Jyotiranjan Sahu

Romance Tragedy

2.5  

Jyotiranjan Sahu

Romance Tragedy

ମଧୁ-ସ୍ମିତା ୦୩ (ସେଇ ପାଗିଳି ଝିଅଟା)

ମଧୁ-ସ୍ମିତା ୦୩ (ସେଇ ପାଗିଳି ଝିଅଟା)

5 mins
974



ଜାତୀୟରାଜପଥର ହେବ ସମ୍ପ୍ରସାରଣ ।ରାସ୍ତା କଡର ଅନେକ ଘର ଭଂଗା ସରିଲାଣି । ଘର ଯେତେବେଳେ ଭଂଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ ?ରାସ୍ତା କଡକୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହିରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ ଦଶ ଦିନ ହେଲାଣି କଟାଯାଇ ପାରୁନାହିଁ । ବହୁତ ସରକାରୀ ବାବୁ ଆସିଲେଣି ଗଛ କଟା ନହୋଇପାରିବାର କାରଣ ଖୋଜିବାକୁ । କାରଣର ସମାଧାନ କରିବାକୁ । କିନ୍ତୁ ସବୁଥର ଅସଫଳ ହୋଇଫେରିଯାଆନ୍ତି ସେମାନେ । ଯେତେ ଶୀଘ୍ର ସେ ଗଛ କଟାଯିବ ସେତେ ଶୀଘ୍ର ରାଜପଥ ସମ୍ପ୍ରସାରଣ କାମଟା ଆରମ୍ଭ ହେବ । ହେଲେ ନା ସେ ବିଶାଳ ବଉଳ ଗଛଟା କଟାଯାଇ ପାରୁଛି ନାରାଜପଥର ସମ୍ପ୍ରସାରଣ ହୋଇପାରୁଛି ! !


