ଲକଡାଉନ୍ ରେ ଜୀବନ
ଲକଡାଉନ୍ ରେ ଜୀବନ


'ଲକଡାଉନ୍' ଶବ୍ଦ ଟିର ଅର୍ଥ ହେଲା ତାଲା ବନ୍ଦ। ଶବ୍ଦଟିକୁ ଆଉଟିକିଏ ଟାଣି ଲମ୍ବା କଲେ ବୁଝାଯାଏ ଯେ,'ସଭିଙ୍କୁ ସ୍ବଗୃହ ଭିତରେ ରହିବାକୁ ଏବଂ ଅତି ଆବଶ୍ୟକ ନହେଲେ ବାହାରକୁ ନଯିବାକୁ ସରକାରଙ୍କ ତରଫରୁ ଏକ କଡ଼ା ନିର୍ଦ୍ଦେଶ।' ଏହାକୁ ପାଳନ କରିବାକୁ ଲୋକେ ବାଧ୍ୟ। କାରଣ, ଅମାନିଆଙ୍କୁ ବାଟକୁ ଆଣିବାକୁ, ଭଲରକମର ଦଣ୍ଡର ପ୍ରାବଧାନ ମଧ୍ୟ ସରକାରଙ୍କ ଦ୍ବାରା କରାଯାଇଛି। ତେବେ, ଏସମସ୍ତ କ୍ରିୟା କଳାପର ପଛରେ କାରଣଟା କ'ଣ ଜାଣିବା ନିହାତି ଦରକାର। କାରଣ ଟା ହେଲା ଏକ ସୂକ୍ଷ୍ମ ଭୂତାଣୁ, ଯାହାର ନାମ 'କୋରନା' । ଅଧୁନା, ଏହି ଭୂତାଣୁଟି ମନୁଷ୍ୟ ଜାତିର ବଞ୍ଚିବା ଦୁର୍ବିସହ କରିଦେଇଛି। ତେବେ ଆସନ୍ତୁ! ଏହାର ଜନ୍ମ ବିବରଣୀ ଟିକିଏ ଜାଣିବା।
କୋରନାର ଜନ୍ମ ଚୀନର ବୁହାନ ସହରରେ। ବାପା, ମାଁ ଛେଉଣ୍ଡ କୋରନା ଥିଲା ପରୀକ୍ଷାଗାରର ସୂକ୍ଷ୍ମ ଜୀବଙ୍କ ମେଳରେ, ବୈଜ୍ଞାନିକଙ୍କ କବଳରେ। ଗତବର୍ଷର ଶେଷ ଭାଗରେ ପରୀକ୍ଷାଗାରରୁ ଖସି ଯାଇ ଚୀନର ଗଳି କନ୍ଦିରେ ଭ୍ରମଣ କରିବାକୁ ଲାଗିଲା ସେ। ଭ୍ରମଣ କରିବାର ପ୍ରବଳ ଇଚ୍ଛା ଯୋଗୁଁ ସେ ଇଟାଲୀ ସହର ଆଡ଼କୁ ଆକର୍ଷିତ ହେଲା ।ବାସ୍! ତାପରେ ଆଉ ତାକୁ ଅଟକେଇବ ବା କିଏ?
ପୃଥିବୀର ଏମିତି କୋୖଣସି ଦେଶ ନାହିଁ, ଯେଉଁଠି କି ସେ ଯାଇ ନାହିଁ। ତେଣୁ ଭ୍ରମଣ କରୁ କରୁ ଆସି ପହଞ୍ଚିଲା ଆମ ଦେଶ ଭାରତରେ । ସାଙ୍ଗରେ ତା'ର ଥିଲେ ହାତ ଗଣତିର କିଛି ଜଣ ଭାଇ ବନ୍ଧୁ।
