STORYMIRROR

Singh Dibakar

Others

4  

Singh Dibakar

Others

ଶାବନି ଝିଅ

ଶାବନି ଝିଅ

2 mins
11


 ଅନିଛା ସତ୍ତ୍ଵେ ସାମାନ୍ୟ ସୂତା ଶାଢୀଟିଏ ପରିଧାନ କରି ବିନ୍ଦୁ ନିଜକୁ ପ୍ରସ୍ତୁତ କରୁଥିଲା । ବର ଘର ଲୋକେ ତାକୁ ଦେଖିବାକୁ ଆସୁଛନ୍ତି । ଏମିତି ଆଉ କେତେ ଦିନ ପ୍ରହସନ ଚାଲିବ କେଜାଣି । ଆଜିର ଦିନକୁ ଛାଡି ଦେଲେ ବାଇଶି ଜାଗାରୁ ପ୍ରସ୍ତାବ ଆସି ତାକୁ ଦେଖି ଗଲେ । କିନ୍ତୁ ତା ଶରୀର ଶାବନି ବର୍ଣ୍ଣ ହେଇ ଥିବାରୁ ବିବାହ କରିବାକୁ ମନା କରି ଦେଇଥିଲେ । ବିନ୍ଦୁ ଦେଖିବାକୁ ଶାବନି ହେଲେ ବି ତା ମୁହଁର ଗଢଣ ଖୁବ ସୁନ୍ଦର ଥିଲା । ଉତ୍ତମ ଗୁଣ, ଉଚ୍ଚ ଶିକ୍ଷା, ଭଲ ସଂସ୍କାର ଥାଇ ମଧ୍ୟ ତା ଶରୀର ତୁଳନାରେ ଏ ସବୁର କିଛି ମୂଲ୍ୟ ନ ଥିଲା । ସେଇଥିପାଇଁ  ଅସୁମାରୀ ପ୍ରଶ୍ନସବୁ ବେଳେ ବେଳେ ତା ମନରେ ଲହଡି ଭାଙ୍ଗୁଥିଲା । 

     ବର ଘର ଲୋକେ ଆସି ପହଞ୍ଚିଲା ପରେ ମାଆ ତାକୁ ବୈଠକ ଘରକୁ ଆସିବାକୁ କହିଲା । ସେ ମୁଣ୍ଡ ନୁଆଁଇ ଧିର ପାଦରେ ଆସି ସେମାନଙ୍କ ସମ୍ମୁଖରେ ଥିବା ଚୌକିରେ ବସିଲା। ଜାଣି ଶୁଣି ସେମାନଙ୍କୁ ନମସ୍କାର ବି କଲାନି । କାହିଁକି କରିବ ସେ ? କଣ ପାଇଁ ସେମାନଙ୍କୁ ଶିଷ୍ଟତା ଦେଖାଇବ ? ଆଜି ନ ହେଲେ କାଲି କହିବେ ଝିଅଟି ଶାବନି ବର୍ଣ୍ଣ । ପସନ୍ଦ ନାହିଁ । ସାମାନ୍ୟ ଟିକିଏ ସଫା ହେଇଥିଲେ , ଚଳେଇ ଦେଇ ଥାନ୍ତୁ । କିନ୍ତୁ ! ବିନ୍ଦୁ ର ମନ ଆକାଶରେ କଳା ବାଦଲ ଢାଙ୍କି ଆସିଲା ।

