STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

ଖରା

ଖରା

2 mins
569

-"ଓଃ... କି ଖରା ହେଇଚି ଆଜି!ଆଉ ଚାଲି ହବନି।"ତୁ ସତକୁ ସତ ଅଟକି ଗଲୁ।ରାସ୍ତା କଡ଼ରେ ଥିଲା ଗଛଟିଏ।ତାର ଛାଇ ତଳେ ଆମେ ଦିଜଣ।ବୈଶାଖର ଖରା ହୋଇ ଉଠିଛି ନିଷ୍ଠୁର ଓ ନିର୍ମମ।

ମୋତେ ଭାରି ଶୋଷ ହେଉଥିଲା।ବୋତଲରୁ ପାଣି ଢୋକେ ପିଇ ତୋ ହାତକୁ ବଢ଼େଇ ଦେଲି।

-"ଏମିତି ଖରାରେ କିଏ ଘରୁ ବାହାରେ?"ମୁଁ ଝାଳ ପୋଛୁଥିଲି ରୁମାଲରେ।

-"ସରି, ମୋ ପାଇଁ ଢେର କଷ୍ଟ ପାଇଲ ତୁମେ।ତୁମକୁ ପୁଣି ଫେରିବାକୁ ପଡ଼ିବ।"ତୋ ଆଖିରେ ଦୋଷୀ ଦୋଷୀ ଭାବ।

ମୁଁ ସହଜ କରିବାକୁ ଚେଷ୍ଟା କଲି-"କଷ୍ଟ କଣ, ଏଇଟା ତ ମୋର କର୍ତ୍ତବ୍ୟ।ତୁ କେମିତି ଆସିଥାନ୍ତୁ ଏକା ଏକା?ଦେଖିଲୁ ତ ବସ ଷ୍ଟାଣ୍ଡରୁ କେହି ରିକ୍ସାବାଲା ବି ଆସିବାକୁ ରାଜି ହେଲେ ନାହିଁ ।"

-"ଏତେ ଖରାପ ରାସ୍ତାରେ କିଏ ଆସିବାକୁ ରାଜି ହେବ?କଟକରୁ ଯାଜପୁର ଟାଉନ ପହଞ୍ଚିବାକୁ ଯେତେ ସମୟ ଲାଗେ, ଯାଜପୁର ଟାଉନରୁ ଆମ ଗାଁ ପହଞ୍ଚିବାକୁ ତା ଠାରୁ ବେଶୀ ସମୟ ଲାଗେ।"ତୁ ହସିଲୁ।ଖରାରେ ମଉଳି ଯାଇଥିଲା ତୋ ମୁହଁ।

ଅଚାନକ ସାଇନେ ଡାଏ ଘୋଷଣା ହୋଇଗଲା ଇଉନିଭରସିଟିରେ, ଛାତ୍ରମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ କାରଣରୁ।ଦିନ ବାରଟା ସୁଦ୍ଧା ସମସ୍ତଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଗଲା।ତୋ ଠାରୁ ଫୋନ ପାଇ ମୁଁ ଆସିଲି ତୋର ସହଯାତ୍ରୀ ହୋଇ।ତୁ କହିଥିଲୁ, ମୁଁ ଯାଜପୁର ଟାଉନରୁ ଫେରିଯାଏ।ହେଲେ ଦ୍ୱିପ୍ରହରର ଖରାରେ ତୋତେ ଏକା ଛାଡ଼ି ଫେରିଯିବା ମୋତେ ଠିକ ଲାଗିଲା ନାହିଁ।ତୁ ଅମଙ୍ଗ ହେଲୁ।କାଳେ ତୁମ ଗାଁରେ ତୋ ସହ ମୋତେ ଦେଖି କିଏ କଣ ଭାବିବେ, ଏଇ ଆଶଙ୍କାରେ।ଏଣୁ ମୁଁ ଆଶ୍ୱସ୍ତ କଲି,ମୁଁ ଫେରି ଆସିବି ତୁମ ଗାଁ ମୁଣ୍ଡରୁ।ତୁ ଆଉ କିଛି କହିଲୁ ନାହିଁ।

ପ୍ରାୟ ତିନି କିଲୋମିଟର ବାଟ ଆମେ ଆସି ସାରିଲେଣି ୟା ଭିତରେ।ଆଉ ପ୍ରାୟ ଗୋଟିଏ କିଲୋମିଟର ପରେ ତୋର ଗାଁ।ସେଇଠୁ ମୋର ଲେଉଟାଣି।ଏଇ ଡହ ଡହ ଖରାରେ।

