Swagatika Behera

Inspirational

4.5  

Swagatika Behera

Inspirational

ନୀରବ ସଂଗ୍ରାମୀ

ନୀରବ ସଂଗ୍ରାମୀ

7 mins
737



ଆଖିରୁ ଚଷମା କାଢି ଗୀତା ବହିଟାକୁ ଧଡ଼ କରି ରଖିଦେଲେ ବୁଢା ମାଷ୍ଟ୍ରେ । ବୟସଟା ତାଙ୍କୁ ଟେକି କଚାଡି ଦେଲାଣି ହେଲେ ବି ସେ ନିଜକୁ ଯବାନ ମନେ କରନ୍ତି। ଜୀବନଟା ଯାକ ସମସ୍ତେ ତାଙ୍କୁ ମାଷ୍ଟ୍ରେ ବୋଲି ଡାକୁଥିଲେ ହେଲେ ସେ ଏବେ ବୁଢା ମାଷ୍ଟ୍ରେ । 


ପେପର ଵାଲା, ଘର ପାଖର ଚା' ଵାଲା କେହି ତାଙ୍କୁ ବୁଢା ମାଷ୍ଟ୍ରେ ଡାକିଲେ ସେ ପ୍ରଥମେ ଚଷମା କାଢି ତାଙ୍କୁ ଚାହାଁନ୍ତି ଓ ହସନ୍ତି । ଯେଉଁ ସମୟରେ ଲୋକେ ସ୍କୁଲ ଦେଖିନଥିଲେ ମାଷ୍ଟ୍ରେ ସେଇ ସମୟର ଗ୍ରାଜୁଏଟ ! କେତେ କେତେ ଲୋକଙ୍କୁ ମାଗଣାରେ ପାଠ ପଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଛନ୍ତି ସେ । 



ସମାଜକୁ ସିନା ଶିକ୍ଷାର ମନ୍ତ୍ର ବାଣ୍ଟିଦେଲେ, ହେଲେ ବାସ୍ତବତାକୁ ନିଜ ଛାତି ପକେଟରେ ଏବେବି ଜାବୁଡି ରଖିଛନ୍ତି ମାଷ୍ଟ୍ରେ । ମୁଁ ତାଙ୍କୁ ମୋ ପିଲାଦିନରୁ ଦେଖି ଆସିଛି ବିଭିନ୍ନ ପ୍ରକାର ସଭା ସମିତି କରି ନାରୀଶିକ୍ଷା, ଶିଶୁ ଶିକ୍ଷା,ଯୌତୁକ ବିରୋଧରେ ସଭା ଏମିତି ଅନେକ କଥାର ପ୍ରସାର କରିଛନ୍ତି ଆମ ମାଷ୍ଟ୍ରେ । ହିସାବରେ ମୁଁ ତାଙ୍କର ନାତୁଣୀ।


ଜେଜେଙ୍କୁ କେତେଟା ପ୍ରଶ୍ନ ପଚାରିବି ବୋଲି ତାଙ୍କ ପାଖକୁ ଆସିଥିଲି । ମୁଁ ଯେତେବେଳେ କିଛି ବୁଝିପାରେନି ସେତେବେଳେ ତାଙ୍କ ପାଖରେ ଯାଇ ବସେ । ଗୋଟିଏ ପଚାରିଲେ କୋଟିଏ କଥା କହି ମୋ ଭ୍ରମ ଦୂର କରିଦିଅନ୍ତି । 

ଶିକ୍ଷାର ମୌଳିକ ଅଧିକାର ପାଇଁ ତାଙ୍କର ବହୁ ଚିନ୍ତା ! ତାଙ୍କ ମତରେ ଶିକ୍ଷା ମଣିଷ ଭିତରେ ମଣିଷତ୍ୱ ସୃଷ୍ଟି କରେ । ଶିକ୍ଷା ବ୍ୟକ୍ତିକୁ ସ୍ୱାବଲମ୍ବୀ କରାଇବା ସହିତ ଅଭାବକୁ ଦୂର କରିଥାଏ । ସତରେ ! ଯେମିତି ମୌଳିକ ଶିକ୍ଷାର ଉଦ୍ଧାର ପାଇଁ ସେ ଜଣେ ଜାଗ୍ରତ ପ୍ରହରୀ । 


