Er. Suchismita Satpathy

Abstract Inspirational

4  

Er. Suchismita Satpathy

Abstract Inspirational

ଆଶ୍ରିତା

ଆଶ୍ରିତା

7 mins
385


ନଦୀର କୂଳୁ କୂଳୁ ନାଦରେ ଓ ଚଢେଇ ମାନଙ୍କର ଚିଁ ଚିଁ ଶବ୍ଦ ଭିତରେ କାଳିର ହୃଦୟର ସ୍ପନ୍ଦନ କେଉଁଠି ହଜିଯାଇଛି ସେ ଜାଣିପାରୁନାହିଁ କିମ୍ବା ସେହି ସ୍ପନ୍ଦନ କୁ ନ ଶୁଣିବା ପାଇଁ ସେ ପ୍ରତ୍ୟେକ ଦିନ ଏଠାକୁ ସକାଳ ଓ ସନ୍ଧ୍ୟା ରେ ଆସୁଛି ସେ କଥା ବି ସେ ବୁଝିପାରୁ ନାହିଁ ।


ମାତ୍ର ଯନ୍ତ୍ରବତ୍ ସେ ଦିନକୁ ଦୁଇଥର ଏଠାରେ ଉପସ୍ଥିତ ହେବା ଏଠାକାର ପାଣିପବନ ମଧ୍ୟ ଜାଣି ପାରିଲେଣି।

ମାତ୍ର ଆଜି ପର୍ଯ୍ୟନ୍ତ ତାର ମୁଖରୁ ଦୁଇଟି ଶବ୍ଦ ଶୁଣି ପାରି ନାହାଁନ୍ତି।କିଚିରି ମିଚିରି ହେଉଥିବା ଚଢେଇଗୁଡିକ ମଧ୍ୟ ଗଛ ଡାଳର ଆଢୁଆଳରେ ବସି କାଳିର ଉପସ୍ଥିତିକୁ ଲକ୍ଷ କରିଥାନ୍ତି।


ପ୍ରଥମେ ତ ସେମାନେ ବି ଭିତତ୍ରସ୍ତ ହୋଇପଡିଥିଲେ।

ଜୀବନ ଅଛି ତ ଡର ବି ଅଛି। ସେ ମଣିଷ ହେଉ କି ପଶୁପକ୍ଷୀ।ମାତ୍ର କାଳିର କିଛି ଦିନର ଶାନ୍ତ ଉପସ୍ଥିତି ସେମାନଙ୍କ ମନରୁ ବି ଡର ଓ ଭୟକୁ ଦୂରିଭୂତ କରିଦେଇଛି।ଏବେ ସେମାନେ ତା ଚାରିପାଖରେ ଖୁସିରେ ବୁଲନ୍ତି । ମାତ୍ର ମୂର୍ତ୍ତିବତ୍ କାଳିର କିଛି ପ୍ରତିକ୍ରିୟା ନଥାଏ।

ବେଳେବେଳେ ସେମାନେ ବି ଭାବୁଥିବେ ନିକଟରେ ଥିବା ଗଛଲତା ପରି ଏ ବି ଏକ ଧରଣର।


ମାତ୍ର କାଳି ନିସ୍ତବ୍ଧ ଓ ନିଶ୍ଚଳ ଭାବେ ବସିରହି ଚାହିଁ ରହେ ସେଇ ପୋଖରୀଟିର ଜଳକୁ ଓ ସେହି ପରିବେଶ ଭିତରେ କିଛି ସମୟ ପାଇଁ ହଜେଇ ଦିଏ ନିଜର ଅସ୍ତିତ୍ୱ କୁ ଯେମିତି ମାତା ସୀତା ନିଜକୁ ବିଲୀନ କରିଦେଇଥିଲେ ଧରଣୀ ମାତାର କୋଳରେ।


ଦିନେ ସେହି ସ୍ଥାନରେ ବସିରହିଥିବା ସମୟରେ ତାର ପିଲାଦିନର ଦୁଇ ସଙ୍ଗାତଙ୍କ ସହ ଭେଟ ହୋଇଗଲା।ସରିତା ଓ ଗୀତା। ଉଭୟେ କାଳିକୁ ଦେଖି କିଛି ଖୁସି ଓ କିଛି ବିବ୍ରତ ହୋଇ ଆସି ତା ପାଖରେ ବସି ତାକୁ ଫେରାଇଆଣିଲେ ନିଜର ସ୍ପନ୍ଦନ ନିକଟକୁ ।

