Singh Dibakar

Abstract Inspirational

4.3  

Singh Dibakar

Abstract Inspirational

ଭାଗ୍ୟର ଖେଳ

ଭାଗ୍ୟର ଖେଳ

6 mins
514


  

  ଶାଶୂ-ବୋହୂଙ୍କର ସମ୍ପର୍କ କିଛି ଠିକ୍ ନ ଥିଲା। କଥା କଥା କେ ଯୁକ୍ତି। ରାଗ, ହିଂସା ,ମୁହଁ ଫୁଲା ଫୁଲି। କେହି କାହାରି କଥା ଶୁଣିବାକୁ ନାରାଜ। ଏମିତି ପ୍ରତି ଦିନ କଳି ଝଗଡା ଲାଗିବା ଦିହିଁଙ୍କର ଗୋଟିଏ ପ୍ରକାର ଅଭ୍ୟାସରେ ପାଲଟିଛି ।   

  

  ଦିହିଁଙ୍କ ମଝିରେ ବିଚରା ସ୍ବାଧୀନ ବାବୁ ନିଜକୁ ପେଶି ହେଲା ପରି ମନେ କରନ୍ତି । ସ୍ବାଧୀନବାବୁ ଜଣେ ସରକାରୀ କର୍ମଚାରୀ ।ଏଇ ସହରର ଉପକଣ୍ଠରେ ତାଙ୍କ ଘର। ପରିବାର କହିଲେ, ତାଙ୍କ ବୋଉ ସ୍ନେହମୟୀ ଦେବୀ, ସ୍ତ୍ରୀ ଶ୍ରୀମୟୀ ଓ ଚାରି ବର୍ଷର ପୁଅ ସମ୍ଭବ। 

    

  ଶାଶୂ ବୋହୂଙ୍କ ଗୋଟିଏ ପିଢି ର ପାର୍ଥକ୍ୟ । ତେଣୁ କିଛି ନା କିଛି କଥାକୁ ଧରି ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଥିଲା ।


  ଶ୍ରୀମୟୀ ଜଣେ ଈର୍ଷା ପରାୟଣ ପ୍ରକୃତିର ମହିଳା  ।  ପ୍ରତି କଥାରେ ଚିଡଚିଡା ହୁଏ । ଯେବେ ବି କଳି ଲାଗେ, ସେଇ ଗୋଟିଏ କଥା ହିଁ ଦୋହରାଇ ଥାଏ । କେଜାଣି ଆଉ କେତେ ଦିନ ଧରି ଏ ବୁଢୀର ବୋଝ ମୁଣ୍ଡେଇବାକୁ ପଡିବ । ଆଖି, କାନ, ନାକ, ଧରି କୁଆଡେ ଚାଲି ଯାଇଥିଲେ, ମଣିଷ ଟିକେ ଶାନ୍ତିରେ ନିଃ-ଶ୍ବାସ ନିଅନ୍ତା । ସ୍ନେହମୟୀଦେବୀ ବାରମ୍ଵାର  ଏଇ କଥା ଶୁଣି ଶୁଣି ନିଜକୁ ଅତି ହୀନିମାନୀ ମନେକରନ୍ତି । ମନର କୋହକୁ ନିଜ ଛାତିରେ ଚାପିଧରି ଗୁମୁରିଗୁମୁରି କାନ୍ଦି ପକାନ୍ତି । ଅସହାୟ ମନେ କରନ୍ତି । ପୁଅକୁ କିଛି କୁହନ୍ତିନି। ସ୍ବାମୀ - ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ କଣ୍ଟା ହେଇ ଛିଡାହେବାକୁ ଚାହାଁନ୍ତିନି । କିନ୍ତୁ ଏ ଦୁଃଖ କଥା କାହାକୁ ବା କହିବେ ? କିଏ ବା କାହିଁକି ଶୁଣିବେ ? ଯିଏ ତାଙ୍କ କଥା ଶୁଣିଥାନ୍ତେ, ସିଏ ତ ଆଠ ବର୍ଷ ହେବ କର୍କଟ ରୋଗରେ ଚାଲିଗଲେ । ଅନେକ ଥର ତାଙ୍କ ମନକୁ ଆସିଛି । ସ୍ବାମୀ ଙ୍କ ସହିତ ତାଙ୍କର ବି ମରଣ ହେଇଥିଲେ ଏ ସବୁ କଥା ଶୁଣିବାକୁ ପଡନ୍ତାନି ।  

