Krishna Mishra

Classics

4.6  

Krishna Mishra

Classics

ସମ୍ପର୍କର ରଙ୍ଗ

ସମ୍ପର୍କର ରଙ୍ଗ

5 mins
453


ରଞ୍ଜନ ଆଜି ବିଳମ୍ବ ରେ ପହଞ୍ଚିଲା ପେଟ୍ରୋଲ ପମ୍ପ ରେ। ସାଇକଲ ରେ ଏତେ ବାଟ! ପୁଣି, ଆଜି ଦେହ ମନ ଆଦଉ ଭଲ ଲାଗୁ ନ ଥାଏ। କେମିତି ଗୋଟିଏ ବିରକ୍ତି ଭାବ ନେଇ ଆସି ପହଞ୍ଚିଲା ସେ। ସାଙ୍ଗେ ସାଙ୍ଗେ ସାଇକଲ ଓ ଟିଫିନ୍ ଡବାଟାକୁ ଅଫିସ ରୁମ୍ ରେ ରଖି, ପୋଷାକ ବଦଳି, ଯାନ ବାହାନ ରେ ପେଟ୍ରୋଲ ଦେବା କାମରେ ଲାଗିଗଲା। 


ହଠାତ୍, ଗୋଟିଏ ନାଲି ରଙ୍ଗର ସେଣ୍ଟ୍ରୋ କାର୍ ଆସି ପହଞ୍ଚିଲା ସେଠାରେ। କାର୍ ଚାଳକ, ପେଟ୍ରୋଲ ଭର୍ତ୍ତି କରିବାକୁ ଇସାରା କଲା। ପେଟ୍ରୋଲ ଦେଉ ଦେଉ, ରଞ୍ଜନ ର ଦୃଷ୍ଟି ପଡ଼ିଲା,କାର୍ ଭିତରେ ଝରକା ପାଖକୁ ଲାଗି ବସିଥିବା କୁନି ଝିଅଟି ଉପରେ। ବୟସ ଦୁଇ/ତିନି ବର୍ଷ ହେବ। 'ଟେଡି' ଟିଏ ଧରି, ଅନେଇ ରହିଥାଏ ରଞ୍ଜନ ର ପେଟ୍ରୋଲ ଭରିବା ଆଡ଼କୁ। ହଠାତ୍ କ'ଣ ହେଲା କେ ଜାଣି, ରଞ୍ଜନ ପେଟ୍ରୋଲ ଭର୍ତ୍ତି କରିବା ଛାଡି, ଝିଅଟି ପାଖକୁ ଧାଇଁ ଗଲା। ତେଣେ ପେଟ୍ରୋଲ, ତଳେ ବହି ଗଲାଣି। ଲୋକେ ପାଟି କରି ଉଠିଲେ। ରଞ୍ଜନ କିନ୍ତୁ କିଛି ନ ଶୁଣି, ସେଇ କୁନି ଝିଅଟିକୁ କାର୍ ଭିତରୁ, ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲା। କାର୍ ଭିତରେ ବସିଥିବା ମହିଳା ( ଝିଅଟି ର ମମି ବୋଧହୁଏ), ଚିତ୍କାର କରି ଉଠିଲେ। କାର୍ ଚାଳକ, କାର୍ ରୁ ବାହାରି, ଚାପୁଡ଼ା ଦୁଇ ଦେଇ ସାରିଲାଣି ତା' ଗାଲରେ। ଦୁଇ/ ତିନି ଜଣ ଭଦ୍ର ଲୋକ, ମାମଲା ସମ୍ଭାଳିବାକୁ ଚେଷ୍ଟା କଲେ। ସେମାନଙ୍କ ଯୋଗୁଁ, ଘଟଣା ନିୟନ୍ତ୍ରଣ ରେ ଆସିଲା। ସେମାନେ ତାକୁ, ଜୋର୍ କରି ନେଇ ମାଲିକ ସାମନା ରେ ବସାଇଦେଲେ।

ରଞ୍ଜନ, ଗୋଟା ପଣେ ଥରୁଥାଏ। ସମଗ୍ର ଶରୀର ଟି ଝାଳରେ ବୁଡ଼ି ଯାଇଥାଏ। ସେମାନଙ୍କ ମଧ୍ୟ ରୁ ଜଣେ, ତା'କୁ ପାଣି ପିଇବାକୁ ଦେଲେ ଆଉ ଘଟଣା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କଲେ। କିନ୍ତୁ, ଅଳ୍ପ ସମୟରେ, ରଞ୍ଜନ ର ମାନସିକ ସ୍ଥିତିକୁ ଦେଖି, ତା'କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇଗଲେ।


