Bikranta behera

Romance Tragedy Inspirational

5.0  

Bikranta behera

Romance Tragedy Inspirational

ମୋ ଜୀବନର ଅକୁହା କାହାଣୀ

ମୋ ଜୀବନର ଅକୁହା କାହାଣୀ

7 mins
625


କେବେ ସମୁଦ୍ର ଦେଖିଛ, ରାତି ହେଲେ ତା'ର ଗର୍ଜନ ଶୁଣିଛ? ଡର ଲାଗେନା? ବେଳେ ବେଳେ ସେମିତି ଏକ ଗର୍ଜନ ଶୁଣାଯାଏ କେଉଁ ଏକ ସମ୍ପର୍କ ଛିଡ଼ିଯିବା କଳ୍ପନାରେ I ସେଦିନ ମୋ ଭିତରେ ବି ସେହି ଭୟ ଆସିଥିଲା I


"ଏମିତି ତୁମେ କଣ ପାଇଁ କଲ" ହସ୍ପିଟାଲ ବ୍ୟାଡ଼ରେ ବ୍ୟାକୁଳ ହେଇ ପଚାରିଲି ସଞ୍ଜୁ କୁ" I "ସଞ୍ଜୁ" ଯାହାକୁ ୪ ବର୍ଷ ପୂର୍ବେ ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀରଖି ବିବାହ କରିଥିଲି I ଦାମ୍ପତ୍ୟ ଜୀବନରେ ଅନେକ ଝଡ଼ ଆସିଛି ଏବଂ ରାସ୍ତା କାଟି ଚାଲି ମଧ୍ୟ ଯାଇଛି I ହେଲେ ଏଥର ଝଡ଼ ତ ନୁହଁ ପୁରା ମହାବାତ୍ୟା ଟା ଅଚାନକ ଆସିଛି I ଯାହାକୁ ସାମ୍ନା କରିବାକୁ ମୋ ପାଖରେ ସାହସ ଏବଂ ଧର୍ଯ୍ୟ କିଛିବି ନାହିଁ I

"ସବୁ କିଛି ତୁମରି ପାଇଁ" ଆଖି ଝରା ଲୁହରେ ଉତ୍ତର ରଖିଲା ସଞ୍ଜୁ I ତା' ର ଏହି ଉତ୍ତରରେ ଆଖିର ବନ୍ଧ ଭାଙ୍ଗି ମାଡିଆସିଲେ ଲୁହର ମହାସାଗର I ବେଳେବେଳେ ଜୀବନରେ ଭୁଲ ଠିକ ର ହିସାବରେ ମୁଁ ବି ଜୀବନର ବାସ୍ତବତା କୁ ଦେଖିବାକୁ ଭୁଲି ଯାଇଛି, ତାହା ଆଜି ଅନୁଭବ କରୁଛି I ଏବେ କେବଳ ମନର ଭୟକୁ ଦୂରେଇବାକୁ ଚେଷ୍ଟା I


ମୋ ପରିବାର କହିଲେ - ମୋର ବାପା, ବୋଉ ଏବଂ ମୋର ସାନ ଭଉଣୀ ଯାହାର ବାହାଘର 7 ବର୍ଷ ପୂର୍ବେ ହେଇ ସାରିଛି I ସୁଖ ଦୁଃଖର ସଂସାର ଟା ଆସ୍ତେ ଆସ୍ତେ ଆଗେଇ ଚାଲିଥିଲା ପେସେଞ୍ଜର ଟ୍ରେନ ପରି ଷ୍ଟେସନ ପରେ ଷ୍ଟେସନ ଆଗକୁ I 


"ସବୁ କିଛି ତୁମରି ପାଇଁ" ସଞ୍ଜୁର ଏହି ଉତ୍ତର ରେ ମୁଁ ଏବଂ ମୋର ଭୟବିତ ହୃଦୟ କମ୍ପୁଥିଲା, ଆସୁଥିବା ପ୍ରଳୟଙ୍କରୀ ଭୂମିକମ୍ପରେ I 


