STORYMIRROR

Bikranta Behera

Children Stories Classics Inspirational

4  

Bikranta Behera

Children Stories Classics Inspirational

ମୋ ସ୍କୁଲ

ମୋ ସ୍କୁଲ

3 mins
12


"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ"

 

ମଧୁସୂଦନ ରାଓଙ୍କ ଏହି କବିତା ଆଜି ହୃଦୟର ଗଭୀରତାରୁ ଗୁଞ୍ଜିଓଠେ I ମନେପଡେ ସେ ପିଲାଦିନ, ସେ ସ୍କୁଲ ଆଉ ସେ ସ୍କୁଲ ଯାଉଥିବା ରାସ୍ତା ସବୁ I ମୋ ସ୍କୁଲ କେଉଁ 5T ସ୍କୁଲ ନୁହଁ, ମୋ ସ୍କୁଲ ତ ଥିଲା ଏକ ନିଆରା, ଅନେକ ଭିତରେ ଗୋଟିଏ, ଯାହା ମୋ ଗାଁ' ଠାରୁ ଅନେକ ଦୂରରେ I ଅବଶ୍ୟ ସେ ଅନେକ ଏବେ ମାତ୍ର କେଇ ମିନିଟ ହେଇ ଯାଇଛି I କିନ୍ତୁ ସେବେ ଚାଲି ଚାଲି ଗଲେ ବୋଧେ ୧୫-୨୦ମିନିଟର ରାସ୍ତା ଥିଲା I ୧୫ ମିନିଟ ରାସ୍ତା ଭିତରେ; ନଈ, ବଣ, ବିଲ ଆଉ ନାଲିଗୁଡ଼ି ରାସ୍ତାଟିକୁ ପାର ହେବାକୁ ପଡୁଥିଲା I ମୁଁ ସେଠାକୁ ଏକା ଯାଉନଥିଲି, ମୋ ସହ ଆମ ଗାଁ'ର ପ୍ରାୟ ସମସ୍ତେ ଯାଉଥିଲେ ପଢିବାକୁ I ପ୍ରଥମରୁ ସପ୍ତମ ଯାଏ ପଢ଼ିବାର ବ୍ୟବସ୍ଥା ଥିଲା ସେ ସ୍କୁଲରେ I ରେଡ଼ିଓରେ ଗୀତ ଗୀତିକା କାର୍ଯ୍ୟକ୍ରମ ଆରମ୍ଭ ହେଲେ, କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟାକୁ ନଦେଖି ମଧ୍ୟ ଜାଣି ହୁଏ ଏହା ସ୍କୁଲ ବାହାରିବାର ବେଳ I ହଁ ଏବେ ସମୟ ଦିନ ୯ଟା ହେଇଗଲାଣି I ବରଡ଼ା ପତ୍ରରେ ବନ୍ଧା ଆସନରେ ବସିପଡି, ପଖାଳ ଦି ଗୁଣ୍ଡା; ତା' ସାଙ୍ଗକୁ ଆଳୁ ଚକୁଟା ଖାଇ ବାହାରିପଡ଼େ ସ୍କୁଲ ଯିବାକୁ I ଅଖା ସିଲେଇ ବ୍ୟାଗଟିକୁ ପଛରେ ପକେଇ, ଖସି ଯାଉଥିବା ହାପପ୍ୟାଣ୍ଟକୁ ଗଣ୍ଠି ପକେଇ ଅପେକ୍ଷା କରେ ଅନ୍ୟ ସାଥିମାନଙ୍କୁ I ମୋ ସାଙ୍ଗରେ ୨୦-୨୫ ପିଲା ରୁଣ୍ଡ ହେଇଯାଆନ୍ତି ସ୍କୁଲ ଯିବା ପାଇଁ I ଗାଁ'ର ଶେଷ ଭାଗରୁ ସ୍କୁଲ ଯିବାର ଅଭିଯାନ ଆରମ୍ଭ ହୁଏ, ଅର୍ଥାତ ମୋ ସ୍କୁଲ; ମୋ ଗାଁ'ର ଠିକ ପଛରେ, ଯାହା ଅନ୍ୟ ଏକ ଗାଁରେ ଅବସ୍ଥିତ I ପ୍ରଥମେ ଗ୍ରାମ ଦେବତୀକୁ ମୁଣ୍ଡିଆଟେ ମରି, ଗାଁ'କୁ ପଛରେ ପକେଇ ଚାଲିବା ଆରମ୍ଭ ହୁଏ I ଧାନ କିଆରୀର ହିଡ଼ ଉପରେ ପାଦ ଲମ୍ବେଇ ଚାଲୁଥାଏ ଆଗକୁ I ଧାନ କ୍ଷେତର ଧାରେ ଧାରେ ମଳୟ ପବନଟା ଦେହ ଉପରେ ବିଞ୍ଚିହେଇ ଚାଲୁଥାଏ ସାଥି ହୋଇ I ପାଦ ଚିହ୍ନରେ ସରଳରେଖା ଖଣ୍ଡେ ଆଙ୍କିହେଇ ଲମ୍ବିଥାଏ ଅନତି ଦୁରକୁ I କିଛି ପାଦ ଚାଲିବା ପରେ ସେ ଯାଗାରେ ପହଞ୍ଚେ, ଯଉଠି ମନ ଭିତରେ ଟିକେ ଡର ଆସେ I ଦୁଇଟି ଗାଁ ମଝିରେ ଲମ୍ବିଥାଏ ଏକ ଅଙ୍କା ବଙ୍କା ନଈଟେ I ସେ ନଈକୁ ଦେଖିଲେ ମନଟା କେମିତି ଅସହଜ ହେଇପଡ଼େ I ବାଉଁଶ ପୋଲରେ ପାଦ ଥିରି ଥିରି, ଚାପି ଚାପି, ଚାଲେ ଆସ୍ତେ ଆସ୍ତେ ଆଗକୁ I ମନରେ ଭୟ ଥାଏ ଯଦି ପାଦ ଖସରିବ, ଭଉଁରିଆ ନଈରେ ଜୀବନଟା ବୋହିଯିବ I ଜଣେ ପରେ ଜଣେ ପାର ହେଇଯାଉ ସେ ଅଙ୍କା ବଙ୍କା ନଈକୁ I

