ପ୍ରିୟ କାର୍ଟୁନ ଚରିତ୍ର(Hei Hei the rooster)
ପ୍ରିୟ କାର୍ଟୁନ ଚରିତ୍ର(Hei Hei the rooster)
ହଠାତ ଶଶୀ ଅଫିସରୁ ଆସି ପହଞ୍ଚି ନିଜ ରୁମ ଭିତରକୁ ପଶିଗଲା।ତା ମାଆ ଡାକୁଛନ୍ତି ମାତ୍ର ସେ ତାଙ୍କ କଥାକୁ କର୍ଣ୍ଣପାତ କଲାନାହିଁ।ଘରେ ଅନ୍ୟ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।କାରଣ କରୋନା ଆସିବା ଦିନଠୁ ଘରକୁ ଆସି ପ୍ରଥମେ ସମସ୍ତେ ନିଜର ପୋଷାକ ବଦଳେଇବା ସହ ହାତ ଗୋଡକୁ ପରିଷ୍କାର କଲାପରେ ନିଜ ନିଜ କୋଠରୀକୁ ଯାଆନ୍ତି।ଏସବୁ ନିୟମ ମାନିବାରେ ଶଶୀ ଘରଭିତରେ ସବୁଠାରୁ ଆଗୁଆ।ବ୍ୟତିକ୍ରମ ନଥିବା ସହ ସମାନ।
ତେଣୁ ସମସ୍ତ ଙ୍କୁ କଥାଟା ଅଡୁଆ ଲାଗିଲା।ମାଆଙ୍କ ମନ ଅଶାନ୍ତ ଲାଗିଲା ତେଣୁ ସେ କିଛି ଖାଇବା ଓ ଚାହା ଧରି ଝିଅ ପାଖକୁ ଚାଲିଲେ।ମତେ କହିଗଲେ ଘର ଦେଖିବାକୁ।ମୁଁ ମଧ୍ୟ ମୋ କାମରେ ଲାଗିଗଲି।ତଥାପି ମୋର ମନ ଥାଏ ଶଶୀ ପାଖରେ।ପିଲାଟି ଦିନରୁ ତାକୁ ଦେଖିଛି।ମାଛିକୁ ମ ନକହିବା ପିଲା ସିଏ।କିଏ ଯଦି ଜୋରରେ କଣ କହିଦେଲା ଆଖିରୁ ଗଙ୍ଗା ଯମୁନା ବହିଯାଏ। ଜୀବ ମାନଙ୍କ ପ୍ରତି ଅହେତୁକ ଦୟାଭାବ।ସବୁବେଳେ କାର୍ଟୁନ ଧାରାବାହିକ ଓ ଚଳଚ୍ଚିତ୍ର ଦେଖୁଥାଏ ବସି।ସବୁଠୁ ବେଶି ଭଲ ପାଏ ୨୦୧୬ ରେ ହୋଇଥିବା କାର୍ଟୁନ ଚଳଚ୍ଚିତ୍ର "ମୋଆନା " କାରଣ ସେଥିରେ ଥିବା "ହେଇ ହେଇ"ଚରିତ୍ର ଟି ତାହା ଏକ କୁକୁଡାର ଚରିତ୍ର।ତାର ସରଳ ଓ ବୋକା ହେବାର ଅଭିନୟ ଶଶୀ ମନକୁ ବହୁତ ପାଇଥିଲା। ଯେବେଠାରୁ ସେ ଚଳଚ୍ଚିତ୍ର ଟି ଆସିଛି ପ୍ରାୟ ପ୍ରତ୍ୟକ ଦିନ ଶଶୀ ତାକୁ ଦେଖେ । ବେଶି ଦେଖେ "ହେଇ ହେଇ" ର ଅଭିନିତ ଭାଗକୁ। ସେବେଠାରୁ ସେ ଚିକେନ ଖାଇବା ଛାଡି ଦେଇଛି।ତା ପାଇଁ ଘରକୁ ଚିକେନ ଆସେନି।ଯେବେ ସେ ନଥାଏ ସେବେ ଆସେ।