ଅନେକ ଦିନପରେ ସେମାନଙ୍କୁ ଦେଖି ଏକ ଅହେତୁ ଆନନ୍ଦରେ କାଳିର ମନ ଭରି ଉଠିଲା। ସରିତା କହିଉଠିଲା, ଆରେ ଏ କଣ ତୁ ଏଠି ଏକୁଟିଆ କାହିଁକି ବସିଛୁ।ଆଉ କଣ କିଏ ସାଙ୍ଗରେ ଆସିଛନ୍ତି ଅପେକ୍ଷା କରିଛୁ। କିଛି କହୁନୁ କାହିଁକି।ଏମିତି ଭୂତଙ୍କ ପରି କଣ ବସିଛୁ।ଏ ଗଛଲତାଙ୍କ ପରି ତୁ କଣ କାଠ ହୋଇଗଲୁଣି ନା କଣ?ଏମିତି ଅନେକ ପ୍ରଶ୍ନର ବାଣରେ ସେ ବିଧ୍ୟ କରିପକେଇଲା କାଳିକୁ।


ଏହା ଦେଖି ବ୍ୟସ୍ତ ହୋଇ ଗୀତା ସରିତାକୁ ଅଟକାଇ ଚୁପ୍ ରହିବାକୁ କହି ସେଠାରୁ ଯିବାକୁ ଇଙ୍ଗିତ କଲା।

ତା ଇସାରାକୁ କଛି ନବୁଝି ସେଠାରୁ ଉଠି ତା ସହ ଆଗେଇଲା ସରିତା।ସରିତା ଅନେକ ଦିନ ପରେ ଗାଁ କୁ ଫେରିଥାଏ।ବିଦେଶରେ ସ୍ୱାମୀ ସହ ବସବାସ ତାର ।

ହାଇସ୍କୁଲ ପରଠୁ ସହରରେ ପାଠପଢି ବିଦେଶରେ ବିବାହିତ ଓ ଅବସ୍ଥାପିତ।ଗୀତା ସେହି ଗାଁ ରେ ବିବାହିତ ଓ ଶିକ୍ଷକତା କରେ।


ଦୀର୍ଘ ବର୍ଷ ପରେ ତିନି ସଙ୍ଗାତ ଏକାଠି ହେବାର ସୁଯୋଗ ମିଳିଛି ତାଙ୍କ ବିଦ୍ୟାଳୟ ର ପଚସ୍ତରୀ ବର୍ଷ ପୂରଣ ଉପଲକ୍ଷେ।ଦୁଇଦିନ ପୂର୍ବରୁ ଅନେକ ଛାତ୍ର ଛାତ୍ରଛାତ୍ରୀ ଙ୍କର ଭିଡ ଜମିଲାଣି ଗାଁ ରେ।ପୁରୁଣା ସାଙ୍ଗ ମାନଙ୍କୁ ଦେଖି ସମସ୍ତଙ୍କର ମନ କୁଣ୍ଡେମୋଟ।ପିଲାବେଳକୁ କିଛି ଫେରିଯାଇଛନ୍ତି। ଇତି ମଧ୍ୟରେ ସମସ୍ତେ ନିଜ ନିଜ କ୍ଷେତ୍ରରେ ଅବସ୍ଥାପିତ ଓ ରୋଜଗାରକ୍ଷମ ହୋଇସାରିଛନ୍ତି । ସମସ୍ତଙ୍କର ଶରୀରର କାୟା ବଦଳିବା ସହ ଗାଁ ମଧ୍ୟ ତାର କାୟା ବଦଳେଇଛି।


ମାଟି ସଡକ ସ୍ଥାନକୁ ପକ୍କା ସଡକ ହାତେଇଛି। ଛାଳ ଛପର ଘର ପରିବର୍ତ୍ତେ ଛାତ ଓ ରଙ୍ଗୀନ ଘର ଦେଖିବାକୁ ମିଳୁଛି। ସତେ ଯେମିତି ବିଦେଶୀ ରଙ୍ଗବିରଙ୍ଗରେ ସଜେଇ ହୋଇଛି ସେହି ପଚିଶ ବର୍ଷ ତଳର ଗୋବର ମାଟି ଲେସି ହୋଇଥିବା ଗାଁ କନିଆଁଁ ।