   

   ସ୍ବାଧୀନ ବାବୁ ବେଳେବେଳେ ଝଗଡା ଦେଖି ମନେମନେ ଭାବନ୍ତି , ପ୍ରତି ଘରେ ତ ଏମିତି କିଛି ନା କିଛି ସମସ୍ୟାକୁ ନେଇ କଳି ଲାଗେ । ତାର ସମାଧାନ ବି ହୁଏ  ।  

    

   କିନ୍ତୁ ଦିନେ ଏମିତି ହେଲା ଯେ-ଶ୍ରୀମୟୀ କୂଳବଧୂର ପରିସୀମା ଡେଇଁ କୁଳ-ବଂଶ ଧରି ଏମିତି ଉଚ୍ଚ ନୀଚ୍ଚ ଶବ୍ଦ ପ୍ରୟୋଗ କଲା, ସ୍ନେହମୟୀ ଦେବୀଙ୍କ ମୁଣ୍ଡଟା ଚକ୍କର ଖାଇଲା । ତାଙ୍କ ଦେହ ରାଗରେ ଥରିବାକୁ ଲାଗିଲା ।   

   

   ସତେ ଯେମିତି ତାଙ୍କ ପାଦ ତଳୁ ପୃଥିବୀଟା ଘୁଞ୍ଚି ଘୁଞ୍ଚି ଯାଉଛି   ।  ସେ ନିଜର ଭାରସାମ୍ୟ ହରେଇ ବସିଲେ ।ତଳେ ପଡିଯିବା ଆଗରୁ ପକ୍କା ଘରର ମଜବୁତ କାନ୍ଥର ସାହାଯ୍ୟ ନେଲେ। ଦୁଃଖ ଜର୍ଜରିତ ଅସହାୟ ଦେହକୁ ଧରି ନିଜ କୋଠରୀ ଭିତରକୁ ଗଲେ । ଘର ଭିତରୁ କବାଟ କିଳି ତକିଆ ଉପରେ ମୁହଁ ମାଡି କଇଁ କଇଁ କାନ୍ଦି ବାକୁ ଲାଗିଲେ । ରାତିରେ ଖାଇବାକୁ ବି ବାହାରିଲେନି । ସ୍ବାଧୀନ ବାବୁ ଅଫିସ୍ ରୁ ଫେରି ବୋଉ କଥା ପଚାରିଲେ । ଶ୍ରୀମୟୀ ମନରେ କିଛି ଦ୍ବିଧା ନ ରଖି ଜବାବ ଦେଲା -ସେ ଶୋଇଗଲାଣି । ସ୍ବାଧୀନ ବାବୁ ଦିନ ଯାକ ଅଫିସରେ କାମ କରି ଥକ୍କା ଅନୁଭବ କରୁଥିଲେ । ତେଣୁ ଆଉ କିଛି ନ କହି ନିଜ କୋଠରୀ ଭିତରକୁ ଚାଲିଗଲେ   

    

