ଅଭିନୟର ଅନେକ ରାତି
ଅଭିନୟର ଅନେକ ରାତି
ଅଭିନୟର ଅନେକ ରାତି
{୧}
ମୁଁ ନିଜକୁ ଦୂରେଇବାକୁ ଚାହୁଁଥିଲି । ମୋତେ ଘର ବସାଇବାର ଥିଲା । କିନ୍ତୁ ତା' ସହ ନୁହେଁ !
'କାହିଁକି' ର ହଜାରେ କାରଣ ହୋଇପାରେ । ତେବେ , ତାକୁ ନେଇ ଏକ ସଂସାରର ପରିକଳ୍ପନା ମୁଁ ପ୍ରଥମରୁ ହିଁ କରିନଥିଲି । ଯଦିଓ ମୁଁ ପ୍ରାଣଭରି ଭଲପାଉଥିଲି !
ଉଦାସୀ ମନରେ ଦିନେ ସେ ମୋତେ ଅନୁମତି ଦେଇ କହିଲା -
- ଯାଅ ! ତୁମେ ଏବେ ମୁକ୍ତ !
- ଆଉ ତୁମେ ?
- ସମ୍ଭାଳି ନେବି । ଏକୁଟିଆ କେମିତି ବଞ୍ଚନ୍ତି ଶିଖିନି । ତେବେ , ସବୁକଥା କଣ ଆଗରୁ ଶିଖାଯାଇଥାଏ ? ଏବେଏବକୁ ତ଼ ମୋ' ଘର ଖାଲି ହୋଇଛି । ତୁମେ ଯାଅ । ଅଲ୍ ଦ ବେଷ୍ଟ୍ ।
ସେଇଦିନ , ତା'ଠୁ ଫେରି , ଘରେ ପ୍ରଚାର କଲି , "ମୁଁ ଏବେ ପ୍ରସ୍ତୁତ । ମୋ' ବା'ଘର କରାଯାଉ ।"
ଭାବି , ଆଶ୍ୱସ୍ତ ଥିଲି , ସେ ନିଶ୍ଚୟ ନିଜକୁ ସମ୍ଭାଳିନେବ !!!
{୨}
ଯଦିଓ ପ୍ରତ୍ୟେକ ଝିଅ ସୌମ୍ୟ , ତେବେ ସୌମ୍ୟା ପରି ସ୍ତ୍ରୀ ଟିଏ ପାଇବା ମୋ' ପରମ ସୌଭାଗ୍ୟ ଥିଲା । ଆମ ମିଳନର ପହିଲି ରାତିରେ , ମୁଁ ଥିଲି ମାତ୍ରାଧିକ ଉତ୍ସାହୀ , ଆଉ ସେ ଅତିମାତ୍ରାରେ ଭୟାତୁରା !
ତା' ମୁହଁସାରା ଛୋଟଛୋଟ ଝାଳ ସବୁକୁ ପୋଛିଦେବାକୁ ହାତ ବଢାଇଲାରୁ , ଏମିତି ଚମକି ପଡିଲା ଯେ' , ମୁଁ ଭୟ ପାଇଗଲି !
ସବୁ ଝିଅ କଣ ଏମିତି ? ପ୍ରଥମ ରାତିର ଭାବ-ଅଭାବ ଘଟଣା ସବୁକୁ ନେଇ ଆଗତୁରା ପ୍ରସ୍ତୁତ ହୋଇଥାନ୍ତି ??
ମିଳନର ଏଇରାତି ।
ପରୀକ୍ଷାର ଏଇରାତି ।
କିଛିସତ କିଛିମିଛ କୁ ସମାଧି ଦେବାର ଏଇରାତି ।
ସାଲିସ୍ କରିନେବାର ଏଇରାତି ।
ପ୍ରତିଶୃତିମୟ ଏଇରାତି ।
ଏକ ଜୀବନ୍ତ ଅଭିନୟର ମୁକସାକ୍ଷୀ ଏଇରାତି ।
କ୍ରମଶଃ ଆମେ ଦୁହେଁ ପରସ୍ପରକୁ ବିଶ୍ୱାସରେ ନେଉଥିଲୁ । ସହଜ ହେଉଥିଲୁ । ରାତି ସରିଆସୁଥିଲା । ସକାଳକୁ ସଭିଙ୍କ ଆଗରେ , ଆମେ ପରିପୂର୍ଣ୍ଣ ବୋଲି ପ୍ରମାଣିତ କରିବାର ଥିଲା ।
ଏ'ସବୁ ସତ୍ତ୍ବେ ବି ମୋ' ମନ ଆନ୍ଦୋଳିତ ହେଉଥିଲା , କେଉଁ ଏକ ଅପ୍ରାପ୍ତିକୁ ନେଇ ! ସୌମ୍ୟା ଯାଗାରେ , ସେ' ଥିଲେ , ନିଶ୍ଚେ ଏ ଅବାସ୍ତବ ଅଭିନୟ ନ ଥାନ୍ତା । ଦରଜା ବନ୍ଦ ହେବାପରେ ଯା'ବି କିଛି ଘଟିଥାନ୍ତା , ତା' ଖାଲି ପ୍ରେମ ପ୍ରେମ ଆଉ ପ୍ରେମ !!!
ଏଇ ଉଦ୍ଭଟ ଖିଆଲ୍ ରୁ , ମୁଁ ମୁକୁଳି ପାରୁନଥିଲି ! ଯଦିଓ ତା'କୁ ମୁଁ ନିଜେହିଁ ପ୍ରତ୍ୟାଖ୍ୟାନ କରିଥିଲି ।
{୩}
ସେଇ ଉଦ୍ଭଟତା ପାଇଁ ଦିନେ ନିୟନ୍ତ୍ରଣ ହରାଇ ଫୋନ୍ ଘୁରାଇଲି
- ହ୍ୟାଲୋ
- ହଁଅଁଅଁ ! କୁହ । କେମିତି ଅଛ ? ସବୁ ଏବେ ଖୁସିତ଼ ?
