STORYMIRROR

Sudeshna Misra

Action Others

4  

Sudeshna Misra

Action Others

ବର୍ଷା ରେ ଆଶା

ବର୍ଷା ରେ ଆଶା

3 mins
42

ଆକାଶରେ ମେଘଭର୍ତ୍ତି ବାଦଲ। ନିଶ୍ଚୟ ବର୍ଷା ହେବ ଆଜି। ମୋ ପାଖରେ ଛତା ନଥିଲା, ତେଣୁ ବିନା ଛତାରେ ମୁଁ ବାହାରକୁ ବାହାରି ପଡ଼ିଲି। ଦି ଦିନ ତଳେ ମୁଁ ବସ୍ ଷ୍ଟାଣ୍ଡରୁ ଫେରିବା ସମୟରେ ଦେଖିଲି ଗଉରା ବର୍ଷାରେ ଓଦା ହେଇ ଆସୁଥିଲା। ପିଲାଟା ଓଦା ହେଉଛି ଦେଖି, ମୋ ଛତା ତଳକୁ ତାକୁ ଡାକିଲି। ସେ ବି ଖୁସୀରେ ଆସି ମୋ ସହିତ ଗପି ଗପି ଚାଲିଲା। ଆମ ଘର ଆଗ ପଡେ, ତାପରେ ଗୋଟେ ଗୋହିରି ଟପିଲେ ଗଉରା ଘର। ଆମଘର ଗାଁ ଚଷା ସାହିର ଶେଷ ଘର। ଅନେକ ବର୍ଷ ତଳେ ଆମଘରଟା ହିଁ ଗାଁ ର ଶେଷ ଘର ଥିଲା। ପ୍ରାୟ ପଚାଶ ବର୍ଷ ତଳେ ଦୁଇଟି ବାଉରୀ ପରିବାର ଆସି ଗାଁର ଗୋଚର ଯାଗାରେ ରହିଲେ। କିଛି ବର୍ଷ ପରେ ଗୋଟିକ ପରେ ଗୋଟିଏ ଲୋକ ଯୋଡ଼ି ହେଲେ। ସେମାନଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢିକି ଏବେ ପଚାଶରେ ପହଞ୍ଚିଲାଣି।ଏଇ କଥାଟି ମୁଁ ବାପାଙ୍କ ଠୁ ଶୁଣିଥିଲି। 


 ହଁ, ଏ ଗଉରା ପ୍ରକୃତରେ ଆମଘରର କୋଠିଆଣି ସୁଲିର ପୁଅ। 

ଆମଘର ପାର ହେଇ ତାଘରେ ପହଞ୍ଚିବାକୁ ଆଉ ୧୫ ମିନିଟ୍ ଲାଗିବ। ବର୍ଷା ଟା ବେଶ୍ ଯୋରରେ ହେଉଥିଲା , ଗଉରା ସେତକ ବାଟ ଯାଉ ଯାଉ ଓଦା ହେଇଯିବ ବୋଲି ସେଦିନ ତାକୁ ମୋ ଛତାଟି ଦେଇ ଆମ ପିଣ୍ଡା ପାହାଚ ଉପରକୁ ଉଠିଗଲି। କାଲି ଆଉ ଆଜି ବି ସୁଲି ଆସିନି। ବୋଉ କହିଲା " ଟିକେ ଦେଖିବୁ ଗଲୁ ସୁଲି କାହିଁକି ଆସୁନି। " ମୋର ବି

ତାଙ୍କ ସାହିକୁ ଯିବାର ଥିଲା। ମୁଁ ବେଳେ ବେଳେ ସେମାନଙ୍କୁ କାଗଜପତ୍ର ଓ ଲେଖାଲେଖି କାମରେ ସାହାଯ୍ୟ କରେ। କିନ୍ତୁ ପଢାପଢିରେ ବ୍ଯସ୍ତ ରହି ପ୍ରାୟ ଦୁଇ ତିନିମାସ ହେଲା ଯାଇ ପାରିନି। 


