ବୋଉ
ବୋଉ
ମୁଁ ଘରୁ ଆସିଲା ବେଳେ ବୋଉ ଟିକେ ଚୁପ୍ ଥିଲା।କହିଲା," ମାନା ଲୋ ତୁ ପୁଣି ଘରକୁ କେବେ ଆସିବୁ?"ଇଚ୍ଛା ତ ହଉଥିଲା କହିବାକୁ ବୋଉ ଲୋ ମତେ ତୋ ପାଖରେ ରଖି ଦେ,ତୋ କଷ୍ଟ ଦେଖି ପାରୁନି ଲୋ।ହେଲେ ମୁଁ ତ ଏବେ ପର ଘର ସମ୍ପତ୍ତି।ମୋର ତିନି ଭାଇ ହେଲେ କାହା ପାଖେ ମୋ ବୋଉ ପାଇଁ ସମୟ ନାହିଁ।
ଛୋଟ ବେଳୁ ବାପା ନାହାନ୍ତି,ବୋଉ ବଡ଼ କଷ୍ଟରେ ଆମକୁ ବଡ଼ କରିଛି।ହେଲେ ସବୁ ଭାଇ ପାଠ ପଢି ମଣିଷ ହେଲା ପରେ ନିଜ ନିଜ ସ୍ତ୍ରୀ ପିଲାଙ୍କୁ ଧରି ବିଦେଶରେ।ବୋଉର ଛାତିରେ ଗୋଟେ କଣା ଅଛି,ପ୍ରାୟ ବୋଉ ମୂର୍ଚ୍ଛା ଯାଏ।ବହୁତ୍ କଷ୍ଟ ହୁଏ ତାକୁ ଏକା ରହିବାକୁ ହେଲେ ଦିନେ ବି ଆଖିରୁ ଲୁହ ଝରେଇନି କାଳେ ପିଲାଙ୍କ ଅମଙ୍ଗଳ ହେବ।
ସେଦିନ ମୁଁ ଚାଲି ଆସିଲି।ହେଲେ ରାତିରେ ଫୋନ୍ ଆସିଲା, ପଡ଼ିଶା ଘର ସୀତା ମାଉସୀ କାନ୍ଦି କହିଲା- ମାନା ତୋ ବୋଉ ଚାଲିଗଲାରେ !!!ମଲାବେଳେ ବି ବୋଉ କାହାକୁ ଖୋଜିଲାନି ନା!! ତା ଚାତକ ଆଖି ଓଦା ହେଇଥିବ କି ନାହିଁ ଏମିତି ଗୁଡେ କଥା ଭାବି ମୋ ଆଖି ଧର୍ଯ୍ୟ ହରା ହେଇଗଲା।ଲାଗିଲା ମୋ ଛାତି ବି ଫାଟିଯିବ।ରାଗ ମିଶା ଗଳାରେ ଭାଇମାନଙ୍କୁ ଫୋନ୍ କଲି,କହିଲି ଆସିଯିବ ବୋଝ ଚାଲିଗଲା ଯେ!!
ସବୁ ଅନିଚ୍ଛା ସତ୍ତ୍ୱେ ବି ଆସିଲେ । ବୋଉର ଶବ ଦାହ ହେଲା।ମୋ ଆଖିରୁ ଲୁହ ଶୁଖୁ ନଥାଏ ହେଲେ ସେତିକିବେଳେ ବଡ ଭାଉଜ ଆସି ମୋ ହାତକୁ ଧରି ଭିଡ଼ି ନେଇ ଗଲେ।କହିଲେ ଆସ ତୁମ ସବୁ ଭାଇ ବୋଉଙ୍କ ଘର ସିନ୍ଦୁକ ପାଖେ ବସିଛନ୍ତି।ଏ ସୁଧି କ୍ରିୟା ସରିବା ବେଳକୁ ସବୁ ତ ନିଜ ରାସ୍ତାରେ ଚାଲିଯିବେ ଆଉ ଏ ସିନ୍ଦୁକର କ'ଣ ହେବ। ସାନ ଭାଇ ଆଗ ଯାଇ ସିନ୍ଦୁକ ଖୋଲିଲା, ସିନ୍ଦୁକରେ କିଛି ପୁରୁଣା ଫୋଟୋ, ବାପାଙ୍କ ଛତା,ବୋଉର ବାହା ଶାଢ଼ୀ ଗୋଟେ କଣକୁ ପତଳା ଜରିରେ ଗୁଡ଼ା ହେଇପଡ଼ିଥିଲା।ପୁରୁଣା ଜିନିଷ ଦେଖି ସବୁ ନାକ ଟେକି ଚାଲିଗଲେ।ଆଉ ମୁଁ ମୋ ବୋଉ ଶାଢ଼ୀ ଧରି ଭୋ ଭୋ କାନ୍ଦି ଉଠିଲି। ସାନ ଭାଉଜ ହସି କହିଲେ,କିଏ କଣ ନେବ ବାଛି ନିଅ...ଆମର କିଛି ଦରକାର ନାହିଁ ଏ ଅଦରକାରୀ ଜିନିଷ।
ଅତି ଆଦରରେ ଉଠେଇ ନେଇ ଛାତିରେ ଜାକି ଧରିଲି ମୋ ବୋଉର ଶାଢ଼ୀକୁ।ଲାଗୁଥିଲା ମୋ ବୋଉ ମତେ କୋଳେଇ ଧରିଛି ଯେମିତି।ଅଝଟି ବୋଉ କେତେ ଥର ଚିରା କୋତରା ଶାଢ଼ୀ ପିନ୍ଧି ଘରେ ପଡ଼ି ରହେ ହେଲେ ସାଇତି ରଖିଥିଲା ଏ ସୁନ୍ଦର୍ ଶାଢ଼ୀ ଖଣ୍ଡିକ।କେଜାଣି କାହା ପାଇଁ??
ଆଜି ବି ମୋ ଆଖିରେ ବୋଉର ସ୍ମୃତି ନାଚି ଉଠେ।ତା କଥା ମୋ କାନରେ ସବୁବେଳେ ଶୁଣାଯାଏ, ପାଗେଳି ଜୀବନ ସାରା ଆମକୁ ଦେଇ ଦେଇ ନିଜେ କିଛି ନ ନେଇ ଚାଲିଗଲା।ମନ ମୋର ମାନେନି ମୁଁ ଦଉଡ଼ି ଯାଏ ଝରକା ପାଖକୁ ଆଉ ଜୋରେ ଡାକେ ବୋଉ ଲୋ... ବୋଉ... ଏ ବୋଉ.... ବୋ....ଉ!!!