ନିମ୍ନ ଏକ ପରିବାର ରେ ଜନ୍ମ ନେଇ ନିଜର ଏକ ସିତନ୍ତ୍ର ପରିଚୟ ତିଆରି କରିବା ସମାଜରେ ବହୁତ କଷ୍ଟ I ତଥାପି ମୁଁ ହାର ମାନିନୀ, ଗ୍ରାଜୁଏସନ ସରିବା ପରେ ଘର ଛାଡ଼ି 2000 କିଲୋମିଟର ଦୂର ମୁମ୍ବାଇରେ ଚାକିରୀ କରିବାକୁ ନିଷ୍ପତି ନେଇଥିଲି I ନିଜର ପରିଶ୍ରମ ଏବଂ ଭଗବାନଙ୍କ ଆଶ୍ରିବାଦରୁ ନିଜର ଏକ ପରିଚୟ ଅଳ୍ପ ବହୁତ ଅର୍ଜନ କରିଛି II


 ଯୌବନର ପାହାଚରେ ମନ ଥିଲା ଉଡ଼ା ପ୍ରଜାପତି, ଉଡ଼ୁଥିଲେ ଫୁଲରୁ ଫୁଲ, ବଗିଚାରୁ ବଗିଚା I ବୟସର ଦ୍ୱାହି ଦେଇ ବହୁ ବାହାଘର ପ୍ରସ୍ତାବ ଆସୁଥିଲା I ବହୁ ପ୍ରସ୍ତାବ ଆସିବା ପରେ, ଜୀବନରେ ସେ ଆସିଲା ଏବଂ ଆଖିରେ ଆଖି ମିଶେଇ ହୃଦୟକୁ ଅଜାଣତେ ଚୁରି କରିନେଲା I ଲାଗିଲା ସେ ମୋ ଜୀବନକୁ ସମ୍ପୂର୍ଣ କରିଦେବ I ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ସଞ୍ଜୁଙ୍କ ପ୍ରସ୍ତାବରେ ରାଜି ହେଇଗଲି I


ତା' ସହ ପ୍ରଥମ ଦେଖା ଜୀବନରେ ଅନା ବନା ରଙ୍ଗ ଆଣିଥିଲା I ଅସୁମାରୀ ସ୍ବପ୍ନ ସବୁ ଆକାଶ ଛୁଉଁଲେ, ସେ ରଙ୍ଗ ତୁଳିବାକୁ I ଆଖି ତାର ସାଗର ପରି, ଯେଉଁଥିରେ ହଜି ଯିବାକୁ ଜମାବି ଭୟ ନଥିଲା I ଯୌବନର ପ୍ରଥମ ଭାଗକୁ ପୂର୍ଣ୍ଣଛେଦ ପକେଇ ବହୁ ଆଡମ୍ବର ରେ ବାହାଘର ସରିଲା I ଶାଶୁ, ଶଶୁର, ଶଳା ଏବଂ ଶାଳୀ ମଧ୍ୟ ଖୁବ ଆପଣାର ହେଇଗଲେ ଏଇ କିଛି ଦିନ ଭିତରେ I ଜୀବନର ଖାତାରେ ଆଉ ଏକ ଫର୍ଦ ଲେଖା ହେଲା, ଝିଅ ଜନ୍ମ ଦେଇ ନାରୀ ଜୀବନକୁ ସମ୍ପୂର୍ଣ କରିଥିଲା ସଞ୍ଜୁ I ମୁଁ ବି ବାପା ହେବାର ଖୁସିରେ ହଜି ଯାଇଥିଲି I


ଜୀବନର ରଙ୍ଗ ଧୀରେ ଧୀରେ ବଦଳୁ ଥିଲା ଏବଂ ତା' ସହ ବଦଳୁ ଥିଲା ପରିବାର I ସଞ୍ଜୁ, ମୁଁ ଏବଂ ମୋ ପରିବାର ଭିତରେ ସମ୍ପର୍କ ଆସ୍ତେ ଆସ୍ତେ ଅସଜଡ଼ା ହେଇ ଯାଉଥିଲେ I କାହାକୁ ସମ୍ପୂର୍ଣ ଠିକ କିମ୍ବା ଭୁଲ ବୋଲିର ସାର୍ଟିଫିକେଟ କେବେ ଦେଇ ପାରିନି, ନା "ମା" କୁ ନା "ସ୍ତ୍ରୀ" କୁ I ଯାହାର ହାତ ଧରିଥିଲି ନା ତାକୁ କେବେ ଛାଡ଼ି ପାରିବି, ନା ଯିଏ ମତେ ଜନ୍ମ ଦେଇଛି ତାକୁ କେବେ ପର କରି ପାରିବି I ହେଲେ ଯିଏ ନିଜ ଝିଅକୁ ମୋ ହାତରେ ବାନ୍ଧି ଦେଇଛି ତାଙ୍କୁ କି ଉତ୍ତର ରଖିବି?