ଆକାଶରେ କଳା ମେଘ ଘନେଇ ଆସାଲାଣି। ଯେକୌଣସି ମୂହୁର୍ତ୍ତରେ ବର୍ଷା ପଡ଼ିପାରେ।‌ ତର ତର ହେଇ ପାଦ ପକେଇ ଚାଲିଲି ସୁଲି ଘର ଆଡେ। ମୁଁ ମେଘକୁ ଦେଖି ଆନମନା ଥିଲି। ହଠାତ୍ ଅଦୂରରେ ଆସୁଥିବା ଛୋଟ ପିଲାଟି ଉପରେ ନଜର‌ ପଡିଗଲା। ଦେଖିଲି ସେ ଗଉରା। ମୋ ଛତାଟି ଧରି ସେ ଆସି ପହଞ୍ଚିଗଲା ମୋ ପାଖରେ। କହିଲା, "ସାନବାବୁ ତୁମ ଛତା ଆମଘରେ ରହି ଯାଇଥାଲା। ମା'କୁ ଜର ତେଣୁ ସେ ମୋ ହାତରେ ତୁମ ଛତାଟି ପଠେଇଛି।" ସେ ସାହି ଏକଦମ୍ ପାଖରେ ଥିଲା। ସୁଲି ସହିତ କଥା ହେବାର ଥିବାରୁ ମୁଁ ତର ତର ହେଇ ଆଗକୁ ପାଦ ବଢେଇଲି। 


ସେଇ ବସ୍ତିର ବର୍ତ୍ତମାନର ମୁଖିଆ ଘର ଇଟା ଓ ଟିଣରେ ତିଆରି। ତାର ଟିକେ ପଇସା ପତ୍ର ଥିବାରୁ ସେ ରିସ୍କ ନେଇ ଗୋଟେ ଇଟାଘର କରି ଦେଇଛି। ମୁଁ ପ୍ରାୟ ତାଙ୍କରି ଘରେ ବସେ। ସେମାନଙ୍କ ବସ୍ତିରେ ନ'ପଶୁଣୁ ବର୍ଷା ଆରମ୍ଭ ହେଇଗଲା। ମୁଁ ପଶିଗଲି ସୁଲିଘରେ। ତାର ଦୁଇ ବଖୁରିଆ ଚାଳଘରେ ଯୋଉଟା ଟିକେ ଭଲ ଅବସ୍ଥା ରେ ଅଛି ସେଇ କୋଠରୀକୁ ନେଇଗଲା ଗଉରା । ସେଇ ଘରର ଚାଳ ଛପର ଉଡି ଯାଇଛି, ଖାଲି ବାଉଁଶ ବନ୍ଧା ଟା ଦିଶୁଛି ଆଉ ବର୍ଷା ପାଣି ଗଳ ଗଳ ହେଇ ପଡ଼ୁଛି। ଗୋଟେ କଣରେ । ମାଟି ଚଟାଣ ପୁରା ଓଦା। ଘରର ଆର କଣରେ ଆମ ଘରୁ ମାଗି ଆଣିଥିବା ତାରପୁଲିନ୍ ବିଛେଇ ଜରରେ ସୁଲି ଶୋଇଛି ଚାଦରଟେ ଘୋଡେ଼ଇ ହେଇ। ଘରର ଏଇ ଅବସ୍ଥା ଦେଖୁ ଦେଖୁ ଭାବୁଥିଲି,'ଏଥିରେ ଜର କଣ ଛାଡିବ ? କଷ୍ଟ ଲାଗୁଥିଲା ଦେଖି। ଆମ ଗାଁ ର ସବୁ ପରିବାରର ଯେଉଁ ପ୍ରକାରର ଶ୍ରମ ଦରକାର ହୁଏ, ଏଇ ବସ୍ତି ଲୋକ ହିଁ କରନ୍ତି। ଚାଷକାମ, ବାଡି ବଗିଚା, ଘର ତିଆରି, ବାହା ବ୍ରତ ଏମିତି ଅନେକ କିଛି। ମତେ କିଛି ଗୋଟେ ବ୍ଯବସ୍ଥା କରିବାକୁ ପଡ଼ିବ। 

