Sudeshna Misra

Classics Fantasy

4.6  

Sudeshna Misra

Classics Fantasy

ଋଣ ପରିଶୋଧ

ଋଣ ପରିଶୋଧ

4 mins
64


ଶୀତଟା ବେଶ୍ ଜମେଇକି ପଡ଼ିଲାଣି। ଶୀତ ରାଣୀ ତାର ପୁରା ପସରା ମେଲେଇ ଦେଇଛି। ସୂର୍ଯ୍ୟାସ୍ତ ପରଠୁ ଘରୁ ବାହାରିବାକୁ ଇଚ୍ଛା ହେଉନି। ହେମାଳ ପବନ ବହୁଛି। ରାତିରେ ମୋଟା କମ୍ବଳ କିମ୍ବା ରେଜେଇ ନହେଲେ ଶୀତ ରହୁନି, ଦେହଟା ଥରୁଛି। ଘରେ ସ୍ବେଟର ସହିତ ଶାଲ୍ ଦରକାର ପଡ଼ୁଛି ଘୋଡେଇ ହେବାକୁ। ସକାଳ ପ୍ରାୟ  ଛଅଟା ପରେ ସୂର୍ଯ୍ୟୋଦୟ। ସକାଳୁ ଉଠିବାକୁ ଜମା ଇଚ୍ଛା ହେଉନି।  


ଦମୟନ୍ତୀ ଦେବିଙ୍କ ଘରେ କାଠର ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରା ଙ୍କ ମୂର୍ତ୍ତି ଅଛନ୍ତି । ବହୁତ ଭକ୍ତିରେ ପୂଜା ଅର୍ଚ୍ଚନା କରନ୍ତି। ନିଜର ପୁଅ ଝିଅ ପରି ଦେଖନ୍ତି। ଓଢଣ ଷଷ୍ଠୀରେ ଶୀତ ଦାଉରୁ ରକ୍ଷା କରିବା ପାଇଁ ଜଗନ୍ନାଥଙ୍କୁ ଘୋଡେଇ ଦେବା ଚାଦର ଲାଗି ହୁଏ। ଦମୟନ୍ତୀ ବି ସେମିତି ପ୍ରତିବର୍ଷ ଛୋଟ ଚାଦର ଟିଏ ଘୋଡେଇ ଦିଅନ୍ତି ଠାକୁର ମାନଙ୍କୁ। କିନ୍ତୁ ତାଙ୍କର ମନ ମାନୁ ନଥାଏ। ଚାଦର ଫାଙ୍କ ଦେଇ ଥଣ୍ଡା ପବନ ଦେହରେ ବାଜୁଥିବ। ଆଉ ଦିନବେଳେ ତ ଚାଦର କଢାହୁଏ। ସେତେବେଳେ ବି ତ ଥଣ୍ଡା ଲାଗୁଥିବ ନା।‌ ଏମିତି ଭାବୁ ଭାବୁ ଦମୟନ୍ତୀଙ୍କ ମନକୁ ଆସିଲା ଜଗା, ବଳିଆ ଓ ଶୁଭ ଯଦି ସ୍ବେଟର ପିନ୍ଧନ୍ତେ, ତେବେ ଶୀତ ଦାଉରୁ ରକ୍ଷା ପାଇପାରନ୍ତେ। କିନ୍ତୁ ଏତେ ଛୋଟ ସ୍ବେଟର କୋଉଠୁ ପାଇବେ। ବଜାରରେ ବଡ଼ ମାନଙ୍କ ଓ ପିଲାଙ୍କ ସାଇଜର ସିନା ମିଳେ, ଠାକୁର ମାନଙ୍କର ମୂର୍ତ୍ତିତ ଆହୁରି ଛୋଟ। ଉଲ୍ କିଣି ନିଜେ ବୁଣିଲେ ହୁଅନ୍ତା। କିନ୍ତୁ ତାଙ୍କୁତ ବୁଣି ଆସେନି। କିଏ ଜଣେ ବୁଣି ଜାଣିଥବା ଲୋକ ଯିଏକି ଛୋଟ ଛୋଟ ସ୍ବେଟର ବୁଣି ପାରିବ, ତାକୁ ଖୋଜିକି ବରାତ ଦେଲେ ହେବ। 