ସରକାରୀ ବାବୁ ମାନେ ଏ ନେଇ ଅନେକ ଅଭିଯୋଗ ପରେ ଅଭିଯୋଗ କଲାପରେ ରାଜପଥ ବିଭାଗର ବରିଷ୍ଠ ଯନ୍ତ୍ରୀ ମଧୁସୂଦନ ମଂଗରାଜ ଓରଫ୍ ମଧୁ ବାବୁ ଆସିଲେ ସେହି ବହୁ ଚର୍ଚ୍ଚିତ ବଉଳ ଗଛଟା ମୂଳକୁ ନିଜ ପରିଚୟକୁ ଲୁଚାଇ । ସେଦିନ କୋହଲା ପାଗକୁ ଶୀତୁଆ ପବନ । ଦେହ ଭିତରେ ଖେଳିଯାଉଥିଲା କେମିତି ଗୋଟିଏ ଅଜଣା ରୋମାନ୍ଚ । ନିଜ ଗାଡିରେ ସାହୁ ବାବୁଙ୍କ ଘର ଆଗରେ ପହନ୍ଚି ମଧୁବାବୁ ନିରୀକ୍ଷଣ କଲେ ସେହି ବଉଳ ଗଛଟାକୁ । ସୁଲୁସୁଲିଆ କୋହଲା ପବନ ସହ ତାଳଦେଇ ମୃଦୁ ମୃଦୁ ନାଚୁଥାଏ ଗାଢ ସବୁଜ ପତ୍ରଗୁଡା । ଯେତେଯେତେ ସିଏ ସେ ବଉଳ ଗଛଟାକୁ ଦେଖୁଥାନ୍ତି ସେତେସେତେ ସେ ଗଛର ପ୍ରେମରେ ପଡିଗଲା ପରି ଅନୁଭବ କରୁଥାନ୍ତି । କିଛି ଗୋଟିଏ ଆକର୍ଷଣ ସତେଯେପରି ତାଂକୁ ବନ୍ଧିରଖିବାକୁ ଚେଷ୍ଟା କରୁଛି । କେବେ ଦେଖି ନଥିବା ଜାଣିନଥିବା ସେ ବଉଳ ଗଛଟା ସତେଯେମିତି ତାଂକୁ ଭଲପାଇବସିଛି ! ସତେ ଯେପରି ତାଂକୁ କହୁଛି " ସତରେ ତୁମେ ମୋତେ କାଟିଦେବ "? କାହିଁକି ଏମିତି ଅନୁଭବ ହେଉଛି ତାଂକୁ ? ବାଡ ଡେଇଁ ଗଛ ପାଖରେ ପହନ୍ଚି କଣ ଗୋଟାଏ ଭାବିଲାବେଳେ ହଠାତ୍ କାହାର ସମ୍ବୋଧନରେ ଚମକି ଗଲେ ଇଂ ମଧୁବାବୁ  । ମୁହଁ ବୁଲାଇ ଦେଖିଲେ ଛପନ/ ସତାବନ ବର୍ଷ ବୟସ୍କ ଲୋକ ଜଣେ ତାଂକୁ ପ୍ରଶ୍ନ କରୁଛନ୍ତି " ଆପଣ କିଏ ? ମୋ ବାଡ ଡେଇଁ କେଉଁ ସାହସରେ ଭିତରକୁ ପଶିଆସିଲେ " ? ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଧୁବାବୁ କହିଲେ " ଆଜ୍ଞା ! ଏଗଛଟା କାଟିଦେଉ ନାହାନ୍ତି ! ମୁଁ କିଣି ନେବି । ଏମିତିରେ ବି ସରକାର କାଟିଦେବେ । ମୁଁ କିନ୍ତୁ ଏ ବାବଦକୁ ଭଲ ଏମାଉଣ୍ଟ ଦେବି । ଗଛଟା କାଟି ନେବା ଦାୟିତ୍ବ ମୋର " । ତାଂକ କଥା ଶୁଣି ସାହୁ ବାବୁ ନିଜ ହାତ ଯୋଡି କହିଲେ " ମୋତେ କ୍ଷମା କରୁନ୍ତୁ ଆଜ୍ଞା । ଏ ଗଛଟା ହେଉଛି ତାର ଜୀବନ । ନିରାଶା ଭିତରେ ତାର ଆଶା ଆଉ ଆମ ବନ୍ଚିବାର ଆଶା " ।

ମଧୁ ବାବୁ - ମୁଁ କିଛି ବୁଝିପାରୁନି ଆଜ୍ଞା ! ଗଛ ହିଁ ତ କଟାଯିବ ! ପୁଣି ମୁଁ ଆପଣକୁଂ ଏହାପାଇଁ ଉପଯୁକ୍ତ ମୂଲ୍ୟ ବି ଦେବି !

ଏଥର ଗୋଟିଏ ହତାଶାର ଚିହ୍ନ ଖେଳିଗଲା ସାହୁ ବାବୁଙ୍କ ମୂଖମଣ୍ଡଳରେ ।

ସାହୁ ବାବୁ - କଣ କହିବି ଆଜ୍ଞା ! ଏ ଗଛଟା କଟା ଯାଇ ପାରୁନି ବୋଲିରାଜପଥର ସମ୍ପ୍ରସାରଣ ବି ହୋଇପାରୁନି ।  କେମିତି କହିବି କେଉଁଠୁ ଆରମ୍ଭ କରିବି କିଛି ବୁଝିପାରୁନି ।