"ବାବୁ ଠିଆ କାହିଁକି ହେଇଛ, ବସୁନ" 

ମୁଁ ପ୍ରକୃତିସ୍ଥ ହେଇ ତା ମୁହଁକୁ ଚାହିଁଲି। ଗୋଟେ ଭଙ୍ଗା ପ୍ଲାଷ୍ଟିକ ଚେୟାର ପକେଇ ଗଉରା ଡାକୁଥିଲା ମୋତେ।

 ଅଳ୍ପ ସମୟ ଭିତରେ ଦେଖିଲି ଗଉରାର ଭଉଣୀ ବାମ୍ଫ ବାହାରୁଥିବା ଚାହା ଧରି ଠିଆ ହେଇଛି। 


ହଠାତ୍ ପାଟିରୁ ବାହାରି ପଡ଼ିଲା, "କେମିତି କଲ ?" 

"ଚୂଲିରେ ତ ପାଣି ପଶିଛି, ପଡିଶାଘରୁ କରି ଆଣିଲି ସାନବାବୁ"

ଦାରିଦ୍ର୍ୟ ଥିଲେ ବି, ମୁଁ ଦେଖୁଥିଲି ଏଇ ବସ୍ତିର ଲୋକମାନଙ୍କ ଭିତରେ ଭଲ ଏକତା ଥିଲା। ହୁଏତ ଦାରିଦ୍ର୍ୟତା ତାଙ୍କ ଏକତାର କାରଣ ହେଇପାରେ। ସେଇ ବସ୍ତି ଲୋକ ମାନଙ୍କର ନିଜ ନାଁ ରେ ଜମି ନଥିଲା। ତେଣୁ କେହି ଭଲ ଘର ଖଣ୍ଡେ କରିପାରୁ ନଥିଲେ।  

ମୁଁ ଭାବୁଥିଲି, ଏମାନେ ସରକାରଙ୍କର ପାଖରେ ଜମି ପାଇବାକୁ ଆବେଦନ କରି ପାରିବେ। ଆଉ ଜମି ମିଳିଲେ, ସେମାନେ ନିଜେ ଘର ଖଣ୍ଡେ ତୋଳି ପାରିବେ। କିନ୍ତୁ ଜମି ପାଇବା ଏତେ ସହଜ ନୁହେଁ। ସେମାନଙ୍କୁ ଏଥିପାଇଁ ଅନେକ ଦୌଡା ଦୌଡି କରିବାକୁ ପଡ଼ିବ। ରିତିମତ ଜୁଝିବାକୁ ବି ପଡ଼ିପାରେ। କେତେଦିନ ଲାଗିବ କହି ହେବନି। ତଥାପି ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ଓ ସାହାସ ଦେବାପାଇଁ ଦୃଢ଼ ସଂକଳ୍ପ ନେଲି। 

ପ୍ରଥମେ ଘରକୁ ଯାଇ ଜେଜେ ଙ୍କୁ କହି ଛପର ପାଇଁ କିଛି ନଡା ଯୋଗାଡ କରିବାକୁ ପଡ଼ିବ । ଆଉ ବାପାଙ୍କୁ କହିବି, ସୁଲି ଘର ମରାମତି ପାଇଁ କିଛି ପଇସା ସାହାଯ୍ୟ ଦେବେ। ସେମାନଙ୍କ ପାଇଁ ଦରଖାସ୍ତ ଲେଖିବା, କେଉଁଠିକି ଯାଇ ଦରଖାସ୍ତ ଦେବାକୁ ପଡ଼ିବ ସେହି ସବୁ ବତେଇବା କାମ ମୋର।


ମତେ ସେଦିନ ସେ ବର୍ଷାରେ ଅଦା ଗୋଲ ମରିଚ ପକା ଗରମ ଗରମ ନାଲି ଚାହା ଟା ବେଶ୍ ଭଲ ଲାଗୁଥିଲା। ଆଉ ଦେଖିଲି ସୁଲି ବି ଚାହା ପାଇଁ ହାତ ବଢଉଛି ତାର ଆଠ ଦଶ ବର୍ଷର ଝିଅ ଆଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action