ସାଙ୍ଗ ସାଥୀରେ ପଚାରିଲେ, କିଏ ତାଙ୍କ ପୁଅ ଝିଅ ପାଇଁ ସ୍ବେଟର ବୁଣିଦେବେ। ବୁଣିବା ଲୋକ ଖୋଜୁ ଖୋଜୁ ଜଣଙ୍କୁ ପାଇଗଲେ, ଯିଏକି ଛୋଟ ଛୁଆ ମାନଙ୍କ ପାଇଁ ହାତରେ ସ୍ବେଟର ବୁଣି ପାରନ୍ତି। ତାଙ୍କ ଠିକଣା ବୁଝି ତାଙ୍କ ଘରକୁ ଗଲେ। ସେ ମହିଳା ଜଣଙ୍କର ସୁନ୍ଦର ବ୍ୟକ୍ତିତ୍ଵ। ନାଁ ହେଉଛି ରଶ୍ମି। ସେ ବୁଣି ପାରିବେ ବୋଲି କ‌ହିବାରୁ ତାଙ୍କୁ ଆଡଭାନ୍ସ ଦେବାକୁ ବସିଲେ। ରଶ୍ମି କହିଲେ," ଆଡଭାନ୍ସ ଦେବା ଦରକାର ନାହିଁ। ମୁଁ ବୁଣିସାରିଲେ ଆପଣଙ୍କୁ ଭଲ ଲାଗିଲେ ଦେଖାଯିବ।" ରଶ୍ମି ସେ ମୂର୍ତ୍ତି ମାନଙ୍କୁ ଦେଖିନଥିଲେ ,ସ୍ବେଟର ଗୁଡ଼ିକ କେଉଁ  ସାଇଜର ହେବ ସେଇଟା ଜାଣିବା ଦରକାର। ଫଟ ଦେଖି  ସାଇଜ ବୁଝିହେଉ ନଥାଏ। ତଥାପି ଆନୁମାନିକ ଭାବେ ବୁଣା ଆରମ୍ଭ କଲେ। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କର ପାଇଁ ସ୍ବେଟର। କିଛିବାଟ ବୁଣିଲାପରେ ଉଲଟା କଣ୍ଟାରେ ଲାଗିଗଲା, ଯେତେ ଚେଷ୍ଟାକଲେ ଆଉ ବଢିଲାନି , ବରଂ ଗଣ୍ଠି ପଡ଼ିଗଲା। ରଶ୍ମି ଦେହଛାଡି ହାତ ମାରି ବୁଣିବା ଚାଲୁ ରଖିଲେ। ତାଙ୍କୁ ଶୀଘ୍ର ସାରିବାକୁ ପଡ଼ିବ, କାରଣ ଶୀତ ବଢିଗଲାଣି। ଜଣେ ଜଣ କରି ତିନି ଠାକୁରଙ୍କ ବୁଣିଲା ବେଳେ ପ୍ରତିଥର ସେମିତି କିଛିବାଟ ବୁଣିଲାପରେ ଉଲରେ ଗଣ୍ଠି ପଡେ ଆଉ ଉଲ୍ କଣ୍ଟା ଚାଲେନି।ଏମିତି କଣ  ହେଉଛି, ଆଶ୍ଚର୍ଯ୍ୟ କଥା। ଯେଉଁ ସ୍ବେଟର ସେ ବୁଣି ସାରିଲେ, ତାହା ମୂର୍ତ୍ତିକୁ ଟିକେ ଛୋଟ ହେଲାପରି ଲାଗୁଥାଏ, ଆଉ ଅଧା ପନ୍ତରିଆ ଦିଶୁଥାଏ ରଶ୍ମିଙ୍କୁ। ଦିନକ ପରେ ତ ଦେବେ ବୋଲି କହିଥିଲେ, ତେଣୁ ଦମୟନ୍ତୀ ଦେବି ଆସିଗଲେ। ଯେତିକି ବୁଣା ହେଇଥିଲା ସେଥିରେ ଅଲଗା ରଙ୍ଗର ଉଲରେ ଧଡି ପରି କରିଦେଇ ଥାଆନ୍ତି ରଶ୍ମି। ବଳଭଦ୍ରଙ୍କ ର ନୀଳରେ କଳା ଧଡି, ଶୁଭଦ୍ରାଙ୍କର ପାଟଳ ରଙ୍ଗରେ ହଳଦିଆ ଏବଂ ଶ୍ରୀ ଜଗନ୍ନାଥଙ୍କ ପୀତବର୍ଣ ରେ ନାଲି ଧଡି। ସ୍ବେଟର୍ ଗୁଡ଼ିକ ଉପରକୁ ତ ଠିକ୍ ଠାକ୍ ଦିଶୁଥାଏ। କିନ୍ତୁ ଭିତର କଥା ରଶ୍ମିଙ୍କୁ ଜଣା। ସେ ବି କଣ କରିବେ, ଉଲରେ ତ ଦଶଥର ଗଣ୍ଠି ପଡ଼ିଲା, ଆଉ କଣ୍ଟା ଚାଲିଲାନି। ମନ ଭିତରେ ଅସନ୍ତୋଷ ଭାବ ଯୋଗୁଁ ଟିକେ ଦୁଃଖିତ ଥାଆନ୍ତି ରଶ୍ମି। ସେ ଦମୟନ୍ତୀ ଦେବିଙ୍କ ଠାରୁ ଶୀତ ପୋଷାକ ବାବଦ ପଇସା ନେବାକୁ ମନା କଲେ। 


