ଆଖିର ଜନମ କାନ୍ଦିବା ପାଇଁ
ଆଖିର ଜନମ କାନ୍ଦିବା ପାଇଁ
ବୟସର ଅପରାହ୍ନରେ, ୭୧ଟି ଶ୍ରାବଣ ଆସି ଫେରି ଯାଇଛି ନିଧି ମଉସାଙ୍କୁ I ତଥାପି ସେ ଦମ୍ଭ ମାରି ଛିଡ଼ା ହେଇଛନ୍ତି, ଗାଁ' ମୁଣ୍ଡରେ, ବୁଢ଼ା ବରଗଛଟା ଭଳି I ନିଶ, ଦାଢ଼ି ସବୁ ରସୁଣ ପାଖୁଡା ଭଳି ଧଳା ପଡ଼ି ଯାଇଛି I ପାଟି ଦେଖିଲେ ଜାଣି ହେବ, ମଉସାଙ୍କର "ପାନ ଖିଆ ଅଭ୍ୟାସଟା" I ବେଳ ବୁଡ଼ିଗଲେ ଗାଁ' ପାଖ ଚାନ୍ଦିନୀରେ ବସି, ପିଲାମାନଙ୍କୁ ନାନା ବାୟା ଗପ ଶୁଣାନ୍ତି I ଦୀର୍ଘ ଦଶନ୍ଦୀର କାହାଣୀ ସବୁ ଆବୁରନ୍ତି I ଆଖି ଯୋଡ଼ାକ ତା'ଙ୍କର ଭାରି ନିରୀହ, ଦୟାଳୁ ମଧ୍ୟ I କହି ଶୁଣେଇବା ବେଳେ କାନ୍ଦି ପକାନ୍ତି ବହୁ ବାର I ଗାଁ'ମନ୍ଦିରରେ ଭଜନ ଗାଇଲା ବେଳେ, ଆଖିରୁ ତାଙ୍କର ଝରି ପଡ଼େ ଭାବର ଲୁହ I
ବେଳ ବୁଡ଼ିଗଲେ, ପକ୍ଷୀମାନେ ବାହୁଡ଼ି ଯାଆନ୍ତି ନିଜ ନିଜ ଘରକୁ I ବେଳ ବୁଡ଼ିଗଲେ, ରବି ଆକାଶରେ ଅସ୍ତଗାମୀ ପହଁରା ମାରେ I ଧାନ କ୍ଷେତରୁ ଚାଷୀ ବି ଲେଉଟି ଆସେ, ନିଜ କୁଡ଼ିଆକୁ I ହେଲେ ନିଧି ମଉସା କିନ୍ତୁ ସେମିତି ବସିଥାନ୍ତି, ଶିବ ମନ୍ଦିର ବେଢାରେ କାହାକୁ ଅପେକ୍ଷା କରି I କାହା ବାଟ ଚାହିଁ ବସିଛନ୍ତି? ମୁକ୍ତ ଆକାଶକୁ ଚାହିଁ କିଛି ଗୋଟେ ଭାବୁଥାନ୍ତି, ଭାବନା ଭିତରେ ଆବେଗର କିଛି ଲୁହ ଝରେଇ ଦିଅନ୍ତି I ସେ ଲୁହର ଦର୍ପଣରେ ଝଲସି ଉଠେ ନିଧି ମଉସାଙ୍କ, ଜୀବନ ଜଂଜାଳର ଦୁଃଖ ସବୁ I ଗାଁ'ରେ ସମସ୍ତେ କୁହନ୍ତି, ତା' "ଆଖିର ଜନମ କାନ୍ଦିବା ପାଇଁ"I
ନିଧି ମଉସାଙ୍କ ପରିବାର କହିଲେ, ଗୋଟେ ଝିଅ ଗୋଟେ ପୁଅ I ସ୍ତ୍ରୀ ସାବିତ୍ରୀ, ମହାଦେବଙ୍କ ପାଖରେ ମାନସିକ କରି ଝିଅ ହେବାର ବାର ବର୍ଷ ପରେ କୂଳରେ ପୁଅଟିଏ ପାଇଥିଲେ I ମହାଦେବଙ୍କ କୃପା ପାଇଁ ବଂଶ ରକ୍ଷା ହେଇଥିବାରୁ, ସେଥିପାଇଁ ନାଁ ତାର ଗଣେଶ I ନିଧି ମଉସା କୁହନ୍ତି, "ଯିଏ ବ୍ରହ୍ମାଣ୍ଡର ରକ୍ଷା କରୁଛି, ସିଏ ମୋ ପୁଅକୁ ରକ୍ଷାକରିବ, ବିପଦରେ ସାହା ହେବ" I ପୁଅକୁ ଯେବେ ଆଠ ବର୍ଷର ହେଇଥାଏ, ଭଲ ଘର ଦେଖି, ଝିଅକୁ ବାହା କରିଦେଲେ I ନିଧି ମଉସା କୋଲକାତାରେ ଚାକିରୀ ଖଣ୍ଡେ କରନ୍ତି I ପ୍ରତି ଶନିବାର ରାତିରେ ଗାଁ'କୁ ଆସନ୍ତି ଆଉ ରବିବାର ଛୁଟ୍ଟୀ କାଟି ସୋମବାର ଭୋର ସକାଳୁ, ଟ୍ରେନ ଯୋଗେ କୋଲକାତା ଫେରିଯାଆନ୍ତି I
ଏମିତି ଅହରହ ଚାଲିଥାଏ ନିଧି ମଉସାଙ୍କ ଜୀବନଟା I ଦିନ ପରେ ଦିନ ବିତି ଚାଲେ, ସୁଖ ଦୁଃଖର ନଉକା ଭିତରେ I ଝାଟି ମାଟିର କାନ୍ଥ ଆଉ ଚାଳଛପର ଘରେ ସ୍ବପ୍ନ ମାନଙ୍କୁ ତୋଳି ଧରନ୍ତି I ସବୁବେଳେ ଭାବନ୍ତି, ପୁଅ ବଡ ହେଇ ରୋଜଗାର କଲେ ସବୁ ଦୁଃଖ ଦୁରେଇ ଯିବ I ପୁଅ କିନ୍ତୁ ମାଟ୍ରିକ ପରୀକ୍ଷା ଦେଇ ଆଉ ପଢିଲାନି I କହିବାକୁ ଗଲେ, ପଢ଼ା ପ୍ରତି ସେତେଟା ଧ୍ୟାନ ଦେଲା ନାହିଁ I ପଢ଼ା କମ ପାଇଁ ସହଜରେ, ଭଲ ଚାକରି ଖଣ୍ଡେ ମିଳୁ ନଥାଏ I ବାପାଙ୍କ କଷ୍ଟ ଦେଖି, ଗଣେଶ ବାହାରିଲା ବିଦେଶକୁ, ମାନେ, ଗୁଜୁରାଟକୁ I ଚିହ୍ନା ମଣିଷଙ୍କ ପାଖରେ ନିଜକୁ ବେଶି ସହଜ ମନେ କରୁଥିଲା I ସାଙ୍ଗମାନଙ୍କ ଗହଣରେ ମନ ତା'ର ଲାଗିଯାଏ, ଗୁଜରାଟର ଚାକଚକ୍ୟ ସହର ଭିତରେ I ମାସ ପୁରିଲେ ମା' ହାତକୁ ପଇସା ପଠେଇ ଦିଏ I ସମୟ ସେମିତି ଗଡିଚାଲେ ପାହାଚରୁ ପାହାଚ I କିଛି ବର୍ଷ ଏମିତି ବିଦେଶ ଯାତ୍ରାରେ ବିତିଯାଏ I ନିଧି ମଉସା ବି ବହୁତ ଖୁସି ଥିଲେ ପୁଅର ଉନ୍ନତି ଦେଖି I ନିଜ ଅମଳରେ କୋଠାଘରଟେ କରି ନଥିଲେ, କିନ୍ତୁ ପୁଅର ରୋଜଗାରରେ ଘର ଖଣ୍ଡେ କରିଛନ୍ତି I
