କରୋନା :ଏକ ପ୍ରେମ କାହାଣୀ
କରୋନା :ଏକ ପ୍ରେମ କାହାଣୀ
ସମସ୍ତେ କହୁଛନ୍ତି ' ଆରେ କରୋନାକୁ ନେଇ କିଛି ଲେଖୁନାହାନ୍ତି ! କିଏ କେତେ କଣ ଲେଖୁଛନ୍ତି ; ଆପଣବି କିଛି ଲେଖନ୍ତୁ ' ! କଣ ଲେଖିବି ! ସମସ୍ତେ ତ ବହୁତ କିଛି ଲେଖୁଛନ୍ତି ! ମୁଁ ଆଉ ଅଧିକ କଣ ଲେଖିବି ! ଏକଥା ସତ ଯେ ଏବେ ଚାରିଆଡେ କରୋନା ର ଭୟ । ତେଣୁ ମୁହଁରେ ବଡବଡ ମାସ୍କ ଆଉ ହାତରେ କହୁଣୀ ଯାଏ ଗ୍ଲୋବସ୍ । କିଏ ନର କିଏ ନାରୀ ଚିହ୍ନିବା ମୁସ୍କିଲ୍ । ରାଜ୍ୟ ବାହାରୁ ତଥା ଦେଶ ବାହାରୁ ବହୁତ ଓଡିଆ ନିଜ ଜନ୍ମ ମାଟିକୁ ଫେରିବାକୁ ବ୍ୟାକୁଳ । ଅନେକ ଦିନ ପରେ ମାଟି ମା ର କଥା ବୋଧେ ତାଙ୍କୁପୁଣି ମନେପଡିଛି । ସେଦିନ ଏୟାରପୋର୍ଟରୁ ଚେକଆଉଟ୍ ହେବାପରେ ଆଦିତ୍ୟ ଆଉ ବିଳମ୍ବ ନକରି ଘର ପାଇଁ ଟ୍ୟାକସିଟେ କଲା ।
ସାତ ବର୍ଷ ବିଦେଶରେ ରହିରହି ଆଦିତ୍ୟ ପୁରା ବିଦେଶୀ ଭଳି ଦେଖାଯାଉଥିଲା । ସେଇଥିପାଇଁ ତିନିଶହ ଟଙ୍କାର ରାସ୍ତାକୁ ପାଞ୍ଚଶହ ଟଙ୍କା ବୋଲି କହିଦେଲା ଟ୍ୟାକସି ବାଲା । ହେଲେ ଆଦିତ୍ୟ ମୁହଁରୁ ଗଳଗଳ କଞ୍ଚା ଓଡିଆ ଗାଳିଶୁଣି କାନମୁଣ୍ଡ ଆଉଁଷି ଟଙ୍କା ତିନିଶହରେ ରାଜି ହୋଇଗଲା ଟ୍ୟାକସି ବାଲା । ଆଜି ପାଖାପାଖି ସାତ ବର୍ଷ ପରେ ଆଦିତ୍ୟ ଓଡିଶା ଆସିଥିଲା । ସବୁକିଛି କେମିତି ବଦଳିଗଲାପରି ଲାଗୁଥିଲା ତାକୁ । ସହରଟା ଏହା ଭିତରେ ଅନେକ ବଢିଯାଇଛି । ସବୁକିଛି ନୂଆନୂଆ ଲାଗୁଥାଏ ଆଦିତ୍ୟକୁ । ଏହାଭିତରେ ଟ୍ୟାକସି ଦ୍ରୁତଗତିରେ ମାଡିଚାଲିଥାଏ ଆଗକୁ ଆଗକୁ । ହଠାତ୍ ଡ୍ରାଇଭର ଗୀତଟେ ବଜାଇଦେଲା । ହୃଦୟକୁ ଥରାଇଦେଇ ବାଜିଉଠିଲା ସେଇଗୀତ ଟି ' ନିଶ୍ବାସ ତୋବିନା ମୋର ଚାଲେନା...'