Jyotiranjan Sahu

Others

4  

Jyotiranjan Sahu

Others

ବିଲୁପ୍ତ ପ୍ରଜାତି

ବିଲୁପ୍ତ ପ୍ରଜାତି

5 mins
369



ହରିପଦ ସେଠୀ ! ଷ୍ଟେଟ୍ ଆର୍କ୍ୟୋଲଜିକାଲ ସର୍ଭେ ଅଫିସରେ ଜଣେ ଅଫିସର ଭାବେ କାର୍ଯ୍ୟରତ ! ଭାରି ଅଭିଜ୍ଞ ଆଉ କର୍ତ୍ତବ୍ୟନିଷ୍ଠ କିନ୍ତୁ ଜଣେ ନାସ୍ତିକ ରୁପେ ସର୍ବବିଦିତ ! ପୂଜାପାଠ ଦିଅଁ ଦେବତା ଏସବୁ ଉପରେ ତାଙ୍କର ଆଦୌ ବିଶ୍ବାସ ନାହିଁ । ସେ ବିଶ୍ବାସ କରନ୍ତି ଖାଲି ବିଜ୍ଞାନକୁ ଆଉ ସମ୍ବିଧାନକୁ ! ଏ ପୂଜାପାଠ ଦିଅଁ ଦେବତାରେ ବିଶ୍ବାସ ତାଙ୍କୁ ପ୍ରହସନ ପରିକା ଲାଗେ । ହିନ୍ଦୁ ଧର୍ମର କର୍ମକାଣ୍ଡ ଆଦିକୁ ଅନ୍ଧବିଶ୍ବାସ ବୋଲି ଭାବନ୍ତି ସିଏ ! ହିନ୍ଦୁ ଧର୍ମର ମୂଳଦୁଆ ହିଁ ମିଥ୍ୟାରୁ ଆରମ୍ଭ ବୋଲି ପ୍ରଚଣ୍ଡ ବିଶ୍ବାସ ତାଙ୍କର । ହେଲେ ତାଙ୍କ ସହଧର୍ମିଣୀ ସ୍ନେହଲତା ଜଣେ ଆସ୍ତିକ । ଶିବଙ୍କର ଜଣେ ପ୍ରକାଣ୍ଡ ଭକ୍ତ । ଅନ୍ଧଭାବେ ବିଶ୍ବାସ କରନ୍ତି ଦେବଦେବ ମହାଦେବଙ୍କୁ । ତାଙ୍କ ଆଚାର ବ୍ୟବହାର ଶବ୍ଦ ବ୍ୟାକରଣରେ ଭାବ ଭକ୍ତି ସମ୍ମାନ ସ୍ପଷ୍ଟ ପରିଦୃଶ୍ୟ ! ହେଲେ ତାଙ୍କ ଶବ୍ଦ ବିଶ୍ବାସକୁ ମୂର୍ଖତା ଭାବି ଅନେକ ସମୟରେ ଅଣଦେଖା କରିଦିଅନ୍ତି ହରିପଦ ବାବୁ । ତାଙ୍କ ଯୁକ୍ତି ହେଲା କେତେ ଏମିତି ମନ୍ଦିର ପୂଜାସ୍ଥଳ କୁ ମାଟିତଳୁ ଉଦ୍ଧାର କରିଛନ୍ତି ସିଏ ! ଏତେ ବିରାଟ ବିରାଟ ପୁରାତନ ଷ୍ଟୋନ ଷ୍ଟ୍ରକଚର୍ ଖାଲି ଗୋଟିଏ ଗୋଟିଏ ପ୍ରହସନ ! କିଛି ନାହିଁ ଏଥିରେ ! ହିନ୍ଦୁ ଧର୍ମରେ ସବୁ ଖାଲି ଗୋଟିଏ ଗୋଟିଏ ଗପ ଛଡା ଅଧିକ କିଛି ନୁହେଁ ! ତାଙ୍କ ଏପରି ଚିନ୍ତାଧାରା ଅନେକ ସମୟରେ କଷ୍ଟ ଦିଏ ସ୍ନେହଲତା ମ୍ୟାଡାମଙ୍କୁ ହେଲେ ସେ ନିରବ ରହନ୍ତି । କେହି ପଚାରିଲେ ବଡ ମନ ଦୁଃଖରେ କହନ୍ତି " କିଏ ବୁଝାଇବ ତାଙ୍କୁ ! ବାହାଘର ର ସାତ ବର୍ଷ ବିତିଗଲାପରେ ବି ଆମର ପିଲା ଛୁଆ ନଥିଲେ । କେତେ ଡାକ୍ତର କେତେ କାହାକୁ ଦେଖାଇଲି ହେଲେ ଫଳ ଶୂନ ଧିରେଧିରେ ୟାଙ୍କ ଘର ଲୋକ ବି ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ ମୋ ମା ହେବାର କ୍ଷମତା ଉପରେ ! ଦିନେ ମହାଦେବ ଙ୍କ ପାଖରେ କେତେ ନେହୁରା ହେଲି । ସେଦିନ ରାତିରେ ମହାଦେବ ସପନରେ ଆସି କହିଲେ ଏଥର ଶ୍ରାବଣରେ ମୋତେ ଜଳାଭିଷେକ କର ! ମୋ କଥାରେ କେହି ବିଶ୍ବାସ କଲେନି ! ମୋ ମନରେ କିନ୍ତୁ ଦୃଢ ବିଶ୍ବାସ ଥିଲା ! ଯାହାର ଫଳ ହେଲା ମୋ ପୁଅ ବିଟୁ ! ହେଲେ ସିଏ ମୋ କଥାକୁ ଅବିଶ୍ବାସ ଆଉ ହସରେ ଉଡାଇଦିଅନ୍ତି ! ଛାଡ ! ମୋ ଭାଗ୍ୟ " ! 