ଏଥର ସମୟ ବଦଳିଛି, ତା'ସହ ବଦଳିଛି ପୁଅର ବୟସ I ଯୌବନର ବୟସରେ ପୁଅ ରଖି ଥିଲା ତା’ର ଚଞ୍ଚଳ ପାଦ I ଯୌବନର ଉନ୍ମାଦନାରେ, ମନ ଖୋଜେ ଗୋଟେ ସାଥିଟିଏ I ପାଦ ଆପେ ଆପେ ଖସିଯାଏ କିଛି ଭୁଲ କରିବାକୁ I ବାପା କିନ୍ତୁ ଜାଣିପାରେ ପୁଅର ମନକୁ, ମନ ଭିତରେ ଜନ୍ମିଥିବା ପ୍ରେମର ଇନ୍ଦ୍ରଧନୁକୁ I ବୟସର ରଙ୍ଗରେ ରଙ୍ଗ ଭରିବାକୁ, ପୁଅ ପାଇଁ ଝିଅ ଦେଖୁଥିଲେ ନିଧି ମଉସା I
ବଡ ଝିଅବି ଖୁବ୍ ଆନନ୍ଦରେ ରହୁଥିଲା ତା' ସଂସାରରେ I ଯୋଡ଼େ ପିଲା ଏବଂ ସ୍ୱାମୀକୁ ନେଇ ଖୁସୀରେ ଚାଲିଥିଲା ତା' ସଂସାରର ରଥ I ନିଜ ପରିବାରକୁ ଦେଖିବା ସହ, ବାପ ଘର ଆସି, ମା’ଙ୍କ କଥା ମଧ୍ୟ ବୁଝୁଥିଲା I
ଜୀବନ ପାନ୍ଥଶାଳାରେ ସ୍ତ୍ରୀ ସାବିତ୍ରୀ ଏକା ରୁହନ୍ତି ସେ କୋଠାଘରେ I ଆଉ ଯେବେ ଏକାକୀ ଅନୁଭବ ହୁଏ, ଫୋନ କରି କଥା ହୁଅନ୍ତି ଉଭୟ ପୁଅ ଏବଂ ସ୍ୱାମୀ ସହ I
ନିଧି ମଉସା ବି ଖୋବ ଆନନ୍ଦରେ ବଞ୍ଚୁଛନ୍ତି, ସେ ଖୁସୀରେ ବି କାନ୍ଦି ପକାନ୍ତି ବହୁ ଥର I ଶିବ ମନ୍ଦିର ଯାଇ, ଭୋଳାନାଥଙ୍କୁ
ପ୍ରାଥନା କରି କୁହନ୍ତି, "ଏମିତି ଖୁସିରେ ରଖ ତୁମ ପୁଅକୁ I ତୁମରି କୃପାରେ ଜନ୍ମନେଇଥିଲା ବୋଲି, ନାଁ ଦେଇଥିଲି ତା'ର “ଗଣେଶ” I ନିଜ ପୁଅକୁ ସାହା ହେଉଥିବ ସବୁ ସମୟରେ"I
ସେଦିନ ଥିଲା ପୁଅର ଜନ୍ମଦିନ I ପୁଅକୁ ୨୪ପୁରି ୨୫ ଛୁଇଁଲା I ମା ସାବିତ୍ରୀ, ଶିବ ମନ୍ଦିର ଯାଇ ପୂଜା ଅର୍ଚନା କରି ପୁଅର ଦୀର୍ଘାୟୁ ପାଇଁ କାମନା କରି ଆସିଲେ I ଘରକୁ ଆସି ପୁଅ ସହ କେତେ କଥା ଗପି ଚାଲିଲେ I ଖୁସିର ସୀମା ହିଁ ନଥାଏ! ମା'ର ଖୁସି ହେତୁ ପୁଅ, ଗଣେଶ ବି ଖୁସି ଥିଲା I କାନରେ ଇୟରଫୋନ ଦେଇ, ମା ସହ କଥା ହେଇ ଚାଲୁଥିଲା ନିଜ କର୍ମକ୍ଷେତ୍ରକୁ I ବାସ ଅଳ୍ପ କିଛି ବାଟ ଗଲେ, ଟ୍ରେନ ଲାଇନକୁ ପାର କରିଗଲେ, ତା' କମ୍ପାନୀ ଆସେ; ଯେଉଁଠି ସେ କାମ କରେ I