। ଗୀତଟା ଶୁଣୁଶୁଣୁ ତା ପ୍ରେମରେ ପଡିଗଲା ଆଦିତ୍ୟ । ଗୀତ ଟା ଶୁଣୁଶୁଣୁ ତାର ମନେପଡିଗଲା ତାର ପ୍ରଥମ ପ୍ରେମ ; କଲ୍ୟାଣୀ ! ହଠାତ୍ ନିଶ୍ବାସରେ ଭରିଗଲା ଉଷ୍ମତା । ବଢିଗଲା ହୃତସ୍ପନ୍ଦନ, ମନଟା ହୋଇଉଠିଲା ବିଚଳିତ । କାହିଁକି ନହେବ ! ମନେମନେ ଏହା ଭିତରେ ଫେସବୁକ୍ ହ୍ବାଟସ୍ଆପ୍ ଟୁଇଟର ସବୁଥିରେ ଅନେକ ଖୋଜିଛି ଆଦିତ୍ୟ କଲ୍ୟାଣୀ କୁ । ହେଲେ ତାକୁ ସବୁଆଡୁ ନିରାଶ ହେବାକୁ ପଡିଛି । ଏହାଭିତରେ କଲ୍ୟାଣୀକୁ ଭୁଲିଯିବାକୁ ଅନେକ ଚେଷ୍ଟା କରିଛି ଆଦିତ୍ୟ । ହେଲେ ପ୍ରଥମ ପ୍ରେମକୁ କେହି କଣ କେବେ ଭୁଲିପାରେ ! ସେଥିପାଇଁ ଆଜିଯାଏ ଅବିବାହିତ ରହିଯାଇଛି ଆଦିତ୍ୟ । କର୍ମ ବ୍ୟସ୍ତତାର ବାହାନା ଭିତରେ ଆଉ ଗୋଟିଏ କଲ୍ୟାଣୀ କୁ ପାଇପାରିନାହିଁ ଆଦିତ୍ୟ । ପ୍ରେମ କରିବାକୁ ହୃଦୟଟା ଅନୁମୋଦନ କରୁନାହିଁ ନା କଲ୍ୟାଣୀ ପ୍ରତି କରିଥିବା ପ୍ରତାରଣାଟା ପ୍ରତି ମୁହୂର୍ତ୍ତରେ ତାକୁ ଉପହାସ କରୁଛି କେଜାଣି ଆଦିତ୍ୟ କିନ୍ତୁ ବିବାହ କଥାରେ ସବୁବେଳେ ନିରବ । ମା ବାପା ବୟସର ଅପରାହ୍ନରେ । କିନ୍ତୁ ତଥାପି ଆଦିତ୍ୟ ବିବାହ ପ୍ରତି ବିମୂଖ । ଜୀବନର ବାଟରେ ସେ ଏକାଏକା ଆଉ ଏକା ଏକା ଭୁବନେଶ୍ବର ରେ ତା ବୁଢା ବାପା ମା ! ଆଜି ଏ ନିଶ୍ବାସ ଗୀତଟା ତା ହୃଦୟ ତଳେ କୁହୁଳିଥିବା ଅନେକ ଦିନ ତଳର ପ୍ରେମର ନିଆଁଟାକୁ ଆଉଟିକେ କୁହୁଳାଇ ଦେଇଛି । ସେଇଥିପାଇଁ ଆଜି କଲ୍ୟାଣୀର କଥାଟା ରହିରହି ଅନେକ ମନେପଡୁଛି ଆଦିତ୍ୟକୁ । ମନେପଡୁଛି କଲ୍ୟାଣୀ ପ୍ରତି କରିଥିବା ଅବିଚାରକୁ । ନିଜର ସ୍ବାର୍ଥପାଇଁ କଲ୍ୟାଣୀର ପ୍ରେମକୁ ଦୂରେଇ ଦେବାକୁ ଟିକିଏ ହେଲେ ସଂକୋଚ କରିନଥିଲା ଆଦିତ୍ୟ । ତା ମନରେ ବିଦେଶ ଯିବାର