ଏମର୍ଜେନ୍ସି ଓ୍ବାର୍ଡରେ ଡାକ୍ତରଙ୍କ ତତ୍ତ୍ଵାବଧାନରେ, ରଞ୍ଜନ ପ୍ରାୟ ବାର ଘଣ୍ଟା ରହିଲା। ଔଷଧ ଓ ଇଞ୍ଜେକସନ ଯୋଗୁଁ, କିଛି ସମୟ ଶୋଇ ପଡ଼ିଲା ରଞ୍ଜନ। ନିଦ୍ରା ଭଙ୍ଗ ହେବା ମାତ୍ରେ, ଜଣେ ଡାକ୍ତର ଆସି, ଘଟଣା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କଲେ। ଘରେ କିଏ ଅଛନ୍ତି ଏବଂ ତାଙ୍କୁୁ କିପରି ଖବର ଦିଆଯିବ ବୋଲି ପଚାରିଲେ।


ରଞ୍ଜନ ପୁଣି ଥରେ ଭାବ ପ୍ରବଣ ହୋଇଉଠିଲା। ମନେ ପଡିଗଲା, ବିଗତ ପାଞ୍ଚ ବର୍ଷ ର କଥା।ସେ ଜଣେ ଉଚ୍ଚ ଶିକ୍ଷିତ ଆଉ ସ୍ମାର୍ଟ ଯୁବକ। ତଥାପି, କୈାଣସି ସରକାରୀ ଚାକିରୀ ମିଳି ନଥିଲା ତାକୁ। ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲା ସେ। ପରିବାର ରେ - ବିଧବା ମାଁ, ସାନ ଭାଇ ଓ ସାନ ଭଉଣୀଟି।

ଚାକିରୀ କରିବାର ଦୁଇ ବର୍ଷ ହୋଇ ନ ଥାଏ। ହଠାତ୍, ତା'ର ବିବାହ ହେଲା, ଦୀପା ସହ। ଦୀପା, ଅନ୍ୟ ଏକ ସହରରେ ରହୁଥିବା, ମଧ୍ୟମ ବର୍ଗୀୟ ପରିବାର ର ଝିଅ, ଏକ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ରତା। ବିବାହ ପରେ ରଞ୍ଜନ, ନିଜ ସହର ଛାଡ଼ି,ଦୀପା ସହ ରହିବାକୁ ଲାଗିଲା। ଦୀପାର ସୁପାରିଶ କ୍ରମେ, ସେଇ ସହରରେ ଅନ୍ୟ ଏକ ପ୍ରାଇଭେଟ୍ କମ୍ପାନୀରେ ଯୋଗ ଦେଲା ସେ। ଦିନ ପରେ ଦିନ, ମାସ ପରେ ମାସ ବିତିଗଲା। ହସ ଖୁସିର ପରିବାର। କିନ୍ତୁ, ଦୀପା ସବୁବେଳେ ରଞ୍ଜନ କୁ ନିଜ ଅଧିନସ୍ଥ କରି ରଖିଥାଏ।

ସମସ୍ତ କାର୍ଯ୍ୟ, ଦୀପାର ମନ ମୁତାବକ ହେବା ଦରକାର। ନହେଲେ ମୁହଁ ଫୁଲେଇ ରହିଲା। ବିବାହ ପରେ, ନିଜେ ତ ଶାଶୁ ଘରକୁ ଯାଇ ନାହିଁ, ରଞ୍ଜନ ଗଲେ ଘରେ ପାଟି ତୁଣ୍ଡ। ବିବାହ ର ଦୁଇ ବର୍ଷ ପରେ, ଦୁହିଁଙ୍କ କୋଳ ମଣ୍ଡିତ କଲା, ଶିଶୁ କନ୍ୟା ଚୁନ୍ ମୁନ୍। ତାକୁ ଦେଖି ସବୁ ଦୁଃଖ, ଅଶାନ୍ତି ଭୁଲି ଯାଉଥିଲା ରଞ୍ଜନ। ତେଣେ, ରଞ୍ଜନ ର ପରିବାର ର ଲୋକଙ୍କୁ ମଧ୍ୟ ଇଚ୍ଛା ହେଉଥିଲା କେମିତି ଆସି, କୁନି ଝିଅ କୁ କୋଳରେ ଧରିବେ। ସିଏ ପରା ବଂଶ ର ପ୍ରଥମ ସନ୍ତାନ। ଝିଅ ପାଇଁ ଘରେ ତରବରିଆ ପୂଜା ଟିଏ କରାଇ ଦୀପା ଜଣାଇଦେଲା ଯେ, "ମାଁ! ବର୍ତ୍ତମାନ ମୋ ଅଫିସ ରେ ଅତ୍ୟଧିକ କାମ ର ଚାପ। ପ୍ରମୋଶନ ସମୟ। ତେଣୁ, ପରେ ଜନ୍ମ ଦିନର ପୂଜା ରେ ଆପଣମାନେ ଆସିବେ। ରଞ୍ଜନ ଏସବୁ ଶୁଣି ଦୁଃଖିତ ହେଲେ ମଧ୍ୟ, ସମ୍ପର୍କ ଓ ଶାନ୍ତି ପାଇଁ ସବୁ ସହିଗଲା। 

