ମଉଳା ଫୁଲ
ମଉଳା ଫୁଲ
ଆକାଶରେ ଅନେକ ତମିସ୍ରା । ଲୁହ ଭିଜା ଆଖିରେ ଚାହିଁଛି ଅନୁପମା । ତା ଆଗରେ ଦିଗହଜା ଅନ୍ଧକାର । ଆଖି ପାଉନି ।ବହୁ ଦୂରେ ଆଲୋକର ନାଗଫାଶ । ସେଇ ଫିକା ଝାପସା ଆଲୋକରେ ଉଙ୍କି ମାରୁଛି ତା ବିଗତ ଅତୀତ । ସେଇ ଅତୀତ ପାଇଁ ତ ଦୁଇ ଦୁଇ ଥର ତାର ନିର୍ବନ୍ଧ ପରେ ବାହାଘର ଭାଙ୍ଗିଛି । ଏମିତି ଅନେକ ଥର ପ୍ରସ୍ତାବ ଆସିଛି । କିନ୍ତୁ ଘର ଦାଣ୍ଡ ଦୁଆର ପହଞ୍ଚିବା ପୂର୍ବରୁ ଫେରିଯାଇଛନ୍ତି । ଯେତେ ଚେଷ୍ଟା କରି ବି ଘର ଲୋକେ ତା ଅତୀତକୁ ଚାପି ରଖି ପାରି ନାହାନ୍ତି । ବନ୍ଧୁ ବାନ୍ଧବ, ସାହି ପଡ଼ିଶା ପାଉଁଶ ଗଦା ତଳୁ ଖେଞ୍ଚଣା ଦେଇ ନିଆଁ ବାହାର କରିବା କାମ କରୁଥିଲେ ।
ଯେଉଁଥି ପାଇଁ ବର ପକ୍ଷ ବନ୍ଧୁ ବାନ୍ଧିବାକୁ ମନା କରି ଦିଅନ୍ତି । କହନ୍ତି - ଛି-ଛି ଜାଣି ଜାଣି ଏ ଭୁଲ କରିବୁ କେମିତି ? ଗୋଟିଏ ଅପବିତ୍ର କଳଙ୍କିତ କନ୍ୟାକୁ ଘରର ବୋହୂ କରି ନେବୁ ? ନା ଏହା କଦାପି ସମ୍ଭବପର ନୁହେଁ । ରାମ ରାମ ............... ନେଡି ଗୁଡ କହୁଣୀକୁ ବୋହିବା ଆଗରୁ କଥାଟା ଜଣା ପଡ଼ିଗଲା । ତା ହୋଇ ନଥିଲେ, ଘରର ମାନ-ସମ୍ମାନ ବଂଶ-ମର୍ଯ୍ୟାଦା ସବୁ ମାଟିରେ ମିଶି ଯାଇଥାନ୍ତା । ଯାହା ହେଉ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
ଏ କଥା ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡନ୍ତି। ମୁହଁ ଖୋଲି କହି ନ ପାରିଲେ ବି ଅନୁପମା ଉପରେ ମନେମନେ ସମସ୍ତଙ୍କର ଅଭିମାନ ଥିଲା । ହେଲେ ସେ ବା କଣ କରି ପାରିବ ? ଘଟଣାଟା ଘଟିବା ପରଠୁଁ ବହୁ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । କିନ୍ତୁ ବିଧିର ବିଧାନ ଆଗରେ ସେ ହାର ମାନିଛି । କେହି ନା କେହି ଦେବ ଦୂତ ସାଜି ତାକୁ ଜୀବନ ହାରିବାକୁ ଦେଇ ନାହାନ୍ତି । ଆତ୍ମହତ୍ୟା କରିବା ମହାପାପ ବୋଲି ଉପଦେଶ ଦିଅନ୍ତି । ଜୀବନ ଥାଇ ବି ସେ ନିର୍ଜୀବ ପରି ଏଇ ଘରେ ପାଞ୍ଚ ବର୍ଷ ହେବ ପଡି ରହିଛି ।
ମନେ ପଡେ ତା ପ୍ରତି ଘଟି ଯାଇଥିବା ଭୟଙ୍କର ଅତୀତ କଥା । ଅନୁପମା ଦେଖିବାକୁ ଯେମିତି ସୁନ୍ଦର ପାଠ ପଢା ରେ ସେମିତି ଆଗୁଆ ଥିଲା । ଗାଁ ହାଇସ୍କୁଲ ରେ ତାର ସର୍ବାଧିକ ପଞ୍ଚାନବେ ପ୍ରତିଶତ ନମ୍ବର ଆସିଥିଲା । ନମ୍ବର ଦେଖି ଘର ଲୋକଙ୍କଠୁଁ ଆରମ୍ଭ କରି ଗାଁ ସାହିପୋଡିଶା, ବନ୍ଧୁବାନ୍ଧବ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଏହା ଆଗରୁ ଆଖ ପାଖ ଅଞ୍ଚଳରେ କେହି ଝିଅ କି ପୁଅ ଏତେ ନମ୍ବର ରଖି ନ ଥିଲା । ସେଇଥି ପାଇଁ ସମସ୍ତଙ୍କ ଇଛା ତାକୁ ସହରର ଭଲ କଲେଜରେ ପାଠ ପଢେଇବେ । ପାଠ ପଢି ସେ କିଛି ନା କିଛି ଗୋଟାଏ ଚାକିରୀ କରି ଗାଁ ର ନାଆଁ ରଖିବ ।