ନିଶାଟା ଏମିତି ଘର କରିନେଇଥିଲା ଯେ ପ୍ରେମଟା ତା ପାଇଁ ଗୌଣ ହୋଇପଡିଲା । କଲ୍ୟାଣୀ ଯେ ବିବାହ କରି ଆଉ କାହା ହାତ ଧରିନେଉ ସେଥିରେ ମଧ୍ୟ ସେ ରାଜି ଥିଲା । ହେଲେ ଏହି ସାତ ବର୍ଷ ଭିତରେ କଲ୍ୟାଣୀକୁ ବହୁତ ମିସ୍ କରିଛି ଆଦିତ୍ୟ । ତେଣୁ ଆଜି ଓଡିଶା ଆସିଲା ପରେ ତା କଥା ଟା ହଠାତ୍ ତାକୁ ବହୁତ ମନେପଡୁଛି । ଗାଡି ଭିତରୁ ରାସ୍ତାର ଉଭୟ ପଟକୁ ଭଲକରି ଦେଖିଯାଉଥାଏ ଆଦିତ୍ୟ । ହଠାତ୍... ହୋଟେଲ୍ ପାଖରେ ଟ୍ୟାକସି ଡ୍ରାଇଭରକୁ କହିଲା " ହାଁ ରଖ ରଖ " ! ଆଶ୍ଚର୍ଯ୍ୟ ହୋଇ ଟ୍ୟାକସି ଡ୍ରାଇଭର କହିଲା " ସାର୍ ଆପଣ ପରା ... ଯାଇଥାନ୍ତେ" !!! ଆଦିତ୍ୟ ହସିଦେଇ କହିଲା " ଆରେ ! କିଛି ପୁରୁଣା ଜରୁରୀ କଥା ମନେପଡିଗଲା ତ । ତୁ ମୋତେ ଏଇଠି ଛାଡିଦେ । ତୋ ପୁର
ା ଟଙ୍କାଟା ଦେଇଦେବି ମ " ! ଏହାପରେ ଟ୍ୟାକସି ବାଲାକୁ ଟଙ୍କାଦେଇ ସେଠାରେ ଓହ୍ଲାଇଗଲା ଆଦିତ୍ୟ । ରାସ୍ତା କଡରୁ ଛିଡାହୋଇ ଦେଖୁଥାଏ ସେହି ... ହୋଟେଲ ପାଖରେ ଥିବା ପାର୍କ କୁ । ଯେଉଁ ପାର୍କ ରେ ଅନେକ ବର୍ଷ ଆଗରୁ ସେ କଲ୍ୟାଣୀକୁ ପ୍ରେମରେ ଅନେକ ପ୍ରତିଶ୍ରୁତି ଦେଇଥିଲା ; ଯେଉଁ ପାର୍କରେ ନିଷ୍ଠୁର ହୋଇ ଶେଷ ସାକ୍ଷାତରେ କଲ୍ୟାଣୀକୁ ତାଙ୍କପ୍ରେମକୁ ଭୁଲିଯିବାକୁ କହିଥିଲା ! ହେଲେ ଆଜି ନିଜକୁ ପ୍ରଶ୍ନ ଲେ ନିଜେ ନିଜକୁ ଜଣେ ଅପରାଧୀ ଭଳି ଅନୁଭବ କରେ ଆଦିତ୍ୟ । ମନେମନେ ଭାବେ ସତରେ ଜୀବନରେ ସବୁକିଛି ଆଉଥରେ ପାଇହୁଏ ହେଲେ ପ୍ରଥମ ପ୍ରେମ ତ ପ୍ରଥମ ପ୍ରେମ ! ତାକୁ କେବେ ଭୁଲିହୁଏ ନା ଥରେ ହଜାଇଦେଲେ ଆଉ ପାଇହୁଏ ! ଏତିକି ବେଳେ ସେହି ଟ୍ୟାକ୍ସି ଡ୍ରାଇଭର ପୁଣି ଆସି ଆଦିତ୍ୟ ଆଗରେ ଛିଡା ହୋଇଗଲା । ହସିହସି