Lipsa Das

Romance

4.0  

Lipsa Das

Romance

ପ୍ରେମ ନିବେଦନ

ପ୍ରେମ ନିବେଦନ

5 mins
237


    "କବାଟ ଖୋଲ ପ୍ରିୟେ, ମୁଁ ତୁମର ସିଏ" ବୋଲି ଗୀତ ଗାଉଥାନ୍ତି ରାଜୀବ। କଲିଂ ବେଲ୍ ମାରିଦେଇ ନିଜ ସ୍ତ୍ରୀ ଙ୍କ କବାଟ ଖୋଲିବାକୁ ଅପେକ୍ଷା କରିଥାନ୍ତି ସେ। ଏତିକି ବେଳେ କବାଟ ଖୋଲିଲା। କବାଟ ଖୋଲିଲା ପରେ ରାଜୀବ ଦେଖିଲେ ଯେ କବାଟ ଖୋଲିବା ପାଇଁ ସ୍ତ୍ରୀ ନୁହେଁ ବରଂ ତାଙ୍କ ଶାଳୀ ବା ତାଙ୍କ ଧର୍ମପତ୍ନୀ ଙ୍କ ଭଉଣୀ ଅନିନ୍ଦିତା ଆସିଛନ୍ତି। ନିଜ ସ୍ତ୍ରୀଙ୍କ ଆଗରେ ବୀର ଦର୍ପ ରେ ନିଜ କର୍କଶ ସ୍ଵରରେ ଗୀତ ଗାଇ ଘରେ ପ୍ରବେଶ କରୁଥିବା ବ୍ୟକ୍ତି ଶାଳୀ ଙ୍କ ଉପସ୍ଥିତି ରେ ଲାଜେଇ ଯାଇଥିଲେ ଟିକେ। ଆଉ ଭିଣୋଇ ଙ୍କ ଗୀତ ଶୁଣି ହସି ଦେଇଥିଲା ଅନି। 


   ଘର ଭିତରକୁ ଅନୁ ବୋଲି ଡାକି ଡାକି ପଶିଗଲେ ରାଜୀବ। ରୋଷେଇ ଘର ଭିତରେ ଆବିଷ୍କାର କଲେ ନିଜ ସ୍ତ୍ରୀ ଙ୍କୁ। ପାଖକୁ ଯାଇ କହିଲେ, "ଆରେ ଅନି ଆସିଛି ତମେ ଜଣେଇନ କେମିତି ଯେ। କବାଟ ଖୋଲିଲା ପରେ ତାକୁ ଦେଖି ମୁଁ ତ ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ମୋ ସ୍ତ୍ରୀ ବଦଳିଗଲା କେମିତି।" ହସି ହସି ଅନୁ କହିଲେ, "ଆରେ ସେ କାଲି କଣ୍ ଉଟି ଯିବ ନିଜ ସାଙ୍ଗ ଙ୍କ ସହ। ଏଇଠୁ ଫ୍ଲାଇଟ ଅଛି ସେଥିପାଇଁ ମୁଁ କହିଲି ଆଜି ରାତି ଏଇଠି ରହିଯିବା ପାଇଁ।


    ଆଚ୍ଛା ହଉ ଠିକ୍ ଅଛି ବୋଲି ଉତ୍ତର ଦେଲେ ରାଜୀବ। ରାତିରେ ଅନୁ, ରାଜୀବ ଏବଂ ଅନି ଖାଇବାକୁ ବସିଥିଲା ବେଳେ ରାଜୀବ ପଚାରିଲେ, "ଆଉ ଅନି, ଏମିତି ପାହାଡ଼ ଦେଶ କୁ ଯିବାକୁ ହଠାତ୍ ମନ।" ପ୍ରଶ୍ନ ଶୁଣି ଅନି ଉତ୍ତର ଦେଲା, "ଏମିତି ସାଙ୍ଗ ମାନେ ବହୁତ୍ ଦିନ ହେବ ଭାବୁଥିଲୁ କୁଆଡ଼େ ଯିବୁ ବୋଲି। କିନ୍ତୁ କେବେ ଠିକ୍ ରେ ଯୋଜନା ହୋଇପାରିନଥିଲା। ଏବେ ଟିକେ ଯୋଜନା ହେଲା ତ ସମସ୍ତେ ମିଶିକି ବାହାରିଗଲୁ।" ହଁ ଭଲ କଥା ବୋଲି ସମ୍ମତି ଦେଲେ ରାଜୀବ।


