Lipsa Das

Romance Inspirational

4.5  

Lipsa Das

Romance Inspirational

ଏକ ନିଶବ୍ଦ ପ୍ରେମ କାହାଣୀ

ଏକ ନିଶବ୍ଦ ପ୍ରେମ କାହାଣୀ

4 mins
592


                 ଢୋଲ, ମହୁରୀ, ଶଙ୍ଖ, ହୁଳହୁଳିରେ କମ୍ପି ଉଠୁ ଥାଏ ଗିରିଜାର ଘର। ଲୋକମାନଙ୍କ ଗହଳି ଚହଳି ବି ଲାଗି ରହିଥାଏ। ନିଜ କୋଠରୀରେ ଏକୁଟିଆ କିଛି ସମୟ ବସିଥାଏ ଗିରିଜା। ମନେ ମନେ ଭାବୁଥାଏ ସମସ୍ତେ କେତେ ଖୁସି ଆଜି। ତା ବାହାଘର ଆଜି। ସେ ବି ତ ବହୁତ ଖୁସି। ଏତେ ଦିନ ପରେ ତାକୁ ବିରାଜଙ୍କ ପରି ଜୀବନସାଥୀ ମିଳିଛି। ଯିଏ ତାକୁ ବୁଝିପାରନ୍ତି। ତା ନୀରବତାକୁ ଚିହ୍ନି ପାରନ୍ତି। କିଛି କହିବା ଆଗରୁ ତା ମନ କଥା ଜାଣିଦିଅନ୍ତି। କିନ୍ତୁ କାହିଁକି କେଜାଣି ଏ ବାହାଘର କୋଳାହଳ ତାକୁ ଭଲ ଲାଗୁନଥିଲା। ସେ ଭାବୁଥିଲା ବିରାଜଙ୍କୁ ବି ଭଲ ଲାଗୁନଥିବ ଏ ସବୁ। ଉଭୟେ ତ ଚାହିଁ ଥିଲେ ଗୋଟିଏ ସରଳ ନିରାଡ଼ମ୍ବର ବିବାହ। ଯେଉଁଠାରେ ସେ ଦୁଇଜଣ ଥିବେ ଆଉ ତାଙ୍କୁ ବୁଝିପାରୁଥିବା ନିକଟ ସମ୍ପର୍କୀୟ କିଛି। 


                    ଗିରିଜା ଆଜି ବସି ଭାବୁଛି ନିଜ ଜୀବନର ସମସ୍ତ ସ୍ମୃତିକୁ। ତା ଜୀବନରେ ଘଟିଯାଇଥିବା ସେହି ସବୁ ଅନ୍ଧାର ମୁହୁର୍ତ୍ତକୁ ଆଉ ତା ଜୀବନରେ ଆଲୋକ ଭରିଦେଇଥିବା ତା ଭାବି ସ୍ୱାମୀ ବିରାଜଙ୍କୁ। 


                  ବାପା ମାଆଙ୍କ ଏକମାତ୍ର ଅଲିଅଳି ଝିଅ ଗିରିଜା। ବାପା ଶିଳ୍ପପତି ବିପିନ ପଟ୍ଟନାୟକ। ବିବାହର ବହୁତ ବର୍ଷ ପରେ ବି ପିଲାପିଲି ନ ହେବାରୁ ପ୍ରଭୁ ଶିଵପାର୍ବତୀ ଙ୍କୁ ପୂଜା କରି ପାଇଥିଲେ ପୂଜାକୁ। ସେଥିପାଇଁ ଝିଅର ନାଁ ରଖିଥିଲେ ଗିରିଜା ନନ୍ଦିନୀ। ଉଭୟେ ନିଜ ପିଲାକୁ ପାଇ ଖୁବ ଖୁସି ଥିଲେ। କିନ୍ତୁ ଝିଅକୁ ୬ ମାସ ବୟସ ହୋଇଯାଇଥିଲେ ହେଁ ଯେତେ ଡାକିଲେ ବି ଶୁଣୁନଥିଲା ସେ କି କିଛି କହୁନଥିଲା। କୌଣସି ଶବ୍ଦ ପ୍ରତି କିଛି ପ୍ରତିକ୍ରିୟା ନଥିଲା ତା ର। ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଉଭୟେ ଜାଣିବାକୁ ପାଇଥିଲେ ଯେ ଝିଅ ତାଙ୍କର ଆଜନ୍ମ ମୁକ ଓ ବଧିର। ଏ କଥା ଶୁଣି ଗିରିଜାର ମାଆ ଧୈର୍ଯ୍ୟ ହରାଇ ବସିଥିଲେ କିନ୍ତୁ ବାପା ଏ ସମସ୍ୟାର ସମାଧାନ ଖୋଜି ବାହାର କରିଥିଲେ। 


