁ ଗୋଟେ ଝିଅ ପିଲା ମିଳିଲା। ଆଉଜଣଙ୍କ ପାଇଁ ଚେଷ୍ଟା କରୁଛୁ। " ରୋଜି କାନରେ ଏକଥା ପଡ଼ିଗଲା।
ଅଙ୍କଲ ଆସି କହିଲେ "କଲିକତାକୁ ତିନୋଟି ବସ୍ ଟିକଟ୍ ମିଳିଗଲା।" ଶୀଘ୍ର ଶୀଘ୍ର ଏଠୁ ବାହାରି ପଡ ହୋଟେଲ୍ ରେ ଖାଇ ବରମୁଣ୍ଡା ବସଷ୍ଟାଣ୍ଡ ଯିବା।" ଏସବୁ ଶୁଣି ରୋଜିର ଟିକେ ସନ୍ଦେହ ହେଲା। ଛୋଟପିଲା ଟିଏ ହେଲେବି କିଛିଟା ବୁଦ୍ଧି ତାର ଥାଏ। ସେ ଡରିଗଲା।
ସେମାନେ କଥାବାର୍ତ୍ତା ହେବା ସମୟରେ ରୋଜି ଆସ୍ତେକରି ଆଣ୍ଟିଙ୍କ ହାତରୁ ନିଜହାତ ଖସେଇ ଆଣିଲା ଏବଂ ଟିକେ ଦୂରକୁ ଚାଲିଗଲା।
ରୋଜି, ରୋଜି ତାକୁ ସେମାନଙ୍କ ଡାକ ଶୁଭୁଥିଲା । ସେ ଆଉଟିକେ ଦୂରକୁ ଯାଇ ଗୋଲେଇ ଷ୍ଟାଣ୍ଡରେ ଟଙ୍ଗା ହେଇଥିବା ପୋଷାକ ଭିତରେ ଲୁଚିଗଲା। କିଛି ସମୟ ପରେ ତା ନାଁ ଡକାଗଲା ମାଇକ୍ ରେ। ରୋଜି କିନ୍ତୁ ସେମିତି ଚୁପ୍ ହେଇ ବସିଥାଏ।
ଆସ୍ତେ ଆସ୍ତେ ସେ ମଲରୁ ଲୋକ ଗହଳି କମିଆସିଲା। ତା ନାଁକୁ ବି କେହି ଆଉ ଡାକୁ ନଥିଲେ। ଦୋକାନ ବନ୍ଦ ହେବାକୁ ବସିଲା ବୋଧେ। ଲାଇଟ୍ ସବୁ ଲିଭିଗଲା । ରୋଜି ଲୁଚିବା ସ୍ଥାନରୁ ବାହାରି ଆସିଲା ଗୋଟେ ଦିଟା ଏମରଜେନ୍ସି ଲାଇଟ୍ ରେ ଅଳ୍ପ ଅଳ୍ପ ଯାହା ଦିଶୁଥାଏ। ଭୟରେ ରୋଜି ଠକ୍ ଠକ୍ ଥରୁଥାଏ। କିନ୍ତୁ ବାହାରକୁ ବାହାରିଲେ କାଳେ ସେମାନେ ପୁଣି ଧରି ନେବେ ଏଇ ଆଶଙ୍କା ରେ ଦୋକାନ ବାହାରକୁ ଗଲାନାହିଁ। ଆଖିରୁ ଧାର ଧାର ଲୁହ ବୋହିଯାଉ ଥାଏ। କାଳେ କିଏ ଶୁଣିବ ବୋଲି ଯୋରରେ କାନ୍ଦୁ ନଥାଏ। ଦରାଣ୍ଡି ଦରାଣ୍ଡି କିଛିଦୂରରେ ପଡ଼ିଥିବା ଏକ ସୋଫା ଉପରେ ଚୁପଚାପ୍ ଯାଇ ବସିଲା। ଭୋକ ଓ ଶୋଷରେ ତାକୁ କେତେବେଳେ ନିଦ ହେଇଯାଇଛି, ସେ ଜାଣିପାରିନି।
ଆରେ ଏଠି କ'ଣ ପିଲାଟିଏ ଶୋଇଛି। ମଲ୍ ଝାଡ଼ୁ କରିବା ସ୍ତ୍ରୀ ଲୋକମାନେ ଦେଖି କହିବାକୁ ଲାଗିଲେ। ସେମାନଙ୍କ ପାଟିଶୁଣି ଆଉକିଛି କର୍ମଚାରୀ ସେଠି ପହଞ୍ଚିଗଲେ। ରୋଜିର ନିଦ ବି ଭାଙ୍ଗିଗଲାଣି। ସମସ୍ତେ ତାର ପରିଚୟ ପଚାରୁ ଥାଆନ୍ତି। ସେ ଭୟରେ କାନ୍ଦୁଥାଏ , ଆଉ କିଛି କହିପାରୁ ନଥାଏ। ରାତି ଜଗୁଆଳି ମଲ୍ ର ମ୍ୟାନେଜର ଙ୍କୁ ଫୋନ୍ କରି ଖବର ଦେଲେ। ସେ ଆସି ପହଞ୍ଚିବା ପରେ ରୋଜିକୁ ଦେଖି ଅନୁମାନ କଲେ , ଗତକାଲି ହଜିଯାଇଥିବା ଝିଅଟି ବୋଧେ ଏଇ। ଝିଅଟିର ଅବସ୍ଥା ଦେଖି ସେ ତାକୁ ତୁରନ୍ତ ଓ୍ବାସରୁମକୁ ପଠେଇଦେଇ ଖାଦ୍ଯପେୟର ବ୍ୟବସ୍ଥା କଲେ। କାଲି ଯେଉଁ ବ୍ୟକ୍ତି ଝିଅକୁ ଖୋଜୁଥିଲେ, ସେ ନମ୍ବର ରେ ଫୋନ୍ ଲଗାଇବାରୁ ବାରମ୍ବାର 'ଏହି ନମ୍ବର କାହାରିକୁ ଦିଆଯାଇନାହିଁ ' କହୁଥାଏ। ତେଣୁ ଚାଇଲ୍ଡ ଲାଇନରେ ଖବର ଦେବା ଠିକ୍ ହେବ ଭାବିଲେ ମଲର ମ୍ୟାନେଜର। ରୋଜିକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ପରେ ପୋଲିସ୍ ତାର ପ୍ରକୃତ ବାପା ମା କିଏ ଖୋଜିବା ପାଇଁ ତତ୍ପର ହେଲେ। ଅଳ୍ପ କେଇଘଣ୍ଟା ଭିତରେ ରୋଜିକୁ ତାର ମାଙ୍କ ଜିମା କରିଦିଆଗଲା। କିନ୍ତୁ ବର୍ତ୍ତମାନ ମୂଖ୍ୟ ଥିଲା କେଉଁମାନେ ରୋଜିକୁ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ ତାହା ଜାଣିବା।
ରୋଜି ମାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ୍ ଏହାର ତଦନ୍ତ କରିବାକୁ ଆରମ୍ଭ କଲେ। ତା ମା'ଙ୍କ ପାଖରେ ପହଞ୍ଚିବା ପରେ ରୋଜିର ଭୟ କମି ଯାଇଥିଲା। ଦିନେ ଦୁଇଦିନ ଭିତରେ ସେ ପ୍ରକୃତିସ୍ଥ ହେଇଗଲା। ତେଣୁ ସେ ପୋଲିସ୍ କୁ ସବିସ୍ତାର ବିବରଣୀ ଦେଇପାରିଲା। ପୋଲିସ ସେ ମଲରୁ ସିସି ଟିଭି କ୍ୟାମେରା ଫୁଟେଜ ରୁ ରୋଜିକୁ ନେଇଥିବା ପୁରୁଷ ଓ ମହିଳାଙ୍କ ଫଟ ପାଇ ପାରିଲେ। ରୋଜି ଓ ତା ମା ଉଭୟ ସେମାନଙ୍କ ଫଟକୁ ଚିହ୍ନଟ କଲେ। ରୋଜିର ବୟାନ୍ ଅନୁଯାୟୀ,କଲିକତା ଓ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନ ମାନଙ୍କୁ ପୋଲିସ୍ ଏ ଦୁଇଜଣଙ୍କ ଫଟ ପଠେଇଦେଲେ। ଆସ୍ତେ ଆସ୍ତେ ଏହାର ପର୍ଦ୍ଦାଫାଶ ହେବାକୁ ଆରମ୍ଭ କଲା। ପ୍ରାୟ ଦୁଇ ସପ୍ତାହ ଭିତରେ ଏକ ବିରାଟ ଆନ୍ତଃରାଜ୍ୟ ଶିଶୁ ଓ ମାନବ ଚାଲାଣ ରାକେଟ୍ ଧରାପଡିଲା। ଯୋଜନାବଦ୍ଧ ଭାବରେ ଏମାନେ ଅସହାୟ ଓ ଅସୁବିଧାରେ ଥିବା ଛୁଆ, ମହିଳା ଓ ଲୋକମାନଙ୍କୁ ଠାବ କରି ସେମାନଙ୍କୁ ବିକ୍ରି କରିଦେଉଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଜବରଦସ୍ତି ଅସାମାଜିକ ଓ ଅନୈତିକ କାର୍ଯ୍ୟରେ ଲଗାଯାଉଥିଲା।
ନିଷ୍କପଟ ରୋଜିର ଏହି ଛୋଟ ପଦକ୍ଷେପ ଏକ ମସ୍ତବଡ କ୍ରିମିନାଲ ଦଳକୁ ଧରାପକାଇବାରେ ସାହାଯ୍ୟ କଲା। ସହରର ସମସ୍ତ ଟିଭି ଚ୍ୟାନେଲ ଓ ସମ୍ବାଦ ପତ୍ରରେ ଏ ଖବର ପ୍ରକାଶିତ ଓ ପ୍ରସାରିତ ହେଲା। ରୋଜିର ସାକ୍ଷାତକାର ସହ ଏ ସମ୍ବାଦ ପ୍ରସାରଣ ସମସ୍ତଙ୍କ ପାଇଁ ଏକ ଆଲୋଚ୍ୟର ବିଷୟ ଥିଲା। ଆଉ ରୋଜି ରାତାରାତି ଏକ ସାହାସୀ ଓ ବୁଦ୍ଧିମତୀ ବାଳିକା ହିସାବରେ ଗଣ୍ୟ ହେଇଗଲା। ସେ ହେଇଗଲା ଏକରକମ ଜଣେ ଷ୍ଟାର।