            ଏହା କହି ନିଜ ଲୁହଭିଜା ଆଖିକୁ ହାତରେ ପୋଛିବାକୁ ଲାଗିଲେ । କିଛି ସମୟପରେ ନିଜ ମନକୁ ନିଜେ ସମ୍ଭାଳିନେଇ କହିଲେ " ମୋ ଝିଅକୁ ରାଜଧାନୀରେ ଛାଡିଥିଲି ଇଞିନିୟରିଂ ପଢିବା ପାଇଁ । ମାଛି କୁ 'ମ' ବୋଲି କହୁନଥିବା ମୋର ଶାନ୍ତ ସରଳ ଝିଅଟା ଯେ ରାଜଧାନୀର ମାୟା ମରିଚିକାରେ ବାଟବଣା ହୋଇଯିବ ସେକଥା ମୁଁ କେବେ ଭାବିପାରିଲିନି ଆଜ୍ଞା ! ଯୌବନର ଖସରା ବାଟରେ ପାଦ ତାର ଖସିଗଲା ଆଉ କେଉଁ ଗୋଟିଏ ସ୍ବାର୍ଥପର ଯୁବକର ପ୍ରେମ ଫାସରେ ପଡି ନିଜର ସର୍ବସ୍ବ ତାକୁ ସମର୍ପି ଦେଲାପରେ ତାଠାରୁ ପ୍ରତାରଣା ରୂପକ ଉପହାର ପାଇ ଝିଅ ମୋର ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇବସିଲା । ଅନେକ ଥର ଚେଷ୍ଟାକଲି ସେ ଯୁବକର ପରିଚୟ ଜାଣିବାକୁ । କିନ୍ତୁ ସେ ପ୍ରତିଥର ନିରୁତ୍ତର ରହୁଥିଲା । ସେ ସ୍ବାର୍ଥୀଟା କେମିତି ଜାଣିଥାଆନ୍ତା ମୋ ଝିଅର ତା ପ୍ରତି ଥିବା ପ୍ରେମର ଗଭୀରତା କୁ । ବହୁ କଷ୍ଟରେ ତା ସାଂଗ ମାନଙ୍କଠାରୁ ଜାଣିବାକୁ ପାଇଲି ସେ ଯୁବକର ପରିଚୟ । କିନ୍ତୁ ମୋ ଝିଅର ତିନିଥର ଆତ୍ମହତ୍ୟା ଉଦ୍ୟମଟା ମୋତେ ଭିତରେ ଭିତରେ ଦୁର୍ବଳ କରିଦେଲା । ମୁଁ ବି ଅନ୍ୟ ସମସ୍ତ ପିତାଙ୍କ ପରି ନିରବ ଦ୍ରଷ୍ଟା ପାଲଟିଗଲି । ଲୋକ ଲଜ୍ୟା ଆଗରେ ନୁହେଁ ମୋ ଝିଅର ପ୍ରେମ ଆଗରେ । ନିଜ ଭଲ ପାଇବାକୁ ଝୁରିଝୁରି ସେ ଆଜି ନିଜର ସଂମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ସାରିଛି । ଏ ଗଛଟା ମୂଳରେ ପାଗଳି ଟିଏ ଭଳି ତା ପ୍ରେମର ଅପେକ୍ଷା କରିକରି ଆଜି ତା ପ୍ରେମ ତାକୁ ସତରେ ଗୋଟିଏ ପାଗଳି ସଜେଇ ଦେଇଛି । ସେ ଆଜି ସଂମ୍ପୂର୍ଣ୍ଣ ପାଗଳି । ଏମିତି କି ତା ଦେହରେ ବସ୍ତ୍ର ଅଛି କି ନା ସେ ଜାଣିବାକୁ ଅକ୍ଷମ । ନା ଜାଣୁଛି ଲଜ୍ଜା ନା କୌଣସି ହିତାହିତ ଜ୍ଞାନ ! ତେଣୁ ଯେତେ ଥର କେହି ଗଛ କାଟିବାକୁ ଆସୁଛନ୍ତି ସେତେବେଳେ କେବେକେବେ ବିନା ବସ୍ତ୍ରରେ ଦୌଡିଯାଇ ନେହୁରା ହେଉଛି ଗଛ ନକାଟିବାକୁ ତ ପୁଣି କେତେବେଳେ ଗୋଡି ପଥର ଧରି ମାରିବାକୁ ଗୋଡାଉଛି ସେମାନଙ୍କୁ । ସେଇଥିପାଇଁ ଲୋକେ ଗଛଟା ନକାଟି ଫେରି ଚାଲିଯାଉଛନ୍ତି । ଆଜି ପରିସ୍ଥିତି ଏମିତି ଯେ ସିଏ ଆଜି ତା ବାପା ମା ଙ୍କୁ ବି ଚିହ୍ନିବାକୁ ଅକ୍ଷମ । ଚିହ୍ନୁଛି ଯଦି ଖାଲି ଏ ବଉଳ ଗଛଟାକୁ। ତା ସହ ଆମ ଜୀବନଟା ବି ଅଭିଶପ୍ତ ପାଲଟି ଗଲାଣି ଆଜ୍ଞା " ! ଏହିସବୁ କଥା କହିବା ଭିତରେ ତାଂକ ସ୍ବର ମଧ୍ୟ ଭାରୀ ହୋଇଆସୁଥାଏ ।


