ହାରିବାର ପୁଣି ବୟସ କଣ?
ହାରିବାର ପୁଣି ବୟସ କଣ?
କଥାରେ ଅଛି ମନୁଷ୍ୟ ସେତେବେଳେ ହାରିଯାଏ ଯେତେବେଳେ ତାର ଜିତିବାର ଇଚ୍ଛା ମରିଯାଏ। ଯେତେଦିନ ଯାଏଁ ବଞ୍ଚିବାର ଇଚ୍ଛା ଅଛି ସେତେଦିନ ଯାଏଁ କୌଣସି ଶକ୍ତି କେବେ କାହାକୁ ହରାଇ ପାରି ନାହିଁ। ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ହିଁ ଜଣଙ୍କୁ ଲଢ଼ିବା ପାଇଁ ସାହସ ଦିଏ ଜୀବନ ଯୁଦ୍ଧରେ।
ସେଇ ପରି ଜଣେ ଲୋକ ଥିଲେ ଦାସ ବାବୁ।
"ଦାସ ବାବୁ ବୋଲି କହିଲେ ପୁରା ଖଣ୍ଡ ମଣ୍ଡଳ ରେ କେବଳ ଜଣେ ହିଁ ଲୋକଙ୍କୁ ବୁଝାଯାଏ । ସନାତନ ଦାସ, ୨୨ ବର୍ଷ ବୟସରୁ ଫାର୍ମାସି ପାଠ ପଢ଼ି ଗୋବିନ୍ଦପୁର ଅଞ୍ଚଳରେ ଗୋଟିଏ ଛୋଟ ଔଷଧ ଦୋକାନ କରିଥିଲେ। ଅତ୍ୟନ୍ତ ମିଷ୍ଟଭାଷୀ, କାର୍ଯ୍ୟରେ ନିପୁଣତା ଏବଂ ଲୋକଙ୍କ ସେବା କରିବାର ଇଚ୍ଛା କିଛି ଦିନ ମଧ୍ୟରେ ତାଙ୍କୁ ସେ ଅଞ୍ଚଳରେ ପ୍ରସିଦ୍ଧି ଆଣିଦେଇଥିଲା। ଯୁବକ ବେଳେ ସେ ଅଂଚଳରେ କାହାର କିଛି ଦେହ ଖରାପ ହେଲେ ଆଗ ସନିଆ ଓରଫ ସନାତନ କୁ ଖୋଜା ପଡ଼େ, ଧୀରେ ଧୀରେ ବୟସ ବଢ଼ିବା ସହିତ ସନିଆର ବି ପଦୋନ୍ନତି ହେଲା। ସେ ସନିଆ ରୁ ହୋଇଗଲା ସନାତନ ବାବୁ ବା ଦାସ ବାବୁ। ଏବେ ତାଙ୍କୁ ବୟସ ୭୩ ବର୍ଷ। ଏକ ଛୋଟ ଭଡାଘରୁ ଆରମ୍ଭ କରିଥିବା ଦୋକାନ ଏବେ ସେହି ଅଞ୍ଚଳର ଦୁଇ ମହଲା ବିଶିଷ୍ଟ ଏକମାତ୍ର ଔଷଧ ଦୋକାନ। ଦୁଇ ପୁଅ ଡାକ୍ତର ଆଉ ଦୁଇ ବୋହୁ ମଧ୍ୟ। ସମସ୍ତେ ସହରର ନାମୀ ସରକାରୀ ଓ ବେସରକାରୀ ଡାକ୍ତରଖାନା ରେ କାର୍ଯ୍ୟରତ। ଆଉ ଆଜି ବି ସନାତନ ବାବୁ ଦୋକାନରେ ବସନ୍ତି। ପୂର୍ଵ ଭଳି ଆଉ କାମ କରିପାରୁନାହାନ୍ତି, ବୟସ ପଡ଼ିଗଲାଣି କିନ୍ତୁ ତାଙ୍କ ଉତ୍ସାହ ଟିକେ ହେଲେ କମ ହୋଇନାହିଁ। ଆଖିରେ ଚଷମା ଲାଗିଛି, ହାତ ବି ଟିକେ ଟିକେ ଥରୁଛି ବାର୍ଦ୍ଧକ୍ୟ ହେତୁ କିନ୍ତୁ ଏବେ ବି ଇଂଜେକସନ ଦେବାରେ ଟିକେ ବି ଭୁଲ ହୁଏନି ତାଙ୍କର।
ସନିଆରୁ ସନାତନ ହେବାର ପଥ କିଛି ଫୁଲର ନଥିଲା ତାଙ୍କ ପାଇଁ। ସକାଳ ୭ ରୁ ରାତି ୧୧ ପର୍ଯ୍ୟନ୍ତ ଏହି ଦୋକାନ ପାଇଁ କାମ କରିଛନ୍ତି ସେ। ଆଉ ଏଥିରେ ତାଙ୍କର ମୁଖ୍ୟ ସହଯୋଗୀ ଥିଲେ ତାଙ୍କ ଧର୍ମପତ୍ନୀ ରାଧା ଦେବୀ। ସନିଆରୁ ସନାତନ ବାବୁର ଯାତ୍ରାରେ ରାଧା ଦେବୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଖାଇବା, ପିଇବା, ସୁଖ ଦୁଃଖର ସାଥି ହେବାରେ ଟିକିଏ ହେଲେ ହେଳା କରିନଥିଲେ ସେ। ସନାତନ ବାବୁ ମଧ୍ୟ ଜାଣିଥିଲେ, ରାଧା ଦେବୀ ଙ୍କ ବିନା ତାଙ୍କର କୌଣସି ଅସ୍ତିତ୍ବ ନାହିଁ, ତାଙ୍କ ଜୀବନ ଯୁଦ୍ଧର ସେନାପତି ଥିଲେ ରାଧା ଦେବୀ। କିନ୍ତୁ ସ୍ୱାମୀ ଆଉ ପିଲାଙ୍କ ସେବା କରୁ କରୁ ନିଜ ଶରୀରର ଧ୍ୟାନ ଦେବା ଭୁଲିଯାଇଥିଲେ ରାଧା ଦେବୀ। ହୁଏତ ସେଥିପାଇଁ ୩୭ ବର୍ଷ ବୟସରେ ଦୁରାରୋଗ୍ୟ କ୍ୟାନ୍ସରରେ ପୀଡ଼ିତ ହୋଇ ପ୍ରାଣତ୍ୟାଗ କରିଥିଲେ ସେ। ରାଧା ଦେବୀ ଯିବା ପରେ ସନାତନ ବାବୁ ଭାବିଥିଲେ ସେନାପତି ଙ୍କ ଅନ୍ତେ ଯୁଦ୍ଧରେ ହାରିଯାଇଛନ୍ତି ସେ। କିନ୍ତୁ ମନେ ମନେ ଦୃଢ଼ ନିଶ୍ଚୟ କରିଥିଲେ କିଛି ବି ହୋଇଗଲେ ମଧ୍ୟ ସେ ହାର ମାନିବେ ନାହିଁ। ପୁଣିଥରେ ବିନା ସେନାପତି ସେ ନିଜ ଜୀବନ ଯୁଦ୍ଧ ଲଢ଼ିବା ଶିଖିଲେ। ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ଭଲ ମଣିଷ ଭାବେ ଗଢ଼ି ତୋଳିଲେ।
କିନ୍ତୁ ରାଧାଦେବୀଙ୍କ ପରି ସମସ୍ତଙ୍କ ଭଲ ମନ୍ଦ ବୁଝିବା ଭିତରେ ନିଜ ଶରୀର କଥା ଭୁଲିଯାଇଥିଲେ ସେ। ଶରୀରରେ କୌଣସି ଅସୁବିଧା ହେଲେ ପିଲାଙ୍କୁ ନ ଜଣାଇ, ଡାକ୍ତରଙ୍କ ସହ ପରାମର୍ଶ ନ କରି କଷ୍ଟ ଲାଘବ କରିବା ପାଇଁ ଔଷଧ ଖାଇଦେଉଥିଲେ ସେ। ରୋଗ ନିବାରଣ ନ କରି କେବଳ କଷ୍ଟ ଲାଘବ କରୁଥିଲେ ଏବଂ ରୋଗ ତାଙ୍କ ଶରୀରରେ ନିଜର କାୟା ବିସ୍ତାର କରିଚାଲିଥିଲା। ହଠାତ ଦିନେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ପୁଅ ବୋହୂ ସଂଗେ ସଂଗେ ନେଇ ଚାଲିଯାଇଥିଲେ ତାଙ୍କୁ ଡାକ୍ତରଖାନା। ସେଠାରେ ଜଣା ପଡ଼ିଲା, ସେ ନିମୋନିଆରେ ଆକ୍ରାନ୍ତ। ନିମୋନିଆର ଏହି ପରିସ୍ଥିତିରେ ସେ ଥିଲେ ଯାହା ଭଲ ହେବା ଦୁଃସାଧ୍ୟ ଥିଲା। ଦୀର୍ଘ ୨୫ ଦିନ ନିଜ ଜୀବନ ସହ ସଂଗ୍ରାମ କରି ଶେଷରେ ରୋଗ ନିକଟରେ ହାର ନ ମାନି ରୋଗକୁ ପରାସ୍ତ କରିଥିଲେ ଦାସ ବାବୁ। ୨ ମାସର ଚିକିତ୍ସା ପରେ ଭଲ ହୋଇ ଘରକୁ ଫେରିଥିଲେ ଦାସ ବାବୁ। ଡାକ୍ତରଙ୍କ ପରାମର୍ଶ ଥିଲା ଆଗାମୀ ୩ ମାସ ଘରୁ ନ ବାହାରିବା ପାଇଁ। ୪ ମାସ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ଦୋକାନକୁ ଆସିଥିଲେ ଦାସ ବାବୁ।
ତାଙ୍କୁ ସୁସ୍ଥ ଦେଖି ଅଞ୍ଚଳର ଲୋକ ଖୁବ ଖୁସି ହୋଇଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଦେଇଥିଲେ। ସେହି ଭିତରେ ଜଣେ କହିଥିଲେ, "ଦାସ ବାବୁ ଯାହା ବି ହୋଇଯାଉ ଆପଣ ହାର ମାନିବାର ଲୋକ ନୁହଁନ୍ତି। " ଦାସ ବାବୁ ହସି ହସି ଉତ୍ତର ଦେଇଥିଲେ,
" ହାରିବାର ବୟସ ପୁଣି କଣ" ।