ସରିତା ଖୁସିରେ ବାଧା ଉପୁଯେଇଲା କାଳିର ନିରବତା।ବାଟରେ ଗଲାବେଳେ ଗୀତାର ମୁଣ୍ଡକୁ ପଚାରି ପଚାରି ଖରାପ କରିଦେଲା ସେ।ଶେଷରେ ଗୀତା ମୁହଁ ଖୋଲିଲା । ସେତେବେଳକୁ ତା ଆଖି ଛଳଛଳ ହୋଇଯାଉଥାଏ।


ଆରମ୍ଭ କଲା, ..............."ବିଦ୍ୟାଳୟ ସରିଲା ପରେ ତୁ ଓ ତୋ ସହ ଅନେକ ପିଲା ସହରକୁ ପଳେଇଲେ। ମୁଁ ନିକଟସ୍ଥ ଗାଁ ର ମହାବିଦ୍ୟାଳୟ ରେ ନାମ ଲେଖେଇଲି ମାତ୍ର କାଳିର ପାଠରେ ଡୋରି ବନ୍ଧା ହେଲା।ତୁ ତ ଜାଣୁ ତାର ଶରୀରର ରଙ୍ଗପାଇଁ ତାର ନାମକରଣ ତା ଜେଜେମାଆ କରିଥିଲେ କାଳି।ମାତ୍ର ବିଦ୍ୟାଳୟରେ ତାର ଆଚାର ବ୍ୟବହାର, କୃତିତ୍ୱ, ସଫଳତା ଯୋଗୁଁ ତା ନାଁର ଅର୍ଥ କୁ କଦର୍ଥ କରୁଥିବା ପିଲାବି ତାକୁ ସମ୍ମାନ ଦେଉଥିଲେ ଓ ସେ ସବୁରି ପ୍ରିୟ ଥିଲା। ସମସ୍ତ ଙ୍କ ଠାରୁ ଅଧିକ ନମ୍ବର ରଖି ମଧ୍ୟ ତା ଜେଜେମାଆ ପାଇଁ ମହାବିଦ୍ୟାଳୟ ରେ ଭର୍ତ୍ତି ହୋଇପାରିଲା ନାହିଁ।


ଆମେ ସମସ୍ତେ ଉଚ୍ଚଶିକ୍ଷା ର ମାର୍ଗରେ ଗଲାବେଳେ ସେ ଘର କାମ , ଗାଈ ବଳଦ କାମରେ ଲାଗିଲା। କିଛି ମାସପରେ ଧନ ଲୋଭରେ ତା ଜେଜେମାଆ କାହାକଥା ନଶୁଣି ପାଖ ଗାଁ ର ସାମନ୍ତରାୟ ପରିବାରରେ କାଳିର ବିବାହ କରେଇଦେଲେ। ତାର ରଙ୍ଗ ଏପରି ଥାଇ ମଧ୍ୟ ସେମାନେ ତାର ବ୍ୟବହାର ଓ ଧର୍ଯ୍ୟଶୀଳତା ପାଇଁ ତାଙ୍କ ସାନ ଓ ମାନସିକ ବିକୃତ ପୁଅ ପାଇଁ ବୋହୁକରି ନେଇଗଲେ। ତା ବଦଳରେ କାଳିର ଜେଜେମାଆ ଏକ ମୋଟା ଅଙ୍କର ଅର୍ଥ ପାଇଥିଲେ।


ପ୍ରଥମେ ପ୍ରଥମେ କେହି କିଛି ଜାଣିପାରି ନଥିଲେ। ଚତୁର୍ଥୀ ଦିନ ତାର ଦେହ ଖରାପ କହି କାଳି ନିକଟକୁ ଯିବାକୁ ଦେଇ ନଥିଲେ। କିଛି ସମୟ ପର୍ଯ୍ୟନ୍ତ ଠିକଠାକ ଥିଲା।ନୂଆ ଯାଗା , ନୂଆ ଘର,ବଡ ପରିବାର ଭିତରେ ନିଜକୁଏପରି ହଜେଇ ଦେଲା ଯେ ନିଜର ଅସ୍ତିତ୍ଵ କୁ ହିଁ ଭୂଲିଗଲା।