ସେ ଦେଇଛନ୍ତି ଅନେକ ହେଲେ ପାଇଛନ୍ତି କଣ ? ହୁଏତ ଶିକ୍ଷା ଦାନ କରି ସେ ଧର୍ମ ଅର୍ଜନ କରିଛନ୍ତି, ହେଲେ ଏବେବି ତାଙ୍କୁ ଦେଖିଲେ ଲାଗେ ସେ ଏସବୁ ଭିତରେ ନିଜକୁ ହରେଇଦେଇଛନ୍ତି । ସଞ୍ଜରେ ମୋତେ ପାଖରେ ବସେଇ କେତେ କଣ ଗପନ୍ତି ! ମୁଁ ନୀରବ ହୋଈ ଶୁଣେ ।ହେଲେ ସବୁ ବୁଝି ପାରିବି କିଛି ନବୁଝିବାର ଅଭିନୟ କରେ । କାହିଁକି ନା ସେ ପରା ମୋର ଦ୍ରୋଣାଚାର୍ଯ୍ୟ । ମୁଁ ତାଙ୍କର ଭାରି ଗେହ୍ଲା । ମୁଁ ବି ତାଙ୍କୁ ମୋର ବାପା, ମା', ବନ୍ଧୁ ସବୁ ମାନି ନେଇଛି । ମୋତେେ ସନ୍ଧ୍ୟାରେ ଡାକି କୁୁହନ୍ତି ମା' 

ପଦେ ଗାଇଦେଲୁ " ଅଖିଳ ବ୍ରହ୍ମାଣ୍ତ ପତି ମୋ ଜୀବନ ସ୍ବାମୀ..."

ମୁଁ ଗୀତ ଗାଇବା ପରେ ସେ ହାତ ଉପରକୁ ଟେକି ଦିଅନ୍ତି,ଆଖି ମୂଜି ଦେଇ ଗୁଣୁଗୁଣୁ ହୁଅନ୍ତି।ସତରେ, ଶିକ୍ଷାଦାନ କରୁଥିବା ଏ ଶିକ୍ଷକ ଏ ସମାଜକୁ ସୃଷ୍ଟିକର୍ତ୍ତାଙ୍କ ହାତରେ ଟେକିଦେଇ ଏକ ଅପୂର୍ବ ଶାନ୍ତିର ବିଶ୍ରାମ ନିଅନ୍ତି ।


 ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କର ପ୍ରିୟ ହେଉଛନ୍ତି ଆମ ମାଷ୍ଟ୍ରେ।ନିଜ ଗାଁ ଠାରୁ ଆରମ୍ଭ କରି ଆଖପାଖ ସବୁ ଗାଁ'ରେ କିଛି ହେଲେ ଡାକରା ପଡେ ବୁଢା ମାଷ୍ଟ୍ରେଙ୍କର ।ବିଚାର କରିବାର ଶକ୍ତି ଅତି ବିଚକ୍ଷଣ।ଯେତେ ବଡ଼ ସମସ୍ୟା ହେଲେ ବି,ସେ ସରଳ ସମାଧାନଟିଏ ଖୋଜି ଦିଅନ୍ତି। 


ଆମେ ବସିଗଲେ ଅନେକ କଥା ଆଲୋଚନା ହୁଏ। ଗାଁ ଠୁ ନେଇ ସହର,ଆଉ ସହର ଠୁ ନେଇ ଦେଶବିଦେଶ ସବୁ ର ଆଲୋଚନା ହୁଏ।ସେଦିନ ସେ ମୋ ମୁହଁକୁ ଦେଖି କହିଲେ ମା' କୃଷ୍ଣା ଗୋଟେଥର କ'ଣ ହେଲା ଜାଣୁ।


