Amiya Bej

Others

1.8  

Amiya Bej

Others

ଆଖି

ଆଖି

12 mins
770



― ଖୁବ୍ ହେଲାଣି ସେ' । ରାଗ ତ ଲାଗୁଛି ତା'ସହ ଡର ବି ! 


― ଡର କାହିଁକି ?


― ଯଦି କେବେ କିଛି କରିବସେ ?


―ବସୁ ?


― ହ୍ଵାର୍ଟ ?


― ଶୁଣୁଏ ଲୀଲା ! ସତରେ କେବେକେବେ ଇଚ୍ଛା ହୁଏନି ତୋ'ତେ , କେତେ ଆଉ ବାଢି ଦେଉଥିବା ? ଅଯାଚିତ ଭାବେ କିଏ କେବେ ଜୋର୍ କରି ନେଇଯା'ନ୍ତା କି ସବୁକିଛି ।


_ ସର୍ଟଆପ୍ !


 - ଶୁଣେଏ ! ପୃଥିବୀର ସବୁଯାକ ବଳାତ୍କାର ଏକ ପାଖିଆ ନୁହେଁ । କ'ଣ କେବେ ତୁ ଏଇ ବାଗରେ ଚିନ୍ତା କରିଛୁ ? ସତ କ' ?


― ଚୋପ୍ ! ଟିକେ ସିରିୟସ ହେ ସମୀକ୍ଷା ! ଆଜି ସେ' ହଦ୍ ପାର୍ କରିଦେଲା । 


― ହ୍ଵାର୍ଟ ?


― ହଁ , ୟେ' ଯିବାର ଠିକ୍ ପରେ ପରେ କଲିଂ ବେଲ୍ ଶୁଣି ମୁଁ ଖୋଲିଦେଲି , ଭାବିଥିଲି କିଛି ଗୋଟେ ଛାଡି ଦେଇଥିଲେ କି କଣ ! ନେବାକୁ ଫେରିଲେ । ଦେଖିଲାବେଳକୁ ସାମ୍ନାରେ ସେଇ ! ଓଃ ! ମୁଁ ସେବେଳରେ ଯୋଉ ଅବସ୍ଥାରେ ଥିଲି ! ପୁରା ଆବନର୍ମାଲ ! ନା ବେଶ ନା ବାସ ।


― ପୁଣି ?


― କିଛି ନାହିଁ ! ସରି କହି ଚାଲିଗଲା ! 


― ଚାଲିଗଲା ?


― ହଁ , ଚାଲିଗଲା ତ ! 


― ପୁଣି ଡର କଣ ?


― ଆଜି କେହି ନଥିବା ବେଳେ କଲବେଲ୍ , କାଲି ହୁଏତ .......


― ହୁଁ ! ଲୀଲା ଚାଲ୍ ଥରେ ଲୋକଟା ସହ ଗୋଟେ ସନ୍ଧି କରିନେବା । ବେଳେବେଳେ ଶତ୍ରୁକୁ ପରାଜିତ କରିବାର ଏ କୌଶଳ ଫଳବତୀ ହୋଇଯାଏ ।


― ସଟ୍ ଅପ୍ !


ଫୋନ୍ କାଟିଦେଲା ସମୀକ୍ଷାର ଲୀଲା। ନିହାତି ବାତେରୀଟେ' । ୟା ' ଯୋଗୁଁ ତ ଆଜି ଅଡୁଆରେ ସେ' ! ନିଜେ ପିନ୍ଧି ଆସିଥିଲା ବୋଲି ,ଜିଦ୍ କରି ତା'କୁ ବି ପିନ୍ଧେଇ ଦେଲା ନାଲି ଶାଢ଼ୀ ! ଆଉ ଟାଣିଟୁଣି ଛାତକୁ ନେଇ , କ'ଣ ନା ଫୋଟୋଗ୍ରାଫି ! 


ସେଇ ଗୋଟାଏ ଅସଭ୍ୟ ସଞ୍ଜ ବଦଳେଇ ଦେଲା ସମୀକରଣ । 


― ଏସକ୍ୟୁଜ୍ ମି ! ଟିକେ ଆମ ଫୋଟୋ କାଢି ଦିଅନ୍ତୁ ପ୍ଲିଜ୍ । ସମୀକ୍ଷା ଅନୁନୟ ହୋଇ ଲୋକଟାକୁ ଯାଇ କହିଦେଲା ମନା କରୁକରୁ ।


ଏବେଏବକୁ ନୁହେଁ ,ସମୀକ୍ଷା ପିଲାବେଳୁ ଏଇମିତି ! ନା ରଖେ ସଂଶୟ ନା ସଂକୋଚ । କଲେଜ ସମୟରେ ଯେବେ ପ୍ରେମ ଦୁର୍ଭିକ୍ଷରେ ବହୁ ଝିଅ ହା'ହୁତାସ ନେଇ ଅବସୋସରେ ଥିଲେ ,ଏଇ ସମୀକ୍ଷା ହିଁ ଥିଲା ଖୁବ୍ ପ୍ରେମଧନୀ ।


କୁହେ - 


- କୌଣସି ଏକ ଦୀର୍ଘସ୍ଥାୟୀ ସମ୍ପର୍କରେ ବାନ୍ଧି ହୋଇପଡିବାର ଅର୍ଥ , ରୀତିମତ ନିଜକୁ ନିଜେ ଭରସା ନକରି ଠକିଦେବା । ଗଢୁଥିବା ପରି ସବୁ ଦିନେ କିଛି ନା କିଛି ଭାଙ୍ଗୁଥାଉ । ଲକ୍ଷ୍ୟ କେବଳ ଉତ୍କୃଷ୍ଟ ନୁହେଁ ସର୍ବୋତ୍କୃଷ୍ଟ ହେବା ଉଚିତ୍ । ନିରବଚ୍ଛିନ୍ନ ଅନ୍ୱେଷଣକୁ ଆଦୌ ଅସହାୟତା କୁହାଯାଇ ନପାରେ ! 