ଏବେ କିନ୍ତୁ ଚାଲିବାକୁ ହୁଏ ଏକ ବଣ ଭିତରେ I ଚାଲିବୁ କଣ? ଟିକେ ଦୌଡିବାକୁ ହୁଏ! ଲୋକମନେ କୁହନ୍ତି ଏହି ବଣରେ ବାଘ ଭାଲୁ ଅଛନ୍ତି, ଅବଶ୍ୟ ସେ କଥାରେ ସେମିତି କିଛି ସତ୍ୟତା ନଥିଲା, ତଥାପି ମନ ଭିତରେ ଏକ ଅଜଣା ଭୟ ମାଡ଼ିହେଇ ରହିଥାଏ I ବଣର ଶେଷରେ ଅବସ୍ଥିତ ସେ ବୁଢ଼ା ବରଗଛ, ଯାହା ଅନାଦି କାଳରୁ ସେଇଠି ଠିଆ ହେଇଛି I ସେ ବରଗଛ ମୂଳରେ ପୂଜା ପାଉଥାଏ ଏକ ପଥର ମୄତି; ଅବଶ୍ୟ ତା'କୁ ଆମେ ପିଲାମାନେ ହିଁ ଏମିତି ଭାବରେ ରୁପାଙ୍କିତ କରିଥିଲୁ ଯିଏ ବି ଦେଖିବ ନିଶ୍ଚୟ ମୁଣ୍ଡିଆଟେ ମାରିବ I ବିଶ୍ୱାସରେ ଭଗବାନ; ଅର୍ଥାତ ବିଶ୍ୱାସ ଥିଲେ ପଥର ବି ଭଗବାନ I ବିଶ୍ୱାସ ଥାଏ ଟିକେ ପୂଜା କରି, ବର ଓହୁଳ ସାଙ୍ଗରେ ନେଇ ଗଲେ ବେତ ପାହାରରୁ ରକ୍ଷା ମିଳିବ I