ହରିପଦ ବାବୁ ଙ୍କ ପୁଅ ବିଟୁ କିନ୍ତୁ ତା ମା ଭଳି ! ହରିପଦ ବାବୁ ଙ୍କ ସ୍ବପ୍ନ ବିଟୁ ତାଙ୍କର କୋଟିଏ ରେ ଗୋଟିଏ ହେଉ । ତେଣୁ ହରିପଦ ବାବୁ ବିଟୁ ପାଇଁ ବହୁତ ପ୍ରାକ୍ଟିକାଲ ! ବିଟୁକୁ ଅନେକ ସର୍ଭେ ସାଇଟ୍ କୁ ବୁଲେଇ ନେଇଛନ୍ତି ସିଏ ! ସର୍ଭେ ର ଅନେକ କଥା ଶିଖାଇଛନ୍ତି ତାକୁ ! ଭଗ୍ନାବଶେଷର ଭଗ୍ନାଂଶକୁ କେମିତି ସମାଧାନ କରାଯାଏ ସେ କଳା ବି କିଛିକିଛି କହିଛନ୍ତି ବିଟୁକୁ ।

ବିଟୁ ଅନେକ ସମୟରେ ପ୍ରଶ୍ନ କରେ " ବାପା ! ଆଜିତ ଏଇଠି ବିଲ ଧାନ କ୍ଷେତ ଘର ସବୁ ଅଛି ! ତାହାହେଲେ ଏହି ତୁମେ ଯେଉଁ ଭଙ୍ଗାଘର ସବୁ ଖୋଳି ବାହାର କରୁଛ ମନ୍ଦିର ସବୁ ବାହାର କରୁଛ ଏସବୁ କଣ ?

ହରିପଦ ବାବୁ : ଏସବୁ ହଜାରହଜାର ବର୍ଷ ଆଗରୁ ଏହି ଜାଗାରେ ଥିଲା ! ଧିରେଧିରେ ସେସବୁ ନଷ୍ଟ ହୋଇ ମାଟିତଳେ ପୋତିଗଲା ଆଉ ତା ଉପରେ ପୁଣି ନଦୀ ନାଳ ଘର ଦ୍ବାର ବିଲ ବାଡି ସବୁ ତିଆରି ହୋଇଗଲା ! ଆମ କାମ ସେସବୁ ପୁରୁଣା ଘର ମନ୍ଦିର ଘର ଦ୍ବାର କେତେ ବର୍ଷ ତଳର ! କିଏ ସେସବୁ ତିଆରି କରିଥିଲେ କିଏ ରହୁଥିଲେ ସେସବୁ କୁ ଲୋକଙ୍କୁ ଜଣାଇବା ! 

ବିଟୁ : କିଏ ରହୁଥିଲେ ବାପା ଏଇଠି ?