କିନ୍ତୁ ଭାଗ୍ୟର ଖାତାରେ କିଛି ଭିନ୍ନ ଲେଖାହେଇ ରହିଥିଲା I ଟ୍ରେନ ଲାଇନ ପାର ହବାକୁ ଯାଉଥିବା ବେଳେ, ଜୀବନକୁ ପାର କରି ଯାଇଥିଲା ଗଣେଶ I କେହି କିଛି ବୁଝିବା ଆଗରୁ ରକ୍ତର ନଦୀ ବହି ଯାଇଥିଲା I "ସମୟ" ଆଉ "ଜୀବନ" ର ଯୁଧ୍ୟରେ, "ଜୀବନ" ସମୟ ପାଖରେ ହାରି ଯାଇଥିଲା I I ଜନ୍ମଦିନ ହିଁ, ଗଣେଶର ଶେଷ ଦିନ ପାଲଟିଲା I
କିଛି ସମୟ ମଧ୍ୟରେ ପୋଲିସ ଆସି ପହଁଚିଲା ଘଟଣାସ୍ଥଳରେ I ମୃତ ଶରୀରକୁ ଦେଖି କିଛି ଚିହ୍ନି ହେଉ ନଥିଲା I କିଛି କାଗଜପତ୍ର ସଂଗ୍ରହ କରି ଶରୀରକୁ ଚିହ୍ନଟ କରାଗଲା I ବିୟୋଗର ଖବର ଘରକୁ ଜଣାଗଲା, ପ୍ରଥମେ ବାପା ଏବଂ ପରେ ମା'ଙ୍କୁ I ଦୁହେଁ ଏମିତି ସ୍ଥବ୍ଧ ରହିଗଲେ, ଯେମିତି ମଣିଷ ନୁହେଁ, ଖଣ୍ଡେ ଖଣ୍ଡେ ପଥର କେଉଁ ଏକ ଭଙ୍ଗା ପର୍ବତର I
ସମୟର ଚକ୍ରରେ, ଜୀବନ ବି କଥା ହୁଏ ବହୁବାର I ମଳୟର ପବନରେ, କୋଇଲି ବି ଗୀତ ଗାଏ ବହୁବାର I ଶ୍ରାବଣର ବର୍ଷାରେ, ମୟୁର ବି ନାଚୁଥାଏ ବହୁବାର I ଫୁଲର ମହକରେ, ବସନ୍ତବି ବେଣୀ ବାନ୍ଧେ ବହୁବାର I ହେଲେ ନିଧି ମଉସା କାନ୍ଦୁଥାଏ, ମଦିର ବେଢାରେ ବହୁବାର I
"ନାଁ ତା’ର ଗଣେଶ ଦେଇଥିଲି, ଭାବିଥିଲି ନିଜ ପୁଅ ଭାବି ବିପଦରେ ସାହା ହେବ I କିନ୍ତୁ ପୁଅକୁ ନିଜ ପାଖେ ରଖିବାକୁ ବାପା ଏତେ ଛଳନା କରିପାରେ I ଯାହାକୁ ଆଶ୍ରିବାଦ ଦେଇ କୂଳରେ ପୁଅଟେ ଦେଇଥିଲ, ଆଜି କିନ୍ତୁ କେଉଁ ଅଭିଶାପ ଦେଲ I ପୁତ୍ର ଶୂନ୍ୟ କରି, ଛଡେଇ ନେଲ ମୋ ସଂସାରରୁ"I ଏମିତି ସବୁବେଳେ କହୁଥାନ୍ତି ନିଧି ମଉସା, ସେ ମନ୍ଦିର ବେଢାରେ ବସି I ଅଭିମାନର ଶବ୍ଦ ସବୁ ଖେଳୁଥିଲା ମହାଦେବଙ୍କ କାନରେ I
