Er. Suchismita Satpathy

Abstract Tragedy Inspirational

4.0  

Er. Suchismita Satpathy

Abstract Tragedy Inspirational

ନ ମାନିଲେ ପଥର ମାନିଲେ ଠାକୁର

ନ ମାନିଲେ ପଥର ମାନିଲେ ଠାକୁର

4 mins
238


ଭଗବାନ।ଏଇ ନାଁ ଟିର କି ମାଧୁର୍ଯ୍ୟ କେଜାଣି,ଧନୀରୁ ଦରିଦ୍ର,ରୋଗୀରୁ ଭୋଗୀ,ପାପୀରୁ ନିଷ୍ପାପୀ ସମସ୍ତଙ୍କ ମୁଖରେ ଆବହମାନ କାଳରୁ ଶୋଭା ପାଉଛି ଏବଂ ପାଉଥିବ ମଧ୍ୟ।ଏଇ ସତ୍ୟ ସନାତନ ଯୁଗରେ ତାଙ୍କବିନା ଅନ୍ୟ ଗତି ନାହିଁ।

ଯିଏ ତାଙ୍କୁ ଯେଉଁ ରୂପରେ ଡାକିଛି ପାଇଛି।ଏଥିରେ କେବଳ ରହିଛି ଆତ୍ମବିଶ୍ୱାସର କଥା।

କଥାରେ ଅଛି ପରା "ମାନିଲେ ଠାକୁର,

                       ନ ମାନିଲେ ପଥର "।।

ତେଣୁ ଯୁଗେ ଯୁଗେ ପୃଥିବୀର ଆଦିରୁ ଏପର୍ଯ୍ୟନ୍ତ ତାଙ୍କର ସତ୍ତା ପରିବ୍ୟାପ୍ତ ଓ ଏ ପୃଥିବୀର ଅନ୍ତ ପର୍ଯ୍ୟନ୍ତ ମଧ୍ୟ ସେ ସତ୍ତା ସେହିପରି ଉତ୍ଜିବିତ ରହିଥିବ ଏଥିରେ ତିଳେ ମାତ୍ର ଦ୍ୱିମତର ପ୍ରଶ୍ନ ନାହିଁ।

ମାତ୍ର ଆଜିର ଏ କଳିଯୁଗରେ ମନୁଷ୍ୟର ଅହଂଭାବ,ଆତ୍ମଗର୍ବ,ଅଜ୍ଞାନତାର ଅନ୍ଧକାରରେ ଭଗବାନଙ୍କ ସତ୍ତା କେଉଁଏକ ଵୃହତ ବୃକ୍ଷର କୋରଡରେ ଲୁଚିରହିଲା ପରି ରହିଯାଇଛି।ମନୁଷ୍ୟ ତାର ମିଥ୍ୟା ଅହଂଭାବକୁ ନିଜ ଉପରେ ଏତେ ମାତ୍ରାରେ ଉପଢୌକନ ଦେଇ ସଜେଇଛି ଯାହାଫଳରେ ତା ମାନସପଟରୁ କିଞ୍ଚିତ୍ ବାରି ହେଉନାହିଁ ଭଗବାନଙ୍କ ସତ୍ତା ଅଛି ବୋଲି।ମାତ୍ର ଯେତେବେଳେ ପରିସ୍ଥିତି ଭୟାଭହ ହେଉଛି ସେତେବେଳେ ସମଗ୍ର ଜୀବଜଗତ ସେହି ଅଦୃଶ୍ୟ,ଅନ୍ତର୍ଯ୍ୟାମୀ ସତ୍ତା ପାଖରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେବା ଛଡା ଆଉ ଆନ ଗତି ନାହିଁ।

ଏତିକି କହିକହି ଜ୍ଞାନରଞ୍ଜନ ବାବୁ ଠାକୁର ଘରୁ ବାହାରି ଆସିଲେ।ଚାକିରିରୁ ଅବସର ନେବା ଦିନଠୁ ପ୍ରତ୍ୟକଦିନ ସକାଲ ଓ ସନ୍ଧ୍ୟାର ସମୟ ତାଙ୍କରକଟେ ସେଇ ଠାକୁର ଘରେ।ଜଣେ ସଚ୍ଚୋଟ ଓ କର୍ମଠ କର୍ମଚାରୀ ହିସାବରେ ନିଜ ଚାକିରୀ ଜୀବନ ଅତିବାହିତ କଲେ ସେ।ତେଣୁ ନିଜ ଓ ନିଜ ପରିବାର ମାନେ ତାଙ୍କ ସ୍ତ୍ରୀ ଓ ପୁଅ ପାଇଁ ବିଶେଷ କିଛି ଆଖିଦୃଶିଆ କରିପାରିନଥିଲେ।ବିମଳା ଦେବୀ ସେଥିପାଇଁ ତାଙ୍କ ଉପରେ ସଦାସର୍ବଦା ଗରଗର ହୁଅନ୍ତି।।