କିଛି ଦିନପରେ ସେ ହରିଶ ସାମନ୍ତରାୟ ମାନେ ତା ସ୍ୱାମୀ ର ପ୍ରକୃତ ରହସ୍ୟ ଜାଣିବାକୁ ପାଇଲା। ସେତେବେଳେ ସେ ନିଜକୁବହୁତ ଧିକ୍କାର କରିବା ସହ ବହୁତ ଅସହାୟ ମଣିଥିଲା। ମାତ୍ର ତାଙ୍କ ଘରୁ କେହିହେଲେ ଟିକେ ଆଶ୍ୱାସନା ଦେବାପାଇଁ ଯାଇ ନଥିଲେ। ଆମେ ଚେଷ୍ଟା କରିଥିଲୁ ମାତ୍ର ସାମନ୍ତରାୟ ପରିବାର ଆମକୁ ବାଧା ଦେଇଥିଲା। କାଳି ବିବାହ କରି ସେଠାକୁ ଯିବା ଦିନଠୁ କେବେ ଗାଁ କୁ ଆସି ନଥିଲା।ନିଜ ଭାଗ୍ୟକୁ ଆଦରି ସେଠାରେ ପଡିରହିଥିଲା । ଚାକର ବାକର ଥିବା ସତ୍ତ୍ଵେ ବି ସେଠାରେ ସେ ଏକ ଆଶ୍ରିତାର ପରିଚୟରେ ବଞ୍ଚିଥିଲା।

ସବୁକିଛି ଭୂଲି ତା ପାଗଳ ସ୍ୱାମୀ ର ଦେଖାଶୁଣା କରିବାକୁ ଲାଗିପଡିଲା। ଅନେକ ଚିକିତ୍ସା ଓ କାଳିର ଅପାର ଚେଷ୍ଟା ଓ ଭଗବାନଙ୍କ ଉପରେ ବିଶ୍ୱାସ ଯୋଗୁଁ ହରିଶ ଧିରେ ଧିରେ ଠିକ ହେବାକୁ ଲାଗିଲା ମାତ୍ର ତା ସହ ସେ ତାର ବର୍ତ୍ତମାନ ର ମାନସିକ ସ୍ଥିତି ହରେଇବା ସହ ସବୁକିଛି ଭୂଲିଗଲା। ଯେତେ ଚେଷ୍ଟା କଲେବି ସେ କାଳିକୁ ଚିନ୍ହିଲା ନାହିଁ ବରଂ ତାକୁ ଦେଖି ତାର ରଙ୍ଗ ପାଇଁ ଘୃଣା କରିବାକୁ ଲାଗିଲା।


କାଳି ସବୁ ସହି ଯାଉଥିଲା ମାତ୍ର ତାର ରଙ୍ଗକୁ ନେଇ ତା ନିଜ ସ୍ୱାମୀ ଏପରି ଘୃଣା ଭାବ ପ୍ରକାଶ କରିବା ଓ ତାକୁ ସ୍ତ୍ରୀର ମାନ୍ୟତା ନଦେବା ତାର ଅସହ୍ୟ ଥିଲା। ତାକୁ ଲାଗିଲା ଯେପରି କେଉଁ ଏକ ଅଜଣା ସ୍ଥାନରେ ଅନିଛୁକ ପ୍ରବେଶ କରିଛି ସେ।ତଥାପି କାହାକୁ କିଛି ନକହି ନିଜ ଭାଗ୍ୟକୁ ଆଦରି ସେଠି ରହିଛି।


ହରିଶର ମତି ଠିକ ଦିଗକୁ ଆସିଲେ ମଧ୍ୟ ସବୁ ଜାଣି ସେ କାଳିକୁ ଆପଣେଇବାକୁ ନାରାଜ।

ଏକ ଭଲ ଘର, ଭଲ ପରିବାର ଥାଇ ମଧ୍ୟ ସେ ଏକ ଆଶ୍ରିତାର ଜୀବନ ଯାପନ କରୁଛି।ନା ଅଛି ତାର ଆବଶ୍ୟକତା, ତା ଅଛି ତାର ମନ। ସମସ୍ତଙ୍କ ମନ ବୁଝି କାମକରିଚାଲେ ଅଣନିଶ୍ୱାସୀ ହୋଇ।