ଏଇ ନୀତି ନେଇ ସେଇବେଳେ ହଜାରେ ବୟଫ୍ରେଣ୍ଡ ତା'ର ! ସବୁକିଛି ଅସ୍ଥାୟୀ । ସମୀକ୍ଷା ଜୀବନରେ କେବେ ଅସୁଖୀ ନଥିଲା କି ଏବେଯାଏଁ ନାହିଁ । ସବୁବେଳେ ବେଫିକର୍ , ବେପରୁଆ । ଟିକେ ଗତାନୁଗତିକରୁ ପାହୁଣ୍ଡେ ଆଗରେ । ଏବେ ପୁଣି ଡାକ୍ତର ସ୍ୱାମୀ , ଅଚଳାଚଳ ସମ୍ପତ୍ତି । ନିଜକୁ ଆଉରି ଉନ୍ମୁକ୍ତ କରିଦେବା ପାଇଁ ଏସବୁ ଯଥେଷ୍ଟ ତ ।


    ଲୀଲା ରୁଢ଼ିବାଦୀ ! ସେ' ଏତେସବୁ ଭାବିପାରେନି । ସୁଯୋଗଟେ' ନେଇ ପାରେନି ! ତା'ପାଇଁ ଏଇ ସୁଯୋଗ ନେବାହିଁ ରିତିମତ ନିଜକୁ ନିଜେ ଠକିଦେବା ।


ଆପାର୍ଟମେଂଟ ଛାତ ! ସମସ୍ତଙ୍କ ଅଧିକାର ଏଠି । ଲୋକଟା ବସିଥିଲା କୋଣରେ , କୁଆଡୁ କେମିତି ଗୋଟେ ଆକାଶକୁ ଚାହିଁ । କିଛି ଛୋଟପିଲା ଖେଳୁଥିଲେ ବି । ସମୀକ୍ଷା କିନ୍ତୁ ବାଛି ନେଲା ଫୋଟୋ କାଢ଼ିବା ପାଇଁ ତା'କୁ ଈ' ! 


ଅବଶ୍ୟ ମନ୍ଦ ନଥିଲା ସେ' । ସୁଦୃଶ୍ୟ ସୁଠାମ । କିଛି ଭଦ୍ର ପରି । ଅଥଚ ଅଜଣା । ଏ ଆପର୍ଟମେଂଟର ଜୀବନ ବି ସେଇୟା । ତୁମ କାନ୍ଥ ଚର୍ତୁପାର୍ଶ୍ଵରେ କିଏ କ'ଣ ଘଟାଏ , ସେସବୁ ପରଦିନ ଖବର କାଗଜ ଜଣାଏ ଅଥଚ ପଡ଼ୋଶୀର ଦାୟିତ୍ୱ ବୋଲି ନଥାଏ କିଛି । ଏଠି ଜଣା ମାନେ ବି ଖୁବ୍ ଅଜଣା ।


କିଛିକ୍ଷଣ ସେ' ଦୁହିଁଙ୍କୁ ନିରିଖେଇ ଚାହିଁଲା ଲୋକଟା' । କିଏ ଜଣେ କହିଥିଲା ଏ ନାଲିରଙ୍ଗ ଖୁବ୍ ଭୟଙ୍କର । ଆନମନା କରିଦିଏ ସାରା ପୃଥିବୀକୁ । ଅହେତୁକ ଆଗ୍ରହର ବୀଜ ବୁଣିଦିଏ ଛାଁକୁ ଛାଁ । 


କହୁଣୀରେ କେଞ୍ଚିଲା ସମୀକ୍ଷା । ଲୋକଟା ପ୍ରସ୍ତୁତ ହୋଇଗଲା ଫୋଟୋ କାଢ଼ିବାକୁ ।


ବାସ୍ ଏତିକି ବଦଳେଇଦେଲା ସମୀକରଣ । ସମୀକ୍ଷା ତ କୁଣିଆ । ସମୟ କାଟିବାକୁ ପରସ୍ପରଙ୍କ ପ୍ରତି ଯା' ଆସ । ସେ' କିନ୍ତୁ ସ୍ଥାୟୀ ବାସିନ୍ଦା ଏଠି।  


ଭେଟ ହୁଏ ଲୋକଟା ସହ ଲିଫ୍ଟରେ , ବେସମେଣ୍ଟ ରେ , ଚିଲଡ୍ରେନ୍ ପାର୍କରେ । ସେଇମିତି ବୁଲୁଥାଏ ଏକା ଏକା । କେତେହେବ ? ନିଶ୍ଚୟ ବୟସରେ ବଡ଼ । ସମ୍ଭବତଃ ନୀଲେଶଙ୍କ ପାଖାପାଖି । ଏଇ ବ୍ୟୟବହୁଳ ଆପାର୍ଟମେଣ୍ଟ ରେ ରହୁଛି ଅର୍ଥ , ସ୍ୱଚ୍ଛଳ ଶିକ୍ଷିତ ଓ ସମ୍ଭ୍ରାନ୍ତ । 


କିନ୍ତୁ ସାମ୍ନା ହେଲେ ,ହସି ଦେଉଥିବାର ଉପକ୍ରମଣିକା ଖୁବ୍ ଅଶ୍ଳୀଳ ଲାଗେ ଲୀଳାକୁ । କେବେ ଗୋଟେ ଫୋଟୋଟିଏ ଉଠାଇବା ପରି , ସାମାନ୍ୟ ଅମହତ କାମର ପ୍ରତିବଦଳରେ , ସେ' ଯେ' ତା'କୁ ପ୍ରତିଥର ହସ ଫେରାଇବ , ଏଇ କଥା ଯୁକ୍ତିଯୁକ୍ତ ଲାଗେନି ଆଦୌ । ରାଗ ହୁଏ ସମୀକ୍ଷା ଉପରେ । କଣ ଜରୁରୀ ଥିଲା କେଉ ଅଜଣା ଉପରେ ଏତେଟା ତୁଚ୍ଛା ଆକର୍ଷି ଯିବା ? ସିଏ ପୁଣି ଏଇ ମଧ୍ୟ ବୟସରେ ?


 ପାରେନି ଲୀଲା ଏତେସବୁ ମେଣ୍ଟେନ୍ କରି । ଏଇ ସହଜ ଉପଲବ୍ଧ ହୋଇଯିବା ଟା' , ଖୁବ୍ ଶିଘ୍ର ଅସହଜ ବେଳକୁ ନିମନ୍ତ୍ରୀ ଆଣେ । 


ପୁରୁଷଙ୍କ ବିକୃତି ଅଦ୍ଭୁତ । ସମୀକ୍ଷା କୁହେ - - ହେଇପାରେ ଏସବୁ ଆକସ୍ମିକ ଭେଟ ସବୁ ! ସମାନ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ଭିତରେ ଦିନରେ ଦୁଇ ଓଳି ଭେଟଘାଟ ହୋଇଯିବାରେ ଆଶ୍ଚର୍ଯ୍ୟ ନଥାଏ । ହୁଏତ ମନ ଭିତରେ ଅଯଥା ଭ୍ରମ ନେଇ ତୁ ବିଚଳିତ ହୋଇ ପଡୁଛୁ ଖାଲି । 


ନାଃ ! ଅଯଥା ନୁହେଁ । ଲୋକଟାର ଚାହାଣୀରେ ଖୁବ୍ ଗୋଟେ ବିକଳପଣ ଦେଖିଛି ଲୀଲା । ସାଧାରଣ ନୁହେଁ ଏସବୁ । କିଛି ତ ଗୋଟେ ଚାହୁଁଛି ସେ । ଜଣେ ପରପୁରୁଷର ଆକୁଳତା ଭିନ୍ନ ନାରୀ ପ୍ରତି , ଅହେତୁକ ନୁହେଁ ତ ଆଉ କଣ ? 