   ରାତିରେ ଶୋଇବା ଆଗରୁ ବୋଉ କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ଶ୍ରୀମୟୀ କହିଲା, ସେ ବୁଢୀକୁ ନେଇ କୋଉ ବୃଦ୍ଧାଶ୍ରମରେ ଛାଡି ଦେଇ ଆସ । ତା' କଥା ମୁଁ ଆଉ ବୁଝି ପାରିବିନି । ଏମିତି ବି ତାର ଏ ଘରେ କାମ କଣ ଯେ ପଡି ରହିବ । ଏ କଥା ଶୁଣି ସ୍ବାଧୀନବାବୁଙ୍କ ମୁଣ୍ଡକୁ ପିତ୍ତ ଚଢିଗଲା। ସେ ଜୋର ପାଟିରେ ସ୍ତ୍ରୀ କୁ ଗାଳିଗୁଲଜ କଲେ । ଶ୍ରୀମୟୀ ବି କୋଉ ଛାଡିବା ଲୋକ । ସେ ଆହୁରି ଜୋରରେ ଚିତ୍କାର କରି କହିଲା, ସେ ବୁଢୀ ଯଦି ଏ ଘରେ ରହିବ ମୁଁ ମୋ ବାପ ଘରକୁ ଚାଲି ଯିବି। ବାପ ଘରେ ପଛେ ବେକରେ ଦୌଡି ଦେଇ ମରିବି। ତଥାପି ଜୀବନ ଥାଉ ଥାଉ ଏ ଘରର ଏରୁଣ୍ଡି ବନ୍ଧ ମୁଁ ମାଡିବିନି।  

      

    ସ୍ବାଧୀନବାବୁ ଗଭୀର ଚିନ୍ତାରେ ପଡିଲେ । ଏ କେମିତି କଥା ? କେମିତି କା ଏ ଅଗ୍ନି ପରିକ୍ଷା। ଏଣେ ମାଇଲେ ଗୋ ହତ୍ୟା, ସେଣେ ମାଇଲେ ବ୍ରହ୍ମ ହତ୍ୟା ।କଣ ସେ କରିବେ? ବୋଉଙ୍କୁ ଏ ବୃଦ୍ଧାବସ୍ଥାରେ କେଉଁଠି ଆଉ କାହା ଭରସା ରେ ଛାଡିବେ ? ଏଠି ପୁଣି ସ୍ତ୍ରୀ ର ଧମକ ଘର ଛାଡି ଚାଲିଯିବ। ଭାବି ଭାବି କିଂକର୍ତ୍ତବ୍ୟବିମୂଢ ହେଇ ବସି ରହିଲେ ।     

      

   ସ୍ନେହମୟୀ ଦେବୀ କୋଠରୀ ଭିତରେ ଥାଇ ସବୁକଥା ଶୁଣୁଥିଲେ । ନିଜ ଭାଗ୍ୟକୁ ନିନ୍ଦି ସବୁ ସହିଗଲେ। ନିଜ ଲୁଗାପଟା, ଔଷଧପତ୍ର ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ରାତି ପାହିବାର ରାହା ଚାହିଁ ବସିଲେ । 

       

    ତା ପରଦିନ ରବିବାର ଥିଲା। ସ୍ବାଧୀନ ବାବୁଙ୍କର ଡେରିରେ ନିଦ ଭାଙ୍ଗିଲା । ମୁହଁ ଧୋଇ ଦାଣ୍ଡ ଦୁଆର କୁ ଆସି ଦେଖନ୍ତି ତ, ବୋଉ ଚଟାଣ ଉପରେ ବସିଛନ୍ତି । ତାଙ୍କ ପାଖକୁ ଲାଗି ଗୋଟିଏ ବ୍ୟାଗ ଥୁଆ ହେଇଛି। ସ୍ବାଧୀନବାବୁ ପଚାରି ବୁଝିଲେ, ବୋଉ ! କୁଆଡେ ବାହାରିଛ କି ?  

     

     ସ୍ନେହମୟୀ ଦେବୀ ଉତ୍ତର ଦେଲେ, କୁଆଡେ ବାହାରି ବି କଣ ? ମୋତେ ତ ତଡି ଦଉଚ । ଘଟଣାଟି କଣ ସ୍ବାଧୀନବାବୁଙ୍କୁ ବୁଝିବାକୁ ବେଶି ସମୟ ଲାଗିଲାନି। ସେ ସଙ୍ଗେ ସଙ୍ଗେ କହିବାକୁ ଲାଗିଲେ, ବୋଉ! ରାତି ଗଲା, କଥା ଗଲା। ସେ କଥାକୁ ନେଇ................ ଛାଡ ସେସବୁ କଥା । 

        