ମୋ ଚାକିରୀ ବେଳରେ ଜଣେ ଇନସ୍ପେକ୍ଟର ସ୍କୁଲ ବୁଲି ଆସିଥିଲେ । ତାଙ୍କ ଶାରୀରିକ ଗଠନକୁ ଦେଖି ଗୋଟିଏ ପିଲା ପରିହାସ କଲା ଭଳି କିଛି କଥା କହିଲା । ମୁଁ ସାଙ୍ଗେ ସାଙ୍ଗେ ତା କାନ ଭିଡି ଦି' ଚାପୁଡ଼ା ଦେଇଥିଲି । ଇନସ୍ପେକ୍ଟର ଚୁପ ହେଇଗଲେ । କହିଲେ ସାର ! ଏ କଣ କଲେ ? ଦମ୍ଭରେ ଉତ୍ତର ଦେଲି, କହିଲି ପିଲାକୁ ବାଟକୁ ଆଣିବାପାଇଁ କେବେ କେବେ ଶାସନର ଆବଶ୍ୟକ ପଡିଥାଏ ସାର । ମୋ ଛୁଆ ପରା ଗୋଟେ ଗୋଟେ ସୁନାମୁଣ୍ଡା । ସୁନାକୁ ଯେତେ ମାଜିବ ସେ ସେତେ ଚକଚକ କରିବ । 


ଏ କଥା ଶୁଣି ମୋର ବି ନିଜ ଅନୁଭୂତିରୁ ଗୋଟିଏ କଥା ମନେପଡ଼ିଲା । ପେପରରେ ପଢ଼ିଥିଲି ବୋଧେ! ସ୍କୁଲରେ ଗୋଟିଏ ପିଲାକୁ ଚାପୁଡ଼ା ମାରି ଶିକ୍ଷକ ନିଲମ୍ବିତ।ମୋ ମନକୁ ବି ପ୍ରଶ୍ନଟିଏ ଆସିଲା ସତରେ ଶିକ୍ଷକ କଣ ଜଣେ ଦେଶ ନିର୍ମାଣ କର୍ତ୍ତା? ଯଦି ସେମିତି ତେବେ ସେ ଏତେ ନ୍ୟୁନ ମାନର ବେତନ କାହିଁକି ପାଏ? ତା ପାଇଁ ଏତେ ନିୟମ କାହିଁକି?ପଢା ଶେଷ ପରେ ତାଙ୍କୁ କିଏ ପଚାରେ?


 ଜେଜେ ଏମିତି ବହୁତ କଥା କହିଲେ, ସେଦିନ ମୁଁ ପୁଣି କିଛି ସ୍ମୃତିକୁ ସାଉଁଟି ନିଜ ରୁମକୁ ଫେରିଗଲି । ଆର ଦିନ ଜେଜେ ଟିକେ ଅସୁସ୍ଥ ଅନୁଭବ କରୁଥିଲେ । ପୁରା ଦିନ ଚୁପ ଥିଲେ ଆଉ ବିଛଣାରେ ପଡି ରହିଥିଲେ । 


ମୁଁ ହାତରେ ଗୋଟେ ଗ୍ଲାସ କ୍ଷୀର ନେଇ ତାଙ୍କ ପାଖକୁ ଗଲି, କହିଲି ଉଠ ଟିକେ କ୍ଷୀର ପିଇଦିଅ ଭଲ ଲାଗିବ । ମୋତେ କେମିତି ଗୋଟେ ଚାହିଁଲେ କହିଲେ ନା,ତୁ ତାକୁ ସେଇଠି ରଖିଦେ । ଏତିକି କହି ମୋ ହାତକୁ ଧରି ପାଖରେ ବସାଇଲେ । 


ଏ କଣ ! ମୁଁ କଣ ଦେଖୁଛି ? ଯୋଉ ଲୋକକୁ କେବେ କାନ୍ଦିବାର ଦେଖିନି, ଯୋଉ ଲୋକକୁ କେବେ ଉଦାସ ହେବାର ଦେଖିନି ସେଇ ପୁଣି ଆଜି କାନ୍ଦୁଛନ୍ତି । ଭୟଭୀତ ହେଉଥିଲା ମୋ ମନ । ଜେଜେ କହିଲେ.. ମୋ ଦୁଃଖ କ'ଣ ଜାଣୁ ମା' ? କମ୍ପୁଥିବା ଓଠକୁ ଖୋଲି କହିଲି କଣ ଜେଜେ ? 