ଏବେ ମାତ୍ର ଅଳ୍ପ କେଇ ପାଦ ଚାଲିବାକୁ ହେବ I ନାଲିଗୁଡ଼ି ରାସ୍ତାରେ ଚଞ୍ଚଳ ପାଦକୁ ବିଞ୍ଚି ଆଗେଇବାକୁ ହୁଏ ମୋ ସ୍କୁଲ ଅଭିମୁଖେ I କିନ୍ତୁ ସେ କେଇ ପାଦ ଚାଲିବା ଭିତରେ ମୁଣ୍ଡ ଭିତରେ ଆଙ୍କିବାକୁ ହୁଏ ଗତକାଲିର ଇତିହାସ, ଭୂଗୋଳ ଏମିତି ସବୁ ଯାହା କାଲି ପଢିଥିଲୁ I ମନର ଭୟକୁ ଛାତି ତଳେ ଚାପିରଖି, ଆସି ପହଁଚି ଯାଏ ମୋ ସ୍କୁଲକୁ I ହଁ ଏଇଟା ମୋ ସ୍କୁଲ “ଶିବ ପ୍ରସାଦ ପ୍ରାଥମିକ ବିଦ୍ୟାଳୟ” – ଫଗୁଣା


ମୋ ସ୍କୁଲର କାହାଣୀ ଲେଖିବାକୁ ଗଲେ ଅନେକ କାଗଜରେ ଲମ୍ବିହେଇ ଯିବ I କିନ୍ତୁ ସେ ପିଲାଦିନର ସ୍କୁଲ ଯିବାର ଅନୁଭୂତି କାଗଜରରେ ନୁହଁ ହୃଦୟରେ ମରିବାଯାଏଁ ରହିଥିବ I ଏହି ଭିତରେ ଅନେକ ବର୍ଷ ବିତି ଯାଇଛି I ଆଜି ମୁଁ ବଡ ହେଇଯାଇଛି, ଜୀବନ ଜୀବିକାକୁ ନେଇ ବାହାରେ ରହୁଛି I ମୋ ଭଳି ଅନ୍ୟ ସାଙ୍ଗମାନେ ମଧ୍ୟ ବାହାରେ କେଉଁଠି ନା କେଉଁଠି ରହୁଛନ୍ତି I କିନ୍ତୁ ଆଜିବି ଯେବେ ସେ ସ୍କୁଲ ଦେଇ ଚାଲିଯାଏ, ଲାଗେ ଯେମିତି ସେ ବିଦ୍ୟାଳୟ ମତେ ହାତ ଠାରି ଡ଼ାକୁଛି ଆଉ କହୁଛି; "ଆ..................... ଆ ଥରେ ଦେଖିଯିବୁ, ଯଉଠି ତୁ କେବେ ଜୀବନର ଇତିହାସ ପଢିଥିଲୁ, ଯଉଠି କେବେ ବଡ ହେବାର ସ୍ବପ୍ନ ଦେଖିଥିଲୁ, ଯଉଠି କେବେ ମଣିଷ ହେବେର ଆସା ବାନ୍ଧିଥିଲୁ"I


ଆଖି ଯୋଡ଼ିକୁ ମୋର ବୁଲେଇ ଆଣେ ସ୍କୁଲର ସୀମା ଭିତରୁ I ଯାହାର ଛାତ ତଳେ; କେତେଯେ ଇଞ୍ଜିନିୟର, କେତେଯେ ଡାକ୍ତର, କେତେଯେ ସଫଳତା ବିଦ୍ୟାର୍ଥୀ ଜନ୍ମ ନେଇଛନ୍ତି, ସେ ସ୍କୁଲର ଛାତ ଆଜି ଆଁ କରି ମେଲା ହେଇ ପଡ଼ିଛି I ଆଜି ଯେବେ ବର୍ଷା ହୁଏ, ସେ ଛାତ କଣାରେ ଫିସ ଫିସ ବର୍ଷା ଝରି ପଡ଼େ ମୋ ସ୍କୁଲର ଶ୍ରେଣୀ ଗୃହରେ I ସେ ବର୍ଷା ଛିଟା ଆଜି ନୂଆକରି ଜନ୍ମ ନେଉଥିବା 5T ସ୍କୁଲର ରୂପାନ୍ତିକରଣକୁ ବି ଧୋଇଦେବ I


Rate this content
Log in