Amiya Bej

Romance

3.6  

Amiya Bej

Romance

ବର୍ଷାସ୍ନାତା

ବର୍ଷାସ୍ନାତା

3 mins
7.7K


କଟକରୁ ଭୁବନେଶ୍ଵର କେତେ ଯେ ବାଟ ? ବସ୍ ରେ ପଚାଶେ ମିନିଟ୍ । ଏତକରେ ପ୍ରେମ ପଟେ ହୁଏ କି ? କେଜାଣି ?

.....

ପାଖ ସିଟ୍ ଟା ଖାଲି ଥିଲେ କେବଳ ଖରା ଦିନରେ ସୁଖ ହୋଇପାରେ । କିନ୍ତୁ ବର୍ଷା ଶୀତ ରେ ???ଆଦୌ ନୁହଁ ।

ବାହାରେ ଜଗତ ଭିଜୁଛି ଅହରହ । ଜୀବନ ଜୀବିକା ହନ୍ତସନ୍ତ । ଥମିବାର ନାଁ ନେଉନି ବର୍ଷା । ରାଣୀତ୍ୱର ଜାହିରପଣରେ ବର୍ଷା ତା' ରାଜ ଭୋଗ କରୁଛି । ନଈ ସେପାଖେ ପ୍ରେମ ତୋ'ର, ଏ ପାଖେ ଝୁରୁଛି ମନ ମୋ'ର ।

- ଖାଲି ଅଛି?

- ଉଁଉଁଉଁ ହଁ ।

ନାହିଁ କରିବାର ଜୁ' ନାହିଁ । ଏକେ ତ ଖାଲି , ପୁଣି ସୁନ୍ଦରୀ ! ବାହାରେ ବର୍ଷା । ମୁଁ ଘୁଞ୍ଚିଗଲି ଝର୍କା କଡକୁ । ଅଧା ଭିଜା ସିଟ୍ , ମୋ ଶୁଖିଲା ନିମ୍ନ ଭାଗକୁ ଥଣ୍ଡା କରିଦେଲା ।

ମାଂସଳ ସୁନ୍ଦରୀ ମାନେ ସୁଖ ଦାୟୀ । ବସ୍ ନିର୍ମାତାମାନେ କିନ୍ତୁ ବ୍ୟବସାୟୀ । ସିଟ୍ ର ପରିମାଣରେ ଆଦୌ ସହୃଦୟ ହୁଅନ୍ତିନି । ଅତଏବ ଝିଅ ଟି ଆବୋରି ହୋଇ ବସି ପଡିଲା ମୋ' ସହ ! ବ୍ୟସ୍ତ ଥିଲା ଟିକେ ବୋଧେ ।

ପୁରୁଷ ଖୁସିର ପ୍ରକାର ଭେଦ ଅଜସ୍ର ଆଉ ବିଚିତ୍ର ସବୁ। ନଥିବା ଭିତରୁ ଥିବା ଖୋଜି ନେବା ହିଁ ପ୍ରେମ । ଏଇ ଆବୋର ପଣ ନେଇ ମୁଁ ବିଭୋର ହେବାରେ ଲାଗିଗଲି । ପ୍ରେମ ଚିରସ୍ଥାୟୀ ନୁହେଁ , କିନ୍ତୁ କ୍ଷଣକରେ ସବୁତକ ଭୋଗି ନେବା ବି ଏକ ସୌଭାଗ୍ୟ ।

ମୋତେ ଜଣାଥିଲା ପଚାଶେ ମିନିଟ୍ ର ଭାଗ୍ୟ ନେଇ ମୋର ଏବର ଜୀବନ । ତଥାପି ମୁଁ ମୋହାଚ୍ଛନ୍ନ ।

ବାହାରେ ବର୍ଷା । ଝିଅଟି ଯେତେ କାୟା ବୃଦ୍ଧି କରୁଥିଲା , ମୁଁ ସେତେ ସଂଙ୍କୁଚିତ ହେଉଥିଲି ।

ପ୍ରତ୍ୟୟ ଟାଏ ଜନ୍ମିଲା । ଫୁଲଟିଏ ଅସମୟରେ ଫୁଟିଗଲା ।

ଏଥର ସେ ମୋବାଇଲର ଇୟରଫୋନ୍ କୁ କାନରେ ଦେଇ ଗୁଣୁଗୁଣୁ ହେବାକୁ ଲାଗିଲା । ସର୍ବନିମ୍ନ କ୍ଷୀଣ ସ୍ବର ବୋଧେ ସୁନ୍ଦରୀ ମାନେ ହିଁ କରିପାରନ୍ତି । ନିଜକୁ ସ୍ପଷ୍ଟ ହେଉନଥିବା ଶବ୍ଦ ତକ , ଅଚିରେ ଯୋଜନ ଦୂର କାନ ପାଖରେ ପହଞ୍ଚାଇ ଦିଅନ୍ତି ।