ଚୁନ୍ ମୁନ୍ ର ଦେଖ ରେଖ ପାଇଁ, ଯଦିଓ ଚାକରାଣୀ ଟିଏ ଥିଲା, ରଞ୍ଜନ କିନ୍ତୁ ସବୁଦିନେ ଅଫିସ ରୁ ଫେରି, ଖୁଆଇବା, ଖେଳେଇବା, ବୁଲେଇବା କାମ ସମ୍ଭାଳେ। ଏମିତିକି, ରାତି ଅଧରେ, ଚୁନ୍ ମୁନ୍ କାନ୍ଦିଲେ, କୋଳରେ ଧରି ଶାନ୍ତ କରେ। ଦୀପା, ସତେକି ଜଣେ ଅତ୍ୟାଧୁନିକ ମାଆ!


ସମୟ ଚକ ଗଡି ଚାଲିଥାଏ। ଜନ୍ମ ଦିନ ଉତ୍ସବ ପାଳନ କରାଯିବ। ଦୀପା ର ଅଫିସ ର କିଛି ଖାସ୍ ଲୋକ ନିମନ୍ତ୍ରିତ ହେଲେ। ରଞ୍ଜନର କିଛି ସାଙ୍ଗ, ପାଖ ପଡିଶା ମଧ୍ୟ ସମ୍ମିଳିତ ସେ ଉତ୍ସବରେ। ଦୀପାର ବାପ ଘର ଲୋକ ଏବଂ ରଞ୍ଜନ ର ପରିବାର ର ହାତ ଗଣତି ରେ ତିନି ଜଣ ସଦସ୍ୟ। ଜନ୍ମ ଦିନର ଉତ୍ସବଟି ଖୁବ୍ ଧୁମଧାମରେ ପାଳିତ ହେଲା। କିଛି ଦିନ, ପରିବାର ର ଲୋକେ ରହିଲେ। ପୁଣି ଥରେ ଆରମ୍ଭ ହେଲା ଘରେ ଅଶାନ୍ତି। ଦୀପାର ଟାଣ କଥା। ଦିନେ ଚୁନମୁନ କୁ ନେଇ ପାଖ ପାର୍କ କୁ ବୁଲିବାକୁ ଗଲେ ରଞ୍ଜନ ର ମାଆ ଆଉ ଭଉଣୀ। ସନ୍ଧ୍ୟା ହେଲା ରୁ, ଘରକୁ ଫେରି ଦେଖିଲା ବେଳକୁ, ଝିଅ ପାଦର ଗୋଟିଏ ପାଉଞ୍ଜି ନାହିଁ। ଦୀପାର କ୍ରୋଧ କିଏ ସମ୍ଭାଳେ? କ'ଣ ନାଇଁ କ'ଣ କହିଗଲା ସେ। ମାଆ, ଝିଅ ପାର୍କ ରେ ଖୋଜିବାରେ ଲାଗି ଥାନ୍ତି। ସେ ସମୟରେ ପଡିଶା ଘରର ଜଣେ ବଡ଼ ଟର୍ଚ୍ଚ ନେଇ ଆସିଲେ। ସେଇଠି, ଘାସବୁଦା ରେ ଲାଖି ରହିଥିଲା ପାଉଞ୍ଜିଟି। ପରଦିନ ସକାଳୁ, ରଞ୍ଜନ ସେମାନଙ୍କୁ ବସ୍ ରେ ବସେଇଲେ।