ସେହି ଦୁଃଖଟି ତାଙ୍କର ସଦାସର୍ବଦା ରହିଗଲା ଯେ,ଯାହାକୁ ବିବାହ ବେଦୀରେ ଅନେକ ମନ୍ତ୍ର ଓ ଧର୍ମର ସହ ଗ୍ରହଣ କରିଥିଲେ ଯିଏକି ତାଙ୍କର ଅର୍ଦ୍ଧାଙ୍ଗିନୀ ,ଯିଏକି ତାଙ୍କ ସୁଖ ଓ ଦୁଃଖର ସମଭାଗୀ ସେ ହିଁ ତାଙ୍କୁ ସଦାସର୍ବଦା ଭୂଲ ବୁଝିଲା।

ସଂସାରରେ ଧନ ରତ୍ନ କଣ ସବୁଠୁ ଉପରେ।ମନର ଭାବନା ଆଗରେ ଧନର କାମନା କଣ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସମ୍ପର୍କର ମାପକାଠି ବି ଅଡୁଆସୂତା ପରି ଗୁଡେଇ ହୋଇଯାଉଛି।

ଏମିତି ଭାବିଭାବି ଆସି ଅଗଣାରେ ପଡିଥିବା ଚୌକି ଉପରେ ବସିପଡିଲେ।ବିମଳା ଦେବୀ ସେପଟୁ ଚିଲେଇ ଚିଲେଇ ଆସୁଥାନ୍ତି,ହଇହୋ କୁଆଡେ ଚାଲିଗଲ ଚା ଟା ନେଇକି ଗଲନି।ମୁଁ କଣ ଚା ଧରି ତୁମ ପଛେ ପଛେ ଧାଇଁଥିବି।ଜୀବନରେ କିଛି ତ କରି ପାରିଲନି ବୋହୁଟିଏ ଆଣିଲ ଯେ ସେ ବି ସେଇ ପ୍ରକାର।ଏତିକି କହି ଚା କପଟି ଧରେଇ ଦେଇ ପାନ ଡାଲା ଧରି ବସିଗଲେ ତାଙ୍କ ପାଇଁ ଉଦ୍ଧିଷ୍ଟ ଚୌକି ଉପରେ।

ଚା ପିଉପିଉ ବୋହୁ ମିତା କଥା ଭାବିବାକୁ ଲାଗିଲେ, ଜ୍ଞାନରଞ୍ଜନବାବୁ। ପୁଅ ଏକ କମ୍ପାନୀରେ ଚାକିରୀ କଲାପରେ ତାର ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ମିତାକୁ ବୋହୁକରି ଆଣିଥିଲେ।ମଧ୍ୟବିତ୍ତ ପରିବାରର ଝିଅ ତେଣୁ ତାଙ୍କ ପରିବାର ସହ ଖାପଖୁଆଇ ପାରିବ ବୋଲି।ମାତ୍ର ବିମଳାଦେବୀଙ୍କର ଈଛା ଥିଲା ଚାକିରିଆ ବୋହୁ ପାଇଁ ।କାରଣ ଧନ ଘରକୁ ଆସିବ।ସେକଥା ନହେବାରୁ ସେ ସଦାସର୍ବଦା ମିତା ଉପରେ ବି ଗରଗର ହୁଅନ୍ତି।

ଅସିତ ଓ ମିତାର ବିଭାଘରକୁ ପାଞ୍ଚ ବର୍ଷହେଲେବି ସନ୍ତାନର ସୁଖ ଭୋଗ କରିପାରି ନାହାନ୍ତି।ସେ ଦୁଃଖଟି ମଧ୍ୟ ଜ୍ଞାନ ବାବୁଙ୍କୁ ଭିତରୁ ଭିତରୁ ଉଈ ପରି ଖାଇ ଚାଲିଛି।