    ତା ପରେ ଅନୁ ଆଡ଼କୁ ଚାହିଁ ସେ କହିଲେ, "କିନ୍ତୁ ଗୋଟିଏ କଥା ମନେ ରଖ, ସେଇ ଉଟି ରେ ଗୋଟିଏ କୁହୁକ ପାହାଡ଼ ଅଛି। ତା ଦ୍ଵାର ଦେଶରେ ଯାଇ ତୁମେ ଯାହା ମାଗିବ ତୁମକୁ ତାହା ମିଳିବ। ମତେ ବି ମିଳିଥିଲା। ସେଥିପାଇଁ କଣ୍ ମାଗିବ ତା ଏବେ ଠାରୁ ଭାବି ଦେଇଥାଅ।" "ହେ ସେ ସବୁ ବେକାର କଥା। ମୁଁ ବିଶ୍ଵାସ କରେନି ସେ ସବୁ ରେ।" ଉତ୍ତର ଦେଲା ଅନି। ଟିକେ ହସିଦେଇ ରାଜୀବ କହିଲେ, "ତୁମ ଭଉଣୀ ଯଦି ସୁଯୋଗ ଦେବ ମୁଁ କହିବି, କଣ୍ ମାଗିଥିଲି ଆଉ କେମିତି ମିଳିଥିଲା ମୋତେ ସେଇ କୁହୁକ ପାହାଡ଼ର ଦ୍ୱାର ଦେଶ ରୁ।"


      ଏ ସବୁ ଶୁଣି ଅନି ର କୌତୁହଳ ବଢ଼ି ଯାଇଥିଲା ସେଇ କୁହୁକ ପାହାଡ଼ ବିଷୟରେ ଜାଣିବା ପାଇଁ। କିନ୍ତୁ କାହିଁକି କେଜାଣି ଅନୁ ବହୁତ୍ ବିରୋଧ କରୁଥିଲେ ସେ କୁହୁକ ପାହାଡ଼ କଥା କହିବା ପାଇଁ। ସେ କହୁଥିଲେ, "ରାଜୀବ ଚୁପ୍ ରୁହ। ଏତେ କଥା କହିବା ଦରକାର ନାହିଁ।"

ରାଜୀବ ଅନୁ କୁ ଆଖି ମାରିଦେଇ କହିଲେ, "ଆରେ ମୋ ଶାଳୀ କୁ କହିବିନି ତ ଆଉ କାହାକୁ କହିବି। ସେ ବି ତ ଜାଣୁ ତା ଭିଣୋଇ କେତେ କଷ୍ଟ କରିଛନ୍ତି।" ଏ କଥା ଶୁଣି ଅନି କହିଲା, "ଭାଇ ଆପଣ କୁହନ୍ତୁ ମତେ ସବୁ କଥା। ମୁଁ ଶୁଣିବି। ଅପା କଥା ଶୁଣିବା ଦରକାର ନାହିଁ।" ତା ପରେ ରାଜୀବ ଆରମ୍ଭ କଲେ। 


   ସେ କହିଲେ, "ଆମ ବାହାଘର କୁ ପ୍ରାୟ ଦୁଇ ମାସ ହୋଇସାରିଥାଏ। କିନ୍ତୁ ମୋ କାମ ପାଇଁ ଆମେ କୁଆଡ଼େ ବାହାରକୁ ଯାଇ ପାରି ନଥିଲୁ। ଏପଟେ ଆରେଞ୍ଜ ମ୍ୟାରେଜ୍ ବୋଲି ତୁମ ଭଉଣୀ କୁ ଭଲ ଭାବେ ଜାଣିବାର ସୁଯୋଗ ମଧ୍ୟ ପାଇନଥିଲି। ତେଣୁ ବିବାହ ପରେ ତୁମ ଭଉଣୀ କିଛି ଅଧିକ ହିଁ ଲାଜ କରୁଥିଲେ। ଆଉ ମୁଁ ମୋ ସ୍ତ୍ରୀ ସହିତ କୌଣସି ପ୍ରକାର ବାଧ୍ୟ ବାଧକତା କରିବା ପାଇଁ ଚାହୁଁ ନଥିଲି। ସେଥିପାଇଁ ବିବାହ ପରେ ବି କେବେ ବାଧ୍ୟ କରୁନଥିଲି। କିନ୍ତୁ ମୁଁ ବି ପୁରୁଷ। କେତେ ଦିନ ଅବା ନିଜ ମନ ମାରି ରହିଥାନ୍ତି। ସେଥିପାଇଁ ଅଫିସ୍ ରୁ ଏକ ସପ୍ତାହ ର ଛୁଟି ନେଇ ଉଟି ଯିବା ଯୋଜନା କରିଥିଲି। ଘରକୁ ଆସି ଅନୁକୁ କହି ଦେଇଥିଲି ସବୁ ଜିନିଷ ଭଲ ରେ ରଖିଦେବା ପାଇଁ। 