ହରିପଦ ବାବୁ ବିଟୁ ପାଖକୁ ଆସି ଆଖିରେ ଆଖି ମିଶାଇ କହିଲେ " ଯେଉଁମାନେ ବି ରହୁଥିଲେ ସେମାନେ ବିଲୁପ୍ତ ! କେତେ ଜାତି ପ୍ରଜାତିର ଜୀବ ମାନଙ୍କର ଜୀବନ ସତ୍ତା ଏବେ ଖୋଜିଲେ ବି ଆଉ ମିଳିବା ଅସମ୍ଭବ ! ଆଉ କୌଣସି ପରିଚୟ ନାହିଁ ସେମାନଙ୍କର ! ସେମାନେ ଏବେ ଇତିହାସରେ ଆଉ କିଛି ଅଜ୍ଞାତ ଇତିହାସରେ ! କର୍ବନ ଡେଟିଂ ରେ ଆମେ ଖାଲି ଯାହା ତାଙ୍କ ସତ୍ତାକୁ ପ୍ରମାଣ କରିବାକୁ ଚେଷ୍ଟା କରୁ " ! 

ବିଟୁ : ତାହାହେଲେ କଣ ଆମେ ବି ଏମିତି ମାଟିତଳେ ପୋତିଯିବୁ ?

ହରିପଦ ବାବୁ : କିଏ ଜାଣେ ହୁଏତ ଆମେବି ବିଲୁପ୍ତ ହୋଇଯିବୁ ଡାଏନାସର୍ ପରି !

ବାପାଙ୍କ ଉତ୍ତର ରେ ନିରବ ରହିଲା ବିଟୁ ।

     ବିଟୁ ର ଏବେ ତୃତୀୟ ଶ୍ରେଣୀ ! ପରୀକ୍ଷା ସରିଲେ ଚତୁର୍ଥ ଶ୍ରେଣୀକୁ ଯିବ ! ଇଂରାଜୀ ମାଧ୍ୟମ ସ୍କୁଲରେ ତାର ପାଠପଢା ! ଦେହର ଓଜନଠୁ ବସ୍ତାନୀର ଓଜନଟା ବେଶୀ ଏଠାରେ ! ସେଦିନ ପରୀକ୍ଷାକୁ ଗଲାବେଳେ ଟିକିଏ ବିଳମ୍ବ ହୋଇଯାଉଥାଏ । ବାହାରେ ଗାଡିଧରି ବିରକ୍ତ ହୋଇଯାଉଥାନ୍ତି ହରିପଦ ବାବୁ ! ଭିତରୁ ସ୍ନେହଲତା କହୁଥାନ୍ତି " ଟିକିଏ ଅପେକ୍ଷା କର ! ବିଟୁ ଠାକୁର ଘରେ ମୁଣ୍ଡିଆ ମାରି ଆସୁଛି " ! ବିଟୁ ମୁଣ୍ଡିଆ ମାରି ବାହାରକୁ ଦୌଡିଥାଏ ଆଉ ତା ପଛେପଛେ ଦହି ତାଟିଆ ଧରି ସ୍ନେହଲତା ! " ବାପାରେ ! ଟିକେ ଟିକେ ଦହି ଚାମୁଚେ ଖାଇଦେ " ! ବିରକ୍ତି ଭରା କଣ୍ଠରେ ହରିପଦ ବାବୁ କହିଲେ " ତୁମେ ତ ଗାଉଁଲିଆ ମୂର୍ଖ ଭଳିଆ ହେଉଛ ! ସାଙ୍ଗରେ ପୁଅଟାକୁ ବି ବରବାଦ କରିଦିଅ ! ହେଃ ! ରଖ ତୁମର ଦହି ତାଟିଆ "! କହି ଝିଞ୍ଚାଡିଦେଲେ ହାତ ଟାକୁ ହରିପଦ ବାବୁ ଆଉ ବିଟୁକୁ ଧରି ଗାଡି ଛୁଟାଇ ଆଗେଇଗଲେ ! ଅଗଣାରେ ବିଛାଡି ହୋଇ ପଡିଗଲା ଦହି ତାଟିଆଟା ! ତାଙ୍କ ଏପରି ବ୍ୟବହାରଟା ଖୁବ୍ କଷ୍ଟ ଦେଲା ସ୍ନେହଲତାଙ୍କୁ ! 

   ସେଦିନ ଥାଏ ବିଟୁର ପରୀକ୍ଷା ଫଳ ବାହାରିବାର ଦିନ । ସକାଳୁ ସକାଳୁ ସ୍ନେହଲତା ଆସି ହରିପଦ ବାବୁଙ୍କୁ କହିଲେ " ଆଜି ଟିକିଏ ମନ୍ଦିର ଯାଇକି ବିଟୁ ନାଁରେ ମହାଦେବଙ୍କ ପାଖରେ ପାଣି ଢାଳିଦେଇ ଆସ " ! 