ବିମଳାଦେବୀଙ୍କର ସେଥିପାଇଁ ସବୁବେଳେ ରାଗ । ପ୍ରତି ମୁହୂର୍ତ୍ତରେ ସେ କହି ବାକୁ ପଛାନ୍ତି ନାହିଁ।ମାତ୍ର ଜ୍ଞାନ ବାବୁଙ୍କର ପ୍ରଗାଢ ବିଶ୍ୱାସ ଯେ ଭଗବାନ ଏତେ ନିର୍ଦ୍ଦୟ ନୁହନ୍ତି।ତାଙ୍କ ବିଶ୍ୱାସ ଉପରେ ମିତାର ବହୁତ ଭରଷା।ତେଣୁ ବିମଳାଦେବୀଙ୍କର ସବୁ କଥା ଶୁଣି ବି ସେ ଚୁପ ଥାଏ।

ହଠାତ ଦିନେ ଜ୍ଞାନ ବାବୁ ନିଦରୁ ବାଉଳି ହୋଇ ଉଠିଗଲେ।ଦେହରୁ ଗମ୍ ଗମ୍ ଝାଳ ବାହାରୁଥାଏ।ବାହାରକୁ ବାହାରି ଆସି ମାଠିଆରୁ ପାଣି କାଢି ପିଇବାକୁ ଲାଗିଲେ।ବାହାରେ କିଛି ଶବ୍ଦ ଶୁଣି ମିତା ବି ଉଠିଲା। ଜ୍ଞାନ ବାବୁଙ୍କୁ ବାହାରେ ଵସିଥିବାର ଦେଖି ବିବ୍ରତ ହୋଇ ପଚାରିଲା, ବାପା ଦେହ ଭଲ ନାହିଁ ବୋଧେ,

ହଠାତ ମିତାକୁ ଦେଖି ଜ୍ଞାନ ବାବୁଙ୍କ ମୁଖ ମଣ୍ଡଳ ଶାନ୍ତ ପଡିଗଲା।ନିଜର ଏତେବର୍ଷର ବୈବାହିକ ଜୀବନ ଭିତରେ ବିମଳାଦେବୀଙ୍କ ମୁହଁରୁ ସେ ଏପରି କେବେ ତାଙ୍କପ୍ରତି ଯତ୍ନବାନ ହେବାର ଦେଖିନାହାନ୍ତି।

ମିତାକୁ ଦେଖି ତାଙ୍କ ମନରେ ଆସିଥିବା ଧାରଣା କହିବାକୁ ଲାଗିଲେ, ମା ରେ ମୋର ସମୟ ସରି ଆସିଲାଣି।ଭଗବାନଙ୍କର କି ନିର୍ଦ୍ଦେଶ କେଜାଣି ମୁଁ ବୋଧେ ମୋ ନାତୀ କି ନାତୁଣୀ ଦେଖି ପାରିବିନି।ଆଜି ହଠାତ ଏକ ସ୍ୱପ୍ନ ରେ ମତେ ଭଗବାନ ଜଣେଇଦେଲେ।ତୁ ଭଗବାନଙ୍କୁ ବହୁତ ବିଶ୍ୱାସକରୁ।ମୋର ବି ବିଶ୍ୱାସ ଯେ କେହିନହେଲେ ବି ନିଜେ ଭଗବାନ ଜନ୍ମ ନେବେ ତୋ କୋଳରେ।

ଜ୍ଞାନ ବାବୁଙ୍କ ମୁହଁରୁ ଏପରି କଥା ଶୁଣି ଭାବ ବିହ୍ୱଳ ହୋଇ ମିତା କହିବାକୁ ଲାଗିଲା,ବାପା ଆପଣ ଏପରି କୁହନ୍ତୁ ନାହିଁ।ଆପଣ ହିଁ ମୋ ପାଇଁ ଭଗବାନ।ଆପଣଙ୍କ ବିଶ୍ୱାସ ଓ ଭରସା ମୋ ପାଇଁ ପାଦୁକ ସଦୃଶ। ମୋର ଭରସା ଭଗବାନ ଆମକୁ ହତାଦର କରିବେ ନାହିଁ। ମୋର ଆଶା ଆସନ୍ତା କାଲିର ଡାକ୍ତରୀ ରିପୋର୍ଟ ଆମକୁ ଏହି ଦ୍ୱନ୍ଦରୁ ମୁକ୍ତ କରିବ ବୋଲି।

ସେତେବେଳକୁ ରାତି ପାହି ଯାଇଥାଏ। ସକାଳର ସୂର୍ଯ୍ୟ ଏକ ଅଭିନବ ରଙ୍ଗରେ ସଜେଇ ଦେଇଥାଏ ସାରା ଧରାବକ୍ଷକୁ।ଜ୍ଞାନ ବାବୁ ଯଥାରୀତି ପୂଜା ସାରି ନିଜ ଗୁହାରୀ ଜଣାଇ ବାହାରିଲା ବେଳକୁ ମିତା ଖବର ଦେଲା ଆଗତ ନୂତନ ସଦସ୍ୟ ବାବଦରେ।