ସକାଳ ଓ ସଂଜରେ ଟିକେ ସମୟ ପାଇଲେ ଚାଲିଆସେ ଏଇ ସ୍ଥାନକୁ ନିଜର ସତ୍ତାକୁ ଖୋଜିବାକୁ।କେତେବେଳେ କେମିତି ମୁଁ ଆସି ତା ପାଖରେ ଟିକେ ବସିଯାଏ।ମାତ୍ର ତା ପାଖରୁ କିଛି ଶୁଣିବାକୁ ପାଏନା।କେତେବେଳେ କେମିତି ତାର ଦୁଇ ଧାର ଲୁହ ସହ ସାକ୍ଷାତ ହୋଇଯାଏ ଓ ସେହି ଲୋତକ ଦ୍ୱାରା ତାର ମନର ଅକୁହା କଥାକୁ ବୁଝିବାକୁ ଚେଷ୍ଟା କରେ।ବାସ୍ ସେତିକି।ତାପରେ ମୁଁ ମୋ ବାଟରେ ସେ ତା ବାଟରେ।


ଆଜି ସେ ଯଦି ଜାଣିବ ଆସନ୍ତା କାଲି ତାର ବିଦ୍ୟାଳୟ ର ଭଲ ପାଠ ଓ ବ୍ୟବହାର ପାଇଁ ବିଦ୍ୟାଳୟ ତରଫରୁ ତାକୁ ସମ୍ମାନୀତ କରିଯାଉଛି ସେ ବହୁତ ଖୁସି ହେବ।ମାତ୍ର ମୁଁ କହିଲି ନାହିଁ। କାଲି ସିଧାସଳଖ ଶୁଣିଲେ ସେ ବେଶୀ ଖୁସିହେବ।


ଏକଥା ଶୁଣିବା ଭିତରେ ସରିତାର ଲୁହର ଧାର ଛୁଟି ଚାଲିଥାଏ। ସେ କଣ କରିବ ଓ କଣ କହିବ ତା ପାଖରେ କିଛି ଭାଷା ନଥିଲା।

କିଛି କ୍ଷଣ ପରେ ସେ ନିଜକୁ ଦୃଢ କରି ଗୀତାକୁ କହିଲା ସାମନ୍ତରାୟ ପରିବାରକୁ ଯିବା ପାଇଁ।ତା କଥା ଶୁଣି ଗୀତା ଆଶ୍ଚର୍ଯ୍ୟ ହୋଇ କାରଣ ଜାଣିବାକୁ ଚାହିଁବାରୁ ସରିତା କିଛି ନକହି ଗୀତାର ହାତ ଧରି ସାମନ୍ତରାୟ ଘର ଅଭିମୁଖେ ଚାଲିଲା।


କିଛି କ୍ଷଣ ମଧ୍ୟରେ ସେମାନେ ପହଞ୍ଚି ଗଲେ । ସରିତା ସେଠାରେ ନିଜର ପରିଚୟ ପ୍ରଦାନ କରି ହରିଶକୁ ଭେଟିବାକୁ ଚାହିଁଲା। ତାଙ୍କ ଘରର ସମସ୍ତେ ମନାକଲେ ମାତ୍ର ହରିଶର ମାଆ ତାକୁ ଯିବାକୁ ଦେଲେ।ପ୍ରକୃତରେ ବୋଧେ ସେ ନିଜର ଭୂଲ ବୁଝିପାରିଥିଲେ ଯେ ସେ ଏକ ଝିଅର ଜୀବନ ନଷ୍ଟ କରିଦେଇଛନ୍ତି ଓ ପ୍ରାୟଶ୍ଚିତ ର ବାଟ ଖୋଜୁଥିଲେ।ସରିତା ରୂପରେ ସେ ଏକ ନୂତନ ଆଲୋକର ରାହା ଦେଖିବାକୁ ପାଇଥିଲେ।


ଇତି ମଧ୍ୟରେ ସରିତା ଓ ଗୀତା ହରିଶ ବସିଥିବା କୋଠରୀରେ ପ୍ରବେଶ କରି ନିଜର ପରିଚୟ ଦେବା ସହ କାଳି ବିଷୟରେ ଅନେକ କଥା କହିବା ସହ ତାର ଆଚାର ,ବ୍ୟବହାର, ମନୋଦଶା,ତାର ବିକୃତ ମସ୍ତିଷ୍କ ଥିବା ସମୟରେ ସବୁ ଭୂଲି ତାର ସେବା ଶୁଶ୍ରୂଷା ସବୁ ବର୍ଣ୍ଣନା କରିବା ସହ ଏକ ବିବାହିତା ନାରୀ ଦୀର୍ଘ ବର୍ଷ ଧରି ନିଜର ଅସ୍ତିତ୍ବ କୁ ଭୂଲି ତାର ଅସ୍ତିତ୍ଵ ଫେରାଇ ଆଣିବା ଦିଗରେ କିପରି ନିଜର ଭାବନା, ଆବେଗକୁ ଜଳାଞ୍ଜଳି ଦେଇଦେଇଛି ତାକୁ ହୃଦ୍ ବୋଧ କରେଇବାର ପ୍ରଚେଷ୍ଟା କରିବାକୁ ଲାଗିଲେ।


