ରକ୍ତ
ରକ୍ତ


ଥରୁଟିଏ ଜଣେ ସାଙ୍ଗର ମା'ଙ୍କ ଅପରେସନ ବେଳେ ରକ୍ତ ଦେବା ଛଡା , ଆଉ କେବେ ରକ୍ତ କାଢିନଥିଲି । ଆଜି ଲାଗ ଲାଗ୍ ଦୁଇ ସିରିଞ୍ଜ୍ କାଢି ନେଲାବେଳେ ଭାବିଲି , ଏ ରକ୍ତ ର ରଙ୍ଗ କେଡେ ଗାଢ଼ ସତେ !!! କେତେ ସହଜରେ କାଢି ବି ହୁଏ !!!
ଆମ ଛୋଟ ସହରର ବଡ ପ୍ୟାଥୋଲାବ୍ ଆଗରେ ଘଡିଏ ଛିଡା ହେବା ପରେ ମୋ' ନମ୍ବର ଆସିଲା ।
ମୁଁ କିନ୍ତୁ ଏବେ ଗପୁଛି , ମୋ' ଠିକ୍ ଆଗରେ ଥିବା ଦମ୍ପତିଙ୍କ ବାବଦରେ ।
ଆମ ଅଞ୍ଚଳରେ ସରକାର ଟାଣିଥିବା ଦରିଦ୍ର ରେଖା ତଳେ , ସତୁରୀ ଭାଗ ଲୋକ ଏଯାବତ ଅଛନ୍ତି । ରୋଗ ବୈରାଗ୍ୟ କିନ୍ତୁ ଧନୀ ଗରିବ ନିର୍ବିଶେଷରେ ଆସେ ପାତର ଅନ୍ତର ନକରି ।
ଯା'ବି ହେଉ , ଲୋକଟାର ଚିଠା ଦେଖି , ସେ ରକ୍ତ ଶୋଷା ଟେକ୍ନିସିଆନ୍ ବାପୁଡା ବଲବଲ ହୋଇ ଚାହିଁଲା ଖାଲି । କହିଲା -
- ଏତକକୁ ଆଠଶ' (!) ଲାଗିବ । ଅଛି???
ମୁଁ ଚମକିଲି । ସେମାନଙ୍କ ଅବସ୍ଥା ଯା' ହେଉଥିବ । ଟେଷ୍ଟକୁ ଏତେ , ପୁଣି ଔଷଧ ଆଉ ଡାକ୍ତର ଖର୍ଚ୍ଚ ???
ମୁହଁ ତଳକୁ କରି ପଦାକୁ ବାହାରିଗଲେ ଦୁହେଁ । ତେଣୁ ମୋ' ପାଳି ଆସିଲା ଏଥର । ଚଁ ଚଁ କରି ଚୁଇଁ ନେଇଗଲା ସିରିଞ୍ଜିଏ ।
- ଦେଢଶ' ଜମା କରନ୍ତୁ । ଦି'ଘଣ୍ଟା ଛାଡି ଆସନ୍ତୁ ।
- ଓକେ ।
ଫେରିବାବେଳେ ନଜର ପଡିଲା କାନ୍ଥରେ ଟଙ୍ଗା ରେଟ୍ ଚାର୍ଟ ଉପରେ । କେଉଠିବି ଆଠଶ' ଦର ନଥିଲା । ଦମ୍ପତି ଦୁହେଁ ଚାଲିଯାଇଥିଲେ କିନ୍ତୁ ସେତବେଳକୁ ।
…….
ଠିକ୍ ଦୁଇଘଣ୍ଟା ପରେ ଆଉଥରେ ଗଲାରୁ , ସଂଯୋଗକୁ ମୋଓରି ଆଗରେ ସେଇ ଦମ୍ପତି ! ଯନ୍ତ୍ରଣା , ସଞ୍ଚୟର ମେରି ଖୁଣ୍ଟ ଦୋହଲାଇଦିଏ । ଆଠଶ' କେଉଠୁ କେମିତି ଯୋଗାଡି , ଲୋକଟା ଟେକ୍ନିସିଆନ୍ ହାତକୁ ବଢାଇ ଦେଲାପରେ , ଛୁଞ୍ଚି ଫୋଡିଲା ସେ , ସ୍ତ୍ରୀ ଲୋକଟାର ଶିରାଳ ହାତରେ । ଠାଏ ଠାଏ କରି ଚାରି ପାଞ୍ଚ ଥର ଫୋଡିଲା ପରେ ବି ସିରିଞ୍ଜ୍ କୁ ଠୋପାଏ ରକ୍ତ ଆସୁନଥିଲା । ନୟାନ୍ତ ହୋଇ ଟେକ୍ନିସିଆନ୍ ବାପୁଡା କହିଲା -
- ଦେହରେ ଠୋପାଏ ରକ୍ତ ନାହିଁ? ବଞ୍ଚିଛୁ କେମିତି ?
ମୋ' ପାଟିରୁ ଛାଏଁ ବାହାରିଗଲା -
- ଆସିବ କୁଆଡୁ???
…….
କାଲି ଅଗଷ୍ଟ ପନ୍ଦର । ଚମତ୍କାରଟେ ହୁଅନ୍ତାନି ?
ଶାସନ ମୁଖ୍ୟ ତ୍ରିରଙ୍ଗା ତଳେ , ଘୋଷଣା କରନ୍ତେ -
- ସମସ୍ତ ଡାକ୍ତରୀ ଖର୍ଚ୍ଚ, ଲୋବୋରେଟାରୀ ଟେଷ୍ଟ ଖର୍ଚ୍ଚ, ପ୍ରାଇଭେଟ୍ ଡାକ୍ତରଙ୍କ ଫିସ୍, ମାତ୍ର ଶହେଟଙ୍କା ରେ ବାଧ୍ୟତାମୂଳକ ସୀମିତ ହୋଇ ରହିବ । ଯା'ସବୁ କ୍ଷୟକ୍ଷତି ହେବ, ସେସବୁ ସରକାର ବହନ କରିବେ ।
ଅନ୍ତତଃ ପ୍ରିୟ ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ଖାତିର୍ ରେ ......
ବି ଦ୍ର : ଗପନୁହେଁ । କେବଳ ଚିନ୍ତନ ମାତ୍ର ।