ଦୀର୍ଘ ପାଞ୍ଚ ବର୍ଷର ସ୍ଥିରତା ପରେ ଘରେ ଖେଳିଗଲା ଏକ ଆହେତୁକ ଆନନ୍ଦ।

ସମୟ ଗଡି ଚାଲିଲା।ବିମଳାଦେବୀ ସଦାସର୍ବଦା ପ୍ରତି କଥାରେ ମିତା ଉପରେ କିଛି ନା କିଛି କଥାକୁ ନେଇ ଗରଗର ହେଉଥାନ୍ତି।ଏପରିକି ମିତାକୁ ନେଇ ଜ୍ଞାନ ବାବୁଙ୍କୁ ବି କହିବା ଛାଢନ୍ତି ନାହିଁ।

କହିବା ଛଳରେ କୁହନ୍ତି,

        ।।ଅପାରଗ ସ୍ୱାମୀକୁ ଅପାରଗ ବୋହୁ।।

ଆମ ମାଆ ପୁଅଙ୍କ ଜୀବନକୁ ନଷ୍ଟ କରିଦେଲେ। ସବୁଶୁଣି ଚୁପ ରୁହନ୍ତି ଉଭୟେ।ଜ୍ଞାନ ବାବୁ ମନେ ମନେ ଭଗବାନଙ୍କ ସ୍ମରଣରେ ଡାକି ଚାଲନ୍ତି କିପରି ନୂତନ ଆଗନ୍ତୁକଟି ତାଙ୍କ ଘରର ଶୋଭା ବର୍ଦ୍ଧନ କରୁ ଶୁରୁଖୁରୁରେ।ଆଉ କଷ୍ଟ ସହିବାର ଶକ୍ତି ନାହିଁ ତାଙ୍କର।

ଶଶୁରଙ୍କୁ ଭଗବାନ ବୋଲି ମାନୁଥିବା ମିତା ଜ୍ଞାନ ବାବୁଙ୍କ ଶରୀରର ଦୁର୍ବଳତା କୁ ଅନୁମେୟ କରି ସ୍ୱାମୀକୁ କହି ଡାକ୍ତରଙ୍କୁ ଦେଖାଇ ଓ ଔଷଧ ଦେଉଥାଏ।

ସେଥିରେ ବିମଳାଦେବୀଙ୍କର କଥା କଣ ନା, ସେ ବୁଢାର କିଛି ହେବନି ସେ ଏମିତି ଛଳନା କରୁଛି ଏମିତି ଶୋଇ ରହିଲେ ମୁଁ କିଛି କହିବିନି ବୋଲି।

ଜ୍ଞାନ ବାବୁ ସବୁ ଶୁଣନ୍ତି ମାତ୍ର ଗୁହାରୀ ଭଗବାନଙ୍କୁ ଜଣାନ୍ତି।କାରଣ ତାଙ୍କ ସ୍ୱପ୍ନରେ ସେ ଆଭାସ ପାଇଥିଲେ ତାଙ୍କ ଅନ୍ତେ ଏ ଘରେ ଶିଶୁର କଳରବ ଶୁଣାଯିବ। ନିଜର ଇହଧାମ ତ୍ୟାଗର ଦୁଃଖ ନଥିଲା ତାଙ୍କର ଖୁସି ଥିଲା ତାଙ୍କ ଘରଟି କୁନି ଶିଶୁର କୁଆଁ କୁଆଁ ରାବରେ ପୁରିଉଠୁ।

ସତକୁ ସତ ତାହାହିଁ ହେଲା । ଯେଉଁଦିନ ମିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଲା ସେହିଦିନ କିଛି ମୁହୂର୍ତ୍ତପରେ ଜ୍ଞାନ ବାବୁ ନିଜର ଶେଷ ନିଶ୍ୱାସ ତ୍ୟାଗକଲେ ଏହା କହି ଯେ ଭଗବାନ ମୋ ଘରେ ଜନ୍ମନେଲେ।ଏବେ ମୋର ଯିବାର ସମୟ ଆସିଗଲା।

ଏକ ଖୁସି ଓ ଦୁଃଖର ପରିବେଶ ସୃଷ୍ଟିହୋଇଥିଲା ସେଦିନ ଜ୍ଞାନରଞ୍ଜନ ଓ ବିମଳାଦେବୀଙ୍କର ପରିବାର ପାଇଁ।


Rate this content
Log in

Similar oriya story from Abstract