ଚୀନ ଏବଂ ଅନ୍ୟାନ୍ୟ ଦେଶମାନଙ୍କଠୁ ଖବର ପାଇ ଲୋକେ କୋରନାଠାରୁ ଦୂରରେ ରହିବାକୁ ଚେଷ୍ଟା କଲେ। ଗାଈ ଗୋରୁଙ୍କ ପରି ମୁହଁରେ ତୁଣ୍ଡି ବାନ୍ଧି ପକ୍ଷୀଙ୍କୁ ପିଞ୍ଜରା ଭିତରେ ରଖିଲା ପରି ନିଜକୁ ଗୃହ ବନ୍ଦୀ କଲେ। ହେଲେ ଏଇ କୋରନା ଜଣକ ଏତେ ଦୟାଳୁ ଯେ ଲକ୍ଷାଧିକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେଇ ଉତ୍ତିର୍ଣ୍ଣ ହୋଇଗଲେ। ଏହାରି ଦୟାରୁ ବିଦେଶରେ ଥାଇ ରଙ୍ଗୀନ ସ୍ବପ୍ନ ଦେଖି ସୁନେଲି ଡେଣା ନେଇ ଉଡିବୁଲୁଥିବା ଭାରତୀୟ ମାନେ ଭାରତୀୟ ମାଟିର ବାସ୍ନାକୁ ପ୍ରଥମ ଥର ପାଇଁ ବାରି ପାରିଲେ। ପୁଣି ତା'ର ଶକ୍ତି ଶାଳୀ ପ୍ରଭାବରେ ଗାୟିକା, ଖଳନାୟିକା ହୋଇଗଲେ। କିଛି ଲୋକ ମନ୍ତବ୍ୟ ଦେଲେ ଯେ, କୋରନା ମୁସଲମାନଙ୍କୁ ଅଧିକ ପସନ୍ଦ କରୁଛି। ତେଣୁ ତାଙ୍କରି ପାଖରେ ରହୁଛି। ଆଉ କିଛି ଲୋକ ଅଭିଯୋଗ କଲେ ଯେ, କୋରନା ହିନ୍ଦୁମାନଙ୍କ ପାଖରେ ରହିଛି। କିନ୍ତୁ କୋରନା ତ ମଣିଷ ନୁହେଁ ଯେ ହିନ୍ଦୁ ମୁସଲମାନ, କଳା,ଗୋରା ଭେଦ ଭାବ କରିବ? ସେ ତ ଭୂତାଣୁ। ତା' ପାଇଁ ସମସ୍ତେ ସମାନ। ଭଗବାନଙ୍କ ଦ୍ଵାରା ପ୍ରେରିତ ଦୂତଟିଏ ପରି । ସଭିଙ୍କ ସହିତ ସମାନ ନ୍ୟାୟ କରିବାକୁ ଲାଗିଲା ସେ.....
ଆଜ୍ଞା ହଁ, ଲକଡାଉନ୍ କଥାଟି ତ ବାଟରେ ରହିଗଲା!!!
ତେବେ ଆସନ୍ତୁ ଜାଣିବା ଲକଡାଉନ୍ ରେ ଲୋକଙ୍କ ଅବସ୍ଥା କ'ଣ ହେଲା?
ଲୋକେ ତ ସ୍ବ ଗୃହେ ବନ୍ଦୀ ହେଲେ। ଗୋଟିଏ ଦିନ ବା ୨୪ଘଣ୍ଟା ଯେ ପରିବାରର ସମସ୍ତ ସଦସ୍ୟ ଏକାଠି ସମୟ ବିତାଇବା ସେ ଅଭ୍ୟାସଟି କେଉଁ ଯୁଗରୁ ଗଲାଣି। ତେଣୁ ମାସାଧିକ ଏକାଠି ଗୃହବନ୍ଦୀ ରହିବା ନିହାତି ଅସହ୍ୟ। ପ୍ରତ୍ୟେକ ସଦସ୍ୟଙ୍କ ଅଭିଯୋଗ ଗୃହର ଅନ୍ୟ ସଦସ୍ୟମାନଙ୍କ ବିରୁଦ୍ଧରେ-- ଗୃହ ସ୍ବାମୀଙ୍କ ଅଭିଯୋଗ, "ଲକଡାଉନ୍ ହେବା ଦିନଠାରୁ, ଗୃହ ସ୍ବାମିନୀ କାମ କରାଇ କରାଇ ମାରିଲେଣି। ସକାଳୁ ଉଠି ଘର ଦୁଆର ସଫା କରିବା ସାଙ୍ଗକୁ ଲୁଗା ଧୋଇବା, ରୋଷେଇରେ ସାହାଯ୍ୟ କରିବା ଇତ୍ୟାଦି। ତେଣୁ ଅଫିସ ଖୋଲିବା ପ୍ରତୀକ୍ଷାରେ....."
ଗୃହ ସ୍ବାମିନୀ ଲୁହ ଛଳଛଳ ଆଖିରେ କୁହନ୍ତି,"ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସଭିଙ୍କ ତତ୍ତ୍ଵାବଧାନ ସହଜ ନୁହେଁ। ଟେଲିଭିଜନ ସମ୍ମୁଖରେ ବସି ସିରିଅଲ୍ ଦେଖୁ ଦେଖୁ ଦିନକୁ କେତେ ଥର ଯେ ଖାଇବା ବରାଦ୍ ହେଉଛି ତା'ର ଠିକଣା ନାହିଁ।"
ପ୍ରୋଉଢଙ୍କ ଅଭିଯୋଗ- ବାହାରକୁ ଯିବାକୁ ନ ଦେଇ ତାଙ୍କ ଗୋଡ଼ ହାତରେ ବେଡ଼ି ପକାଇ ରଖିଛନ୍ତି।
ଏହିଭଳି ଆହୁରି ଅନେକ।
କିଛି ଅଭିଯୋଗ ତ କହିବାର ନୁହେଁ ଯେ ଅନୁଭବ କରିବାର।
ଯେମିତିକି- ପ୍ରାୟତଃ, ବିୟୁଟି ପାର୍ଲର ଯାଉଥିବା ମହିଳାଙ୍କର କାୟା କଳ୍ପ ଏଭଳି ବଦଳି ଯାଇଛି ଯେ ପୂର୍ବରୁ ଦେଖିଥିବା ଲୋକେ ଚିହ୍ନି ପାରିବେ ନାହିଁ। ପୁରୁଷଙ୍କ ଅବସ୍ଥା ମଧ୍ୟ ସେଇଭଳି। କେଶ ଆଉ ଦାଢ଼ି ବୃଦ୍ଧି ଯୋଗୁଁ କେହି କେହି ଲାଙ୍ଗୁଳ ବିହୀନ ମାଙ୍କଡ ପରି ମନେ ହେଉଛନ୍ତି। ତେଣେ ଆବାଳ ବୃଦ୍ଧ ବନିତା ମୁହଁରେ ତୁଣ୍ଡି ବାନ୍ଧି ଅଭିବ୍ୟକ୍ତି ବିହୀନ ଦିଶୁଛନ୍ତି। କିଏ ହସୁଛି,କିଏ କାନ୍ଦୁଛି, ସ୍ନେହରେ କହୁଛି କି ଗାଳି ଦେଉଛି, ବୁଝିବା ଅସମ୍ଭବ। ମହିଳାଙ୍କ ଉପଯୋଗୀ ସମସ୍ତ ମୂଲ୍ୟବାନ ପରିଧାନ ତଥା ଗହଣା ସବୁ ବିକଳରେ ଆଲମାରୀ ଭିତରୁ ଚାହିଁ ରହିଛନ୍ତି-- ପୁଣି କେବେ ସେ ଦିନ ଆସିବ ଯେ, ସେଗୁଡିକ ବାହାର ଦୁନିଆଁ ଦେଖିବେ।
ଏସମସ୍ତ ଦେଖି ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ। କାହିଁକି ଆଜି ଏ ଦୁର୍ଦ୍ଦଶା? ମନୁଷ୍ୟ ଜାତି ପୃଥିବୀରେ ପ୍ରଦୂଷଣ ଭରି ଦେଇଥିଲା।ଚତୁର୍ଦିଗେ ନରକ ପ୍ରାୟ। ବାୟୁମଣ୍ଡଳର ଗ୍ୟାସ୍ ବିଷାକ୍ତ ସମୁଦ୍ର ନାଳରେ ପରିଣତ। ମନୁଷ୍ୟ ଯୋଗୁଁ କେତେ ଯେ ଜୀବ ଜନ୍ତୁ ବିଲୁପ୍ତ ହୋଇଗଲେ ତା'ର ହିସାବ କେହି ରଖି ନାହିଁ।ସତ୍ୟ କହିବାକୁ ଗଲେ ମନୁଷ୍ୟ ଯୋଗୁଁ ପୃଥିବୀ ଗୋଟିଏ ଡଷ୍ଟବିନ୍ ରେ ପରିଣତ ହୋଇଥିଲା। କିନ୍ତୁ ଏଇ କିଛି ମାସରେ କୋରନା ଭୁତାଣୁ ଯୋଗୁଁ ବାୟୁମଣ୍ଡଳରେ ସୁଦ୍ଧତା ଦେଖାଦେଇଛି। ଯେଉଁ ସ୍ଥାନରେ ଚଢ଼େଇଟିଏ ଦିଶୁ ନ ଥିଲା, ଆଜି ସେଠାରେ କେବଳ ପକ୍ଷୀଙ୍କ କଳରବ ହିଁ ଶୁଭୁଛି। ତେଣୁ ମନୁଷ୍ୟ ଏ କଥା ଆଦୋୖ ଭୁଲିବା ଉଚିତ୍ ନୁହେଁ ଯେ, ଏ ସମଗ୍ର ପୃଥିବୀ ଆମ ନିଜସ୍ଵ ବା ବ୍ୟକ୍ତିଗତ ସ୍ଥାନ ନୁହେଁ। ବରଂ ଏହା ଉପରେ ପଶୁ,ପକ୍ଷୀ, ଜୀବ, ଜନ୍ତୁ, କୀଟ, ପତଙ୍ଗ ତଥା ଜୀବାଣୁ, ଭୂତାଣୁଙ୍କର ମଧ୍ୟ ଅଧିକାର ଅଛି । ପରମାଣୁ ବୋମା ପରୀକ୍ଷଣ କରି ପୃଥିବୀରେ ରାଜତ୍ଵ କରିବାକୁ ଭାବୁଥିବା ମନୁଷ୍ୟ ଆଜି ଏକମାତ୍ର ଭୂତାଣୁ ସମ୍ମୁଖରେ ତ୍ରାହି ତ୍ରାହି କରୁଛି। ଯଦି ମାନବ ଜାତି ନିଜର କର୍ମ କୋଉଶଳ ଓ ଚିନ୍ତା ଧାରାକୁ କେବଳ ସ୍ବାର୍ଥାନ୍ଧ ନହୋଇ ସର୍ବାଙ୍ଗୀନ ଉନ୍ନତି ଦିଗରେ ସଦୁପଯୋଗ କରେ ତେବେ ପୁଣି ଥରେ ଏ ଦୁନିଆରେ ହସ ଖୁସିର ଚହଳ ପଡ଼ିବ।