ଶତ୍ରୁବୋଧ ହେଉଥିବା ମଣିଷଙ୍କ ସମ୍ବନ୍ଧରେ ଟିକିନିଖି ଖବର ରଖିନେବା ଅତ୍ୟାବଶ୍ୟକ । ସେଇ ସୂତ୍ରରେ ଲୀଲା ଜାଣିପାରେ ଯେ' , ଠିକ୍ ତାଙ୍କରି ଉପର ଫ୍ଲୋର୍ ରେ ସସ୍ତ୍ରୀକ ରୁହେ ଲୋକଟା । କୁନି ପୁଅଟିଏ ମଧ୍ୟ ତାଙ୍କର । ଅପେକ୍ଷାକୃତ ସୁନ୍ଦରୀ ସ୍ତ୍ରୀ । ଇଚ୍ଛାଧୀନ ବ୍ୟବସାୟ କରେ ଏ ସହରରେ । କେଉଁ ଏକ ବଡ଼ ଟ୍ରାନ୍ସପୋର୍ଟ ସଂସ୍ଥାର ମାଲିକ । ଏଇ ଯୋଗୁଁ ସମୟ ସବୁ ତା' ହାତମୁଠାରେ । କାହା ବାଟ ଓଗାଳିବା ଅବା ଅନ୍ୟର ସୁଖାଦିରେ ଅନଧିକାର ପ୍ରବେଶି ଯିବା ,ଏଇ ମାନେ ତ କରନ୍ତି ଭାରି ଏସବୁ ।


― ଛେ ! ଲୀଲା ! ପାପ କରୁଛୁ ତୁ ଗୋଟେ ରକମର ଜାଆଣେ ।


― କ'ଣ ପାପ ? 


― ତୋ' ବିଛଣାରୁ ମାତ୍ର ବାର- ପନ୍ଦର ଫୁଟ୍ ଉପରେ ପ୍ରେମିକଟିଏ ରହି ଛଟପଟ ହେଉଥିବ , ଆଉ ତୁ କେଉଁ ଏକ ବାଧ୍ୟ ସଂସ୍କାର ତଳେ ଚାପି ହୋଇ ନିର୍ବିକାର ସାଜିଯିବା ପାପ ନୁହେଁ ତ ଆଉ କଣ ?


କେମିତି ନେଇପାରେ ସମୀକ୍ଷା ସବୁତକ କଥାକୁ ଏତେ ସହଜରେ ? କି ଉପାଦାନରେ ଗଢ଼ା ଏ ଝିଅ କେଜାଣି। ଏଇ ସମୀକ୍ଷା ଦିନେ କଲେଜରେ , ତା'କୁ ନାନାଦି କଟୁ ଭର୍ତ୍ସନା କରି ବଦନାମ୍ କରୁଥିବା ମୟଙ୍କ ଚୌଧୁରୀର ରୁମ୍ ଆଗରେ ସକାଳୁ ସକାଳୁ ପହଞ୍ଚି ଯାଇ ଚିତ୍କାର କରିଥିଲା ।


― ବାହାରକୁ ଆ ମୟଙ୍କ ଚୌଧୁରୀ ! ସମୀକ୍ଷା ନନ୍ଦ ନିଜେ ଆସିଛି ତୋ' ଦୁଆରକୁ । ନେ ଲୁଟିପକା ତା' ଇଜ୍ଜତ ।


ସ୍ତବ୍ଧ ହୋଇଯାଇଥିଲା ବଏଜ ହଷ୍ଟେଲ ସେଦିନ । ମୟଙ୍କ ଚୌଧୁରୀ ହଷ୍ଟେଲରୁ ବାହାରି ପାରି ନଥିଲା ।ବରଂ ସନ୍ଧ୍ୟା ହେଉ ହେଉ କଲେଜ ଛାଡ଼ି ଦେଇଥିଲା ।


'ଗର୍ଜନ କରୁଥିବା ପ୍ରତ୍ୟେକ ପଶୁଙ୍କ ପାଖରେ ସିଂହତ୍ୱ ନ ଥାଏ। କିଛି ଅସହାୟତାରେ କରୁଣ ରଡି ଛାଡ଼ନ୍ତି । ସେମାନଙ୍କୁ ସିଂହ ଭାବିନେବା ଆମର ଭୁଲ୍ !' ଏଇ କଥା ବୁଝାଏ ଲିଲାକୁ ସମୀକ୍ଷା ନନ୍ଦ ସବୁବେଳେ ।


ଆନିଶ୍ କୁ ସ୍କୁଲ ବସ୍ ରେ ଛାଡିବାବେଳେ ଆଉ ଆଣିବାକୁ ସେ ଦି' ଥର ଅନ୍ତତଃ ତଳ ଉପର ହୁଏ । ଦିନେ ଛାଡି ସାରି ଫେରୁ ଫେରୁ କୁଆଡୁ ଥିଲା , 'ଏସ୍କ୍ୟୁଜ୍ ମି' କହି ଲିଫ୍ଟ ଭିତରେ ପଶିଗଲା ଧଇଁ ସଇଁ ହୋଇ । ସେବେଳକୁ ଲୀଲା ତିନି ନମ୍ବର ବଟନଟି ଦବେଇ ସାରିଥିଲା । ଅଥଚ ଆଡ଼ କରି ଛିଡା ହୋଇଥିବା ଲୋକଟାର ଯେମିତି ନିର୍ଦ୍ଦିଷ୍ଟ ଠିକଣାଟେ ନ ଥିଲା । କିଛିକ୍ଷଣ ପାଇଁ ଲିଲାକୁ ଲାଗିଲା , ଏଇ ବନ୍ଦ ଲିଫ୍ଟ ଭିତରର ଦେଢ଼ ମିନିଟ୍ ସମୟ ଭିତରେ ଏବେ ଏବେ ତା'ର ବଳାତ୍କାର ହୋଇଯିବ ।


ସୌଭାଗ୍ୟକୁ ତା' ଫ୍ଲୋର୍ ପହଞ୍ଚିଗଲା ଏବଂ ସେ ବାହାରକୁ ବାହାରି ନିଃଶ୍ୱାସ ଟିକେ ଛାଡିଲା ଏବେ । କିନ୍ତୁ ଚମକାଇଦେଲା ଲୋକଟା ପୁଣିଥରେ । ଫୋର୍ଥ ଫ୍ଲୋରରେ ତା' ଘର ଥିବା ସତ୍ତ୍ୱେ , ସେ ଲୀଲା ସହ ପଦାକୁ ବାହାରି ଆସି ଶିଡି ଦେଇ ଉପରକୁ ଚାଲିଗଲା । 