ବେଦ, ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଥିବା ଦେଶ ହେଉଛି ମୋ ଭାରତ । ଏଠି ତେତିଶ କୋଟି ଦେବତାଙ୍କୁ କଳ୍ପନା କରାଯାଇ ଗୀତାକୁ ମୁକ୍ତି ପଥ ବୋଲି ମାନ୍ୟତା ଦିଆଯାଏ ।ଯେଉଁ ଦେଶରେ ଗୁରୁଙ୍କୁ ଆଚାର୍ଯ୍ୟ ବୋଲି ସମ୍ବୋଧନ କରାଯାଉଥିଲା, ସେଠି ଆଜି "ଗୁରୁ" ର ଅର୍ଥ ବଦଳି ଯାଇଛି । ଯାହା ଦିନେ ବ୍ରତ ଥିଲା ତାହା ଏବେ ବୃତ୍ତି ହୋଇ ଯାଇଛି।


ଉପରକୁ ସିନା ହସେ ହେଲେ ମନ ଭିତରଟା କଣ ହେଇଯାଏ । ମୋର ଗୋଟିଏ ବୋଲି ପୁଅକୁ ଦେଶ ସେବା ପାଇଁ ସୀମାରେଖାକୁ ପଠେଇଦେଲି । ଯିବାର ପାଞ୍ଚବର୍ଷ ପରେ ଖବର ଆସିଲା; ଆପଣଙ୍କ ପୁଅ ଦେଶ ପାଇଁ ସହିଦ ହୋଇଛନ୍ତି । ଏ ଖବର ଶୁଣି ତୋ ମା' ଦୁଃଖ ସହି ନପାରି ହୃଦଘାତରେ ଚାଲିଗଲା । ତୋ ଜେଜେ ମା ତୁନି ତୁନି ହୋଈ କାନ୍ଦେ । ମୋ ମନ କାଳେ ଦୁଃଖ ହେବ ସେଥିପାଇଁ ମୋ ପାଖକୁ ଆସେନି ।


ସେଦିନ କିନ୍ତୁ ଜେଜେଙ୍କ ଆଲୋଚନା ମତେ ଆଲୋଚନା ପରି ଲାଗୁ ନଥିଲା,ଅଭିଯୋଗ ପରି ଅନୁଭବ ହେଉଥିଲା।ପାଟିରୁ ଛେପ ଗୁଡ଼ା ଛିଟିକି ପଡିଲା ।


 ଜିନିଷ ପୁରୁଣା ହୋଇଗଲେ ତାର ଆଦର କମିଯାଏ ସେମିତି ମଣିଷ ବୁଢା ହୋଇଗଲେ ସମସ୍ତଙ୍କ ପାଇଁ ବୋଝ ହୋଇଯାଏ । ମୁଁ ଚାତକ ପରି ଜେଜେଙ୍କୁ ଦେଖୁଥାଏ ! ଜେଜେ ପୁଣି କହିଲେ । ଆଜିର ବାପା ମା' ଛୁଆଙ୍କୁ ମଣିଷ କରିବା ପାଇଁ ନିଜର ଜନ୍ମକଲା ବାପା,ମା' ଙ୍କୁ ପର କରିଦିଅନ୍ତି ଆଉ ସେଇ ଛୁଆ ତାଙ୍କୁ ପଠେଇ ଦିଅନ୍ତି ଵୃଦ୍ଧାଶ୍ରମକୁ । ବୁଝିଲୁ ମା' ବୃଦ୍ଧାଶ୍ରମକୁ ଜ୍ଞାନାଶ୍ରମ କହିଲେ କେମିତି ହୁଅନ୍ତା ?କାହିଁକି ନା ଗଛର ଚେର ଯେତେ ତଳକୁ ଯାଇଥାଏ ସେହି ଗଛ ଗୋଟେ ମହା ଦ୍ରୁମରେ ପରିଣତ ହୋଇଥାଏ ।ପାକଳ ଗଛ ଗୁଡାକ ତ ଗୋଟିଏ ଜାଗାରେ ପଡିରହିଲେ । ତାଙ୍କ ପାଖରୁ ଜନ୍ମିତ ଚାରା ଗୁଡାକ ବା କୋଉ କାମର ? 