ହସ୍ପିଟାଲ ର ICU ବ୍ୟାଡ଼ରେ ସଞ୍ଜୁକୁ ଭର୍ତି ପରେ ଆଗ ଅପେକ୍ଷା ଟିକେ ସ୍ଵସ୍ଥ ଜଣା ପଡୁଥିଲା I ହେଲେ ଶରୀରର ପୀଡା ଏତେ କଷ୍ଟ ଥିଲା ଯେ, ପଥର ଭଳି ଛାତିକୁ ବି ଚିରି ଦେବ I ସେଦିନ ରାତିରେ ମୋର ନିଦ ବି ହଜି ଯାଇଥିଲା ରାଜଧାନୀର ଚଞ୍ଚଳ ରାତିରେ I ସ୍ମୃତି ସବୁକୁ ସାଇତି ରଖିଥିବା ମୋବାଇଲ ଗ୍ୟାଲେରୀ କୁ ଖୋଲି ଗୋଟେ ପରେ ଗୋଟେ ଫୋଟ ଦେଖୁଥିଲି ଏବଂ ସେ ଫୋଟ ସହ ଘଟି ଯାଇଥିବା ଖଟା ମିଠା ଘଟଣାକୁ ଅନୁଭବ କରୁଥିଲି I


ସେଦିନ ଥିଲା ମଙ୍ଗଳବାର ରାତି ଠିକ 9ଟା I 2 ଦିନ ଧରି ଚାଲିଥିବା ପରିବାର ବିଶୃଙ୍ଖଳା ନୂଆ ଏକ କାହାଣୀ ଲେଖିବାକୁ ଅପେକ୍ଷା କରିଥିଲା I ମନ ମାନନ୍ତର ଏମିତି ଅନେକ ଥର ହେଇଛି ଏବଂ ବୁଝାମଣା ବି ହେଇ ଯାଇଛି I ହେଲେ ସେଦିନ ଏମିତି ଏକ ଜିଦ୍ଧି ଯାହା କେବେ କେହି ବୁଝିବାକୁ ନାରାଜ I ନା "ବୋଉ" ନା "ସଞ୍ଜୁ" I ମୁଁ କିନ୍ତୁ ସବୁଥର ପରି ଡରୁଥିଲି କି ଘଟଣାଟି ଆଗକୁ ବଢ଼ି ନଯାଉ I


ମନ ଭିତରେ ଅସହଜ ଭାବନା ମତେ ହଟାତ ନିଦରୁ ଉଠେଇଦେଲା I ସମୟ ଦେଖେ ତ ବ୍ରହ୍ମମୁହୂର୍ତ୍ତ I କୋଟି କୋଟି ଦେବା ଦେବୀଙ୍କୁ ସ୍ମରଣ କରି ସଞ୍ଜୁ ପାଇଁ ଆୟୁଷ ମାଗୁଥିଲି I ମୋ ଆୟୁଷ ବଦଳରେ ସଞ୍ଜୁକୁ ଲାଗିଯାଉ, ଭଗବାନଙ୍କ ପାଖରେ ନେହୁରା ହେଉଥିଲି I ସକାଳେ ଡାକ୍ତର ଆସିଲେ ଏବଂ ଆଗ ଅପେକ୍ଷା ଟିକେ ଭଲ ଅଛନ୍ତି ବୋଲି କହିବାରୁ ଟିକେ ଅଶ୍ୱସ୍ଥି ମିଳିଲା କିନ୍ତୁ ମନର ଆକାଂକ୍ଷା ଆହୁରି ବଢିଗଲା I

ଝିଅ ମୋର ବହୁତ ଗେହ୍ଲା I ତା' ମା ତାକୁ ବହୁତ ଭଲ ପାଏ I ଦୁନିଆର ସବୁ ଖୁସି ଅଜାଡି ଦେଇଛି ତା' ଜିଦ୍ଦି ଆଗରେ I ମୋ ଝିଅ ଆଖିରେ ମୁଁ ବହୁତ ସ୍ବପ୍ନ ମଧ୍ୟ ଦେଖିଛି I ହେଲେ ଡର ଲାଗେ ସ୍ବପ୍ନ ମୋର ଭାଙ୍ଗି ଯିବନି ତ ଭାବି I