ପୁଣିଥରେ ଯେମିତି ବଳାତ୍କାର ହୋଇଗଲା ଲୀଲାର । 


ସନ୍ଦେହ ଆଉ ଭୟ , ବଳାତ୍କାର ଠୁଁ କିଛି କମ୍ କି ? କହି ହୁଏନି ଏତେ କଥା ନିଲେଶ୍ କୁ । ନୀଲେଶ୍ ଠାରେ ସମୟ ନଥାଏ ଶୁଣିବାକୁ । ଶୁଣନ୍ତା ଯଦି ବିରକ୍ତ ବି ହୁଅନ୍ତା ଭାରି । ଦୋଷ ଦିଅନ୍ତା ଲୀଲାକୁ । ସେ ଚିହ୍ନେ ତାକୁ । ଆନିଶର ଜନ୍ମ ପରେ ଯେମିତି ମୋହଭଙ୍ଗ ହୋଇପଡିଛି ନିଲେଶ୍ ର । ଗୋଟିଏ ମାତ୍ର କଥା ତା'ର 


― ଦ୍ବିଗୁଣିତ କରିବାକୁ ହେବ ପରିଶ୍ରମ । ଝିଅ ପାଇଁ ଗଢ଼ିଦେବାକୁ ହେବ ଗୋଟେ ସମୃଦ୍ଧ ,ସୁରକ୍ଷିତ ସହଜଲବ୍ଧ ଭବିଷ୍ୟତ ।


ଭବିଷ୍ୟତର ଭବିତବ୍ୟ ବେଳେବେଳେ ବର୍ତ୍ତମାନକୁ ଚୁନା ଚୁନା କରିଦିଏ ଅଜାଣତରେ । ମଣିଷ ନିଛାଟିଆ ହୋଇପଡେ । କେଉଁଠି , ସବୁଥାଇ କିଛି ନଥାଏ ତ କେଉଠି ନିଃସ୍ୱର ହାତ ପାହାନ୍ତାରେ ବି ବିଶ୍ୱ ଧରା ଦେଉଥାଏ । କାହା ଭାଗ୍ୟରେ , କେଯାଏଁ ଏକାକିତ୍ୱ , ବିଧି ପୂର୍ବନିର୍ଦ୍ଧାରିତ କରି ରଖିଥାଏ ଯେପରି ।


― ଦିନକୁ ଦିନ ତୁ ଆଉରି ସୁନ୍ଦରୀ ଆଉ ସେକ୍ସି ହୋଇପଡୁଛୁ ଲୀଲା । 


― ଚୋପ୍ ! ତୋ' ପରି ତ ଆଦୌ ନୁହେଁ ।


― ମୁଁ ତ ଆଜନ୍ମ ସୁନ୍ଦରୀ । କିନ୍ତୁ ସେକ୍ସି ଦିଶିବାଟା ମୋ'ର କୃତ୍ରିମ ପ୍ରୟାସ ।


ଏବଂ ହସନ୍ତି ଦୁଇ ସାଙ୍ଗ । 


ଆନିଶ୍ ସ୍କୁଲ ଯିବା ପରେ ଆଉରି ଏକୁଟିଆ ହୋଇପଡେ ଲୀଲା । ଢେର୍ ସମୟଯାଏଁ ଘରଟିକୁ ସଜାଡେ । ପରଦା ବଦଳାଏ । ଟିଭି ସେଟ୍ କୁ ବନ୍ଦ କରି ରିମୋର୍ଟକୁ ସୋଫାକୁ ପିଙ୍ଗିଦିଏ ବିରକ୍ତିରେ । ଚା ବନାଇ ସମୀକ୍ଷାକୁ ଫୋନ୍ ଲଗାଏ । ବହୁ ସମୟ ଧରି ବିଜି ଆସେ ସମୀକ୍ଷାର ଫୋନ୍ । ବିରକ୍ତି ବଢିଯାଏ ଆଉରି ଆଉରି । ଗୋଡ଼ କଚାଡେ ଲୀଲା ତୁଚ୍ଛାଟାରେ । ଏବେ କଲ୍ ବ୍ୟାକ୍ କରେ ସମୀକ୍ଷା । 


― କାହା ସହ ....?


― ଏବର ବୟଫ୍ରେଣ୍ଡ ସହ । ହି ହି ! ନିହାତି ସାନଟେ ବୋଲି ଖୁବ୍ ଦାୟିତ୍ୱ ନେବାକୁ ପଡୁଛି ଲୋ ଲୀଲା । 


― ସଟ୍ ଅପ୍ । କ'ଣ ଏସବୁ ସମୀକ୍ଷା ତୋ'ର ?


― କିଛି ନୁହେଁ । ଏଇ ପଇଁତ୍ରିଶରୁ ଚାଳିଶ ବର୍ଷର ସମୟ ଖୁବ୍ ଉତଶୃଙ୍ଖଳ ଲୀଲା ଡିୟର। ଇଚ୍ଛାତକ ଦୁଷ୍ଟ ହୋଇ ଡିଆଁ ମାରୁ ଥାନ୍ତି ବେଳ ଅବେଳରେ ।କିଏ ସମ୍ଭାଳି ନିଏ ନିୟମ ଦାୟରେ , ଆଉ କିଏ ଅହରହ ପୋଡୁଥାଏ ବିନା ପାଉଁଶରେ ।


― ତୁ ଅସମ୍ଭାଳ ହେଉଛୁ ତାହେଲେ ?


― କ'ଣ ଭାବୁଛୁ ଲୀଲା ? ସୁରକ୍ଷିତ ଅବତରଣର ସବୁତକ କୌଶଳ ମୋତେ ଜଣା ବୋଲି କ'ଣ ତତେ ଅଜଣା ? ତଥାପି ଏ ନିର୍ବୋଧ ପ୍ରଶ୍ନ ?


ଦୁହେଁ ହସନ୍ତି ଠୋ ଠୋ ହୋଇ । ହସ ବନ୍ଦ ହୁଏନି ସମୀକ୍ଷାର । କିନ୍ତୁ ଧୀରେ ଧୀରେ ନିରବୀ ଯାଏ ଲୀଲା । ସମୀକ୍ଷା ପଚାରେ -


― କଣ ଭାବୁଛୁ ?


― ନା ନା କିଛି ନୁହେଁ !