ଜେଜେଙ୍କ ଭାବନାକୁ ମୁଁ ଭଲ ଭାବରେ ବୁଝି ପାରୁଥିଲି । ଜେଜେ କିଛି ସମୟ ଅଟକି ଗଲେ । ଭାବିଲି ଶୋଇଯିବେ ବୋଧେ ହେଲେ ସେ ପୁଣି କହିବା ଆରମ୍ଭ କଲେ ।କହିଲେ ଦେଖିଛୁ କି ମା' ! କୋଉଠି ସରକାରୀ ଡାକ୍ତରଖାନା ହେଉ

, ପୋଲିସ ଷ୍ଟେସନ ହେଉ କି କୌଣସି କାର୍ଯ୍ୟାଳୟ- ଭଦ୍ରତା, ସଂଯମତା, ସାଧୁତା, ଶୃଙ୍ଖlଳାର ଚିହ୍ନ ? ସବୁ ଲୋପ ପ୍ରାୟ । 


ସବୁଆଡେ ଖାଲି ଗୋଟିଏ ଚିତ୍କାର ମୋର ମୋର ମୋର । ବର୍ତ୍ତମାନର ଯୁଗ ହେଉଛି ଭୌତିକ ଯୁଗ । ଭୌତିକ ସୁଖର ଚରମ ରୂପ ହେଉଛି ପାସବିକତା । ସେଥିପାଇଁ ଖବର କାଗଜର କୋଳ ମଣ୍ଡନ କରେ ଚୋରି, ହତ୍ୟା ଆଉ ବଳାତ୍କାର । ପାଠ ତ ଏତେ ପଢୁଛନ୍ତି ହେଲେ ଶିକ୍ଷିତ କେତେ ଜଣ ? ପଢା ବହିକୁ ଘୋଷି ବୁଝି ମନେ ରଖିଦେଲେ କେହି ଜ୍ଞାନୀ ହୁଏ ନାହିଁ । ନିଜ ଭିତରେ ନିତିବାଦୀତା ଓ ମାନବୀୟ ଚିନ୍ତାଧାରାର ବିକାଶ କରିବା ଦରକାର । ଯଦି ଏହି ସବୁ ନଥାଏ ତେବେ ବାଡ଼ି ବାଇଗଣ ଆଉ ପୋଥି ବାଇଗଣ ସବୁ ସମାନ ହୋଇଯିବ ।


 ପ୍ରାଚୀନ ଭାରତରେ ଗୁରୁମାନେ ଥିଲେ ଜଣେ ଜଣେ ନିତିବତ୍ତା । ବର୍ତ୍ତମାନ ଯୁଗର ମହାପୁରୁଷଙ୍କ ଜୀବନୀ କେବଳ ପ୍ରତିଯୋଗିତା ଦେବା ଭଳି ଗୋଟେ ଗୋଟେ ବିଷୟ । ନୀତିଶିକ୍ଷା କେବଳ ଧର୍ମକୁ ଆଖିଠାର ମାତ୍ର । ଜାଣୁ ରାସ୍ତାରେ ଯିବାବେଳେ କୋଉ ଛୁଆକୁ ଭିକ ମାଗୁଥିବାର ଦେଖିଲେ, ଦୋକାନରେ କାମ କରୁଥିବାର ଦେଖିଲେ ଲାଗେ ଏ ଶିକ୍ଷିତ ଭଦ୍ର ସମାଜଟା ନିଜ ଶରୀରରୁ ପୋଷାକ ଖୋଲି ଉଲଗ୍ନ ହୋଇଯାଇଛି । ଏତେ କଥା ଭିତରେ ମୁଁ ଅନୁଭବ କଲି ଜେଜେଙ୍କ ହାତ ଶିଥିଳ ହେଇଯାଉଛି । ଜେଜେ ଦୁର୍ବଳ ଲାଗୁଛନ୍ତି । ମୁଁ କହିଲି ଜେଜେ ଶୋଇପଡ ରାତି ଅଧ ହେଲାଣି ପରା ! ଲାଗୁଥିଲା ଜେଜେ ରାଜି ନାହାନ୍ତି ଶୋଇବାକୁ । ମୁଁ ବୁଝେଇବାକୁ କହିଲି ; ମୁଁ ଶୋଉଛି ମୋତେ ନିଦ ଲାଗିଲାଣି ପରା, ଆଜି ଏଇଠି ଶୋଇବି । କେଜାଣି କେତେବେଳେ ଆଖି ଲାଗିଗଲା ଜାଣି ପାରିଲିନି ! 