ସନ୍ଦେହଟାଏ ସ୍ଵତଃ ଜନ୍ମିଲା ମନରେ।

ବାସ୍ ଏବେ ଚୁନା ଚୁନା ହୋଇଯିବାର ବେଳ ସବୁ । ମୋ' ପ୍ରେମ ଫୁଲ ମଉଳିବାକୁ ଆରମ୍ଭିଲା ଏଥର । ବାହାରେ ବର୍ଷୁଥିବା ସବୁକିଛି , ଲୁହ ବର୍ଷା ପରି ବୋଧ ହେଲା ମୋତେ । ପ୍ରେମିକ ବିହୀନ ଝିଅଟିଏ କଣ ପୃଥିବୀ ସାରା ଉପଲବ୍ଧ ନାହିଁ ??

କାନ ଡେରିବାରୁ , ଖୁବ୍ ଖୁସି ହେଲି ଯେ' ଝିଅ ଟି ଫୋନ୍ ରେ ପ୍ରେମ ନୁହଁ ଗାଳି ବର୍ଷୁଥିଲା ତା ' ପ୍ରେମିକ ଉପରେ । ଅସ୍ପଷ୍ଟ ହେଲେବି ଖୁବ୍ ଅଶ୍ରାବ୍ୟ ! ବିରହୀ ପ୍ରେମିକା ସର୍ବଦା ଦୁର୍ବଳ !

ସମ୍ଭାବନାଟାଏ ଉଙ୍କି ମାରିଲା ପୁଣି ମୋ' କୋଣ ହୃଦୟରେ ।

କିଛି ସମୟ ପରେ ଅସୁସ୍ଥ ହୋଇଗଲା ସୁନ୍ଦରୀ ।

- ଟିକେ ଝର୍କା ଛାଡିବେ?

- ହଁ ହଁ

ଏଇ ସିଟ୍ ବଦଳାବଦଳିରେ ଆପଣା ନେବାର ବୃହତ୍ ସୁଯୋଗଟାଏ ଅବଶ୍ୟ ଥିଲା । କିନ୍ତୁ ସାହାଯ୍ୟ ଆଳରେ , ଅନ୍ୟର ବାଗ ଦତ୍ତା ପ୍ରତି ସତ୍ ପୁରୁଷଟେ ଆଦୌ ଲୋଭ କରେନି । ସେଇ ନ୍ୟାୟରେ ମୁଁ ଆଉରି ମାର୍ଜିତ ହେବାକୁ ଲାଗିଲି ।

ଝିଅଟି ବାନ୍ତି ପରି କିଛି କରିବାକୁ ଚେଷ୍ଟା କରୁଥିଲା । ଅଭାବନୀୟ ସମୟରେ , ନାରୀର ମୁଣ୍ଡ ପିଠିରେ ଟିକେ ଆଉଁଷି ଦେବାକୁ ବି ପାପ ଆଖ୍ୟା ଦେଉଥିବା ନିଷ୍ଠୁର ସମାଜକୁ ଢେର୍ ଘୃଣା ଲାଗୁଥିଲା ମୋତେ । ମୁଁ ଇଚ୍ଛା କରି କିଛି ସୁବିଧାଟେ କରିପାରୁନଥିଲି । ସେ ଆପେଆପେ ସାଷ୍ଟମ ହେଲାପରେ ଯାଇ , ମୁଁ ପାଣି ବୋତଲ କାଢି ବଢାଇଲି । ଅବଶ୍ୟ ଖୋଲା ଝର୍କାରୁ ପାଣି ଛିଟା ମାରି ସେ ପାଖାପାଖି ଭିଜି ସାରିଥିଲା ସେତେବେଳେ । ମୁଁ ମୁହଁ ବୁଲାଇ ଦେଲି ବିପରୀତକୁ ।

ବାହାରେ ଉଲଗ୍ନ ବର୍ଷା , ଭିତରେ ଶୁଖିଲା ରହିବାର ଅପଚେଷ୍ଟା !!!!

କାଂଧରେ ମୁଣ୍ଡଟାଏ ଝାଉଁଳି ପଡିବାର ଦେଖି ମୁଁ ଚମତ୍କୃତ ହେଲି । ଓଃ! ପ୍ରତାରିକା ପ୍ରେମିକାର ହୃଦୟ ନୁହେଁ , କାଂଧଟିଏ ଲୋଡାହୁଏ ଖାଲି !! ତା'ର ଓଦା ବାଳ ତକ ଅଡୁଆ କରୁଥିବା ସତ୍ତ୍ଵେ , ମୁଁ ମାନବିକତା ମାନିନେଲି । ଶୋଇପଡୁଥିବା ଝିଅ ଟିକୁ କାଂଧ ବଢାଇଦେଲି ,ଆଉ ନିଜେ ନିଜେ ଆତ୍ମନ୍ନ ହେବାରେ ଲାଗିଲି ।

......