ହସ୍ପିଟାଲ ବ୍ୟାଡ଼ ରେ ଆଖି ମୋର ଏକ ଲୟରେ ଲାଗିଥିବା ଆକ୍ସିଜେନ ମନିଟର ଉପରେ ଥାଏ I ତୁଣ୍ଡରେ ଜଗନ୍ନାଥଙ୍କ ନାମ ନିରନ୍ତର ଚାଲିଥାଏ ଏବଂ ଆଖି ବନ୍ଦ କରି ଗୋଟେ ପରେ ଗୋଟେ ମାନସିକ କରି ଚାଲିଥାଏ ମହାପ୍ରଭୁଙ୍କ ପାଖରେ I


ବେଳେବେଳେ ବିଶ୍ୱାସ ବି ହୁଏନି, ସତରେ କଣ ଏମିତି କିଛି ଘଟଣା ମୋ ସହ ଘଟିଛି, ନା ଏସବୁ ରାତିରେ ଦେଖୁଥିବା ସ୍ବପ୍ନ ନା ମନ ଭିତରେ ଉଙ୍କି ମାରୁଥିବା କାଳ୍ପନିକ ଛବି ସବୁ I ହେଲେ ଏହାତ ବାସ୍ତବିକ ସତ୍ୟ, ଯାହା ଘଟି ଯାଇଛି ତାହା କେବେ ପରିବର୍ତ୍ତନ ହବନି I ଏହି କାହାଣୀଟି ମୋ ଜୀବନରେ ଘଟି ଯାଇଥିବା ଏକ ନିଚ୍ଛକ ସତ ଯାହା ସେଦିନ ରାତିରେ ମୋ ଆଖି ସାମ୍ନାରେ ଘଟି ଯାଇଥିଲା I ଘଟଣାକୁ ପଢିବା ପରେ ହୁଏତ ଆପଣଙ୍କ ମନରେ ବହୁ ପ୍ରଶ୍ନ ଏବଂ ଘଟଣାର ବିସ୍ତୃତ ଖବର ଜାଣିବାକୁ ଇଛା ନିଶ୍ଚୟ ହବ I କିନ୍ତୁ ଏହି ଲେଖା ମାଧ୍ୟମରେ ମୁଁ କେବଳ ମୋର ଅନୁଭବ ଏବଂ ମୋର ସ୍ପଷ୍ଟୀକରଣ କାହାଣୀ ଜରିଆରେ କହି ପାରିବି I ତାହାଲେ ଚାଲନ୍ତୁ କାହାଣୀକୁ ଟିକେ ପଛକୁ ନବା ଅର୍ଥାତ ସେଦିନ ମଙ୍ଗଳବାର ରାତିକୁ ନେବା I


ମଙ୍ଗଳବାର ରାତି 9ଟାରେ ଘରକୁ ଆସି ପ୍ରଥମେ ବୋଉ କୁ ଖାଇବାକୁ ଡାକିଲି, ହେଲେ ସେ ମୁହଁ ବୁଲେଇ "ମୁଁ ଖାଇବି ନାହିଁ ବୋଲି କହିଦେଲା, ଯେଉଁଦିନ ତୁ ବିଚାର କରିବୁ ଠିକ ଏବଂ ଭୁଲ ର ସେବେ ମୁଁ ଖାଇବି" I ଏମିତି 2ଦିନ ଧରି ଚାଲିଛି ଘର ଭିତରେ ଅଶାନ୍ତି I ମୁଁ ବି ଚୁପ ନ ରହି ସଞ୍ଜୁକୁ ଅନାବନା କହି ଚାଲିଲି "ତୁମ ପାଇଁ ସବୁବେଳେ ଆମ ଘରେ ଅଶାନ୍ତି, କେବେ ତ ଥରେ ଚୁପ ରୁହ" I ଶାଶୁ ବହୁଙ୍କ ଜିଦ ଆଗରେ କୌଣସି ବାକ୍ୟକୁ ପୂର୍ଣ୍ଣଛେଦ କରି ହୁଏନା I ସଞ୍ଜୁ କିନ୍ତୁ ଏଥର ନିଜ ଜିଦରେ ଅଟଳ, "ମୋ ପାଇଁ ଯଦି ଏତେ ସମସ୍ୟା ହଉଛି ତାହେଲେ ମୁଁ ରହିବିନି, ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ" କହି ରାଗରେ ଗୁମ ମାରି ବସିଲା I ମୁଁ କିନ୍ତୁ ଦୁରେଇ ଯାଉଥିଲି ଏହି କଳି ଭିତରୁ, ଆଜି ନାହିଁ କାଲି ନିଶ୍ଚୟ ସମାଧାନ ହେଇଯିବ ବୋଲି ଭାବି I ହଟାତ ଲକ୍ଷ୍ୟ କରେ ତ, ସଞ୍ଜୁ ହାତରେ ଦିଆସିଲ ଏବଂ ଦେହ ତାହାର କିରୋସିନରେ ଭିଜା I ମୁଁ ସଞ୍ଜୁ ପାଖକୁ ଧାଇଁ ଯିବାକୁ ଚେଷ୍ଟା ଦେଖି ହଟାତ ଦିଆସିଲ କାଠିଟି ଜଳେଇ ଶାଢ଼ୀ କାନିରେ ଲଗେଇ ଦେଲା I


