Lipsa Das

Romance

3  

Lipsa Das

Romance

ହୋଲି ରେ ପ୍ରେମର ରଙ୍ଗ

ହୋଲି ରେ ପ୍ରେମର ରଙ୍ଗ

4 mins
258


        ଦୀପକ ରହେ ସୁରଭିର ଘର ପାଖରେ । ଖୁବ ରାଗି ସ୍ୱଭାବର ପିଲା ଦୀପକ । ଟିକିଏ କିଛି କାମରେ ଖିଲାପ ହେଲେ ଖୁବ ଜୋରରେ ଚିଡ଼ି ଯାଏ ସେ । ଆଉ ସୁରଭି, ଖୁବ ଶାନ୍ତ ସରଳ ଓ ଚୁପଚାପ ଝିଅଟିଏ । ଦୀପକ ସୁରଭି ଠାରୁ ୩ ବର୍ଷ ବଡ଼ ବୟସରେ । ଉଭୟଙ୍କ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ଥାଏ, ତା ଛଡ଼ା ଦୀପକର ମାଆ ସୁରଭିକୁ ଖୁବ ସ୍ନେହ କରନ୍ତି । ସେଥିପାଇଁ ସୁରଭି ବହୁତ ସମୟରେ ଦୀପକ ଘରକୁ ଯିବା ଆସିବା କରୁଥାଏ । 


         କିନ୍ତୁ ସୁରଭିର ଏତେ ଥର ଆସିବା ଦୀପକକୁ ପସନ୍ଦ ନଥାଏ । ସେ ବହୁତ ଥର ଆକଟ କରିଥାଏ ତା ମାଆଙ୍କୁ ଆଉ ସୁରଭିକୁ କହିଥାଏ ତାଙ୍କ ଘରକୁ ନ ଆସିବା ପାଇଁ କିନ୍ତୁ ସୁରଭି କିଛି ଖାତିର ନ କରି ସବୁବେଳେ ତାଙ୍କ ଘରକୁ ଆସେ । 


         ସେଦିନ ଦୀପକଙ୍କ ଘରେ କେହି ନଥାନ୍ତି, ଏକା ଦୀପକ ଥାଏ । ଅଫିସ ଯିବାର ସମୟ ହୋଇଯାଉଥିବାରୁ ରେଡ୍ଡୀ ହେଉଥାଏ । ଏତିକି ବେଳେ ଆସିଲା ସୁରଭି । ବାହାର କବାଟ ଖୋଲା ଥିବାରୁ ଆଣ୍ଟି ଆଣ୍ଟି କହି ଘର ଭିତରକୁ ପଶି ଆସିଲା ସେ । ସେତିକି ବେଳେ ତା ନଜର ପଡ଼ିଲା ଦୀପକ ଉପରେ । କଳା ରଙ୍ଗର ଫର୍ମାଲ ସାର୍ଟ ସହିତ ପାଉଁଶିଆ ରଙ୍ଗର ପ୍ୟାଣ୍ଟ ପିନ୍ଧି ଅଫିସ ଯିବା ପାଇଁ ପ୍ରସ୍ତୁତ ହେଉଥାଏ ସେ । ତା ପାର୍କ ଆଭିନ୍ୟୁ ପର୍ଫ୍ୟୁମର ବାସ୍ନା ସେ କୋଠରୀକୁ ମହକରେ ଭର୍ତ୍ତି କରିଦେଇଥାଏ । ଦୀପକକୁ ଦେଖି କିଛି ସମୟ ସୁରଭି ତାକୁ ଏକ ଲୟରେ ଚାହିଁ ରହିଥିଲା । ଆଜିଯାଏଁ ଦୀପକ ତାକୁ ଏତେ ଭଲ କେବେ ବି ଦେଖା ଯାଇ ନଥିଲା । ଦୀପକକୁ ଦେଖିବା ପରେ ତା ମନ ରଙ୍ଗ ବେରଙ୍ଗର ପ୍ରଜାପତି ପରି ଉଡିବାକୁ ଲାଗିଥିଲା । ଏକ ନୂତନ ପ୍ରତିକ୍ରିୟା ସେ ଅନୁଭବ କରିଥିଲା ତା ଶରୀରରେ । ଦୀପକର ଆଖିରେ ଆଖି ମିଶିଯିବା ପରେ ଲାଜେଇ ଯାଇ ନିଜ ଘରକୁ ଚାଲିଯାଇଥିଲା ସେ । 


         ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସୁରଭି ଆଉ ଆସିନଥିଲା ଦୀପକ ଘରକୁ । ହୁଏତ ଦୀପକର ଭୟରେ ଅବା ଲାଜରେ, କିନ୍ତୁ ଆଉ ଆସିନଥିଲା ସେ । ଦୀପକର ମାଆ ଡାକିବା ପରେ ଧୀରେ ଧୀରେ ଯିବା ଆସିବା ପୁଣି ଲାଗିରହିଲା ତାର । ଏବେ କିନ୍ତୁ ସେ ଯେତେବେଳେ ଆସେ ତା ଆଖି ପ୍ରଥମେ ଦୀପକକୁ ଖୋଜିବୁଲେ । ଦୀପକର ଉପସ୍ଥିତି ହିଁ ତା ପାଇଁ ଯଥେଷ୍ଟ ଥାଏ । ତା ଅଜାଣତରେ ଦୀପକର ପ୍ରେମର ରଙ୍ଗ ତା ମନରେ ଲାଗିସାରିଥିଲା । କିନ୍ତୁ ଦୀପକକୁ ଏ ସବୁ ଟିକେ ଅଲଗା ଅଲଗା ଅନୁଭବ ହେଉଥାଏ । ସେ ଜାଣିପାରୁଥାଏ ସୁରଭିର ଦେଖିବାର ଶୈଳୀରେ ପରିବର୍ତ୍ତନ ହୋଇଛି । ଆଗ ପରି ନଜରରେ ସୁରଭି ଆଉ ଦେଖୁ ନାହିଁ ତାକୁ ବରଂ କିଛି ଅଲଗା ନଜରରେ ଦେଖୁଛି ଯାହା ତାକୁ ଖୁବ ବିଚଳିତ କରୁଛି । 


ସେଦିନ ଥାଏ ସୁରଭିର ଜନ୍ମଦିନ । ସକାଳୁ ସକାଳୁ ଉଠି, ମନ୍ଦିର ଗଲା ପରେ ସେ ଆସିଥାଏ ଦୀପକ ଘରକୁ ମିଠା ଦେବା ପାଇଁ । ଦୀପକର ଅଫିସ ଛୁଟି ଥିବାରୁ ସେଦିନ ଡେରି ପର୍ଯ୍ୟନ୍ତ ଶୋଇଥାଏ ସେ । ସୁରଭି ଏତିକି ବେଳେ ମିଠା ନେଇ ପଶିଗଲା ଦୀପକ ରୁମକୁ ଆଉ ତା ପିଠିରେ ହାତ ଦେଇ ତାକୁ ଉଠାଇବାକୁ ଚେଷ୍ଟା କରିଲା । ଏତିକି ବେଳେ ସୁରଭି ହାତକୁ ଟାଣି ନେଇ ତାକୁ ଖଟ ଉପରେ ବସିବା ପାଇଁ ବାଧ୍ୟ କରିଥିଲା ଦିପକ । ନିଦରେ ସେ ଜାଣିପାରିନଥିଲା ଯେ ସେ ଧରିଥିବା ହାତଟି ତା ମାଆଙ୍କର ନୁହେଁ ବରଂ ସୁରଭିର । ସୁରଭିର ଭିଜା ଚୁଟିରୁ ଟୋପା ଟୋପା ପାଣି ଯେତେବେଳେ ଦୀପକ ଉପରେ ପଡ଼ିଥିଲା ସେତେବେଳେ ନିଦ ଭାଙ୍ଗିଥିଲା ତା'ର । ଉଠିଲା ପରେ ଆଖି ଖୋଲି ଦେଖିଲା ତ ନିଜ ଆଖିକୁ ଵିଶ୍ଵାସ କରିପାରିଲା ନାହିଁ ସେ । ହଳଦିଆ ଶାଢ଼ୀ ସହିତ ଗୋଲାପୀ ବ୍ଲାଉଜ, ଭିଜା ଭିଜା ଖୋଲା ଚୁଟି, ଓଠରେ ଗୋଲାପୀ ଲିପଷ୍ଟିକ ଆଉ ଆଖିରେ କଜଳ ଦେଖିଲା ପରେ ସେହି ମୁହୂର୍ତ୍ତରେ ବୋଧହୁଏ ତା ମନରେ ଘର କରିସାରିଥିଲା ସୁରଭି । 


ଦୀପକ ଉଠିବା ପରେ ସୁରଭି ତାକୁ କହିଲା,"ଆଜି ମୋ ଜନ୍ମଦିନ, ରାତିରେ ମଉସା ମାଉସୀଙ୍କ ସହିତ ଆମ ଘରକୁ ଆସିବ।" ଦୀପକ କାନକୁ ଆଉ କିଛି ଶୁଣା ଯାଉ ନଥାଏ । ତା ଆଖି ଆଗରେ ଖାଲି ସୁରଭିର ଚେହେରା ନାଚି ଉଠୁଥାଏ । ସେହିଦିନ ସେ ମନେ ମନେ ଭାବିଥିଲା, "ଏ ସୁରଭି ସତରେ କେତେ ସୁନ୍ଦର, କିନ୍ତୁ ମୁଁ କଣ ପାଇଁ ଆଜି ଯାଏଁ ଦେଖି ପାରିନଥିଲି।" 


        ତା ପରଠାରୁ ସବୁଦିନ ଦୀପକ ସୁରଭିର ଆସିବା ବାଟକୁ ଚାହିଁ ରହିଥାଏ । ସୁରଭି ମଧ୍ୟ ଦୀପକ ଅଫିସ ଯିବା ଆଗରୁ କିଛି ସମୟ ପାଇଁ ଆସି ତାକୁ ଟିକିଏ ଦେଖି ଦେଇ ଯାଏ । ଉଭୟଙ୍କ ମନ ସେଇ ପ୍ରେମରୂପୀ ବର୍ଷା ଛିଟାରେ ଓଦା ହୋଇସାରିଥିଲା କିନ୍ତୁ କେହି କାହାକୁ କିଛି କହିପାରୁନଥିଲେ । ଜଣେ ସମୟ ଅପେକ୍ଷାରେ ଥିଲା ତ ଆଉ ଜଣେ ପ୍ରେମ ନିବେଦନର ଆପେକ୍ଷାରେ । ଉଭୟେ ଖାଲି ନିଜ ମନର ପ୍ରେମ ଅଗ୍ନିରେ ପ୍ରତି ମୁହୂର୍ତ୍ତ ଜଳୁଥିଲେ କିନ୍ତୁ ପରସ୍ପରର ସେଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରିନଥିଲେ । 


 କିଛି ଦିନ ପରେ ହୋଲି ଆସିଲା । କେବେ କାହା ସହିତ ହୋଲି ଖେଳୁନଥିବା ଦୀପକ ସେଦିନ ମନସ୍ଥ କରିଥିଲା ସୁରଭି ଦେହରେ ଟିକେ ରଙ୍ଗ ଲଗେଇବ ବୋଲି ଆଉ ସୁରଭି ଚାହୁଁଥିଲା ଦୀପକର ପ୍ରେମ ରଙ୍ଗରେ ସବୁଦିନ ପାଇଁ ରଙ୍ଗୀନ ହୋଇଯିବାକୁ । 


ହୋଲି ଖେଳ ଆରମ୍ଭ ହେବା ପରେ ସର୍ବ ପ୍ରଥମେ ଦୀପକ ଯାଇଥିଲା ସୁରଭି ପାଖକୁ ଆଉ ତା ଗାଲରେ ରଙ୍ଗ ଲଗାଇ ତାକୁ କହିଥିଲା, "ଜୀବନରେ ରଙ୍ଗଠାରୁ ଦୂରେଇ ରହୁଥିବା ଏ ରଂଗହୀନ ମଣିଷଟି ଆଜି ତୁମ ପ୍ରେମର ରଙ୍ଗରେ ରଙ୍ଗୀନ । ମୁଁ ତୁମକୁ ଭଲ ପାଏ ସୁରଭି।" ଦୀପକର କଥା ଶୁଣି ସୁରଭି ପ୍ରତ୍ୟୁତ୍ତର ରଖିଥିଲା,"ସେଦିନ ତୁମକୁ ସେଇ କଳା ସାର୍ଟରେ ଦେଖିବା ପରଠାରୁ ହିଁ ମୁଁ ତୁମ ପ୍ରେମରେ ଭିଜିବାକୁ ଚାହିଁଥିଲି । ମୁଁ ସବୁଦିନ ପାଇଁ ତୁମ ପ୍ରେମର ରଙ୍ଗକୁ ମୋ ସୀମନ୍ତରେ ଭରିବାକୁ ଚାହିଁଥିଲି । ଖାଲି ଅପେକ୍ଷା ଥିଲା ଯଦି ତୁମ ନିବେଦନର।" 


      ସେଦିନ ହୋଲିରେ ଉଭୟେ ଅବିରର ରଙ୍ଗ ସହିତ ପରସ୍ପରକୁ ନିଜ ପ୍ରେମର ରଙ୍ଗରେ ଭିଜାଇ ରଙ୍ଗୀନ କରିଦେଇଥିଲେ । 



Rate this content
Log in

Similar oriya story from Romance