                   ଠାରରେ ନିଜ କଥା ନିଜ ଝିଅକୁ କହିବା ଶିଖେଇଥିଲେ ସେ। ଉଭୟେ ବାପା ମାଆ ଠାର ଦ୍ୱାରା ନିଜ ଝିଅର ନିଶବ୍ଦ ଦୁନିଆରେ ଶବ୍ଦ ଭରିଦେଇଥିଲେ। ଗିରିଜା ବଡ଼ ହେବା ପରେ ଗୋଟିଏ ସୁନ୍ଦର, କୋମଳ ହୃଦୟ ବିଶିଷ୍ଟ ଝିଅଟିଏ ହେଲା। ଦୁଃଖୀ ମାନଙ୍କ ସେବାରେ ସେ ଖୁସି ଅନୁଭବ କରୁଥିଲା। ତା ପରି ଭିନ୍ନକ୍ଷମ ପିଲାଙ୍କ ସହିତ ପାଠ ପଢ଼ି ଖୁବ ପ୍ରଶଂସା ପାଉଥିଲା ସେ। ଛୋଟ ବେଳୁ ଚିତ୍ର କରିବା ପାଇଁ ଗିରିଜା ମନରେ ଥିଲା ଅସହ୍ୟ ଦୁର୍ବଳତା। ପାଠପଢ଼ା ସରିବା ପରେ ସମ୍ପୂର୍ଣ୍ଣ ରୂପେ ନିଜକୁ ରଙ୍ଗତୁଳୀର ଦୁନିଆ ରେ ହଜେଇଦେଲା ସେ। କିଛି ଦିନ ମଧ୍ୟରେ ଜଣେ ସୁନାମଧନ୍ୟ ଚିତ୍ରକାର ହିସାବରେ ପରିଗଣିତ ହେଲା ଗିରିଜା। ନିଜ ରଙ୍ଗତୁଳୀ ଦ୍ୱାରା ନିଜ ମନର ଭାବନା କୁ ଦୁନିଆ ଆଗରେ ପ୍ରକାଶ କରୁଥିଲା ସେ। ନିଜ ଚିତ୍ରର ପ୍ରଦର୍ଶନୀ କରି ଯାହା ଲାଭ ହେଉଥିଲା ତାକୁ ଗରିବ ଦୁଃଖୀଙ୍କ ସେବାରେ ନିୟୋଜିତ କରିଦେଉଥିଲା ସେ। 


                    ହଠାତ ଦିନେ ଗୋଟିଏ ପ୍ରଦର୍ଶନୀରେ ତାର ଦେଖା ହୁଏ ଜଣେ ଯୁବକଙ୍କ ସହ। ଯୁବକ ଜଣକ ତାଙ୍କ ସାଙ୍ଗ ସହ ଆସିଥାନ୍ତି ପ୍ରଦର୍ଶନୀ ଦେଖିବା ପାଇଁ। ଲୋକଙ୍କୁ ନିଜ ଭାବନା ପ୍ରକାଶ କରିପାରେନି ବୋଲି ଗିରିଜାର ସାଙ୍ଗ ତନୁ ସବୁବେଳେ ତା ସାଥିରେ ଥାଏ। ଗିରିଜାର ମନର ଭାବକୁ ସେ ନିଜ ସ୍ୱର ଦେଇ ଲୋକଙ୍କ ନିକଟରେ ପହଞ୍ଚାଇ ଥାଏ। ଏତିକି ବେଳେ ସେହି ଯୁବକ ଦୁଇଜଣ ଗୋଟିଏ ଚିତ୍ରର ମୂଲ୍ୟ ପଚାରିଲେ ଆଉ ଚିତ୍ରକାରଙ୍କ ସହ ଦେଖା କରିବାକୁ ଅନୁରୋଧ କରିଲେ। 