ଲହିଲା " କଣ ସାର୍ ! ଏଯାଏ ଯାଇନାହାନ୍ତି ! ମୁଁ ଏୟାରପୋର୍ଟରୁ ସେକେଣ୍ଡ ଟ୍ରିପ୍ ଆଣିସାରିଲିଣି । ଆପଣଙ୍କ ଭଳି ସେ ମ୍ୟାଡାମ୍ ବି କହିଲେ ଏଇଠି ଆଟକିବାକୁ କିଛି ସମୟ ପାଇଁ ! ସେ ଟ୍ୟାକସି ଭିତରେ ବସିଛନ୍ତି ' ! ଏକଥା ଶୁଣି ଆଦିତ୍ୟ ହସିହସି କହିଲା " ଆରେ ! ତୁ କଣ ତାଙ୍କୁବି ସେ ନିଶ୍ବାସ ଗୀତ ଟା ଶୁଣାଇଦେଲୁକି " ? ବଡ ହଁ ଟେ ମାରି ଟ୍ୟାକ୍ସି ଡ୍ରାଇଭର ବି ଆଦିତ୍ୟ ସହ ହସିବାକୁ ଲାଗିଲା ! ଏତିକିବେଳେ ହଠାତ୍ ଆଦିତ୍ୟର ମୋବାଇଲ ଟା ବାଜିଉଠିଲା । ଫୋନ୍ ରେ କଥା ହେଲାପରେ ମୁହଁଟା ଶୁଖିଗଲା ଆଦିତ୍ୟର । ଡ୍ରାଇଭର ପଚାରିଲା "କଣ ହେଲା ସାର୍ ! ଏମିତି ଚୁପ୍ ରହିଲେ ଯେ" ? ବିଷର୍ଣ୍ଣ ବଦନରେ ଆଦିତ୍ୟ କହିଲା " ଏୟାରପୋର୍ଟରୁ କଲ ଆସିଥିଲା । ମୁଁ ଯେଉଁ ପ୍ଲେନ ରେ ଆସିଥିଲି ସେଥିରେ ଦୁଇଜଣ କରୋନା ପଜିଟିଭ୍ " । ଏତିକି ଶୁଣି ଡିଆଁଟେ ମାରି ଟ୍ୟାକ୍ସି ଡ୍ରାଇଭର ଗାଡି ପାଖରେ ପହଞ୍ଚି ସେ ମ୍ୟାଡାମ୍ ଙ୍କୁ କହିଲା " ମ୍ୟାଡାମ୍ ତୁମେ ଜଲଦି ଓହ୍ଲାଓ ! ଆମେ ଘରକୁ ଯିବ " ! ଜବରଦସ୍ତି ସେ ମ୍ୟାଡାମଙ୍କୁ ଟ୍ୟାକ୍ସିରୁ ଓହ୍ଲାଇ ଦେଇ ସେ ଗାଡିଧରି ସେଠାରୁ ବିଜୁଳି ବେଗରେ ଉଭାନ ହୋଇଗଲା । କଣ ହେଲା କିଛି ବୁଝିନପାରି ସେ ମ୍ୟାଡାମ୍ ଜଣକ ଆଦିତ୍ୟକୁ କିଛିସମୟ ନିରବରେ ଚାହିଁରହିଲେ ! ଏହାପରେ ଆଦିତ୍ୟ ତାଙ୍କୁପଚାରିଲା " ଆପଣ କେଉଁଠାକୁ ଯିବେ ମ୍ୟାଡାମ୍ " ? ସେ ଅଜଣା ନାରୀ ଜଣକ ମୁହଁରେ ପିନ୍ଧିଥିବା ମାସ୍କ ଭିତରୁ କହିଲେ " ଯିବାର ଥିଲା ତ ଘରକୁ ହେଲେ ଏବେ କହିପାରୁନି " ! " ମାନେ ?" ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆଦିତ୍ୟ । " କେମିତି କହିବି ! ଆପଣ ଟିକେ ଦୂର ରେ ରୁହନ୍ତୁ ମୋ ଠାରୁ ! କଥା କଣକି ମୁଁ ଯେଉଁ ପ୍ଲେନ ରେ ଭୁବନେଶ୍ବର ଆସିଲି ସେ ପ୍ଲେନ ରେ ଦୁଇଜଣ କରୋନା ପଜିଟିଭ୍ ଯାତ୍ରୀ ଥଲେ । ସେଥିପାଇଁ ଏବେ ସେଠାକୁ ଯିବାକୁ ହେବ ! ମେ ବି ଆଇସୋଲେସନ୍ ପାଇଁ " ବୋଲି ମନ ଦୁଃଖରେ କହିଲେ ସେ ମ୍ୟାଡାମ ଜଣକ । ଏଥର ଆଦିତ୍ୟ କହିଲା " ମୋର ବି ସେମ୍ କେସ୍ । ବହୁତ ନର୍ଭସ ଲାଗୁଛି ! କଣ ଯେ ହେବ ! ଆଚ୍ଛା ଆପଣ ମ୍ୟାରେଡ୍ " ?
ମ୍ୟାଡାମ୍ : ନା ! କାହିଁକି ?
ଆଦିତ୍ୟ : କାହିଁକିନା ମ୍ୟାରେଡ୍ ହେଲେ ରେସପନସିବିଲିଟି ଟା ଅଧିକ ! ମରିବାକୁ ଇଚ୍ଛା କଲେବି ମରିହୁଏନି ! ମୁଁ ବି ଅନମ୍ୟାରେଡ୍ ! ଏ କରୋନାରେ ମରିଗଲେବି ଦୁଃଖ ନାହିଁ !
ଦୀର୍ଘ ଶ୍ବାସଟେ ଛାଡି ମ୍ୟାଡାମ ଜଣକ କହିଲେ " ବଞ୍ଚିବାକୁ ବି କିଏ ଚାହୁଁଛି ? ହେଲେ ଆପଣ ଏଇଠି କଣ କରୁଛନ୍ତି " ? ଏଥର ଆଦିତ୍ୟ କହିଲା " ଅତୀତର କିଛି ଭୁଲ୍ ପାଇଁ ଏଇଠି ପଶ୍ଚାତାପ କରୁଛି ..."!!! ଏତିକିବେଳେ ତାଙ୍କଲୋକେସନ ଟ୍ରେସ କରି ମେଡିକାଲ ଗାଡି ଆସି ପହନ୍ଚିଗଲା । ଯେତେବେଳେ ଆଇଡ୍ୟାନଟିଟି ପ୍ରୁଫ୍ ପାଇଁ ଉଭୟେ ମାସ୍କ ଖୋଲିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଉଭୟେ ଉଭୟଙ୍କୁ ଦେଖି । କାରଣ ସେ ମାସ୍କ ତଳେ ଲୁଚିଥିବା ଚେହେରା ଦୁଇଟି ଥିଲା ଆଦିତ୍ୟ ଆଉ କଲ୍ୟାଣୀଙ୍କର । ମେଡିକାଲ ଭେନ୍ ଭିତରେ ଦୁହେଁ ଦୁହିଁଙ୍କୁ ଚୁପ୍ ଚାପ୍ ଚାହିଁବସିଥିଲେ । ବୋଧହୁଏ କରୋନା ସହ ଲଢିବାକୁ ଦୁହେଁ ମାନସିକ ସ୍ତର ରେ ପ୍ରସ୍ତୁତ ହେଉଥିଲେ କାହିଁକିନା ଏହାଭିତରେ ଉଭୟେ ବଞ୍ଚିବାର ନୂଆ ବାହାନାଟେ ପାଇଯାଇଥିଲେ ! !!