ହରିପଦ ବାବୁ : କଣ ପାଇଁ ? ଆଜି କଣ କି ?

ସ୍ନେହଲତା : ଆଜିପରା ବିଟୁର ପରୀକ୍ଷା ଫଳ ବାହାରିବ !

ହରିପଦ ବାବୁ : କଣ ହେଲା ସେଇଠୁ ? ତୁମେ କଣ ଜାଣିନ ଯେ ମୁଁ ଏସବୁ ବିଶ୍ବାସ କରେନା ! ଯେମିତି ପାଠ ପଢିଥିବ ସେମିତି ଫଳ ପାଇବ ! ଏଥିରେ ତୁମ ଭଗବାନଙ୍କ ରୋଲ କଣ ମୁଁ ଯାଇପାରିବିନି ! ତୁମର ଯଦି ଇଚ୍ଛା ତୁମେ ଚାଲିଯାଅ ।

ସ୍ନେହଲତା : ଜାଣିଛ ତୁମ ଭଳି ନାସ୍ତିକଙ୍କ ପାଇଁ ଦିନେ ଆମେ ଧ୍ବଂସ ପାଇଯିବୁ ! ଆଉ ଆମେ ଧ୍ବଂସ ପାଇଗଲେ ତୁମେ କଣ ଭାବୁଛ... !

ଆଉ ଅଧିକ କିଛି ଯୁକ୍ତି ନକରି ସ୍ନେହଲତା ବିଟୁ କୁ ଧରି ମନ୍ଦିର ବାହାରି ପଡିଲେ ! ପାଖାପାଖି ଘଣ୍ଟାଏ ପରେ ମା ପୁଅ ଦୁହେଁ ଫେରିଲେ ଘରକୁ ! ବିଟୁର ଶୁଖିଲା ମୁହଁକୁ ଦେଖି ମୋବାଇଲରେ ନ୍ୟୁଜ ଦେଖୁଥିବା ହରିପଦ ବାବୁ ପ୍ରଶ୍ନ କଲେ " କଣ ହେଲା ବିଟୁର ! ମୁହଁ କଣ ପାଇଁ ଶୁଖେଇଛି ସିଏ " ?

ସ୍ନେହଲତା : ତାକୁ ପଚାରୁନ ? ସେ କହିବ କଣ ପାଇଁ ମୁହଁ ଶୁଖେଇଛି ?

ହରିପଦ ବାବୁ : ବିଟୁ କଣ ହୋଇଛି ତୋର ?

ବିଟୁ ର ନିରବତାକୁ ଦେଖି ସ୍ନେହଲତା କହିଲେ " ମନ୍ଦିର ରେ ଗାଳି ଶୁଣିଛି ତ ! ଗୋଡିଟେ ଧରି ନନ୍ଦି ପଛରେ ବସି ତ୍ରିଶୁଳ କରୁଥିଲା ! କିଏ ଜଣେ ଦେଖି ତାକୁ ଗାଳି କଲା ! ସେତେବେଳକୁ ସିଏ ନନ୍ଦି ଦେହରେ ତ୍ରିଶୁଳ ଛାପିସାରିଥିଲା " !

ହରିପଦ ବାବୁ : ମୁଁ ସେଥିପାଇଁ ମନ୍ଦିର ଯାଏନା ! ସବୁ ନନସେନ୍ସ କାମ ସେଇଠି ।

ସ୍ନେହଲତା ଚାଲିଗଲେ ଘର କାମ କରିବାକୁ । ହରିପଦ ବାବୁ ବିଟୁକୁ ଡାକି ପ୍ରଶ୍ନ କଲେ " ତୋ ମା କଥାରେ କାହିଁକି ବାୟା ହେଉଛୁ ! ଦେଖିଲୁ ତ ! ସେ ଠାକୁର ପୂଜାରୁ କଣ ମିଳିବ ? ସେ ପଥର ମୂର୍ତ୍ତିକୁ ପୂଜା କଲେ ଯଦି ସବୁ ମିଳୁଥାନ୍ତା ତାହାହେଲେ ଲୋକ କେହି ଗରୀବ ହୁଅନ୍ତେନି ! ହେଲେ ତୋର କଣ ଦରକାର ଥିଲା ବଦମାସି କରିବାକୁ" !