ସାହୁ ବାବୁ ଙ୍କ କଥା ଶୁଣି ମଧୁବାବୁ ନିରବରେ ଚାହିଁରହିଲେ ସେ ବଉଳ ଗଛଟାକୁ । ଦେଖିଲେ ସେ ଗଛ ଗଣ୍ଡିର ଅନେକ ସ୍ଥାନରେ ଲେଖା ହୋଇଥିଲା ମଧୁ+ସ୍ମିତା । ଠିକ୍ ସେତିକିବେଳେ କାହାରି ବିକଳ ଚିତ୍କାରରେ ମଧୁବାବୁ ଚମକି ଉଠିଲେ । ଦେଖିଲେ ଘର ଭିତରୁ ସେ ପାଗଳି ଝିଅଟା ଚିତ୍କାର କରି କହୁଥାଏ " ମଧୁ ! ମଧୁ ! ତୁମେ ଆସିଗଲ ! ଆଉ ମୋତେ ଛାଡି ଯିବନି ! ତୁମେ ବୁଝିପାରିଲ ନା ମୁଁ ତୁମକୁ କେତେ ଭଲ ପାଏ ! ମଧୁ ! ମଧୁ ! ମୋ ପାଖକୁ ଆସ " ! ଏଥର ବିଚଳିତ ହୋଇଉଠିଲେ ମଧୁବାବୁ । ଗମ୍ ଗମ୍ ହୋଇ ସେ ଶୀତୁଆ ସକାଳେ ମଧୁ ବାବୁଙ୍କ ଶରୀରରୁ ଝାଳ ବହିପଡିଲା । ମୂଖମଣ୍ଡଳଟା ବ୍ୟସ୍ତ ବିବ୍ରତ ଜଣାପଡୁଥିଲା । ଏତିକିବେଳେ ସାହୁ ବାବୁ କହିଲେ " କ୍ଷମା କରିବେ ଆଜ୍ଞା ! ଏ ଗଛ ପାଖକୁ ଯିଏ ବି ଆସେ ମୋ ଝିଅ ଏମିତି ପ୍ରତିକ୍ରିୟା ଦିଏ । ଆପଣ କିଛି ଖରାପ ଭାବିବେନି । ଆମେ ତାକୁ ଏଇଥିପାଇଁ କିଛିଦିନ ହେଲା ଘରେ ଚାବି ମାରିରଖିଛୁ । ନଚେତ୍ ସେ ଗଛ କାଟିବାକୁ ଦେବନାହିଁ । ସତ କହିବାକୁଗଲେ ଆମେ ବି ଚାହୁଁନାହୁଁ ଏ ଗଛ କଟାହେଉ । କାହିଁକିନା ଗଛଟା କଟା ହେଲେ ମୋ ପାଗଳି ଝିଅଟା ମରିଯିବ ଆଜ୍ଞା ! କଥାରେ କଥାରେ ଅନେକ କଥା କହିଦେଲି ; କିନ୍ତୁ ଆପଣଙ୍କ ପରିଚୟଟା ପଚାରିପାରିନି ! ଆପଣଙ୍କ ପରିଚୟ " ?