― ହା ହା ହା ।


ଫୋନ୍ ଥୋଇଦେଇ ଖଟରେ ଗଡିପଡେ ଲୀଲା । ଏଇ ନିର୍ଜନ ବେଳା ସବୁ , ଢେର୍ ଛାଇନିଦ ଘୋଟି ଆଣେ ।ଏଇବେଳେ କିଏଜଣେ ଆସି କବାଟ ବାଡ଼ାଏ । ଧଡ଼ପଡ଼ ହୋଇ ଖଟରୁ ଉଠିପଡେ ଲୀଲା ,କେମିତି ଗୋଟେ ବ୍ୟାକୁଳପଣ ନେଇ । ଖୋଲି ଦେବାରୁ ସେଇ ଅଜଣା ଦୁର୍ବୁତ୍ତ । ଗୋଟାପଣେ ଝାମ୍ପି ପଡେ ତା'ଉପରେ ସେ । ଲୀଲାର ଚିତ୍କାରରେ ଆଦୌ ଜୋର ନଥାଏ । ଚାରି କାନ୍ଥ ଭିତରେ ଘୁରି ଘୁରି ନିରବୀ ଯାଏ ସେଇତକ । ଆଉ ଏଇବେଳେ ଅସଭ୍ୟଟି ତାକୁ ହାତ ମୁଠାରେ ଟେକିନିଏ ଶୂନ୍ୟେ ଶୂନ୍ୟେ । ଵିଵଶ ହୋଇଯାଏ ଲୀଲା । ଫରକ ପଡେନି ନୃଶଂସକୁ ଜମା । ବରଂ ତା ଅସହାୟତାରେ ଆଉରି କ୍ରିୟାଶୀଳ ହୋଇପଡେ ଜାନୁଆର୍ । ମଣିଷରୁ କ୍ରମଶଃ ପଶୁ ପାଲଟି ପୁଣିଥରେ ପୂର୍ବାବସ୍ଥାକୁ ଫେରି ଆସିବା ବେଳକୁ , ନିଃଶେଷ ହୋଇ ସାରିଥାଏ ଲୀଲା। ବିଛଣା ଚାଦରକୁ ଦେହରେ ଘୋଡାଇ ଉଠିବସେ ସେ । ଚୁପ୍ ଚାପ୍ ହୋଇ ଖଟ ଧାରରେ ବସିଥାଏ ରାକ୍ଷସ , ଦୁଇଗୋଡ଼ ଝୁଲାଇ । ଚିତ୍କାର କରେ ଏବେ ଲୀଲା -


― ବାହାରିଯା' ତୁରନ୍ତ ମୋ 'ଘରୁ । ଆଉ ନିସ୍ତାର ନାହିଁ ତୋ'ର । ଖୋଲିଦେବି ତୋ' ସବୁତକ କାରନାମାକୁ ଏବେ । ଧ୍ୱସ୍ତ ହୋଇଯିବ ତୋ' ହାସଖୁସିର ପରିବାର ।


କେମିତି ଗୋଟେ ନିରୀହ ମେଣ୍ଢା ଶାବକରେ ପରିଣତ ହୋଇଯାଏ ତତକ୍ଷଣାତ୍ ଲୋକଟା । ଲୀଲାର ପାଦ ଦୁଇଟିକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି ପକାଏ ।କ୍ଷମା କରିଦେବାକୁ ଆକୁଳ ହୁଏ ।


ଶତ୍ରୁକୁ ପରାହତ କରିଦେବରେ ଥାଏ ଅପୂର୍ବ ସୁଖ । ଏଇତକ ତ ମୋକ୍ଷ ।


ଛାଇ ନିଦ ଭାଙ୍ଗିଯାଏ ଲୀଲାର । ଝିଅର ସ୍କୁଲ ଫେରିବା ସମୟ ହୋଇ ସାରିଥାଏ । ସେ ସଜବାଜ ହୁଏ ତଳକୁ ଯିବାକୁ । ସମ୍ଭାବନା ମିଳିତ ଆଶଙ୍କାଟେ ଥାଏ , ହୁଏତ ଲିଫ୍ଟ ରେ ଅବା ବେସମେଣ୍ଟରେ ତା'କୁ ଅପେକ୍ଷା କରି ରହିଥିବ ଲୋକଟା । 


ଏଇ ଏବେଏବେ ଦୁଃସ୍ୱପ୍ନରେ ଥରୁଥିବା ଛାତିଟାକୁ ଖୁବ୍ ଜୋରେ ଭିଡି ଘୋଡ଼ି ଦିଏ ଲୀଲା ଓଢଣୀରେ ।


   ଗମ୍ଭୀର ହୋଇଯାଏ ସମୀକ୍ଷା ।


― ପର ପୁରୁଷଟେ ମନରେ ଘର ନକଲେ ଯାଇ , ସ୍ୱପ୍ନରେ ଆସିପାରେନି ଲୀଲା । ତୋ' ଅଜାଣତରେ ତୁ ଖୁବ୍ ନିସଙ୍ଗ ହୋଇସାରିଲୁଣି । ଏଇ ସ୍ଲିଭଲେସ୍ ବ୍ଲାଉଜ ପରର ଗୋରା ତକତକ ବାହୁ ଦୁଇଟିରେ ବଳ ଖୁବ୍ ଯଥେଷ୍ଟ । ଦୁଇ ବାହୁର ଆବୋଶରେ ନାରୀଟିଏ ସୁଖ ସାଉଁଟି ପାରେ ନଚେତ୍ କାହାକୁ ଦଳିଚକଟି ବିଧ୍ୱସ୍ତ ବି କରିପାରେ । ନାରୀ ସବୁବେଳେ ନିଜ ଇଚ୍ଛା ନେଇ ନିୟନ୍ତ୍ରିତ । ବେଳ ଥାଉ ଥାଉ ସତର୍କ ହୋଇଯା' ତୁ ।


   ଖୁବ୍ ଅବୋଧ୍ୟ ଏଇସବୁ ସମୀକ୍ଷାର ଦର୍ଶନ ଶାସ୍ତ୍ର । କେବେ ପଜେଟିଭ୍ ତ କେବେ ନେଗେଟିଭ୍ । ନିଜ ହିସାବରେ ବୁଝେ ଯାହା ସେ' । 


ସମୟ ଶଙ୍କା ଆଶଙ୍କାରେ ବିତିଚାଲେ । କିଛି ଦୁଃଖ ଦେହସୁଆ ହୋଇ ଭୟ ପୋଛିଦିଏ । 


ଏବେଏବେ , ଅଲକ୍ଷ୍ୟରେ ଅଲିଖିତ ସନ୍ଧିଟିଏ ହୋଇ ସାରିଛି ତଳ ଉପରର ଦୁଇ ପରିବାର ଭିତରେ । ସ୍କୁଲରୁ ଫେରି ଧାଇଁ ଯାଏ ଉପରକୁ ଏବେ ଆନିଶ୍ କୁନିପୁଅ ସହ ଖେଳିବାକୁ ।