   ନିର୍ଦ୍ଧାରିତ ଦିନ ଆମେ ଯାଇ ପହଞ୍ଚିଲୁ ଉଟି ରେ। ଏତେ ସମୟ ସେ ପାହାଡି ରାସ୍ତା ରେ ଯିବା ପରେ ବାନ୍ତି କରି ହାଲିଆ ହୋଇଯାଇଥିଲା ତୁମ ଭଉଣୀ। ଆଉ ହାଲିଆ ହୋଇ ଶେଷରେ ସେ ମୋ କାନ୍ଧ ରେ ମୁଣ୍ଡ ରଖି ଶୋଇ ପଡ଼ିଥିଲା। ସେଦିନ ମୁଁ ପ୍ରଥମ ଥର ଅନୁଭବ କରିଥିଲି ମୋ ସ୍ତ୍ରୀର ସ୍ପର୍ଶ। ମତେ ଭଲ ଲାଗିଥିଲା ଯେତେବେଳେ ସେ ମୋ ଉପରେ ବିଶ୍ଵାସ କରି ମୋ କାନ୍ଧ ରେ ଶୋଇ ପଡ଼ିଥିଲା। 


   ଠିକ୍ ସମୟ ରେ ଆମେ ପହଞ୍ଚି ଗଲୁ ଆମ ହୋଟେଲ୍ ରେ। ପ୍ରସ୍ତୁତ ହୋଇ ବାହାରିଲୁ ବୁଲିବା ପାଇଁ। ବୁଲିବା ପରେ ଯାଇ ପହଞ୍ଚିଲୁ ଗୋଟିଏ ଘାଟି ସ୍ଥାନ ରେ। ଉପରେ ଅଧା ପାହାଡ଼, ତଳେ ଅଧା ପାହାଡ଼ ଆଉ ମଝିରେ ଆମେ ଦୁହେଁ। ଠିକ୍ ପାହାଡ଼ର ଦ୍ଵାର ଦେଶ ରେ। ମୁଁ ସେଇ ପାହାଡ଼ ପାଖରେ ଆଣ୍ଠେଇ ପଡ଼ି ଅନୁ କୁ କହିଲି, "ଅନୁ, ମୁଁ ତୁମକୁ ଭଲ ପାଏ। ତୁମକୁ ବିବାହ କରିଛି। ଅଗ୍ନି କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଜୀବନ ସାଥି ଭାବେ ଗ୍ରହଣ କରିଥିଲି ତୁମକୁ। ଆଜି ଏଇଠି ତୁମକୁ ମୋ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଚାହୁଁଛି।"


     ମୋ କଥା ଶୁଣି ତୁମ ଭଉଣୀ ଉତ୍ତର ଦେଲେ, "ତୁମକୁ ବିବାହ ପୂର୍ବରୁ କେବେ ଜାଣିବାର ସୁଯୋଗ ପାଇନଥିଲି। କିନ୍ତୁ ଯେବେ ମୋ ମନ କଥା ତୁମେ ବୁଝିଥିଲ ଆଉ ମୋ ଉପରେ ନିଜର ସ୍ବାମୀ ପଣିଆ ଜାହିର କରିନଥିଲ, ସେବେ ତୁମ ପାଇଁ ମୋ ମନ ରେ ସମ୍ମାନ ବହୁତ୍ ବଢ଼ି ଯାଇଥିଲା।" ଆଉ ସେଇ ପାହାଡ଼ର କି କୁହୁକ ଶକ୍ତି ଥିଲା କେଜାଣି ସେଦିନ ସେଇ ପାହାଡ଼ ର ଦ୍ଵାର ଦେଶରେ ମତେ ମୋ ସ୍ତ୍ରୀ ମିଳି ଯାଇଥିଲା। ସେଇ ପାହାଡି ଦେଶର ସୁନ୍ଦର୍ ମନୋରମ ଦୃଶ୍ୟ ଅନୁ କୁ ଆମ ଘରର ବୋହୂ ସହ ମୋ ସ୍ତ୍ରୀ ରେ ମଧ୍ୟ ପରିଣତ କରିଥିଲା।"