ଯେତେବେଳେ ଚୁନ୍ ମୁନ୍ ଦୁଇ ବର୍ଷ ବୟସର, ହଠାତ୍, ରଞ୍ଜନର କମ୍ପାନୀରେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହେଲା। କାରଣ ହେଲା ଯେ, କମ୍ପାନୀ କ୍ଷତି ରେ ଚାଲିଛି। ତେଣୁ, କମ୍ ଲୋକରେ କାମ ଚାଲିବ। ସେଥିପାଇଁ, ରଞ୍ଜନକୁ ଚାକିରିରୁ ବହିଷ୍କାର କରାଗଲା। କଥା ଟି ଶୁଣିବା ମାତ୍ରେ, ଦୀପା ରାଗରେ ଲାଲ୍। ତା' ସୁପାରିଶ ରେ ଚାକିରି ମିଳିଥିଲା ରଞ୍ଜନ କୁ। ତେଣୁ, ସେ କାହିଁକି ଚାକିରୀ ଛାଡ଼ିଲା ବୋଲି ଝଗଡ଼ା ଆରମ୍ଭ କଲା। ରଞ୍ଜନ ଯୋଗୁଁ, ତା'ର ଆତ୍ମସମ୍ମାନରେ ବାଧା ଆସିଛି ବୋଲି ଜଣାଇଦେଲା। ରଞ୍ଜନ ବୁଝାଇବାକୁ ଚେଷ୍ଟା କଲା- "ବ୍ୟସ୍ତ ହୁଅନି ଦୀପା। ଜୀବନ ରେ ଏମିତି ସୁଖ ଦୁଃଖ ଲାଗିଥାଏ। ମୁଁ, ଅନ୍ୟ କେଉଁଠାରେ ଚାକିରୀ ଖୋଜିବି। କିଛି ସମୟ ଦିଅ।" ଦୀପାର ଅହଂ ଭାବ ସମ୍ମୁଖରେ, ସବୁ ଧୂଳିସାତ୍। ପାଟି କରି ଶୁଣାଇ ଦେଲା, "ଯଦି ଏଇ ପନ୍ଦର ଦିନ ଭିତରେ ଚାକିରୀ ନ ଖୋଜିଛ, ମୋ ଘରେ, ମୋ ସହ ରହିବା ଦରକାର ନାହିଁ।" ପୁରୁଷ ହେଲେ ମଧ୍ୟ ଏତେ କଥା ଶୁଣି ଚୁପ୍ ରହିଲା ସେ, କେବଳ ଝିଅଟି ର ଭବିଷ୍ୟତ କଥା ଭାବି। ଠିକ୍ ପନ୍ଦର ଦିନ ଶେଷରେ ଦୀପା, ଘର ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ଦେଲା ରଞ୍ଜନ କୁ। ରଞ୍ଜନ କ'ଣ କରିବ କିଛି ବୁଝି ପାରୁ ନ ଥିଲା। ଅନେକ ଖୋଜି, ଚାକିରୀ ଟିଏ ଯୋଗାଡ଼ କରି ପାରି ନାହିଁ ସେ। ନିଜ ଜିନିଷ ସବୁ ଧରି, ତା' ସହରକୁ ଫେରିଗଲା। ପଛରେ ରହିଗଲେ, ପତ୍ନୀ ଦୀପା, ଗେହ୍ଲା ଝିଅ, କାର୍, ଅନ୍ୟାନ୍ୟ ଅନେକ।


ସେଠାରେ ପହଞ୍ଚି ଭାବିଲା, ମାଁ କୋଳରେ ସବୁ ଲୁହ ତକ ବୁହାଇ ଦେବ ସେ। ହେଲେ, ମାଁ ବେମାର। ଭାଇର ପାଠ ପଢା, ଶେଷ ବର୍ଷ, ଭଉଣୀ ବିବାହ ଯୋଗ୍ୟା। ନିଜକୁ ନିଜେ ସମ୍ଭାଳି ପୁଣି ବାହାରିଲା ଚାକିରୀ ଖୋଜିବାକୁ। ଅନ୍ୟ ଏକ ସହରରେ, ପେଟ୍ରୋଲ ପମ୍ପ ରେ କର୍ମଚାରୀ ସେ। ମନରୁ କିନ୍ତୁ, ସେ ପୋଛି ଦେଇ ପାରୁନି କୁନି ଝିଅ ଚୁନ ମୁନ କୁ। ବାରମ୍ବାର ସେଇ ଗୋଟିଏ କଥା ତାକୁ ପାଗଳ କରୁଛି। ଝିଅ ର ଭବିଷ୍ୟତ କ'ଣ ହେବ? କେମିତି ଅଛି ସେ? ଦେଖା ହୁଅନ୍ତା ଯଦି ଥରେ! ସବୁ କୁନି ଝିଅ, ଚୁନମୁନ ପରି ମନେ ହେଉଛନ୍ତି ତାକୁ.....


   କଥା ଶୁଣୁ ଶୁଣୁ, ଡାକ୍ତରଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ସେ ଭାବୁଥିଲେ- "ଜଣେ ପୁରୁଷ, ଜୀବନ ସାରା ଚାକିରୀ କରି ତା' ସ୍ତ୍ରୀ କୁ ଘରେ ରଖି ସମସ୍ତ ଦାୟିତ୍ବ ବହନ କରିପାରେ। ତେବେ, ଜଣେ ସ୍ତ୍ରୀ, ନିଜ ସ୍ବାମୀଙ୍କୁ, ଚାକିରୀ ବିନା କେତୋଟି ଦିନ କାହିଁକି ସହ୍ୟ କରି ପାରୁନାହିଁ ? ସ୍ତ୍ରୀ ର ଏଭଳି ରୂପ ପ୍ରଶଂସନୀୟ କି ?"



Rate this content
Log in

Similar oriya story from Classics