ଖେଳିବାକୁ ନେଇଆସେ କଣ୍ଢେଇ ପରି ଛୁଆଟିକୁ । ଅବୋଧ , ନିଷ୍ପାପ ବାଳୁତ । ଏଇ ନିରୀହ ଆଖି ଯୋଡିକରେ ନଥାଏ ପିତାର ଡାହାଣାପଣ। ମମତ୍ୱ ସବୁବେଳେ ଅସୀମ । ଛାତିରେ ଭିଡ଼ିଧରେ ଲୀଲା ଛୁଆ ଟିକୁ । ଠିକ୍ ଆନିଶ୍ ପରି ନରମ କୋମଳ । ମନେପଡେ ଆନିଶ୍ ର ପିଲାବେଳର ଗେଲ୍ହା ହେବାର ବେଳସବୁ । ଭୁଲିଯାଏ ସେଇବେଳେ ଲୀଲା , ଏଇ ପିଲାଟିର ଉଦ୍ଭଟ ବାପାର ଅଦ୍ଭୁତ ହରକତ ମାନଙ୍କୁ । ଛୁଆକୁ ନେବାକୁ ତଳକୁ ଆସେ ତାର ମାମା । ଏଇ ଆଳରେ ଅଲକ୍ଷ୍ୟରେ ଗଢେ- ବଢେ ସମ୍ପର୍କଟିଏ।


 ଅଥଚ ଦୁର୍ବୁତ୍ତର ନଥାଏ କୌଣସି ପରିବର୍ତ୍ତନ । ଅପରିବର୍ତ୍ତିତ ସବୁବେଳେ ପୁରୁଷର ମନୋଚ୍ଛାମାନେ। ସନ୍ଧିର ନଥାଏ କିଛି ମହତ୍ତ୍ୱ । ବରଂ ଦୁର୍ବଳ ହୋଇପଡେ ଲୀଲା ସମ୍ପର୍କର ଦାୟରେ ବେଶୀ ବେଶୀ । କେମିତି କେଜାଣି ସ୍ୱପ୍ନ ମାନେ ବି ଆପଣା ଛାଏଁ ସଜାଇ ହେଉଥାନ୍ତି ବାରମ୍ବାର । ସମୀକ୍ଷା ବ୍ୟସ୍ତ ହୋଇ ପଚାରି ବସେ 


― କିଛି ଆଉ ଆଟେମ୍ପଟ୍ ନେଲା କି ?


― ନା ! କିନ୍ତୁ...


― କିନ୍ତୁ ?


― ନେଇପାରେ ବି ତ ! 


କଲ୍ ବେଲ୍ ଶୁଣି ଦୁଆର ଖୋଲିଦେବା ପରେ , ଯଦି କିଛି ନିର୍ଦ୍ଧିଷ୍ଟ କାରଣଟେ ସେ ଆଜି କହି ବୁଝାଇ ପାରିଥାନ୍ତା ନଥାନ୍ତା କିଛି ଉଦବେଳନ । ଯେମିତିକି ତା' ପତ୍ନୀ କି ପୁତ୍ରଙ୍କୁ ଖୋଜୁଛି ସେ' ଏଠି ଆସି ।


 କିନ୍ତୁ ଏଇ 'ସରି' କହି , ଚୁପଚାପ୍ ଫେରିଯିବାଟା ଖୁବ୍ ଏକ ରହସ୍ୟମୟ । ନିଶ୍ଚୟ କିଛି ମହତ ନୁହେଁ । କାହିଁକି ଯେ' ସ୍ପଷ୍ଟ କରୁନି , ନିଜ ମନତଳର କଥାସବୁଙ୍କୁ ଏଯାଏଁ ? ଏତେଗୁଡ଼େ ଦିନ ବିତିଗଲା ସତ୍ତ୍ୱେ। କିଛି କହିବାକୁ ଆସି , ଫେରିଯାଏ କାହିଁକି କାପୁରୁଷ ?


କିଛିକ୍ଷଣ ବନ୍ଦ ହୋଇ ସାରିଥିଲା ହୃଦସ୍ପନ୍ଦନ ଲୀଲାର । ଖୋଲା ଦୁଆରରୁ ସେ' ଚାହିଁ ରହିଥିଲା ଲୋକଟା'ର ଫେରା ବାଟକୁ । 


ପ୍ରକୃତିସ୍ଥ ହେଲା ପୁଣି । ଚମକି ପଡିଲା ନିଜକୁ ଦେଖି  । ଦେହରେ ଲଟକିଛି ଅଧାଖୋଲା ଫୁଙ୍ଗୁଳା ରାତି ବାସ । ଧଡ଼କି କବାଟ ବନ୍ଦ କରି ସମୀକ୍ଷାକୁ ଜଣାଇଦେଲା ସବିଶେଷ । ଫ୍ରିଜରୁ ବୋତଲଟେ ପାଣି ପିଇବା ପରେ ବି କମ୍ପୁଥିଲା ଦେହ ତା'ର । ଟିକେ ଶୋଇପଡିଲେ ଆଖିବୁଜି ଭଲହେବ ଭାବି ଗଡ଼ିଗଲା ବିଛଣାରେ । ବିଛଣାରୁ ଗଲା ରାତିର ବେଡ଼୍ ସିଟ୍ କାଢି ନଥିଲା ସେ ଏଯାଏଁ । 


ଭରିଛି ସନ୍ଧି-କନ୍ଦିରେ ନିଲେଶ୍ ଙ୍କ ଦେହ ଗନ୍ଧ । ନହେଉ ପଛେ ଏବେ ଏସବୁ ଅତିଉତ୍ତେଜକ , ସରିଯାଇଥାଉପଛେ ଈଛା-ଉତ୍ସାହତକ , କିନ୍ତୁ ସାରା ବିଛଣାରେ ତ ତାଙ୍କରି ସ୍ଵାକ୍ଷର । ବିନ୍ଦୁ- ବିସର୍ଗଟିଏ ସୁଦ୍ଧା ଜାଗା ନାହିଁ ଆଉ କାହାର ।


ଆଖି ବୁଜି ହୋଇଗଲା ଲୀଲାର ! ଆଜି କିନ୍ତୁ ସ୍ୱପ୍ନରେ ଆସିନଥିଲା ଦୁର୍ବୁତ୍ତ । ଆସିଗଲେ ନରୀକକା । ପାରିଥିଲା କି ସେଦିନ ସେ' ମୁକୁଳାଇ ନିଜ ଆତ୍ମୀୟ ନରିକକାଙ୍କ ଠୁଁ ନିଜକୁ ? ବରଂ ସେ' ତା'କୁ ବୁଝାଇ ମୁହଁ ବନ୍ଦ କରିଦେବାରେ ସକ୍ଷମ ହୋଇଗଲେ ଖୁବ୍ ।


ଆନିଶ୍ ର ବୟସ ନେଇ ବକୁଟେ ଜୀବନରେ କେମିତି ପି' ଗଲା ସେ' ଅସହ୍ୟ କଷ୍ଟ - ଯନ୍ତ୍ରଣାକୁ ? 