ଯେଉଁ ଦିନ ତିନିଠାକୁର ସ୍ବେଟର ପିନ୍ଧିଲେ, ସେଦିନ ଦମୟନ୍ତୀ ଦେବି ଖୁସୀରେ ଏକ ଉତ୍ସବ କରି କିଛି ସାଙ୍ଗଙ୍କୁ ଖାଇବାକୁ ଡାକିଥିଲେ। ନିମନ୍ତ୍ରିତଙ୍କ ଭିତରେ ରଶ୍ମି ବି ଥିଲେ। ରଶ୍ମିଙ୍କ ମନ ଭିତରେ ସନ୍ତୋଷର ଭାବ ନ ଥିବାରୁ ଯିବାକୁ ଆଗ୍ରହ ନଥିଲା। କିନ୍ତୁ ଠାକୁର ମାନଙ୍କୁ ସେ ସ୍ବେଟର ଠିକ୍ ହେଲାକି ନାହିଁ  ତାହା ଦେଖିବା ପାଇଁ ଗଲେ। ଦେଖିଲେ ତିନି ଠାକୁରଙ୍କୁ ଶୀତ ପୋଷାକ ପୁରା କଣ୍ଟିଲା ପରି ହେଇଛି। ଆଉ ସେମାନେ ଖୁବ୍ ସ୍ମାର୍ଟ ଓ ବଢିଆ ଦିଶୁଛନ୍ତି। ରଶ୍ମି ଦେଖି ବେଶ୍ ଖୁସୀ ହେଲେ। ତାଙ୍କୁ ଲାଗିଲା ଜଗନ୍ନାଥ ତାଙ୍କୁ ଚାହିଁ ମୁରୁକି ମୁରୁକି ହସୁଛନ୍ତି। ରଶ୍ମି ବେଶ୍ ଭାବ ବିହ୍ୱଳ ହେଇଗଲେ। ସେ ବୁଝିପାରିଲେ ଉଲ ବୁଣିବା ବେଳେ, କାହିଁକି ଗଣ୍ଠି ପଡି ଯାଉଥିଲା। ଦମୟନ୍ତୀ ଦେବିଙ୍କ ତରଫରୁ ମଧ୍ୟ ଅଭିଯୋଗ ନଥିଲା। ବରଂ ସେ ସମସ୍ତଙ୍କୁ ରଶ୍ମିଙ୍କ ସହ ଚିହ୍ନେଇବା ବେଳେ କହୁ ଥାଆନ୍ତି, " ଦେଖ ଏଇ ଭଉଣୀଙ୍କ ପାଇଁ ମୋ ପିଲାମାନେ ଶୀତ ପୋଷାକ ପିନ୍ଧି ଥଣ୍ଡାରୁ ରକ୍ଷା ପାଇ ପାରିଛନ୍ତି।"