     ତାଙ୍କ ପାଟିରୁ କଥା ନ ସରୁଣୁ ରୋଷେଇ ଘରୁ ଶ୍ରୀମୟୀ ଚିତ୍କାର କଲା - ଆଜି ଯଦି ସେ ନ ଯାଇଛି, ମୁଁ ଚାଲିଯିବି। ସ୍ନେହମୟୀ ଦେବୀ ପୁଅକୁ ବୁଝାଇଲେ - ଆରେ ତୁ ମୋ ପାଇଁ ମୋଟେ ବ୍ୟସ୍ତ ହବୁନି। ମୋ ପାଇଁ ତୁ ତ ଭବିଷ୍ୟତ କୁ ଅନ୍ଧାର ଭିତରକୁ ଠେଲି ଦେଏନା । ମୋତେ ସେ ଆଶ୍ରମ ପର୍ଯ୍ୟନ୍ତ ପହଞ୍ଚାଇଦେ ବାସ୍ । 

        

      ଆଖିରୁ ଝରି ଆସୁଥିବା ଲୁହକୁ ପୋଛି ଦେଇ  ପୁଣି କହିଚାଲିଲେ - ଆରେ ,ସପ୍ତାହକୁ ଥରେ ତୁ ମୋତେ ଦେଖା କରି ଆସିବୁ । ମୋତେ ବହୁତ ଶାନ୍ତି ମିଳିବ । ରୋଷେଇ ଘରୁ ଆସି ଶ୍ରୀମୟୀ ସବୁ ଦେଖୁଥିଲା। ନାଟକୀୟ ଢଙ୍ଗରେ ସେ କହିଲା - ହୁଁ, ବୁଢୀର ପୁଣି ଛଇ ବାହାରିଲା । କିଏ ଜାଣେ ଯାଉଯାଉ ଆଉ କେତେ ପେଖନା କାଢିବ। ସ୍ବାଧୀନବାବୁ ଭାବିଲେ ଶ୍ରୀମୟୀ କୁ ବୁଝାଇଲେ କିଛି ଲାଭ ହେବନି । ବୋଉ କଥାରେ ରାଜି ହେବାଟା ଉଚିତ ମନେ କରି ତରତର ହେଇ ପ୍ୟାଣ୍ଟ, ସାର୍ଟ ପିନ୍ଧିଲେ । ବୋଉଙ୍କୁ ଗାଡିରେ ବସେଇ ଆଶ୍ରମ ଅଭିମୁଖେ ଚାଲିଲେ ।

 ବାଟରେ ବୋଉଙ୍କୁ କହିଲେ, ଶ୍ରୀମୟୀ ଦିନସାରା ସବୁ କାମ କରୁଛି। ସମସ୍ତଙ୍କ କଥା ବୁଝୁଛି । ତା କଥା ରେ ଉତ୍ତର ନଦେଇ ଚୁପ ରହିଥିଲେ ,ଏମିତି ପରିସ୍ଥିତି ଆସନ୍ତା ନି । ତୁମ ପାଇଁ ସେ ସବୁ ବେଳେ ବିରକ୍ତ, ବିଚଳିତ । ଆଉ ତାର ପରିଣାମ କଣ ଦେଖୁଛ ତ ଘର ଥାଉ ଥାଉ ଆଶ୍ରମ ଯିବାକୁ ପଡୁଛି।      

    

     ସ୍ବାଧୀନବାବୁ ଅନର୍ଗଳ କହି ଚାଲିଥିଲେ। କିନ୍ତୁ ବୋଉ ତାଙ୍କର ଆଖିର ଲୁହକୁ ନିଜ ପିନ୍ଧା ଲୁଗା କାନିରେ ପୋଛି ଚାଲିଥିଲେ । ସ୍ବାଧୀନ ବାବୁ କହିଲେ - ଥାଉ ବୋଉ,କାନ୍ଦ ବନ୍ଦ କର । କିଛି ଦିନ ଆଶ୍ରମ ରେ ରହିଯାଅ । ତୁମ ବୋହୂକୁ ବୁଝେଇ ସୁଝେଇ ପୁଣି ତୁମକୁ ଘରକୁ ଫେରାଇ ନେବି । ଏମିତି କହୁ କହୁ ଆଶ୍ରମରେ ଗାଡି ପହଞ୍ଚିଲା । 