ଏତେ ଶାନ୍ତ ,ସୁଧାର ପିଲା ଆଜି ଏମିତି ,କିଛି ବୁଝିହେଉନି।କିଛି ବୋଧେ ଆଜି ଅଫିସରେହୋଇଛି।ଏମିତି ଭାବି ଭାବି ମୁଁ ବି ମାଆଙ୍କ ପଦାଙ୍କ ଅନୁସରଣ କରି ଫ୍ରିଜ ରୁ ଚକଲେଟ ଗୋଟେ ଧରି ଚାଲିଲି।ଶଶୀ କୋଠରୀ ପାଖରେ ପହଞ୍ଚି ଦେଖେତ ସେ ବହୁତ କାନ୍ଦୁଛି।ମାଆ ତାକୁ ବୁଝୋଉଛନ୍ତି।ମୁଁ ଦେଖି ଥୟ ହୋଇ ରହିପାରିଲି ନାହିଁ।ମୁଁ ମଧ୍ୟ ତା ପଖକୁ ଗଲି।ମତେ ଦେଖି ମାଆ କହିଲେ ଦେଖୁନୁ ସାମାନ୍ୟ କଥାକୁ ନେଇ କିପରି କାନ୍ଦୁଛି।ବିଷୟବସ୍ତୁ ଜାଣିବାପାଇଁ ମୋର ଆଗ୍ରହ ବଢିଲା ଓ ବ୍ୟତିବ୍ୟସ୍ତ ହୋଇ ମୁଁ ବି ପଚାରିଲି।ଦେଖିଲି ହାତରେ ସେ ତା ପ୍ରିୟ କାର୍ଟୁନ ଚରିତ୍ର"ହେଇ ହେଇ " କୁ ଧରି କାନ୍ଦୁଛି।
ବହୁତ ପଚାରିବାରେ କହିଲା,ଆଜି ସେ କୌଣସି ଅଫିସ କାର୍ଯ୍ଯରେ ଗୋଟେ ଗାଁ କୁ ଯାଇଥିଲା।ସେଠି ଥିବା ଭିତରେ ତାର ଉପରିସ୍ଥ ଅଫିସର ଫୋନକଲେ ଆଉ ଏକ ସ୍ଥାନକୁ ଯିବାପାଇଁ।ତେଣୁ ସେଠାରୁ କାର୍ଯ୍ୟ ସମାପନ କରି ତାଙ୍କ ସହ ଚାଲିଲା।ଯିବା ପଛରେ ଉଦ୍ଦେଶ୍ୟ ଥିଲା,ଯେ ସଳକାରଙ୍କ ତରଫରୁ ଗ୍ରାମର କିଛି ଲୋକଙ୍କୁ ପକ୍କା ଘର କରିବା ନିମନ୍ତେ ଆର୍ଥିକ ସହାୟତା ଦିଆଯାଉଛି।ମାତ୍ର ଦୀର୍ଘ ଦୁଇବର୍ଷ ହେବ ସେମାନେ ଘର ନକରି ପକେଇ ରଖୁଛନ୍ତି।ସେହି ଘର ଗୁଡିକୁ ବୁଲି ଦେଖିବା ,ତାର ସ୍ଥିତି ଅନୁଧ୍ୟାନ କରିବା ଓ କିପରି ସେଗୁଡିକ ସମ୍ପୂର୍ଣ୍ଣ ହୋଇପାରିବ ସେ ବାବଦରେ ହିତାଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା।ନିହାତି ଗୁରୁଦାୟିତ୍ୱ।ତେଣୁ ଘର ଘର ବୁଲିବା ଆରମ୍ଭ କଲେ।ଗରିବ ,ଖଟିଖିଆ ଲୋକ ଓ ବାସହୀନ ମଧ୍ୟ।ତାର ଥଇଥାନ ନିମନ୍ତେ ସରକାର ଚିନ୍ତା କରୁଥିଲା ବେଳେ ତଥାକଥିତ ସମାଜର ଲୁଟିଖିଆ ବାବୁମାନଙ୍କ ହାବୁଡରେ ପଡିଯାଆନ୍ତି ସେମାନେ।ତାଙ୍କ ସରଳତାର ସୁଯୋଗ ନେଇ ସେହି ବାବୁମାନେ ତାଙ୍କ ଅର୍ଥ କୁ ନେଇ ତାଙ୍କ ଘରକୁ ସମ୍ପୂର୍ଣ୍ଣ କରିବାର ମିଥ୍ୟା ପ୍ରଲୋଭନ ଦେଖାନ୍ତି।ମାତ୍ର ଅର୍ଥ ପ୍ରାପ୍ତି ପରେ ଆଉ ସେମାନେ ଧରାଛୁଆଁ ଦିଅନ୍ତି ନାହିଁ।ସେହି ଗରିବ ନିରୀହ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମାନେ ସେହି ଭଦ୍ରମୁଖା ବାବୁ ମାନଙ୍କୁ ଚିନ୍ହି ପାରନ୍ତି ନାହିଁ।ତେଣୁ ଆମେ ବୁଲି ବୁଲି ସେମାନଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ସେହି ବାବୁମାନଙ୍କର ପରିଚୟ ଆଣିବା ସହ ହିତାଧିକାରୀ ଙ୍କୁ ତାଙ୍କ ଦାୟିତ୍ୱ ବୋଧ ଓ ଅଧିକାର ବାବଦରେ ସଚେତନ କରାଉଥିଲୁ।ଇତି ମଧ୍ୟରେ ଜଣେ ହିତାଧିକାରୀ ଙ୍କ ଘରେ ପହଞ୍ଚିଲୁ।ସେ ତାଙ୍କ ଘରଟିକୁ ସେହିପରି ପକେଇ ରଖିଛନ୍ତି।ଅସମ୍ପୂର୍ଣ୍ଣତାର କାରଣ ପଚାରିବାରେ କହିଲେ ସବୁ ଅର୍ଥ କୁ ସେ ଜଣେ ବ୍ୟକ୍ତି ଙ୍କୁ ଦେଇଛନ୍ତି ଓ ସେ ଦୁଇଦିନ ହେବ କହିଯାଇଛନ୍ତି ଘରଟିକୁ ସାରିବେ ବୋଲି।ମାତ୍ର ଘରଟି ଦୀର୍ଘ ଦୁଇବର୍ଷ ର ଓ ଆଜି ପର୍ଯ୍ୟନ୍ତ କାହିଁକି କରୁନାହାନ୍ତି ବୋଲି ତାର ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ଜୋରକରି ପଚାରି ଅନେକ ଗୁଡିଏ ପ୍ରଶ୍ନ କଲେ।ଇତି ମଧ୍ୟରେ ତାଙ୍କ ଦୁଆରେ ବୁଲୁଥିବା କୁକୁଡା ମାନଙ୍କ ଉପରେ ଦୃଷ୍ଟି ପଡିଲା । ଖୁସିଲାଗୁଥିଲା ତାଙ୍କୁ ଦେଖି।ଇତି ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ହଠାତ ବାରଣ୍ଡା ଉପରକୁ ଉଠି ସେଠି ଥିବା କିଛି ଖାଦ୍ୟକୁ ଖାଇବାରେ ଲାଗିଲା।