ତତ୍ ସହ ତାର ବିଦ୍ୟା, ବୁଦ୍ଧି ଓ ବ୍ୟବହାର ପାଇଁ ବିଦ୍ୟାଳୟ ଯେ ତାକୁ ପୁରସ୍କୃତ କରୁଛି ଶୁଣେଇ ହରିଶକୁ ଓ ତାର କାଳି ପ୍ରତି ବ୍ୟବହାର କୁ ଭର୍ତ୍ସନା କରି ତାକୁ କାଳିପ୍ରତି ତାର ମନୋଭାବ ବଦଳେଇବା ପାଇଁ ନେହୁରା ହୋଇ ତା ପ୍ରତିବଦଳରେ କୌଣସି ଉତ୍ତର ନପାଇ ନିରାଶ ହୋଇ ଫେରିଆସିଲେ।


ସେଦିନଟି ସରିତା ଓ ଗୀତା ଏକ ସଙ୍ଗେ ବିତେଇଲେ ଓ କାଳିର ସମୟ ଓ ଭାଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ଲାଗିଲେ।

ତା ପରଦିନ ଅନେକ ବ୍ୟକ୍ତି ବିଶେଷଙ୍କ ସମାଗମ ବିଦ୍ୟାଳୟ ପରିସରରେ।ସରିତା ଓ ଗୀତା ନିଜ କାମ ସାରି କାଳି ପାଖରେ ପହଞ୍ଚି ତାକୁ ଠିକସେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବାକୁ ଲାଗିଲେ।


ସେଦିନ ସେମାନେ ଏକ ଅସମ୍ଭବ କଥା ଜାଣିବାକୁ ପାଇଲେ ଯେ କାଳି ଦୀର୍ଘ ବର୍ଷ ହେବ ଆଇନାରେ ନିଜକୁ ଦେଖି ନାହିଁ।ସେଦିନ ଅନେକ କହିବା ପରେ ନିଜକୁ ଦର୍ପଣ ସାମନାରେ ଦେଖି ହସି ବାକୁ ଲାଗିଲା।

ତାର ହସର କାରଣ ଜାଣିବାକୁ ଚାହିଁବାରୁ କହିଲା ," ଏକ ଆଶ୍ରିତାର ପରିଚୟ କେବେହେଲେ ଏକ ଦର୍ପଣ ହୋଇ ନପାରେ।"


ଏହା ଶୁଣି ଉଭୟଙ୍କ ଆଖିରେ ଅମାନିଆ ଲୁହ ଗୁଡିକ ବହି ବାରେ ଲାଗିଲା।ନିଜକୁ ବଶ କରି କାଳି ସହ ଉଭୟେ ବାହାରିପଡିଲେ ବିଦ୍ୟାଳୟ ଅଭିମୁଖେ।

ସେଠାରୁ ଆସିଲା ବେଳେ ସରିତାର ଆଶା ଥିଲା ହରିଶ ନିଜର ଭୂଲ ବୁଝିପାରିଥିବ ବୋଲି ମାତ୍ର ତା ଠାରେ କୌଣସି ପରିବର୍ତ୍ତନ ର ଆଭାସ ପାଇ ନଥିଲା।

ବିଦ୍ୟାଳୟ ରେ ପହଞ୍ଚି ବା ପରେ ଅନେକ ପୂରାତନ ବନ୍ଧୁ ଙ୍କ ସଂସ୍ପର୍ଶରେ ଆସି କାଳି ମଧ୍ୟ କିଛି କ୍ଷଣ ପାଇଁ ସବୁକିଛି ଭୂଲି ଯାଇଥିଲା। ଶେଷରେ ସେ ସମୟ ଉପନୀତ ହେଲା ଯେତେବେଳେ କାଳିର ନାମକୁ ବିଦ୍ୟାଳୟ ର ଏପର୍ଯ୍ୟନ୍ତ ର ସବୁଠାରୁ ଉତ୍କର୍ଷ ଓ ଶ୍ରେଷ୍ଠ ଛାତ୍ରୀ ଭାବେଘୋଷଣା କରାଗଲା ଓ ପୁରସ୍କାର ପାଇଁ ମଞ୍ଚ ଉପରକୁ ଆମନ୍ତ୍ରଣ କରାଗଲା।