ସ୍ନେହମୟୀ ଦେବୀ ଗାଡିରୁ ଓହ୍ଲେଇ ପୁଅକୁ କହିଲେ- ପୁଅ ,ତୁ ମୋର ଗୋଟିଏ କଥା ରଖିବୁ ? ବୋଉ କଥା ଶୁଣି ସ୍ବାଧୀନବାବୁ ବ୍ୟସ୍ତ ହେଲେ । ବୋଉ ଏମିତି କଣ କଥା କହିବେ ?  

ସ୍ନେହମୟୀ ଦେବୀ କହିଲେ - ପୁଅ, ତୋତେ ହାତ ଯୋଡି ନେହୁରା ହେଉଛି, ଏ ଆଶ୍ରମ ଭିତରକୁ ଆଜି ନୁହେଁ କି ତୁ କେବେ ବି ଆସିବୁନି ।ଯାଆ ମୋତେ ଏଇଠି ଛାଡି ଦେଇ ତୁ ଫେରି ଯାଆ । ସ୍ବାଧୀନ ବାବୁ ଜିଦ ଧରି ବସିଲେ, ନା ବୋଉ ! ମୁଁ ଭିତରକୁ ଯିବି । ତୁମ ରହିବା , ଖାଇବା ସବୁ ବନ୍ଦୋବସ୍ତ କରି ଆସିବି । ସ୍ନେହମୟୀ ଦେବୀ ବାରମ୍ବାର ବାରଣ କଲେ । ସେ ମୁଣ୍ଡ ପୋତି ବୋଉଙ୍କ ଏଭଳି କଥାର ମୂଳରେ କି ରହସ୍ୟ ଅଛି ଜାଣିବାକୁ ଚେଷ୍ଟା କଲେ। ବୋଉ ଏମିତି କଥା କହୁଛନ୍ତି କାହିଁକି ? କଣ ଅସୁବିଧା ଅଛି ? ଏ ଆଶ୍ରମରେ ବୋଉ କଣ କିଛି ଅସୁବିଧାରେ ପଡିପାରେ ? ନା ଅନ୍ୟ କଣ କାରଣ ଅଛି ?      ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥିବା ବେଳେ ଦେଖିଲେ, ବୋଉ ଆଶ୍ରମ ଭିତରକୁ ଚାଲି ଯାଉଛନ୍ତି । ସ୍ବାଧୀନବାବୁ ମୁଖ୍ୟ ଦ୍ବାରରେ ଛିଡା ହୋଇଥିବା ବୃଦ୍ଧ ଦରୱାନ୍ ନିକଟକୁ ଯାଇ ପଚାରିଲେ - ତୁମେ ଏ ମହିଳା ଙ୍କୁ ଜାଣ କି ?

ଦରୱାନ୍ କହିଲେ - ହଁ, ସାର ! କିନ୍ତୁ ଆପଣ ଏମିତି କାହିଁକି ପଚାରୁ ଛନ୍ତି ?  


- ନା, ସେମିତି କିଛି ନାହିଁ । ସ୍ବାଧୀନବାବୁ ଉତ୍ତର ରଖିଲେ ।ଦରୱାନ୍ ପୁଣି କହିଲେ - ଏ ମହିଳା ଜଣଙ୍କ ବହୁତ ଭଲ । ଏହାଙ୍କ ଭଳି ଦୟାବନ୍ତୀ ସ୍ତ୍ରୀ ଲୋକ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି । ଆଜିକୁ ଠିକ୍ ୩୦ ବର୍ଷ ପୂର୍ବେ ଇଏ ତାଙ୍କ ସ୍ବାମୀଙ୍କ ସାଥିରେ ପ୍ରତି ରବିବାର ଦିନ ଏଠାକୁ ଆସୁଥିଲେ । ଆଶ୍ରମ ବାସୀ ବୃଦ୍ଧ-ବୃଦ୍ଧାଙ୍କର ଭଲମନ୍ଦ କଥା ବୁଝିଥିଲେ । ସେବା ସୁଶ୍ରୁସା କରୁଥିଲେ । ସ୍ବାଧୀନବାବୁ ଭାବୁକ ହୋଇପଡିଲେ । ଦରୱାନ୍ କହି ଚାଲିଥିଲା - ଏହାଙ୍କ ସମ୍ପର୍କରେ ଗୋଟିଏ କଥା କହିବି ସାର ! 