ଆମେ ପୁଣି ଚାଲିବା ଆରମ୍ଭ କଲେ।ଛାଇକୁ ପଛରେ ଛାଡ଼ି।

-"ତୁମେ ସାଙ୍ଗରେ ଅଛ ବୋଲି ଏ ଖରା ଏତେ ବାଧୁନି।"ତୁ ଚାହିଁଲୁ ମୋ ଆଡ଼େ।ମୁଁ କିଛି କହିଲି ନାହିଁ।ମୋତେ ବି ଏ ନର୍ମମ ଖରା ଏତେ କଷ୍ଟ ଦେଉନି।କାହିଁକି ନା ତୁ ଅଛୁ ମୋ ସହ।ହେଲେ ଆଉ କିଛି ସମୟ ପରେ ଯେବେ ତୋତେ ଛାଡ଼ି ମୁଁ ଫେରିବି ଏଇ ରାସ୍ତାରେ, ହୁଏତ ଭାରି କଷ୍ଟ ଲାଗିବ।ହୁଏତ ଗଛର ଛାଇ ନେଇ ପାରିବ ନାହିଁ ମୋର କଷ୍ଟ।କେଜାଣି କେତେ ସମୟ ମୋତେ ଲାଗିଯିବ ଚାରି କିଲୋମିଟର ଦୂର ଯାଜପୁର ଟାଉନରେ ପହଂଚିବା ପାଇଁ।

ଆମେ ପହଞ୍ଚି ଯାଇଥିଲେ ତୁମ ଗାଁ ମୁଣ୍ଡରେ।ପ୍ରଥମ କରି ମୁଁ ଦେଖିଲି ତୋ ଗାଁ।ସବୁ ଗାଁ ମୋତେ ମୋ ଗାଁ ପରି ନିଜର ଲାଗେ।ମୁଁ ତୋ ବ୍ୟାଗ ଓହ୍ଲାଇଲି କାନ୍ଧରୁ ଓ କହିଲି-"ଠିକ ଅଛି।ଏଇଠୁ ମୁଁ ଫେରି ଯାଉଛି।"

ତୁ କପାଳରୁ ଝାଳ ପୋଛିଲୁ ଓ ପାଣି ପିଇଲୁ ବୋତଲରୁ।ମୁଁ ତୋତେ ଅନେଇ ଥିଲି।ତୁ କିନ୍ତୁ ମୋତେ ଅନେଇ ନ ଥିଲୁ।ତୋ ଆଖି ଦିଶୁଥିଲା ଛଳ ଛଳ।ମୁଁ ବୁଝିପାରୁଥିଲି ତୋର ଅସହାୟତା।ସେଇଥିପାଇଁ ତ ମୁଁ ଫେରି ଯିବାକୁ ଚାହେଁ ଏଇଠୁ।

-"ପ୍ଲିଜ, ମୋ ସହ ଘର ଯାଏ ଆସନା!ପ୍ରଥମ କରି ଆସିଛ।ତାହା ପୁଣି ଏତେ ଖରାରେ ଚାଲି ଚାଲି।"ତୁ ମୁହଁ ଖୋଲିଲୁ।

ମୁଁ ଟିକିଏ ଅସହଜ ବୋଧ କଲି-"ନାଇଁ, ଡେରି ହୋଇଯିବ।ମୋତେ ପୁଣି ଏତେ ବାଟ ଯିବାକୁ ହେବ।"

-"ପ୍ଲିଜ, ଏମିତି ଏଇଠୁ ତୁମେ ଫେରିଗଲେ ମୋତେ ଭାରି ଦୋଷୀ ଦୋଷୀ ଲାଗିବ....।"ତୁ ଓଢଣୀରେ ଆଖି ପୋଛିଲୁ।

ମୁଁ ଥରେ ଅନେଇଲି ଦୂର ଦିଗବଳୟ ଆଡ଼େ ଓ କହିଲି-"ଠିକ ଅଛି, ଚାଲ।ସଙ୍ଗେ ସଙ୍ଗେ କିନ୍ତୁ ଫେରି ଆସିବି ତୁମ ଘରୁ।କିଛି ଫର୍ମାଲିଟି କରିବୁନି।

ତୁ ହସିଦେଲୁ ଫିକକିନା।ଖରାରେ ଶୁଖିଯାଇଥିବା ତୋ ମୁହଁ ଦିଶୁଥିଲା ଶୁଭ୍ର।ଅପେକ୍ଷାକୃତ ସତେଜ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance