Er. Suchismita Satpathy

Abstract Tragedy Inspirational

4.5  

Er. Suchismita Satpathy

Abstract Tragedy Inspirational

ଅଶ୍ରୁ

ଅଶ୍ରୁ

6 mins
445



ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଏକ ଅନନ୍ୟ ସୃଷ୍ଟି। ସମସ୍ତ ଭାବ ଓ ଅଭାବ, ସୁଖ ଓ ଦୁଃଖ,ଭଲ ଓ ମନ୍ଦ ର ସମିଶ୍ରଣ। ସମ୍ପର୍କ ର ଉତ୍ତମ ପରିଭାଷା ମଧ୍ୟ ମନୁଷ୍ୟ ଠାରେ ଦେଖିବାକୁ ମିଳେ।ମାତ୍ର ସେହି ମନୁଷ୍ୟ କେତେବେଳେ ଏହି ସମ୍ପର୍କ କୁ ନେଇ ନିଷ୍ଠୁର ହୋଇଯାଏ ଦେଖିଲେ କି ଶୁଣିଲେ ଆତ୍ମା କାନ୍ଦିଉଠେ। ମନ କହେ ସତରେ କ'ଣ ଜଣେ ମଣିଷ ଆଉ ଜଣକ ପ୍ରତି ଏତେ ନିଷ୍ଠୁର ହୋଇପାରେ ? ଭଗବାନ ତ ମଣିଷକୁ ହୃଦୟ ପରି ଏତେ ସୁନ୍ଦର ଉପହାରଟିଏ ଦେଇଛନ୍ତି, ଯାହାକି ଦୟାର ଏକ ସାଗର।ମଣିଷ ଚାହିଁଲେ କଣ ନ କରି ପାରେ। ସବୁ ଅସମ୍ଭବ କୁ ସମ୍ଭବ କରି ପାରିଲାଣି ଆଜି। ଯାହା ଚାହିଁବ ତାହା ଆଜି ମନୁଷ୍ୟ ପାଖରେ ଅଛି। ମାତ୍ର ମନ ବହୁତ ଛୋଟ ହୋଇଯାଇଛି। ଦୁଃଖ ଲାଗୁଛି ଆଜିର ସମାଜର ଯୁବକ ମାନଙ୍କୁ ଦେଖିଲେ। ଅର୍ଥ ବ୍ୟତୀତ ଅନ୍ୟ କିଛି ସେମାନେ ବୁଝୁ ନାହାନ୍ତି। ସମ୍ପର୍କ ର ପରିଭାଷା ସେମାନଙ୍କ ପାଖରେ ଭିନ୍ନ।ଦୟା ଭାବର କାଣିଚାଏ ଯଦି ରହିଥାନ୍ତା ତେବେ ବି ଏ ସମାଜ ସବୁ ଥାଇ ଅନାଥ ଭାବେ ନଥାନ୍ତା।ଆଜି ଯୁବ ପିଢୀ କୁ ଦେଖିଲେ ଲାଗୁଛି ଆମ ସମୟ ଭଲ ଥିଲା। ଅତ୍ୟାଧୁନିକ ଜ୍ଞାନ କୋୌଶଳ ନଥିଲା,କି ଅତ୍ୟାଧୁନିକ ଚଳଣି ନଥିଲା, ମାତ୍ର ପରିବାର ଭିତରେ ସ୍ନେହ ଶ୍ରଦ୍ଧା ଥିଲା । ଖାଇବାକୁ ଦୁଇ ଓଳି ଖାଦ୍ୟ ନଥିଲା ମାତ୍ର ମଣିଷ ଭିତରେ ଭଲ ପାଇବା ଥିଲା।ରଙ୍ଗିନ ଛାତ ଘର ନଥିଲା ମାତ୍ର ମଣିଷ ମୁହଁ ରେ ହସର ରଙ୍ଗ ଫୁଟି ଉଠୁଥିଲା। ପ୍ରକୃତରେ ଖୋଜିଲେ ବି ସେ ସମୟ ଆଉ ଆସିବନି । ଏତିକି କହି ସୋମନାଥ ବାବୁ ଏକ ଦୀର୍ଘ ନିଃଶ୍ବାସ ଛାଡ଼ିଲେ। ଟିକିଏ ଦୂରରୁ ଏକ ସ୍ୱର ଶୁଣାଇବା, କଣ ସବୁ ପାଗଳଙ୍କ ପରି ଗପି ଯାଉଛ ସକାଳୁ ସକାଳୁ। ଚା ପରା ଥଣ୍ଡା ହୋଇଗଲାଣି। ଖରା ପଡି ଫୁଲସବୁ ଝାଉଁଳି ପଡିଲେଣି।ଫୁଲ ତୋଳିବନି କି। ତୁମ ଗଛ ମାନେ ପାଣି ନପାଇ ତୁମକୁ ଝୁରିଲେଣି। ଖାଲି ରାତି ଝଡରେ ଆମ୍ବ ଗଛରୁ କଷି ଆମ୍ବଗୁଡା ଖସି ପଡ଼ିଛି ଟିକେ ଉଠେଇ ଆଣ।ଆମ୍ବୁଲ କରିବି। ମୋର ଆଣ୍ଠୁ ଦରଜ ନ ହେଲେ ତୁମକୁ କାହିଁକି କୁହନ୍ତି। ଅବସର ପରେ ତୁମେ ଏକ ପ୍ରକାର ନିରାଶା ଭିତରେ କାହିଁକି ରହୁଛ।ନିଜେ ନିଜେ ବସି କଣ କଣ ଗପୁଛ।ନିଜ ମନକୁ ଓ ନିଜକୁ ଏସବୁ ରେ ଦେଇ ଶରୀର ଅସୁସ୍ଥ କରିବା ଅପେକ୍ଷା ଛୋଟ ଛୋଟ କାମରେ ମନଦେଲେ ସେହି ଫୁଟି ଥିବା ଫୁଲ ପରି ମନବି ସତେଜ ଓ ଶରୀର ସୁସ୍ଥ ରହିବ।କାହିଁକି ଅଯଥା କଥା ଭାବିକି ନିଜକୁ କଷ୍ଟ ଦେଉଛ।

ସତ କହିଲ ନୀଳିମା, ମୁଁ ଓ ମୋ ପରି ଏମିତି ଅନେକ ଅଛନ୍ତି ଯେଉଁମାନେ ସକାଳର ତାହା ସହ ଅତୀତକୁ ଝୁରୁଛନ୍ତି।ଆଉ ଏପରି କିଛି ଭାଗ୍ୟବାନ ବି ଅଛନ୍ତି ସକାଳର ତାହା ସହ ନାତି ନାତୁଣୀଙ୍କ ସହ ବଗିଚାରେ ବସି ଖୁସିଗପ କରୁଛନ୍ତି।

ଓ ହୋଃ , କେମିତି ଲୋକ କି ତୁମେ ପୁଣି ସେଇ କଥାକୁ ଧରି ବସିଲ। ଏ ସମାଜରେ ଅନେକ ଧରଣର ଲୋକ ଅଛନ୍ତି। ସମସ୍ତେ କଣ ସମାନ।ଭଗବାନ ଯାହାକୁ ଯାହା ଦେଇଛନ୍ତି ତାକୁ ନେଇ ଖୁସିରେ ରହିବା କଥା। ସମସ୍ତଙ୍କ କଥା ଭାବି ନିଜେ ଦୁଃଖ କରିବା କଣ ନିହାତି ଆବଶ୍ୟକ। ଯଦି କାହାର ଦୁଃଖ କୁ ତୁମେ ଦୂର କରିପାରିବ ତେବେ ଭାବିଲେ ଲାଭ ଅଛି। ନଚେତ ନିଜକୁ କଷ୍ଟ ଦେବା ଛଡ଼ା ଅନ୍ୟ କିଛି ନୁହେଁ। 

ଆଉ ତୁମେ ଯୋଉ ନାତି ନାତୁଣୀ ଖେଳେଇବା କଥା କହୁଛ, ଯଦି ନାତି ନାତୁଣୀ କଥା ଏତେ ମନେ ପଡୁଛି ତେବେ ଯାଇକି ଅଜୁ ପାଖରେ ବୁଲିଆସ। 

ନାଇଁମ ନୀଳିମା ସେମିତି ନୁହେଁ।ତାହେଲେ କେମିତି, ପୁଅକୁ ପାଠପଢେଇଲ, ସେ ଭଲ ପଢିଲା , ଭଲ ଚାକିରୀ କଲା ଓ ବାହାରେ ରହିଲା। ଏ ତ ଖୁସିରେ କଥା। ତୁମେ ତ ଖୁସିହେବା କଥା ଯେ ତୁମ ପୁଅ ଡାକ୍ତର ବୋଲି। ବୋହୁଟେ ପାଇଛ ଅତି ଭଦ୍ର। ଅଜୁ ନ ଆସିଲେ ବି ପ୍ରତି ମାସରେ ଆସି ଆମ କଥା ବୁଝୁଛି। ଚାକର ଚାକରାଣୀ ଖଞ୍ଜିଛି। ଆମ ଗୋଡ଼ରେ ଧୂଳି ଲାଗୁନି।ଯାହା ମନ ତାହା ଖାଇ ପାରୁଛ, ପିନ୍ଧି ପାରୁଛ।ତୁମ ସମୟ ଭଲରେ କଟିବ ବୋଲି ଅନେକ ବିଦେଶୀ ଗଛ ବାଡ଼ିରେ ଆଣି ସେ ନିଜେ ଲଗେଇଛି।ମାଳୀଟିଏ ରଖିଛି ତୁମକୁ ସାହାଯ୍ୟ କରିବାକୁ।ବୁବୁଲିକି ଧରି ମାସରେ ତିନି ଚାରି ଦିନ ନିହାତି ଆସୁଛି। ଆଉ ପୁଣି ତୁମର କଣ ଦରକାର କହିଲ। ସବୁବେଳେ ମନ ଉଣା କରୁଛ। ପୁଅ ଡାକିଲେ ବି ତା ପାଖକୁ ଯାଉନ। ମାତ୍ର ୭୦କିମି ଦୂରରେ ରହୁଛି।ତଥାପି ତୁମେ ଅସନ୍ତୁଷ୍ଟ ହେଉଛ। ଯଦି ସେମିତି ଥିଲା ତେବେ ପୁଅକୁ ପାଠ କାହିଁକି ପଢାଉଥିଲ। ମୁର୍ଖ କରି ଘରେ ରଖିଥାନ୍ତ, ଏବେ ବସିକି ନାତି ନାତୁଣୀ ଖେଳେଇଥାନ୍ତ।

ନାଇଁମ ନୀଳିମା, ତୁମେ ସେମିତି କଥା କୁହନି। ଆଜି ସକାଳେ ଭ୍ରମଣ ରେ ଯାଇଥିଲାବେଳେ ଜୀବନର ଏକ ସତ୍ୟ ସହ ଭେଟ ହେଲା।

କଣ ଏମିତି ଭାବନାତ୍ମକ ଶବ୍ଦ ସବୁ କହୁଛ।ଏମିତି ଯଦି ଭାବ ଆସୁଛି ତେବେ ତାକୁ କାଗଜରେ ଉତାରି ଦିଅ ଦେଖିବ ମନ ହାଲୁକା ହେଇଯିବ।

ଆରେ ନାଇଁମ ନୀଳିମା, ଲେଖକ ହେବାରେ ମୋର ଇଛା ନାହିଁ, କଥା କ'ଣ କି , ଆଜି ସକାଳେ ପାର୍କ ପାଖରେ ନରହରି ବାବୁଙ୍କ ସହ ଦେଖାହେଲା। ମନେ ପଡୁଛି ତୁମର , କିଛିଦିନ ପାଇଁ ସେ ଆମ ଅଫିସ ର ଅଫିସର ହୋଇ ଆସିଥିଲେ। ତାଙ୍କ ପତ୍ନୀ ଙ୍କ ସହ ତୁମେ ମଧ୍ୟ ପରିଚିତ ହୋଇଥିଲ। ସେହି ବର୍ଷ ତାଙ୍କ ପୁଅ ମେଡିକାଲ ପାଇଥିଲା ବୋଲି ବହୁତ ବଡ଼ ଧରଣର ଭୋଜିଭାତରେ ଆୟୋଜନ କରିଥିଲେ।

ଆରେ ହଁ ତ, କେମିତି ମନେ ନ ରହିବ। ତାକୁ ଦେଖି ତ ଆମ ଅଜୁ ପାଖରେ ଅଧିକ ମନ ଦେଇଥିଲା ଓ କହିଥିଲା ବାପା ମାଆ ମୁଁ ବି ଏମିତି ଡାକ୍ତରୀ ପାଇବି ଓ ତୁମେ ସମସ୍ତଙ୍କୁ ଭୋଜି ଦେବ। ମାତ୍ର ତୁମ କଥା ନିଆରା ତୁମେ ମନ୍ଦିର ରେ ଯାଇ ଭିକାରୀମାନଙ୍କୁ ଖାଇବାକୁ ଦେଲ। ଅଜୁ ମଧ୍ୟ ଅତି ଖୁସିରେ ସେମାନଙ୍କୁ ଖାଦ୍ୟ ପରସି ଦେଇଥିଲା ସେଦିନ ଓ କହିଥିଲା ଡାକ୍ତର ହେଲେ ପ୍ରତି ମାସରେ ଦୁଇଥର ସମୟ ଦେବ ଏଇ ଭିକାରୀ ମାନଙ୍କ ସେବାପାଇଁ। ଆଜିବି ସେ ତା କଥା ରଖିଛି। ଆଜିବି ସେ ଆସୁଛି ଏଇ ମନ୍ଦିର କୁ ସେମାନଙ୍କ ସେବା କରିବା ପାଇଁ ଦିନିକିଆ କ୍ୟାମ୍ପ କରି। ମାତ୍ର ତୁମେ ତା ପାଖକୁ ଯାଉନ ଦେଖା କରିବାକୁ। କହିଲେ କହୁଛ କଣ ନା ଗୋଟିଏ ଦିନ ସମୟ କାଢି ସେ ଆସୁଛି, ଯଦି ମୁଁ ଯିବି ତାର ସବୁ ଧ୍ୟାନ ମୋ ଉପରେ ରହିବ । ସେ ତା କଥା ରଖିପାରିବ ନାହିଁ। 

ହଉ ଛାଡ଼ ମ ତୁମେ କଣ କହୁଥିଲ କୁହ। ନରହରି ବାବୁଙ୍କ କଥା। କଣ ହେଲାକି । ତାଙ୍କ ପୁଅର ବହୁତ ବଡ଼ ଡାକ୍ତର। ତା କଥା ତ ସବୁବେଳେ ଖବର କାଗଜରେ ମୁଁ ପଢେ। 

ହଁ ଠିକ୍ କହିଲ ନୀଳିମା। ଆଜି ନରହରି ବାବୁ ପାର୍କ ର ଏକ ଚୌକିରେ ବସିଥିବାର ଦେଖିଲି। କେବେ ତାଙ୍କୁ ଏଠି ଦେଖି ନଥିଲି ସେ ଏଠାରୁ ଗଲା ପରଠୁ। ତାଙ୍କୁ ଦେଖି ଖୁସି ଲାଗିଲା ତେଣୁ ଚାଲିଗଲି ତାଙ୍କ ସହ ଦୁଇ ପଦ ଖୁସି ଗପ ପାଇଁ ଓ ତା ସହ ଭଲମନ୍ଦ ପଚାରିବା ପାଇଁ । ମତେ ଦେଖି ବହୁତ ଖୁସି ହେଲେ। ଆମ ଅଜୁ ଡାକ୍ତର ବୋଲି ଜାଣି ଖୁସିରେ କାନ୍ଦି ପକାଇଥିଲେ। ମାତ୍ର ତାଙ୍କର କାନ୍ଦରେ ଖୁସି କମ ଦୁଃଖ ବେସି ଥିଲାପରି ଲାଗିଲା। ପଚାରିବାରୁ କୋହ ସମ୍ଭାଳି ନପାରି ସବୁ ଦୁଃଖ କୁ ଓଗାଳି ପକେଇଲେ।

ଜାଣିଛ ନୀଳିମା ତାଙ୍କ ପୁଅ ଚାକିରି ପାଇବା ପରେ ତାକୁ ଏକ ଡାକ୍ତରୀ ବୋହୁ ସହ ବିବାହ କରେଇ ଦେଲେ।ଚାକିରି ଥିବା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା।ଅବସର ପରେ ଯାହା ଅର୍ଥ ପାଇଲେ ସବୁ ତ ଶୁଝିଦେଲେ ଯାହା ଆଣିଥିଲେ ତାଙ୍କ ପୁଅର ପାଠପଢ଼ା ପାଇଁ।ଶେଷରେ ରହିଗଲେ କେବଳ ଆସବାବ ପତ୍ର ଓ ତାଙ୍କ ପତ୍ନୀ। କିଛିଦିନ ଚଳିଲେ ପାଖରେ ଥିବା ଅର୍ଥ ଓ ପାଉଥିବା ପେନସନ ରେ। ଶେଷରେ ଏପରି ହେଲା ଯେ ବଳକା ଅର୍ଥ ବି ନିଅଣ୍ଟ ପଡ଼ିଲା ତାଙ୍କ ପତ୍ନୀଙ୍କ ଅସୁସ୍ଥତା ପାଇଁ।ପୁଅକୁ କହିଲେ , ସେ ନିଜେ ଡାକ୍ତର ତେଣୁ ମାଆକୁ ନେଇ ପାଖରେ ରଖିଲେ ଭଲ ଚିକିତ୍ସା ହୋଇ ପାରିବ ମାତ୍ର ପୁଅ କହିଲା ଘରେ କେହି ରହୁ ନାହାନ୍ତି ମାଆ ଆସିଲେ ତାର ସେବା କରିବା କିଏ।ତେଣୁ ତୁମ ପାଖରେ ରଖ। ମୁଁ ସୁବିଧା ହେଲେ ଯାଇ ଦେଖି ଆସୁଥିବି।ପୁଅର ଏପରି କଥା ଶୁଣି ନରହରି ବାବୁ ପୁରା ଚୁପ୍ ହୋଇଗଲେ। ଆତ୍ମସମ୍ମାନକୁ ତାଙ୍କର ବହୁତ ବାଧିଲା। ତେଣୁ ଅର୍ଥର ଆବଶ୍ୟକତା ଥିଲେ ମଧ୍ୟ ପୁଅକୁ କିଛି କହିଲେ ନାହିଁ। ଡାକ୍ତରଖାନା ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ଋଣ ଆଣିଲେ। ମାତ୍ର ବିଧାତାର ଖେଳ ଭିନ୍ନ। ତାଙ୍କ ପତ୍ନୀ ସେହି ଡାକ୍ତରଖାନାରେ ରହି ରହି ଶେଷରେ ନରହରି ବାବୁଙ୍କୁ ଏକା ଏହି ସଂସାରର ଜଞ୍ଜାଳ ଭିତରେ ଏକା ଛାଡ଼ି ଚାଲିଗଲେ।ପୁଅ ବୋହୁ ଆସି ପହଞ୍ଚିଲେ। ସବୁ କର୍ମ ସରିଗଲା ପରେ ନରହରି ବାବୁଙ୍କୁ ଡାକୁଥିଲେ ତାଙ୍କ ସହ ଥିବା ପାଇଁ। ମାତ୍ର ସେ ତ ସ୍ୱାଭିମାନୀ ଲୋକ ନା,କହିଲେ ବୁଢା ହେଲିଣି , ଆଖିକୁ ଭଲ ଦେଖା ଯାଉନି, ତୋ ଘରେ ତ କେହି ରହୁନାହାନ୍ତି, ମୋ କଥା ବୁଝିବୁ କିଏ। ତୁ ଯାଆ ସୁବିଧା ହେଲେ ଆସି ମଝିରେ ମଝିରେ ଦେଖିଯିବୁ। ପୁଅକୁ ପଠେଇ ଦେଲେ ସିନା ତାଙ୍କ ଧର୍ମପତ୍ନୀ ଙ୍କୁ ବହୁତ ଖୋଜିଲେ। ଶେଷରେ ଏପରି ହେଲା ବ୍ୟାଙ୍କ ରୁ ଆଣିଥିବା ଋଣ ପରିଶୋଧ ନ କରି ପାରିବାରୁ ଘରଟିକୁ ବିକ୍ରି କରିଦେଲେ। ଯାହା ବଳକା ଅର୍ଥ ରହିଲା ତାକୁ ଧରି ଏଠାକୁ ପଳେଇ ଆସିଲେ। ଏବେ ଆମର ଏଇଠି ଥିବା ଜାରାଶ୍ରମରେ ରହୁଛନ୍ତି।

କଣ ଭାଗ୍ୟ କହିଲ ନୀଳିମା, ମଣିଷ ଭାବେ କଣ, ତାକୁ ମିଳେ କଣ। ତାଙ୍କ କଥା ଶୁଣି ମୋ ଧର୍ଯ୍ୟ ରହିଲା ନାହିଁ। ତାଙ୍କୁ ଆମ ଘରକୁ ନିମନ୍ତ୍ରଣ କରିଛି ଆସିବାକୁ । 

ସଙ୍ଗେସଙ୍ଗେ ନୀଳିମା କହି ଉଠିଲେ ଭଲ କଲ। ଆମ ପାଖକୁ ଆସିଲେ ଗପସପରେ ସମୟ କଟିଯିବ। ତାଙ୍କୁ ଟିକେ ଭଲ ଲାଗିବ।

ହଉ ତୁମେ ଯାଅ ହାତ ଗୋଡ ଧୋଇ ଆସିବ, ଖାଇବା ସମୟ ହୋଇଗଲାଣି। ଡେରି ହେଲେ ତେଣେ ଡଲି ରୋଷେଇୟା ବୋହୁ କୁ ଫୋନ କରିଦେବ। ଏତିକି କହି ଉଠିଲା ବେଳକୁ ବୋଉ ଶବ୍ଦ ଶୁଣି ପଛକୁ ବୁଲି ଦେଖିଲା ବେଳକୁ ଅଜୁ ଆସି ଠିଆ ହୋଇଛି। 

ଆରେ ତୁ କେତେବେଳେ ଆସିଲୁ। ଆଜି କ'ଣ ତୋର ରୋଗୀ ଦେଖା ସରିଗଲା କି ଶିଘ୍ର।ହଁ, ସରିଗଲା। କିନ୍ତୁ ନରହରି ମଉସାଙ୍କ କଥା କ'ଣ ହେଉଥିଲ ମୁଁ କିଛିଟା ଶୁଣିଛି। ଏହା କହି ବାପାଙ୍କୁ ପ୍ରଣିପାତ କରୁକରୁ ଅଜୁ ବାପାଙ୍କୁ କୁଣ୍ଢେଇ ପକେଇଲା। 

ନୀଳିମା ଏହା ଦେଖି କହି ପକେଇଲେ ତୋ ବାପା ତୋ ପାଇଁ ସବୁକିଛି ମୁଁ କେହି ନୁହେଁ। ଏହା ଶୁଣି ଅଜୁ ମାଆଙ୍କୁ ମଧ୍ୟ କୁଣ୍ଢେଇ ପକେଇ କହିଲେ ବହୁତ୍ ଭୋକ ଖାଇବାକୁ ଦେ।

ପୁଅର କଥା ଶୁଣି ସୋମନାଥ ବାବୁ ଭାବୁଥାନ୍ତି ପ୍ରକୃତରେମୁଁ କେତେ ଭାଗ୍ୟବାନ ଅଜୁ ପରି ପୁଅ ପାଇଛି। ନିହାତି ଏହା ଆମ ଦୁହିଁଙ୍କ ପୂର୍ବ ଜନ୍ମ ର କୃତକର୍ମର ଫଳ।

ଏହା ଭାବୁ ଭାବୁ ଆଖିରୁ ତାଙ୍କର ଦୁଇ ଧାର ଲୁହ ବହିଗଲା। ଏହା ଦେଖି ନୀଳିମା କହୁଥାନ୍ତି, ଦେଖେ ଅଜୁ ତଥାପି ତୋ ବାପାଙ୍କ ଆଖିରେ ଅଶ୍ରୁ। ଏହାଶୁଣି ଅଜୁ ଆଖିରେ ମଧ୍ୟ ଲୁହ ଆସିଗଲା। ଏହା ଦୁଃଖର ନଥିଲା।

ଅଜୁ ଆଖିରେ ଲୁହ ଥିଲା ଆତ୍ମସନ୍ତୋଷର ଯେ, ତା ବାପାମାଆ ତା ଉପରେ ସନ୍ତୁଷ୍ଟ ଓ ସୋମନାଥଙ୍କ ଆଖିର ଅଶ୍ରୁ କହୁଥାଏ ସମସ୍ତେ ଏମିତି ସନ୍ତାନ ପାଆନ୍ତୁ। ନରହରି ବାବୁଙ୍କ ପରି ଜାରାଶ୍ରମ ନଦେଖନ୍ତୁ।


Rate this content
Log in

Similar oriya story from Abstract