- ହଁ, କୁହ । 

- ଏ କି ଭଗବାନଙ୍କର ଖେଳ ଦେଖନ୍ତୁ ସାର ।

 - କାହିଁକି ?

 -ଏ ମହିଳାଙ୍କର କୌଣସି ସନ୍ତାନ ନ ଥିଲେ । 

 ସ୍ବାଧୀନବାବୁଙ୍କ ମନରେ ଆଲୋଡନ ପ୍ରତିଫଳିତ ହେଲା । କହିଲେ - ଆରେ ତୁମେ କଣ ଏମିତି କହିଯାଉଛ ?

- ହଁ, ସାର ! ତାଙ୍କର କେହି ସନ୍ତାନ-ସନ୍ତତି ନ ଥିଲେ । ତିରିଶି ବର୍ଷ ପୂର୍ବରୁ ସେ ତାଙ୍କ ସ୍ବାମୀଙ୍କ ସହ ଆସିଥିଲେ । ସେଦିନ ଥିଲା ରବିବାର । ସେହିଦିନ ହିଁ ହସପିଟାଲରୁ ଏ ଆଶ୍ରମ କୁ ଗୋଟିଏ ସଦ୍ୟ ଜନ୍ମିତ ଅନାଥ ଶିଶୁ ପୁତ୍ରଟିଏ ଆସିଥିଲା । ତାକୁ ଲାଳନ ପାଳନ କରିବାକୁ ଏଠି କେହି ନ ଥିଲେ । ସେହି ଅନାଥ ଶିଶୁଟିକୁ ଏଇ ମହିଳା ଜଣଙ୍କ ପୋଷ୍ୟପୁତ୍ର କରି ଘରକୁ ନେଇଥିଲେ । ସାର,ଏ ଭାଗ୍ୟର ଖେଳ ନୁହେଁ ତ ଆଉ କଣ । ବାପା - ମା ହରାଇ ଥିବା ଶିଶୁ ଟିକୁ ବାପା-ମା ଆଉ ନିଃ-ସନ୍ତାନଙ୍କ କୋଳକୁ ସନ୍ତାନ । ସତରେ ସାର ! ପିଲାଟି କେତେ ଭାଗ୍ୟବାନ ଥିଲା ଯେ ଏହି ପରି ସହୃଦୟ ମହିଳାଙ୍କୁ ମାଆ ରୂପେ ପାଇଛି । ସେ ଯେ ଏବେ କେଉଁଠି ଅଛି ? କେତେ ବଡ ହେଲାଣି ? କେମିତି ଅଛି ? ସେ କଥା ମୁଁ ଜାଣେନି । 