ମୁଁ ବାକ୍ୟଶୂନ୍ୟ ହେଇ ଲିଭେଇ ବାକୁ ଚେଷ୍ଟା କରିଲି I ସଞ୍ଜୁର ଚିତ୍କାର ରେ ଧାଇଁ ଆସିଲେ ବୋଉ ଏବଂ ମୋ ଝିଅ I ମାତ୍ର 10-15 ସେକେଣ୍ଡ ରେ ନିଆଁକୁ ଆୟୁତ କରିଦେଲୁ I କିନ୍ତୁ ସେହି ସମୟ ଭିତରେ ବହୁତ କିଛି ଘଟି ଯାଇଥିଲା I ମୋ ପୃଥିବୀଟା, ମୋ ପାଦ ତଳୁ ଖସି ଯାଇଥିଲା I ମୁଁ ମୁକ ପାଲଟି ଯାଇଥିଲି, ଭାବିଲି ପାଖ ଡାକ୍ତରଖାନା ଗଲେ ସାଙ୍ଗେ ସାଙ୍ଗେ ଭଲ ହେଇ ଫେରି ଆସିବ ହେଲେ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଗଲା I

କଟକର ସହର ଭିତରେ ମୁଁ ନିଜକୁ ଅଣନିଶ୍ୱାସ ପରି ଅନୁଭବ କରିଲି, ଯେତେବେଳେ ଅପରିଚିତ ରୋଗୀ ମାନଙ୍କର ଯନ୍ତ୍ରଣାକୁ ଦେଖି I ମନ ଭିତରେ କୌଣସି ଦ୍ୱନ୍ଦ ନରଖି ଭୁବନେଶ୍ୱର ର ଘରୋଇ ହସ୍ପିଟାଲକୁ ତତକ୍ଷଣାତ ଟ୍ରାନ୍ସଫର କରିଦେଲି I


ଯୁଦ୍ଧର ରଣଭୂମିରେ ଠିଆ ହେଇ ଲଢେ଼ଇ କରୁଥିଲି, ସଞ୍ଜୁର ଜୀବନ ପାଇଁ I ସହସ୍ର ନାମକୁ ଜପୁଥିଲି ଏକମାତ୍ର ସଂକଳ୍ପ ସଞ୍ଜୁ ପାଇଁ, ଭଗବାନ ସବୁ ଠିକ କରି ଦିଅନ୍ତୁ I ଶାଶୁଙ୍କ ମୁହଁ ଦେଖି ପଢ଼ି ହବ ସେ ବେଦନା, ଶୁଖୁ ନଥିବା ନଈ ଭଳି ତାଙ୍କ ଲୁହ ଶୁଖୁନି I ବୈଶାଖର ତାତି ମୋ ପରିବାର କୁ ଜାଳିଦେବା ଆଗରୁ ମୁଁ ଆଖି ବନ୍ଦ କରି ଶୋଇଯିବି ଭାବିଲି I ରାତିରେ ଛୁଟି ଆସିଲେ ସ୍ବପ୍ନମାନେ ମୋ ମାନସ ପଟରେ, ଝିଅ ମୋର ହାତ ଧରି ଚାଲୁଛି କେଉଁ ଏକ ରାଜ ମହଲ କୋଠା ଭିତରକୁ I ବଡ଼ ସରକାରୀ ଅଫିସର ବୋଲି ପରିଚୟ ମୋ ଝିଅର I ଆଉ କିଛି ସ୍ପଷ୍ଟ ବାରିବା ଆଗରୁ ଆଖି ଖୋଲିଗଲା I ଦୁରେଇ ଗଲେ ସ୍ବପ୍ନ ସବୁ, ଲାଗିଲା ଯେମିତି ଜୀବନରେ ଝଡ଼ଟା ରାସ୍ତା କାଟି ଚାଲି ଯାଇଛି I କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖି ଥିଲା ମୋ ଭାଗ୍ୟରେ I