କଣ୍ଡକ୍ଟର ର ବାଣୀ ବିହାର ବାଣୀ ବିହାର ଡାକରେ , ଅୟୁତ ବର୍ଷର ନିଦ ଭାଙ୍ଗି , ଆମେ ଦୁହେଁ ଚମକି ଉଠିଲୁ ।

- କେଉଁଠି ଓହ୍ଲାଇବେ?

- ବରମୁଣ୍ଡା ।

- ଛାଡନ୍ତୁ ତେବେ । ମୁଁ ଏଇଠି ।

ଖୁବ୍ ତରତରରେ ଓହ୍ଲାଇବାରେ ଥିଲା ତା'ର । ମୁଁ ନିବିଷ୍ଟ କରି ରହିଥିଲି ଝିଅଟିକୁ । ରାସ୍ତା କୋଣକୁ ନିର୍ଧୁମ ଡହଡହ ବର୍ଷାରେ ଭିଜିଭିଜି ପିଲାଟିଏ ଛିଡା ହୋଇଥିଲା । ଝିଅଟି ତା'ଆଡକୁ ଏକ ବେଗ୍ କ୍ଷେପି ଗଲା । ନିଃସନ୍ଦେହରେ ଏଇ ଟିକକ ପୂର୍ବରୁ ଫୋନ୍ ରେ ଝିଅଟି ପାଖରୁ ଅଶ୍ରାବ୍ୟ ଗାଳି ଶୁଣୁଥିବା ମଣିଷଟି ୟେ' !

ଯାହାକୁ ପ୍ରେମିକ କୁହନ୍ତି ।

ଏଇ ଗୋଟାଏ ଚରିତ୍ର , ଋତୁ ମାନଙ୍କର ପ୍ରକୋପକୁ ବେଖାତିର୍ କରିପାରେ କେବଳ ।

ପ୍ରେମିକାର କଟୁ ଗରଳକୁ ହଜମ କରିପାରେ କେବଳ ।

ପ୍ରେମିକଟିର ଅପେକ୍ଷା ଏଇପରି ହୋଇପାରେ କେବଳ ।

ମୁଁ ଆଉରି ଦେଖିଲି , ଝିଅଟିର ହାତରେ ଛୋଟ ଛତାଟିଏ ଥିବା ସତ୍ତ୍ୱେ ସେ ଖୋଲୁନଥିଲା । ପିଲାଟି ଇଶାରା କଲାରୁ ସେ ମୁଣ୍ଡ ହଲାଇ ମନା କଲା । ଏଥର ଦୁହେଁ ଯାକ ଆଗ ମୁହାଁ ହୋଇ ଭିଜିଭିଜି ଚାଲି ହଜିଗଲେ । ୟେ' ବୋଧେ ପ୍ରେମ !!!!

ମୋ ବସ୍ ଗଡି ସାରିଥିଲା । ମାତ୍ର ପଚାଶ ମିନିଟ୍ ରେ , ପ୍ରତ୍ୟୟ , ପ୍ରେମ , ସନ୍ଦେହ , ପ୍ରତାରଣା , ଭରସା , ବିଚ୍ଛେଦକୁ ଭୋଗି ନେଇଥିବା ମଣିଷଟାକୁ ସୁଖୀ କୁହାଯାଇନପାରେ କି ???

ସେ ମଣିଷଟା ମୁଁ ନୁହେଁ କି ???

ଓଃ! ବାହାରେ ଚମତ୍କାର ବର୍ଷା । ତା'କୁ ନେଇ ମୁଁ ଏବେ ତୁରନ୍ତ କବିତାଟିଏ ଲେଖିବାକୁ ଚାହୁଁଥିଲି । ମନେ ପଡିଲା କଥାଟିଏ -

"ଓଦା ନହୋଇ ବର୍ଷା କବିତା ଲେଖିବା, ଏକପ୍ରକାର ଅସତ୍ୟ !!"

ହସିଲି ମୁଁ ମନେମନେ । ବର୍ଷାରେ ନଭିଜି ମୁଁ କ'ଣ କମ୍ କିଛି ଏବେ ଓଦା ଓଦା ????

ଅମୀୟ ବେଜ୍


Rate this content
Log in

Similar oriya story from Romance