ଏକଥା ଶୁଣି ନିଜକୁ ବିଶ୍ୱାସ କରିପାରିଲା ନାହିଁ କାଳି। ତାର ଅଥୟ ମନକୁ ଥୟ କରି ବର୍ତ୍ତମାନର ଆମନ୍ତ୍ରଣକୁ ଗ୍ରହଣ କରିବାକୁ ବୁଝାଇ ମଞ୍ଚ ଉପରକୁ ପଠେଇବାରେ ସକ୍ଷମ ହେଲେ। ପୁରସ୍କାର ଗ୍ରହଣ କରିବା ପରେ କାଳିକୁ ନିଜ ଓ ନିଜ ପରିବାର ବିଷୟରେ କହିବାକୁ କହିବାରୁ କାଳି ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଲା ଓ ସେ କଣ କହିବ ତା ବିଷୟରେ ଭାବିବାକୁ ଲାଗିଲା।

ଯେଉଁଠି ନିଜ ଜନ୍ମଦାତା ମାନେ ତ ଅର୍ଥ ଲୋଭରେ ତାକୁ ଏକ ପ୍ରକାର ବିକ୍ରି କରି ଦେଇଥିଲେ ଓ ଯେଉଁ ମାନେ କିଣିନେଲେ ସେଠାରେ ସେ ହୋଇଥିଲା ସେ ଆଶ୍ରିତା।


ଏତେ ଭିତରେ ମଞ୍ଚ ଉପରକୁ ଉଠିବାର ଦେଖାଗଲା ହରିଶ ସାମନ୍ତରାୟ ଙ୍କୁ। ତାଙ୍କ ଉପସ୍ଥିତ ସମ୍ବନ୍ଧରେ ସମସ୍ତେ କିଛି ଭାବିବା ଆଗରୁ ସରିତା ଓ ଗୀତା ଅନେକ କିଛି ଭାବିବାକୁ ଲାଗି ଖୁସିହେବାର ପ୍ରୟାସ କରୁଥିଲେ।

ହରିଶ ସିଧା ଯାଇ କାଳିର ପାର୍ଶ୍ଵରେ ଠିଆ ହୋଇଗଲେ ଓ କାଳିକୁ ନିଜର ସ୍ତ୍ରୀ ର ପରିଚୟ ଦେବା ସହ କାଳିର କୃତିତ୍ବ ପାଇଁ ନିଜକୁ ସେ ବହୁତ ଗର୍ବିତ ଓ ସାମନ୍ତରାୟ ପରିବାର ବହୁତ ଭାଗ୍ୟଶାଳୀ ବୋଲି କହିବା ଶୁଣି ସେଠାରେ ଉପସ୍ଥିତ ସମସ୍ତ ଜନତା ଓ ବନ୍ଧୁ ବର୍ଗ ଖୁସିରେ କରତାଳି ଦେବାକୁ ଲାଗିଲେ।ଏହା ଶୁଣି କାଳି ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ।


ଦୀର୍ଘ ବର୍ଷ ପରେ ନିଜର ପରିଚୟ ଖୋଜି ପାଇବାର ଯେଉଁ ଖୁସି ଓ ଆନନ୍ଦ ଥିଲା ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା ତା ଆଖିର ଲୁହରୁ।

ସେଦିନ ଗୀତା ଓ ସରିତା କାଳିର ଲୁହରେ ଖୁସିର ଏକ ଝଲକ ଦେଖିବାକୁ ପାଇଥିଲେ।

ସେହି ମୁହୂର୍ତ୍ତରେ ଗୀତା ମୁହଁ ରୁ ସ୍ୱତ୍ତଃ ବାହାରି ଆସିଥିଲା ତୁ ଆଶ୍ରିତା ନୁହେଁ କାଳି ତୁ ସର୍ବଜନ ଆଦୃତା।


Rate this content
Log in

Similar oriya story from Abstract