   କିଛି ସମୟ ବସିଲା ପରେ ବରର ବାପା କହିବା ଆରମ୍ଭ କଲେ - ଆମ ପୁଅର ଏକା ଜିଦ୍ । ଝିଅ ଦେଖିବାକୁ ଗଲେ କେବେ ମନା କରିବନି । ଝିଅ ଯେମିତି ହେଇଥାଉ ସେ ତାକୁ ହିଁ ବିବାହ କରିବ । ତାର ତ ପୁଣି ବିବେକ ଜ୍ଞାନ ବୋଲି କିଛି ଅଛି । ମନା କଲେ ଝିଅ କି ତା ଘର ପରିବାର ଲୋକେ କ'ଣ ଭାବିବେ ? ତାଙ୍କର ତ ପୁଣି ମାନ, ସମ୍ମାନ ଅଛି ନା ନାହିଁ ? ଝିଅ ମନରେ କେତେ ବଡ ଆଘାତ ନ ଆସିବ । ତାର ବି ତ ଛାତି ଭିତରେ ଗୋଟେ କମଳ ହୃଦୟଟାଏ ଅଛି । କେତେ ଆଶା, କେତେ ସ୍ବପ୍ନ ସାଇତି ରଖିଛି । ତାର ଅବସ୍ଥା କ'ଣ ହେବ ???  ସେଇଥି ପାଇଁ ତ ସବୁ ଆଡୁ ସବୁ କଥା ବୁଝି ବିଚାରି ଆପଣଙ୍କ ଝିଅର ଶିକ୍ଷା, ସଂସ୍କାର ଆଉ ଗୁଣର ପ୍ରଶଂସା ଶୁଣି ଆମେ ଆସିଛୁ । ତାକୁ ଆମ ଘରର ବୋହୂ କରି ନେବୁ । ପୁଅ ବି ତାକୁ ଜୀବନ ସାଥି କରି ବାକୁ ନିଷ୍ପତ୍ତି ନେଇ ସାରିଛି । ଏଥର ଆପଣମାନେ ଝିଅଠୁଁ ପଚାରି ବୁଝନ୍ତୁ , ସେ ଆମ ପୁଅକୁ ପସନ୍ଦ କରୁଛି ନା ନାଇଁ ।  

     ବିନ୍ଦୁ କାନରେ ବାଜିବା ମାତ୍ରେ ଏ କଥାକୁ ମନରେ ମୋଟେ ବିଶ୍ବାସ କରିପାରୁ ନ ଥିଲା । ଆଜିର ଦୁନିଆଁରେ ଏମିତି ବି ଲୋକ ଅଛନ୍ତି ! ତା ମନରେ ଏକ ଭିନ୍ନ ପ୍ରକାରର ଆଲୋଡନ ସୃଷ୍ଟି ହେଲା । ପୁଅର ବୋଧେ କିଛି ! 

     ବିନ୍ଦୁ ଧିରେ ଧିରେ ମୁହଁ ଉଠାଇ ଚାହିଁଲା । ତା ଆଗରେ ଜଣେ ଗୋରା ସାହେବ ଭଳି ସ୍ବାସ୍ଥ୍ୟବାନ ଯୁବକଟିଏ ବସିଛି । ମୁରୁକି ମୁରୁକି ହସି ବିନ୍ଦୁ ଆଡକୁ ଚାହିଁ ରହିଛି ସେ । ତା ବେଶ ପୋଷାକରୁ ସ୍ପଷ୍ଟଭାବେ ପରିଲକ୍ଷିତ ହେଉଥିଲା , ସେ ନିଶ୍ଚୟ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବ । ବେଶ ଭଦ୍ର ଭଳି ଜଣା ପଡୁଥିଲା ।  

     ବିନ୍ଦୁ ମଧ୍ୟ ତା ଆଖିରେ ଆଖି ମିଶାଇ ସାମାନ୍ୟ ଦାନ୍ତ ଦେଖାଇ ହସିଲା । ତା ମନରେ ବସା ବାନ୍ଧି ଥିବା ସଂନ୍ଦେହର କଳା ବାଦଲ ଧିରେ ଧିରେ ଅପସାରିତ ହେଲା ।  ଦୁହିଁଙ୍କ ହସରେ ସତେ ଯେମିତି ମୁକ୍ତା ଝରୁଥିଲା । ଆଖି ଆଖିର ମିଳନରେ ସାତ ରଙ୍ଗର ଇନ୍ଦ୍ରଧନୁ ପ୍ରତିଫଳିତ ହୋଇଥିଲା । ମନରେ ଉଙ୍କି ମାରୁଥିଲା ଭବିଷ୍ୟତର ଏକ ସ୍ବପ୍ନିଳ ନୀଡ । ଆଉ ତାର ଅସୁମାରୀ ପରିକଳ୍ପନା । ଅନେକ ଆଶା ବହୁତ ଆଶ୍ବାସନା ।

 


Rate this content
Log in