ସଙ୍ଗରୋଧର ସମୟ-୧୨
ସଙ୍ଗରୋଧର ସମୟ-୧୨


ପ୍ରିୟ ଡାଏରୀ,
ଭୋକର ଚିତ୍ର କେତେ କରୁଣ ଏଇ ସଙ୍ଗରୋଧର ସମୟରେ।ଆର୍ଥିକ ସ୍ଵଛଳ ଲୋକେ ହୁଏତ ବେଶ ଉପଭୋଗ କରୁଛନ୍ତି ଏଇ ସମୟକୁ।ସପରିବାର।ଟିଭିରେ ଫେରି ଆସିଛି ଲୋକପ୍ରିୟ ରାମାୟଣ ଓ ମହାଭାରତ ସିରିଏଲ।ମଧ୍ୟବିତ୍ତ ଭାରତୀୟର ସମୟ କଟି ଯାଉଛି ଭଲରେ।ହେଲେ କେମିତି ଥାଆନ୍ତି ସେମାନେ, ଯେଉଁମାନଙ୍କ ଘରେ ଖାଇବାକୁ ନ ଥାଏ?
ଟ ଡାଉନ ସାରା ସହରରେ।ଘରୁ ବାହାରିଲେ ପୋଲିସ ଉଠାଇ ନେଉଛି।କୋକୁଆ ଭୟ ସବୁଆଡ଼େ।ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
ଘରେ ଖାଇବାକୁ କିଛି ନାହିଁ।ଛୁଆ ଦିଟାଙ୍କୁ ବାସୀ ତୋରାଣି ପିଆଇ ଦେଇ କୌଣସି ମତେ ବୋଧ କରିଦେଲା ସୁମି।ତାର ଗେରସ୍ତ ସନିଆ ବସି ଥିଲା ଗୁମ ହୋଇ।ପେଟରେ ଭୋକ ତ ମରି ସାରିଛି।ପିଲା ଦୁହିଁଙ୍କ ପାଇଁ ଚିନ୍ତା।ଏତେ ବଡ଼ ଦିନ।ପିଲା ଦିଟାଙ୍କ ମୁହଁରେ ଦେବାକୁ କିଛି ନାହିଁ।
ସୁମି ପାଣି ଗିଲାସେ ବଢ଼େଇ ଦେଲା,"ପିଇ ଦିଅ"।
ଢକ ଢକ କରି ପାଣି ତକ ପିଇ ଗଲା ସନିଆ।
-"ସରକାର ପରା ଗରିବ ଲୋକଙ୍କୁ ରାସନ ଦେବେ ବୋଲି କହୁଥିଲେ।"ସୁମି କହିଲା।
-"ସରକାରୀ ତାଲିକାରେ ଆମେ ଗରିବ ନୁହନ୍ତି। ଆମକୁ କଣ ବିପିଏଲ କାର୍ଡ ମିଳିଛି? କର୍ପୋରେଟର ପାଞ୍ଚ ହଜାର ଲାଞ୍ଚ ମାଗୁଥିଲା। ଏକ କାଳୀନ କେଉଁଠୁ ଆଣିଥାନ୍ତି ଏତେ ଟଙ୍କା?"ସନିଆ ଝାଳ ପୋଛିଲା କପାଳରୁ।
-"ସର୍ଵଗିଳା ଦଳ ଖାଲି ଭୋଟ ବେଳକୁ ଧାଇଁ ଥିବେ। ଆଉ ବିପଦ ବେଳେ ଧରା ଛୁଆଁ ଦେବେନି।"
-"ଛାଡ଼ ସେ କଥା। ସବୁ ଆମ ଭାଗ୍ୟ। ଖଟିଖିଆର ଭାଗ୍ୟରେ ଦୁଃଖ ହିଁ ଥାଏ କେବଳ।"ସନିଆ ଦୀର୍ଘଶ୍ଵାସ ଛାଡ଼ିଲା।
-"ରାତି ପାଇଁ କଣ କରିବା?"ସୁମିର ଏଇ ପ୍ରଶ୍ନରେ ଦୋହଲି ଗଲା ସନିଆର ପୁରୁଷପଣ।
-"ଆମେ ସିନା ଭୋକ ଉପାସରେ ରହି ଯିବା,ହେଲେ ଛୁଆ ଦି ଜଣ?"ସୁମିର କଥା ଶୁଣି ଉଠି ପଡ଼ିଲା ସନିଆ ବସିବା ଜାଗାରୁ।