ସଞ୍ଜୁ ଯେବେବି ଏମିତି ରାଗିଛି ପ୍ରାୟ ସବୁ ସମୟରେ "ମରିଯିବ" କହି ସମସ୍ତଙ୍କୁ ଡରେଇବାକୁ ଚେଷ୍ଟା କରିଛି I କ୍ରୋଧ ହେଲେ ରକ୍ତାକ୍ତ ପଡ଼ିଯାଏ ତା'ର ସେଇ ନୀଳ ଆଖି, ପିଇଯାଏ ଦୁନିଆର ସମସ୍ତ ଜ୍ୱାଳାକୁ ଭୋଳାନାଥ ପରି I ହେଲେ ସମୟ କ୍ରମେ ସବୁ ବୁଝିଯାଏ I ପୁଣିଥରେ ହସ ଖୁସିରେ ଘର ଅଗଣା ଟା ଭରିଯାଏ I


ସଞ୍ଜୁ ଏବଂ ମୋ ଭିତରେ ଏକ ଅତୁଟ ଭଲ ପାଇବା, ହେଲେ କାହା ପରି ସମାଜ ଆଗରେ କେବେ ପ୍ରକାଶ କରି ପାରିନି I କାନ୍ଧରେ ତା'ର ହାତ ରଖିନି ସତ, ହେଲେ ଚଲା ରାସ୍ତାରେ ତା' ହାତ କେବେବି ଛାଡ଼ିନି I ଖୁସି ଥିଲେ ସେ, ପ୍ରେମର ମଳୟ ପବନ ଶିରି ଶିରି ବିଞ୍ଚିଦିଏ ମୋ ଅଙ୍ଗରେ I ମହକି ଯାଏ ପ୍ରେମ ତାର, ପୁର୍ଣିମାର ଚାନ୍ଦ ପରି I ହାତରେ ହାତ ରଖି ଆଙ୍କିଦିଏ ସାତରଙ୍ଗୀ ଇନ୍ଦ୍ରଧନୁ, ଠିକ ଶ୍ରାବଣର ବର୍ଷା ପରେ I


ଘଟିଥିବା ଘଟଣାର 4ଦିନ ପର୍ଯ୍ୟନ୍ତ ସଞ୍ଜୁ ICU ବ୍ୟାଡ଼ରେ ସେମିତି ଜୀବନ ସଂଗ୍ରାମରେ ଏକା ଲଢୁ ଥାଏ,ଏପଟେ ମୁଁ କେବଳ ଭଗବାନଙ୍କ ଭରସାରେ ଆଖ ପାଖ ମନ୍ଦିର ଯାଇ ଗୁଡ଼ାଏ ମାନସିକ କରି ପକାଏ I ସନ୍ଧ୍ୟା ବେଳେ ମୁଖ୍ୟ ଡାକ୍ତର ବାବୁଙ୍କ କ୍ୟାବିନକୁ ଯାଇ ସଞ୍ଜୁଙ୍କ ରିପୋର୍ଟ ବାବଦରେ କଥା ହେଲି I ବାଷ୍ପରୁଦ୍ଧ ମୁହଁ ସହ କରୁଣ ଚାହାଣିରେ ଡାକ୍ତରବାବୁ "ଧର୍ଯ୍ୟ ଧରନ୍ତୁ" ବୋଲି ମତେ କହିଲେ I "ବଞ୍ଚିବାର ସମ୍ଭାବନା ବହୁତ କମ" ଶୁଣିବା ପରେ ଦେହ ମୋର ଥରି ଉଠିଲା, ମସ୍ତିଷ୍କରେ ଥମି ଯାଇଥିବା ଝଡ଼ ପୁଣିଥରେ ସୁନାମିର ରୂପ ନେବା ଆରମ୍ଭ କରିଦେଲେ I