                     ଉଭୟେ ଗିରିଜା ଓ ତନୁ ଯୁବକ ଦୁଇଜଣଙ୍କ ପାଖକୁ ଗଲେ। ପରିଚୟ ଆଦାନ ପ୍ରଦାନ ବେଳେ ଜଣା ପଡ଼ିଲା ଉତ୍ତର ଦେଉଥିବା ଯୁବକ ଥିଲେ ରାଘଵ ଓ ଆର ଜଣକ ବିରାଜ। ଚିତ୍ରଟିର ମୂଲ୍ୟ ନିର୍ଦ୍ଧାରଣ ହୋଇଗଲା। ତନୁ କହିଲା ପରଦିନ ଚିତ୍ରଟି ନେଇ ରାଘବଙ୍କ ଘରେ ପହଞ୍ଚି ଯିବ ବୋଲି। ଏତିକି ବେଳେ ରାଘବ କହିଲେ କି ଚିତ୍ରଟି ବିରାଜଙ୍କୁ ଆବଶ୍ୟକ, ତାଙ୍କୁ ନୁହେଁ। ଏପରି ଶୁଣି ତନୁ ପଚାରିଲା ଯଦି ଚିତ୍ର ତାଙ୍କୁ ଦରକାର ତେବେ ସେ କିଛି କହୁନଥିଲେ କଣ ପାଇଁ? ତନୁର ପ୍ରଶ୍ନ ଶୁଣି ରାଘବ କହିଲା ସେ ଜନ୍ମରୁ କିଛି ଶୁଣିପାରେ ନାହିଁ କି କହିପାରେ ନାହିଁ। ସେଥିପାଇଁ ତା ମନ କଥା ରାଘବ କୁହନ୍ତି। ଏପରି ଶୁଣି ତନୁ କହିଲା ଗିରିଜା ସମ୍ବନ୍ଧରେ ସବୁକିଛି। ବିରାଜ ଓ ଗିରିଜା ଏ କଥା ଶୁଣି ପରସ୍ପରକୁ ଚାହିଁ ରହିଲେ କିଛି ସମୟ। ତା ପରେ ଉଭୟେ ନିଜ ଭାଷାରେ ଭାବ ଆଦାନ ପ୍ରଦାନ କରିଲେ। 


                    ଧିରେ ଧିରେ ବିରାଜ ଓ ଗିରିଜାଙ୍କ ମଧ୍ୟରେ ବନ୍ଧୁତ୍ୱ ବଢିବାକୁ ଲାଗିଲା। ଉଭୟେ ପରସ୍ପର ସହିତ ନିଜକୁ ପୂର୍ଣ୍ଣ ଅନୁଭବ କରୁଥିଲେ। ବ୍ୟସ୍ତ ଦୁନିଆର କୋଳାହଳରୁ ଉଭୟେ ଥିଲେ ଯଥେଷ୍ଟ ଉର୍ଦ୍ଧ୍ବରେ। ଦୁହେଁ ସ୍ବପ୍ନ ଦେଖିଥିଲେ ନିଜର ଏକ ନିଶବ୍ଦ ଦୁନିଆ ଗଢିବାର ଯେଉଁଥିରେ ନା ମିଛ ଥିବ ନା ଭୁଲ ବୁଝାମଣା ଥିବ। କେବଳ ବିଶ୍ୱାସ ଓ ଭଲ ପାଇବା ଥିବ। ଏହା ପରେ ଉଭୟେ ନିଜ ପରିବାର ପାଖରେ ନିଜ ପ୍ରେମ ସମ୍ପର୍କ ବିଷୟରେ ସମସ୍ତ ସୂଚନା ଦେଇଥିଲେ। ଉଭୟଙ୍କର ପରିବାର ମଧ୍ୟ ଖୁସିରେ ତାଙ୍କ ସମ୍ପର୍କକୁ ସମ୍ମତି ପ୍ରଦାନ କରିଥିଲେ।


