Krishna Mishra

Inspirational

4.5  

Krishna Mishra

Inspirational

"ଶବ୍ଦର ନିସ୍ତବ୍ଧତା"

"ଶବ୍ଦର ନିସ୍ତବ୍ଧତା"

4 mins
284



 ଦୀପାବଳି ଆସିଲେ, ମନଟା ମୋର କାହିଁକି କେଜାଣି ଭାରାକ୍ରାନ୍ତ ହୋଇ ଉଠେ । ଘର ଚାରିଆଡେ ଦୀପ ଜାଳି, ଆଲୁଅରେ ଭରିଦେବାର ଖୁସିକୁ ଅନୁଭବ ନକରି, ଅନ୍ୟ ଅନେକ କଥାରେ, ମାନସିକ ଅଶାନ୍ତି ଭୋଗ କରେ ମୁଁ ।

   ସ୍କୁଲ୍ ପଢିବା ବେଳର କଥା । ଦୀପାବଳିର ପନ୍ଦର ଦିନ, ମାସେ ପୂର୍ବରୁ ପିଲାଙ୍କ ହାତରେ ବନ୍ଧୁକ ଆଉ ବାରୁଦର ଠୋ ଠା ଶବ୍ଦ ।କେତେବେଳେ କେମିତି, ତାଳ ବାଣ ଇତ୍ୟାଦିର ଶବ୍ଦ, ସତରେ ଭାରି ବିରକ୍ତ କର ଲାଗୁ ଥାଏ ମୋତେ । ତଥାପି, ଦୀପାବଳି ଦିନଟିର, ଅପେକ୍ଷା କରିଥାଏ । କାରଣ, ଚାରିଆଡେ ମାଳ ମାଳ ଦୀପ ସାଂଗକୁ ଇଲେକ୍ଟ୍ରିକ ଲାଇଟ୍ ରେ ଅମାବାସ୍ୟା ରାତି ଟି ଆଲୋକର ରାତି ପାଲୋଟିଯାଏ।