ବାପା ଏବଂ ମୋ ଦାଦା ବାହାରୁ ଆସି ସାରିଥିଲେ, ମତେ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ ଏବଂ ଯାହା ବି ଦୁଃଖ, କଷ୍ଟ ଆସିବ ମିଳିମିଶି ସାମ୍ନା କରିବା ବୋଲି ମତେ ବିଶ୍ୱାସ ଦେଲେ I ହେଲେ ମନ ମୋର ଅମାନିଆ, କାହିଁକି ବୁଝିବ ଏତେ ସବୁ I ପିଲାବେଳୁ କେବେ ଦୁଃଖ କଷ୍ଟରେ ବଢ଼ି ନାହିଁ I ମୋ ଖୁସି ପାଇଁ, ବୋଉ ବାପା ବହୁତ ତ୍ୟାଗ କରିଛନ୍ତି ତାଙ୍କ ଜୀବନରେ I ଗୋଟେ ବୋଲି ପୁଅ ବୋଲି ବହୁତ ଗେଲ୍ହା I


ଦୀର୍ଘ 12ଦିନ ଧରି ICU ବ୍ୟାଡ଼ରେ ନିଜ ଜୀବନ ସହ ବଞ୍ଚିବାକୁ ସଂଗ୍ରାମ କରୁଥିବା ସଞ୍ଜୁ ଏଥର ହାରି ଯାଇଥିଲା I ସମସ୍ତ ଚେଷ୍ଟା ପରେ ବି ତା' ନିଶ୍ୱାସ କୁ ରଖି ପାରିଲି ନାହିଁ I ମୁଁ ବି ହାରିଗଲି, ଜୀବନର ଭିକ୍ଷା ମାଗୁଥିବା ଭଗବାନଙ୍କ ପାଖରେ I କେତେ ଯେ ସ୍ବପ୍ନ ରହିଗଲା ସେ ଆଖି ଭିତରେ, ଯାହା ଭିତରେ ମୋ ଦୁନିଆ ଥିଲା I ଲେଖୁଥିବା କାହାଣୀ ବି ଅଧା ରହିଗଲା, କଲମର ମୁନ ଭାଙ୍ଗି ରଙ୍ଗ ସବୁ ଖେଳିଗଲା କାଗଜ ଉପରେ I


ଏବେ କେବଳ ମୁଁ ଏବଂ ମୋ ଝିଅ, ଦୁହେଁ ବଞ୍ଚିଛୁ ଆମ ଦୁନିଆରେ I ଇତିହାସର କଳା ଅକ୍ଷରରେ ଲେଖା ମୋ ଜୀବନର କାହାଣୀ, ନା ମୁଁ କେବେ କହିଛି ନା କେହି କେବେ ଶୁଣିଛି I ସଞ୍ଜୁ ଉପସ୍ଥିତି ମୁଁ ସବୁଦିନ ରାତିରେ ଏହି ଶୁଖିଲା ଆଖିରେ ଦେଖୁଛି I ମୋ ହୃଦୟର ଶୂନ୍ୟ ସିଲଟରେ ସଞ୍ଜୁ ତା'ର ନାଁ ଲେଖି ସାରିଛି, ଯାହା ଏବେ ଲିଭିବା ସମ୍ଭବ ନୁହଁ I ଏବେ ସମୟ କେବଳ ସ୍ମୃତିକୁ ସଜେଇବାର, ସ୍ବପ୍ନକୁ ବନ୍ଦୀ କରି ରଖିବାର I


ଯାହା କେବେ କହି ହୁଏ ନାହିଁ, ତାହା କାଗଜରେ ବୋଧେ ଲେଖି ହୁଏ I ଏହି କାହାଣୀକୁ ପଢୁଥିବା ପାଠକ ପାଠିକାଙ୍କ ପାଖରେ ମୋ ଜୀବନର ଘଟିଥିବା କାହାଣୀର, ମୋର ସ୍ୱତନ୍ତ୍ର ପକ୍ଷ ରଖିଛି I ଆଶାକରେ ଆପଣ ସମସ୍ତେ ପଢ଼ି ନିଜ ନିଜର ବିଚାର ନ ରଖି ସହ ହୃଦୟରେ ଅନୁଭବ କରିବେ I

      


Rate this content
Log in

Similar oriya story from Romance