                      କିନ୍ତୁ ହଠାତ ଦିନେ ଗିରିଜା ଜୀବନର ଚନ୍ଦ୍ରରେ ଗ୍ରହଣ ଲାଗିଗଲା। ଏକ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ଗିରିଜା। ସେଠାରୁ ଫେରିବା ବେଳେ କିଛି ନର ପିଶାଚଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଥିଲା ସେ। କିଛି କ୍ଷଣ ମଧ୍ୟରେ ତାକୁ ଖିନ ଭିନ କରି ନିଜ କ୍ଷୁଧା ମେଣ୍ଟାଇ ଥିଲେ ସେମାନେ। ବହୁତ ଚେଷ୍ଟା କରିଥିଲା ଗିରିଜା ସାହାଯ୍ୟ ମାଗିବା ପାଇଁ, ତାଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ କିନ୍ତୁ ସବୁ କିଛି ବ୍ୟର୍ଥ ଥିଲା। କିଛି ସମୟ ମଧ୍ୟରେ ତା ସମ୍ପୂର୍ଣ୍ଣ ଦୁନିଆକୁ ନଷ୍ଟ କରିଦେଇ ଚାଲିଯାଇଥିଲେ ସେମାନେ। ଆଉ ସେହି ରାସ୍ତାରେ ସାହାଯ୍ୟର ଆର୍ତ୍ତ ଚିତ୍କାର କରୁଥିଲା ଗିରିଜା ଆଉ କିଛି ସମୟ ମଧ୍ୟରେ ନିଜ ଚେତା ହରାଇ ବସିଥିଲା।


                ପରଦିନ ଖବରକାଗଜ ରେ ବାହାରିଥିଲା "ଲଜ୍ଜା: ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ" । ଗିରିଜାର ଆଖି ଖୋଲିଲା ବେଳକୁ ତା ପାଖରେ ଥିଲେ ତା ବାପା ମା ଓ ବିରାଜ। ବିରାଜଙ୍କୁ ଦେଖି ନିଜ ଆଖି ତଳକୁ କରିଦେଲା ଗିରିଜା। ବିରାଜର ଅନୁରୋଧ କ୍ରମେ ସେ ଉଭୟଙ୍କୁ କିଛି ସମୟ ଏକୁଟିଆ ଛାଡ଼ିଦେଇଥିଲେ ବିପିନ ବାବୁ। ବିରାଜ ଯେତେବେଳେ ଗିରିଜାର ହାତକୁ ଧରିଲା ସେ ନିଜ କୋହ ସମ୍ବରଣ କରି ନ ପାରି କାନ୍ଦିବା ଆରମ୍ଭ କରିଦେଇଥିଲା ଆଉ ବାରମ୍ବାର ନିଜକୁ ବିରାଜଙ୍କ ପାଖରେ ଦୋଷୀ ମାନୁଥିଲା। ବିରାଜ ତାକୁ ସାହସ ଦେଇ ଗୋଟିଏ କଥା କହିଥିଲେ ଯେ ସେ ଗିରିଜାର ଆତ୍ମାକୁ ଭଲ ପାଇଥିଲେ। ସେ ପିଶାଚ ମାନେ ହୁଏତ ଗିରିଜାର ଶରୀରକୁ ଉପଭୋଗ କରିଥିବେ କିନ୍ତୁ ତା ଆତ୍ମାରେ ତ କେବଳ ବିରାଜର ହିଁ ଅଧିକାର ଅଛି। 


                  ବିରାଜଙ୍କ ପାଖରୁ ଏପରି ଶୁଣି ଗିରିଜା ତାଙ୍କୁ ଆଉ ଥରେ ଭଲ ପାଇ ବସିଥିଲା। ନୂଆ ଭାବରେ। ଆଉ ଉଭୟେ ପୁଣି ଦେଖିଥିଲେ ତାଙ୍କର ସେଇ ଅଧା ରହିଯାଇଥିବା ସ୍ବପ୍ନକୁ। 


                 ଏତିକି ବେଳେ ତନୁ ଆସି ଗିରିଜାକୁ ଜଣାଇଲା ଯେ ବିରାଜଙ୍କ ବରଯାତ୍ରୀ ଆସି ପହଂଚି ଗଲେଣି। ଝରକା ବାଟୁ ବିରାଜଙ୍କୁ ଦେଖିଥିଲା ଗିରିଜା ଆଉ ବିରାଜ ଉପରକୁ ଚାହିଁ ଦେଖିପାରିଥିଲେ ଗିରିଜାକୁ। ବାଜା, ବାଣ ରୋଷଣୀକୁ ଖାତିର ନ କରି ଉଭୟେ ପରସ୍ପରର ଆଖିକୁ ଦେଖି ହଜିଯାଇଥିଲେ ନିଜର ନିଶବ୍ଦ ଦୁନିଆରେ। 


Rate this content
Log in

Similar oriya story from Romance