    ଦୀପାବଳିର ପୂର୍ବ ଦିନ । ସ୍କୁଲ ରୁ ଆସି ପହଞ୍ଚିଲୁ ଆମେ ଭାଇଭଉଣୀ । ଦେଖିଲି, ମାଆ ସବୁ ବର୍ଷ ପରି ମିଷ୍ଟାନ୍ନ ତିଆରି କରିବାକୁ ଯୋଗାଡ଼ କରୁଛନ୍ତି । ମୋ ସାନ ଭାଇ କୁନା, କେତେ ଦିନରୁ ବାଣ ପାଇଁ ଜିଦ୍ କରୁଛି । ହେଲେ ବାପା ଆଣି ନାହାନ୍ତି । ବାପାଂକ ମତରେ, ବାଣ ଜଳେଇବା ମାନେ,ଟଂକାକୁ ଜଳେଇ ଦେବା । ସେଇ ଟଂକା ରେ କିଛି ଖାଇବା ଜିଣିଷ, ପଢିଚା ଜିଣିଷ କିଣିଲେ କାମରେ ଆସିବ। ବାପାଙ୍କ କଥା, ମୁଁ ସିନା ବୁଝି ପାରେ ହେଲେ କୁନାକୁ କିଏ ବୁଝେଇବ? ସିଏ ମାଆ ଙ୍କ ଉପରେ ରାଗି, କାନ୍ଦିବାକୁ ଲାଗିଲା । ଶେଷରେ ମାଡ ବି ଖାଇଲା। କିନ୍ତୁ ବୁଝିବାର ନାହିଁ । ବାପା ଆମର ଭାରି କ୍ରୋଧି ମଣିଷ। ଅଫିସରୁ ଆସି ପହଞ୍ଚିଲେ। ଆସନ୍ନ ପରିସ୍ଥିତିକୁ ଭାବି ଭାବି ଆଖିରେ ମୋ ଲୁହ । ଭଗବାନଙ୍କୁ ଡାକୁଥାଏ । କେମିତି ସବୁ ଶାନ୍ତ ହେବେ! ମାଆ ଯାଇ ବାପାଙ୍କୁ କ'ଣ କହିଲେ କେଜାଣି, ବାପା ପାଟି କଲେ ମା'ଙ୍କ ଉପରେ । ତା'ପରେ ସାଇକେଲ ଧରି ବାହାରି ଗଲେ । ମା' ବିଚାରି, ଆମ ଯୋଗୁଁ ଗାଳି ଶୁଣିଲେ। କିଛି ସମୟ ପରେ, ବାପା କ'ଣ ସବୁ ଧରି ଫେରିଲେ। କୁନା, ଦୂରରୁ ଦେଖୁଥାଏ। ବାପା ତା'କୁ ପାଖକୁ ଡାକି, ବ୍ୟାଗ୍ ରୁ କାଢି ଧରାଇଲେ- ଗୋଟିଏ ବନ୍ଧୁକ, କିଛି ଟିକିଲି ବାଣ, ଲଙ୍କା ବାଣ, ଚକ୍ରି ଆଉ ଫୁଲ ଝରି । ଭାଇ ଖୁସିରେ ନେଇ ପଚାରିଲା,"ଆଉ ତାଳ ବାଣ? ଚକଲେଟ୍ ବାଣ? ବାପା! ସମସ୍ତେ ଫୁଟେଇବେ, ଆଉ ଆମେ .....?" ବାପା ତା' ଆଡକୁ ଚାହିଁଲେ । କିଛି ନ କହି ମୋତେ ଡାକିଲେ । ମୁଁ ପାଖକୁ ଗଲାରୁ, ମୋ ହାତରେ ଦୀପ, ତେଲ, ସଳିତା ଆଦି ଦେଲେ । କହିଲେ, "ତୋର ବାଣ ଦରକାର କି ?" ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଲି, "ନା' ନା'।ମୋତେ ଭଲ ଲାଗେନି । ମୁଁ ମା'ଙ୍କ ସହ ମିଶି ଦୀପ ଜଳେଇବି ।" ତା' ପରେ ମା'ଙ୍କୁ ଡାକି, ମିଷ୍ଟାନ୍ନ ପ୍ରସ୍ତୁତିର ସାମଗ୍ରୀ ସବୁ ଦେଲେ ।

    ଦୀପାବଳି ଦିନର ସକାଳ । ଚାରିଆଡ ଶିଶିର ଭରା । ଘର ଦୁଆର ଧୋଇ ପରିଷ୍କାର କଲେ ମା'। ମୁଁ ମଧ୍ୟ ସକାଳୁ, ମା'ଙ୍କୁ ସାହାଯ୍ୟ କରିବାରେ ଲାଗିଛି । ବାପା, ଅଫିସରୁ ଛୁଟି ନେଇଛନ୍ତି । ଦିନ ଦଶଟା ରୁ ବସିଗଲେ ମିଷ୍ଟାନ୍ନ ତିଆରିରେ । ଖଜା, ଗଜା, ସେଓ ଲଡୁ ଇତ୍ୟାଦି। ମା' ତେଣେ ଶୀଘ୍ର ରୋଷେଇ ସାରିଲେ, ମଣ୍ଡା ତିଆରିବେ । ମୋତେ ଇଛା ହୁଏ ମା'ଙ୍କ ସହ କାମ କରିବାକୁ । କିନ୍ତୁ ବାପା,ମା' ନିଆଁ ପାଖକୁ ଯିବାକୁ ଦିଅନ୍ତି ନାହିଁ । ତେଣୁ, ମୁଁ ଦୂରରୁ ଯିଏ ଯାହା ମାଗନ୍ତି ବା କହନ୍ତି, କରିଦିଏ । 

    ଭାଇର ବନ୍ଧୁକରେ ଠୋ ଠା ଶବ୍ଦ। ଚିଡି ଲାଗିଲେ ବି ନ ଶୁଣି ଉପାୟ ନାହିଁ । ଏମିତି ଭାବରେ ଦିନ ବିତିଗଲା । ସନ୍ଧ୍ୟା ହେବା ପୂର୍ବରୁ ମୁଁ ବୁଲି ବୁଲି ଲାଲି ମନ୍ଦାର, ଗେଣ୍ଡୁ ଫୁଲ ଯୋଗାଡ କଲି । ଘରକୁ ଫେରି ଅଲଗା ଅଲଗା ମାଳ ଗୁନ୍ଥିଲି । ମଧ୍ୟ ରାତ୍ରି ରେ, ମା' କାଳୀଙ୍କ ପୂଜା ପାଇଁ, ଏଇ ମାଳ ସବୁକୁ ବାପା, ମଣ୍ଡପକୁ ନେଇ ଯିବେ । ତେଣେ ଭିତର ଘରେ, ଯାଇ ଦେଖିଲି, ମିଷ୍ଟାନ୍ନ ସବୁ ପରାତରେ ଏମିତି ଥୁଆ ହୋଇଛି, ସତେକି ଦୋକାନର ଶୋକେଶ୍ କୁ ପଠାଯିବ । ଏଇଟା କେବଳ ଗୋଟିଏ ବର୍ଷର କଥା ନୁହେଁ, ବାପା ଆମର , ପ୍ରତି ବର୍ଷ, ଏମିତି ସବୁ ତିଆରି କରନ୍ତି ଆଉ ପାଖ ପଡିଶା ରେ ବାଣ୍ଟନ୍ତି ।

     କୁନା ତେଣେ ଉଛ୍ଛନ୍ନ, ବାହାରେ ବାଣ ଫୁଟାଇବା ଆରମ୍ଭ ହେଲାଣି । ମା' ସଞ୍ଜବତୀ ଲଗାଇ, ଦୀପ ସବୁ ଜାଳି ଦେଲେ । ମୁଁ ତାକୁ ନେଇ, ଧାଡି ଧାଡି କରି ଦୁଆର , ଚଉରା ପାଖ, ଅଗଣା ସବୁଠି ରଖିଦେଲି । ଦୀପ ଗୁଡିକୁ ଦେଖି ଦେଲେ ମନ ଭିତରଟା ଯେମିତି ଆଲୋକିତ ହୋଇ ଉଠୁଥିଲା । ସତରେ! ଶାନ୍ତ, ସୌମ୍ଯ, ନିଶ୍ଚଳ, ନିର୍ମଳ କିନ୍ତୁ ଅନ୍ଧକାରକୁ ଦୂର କରିବାରେ ସକ୍ଷମ ଏଇ ଦୀପ ମାଳ । ବୋଧହୁଏ! ନିଜେ ଜଳି ଜଳି ଦୁନିଆକୁ ଆଲୋକିତ କରିବାର ଶପଥ ନେଇଛନ୍ତି ଏଗୁଡିକ ।

  ବାପା, ବାଣ ସବୁ ଧରି ଦାଣ୍ଡକୁ ଗଲେ ।ଭାଇକୁ ମଧ୍ୟ ସାଙ୍ଗରେ ଧରିକି ଗଲେ । ପିଲା ଲୋକ ସେ । ତେଣୁ ବଡ ମାନଙ୍କ ଉପସ୍ଥିତି ନିହାତି ଦରକାର ।ସମୟ କ୍ରମେ ସହରରେ ବାଣର ଶବ୍ଦ ବଢିବାକୁ ଲାଗିଲା । ଇଛା ତ ହେଉଥିଲା, କାନ ବନ୍ଦ କରି ଭିତର ଘରେ ବସି ରହିବାକୁ । କିନ୍ତୁ ସାନ ଭାଇ, ଘର ଭିତରକୁ ନ ଆସିଲା ଯାଏଁ ମନରେ ଶାନ୍ତି ନାହିଁ ।ମୁଁ ଆଉ ମା' , ଦୂଆର ପାଖରେ ବସି ଦେଖୁଥାଉଁ । ପଡିଶା ଘର ଭାଇନା, ବିଭିନ୍ନ କିସମର ବାଣ ଫୁଟାଉ ଥା'ନ୍ତି । ହଠାତ୍! ମୋ ଭାଇ ବୟସର କିଛି ପିଲା, ଆମ ଗେଟ୍ ପାଖରେ ଆସି ପହଞ୍ଚିଲେ । ସେମାନେ ବାଣ ଫୁଟାଇବାକୁ ଅନେଇ ଥା'ନ୍ତି। ମା' କହିଲେ, ଏମାନେ ପରା ସେଇ ଝୁମ୍ପୁଡିରେ ରହନ୍ତି । ଗରିବ ପିଲାଗୁଡାକ । ସେମାନେ ବାଣ କଉଠୁ ପାଇବେ? ବାପା କିଛି ବାଣ ନେଇ, ସେମାନଙ୍କ ଆଡକୁ ଗଲେ । ଗୋଟିଏ ପିଲା ହାତରେ ଧରେଇ ଦେଇ ଫେରି ଆସିଲେ । ଭାଇଟି ମୋର ସବୁ ବେଳେ ଅବୁଝା । ମନ ଦୁଃଖରେ ଆସି ବସିପଡିଲା--"ବାପା କାହିଁକି ମୋ ବାଣରୁ ସେମାନଙ୍କୁ ଦେଇଦେଲେ ?" ବାପା ତା'କୁ କିଛି କହିବାକୁ ଯାଉଥିଲେ, ଖୁବ୍ ଜୋର୍ ରେ ଶବ୍ଦ କରି ବାଣ ଫୁଟିବା ସହ କୌଣସି ପିଲାର ଚିତ୍କାର ଶୁଣାଗଲା। ସମସ୍ତେ ଧାଇଁଲେ, ଆମ ପଡିଶା ଘର ଗେଟ୍ ପାଖକୁ । ବାପା ମଧ୍ୟ ଧାଇଁ ଲେ ସେଠିକି । ବାଣର ଅତ୍ୟଧିକ ସତେକି ସହରଟି ଦୋହଲୁଥାଏ। କିଛି ଅଘଟଣର ଆଭାସରେ ସମଗ୍ର ଶରୀରଟା ମୋର ପାଣି ହୋଇ ଯାଇଥିଲା । ମୁଁ ସେଇଠି ଥପ୍ କରି ବସି ପଡିଲି । ବାପା ଫେରି ଆସିଲେ । ମା'ଙ୍କୁ କ'ଣ କହି ପୁଣି ବାହାରି ଗଲେ। ମା' ଆଉ ଭାଇ ଭିତରକୁ ଆସିଲେ । ପଚାରି ବୁଝିଲି ଯେ-- ସେଇ ଝୁମ୍ପୁଡି ପିଲାଙ୍କ ମଧ୍ୟରୁ ଜଣେ ଅଫୁଟା ବାଣ ଗୋଟାଉ ଥିଲା ଆଉ ସେତିକି ବେଳେ ବାଣଟି ଫୁଟି ଗଲା । ପିଲାଟିର ମୁଁହ,ହାତର ଅଧିକାଂଶ ଜଳିଗଲା। ବାପା ଓ ପଡିଶା ଘର ମଉସା, ତା'କୁ ନେଇ ଡାକ୍ତରଖାନା ଗଲେ । 

     ଦୋହଲୁଥିବା ସହରର ଅତ୍ୟଧିକ ବାଣ ଶବ୍ଦରେ, ପିଲାଟିର କରୁଣ ଚିତ୍କାର ହଜିଗଲା। ଦୀପାବଳିର ଅର୍ଥ କ'ଣ ଏଇଆ? ମନରେ ଅନେକ ପ୍ରଶ୍ନ । ଆଶଙ୍କାରେ ଥରୁଥିଲି ମୁଁ ......

           ---

       


Rate this content
Log in

Similar oriya story from Inspirational