     ସତେ ଯେମିତି ଆକାଶଟା ଛିଡି ସ୍ବାଧୀନବାବୁଙ୍କ ମୁଣ୍ଡ ଉପରେ ପଡିଗଲା ପରି ସେ ଅନୁଭବ କଲେ । ଆଖିକୁ ଅନ୍ଧକାର ମାଡି ଆସିଲା। ତୁହାକୁ ତୁହା ଲୁହ ଝରି ଆସିଲା । କଚାଡି ହେଲା ପରି ସେ ଆଣ୍ଠୁମାଡ଼ି ପଡିଗଲେ । ଦରୱାନ୍ ଜଣକ ଧରି ନେଇ ପଚାରିଲେ - କଣ ହେଲା ସାର୍ ! ସ୍ବାଧୀନବାବୁ କାନ୍ଦି କାନ୍ଦି କହିଲେ   -ମୁଁ ସେଇ ହତଭାଗ୍ୟ ଶିଶୁ । ମୁଁ ସେଇ ପାପୀ ସନ୍ତାନ । ଯାହାକୁ ସେ ପୋଷ୍ୟପୁତ୍ର କରି ନେଇ ଥିଲେ । ମୁଁ ଏ କେତେ ବଡ ପାପ କରିଛି । ସେ ଏଇ ଅନୁତାପର ସହିତ ଆଶ୍ରମ ଭିତରକୁ ଧସେଇ ପଶିଲେ । ସ୍ନେହମୟୀଦେବୀଙ୍କ ପାଦ ଧରି କଇଁ କଇଁ କାନ୍ଦି ପକାଇଲେ ।କାକୁତି ମିନତି ହେଇ ତାଙ୍କ ହାତ ଧରି ନେଇ  ଆସିଲେ ଗାଡିକୁ । ସ୍ବାଧୀନବାବୁ କହିଲେ - ମୁଁ କିଛି ଶୁଣିବିନି । ଗୋଟିଏ ଶବ୍ଦ ବି ତୁମେ କହି ପାରିବନି । 

   ସ୍ନେହମୟୀଦେବୀ ଜାଣିପାରିଲେ ,ସ୍ବାଧୀନ ସବୁ କଥା ଜାଣି ଯାଇଛି । କିଛି ନ କହି ଚୁପଚାପ ଗାଡିରେ ବସିପଡିଲେ ।  

      ଘରେ ପହଞ୍ଚି ସ୍ବାଧୀନ ବାବୁ ତାଙ୍କ ସ୍ତ୍ରୀ କୁ ସବୁ କଥା କହିଲେ । ତାପରେ ଜୋର ଗଳାରେ ପାଟି କରି କହିଲେ - ଆଜି ପର୍ଯ୍ୟନ୍ତ ବୋଉ ଆମ ସାଥିରେ ରହୁ ଥିଲେ । କିନ୍ତୁ ଏ ଘର ମୋ ବୋଉଙ୍କର । ଆମେ ଆଜିଠୁ ତାଙ୍କ ଘରେ ତାଙ୍କ ସହ ରହିବା । ଯଦି କାହାର କିଛି ଆପତ୍ତି ଥାଏ। ତେବେ ଘର ଛାଡି ଚାଲିଯାଉ । 

       ନିଜ ଭୁଲ ପାଇଁ ଅନୁତାପ କଲା ଶ୍ରୀମୟୀ । ସେ ଗଛ ପଡିଗଲା ପରି ଶାଶୂଙ୍କ ଗୋଡ ତଳେ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା ମାଗିଲେ । ସ୍ନେହମୟୀଦେବୀ ତଳୁ ଉଠାଇ ଆଣି ପୁଅ ଓ ବୋହୂଙ୍କୁ କୁଣ୍ଢାଇ ଧରି ସାନ୍ତ୍ବନା ଦେଲେ । ଦୂରରେ ଛିଡା ହେଇ ସମ୍ଭବ କଲବଲ କରି ଚାହିଁ ରହିଥିଲା। ଘଟଣା କଣ ଘଟୁଥିଲା ତାର ଶିଶୁ ସୁଲଭ ମୁଣ୍ଡରେ କିଛି ବୁଝିବାକୁ ଚେଷ୍ଟା କରିବା ଆଗରୁ ସ୍ନେହମୟୀ ଦେବୀ ଦୌଡି ଆସି କୋଳକୁ ଉଠାଇ ନେଲେ । ତାର ଗୁଲୁଗୁଲିଆ ଗାଲରେ ଚୁମ୍ବନ ପରେ ଚୁମ୍ବନ ଦେଲେ । ହଜିଲା ମଣିକୁ ପୁଣି ଥରେ ପାଇବା ଖୁସିରେ ତାଙ୍କ ଆଖିରୁ ଦି'ଟୋପା ଲୁହ ଗଡି ଆସିଲା ।


Rate this content
Log in

Similar oriya story from Abstract