ଆଜି ରଶ୍ମିଙ୍କୁ ଜର, କାଲି ସନ୍ଧ୍ୟାବେଳଠୁ ଦେହଟା କସ୍ ମସ୍ ଲାଗୁଥିଲା। ଏବେ ଦେଖିଲା ବେଳକୁ ଟେମ୍ପୋରେଚର ୧୦୧°ସେଲସିଏସ୍। ପାରାସିଟାମଲ୍ ଖାଇଲା ପରେ  ସାମୟିକ ଜର କମୁଥିଲେବି ପୁରା ଠିକ୍ ହେଉ ନଥାଏ। ବରଂ ଶରୀରର ତାପମାତ୍ରା ବଢ଼ି ବଢି ୧୦୨° ରୁ ଅଧିକ ହେଇଗଲା। ସାତଦିନ ହେଲା ଜର ଲାଗି ରହୁଛି। ପରୀକ୍ଷାରୁ ଜଣାଗଲା ନିମୋନିଆ। ଆଜିକାଲି ନିମୋନିଆ ଗୁରୁତର ହେଇଯାଉଛି । ରଶ୍କିଙ୍କ ପିଲାମାନେ ବି ପାଖରେ ନାହାଁନ୍ତି, ଖାଲି ତାଙ୍କ ସ୍ବାମୀ। ତାଙ୍କୁ ବି ବୟସ ହେଲାଣି। ହସ୍ପିଟାଲ ନେଇ ଦୌଡା ଦୌଡି  କରିବାକୁ ତାଙ୍କର ସେତେ ବଳ ନାହିଁ। ଶରୀରର ଭୀଷଣ କଷ୍ଟ ଭିତରେ କିପରି ଚିକିତ୍ସା ହେବ, ସେ ନେଇ ରଶ୍ମି ଶାରିରୀକ ଓ ମାନସିକ ଭାବରେ ପୁରା ଶକ୍ତି ହୀନା ହୋଇପଡ଼ି ଥାଆନ୍ତି। ଚାରିପଟେ ଏକ ହତାଶ ଭାବ କିପରି ଘୋଟି ରହିଥାଏ। ଅବଶ ଦେହଟା ଖଟରେ ପଡିଥାଏ ଓ ମନରେ ଅସରନ୍ତି ଦୂର୍ଭାବନା ରେ ନିଦ ଆସୁନଥାଏ। କେତେବେଳେ ଝାପସା ନିଦ ଲାଗିଯାଇଛି। ତାଙ୍କୁ ଲାଗିଲା କିଏ ଯେପରି ଡାକୁଛନ୍ତି। ଦେଖିଲେ ଏକ ବିଚିତ୍ର ଆଲୋକରେ ଉଦଭାସିତ, ଆଉ ପ୍ରଭୁ ଜଗନ୍ନାଥ ତାଙ୍କୁ କହୁଛନ୍ତି," ତୁ ଚିନ୍ତା କରନି, ଶୀଘ୍ର ଭଲ ହେଇଯିବୁ।" ଆଉ ଦେହରେ ତାଙ୍କର ପୀତ ବର୍ଣର ସେଇ ଶୀତ ପୋଷାକ, ଯାହାକୁ ସେ ବୁଣିଥିଲେ ଏଇ କିଛିଦିନ ତଳେ। ଚମକି ପଡିଲେ, ଖୋଲିଗଲା ତାଙ୍କ ଆଖି । କେହି କୁଆଡେ ନାହିଁ। 

ତା ପରଦିନ ଜର କମିବାକୁ ଆରମ୍ଭ କଲା  ରଶ୍ମିଙ୍କର । ଦୁଇଦିନ ଭିତରେ ଜର ନର୍ମାଲ୍ ହେଇଗଲା। ହସ୍ପିଟାଲ ବି ଯିବାକୁ ପଡିଲାନି। ଦେହ ପୁରା ସୁସ୍ଥ ହେଇଗଲେ ଯାଇ ଦମୟନ୍ତୀ ଙ୍କ ଘର ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଆସିବେ ବୋଲି ମନେ ମନେ ସ୍ଥିର କଲେ ରଶ୍ମି। 

ସେଦିନ  ନିଜର ନିତ୍ୟକର୍ମ ସାରି ହର୍ଲିକ୍ସ ଟିକେ ପିଇଲେ ସେ। ଏହି ସମୟରେ ଦମୟନ୍ତୀଙ୍କ ଫୋନ୍ ଆସିଲା। ଦେହ କିପରି ଅଛି ପଚାରି କହିଲେ, "ଆଜି ମୁଁ ତମ ପାଇଁ ଦିଅଁଙ୍କ ପାଖରେ ଦୀପ ବସେଇ ଦେଇଛି"। ଆମ ଜଗନ୍ନାଥ ଭାରି ପ୍ରତ୍ଯକ୍ଷ। ତମେ ଶୀଘ୍ର ଭଲ ହେଇଯିବ"। 


ସେତେବେଳକୁ 'ଜଗନ୍ନାଥ ଭାରି ପ୍ରତ୍ଯକ୍ଷ' ତାର ସତ୍ଯତା ପରଖି ସାରିଥିଲେ ରଶ୍ମି।


Rate this content
Log in

Similar oriya story from Classics