ଆଜି ସ୍ୱପ୍ନରେ ଲୀଲାକୁ ସେ' ଲୋକଟା ଆଉ ତା' ବିକୃତ ପ୍ରେମିକ ପରି ବୋଧ ହେଉ ନଥିଲା । ଲାଗୁଥିଲା ସିଏ ସେଇ ନରୀକାକା । ଖେଳିବାକୁ ଯାଉଥିବା ଆନିଶ୍ ବସୁଛି ଯାଇ ନିତି ତା'ରି କୋଳରେ । ଆଦର କରି ଆଉଁସି ଦେଉଛି ସେ' ଆନିଶ୍ ର ଦେହ ମୁଣ୍ଡ ।


ଓଃ ! ଅସହ୍ୟ ଭାରି ଏସବୁ। ସ୍ୱପ୍ନରେ ବି ନଆସୁ ଏ ବେଳ । ଧଡ଼କି ଉଠିଗଲା ଲୀଲା ଖଟ ଉପରୁ । ଭକ୍ କି ଗଳିଗଲା ଯନ୍ତ୍ରଣାର ଲୁହତକ ।


― କାହିଁକି ମାମା ?


― ନାଃ ! ଆଉ ଯିବୁନି ତୁ ସେଠିକୁ ।


― ଆଉ ବାବୁ ?


― ସେ ବି ଆସିବନି ଆମ ଏଠାକୁ ।


― କାହିଁକି ମାମା ?


― ଚୁପ୍ ! ନା' କହିଲିନା? ବାସ୍ ।


ଦେଇପାରୁ ନଥିଲା ଝିଅକୁ ଉତ୍ତର ସେ । ବଢୁଥିବା ଝିଅକୁ ବୁଝାଇ ପାରିଲାନି ଯେ ' ସଭ୍ୟ ପରି ଦୃଶ୍ଯ ହେଉଥିବା ପ୍ରତ୍ୟେକଙ୍କ ଅନ୍ତରାତ୍ମା କରୁଣାପୂର୍ଣ୍ଣ ହୋଇ ନଥାଏ ।'


 ନୀଲେଶ୍ କୁ କହିଲେ ହୁଏତ କିଛି ସମାଧାନଟେ ହୁଅନ୍ତା । ସେମାନେ ସିନା ଘର କିଣି ସ୍ଥାୟୀ ଏଠି । ଲୋକଟା କିନ୍ତୁ ଭଡାଟିଆ। ତା'ମାଲିକକୁ ଅଭିଯୋଗ କରି ହୁଅନ୍ତା । ଖୁବ୍ ବଦରାଗୀ ନୀଲେଶ୍। ସେ' ଜାଣେ ତା'କୁ । ବରଂ ଆଗ ପ୍ରଶ୍ନ କରିବ ସେ' 'ଏତେ ଯାଏଁ କେମିତି ହେଲା ଏସବୁ ?' ଏଥିରେ ତୁମର ଭାଗିଦାରୀ କେତେ ଇତ୍ୟାଦି । 


ଅମୁଳକ ସନ୍ଦେହ ନେଇ ଘାଣ୍ଟି ଚକୁଟି ହୁଏ ପୁରୁଷ ନିଜେ ନିଜେ। ଅପଦସ୍ତ ହେବାଠାରୁ ବରଂ ସତର୍କ ହୋଇଗଲେ ଭଲ ଭାବି ଆନିଶ୍ କୁ ମନା କରିଦେଲା ଆଜି ଜୋର୍ କରି ।


― ଭୁଲ୍ କଲୁ ତୁ ! ଆନିଶ୍ ଛୋଟ ପିଲା । ତା' ମନର କାହିଁକିର ଉତ୍ତର ନ ଦେଲେ ବିଦ୍ରୋହୀ ହୋଇଯିବ ସେ ।


― କଣ କହିଥାନ୍ତି ? ଯେ' ବାବୁର ପାପା ଭଲଲୋକ ନୁହଁ ? ତୋ' ମାମା ଉପରେ ସବୁବେଳେ ଖରାପ ନଜର ତାଙ୍କର !! ସେଥିଲାଗି ......


― ହଁ ! କହିବାକୁ ହେବ ଲୀଲା ! ଆନିଶ୍ କୁ ବୁଝାଇବାକୁ ପଡିବ ।


― ଆଉ ସେ ଯଦି ପଚାରେ ' ଖରାପ ନଜର' କ'ଣ ମାମା ?


― ହା ହା ହା ! ମୁଁ ବି ତ ତୋ'ତେ ପଚାରୁଛି ଖରାପ ନଜରଟା' କ'ଣ ଲୀଳା ?


―ସଟ୍ ଅପ୍ ସମୀକ୍ଷା !


― ଆରେ କହ ତ ଟିକେ ? ତୁ' ବି ଜାଣୁନା ଏ ପ୍ରଶ୍ନର ସଠିକ୍ ଉତ୍ତର ।


― ଓକେ ବାଏ ! ୟେ' ଆସିଲେଣି ।


ସମୀକ୍ଷା ସମାଧାନ ଦିଏନି । ବରଂ ସମସ୍ୟା ବଢ଼ାଏ । ସେ ଲଢ଼ିବ ନିଜ ଲଢେଇ । ବାସ୍ । ଏବେଏବେ ସତର୍କ ରହିବ ନିଜେ । ଆଢୁଆଳ କରି ରଖିବ ଝିଅକୁ ଦୁଷ୍ଟ ଶକ୍ତିଙ୍କ ଠୁଁ । ଏଇତକ ତ ସଂସାରୀର ଦାୟିତ୍ୱ । କରିଦେବ ଏବେ ସନ୍ଧି-ବିଚ୍ଛେଦ ।


★★★


ଖୁବ୍ ଗୋଟେ ପାଟି ଶୁଭୁଥିଲା ବାହାରେ । ବୋଧେ କେହି ନୂଆ ପରିବାରଟିଏ ଆସିଥିଲା ରହିବାକୁ ଅବା କେ' ଯାଉଥିଲା ନିଜ ଜିନିଷପତ୍ର ନେଇ । ଚା' କପ୍ ଟା ଧରି ବାଲକୋନୀରୁ ତଳକୁ ଝୁଙ୍କି ଚାହିଁଲା ଲୀଲା । 