ସକାଳ ହେଲା । କାହିଁ କେଜାଣି ସେଦିନ ମୁଁ ଟିକେ ଡେରିରେ ଉଠିଲି । ଜେଜେ ଚଉକିଟିକୁ ଆଉଜି ଶୋଇଥାନ୍ତି । କାଲି ଜେଜେଙ୍କ ଅସୁସ୍ଥତା ବିଷୟରେ ଭାବି ଆଉ ତାଙ୍କୁ ଡାକିଲିନି । ବାହାରକୁ ଚାଲି ଆସିଲି । ଜେଜେ ମା' ପଚାରିଲା "ଆଲୋ ତୋ ଜେଜେ ଉଠି ନାହାନ୍ତି କି ??"ଖବର କାଗଜଟା ଯେ ଏଠି ତାଙ୍କୁ ଝୁରି ମରୁଛି । ମୁଁ ଟିକେ ହସିଦେଲି କହିଲି ନାଇଁ ଡାକିବୁନି ତାଙ୍କୁ ସେ ନିଜେ ଉଠିଲେ ଉଠିବେ । ଦିନ ଦଅଶ ହେବ ସେତେବେଳକୁ ମୁଁ ନିଜ ନିତ୍ୟକର୍ମ ସାରି ପୂଜା ଘରେ ଜେଜେଙ୍କୁ ଅପେକ୍ଷା କରିଥାଏ । 


ଜେଜେ ତ ସବୁଦିନ ଜଲଦି ଆସିଯାଆନ୍ତି ହେଲେ ଆଜି କାହିଁ ଆସିଲେନି ଯେ ? ତରତର ହୋଈ ତାଙ୍କ ରୁମ ଆଡେ ଧାଇଁଗଲି । ଦେଖିଲି ଜେଜେ ସେମିତି ଶୋଇ ରହିଛନ୍ତି । ଜେଜେଙ୍କୁ ଏ ଅବସ୍ଥାରେ ଦେଖି ପାଦ ଆଗକୁ ବଢ଼ୁ ନଥିଲା । କାହିଁ କେଜାଣି ଅଜଣା ଆତଙ୍କରେ ମୋ ଦେହ ଧରୁଥିଲା । ଧୀରେ ଧୀରେ ଆଗକୁ ଗଲି । ଜେଜେଙ୍କୁ ଛୁଇଁବାର ସାହସ ମୋର ନଥିଲା । ତଥାପି ହାତଟା କୁ ନେଇ ଜେଜେଙ୍କ ମୁହଁଟାରେ ବୁଲେଇ ଦେଲି । କାହାକୁ ରାଣ ଦେଲା ଭଳିଆ ଜେଜେଙ୍କ ମୁହଁଟା ମୋ ହାତରୁ ଖସି ଆର ପଟକୁ ବୁଲିଗଲା । ଆଖିରୁ କେଇବୁନ୍ଦା ଅଭିମାନ ଜେଜେଙ୍କ ହାତ ଉପରେ ପଡିଗଲା । ଚିଡେଇ ଚିଡେଇ ଡାକିଲି ବୁଢା ମାଷ୍ଟ୍ରେ ଓ ମାଷ୍ଟ୍ରେ.... ମାଷ୍ଟ୍ରେ... ମାଷ୍ଟ୍ରେ.... କଣ୍ଠରୁଦ୍ଧ ହୋଇଯାଉଥିଲା । ହେଲେ ଏତେ ଡାକ ପରେ ବି ସେ ଉଠିଲେନି । ନବଜାତ ଶିଶୁ ପରି ଜୋରେ କାନ୍ଦି ଉଠିଲି । ମୋ କାନ୍ଦ ଶୁଣି ଜେଜେ ମା ସହ ପାଖ ପଡୋଶୀ ଦଉଡିଆସିଲେ । କିଛି ସମୟ ପରେ ଜେଜେଙ୍କର ଶାନ୍ତ ମନ୍ଦିରଟା କୋଳାହଳପୂର୍ଣ୍ଣ ହୋଇଗଲା । ଏତେ ଭିଡ଼ ଭିତରେ ମୁଁ ମୋ ଜେଜେ ମା' କୁ ଖୋଜି ଚାହିଁଲି । ସେ ଅଚେତ ହୋଈ ପଡିଥିଲା । ଧୀରେ ଧୀରେ ଜନସମାଗମ ବଢ଼ୁଥିଲା । ବନ୍ଧୁ ବାନ୍ଧବ ସହ ଜେଜେଙ୍କ କେଇଜଣ ପ୍ରିୟ ଛାତ୍ର ଆସି ଜେଜେ ମା' ପାଖରେ ଚୁପ ହୋଈ ବସିଥିଲେ । ଗାଁ ର କିଛି ଲୋକଙ୍କ ସହ ଜେଜେ ଚାଲିଗଲେ ଗାଁ' ଶେଷ ମୁଣ୍ଡର ପବିତ୍ର ସ୍ଥାନକୁ । 