- ହଁ ! ଠିକଠାକ୍ ଯେ' ..
- ଯେଏଏଏ ?
- ଭେଟିଥାନ୍ତି ଟିକେ ।
- ମୋତେ ? ନୋଓଓଓ । ମୁଁ ଏବେ ମୋର ହୋଇସାରିଛି । ମୋ' ଅନ୍ତରରୁ ସବୁଯାକ ତୁମ ଗଂଧ ଧୋଇସାରିଛି ।
- ପ୍ଲିଜ୍ !
- କାଇଁ ? କିଛି ଅସୁବିଧା ? ମୋତେ ନେଇ ?
- ନାଇଁ । ସେମିତି କିଛିନାଇଁ । ବାସ୍ ଖୁବ୍ ମନେପଡୁଛ ତୁମେ ।
- ହା ହା ହା ! ଭୁଲିଯାଅ । ଏଇ ଏବେଏବେ ତ଼ ଭାଙ୍ଗିଛି । ଟୁକୁଡା କାଚ ସବୁ , ମାଟିରେ ରୁପାନ୍ତର ହେବାକୁ , ସମୟ ଲାଗିବ । ଯୋଡିହେବାର କ୍ଷୀଣତମ ସମ୍ଭାବନା ନାହିଁ । ବାଇଇଇ ...
{୪}
ସୌମ୍ୟା ! ଅଣ୍ଟାରେ କାନି ଖୋସିଦେଲାଣି । ଘରର ଅଳିଆ ଅଳନ୍ଧୁ ଫୋପାଡିବାର ଠିକଣା ଦେଖିସାରିଲାଣି । ମା' ଓଷଧର ସମୟସାରଣୀ ବୁଝିନେଲାଣି । ଘରଖର୍ଚ୍ଚର ଏକ ମୋଟାମୋଟି ମାସିକ ହିସାବ ତିଆରି ନେଲାଣି ।
ବଡକଥା
ଏବର ରାତିମାନଙ୍କରେ ଆଉ ଅଭିନୟ ନୁହେଁ , ଅନୁଭବ ହିଁ ଆମର ମୁଖ୍ୟ ହୋଇସାରିଲାଣି । ଗୋଟେ ହସଖୁସି ବୁଝାମଣା ର ସଂସାର ଟେ ବାନ୍ଧି ନେଲୁଣି ।
{୫}
ବହୁଦିନ ପରେ ସେଇ ଏକା ନମ୍ବରରୁ ଦିନେ ଫୋନ୍ ଆସିଲା !
- ହ୍ୟାଲୋ !
- ଓଃ ! ତୁମେ ! କୁହ କୁହ କୁହ
- ଏଇ ସେପ୍ଟେମ୍ବର୍ ରେ ମୁଁ ବି ସଂସାର ବସାଉଛି । ତୁମପରି ।
- ସତତଏଏ ? ଭଲ ଖବର । କେଉଁଠି ?
- ମେଲ୍ କରିଦେଇଛି ଡିଟେଲ୍ । ଦେଖିନେବ । ସସ୍ତ୍ରୀକ ନିଶ୍ଚୟ ଆସିବ । ଖୁସି ହେବି ।
- ସିଓର୍ ସିଓର୍ ।
- ବାଏ !
{୬}
ପ୍ରତ୍ୟାଖ୍ୟାତ ପ୍ରେମ କାହିଁକି ଯେ' ମାଡିପଡେ ? ବେଶିବେଶି ମନେପଡ଼େ ? ରହିଯାଇଥାଏ କି ବାକି କିଛି ???
ମୋରି ଭିତରେ ଏତେ ଛଟପଟ କାହିଁକି ? ମୋ' ସୁଖସଂସାର ଭିତରେ ଏ ଅଭାବବୋଧ , ଅବଶୋଷକୁ ରୁପାନ୍ତରିତ ହୋଇଯାଉଛି କେମିତି ?
ତା' ବିବାହୋତ୍ସବ ଦିନ ନୁହଁ , ଏଇ ମୁହୂର୍ତ୍ତରେ ଚାଲିଯିବାକୁ ମନହେଲା ତା'ପାଖକୁ । କୌଣସି ମତେ ତାକୁ ଯାଇ ବୁଝାଇ ନିଅନ୍ତି -
- ନାଃ! ଆଉ କାହା ସହ କେବେ କଳ୍ପନା କରିପାରିବିନି ତୁମକୁ ! ନିବୃତ୍ତ ହୋଇଯାଅ । ସହ୍ୟ କରିପାରିବିନି ଜମା । ହୃଦଘାତ ହୋଇଯିବ ମୋର !!
ପଛପଟୁ ସୌମ୍ୟା ଆସି ଓହଳିପଡି କହିଲା -
- ଏ ଅନ୍ଧାରଟାରେ କେଉଁ ଚିନ୍ତାରେ ମଁ ?
- ଓଃ! ତୁମରି । ତୁମକୁ ଅପେକ୍ଷା !
- ନିଅ ! ଏଇପା' ମୁଁ ।
- ସାମ୍ନାକୁ ଆସି ଲୋଟି ପଡିଲା ସୌମ୍ୟା ।
...
...
ଏସବୁ କୁ କେମିତି ସହ୍ୟ କରୁଥିବ ସେ' କେଯାଣି ?
ପୁଣି ବିନା ହୃଦଘାତ ରେ ..??
✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