କଲେଜରେ ଏଡମିଶନ ହେଲା । ଭଲରେ ଭଲରେ ଆଇ. ଏସସି ପାସ୍ କଲା । ପ୍ଲସ୍ ଥ୍ରୀ ବେଳକୁ କଲେଜର ବହୁ ଛାତ୍ରଠୁଁ ଆରମ୍ଭ କରି ତାର ବୋଟାନି ଡିପାର୍ଟମେଣ୍ଟ ର ଲାବୋରେଟୋରୀ ଆସିଷ୍ଟାଣ୍ଟ ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ତା ସୌନ୍ଦର୍ଯ୍ୟ ଦେଖି ଜଳକା ହୋଇ ଯାଇଥିଲା । ତାକୁ ଭଲ ପାଇବା ପାଇଁ ସମସ୍ତେ ବ୍ୟାକୁଳିତ ହେଉଥିଲେ । କିନ୍ତୁ କହିବା ପାଇଁ କାହାରି ସାହସ ହେଉ ନ ଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲା ବଡ ଲୋକର ପୁଅ । ଅବିନାଶ ତା ନାଁ । ସେ ବାରମ୍ବାର ପ୍ରେମ ନିବେଦନ କରି ଚିଠି ଲେଖିଥିଲା ।
ଅନୁପମାକୁ କିନ୍ତୁ ଏହା ଭଲ ଲାଗି ନ ଥିଲା । ସେ ସଙ୍ଗେ ସଙ୍ଗେ ଚିଠିଟିକୁ ନେଇ ପ୍ରିନ୍ସିପାଲଙ୍କୁ ଦେଖାଇଲେ । ଅବିନାଶକୁ ଡାକି ସେ ଅପମାନିତ କରିବା ସହିତ ତାଗିଦ୍ କଲେ ପୁଣି କେବେ ଯଦି ଏମିତି କରେ ତେବେ କଲେଜରୁ ତାକୁ ବହିଷ୍କୃତ କରାଯିବ ।
ଅବିନାଶ ରାଗ ତମ ତମ ହେଇ ବାହାରି ଆସିଲା । ଆଖିରେ ତାର ପ୍ରତିଶୋଧର ନିଆଁ ଜଳୁଥିଲା ।
କିଛି ଦିନ ଗଲା ପରେ.................................।
ଦିନେ ରାତି ପ୍ରାୟ ଆଠଟା ।ସହରରେ ବିଜୁଳି ଚାଲିଯାଇଛି । ଚାରିଆଡେ ଅନ୍ଧକାରମୟ । ଶୂନ୍ ଶାନ୍ ନିର୍ଜନ ରାସ୍ତା । ମଝିରେ ମଝିରେ ରାସ୍ତା ପାଖରେ ଥିବା କେତୋଟି ଚା'ଦୋକାନରେ ଲଣ୍ଠନର ମିଞ୍ଜି ମିଞ୍ଜି ଆଲୋକ ଦିଶୁ ଥିଲା। ଅନୁପମା ଏକୁଟିଆ ସାଇକେଲ ଚଢି ଟ୍ୟୁସନ ସାରି ନିଜ ମେସକୁ ଫେରୁଥିଲା । ହଠାତ୍ ନକାବ ପିନ୍ଧା ତିନି ଚାରି ଜଣ ଯୁବକ ତା ମୁହଁକୁ ଚାପି ଧରି ଟେକି ନେଇଥିଲେ ।
ତାପରେ............ ତାପରେ............!!! ସବୁ ଶେଷ ।
ଜଣେ ନାରୀ ଜୀବନରେ ତାର ଯେଉଁ କୁମାରୀତ୍ବକୁ ନେଇ ଗର୍ବ ଅହଙ୍କାର କରିଥାଏ ତାର ସେଇ ସର୍ବଶ୍ରେଷ୍ଠ ସନ୍ତକକୁ ହରାଇ ବସିଥିଲା । ଏ ସମାଜ ଆଖିରେ ସେ ପାଲଟି ଯାଇଥିଲା ଗୋଟିଏ ମଉଳି ଯାଇଥିବା ଫୁଲ । ଅତି ତୁଛ, ଘୃଣ୍ୟ, ଅଲୋଡା........ " ମଉଳା ଫୁଲ " ।।