ସେ ହିତାଧିକାରୀ ଜଣକହଠାତ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଉତ୍ତର ଦେଉଦେଉ ସେହି କୁକୁଡାଟିକୁ ଧରି ଖୁବ ଜୋରରେ ଭୂଇଁ ଉପରେ କଚାଡି ବାକୁ ଲାଗିଲେ ଯେ ପର୍ଯ୍ୟନ୍ତ ସେ ତାର ଶେଷ ନିଃଶ୍ବାସ ତ୍ୟାଗ ନକରିଛି।ତାର ଏପରି ବ୍ୟବହାରରେ ଆମେ ଏକ ପ୍ରକାର ନିସ୍ତବ୍ଧ ଓ ବାକଶକ୍ତିହୀନ ହୋଇଗଲୁ।କିଛି କହିବା ଓ ବୁଝିବା ଆଗରୁ ନିରୀହ ପକ୍ଷୀ ଟି ତାର ପ୍ରଣ ତ୍ୟାଗ କରିସାରିଥିଲା।କିଛି କ୍ଷଣ ପରେ ତାକୁ ତାର ଏପରି ବ୍ୟବହାର ପାଇଁ କାରଣ ପଚାରିବାରେ କହିଲା ଘରେ ମାଂସ ଆଣିବା ପାଇଁ କହୁଥିଲେ,ଏ କୁକୁଡାଟି ସବୁବେଳେ ଘରେ ପଶୁଛି ତେଣୁ ତାକୁ ମାରିଦେଲି।ତାର ଉତ୍ତର ଆମର ଗ୍ରହଣ ଯୋଗ୍ୟ ହେଲାନାହିଁ । ଏପରି ଲାଗିଲା ଯେ ସେ ଆମକୁ ଦୁଇ ପ୍ରହାର ଦେଲା ବୋଲି।ବିଶେଷ କିଛି ନକହି ସେ ନିରୀହ ପକ୍ଷୀ ଟିର ମୃତ୍ୟୁ ର କାରଣ ନିଜକୁ ବୋଲି ଭାବି ଅନୁତାପର ସହ ଭାରି ମନରେ ସେଠାରୁ ଫେରିଲୁ।ସେହି ମୁହୂର୍ତ୍ତରେ ମୋର ମୋ ପ୍ରିୟ କାର୍ଟୁନ "ହେଇ ହେଇ" କଥା ମନେ ପଡିଗଲା ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ ତେଣୁ ବହୁତ କାନ୍ଦ ଲାଗିଲା।ଶଶୀ କଥା ଶୁଣି ମୋ ଆଖିବି ଛଳ ଛଳ ହୋଇଗଲା।ମନୁଷ୍ୟ କେତେ ନିର୍ଦ୍ଦୟ ସତେ।ତାର କ୍ରୋଧ,ଗର୍ବ, ଅହଂକାର ଆଗରେ ସେ କେବେ କାହାକୁ ମାନ ଦେଇ ନାହିଁ।
କଥାରେ ଅଛି "ଆଜି ମଲେ କାଲିକି ଦୁଇଦିନ"
ତଥାପି କାହିଁକି ଏ ମନୁଷ୍ୟର ଆତ୍ମଗର୍ବ।
ଏହିପରି ଭାବି ମତେ ମଧ୍ୟ ବ୍ୟତିବ୍ୟସ୍ତ ଲାଗିଲା।
ପ୍ରକୃତରେ ଏହି କରୋନା ମହାମାରୀ ଚେତେଇ ଦଉଛି ଯେ ବର୍ତ୍ତମାନ ସମୟ ଆସିଛି ଆତ୍ମସମୀକ୍ଷାର।ମାତ୍ର ଏ ମୂଢ ମାନବ ଏକ ମିଛ ମରିଚିକା ପଛରେ ଧାବମାନ।
ହେ ଇଶ୍ୱରର ସର୍ବୋତ୍ତମ ସୃଷ୍ଟି,ସ୍ରଷ୍ଟା ର ରଚନା କୁ ଏପରି ଖିନଭିନ୍ କରିବାର ଧ୍ରୁଷ୍ଠତାରୁ ଦୂରେଇ ରୁହ ନଚେଜ ବିନାଶ ଅବଶ୍ୟମ୍ଭାବୀ।