କିନ୍ତୁ ମା' ଆଖିରେ ଏବେବି ଖେଳୁଥିଲା ଗଣେଶ, ଶିଶୁ ପିଲାଟିଏ ପରି I ଲାଗେ ଏବେବି ବଞ୍ଚିଛି ତା’ ପୁଅ I ଅନିଦ୍ରା ଆଖିରେ କେବେ ହସୁଥାଏ, ପୁଣି କେବେ କାନ୍ଦୁଥାଏ I ଲୋକେ କହୁଛନ୍ତି "ସାବିତ୍ରୀ ଏବେ, ପାଗିଳି ହେଇ ଯାଇଛି" I ହଁ ମାନସିକ ଭାବେ ଟିକେ ଦୁର୍ବଳ ହେଇ ଯାଇଛି I ଅନ୍ତହୀନ ଆକାଶରେ ପକ୍ଷୀଟିଏ ହେଇ, ଖୋଜୁଥାଏ ଦିଗହଜା ଛୁଆର ଠିକଣା I ସେ ଡେଣା ବି ଥକି ଯାଏ, ଠିକଣା ଖୋଜିବାରେ I ଧୀରେ ଧୀରେ ସ୍ୱାସ୍ଥ୍ୟ ଖରାପ ହେଇଚାଲେ, ଯେତେ ଔଷଧ ଦେଲେବି ଦେହକୁ ଖାପେ ନାହିଁ I ଧୀରେ ଧୀରେ ଆଖିରୁ ନିଦ ହଜି ଯାଏ, ହୃଦୟର ସ୍ପନ୍ଦନବି ବନ୍ଦ ହେଇଯାଏ, ରାତିର ନିର୍ଜନତାରେ ଖେଳିଯାଏ ନୀରବତା I ସକାଳୁ, ନିଧି ମଉସାଙ୍କୁ ଏକା କରି, ଆର ପାରିକୁ ଚାଲିଗଲା I ଜୀବନ ସଂଗ୍ରାମରୁ ମୁକ୍ତି ପାଇଗଲା I
ନଦୀ ତ ଶୁଖିଯାଏ ବୈଶାଖର ତାତିରେ କିନ୍ତୁ ନିଧି ମଉସାଙ୍କ ଆଖିରେ ସେ ଲୁହ ଶୁଖୁ ନଥାଏ I ପ୍ରଥମେ ପୁଅ ଆଉ ଏବେ ସ୍ତ୍ରୀକୁ ହରେଇ, ହାରି ଯାଇଥିଲେ ନିଜେ I ନିଜ ଇଛାରେ ମଣିଷ ମରି ପାରେ ନାହିଁ I ମରି ମରି ବଞ୍ଚିବାକୁ ହୁଏ ପ୍ରତି କ୍ଷଣ I ମିଛ ଦୁନିଆରେ କିଏ ବା ନିଜର, ଆଉ କିଏ ପର I କିନ୍ତୁ ଏ ଆଖିର ଲୁହ ବୋଧେ ନିଜର I ସବୁ ଦେଖେ, ସୁଖ ଆଉ ଦୁଃଖକୁ, ଜୀବନ ଆଉ ମୃତ୍ୟୁକୁ I କେବେ ସେ, ଛାଡ଼ି ଯାଏ ନାହିଁ, ଅହରହ ଝୁରୁଥାଏ ସାଥିଟିଏ ହୋଇ I ସେ, ସେଇ ଆଖିରେ ବଞ୍ଚିଥାଏ, ଅତୀତର ସ୍ମୃତି ସବୁ ଗଣି ଗଣି ମନେ ପକାଏ I ସାକ୍ଷୀ ହେଇ ରହେ ଶେଷ ନିଶ୍ୱାସ ଯାଏ I ପକ୍ଷୀ ନିଜ ବସା ବାନ୍ଧେ ଡାଳରୁ ଡାଳ, ମହୁର ସନ୍ଧାନରେ ଭଅଁରବି ଉଡ଼ିବୁଲେ ଫୁଲରୁ ଫୁଲ I ନିଧି ମଉସାବି କାନ୍ଦି କାନ୍ଦି ଦୌଡେ଼ ଏ ମନ୍ଦିରରୁ, ସେ ମନ୍ଦିର I ଆପଣାର ଭାବୁଥିବା ଲୋକମାନେ ନିଧି ମଉସାଙ୍କୁ କୁହନ୍ତି, "ଆଉ କାନ୍ଦେନା, ଏବେ ଟିକେ ଧୈର୍ଯ୍ୟ ଧର" I କିନ୍ତୁ ସେ ଆଖିର ତ ଜନ୍ମ ଥିଲା କାନ୍ଦିବା ପାଇଁ I ହଁ, ସେ ଆଖିର ଜନମ କାନ୍ଦିବା ପାଇଁ I