ବିଟୁ ଧିର ଗଳାରେ କହିଲା " ବାପା ! ବଦମାସି କରିନିତ ! ମୁଁ ତ ତ୍ରିଶୁଳ ଆଙ୍କୁଥିଲି ! ଏହି ତ୍ରିଶୁଳକୁ ଦେଖି ଯେମିତି ପରେ କେହି କହିବେନି ନନ୍ଦି ତାଙ୍କର ବୋଲି ! ବହୁତ ଦିନପରେ ଯେତେବେଳେ ମନ୍ଦିର ବିଲୁପ୍ତ ହୋଇଯିବ ; ଯେତେବେଳେ ତୁମେ ମନ୍ଦିର ଖୋଳି ବାହାର କରିବ ; ସେତେବେଳେ ସମସ୍ତେ ଯେମିତି କହିବେ ଯେ ନନ୍ଦି ମହାଦେବଙ୍କର ! ନହେଲେ ନନ୍ଦିକୁ ଆଉ କିଏ ନେଇଯିବ ଯେ ! ହେଲେ ବାପା ମନ୍ଦିର ବିଲୁପ୍ତ ହୋଇଗଲେ ତୁମେ ଥିବ ତ ? ନହେଲେ ଆଉ କିଏ ଝଗଡା କରି ନନ୍ଦିକୁ ସେମାନେ ନେଇଯିବେ ! ବାପା ମନ୍ଦିର ବିଲୁପ୍ତ ହେଲେ ବି ତୁମେ ବିଲୁପ୍ତ ହେବନି ତ ?

ବିଟୁର ଉତ୍ତର ରେ ସ୍ଥାଣୁ ପାଲଟି ଗଲେ ହରିପଦ ବାବୁ ! ସେତେବେଳେ ମୋବାଇଲ ରେ କହୁଥାଏ " ସାଉଦି ଆରବରେ ମାଟିତଳୁ ମିଳିଥିବା ଶୈବ ମୂର୍ତ୍ତି ଦଶ ହଜାର ବର୍ଷ ତଳର ହୋଇପାରେ ବୋଲି କୁହାଯାଉଛି ! ଟିଭିରେ ନ୍ୟୁଜ କହିବାର ଶୁଣାଯାଉଥାଏ " ବିଚାରପତିଙ୍କ ସମ୍ମୁଖରେ କାନ୍ଥରେ ତ୍ରିଶୁଳ ଆଉ ଚକ୍ର ପରି ଦିଶୁଥିବା ଆକୃତିର ଫୋଟସବୁକୁ ଉପସ୍ଥାପିତ କରାଯାଇଛି ! ସବୁ ଦେଖିଲାପରେ ପରବର୍ତ୍ତୀ ଶୁଣାଣି ପାଇଁ ରାୟ ସଂରକ୍ଷିତ କରି ରଖାଯାଇଛି " ସେତିକିବେଳେ ଠାକୁର ଘରେ ସ୍ନେହଲତା ଘଣ୍ଟି ବଜାଇଲେ ! ଘଣ୍ଟିର ତାଳେତାଳେ ହରିପଦ ବାବୁ ଠାକୁର ଘରେ ଯାଇ ପହଞ୍ଚିଯାଇଥିଲେ ! ତାଙ୍କୁ ଠାକୁର ଘରେ ଦେଖି ସ୍ନେହଲତା ଆଶ୍ଚର୍ଯ୍ୟ ହୋଇଗଲେ ! ତାଙ୍କ ମୁହଁ ଦେଖି ହରିପଦ ବାବୁ ଖାଲି ହସୁଥିଲେ ଆଉ ଭାବୁଥିଲେ ' ଯଦି ମୋ ଭଳି ସଭିଁଏ ଧର୍ମ ଉପରୁ ଆସ୍ଥା ଛାଡିଚାଲିବେ ତେବେ ହୁଏତ ଏ ସନାତନ ଜାତି ଗୋଟେ ବିଲୁପ୍ତ ପ୍ରଜାତି ହୋଇଯିବ ; ଯାହାର କାର୍ବନ ଡେଟିଂ ମଧ୍ୟ ଅସମ୍ଭବ ହୋଇପଡିବ । ବୋଧହୁଏ ମୋ ଭଳି ନାସ୍ତିକ ମାନଙ୍କ ପାଇଁ ହିଁ ବିଟୁ ନନ୍ଦି ଦେହରେ ଆଙ୍କିଦେଇଛି ସେହି ପ୍ରମାଣ ରୂପି ତ୍ରିଶୁଳଟା ' ।


Rate this content
Log in