     ଏ କଥା ଶୁଣି ଅନି କହିଲା, "ସୋ ରୋମାଣ୍ଟିକ ଭାଇ। ପାହାଡି ଦେଶରେ ପ୍ରେମ ନିବେଦନ। ଯାହା ହେଉ ଯାହା ମାଗିଲ ତୁମକୁ ମିଳିଗଲା। ମୋ ଭଉଣୀ ଧନ୍ୟ ଯେ ତାକୁ ତୁମ ପରି ଗୋଟିଏ ଜୀବନ ସାଥି ମିଳିଛି।" ଟିକେ ଲାଜେଇ ଯାଇ ଅନୁ କହିଲା, "ହଉ ହଉ ବହୁତ୍ ହେଲା ଶାଳୀ ଭିଣୋଇ କଥା। ଏବେ ଶୋଇବ ଯାଅ। କାଲି ସକାଳୁ ପୁଣି ତୋ ଫ୍ଲାଇଟ୍ ଅଛି।"ହଉ କହି ସମସ୍ତେ ଶୋଇବାକୁ ଗଲେ। ପରଦିନ ରାଜୀବ ଗଲେ ଅନି କୁ ଛାଡ଼ିବା ପାଇଁ। ବାଟରେ ଯିବା ବେଳେ ପଚାରିଲେ, "ଆଉ କଣ ମାଗିବ ଭାବି ଦେଇଛ ତ?" ଅନି ମୁଣ୍ଡ ହଲାଇ ସମ୍ମତି ଜଣାଇଲା। 


    ତିନିଦିନ ପରେ ରାତିରେ ଅନି ଫୋନ୍ କରିଲା ରାଜୀବ କୁ। ରାଜୀବ ଫୋନ୍ ଉଠାଇଲା ପରେ ଅନି କହିଲା, "ଭାଇ ତୁମକୁ ଗୋଟିଏ କଥା କହିବାର ଥିଲା। ମୁଁ ଆଜି ପାହାଡ଼ ର ଦ୍ଵାର ଦେଶରେ ଦୁଇଟି ଜିନିଷ ମାଗିଛି।" ରାଜୀବ କହିଲା, " ହଁ ମତେ ବି କିଛି କହିବାର ଅଛି। କିନ୍ତୁ ପ୍ରଥମେ ତୁମେ କୁହ। ତା ପରେ ମୁଁ କହିବି।" ଅନି କହିଲା, "ମୁଁ ଚାରି ବର୍ଷ ହେବ ରିଷି ଙ୍କୁ ଏକ ତରଫା ଭଲ ପାଉଥିଲି। ଆଉ ଆଜି ସେଇ ପାହାଡ଼ର ଦ୍ଵାର ରେ ମାଗିଥିଲି ଯେ ସେ ଯେପରି ମୋର ନିଜର ହୋଇଯିବେ। ଆଉ ମୁଁ ମାଗି ସାରିବା ପରେ ସେ ପାହାଡ଼ର କି କୁହୁକ ଶକ୍ତି ଥିଲା କେଜାଣି ସେ ମୋତେ ଭଲ ପାଆନ୍ତି ବୋଲି କହିଲେ। ମୁଁ ବହୁତ୍ ଖୁସି। ଆଉ ଗୋଟିଏ କଥା ବି ମାଗିଛି ମୁଁ। ଯେ ମୁଁ ଯେମିତି ଶୀଘ୍ର ମାଉସୀ ହୋଇଯାଏ।" ଏ କଥା ଶୁଣି ରାଜୀବ କହିଲେ, "ତୁମର ସେ ଇଚ୍ଛା ବି ପୂର୍ଣ୍ଣ ହୋଇଯାଇଛି। ମୁଁ ଆଉ ଅନୁ ଆଜି ଯାଇଥିଲୁ ଡାକ୍ତରଙ୍କ ପାଖକୁ ଆଉ ଅନୁ ମାଆ ହେବାକୁ ଯାଉଛି।" 


   ସମସ୍ତେ ଖୁସି ଥିଲେ ନିଜ ଜୀବନରେ ନୂଆ ଜଣଙ୍କ ଆଗମନ ରେ। ସେ କୁହୁକ ପାହାଡ଼ର ଶକ୍ତି ଥିଲା ନା ତାଙ୍କ ଭିତରର ଗଭୀର ଭଲ ପାଇବା ଯାହା ପାହାଡ଼ର ସେଇ ମନୋରମ ଦୃଶ୍ୟ ଭିତରେ ମନ ରୁ ଉଙ୍କି ମାରି ଦୁନିଆ ଆଗରେ ପ୍ରକାଶିତ ହୋଇଥିଲା ଏହାର ଉତ୍ତର କେହି ପାଇ ପାରି ନଥିଲେ।



Rate this content
Log in

Similar oriya story from Romance