-"ଥାଉ ଏ ଖରାରେ କୁଆଡ଼େ ଯିବ?ବେଳ ଗଡ଼ି ଯାଉ।"ସୁମି ଆକଟ କଲା ସନିଆକୁ।
ଦ୍ୱିପ୍ରହର ବୁଢ଼ା ହୋଇ ଆସିଲା। ସନିଆ ବାହାରିଲା ଦୁଆର ଟପି। ପଛରୁ ସୁମି ପରାମର୍ଶ ଦେଲା-"ଦେଖି କି ଯିବ,ମୋ ରାଣ।ଶୀଘ୍ର ପଳେଇ ଆସିବ।"
ସନିଆ ପାଦ ବଢ଼େଇଲା ଆଗକୁ।ସବୁ ତାଟି କବାଟ ବନ୍ଦ।କରୋନାର ଭୟ କିମ୍ବା ପୋଲିସର ଭୟରେ ସମସ୍ତେ ଆତ୍ମଗୋପନ କରି ରହିଛନ୍ତି ଘରେ।ସନିଆର ଭୟ କରୋନାକୁ,ପୋଲିସର ଲାଠି ମାଡ଼କୁ।ସେ ବି ଚାହେଁ ଆତ୍ମଗୋପନ କରି ରହିବା ଲାଗି ଘରେ।ସ୍ତ୍ରୀ ପିଲାଙ୍କ ସହ।ହେଲେ ସ୍ତ୍ରୀ ପିଲାଙ୍କ ମୁହଁରେ ଆହାର ଦେବା ଏବେ ତା ପାଇଁ ସବୁ ଠାରୁ ବଡ଼ ଆହ୍ୱାନ।
ଦୋକାନ ବଜାର ସବୁ ବନ୍ଦ।କେଉଁଠୁ କଣ ଯୋଗାଡ଼ କରି ପାରିବ ସନିଆ ଏଇ କର୍ଫ୍ୟୁ ସମୟରେ?
ହଠାତ ପୋଲିସ ଗାଡ଼ିଟେ ଆସିଲା।ଧାଇଁ ଯାଇ ଗୋଟିଏ ଦୋକାନ ପଛ ପଟେ ଲୁଚି ଗଲା ସେ।ପୋଲିସ ଗାଡ଼ି ରହିଲା କେଇ ମିନିଟ।ସନିଆର ଛାତି ଧଡ଼ ପଡ଼ ହେଲା-ପୋଲିସମାନେ ତାକୁ ଦେଖି ନାହାନ୍ତି ତ!
କିଛି ସମୟ ପରେ ପୋଲିସ ଗାଡ଼ି ଚାଲିଗଲା।ସନିଆ ବାହାରି ଆସିଲା ରାସ୍ତା ଉପରକୁ।ଭାରି ଦୁର୍ବଳ ଲାଗୁଥିଲା ତାକୁ।ଦି ଦିନ ହେଲା ପ୍ରାୟ କିଛି ଖାଇ ନ ଥିଲା ସେ। କେଉଁଠୁ କିଛି ଖାଇବାକୁ ମିଳିବ କି ଏବେ?
ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ। ଡଷ୍ଟବିନ ଆଡ଼କୁ ଧାଇଁ ଗଲା ସେ:କାଳେ କେହି ଅଧା ଖିଆ ଖାଇବା ପ୍ୟାକେଟଟେ ଫିଙ୍ଗି ଦେଇ ଥିବ!
ଓଃ!ଡଷ୍ଟବିନ ପୁରା ଖାଲି!!
ଗୋଟିଏ ନୁହେଁ, ଚାରିଟା ଡଷ୍ଟବିନ ଦରାଣ୍ଡି ପକାଇଲା ସନିଆ।କେଉଁଠି କିଛି ମିଳିଲା ନାହିଁ।ବେଶ ଅସହାୟ ବୋଧ କଲା ସେ।
ରାତି ହେଇ ଗଲାଣି।କିନ୍ତୁ ଖାଲି ହାତରେ କେମିତି ଫେରିବ ସନିଆ?
ଏଥର ଗୋଟିଏ ବାଟ:ଚୋରି!
ଭୋକ ବିକଳରେ କିଛି ବି କରି ପାରେ ସନିଆ!ତା ଆଖି ଆଗରେ ନିଜ ଭୋକିଲା ଛୁଆ ଦି ଜଣଙ୍କ ଶୁଖିଲା ମୁହଁ ଦିଶି ଯାଉଥିଲା।