          ସେଦିନ ନିଜ ପରିଚୟ ନଦେଇ ମଧୁ ବାବୁ ସେଠାରୁ ଚାଲିଗଲେ ସାହୁ ବାବୁକୁଂ କିଛି ନକହି । ଏହାଭିତରେ କିଛିଦିନ ବିତିଗଲାଣି । ତେବେ ଆଜି ସକାଳୁ ସକାଳୁ ବିରାଟ ଏକ ମେସିନ୍ ସହ କିଛି ସରକାରୀ କର୍ମଚାରୀ ଆସି ସାହୁ ବାବୁଙ୍କ ଘର ପାଖରେ ପହନ୍ଚିଲେ । ସେମାନଙ୍କ ଠାରୁ ଜାଣିବାକୁ ମିଳିଲା ସେ ମେସିନ୍ ଦ୍ବାରା କୁଆଡେ ସେହି ବଉଳ ଗଛଟିକୁ ସାହୁବାବୁଙ୍କ ଘର ପଛ ବାଡିପଟେ ଲଗାଯିବ । ଏକଥା ଜାଣି ସାହୁ ବାବୁ ଭାବବିହ୍ବଳ ହୋଇଯାଇ କହିଲେ " ଧନ୍ୟବାଦ ଆଜ୍ଞା ! ଆପଣଙ୍କ ସାର୍ ଜଣେ ମହାନ୍ ଲୋକ ! ଭଗବାନ ତାଂକୁ ଭଲରେରଖନ୍ତୁ । ତାଂକୁ ମୋ ତରଫରୁ ଧନ୍ୟବାଦ କହିବେ ! " । ସାହୁବାବୁଙ୍କ କଥା ଶୁଣି ସେହି ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେହିଜଣେ କହିଲେ ' ସାର୍ ଙ୍କର ବଦଳି ହୋଇଯାଇଛି କୋରାପୁଟ । ସାର୍ ତାଂକ ମ୍ୟାଡାମ୍ ଆଉ ପିଲାକୁଂ ଧରି ଦୁଇଦିନ ଆଗରୁ ଏ ସହର ଛାଡିସାରିଲେଣି । ଯିବା ଆଗରୁ କିନ୍ତୁ ଏ ବଉଳ ଗଛର ଟ୍ରାନସପ୍ଲାଣ୍ଟେସନ ପାଇଁ ଅର୍ଡର ଆଉ ଟେଣ୍ଡର ଫାଇନାଲ୍ କରି ଯାଇଛନ୍ତି ' । ଏହା ଭିତରେ ସାହୁ ବାବୁଙ୍କ ଘର ଭିତରୁ ଚିତ୍କାର ଶୁଣାଯାଉଥାଏ " କଳଂକିତ ପ୍ରେମିକଟା ମୋ ଦେହରେ କଳଂକ ବୋଳି ଚାଲିଗଲା ; ଆଉ ଏ ଦୁନିଆଁ ମୋତେ ପାଗଳି କହୁଛି" ! ! ! ବାହାରେ କାମ କରୁଥିବା କିଛି ଲୋକ ପଚାରୁଥାଆନ୍ତି " କିଏ ଏ ଘର ଭିତରେ ଚିତ୍କାର କରୁଛି " ? ସେମାନଙ୍କ ଭିତରୁ କିଛି ଲୋକ କହୁଥିବାର ଶୁଣାଗଲା " ଆରେ ! ସାହୁ ବାବୁଙ୍କର ସେଇ ପାଗଳି ଝିଅଟା ପରା... " ! ! !



Rate this content
Log in

Similar oriya story from Romance