ଚାରିଆଡ ଶୂନଶାନ, ନିଶବ୍ଦ । ପକ୍ଷୀ ଗୁଡାକ ଆଜି କିଚିରିମିଚିରି କରୁନାହାନ୍ତି । ବୋଧେ ମୋ ଜେଜେଙ୍କୁ ମନେ ପକଉଛନ୍ତି ! ନିଜ ରୁମରେ ବେଶି ସମୟ ବସି ପାରିଲିନି । ଦୌଡ଼ିଗଲି ମୋ ଜେଜେଙ୍କ ରୁମ ଆଡକୁ । ବଞ୍ଚିଥିଲା ବେଳେ ଜେଜେ ନିଜ ଆଲମାରିକୁ କାହାକୁ ହାତ ଲଗେଇ ଦିଅନ୍ତିନି । ଆଉ ସମସ୍ତେବି ଜାଣନ୍ତି ସେ ଆଲମାରୀ ସାରା ବହି ଆଉ ଫଟୋରେ ଭର୍ତି । ହୁଏତ ସେଥିପାଇଁ ସେ ତାଲା ସେ ଯାଏଁ ଆଲମାରୀରେ ଝୁଲୁଥିଲା । ଚାବି ଆଣି ତାଲା ଖୋଲିଲି । ମନରେ ଅନେକ କୋହ ହାତରେ ପ୍ରଥମେ ଜେଜେଙ୍କ ଡାଏରୀଟା ବାଜିଲା । ଡାଏରୀଟାକୁ ହାତରେ ଜାବୁଡି ଧରୁ ଧରୁ ମୋର ରାଗ, ଅଭିମାନ, କୋହ ପାଣି କରି ସବୁ ଅଜାଡି ଦେଲି ତାରି ଉପରେ । ଜେଜେଙ୍କ ଚଉକି ଉପରେ ବସି ପଡିଲି, ଖୋଲିଲି.... ଡାଏରୀର ପ୍ରଥମ ପୃଷ୍ଠାକୁ ଲେଖାଥିଲା; 

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ 

ଦେଖୁ ଦେଖୁ କେବା ସହୁ !

ମୋ ଜୀବନ ପଛେ ନର୍କେ ପଡିଥାଉ 

ଜଗତ ଉଦ୍ଧାର ହେଉ!!


ପ୍ରତ୍ୟେକଟି ପୃଷ୍ଠାରେ ଜେଜେଙ୍କର ଜୀବନ ଦର୍ଶନ ।ପଢିବାକୁ ଇଛା ଥିଲେବି ସବୁ ଗୁଡା ପଢି ପାରିଲିନି । 

ମୋ ଜେଜେ ଚାଲିଗଲେ ! ନୀରବ ସଂଗ୍ରାମୀ ହୋଈ ।

ଆଉ ଏଇଠି ଛାଡ଼ିଗଲେ ତାଙ୍କର ପାଣ୍ଡୁଲିପିକୁ । ମୁଁ ନିଜେ ବି ଜାଣିନି ମୁଁ ଏହାର ଉତ୍ତରାଧିକାରୀ ହେବି ନା ସ୍ମୃତି କରି ପୁଣି ଆଲମାରୀରେ ବନ୍ଦ କରିଦେବି ।




Rate this content
Log in

Similar oriya story from Inspirational