ଓଃ ! ଯାଉଛନ୍ତି ସେମାନେ ଏଠୁ । ଢେର୍ ଦିନଯାଏଁ ଯୋଗାଯୋଗ ନଥିବାରୁ ଖବର ନଥିଲା ପଡ଼ୋଶୀଙ୍କର । ସନ୍ଧି-ବିଚ୍ଛେଦ ପରେ ଲୋକଟା' ବି ବିଶେଷ ଭେଟୁ ନଥିଲା ଆଉ । ଇଚ୍ଛା କରି ଗଢିଥିବା ସମ୍ପର୍କକୁ ଛିଡାଇ ଦେଇଥିଲା ଲିଲା । 


ଏବେ କିନ୍ତୁ ସେମାନେ ଯାଉଛନ୍ତି ସବୁଦିନକୁ । ମନେ ମନେ ଖୋଜିଲା ସେ ବାବୁକୁ , ଆଉ ତା' ମାମାକୁ । ଆଗତୁରା ଚାଲିଗଲେଣି ସେମାନେ ବୋଧେ । ଜିନିଷପତ୍ର ନେବା ପାଇଁ ବଳିପଡ଼ିଛି ଦୁର୍ବୁତ୍ତ । କିଛି ଗୋଟେ ପାଟି କରି କହୁଛି ତଳୁ ମୁଭର୍ସ ପ୍ୟାକର୍ସଙ୍କ କର୍ମଚାରୀଙ୍କୁ । 


ଆପାର୍ଟମେଣ୍ଟର ତଳୁ ଉପରକୁ ଚାହିଁଲେ ଖୁବ୍ ପରିଷ୍କାର ଦିଶେ ,ଲୀଲାର ଏଇ ଥାର୍ଡଫ୍ଲୋର ବାଲକୋନୀ ! ଖୁବ୍ ବାଛି କୁଛି ଥୋଇଛି ସେ ବାଲକୋନୀଭର୍ତ୍ତି ହରରଙ୍ଗୀ କିସମର ଫୁଲକୁଣ୍ଡ । 


ଗଲା ବର୍ଷଟିଏ ହେଲା ,ତଳୁ ଥାଇ କେଉଁ ଗୋଟେ ପ୍ରତ୍ୟାଶା ନେଇ ଏ ଆଡ଼କୁ ଅପଲକ ହୋଇ ଚାହିଁ ରହେ ଭଅଁର । ଢେର୍ ଥର ସେ' ଲୋକଟାର ଚୋରୀ ଧରିଛି । କିନ୍ତୁ ଆଜି ?


ଆଜି ଚାଲିଯାଉଛି ସେ ! ଉପରୁ ଥାଇ , ଦେଖୁଛି ଲୀଲା ତା'କୁ । ଅଥଚ ଚାହୁଁ ନାହିଁ ସେ ଥରୁଟେ ଅନ୍ତତଃ ତଳୁ ଉପରକୁ ! 


କେଜାଣି କାହିଁକି ମର୍ମାହତ ହେଉଥିଲା ଲୀଲାର ମନ ଦେହ ।


ହୁଏତ ଶେଷବେଳେ ଆସିପାରେ । ଆସି ପୁଣିଥରେ କଲିଂବେଲ୍ ଚିପିପାରେ । ଦୁଆର ଖୋଲିଦେଲେ 'ସରି' ଟାଏ କହି ପୁଣି ଫେରିଯାଇପାରେ । କିନ୍ତୁ ଆସିଲାନି ଅସଭ୍ୟ । ବରଂ ଧୂଆଁ ଉଡାଇ ଚାଲିଗଲା ଏକାମୁହାଁ ହୋଇ କେଉ ଅଭିମାନରେ ।


ଓଃ ! ଏସବୁ ବି ଅସହ୍ୟ। କାହାର ଅଣଦେଖା ପୋଡିଦିଏ ଛାତି ସତରେ । ବାଲକୋନୀରୁ ନିଜକୁ ଫେରାଇ ଆଣିଲା ଲୀଲା । ହାତରେ ଧରିଥିବା ଥଣ୍ଡା ଚା କପ୍ କୁ ଫୋପାଡ଼ି ଦେଇ ଆସିଲା ବେସିନ୍ ରେ । ଖଟ ଧାରରେ ବସିଲା ଯାଇ । ପୁଣି ଉଠି ଆଇନା ଆଗରେ ଛିଡାହେଲା । 


ସମୀକ୍ଷା କହୁଥିଲା , ସେ' ପରା ଧୀରେଧୀରେ ସୁନ୍ଦରୀ ଆଉ ସେକ୍ସି ଦିଶିଲାଣି । ଫୁଃ କରି ଉଡାଇ ଦେଇଥିଲା ବାତେରୀର କଥାକୁ ସେଦିନ । ଆଜି ନିଜକୁ ନିଜେ ଭଲକି ଦେଖିଲା ଲୀଲା । ବୋଧେ ସମୀକ୍ଷା ଠିକ୍ ଠଉରେଇ ନେଇଥିଲା । 


ପୋଛି ପକାଇଲା ଏବେ ସେ ଆଖିରୁ କଜଳ । ଖୋଲିଦେଲା ଯତ୍ନକରି ବାନ୍ଧିଥିବା ଜୁଡା ।ଇତସ୍ତତଃ କରି ନେସିଦେଲା ଓଠରୁ ରଙ୍ଗତକ । କହିଲା -


― ସୁନ୍ଦରୀ ? କାହିଁକି ଯେ' ? 


ଏଇବେଳା ସମୀକ୍ଷାର ଫୋନ୍ ବାଜିବାକୁ ଥିଲା ।


― କ'ଣ ଚାଲିଛି ହିରୋଇନ୍ ?


― ଚୋପା ?


― ଆରେ ? କଥା କ'ଣ ?


― ଚାଲିଗଲା ! 


― ଚାଲିଗଲା ?


― ହଁ ! ସେ ଅସହ୍ୟ ଦୁର୍ବୁତ୍ତ । ସବୁଦିନ ପାଇଁ ଏଠୁ ।ପିଲାଛୁଆ ନେଇ ।


― ଓଃ ! ସିଟ୍ । ତେବେ ତୁ ଖୁସି ତ ?


― ତୁ କହ ?


― ନା ତୁ' କହ ଲୀଲା । ସତରେ ଏବେ ଖୁସି ତ ?


― ସମୀକ୍ଷା ! ଜାଣୁ .....


― ହଁ କହ ଲୀଲା !  


― କିଏ ତ ଗୋଟେ ଅନ୍ତତଃ ଦେଖୁଥିଲା ......




Rate this content
Log in