Jyotiranjan Sahu

Tragedy

4  

Jyotiranjan Sahu

Tragedy

ଥିଓରୀ

ଥିଓରୀ

5 mins
26



ଯେବେଠୁ ଏ କରୋନା ମହାମାରୀ ଆସିଛି ସେବେଠାରୁ ରାଜର ମୁହଁରୁ ହସ ଲିଭିଯାଇଛି । ମନଟା ସବୁବେଳେ ବିଚଳିତ ହୋଇରହୁଛି । ମନଟା ଅହରହ ବ୍ୟତିବ୍ୟସ୍ତ ଥିବାପରି ମନେହେଉଛି । ସୁଖ ଶାନ୍ତି ସବୁ ଯେମିତି କେଉଁଆଡେ ଅଦୃଶ୍ୟ ହୋଇଯାଇଛି । ଅବସାଦଗ୍ରସ୍ତ ମନଟା ପାଇଁ ରାଜର ସର୍ବଦା ଚଳଚଞ୍ଚଳ ଶରୀରଟାରେ ବି ଶିଥିଳତା ପଡିଯାଇଛି । କେଉଁଥିରେ ହେଲେ ମନଟା ଲାଗୁନି । କେମିତି ଲାଗିବ ମନ ! ସବୁବେଳେ ତ ଭୟଟା ମାଡିବସିଛି ଭାବନାକୁ । ଘରୁ ବାହାରକୁ ଯିବା ପୂର୍ବରୁ ଶହେଥର ମନକୁ ପଚାରୁଛି ରାଜ୍ ' କେହି କରୋନା ରୋଗୀ ବଜାରରେ ବୁଲୁନଥିବେ ତ ? କିଣିଥିବା ଜିନିଷଗୁଡାକୁ ଆଗରୁ ଅନ୍ୟକେହି ଧରିନଥିବେ ତ ! ମୋର ଆଉ କାହା ସହ ଅଜାଣତରେ ସ୍ପର୍ଶ ହୋଇଯାଇନାହିଁ ତ '? ଏମିତି କେତେକଣ ଭାବନା ତା ମନଟାକୁ ଛନ୍ଦାଛନ୍ଦି କରି ରଖିଛି ! ସେ ଭାବନାରୁ ରାଜ୍ ଯେତେ ମୁକୁଳିବାକୁ ଚେଷ୍ଟା କରୁଛି ସେତେସେତେ ଟିଭିରେ ଦେଖାଉଥିବା କରୋନା ଡାଟାରେ ମନଟା ଛନ୍ଦିହୋଇ ପଡିଯାଉଛି ! ଅନେକ ଲୋକ ଏହାକୁ ଖାତିର୍ କରୁନଥିଲେବି ରାଜ୍ କିନ୍ତୁ ଏସବୁ ପ୍ରତି ଖୁବ୍ ଯତ୍ନବାନ୍ । ସେ ବେଳେବେଳେ ଭାବେ " କେମିତି ଏ ଲୋକଗୁଡାକୁ ଭୟ ଲାଗୁନି କେଜାଣି ? ଟିକିଏବି ସତର୍କ ଥିବାପରି ମନେହୁଅନ୍ତି ନାହିଁ ! ମୋତେ ଲାଗୁଛି ବୋଧହୁଏ ଯେମିତି ଦୁନିଆଁର ସବୁଯାକ ଭୟ ଖାଲି ମୋପାଖରେ ରହିଛି " ! ତେବେ ରାଜର ଚିନ୍ତାଧାରା ଯାହାଥାଉନା କାହିଁକି ଏ କଥାକୁ ଅଣଦେଖା କିମ୍ବା ଆଡେଇ ଦେଇ ହେବ ନାହିଁ ଯେ ସେଦିନ ଯେଉଁ ମହାମାରୀଟା ଆମଠାରୁ ହଜାର ହଜାର କିମି ଦୂରରେ ଥିଲା ଓ ଆମେ ନିଶ୍ଚିନ୍ତ ଥିଲୁ ଯେ ଆମେ ଗୋଟିଏ ସୁରକ୍ଷିତ ଦୂରତାରେ ଅଛୁ ବୋଲି ; ଆଜି ସେହି ମହାମାରୀ ଆସି ଆମ ଘର କଲିଂବେଲ ମାରୁଛି ! ଅନେକ ଦୁଃସାହସୀ କୌତୂହଳରେ କବାଟ ଖୋଲିଦେଉଛନ୍ତି ଆଉ କିଛି ଆମ ରାଜ୍ ପରି ମାନସିକ ଦ୍ୱନ୍ଦ୍ୱ ଭିତରେ ଜୀବନ କାଟୁଛନ୍ତି । ସେଦିନର ଅଦେଖା ଅଜଣା ଶତ୍ରୁ ଆଜି ବଡ ଦର୍ପରେ ଆମ ଘର ଏରୁଣ୍ଡି ଡେଇଁ ବୈଠକ ଖାନାରେ ଆସି ଆସ୍ଥାନ ଜମାଇଲାଣି । ଆମେ କିନ୍ତୁ ନିଶ୍ଚିନ୍ତ ଯେ ସେ ଶତ୍ରୁର ମାରଣାସ୍ତ୍ରରୁ ଆମେ ସୁରକ୍ଷିତ ! ଶତ୍ରୁର ସେ ଅସ୍ତ୍ର ଆମର ସଂହାର ପାଇଁ ନୁହେଁ । ତାର ସେ ଅସ୍ତ୍ର ତ ଆଉ କାହା ପାଇଁ ! ! ହେଲେ ସେ ଆଉ କାହାପାଇଁଟା କିଏ ? ସେ ଆମ ବାପା ମା ଭାଇ ଭଉଣୀ କକା ଖୁଡୀ ପଡିଶା ଘର ରୋଗୀଣା ଦିଦି ଗରୀବ ଘରର ଭୋକିଲା ମାଉସୀ ଆମ୍ବ କୋଇଲି ଖାଇ ଦେହ ଖରାପ ହୋଇଥିବା ତଳସାହି ରାମୁର ବଗୁଲିଆ ପୁଅ ରାଧୁ ଆଉ ନୁହେଁତ ! ! ! ହେଲେ ଏକଥା ବୁଝୁଛନ୍ତି କେତେଜଣ ? କହିବା କାହାକୁ ଏଠି ବୁଝୁଛି କିଏ ? ଏଇଠି ଅନେକ ଅବୁଝାମାନଙ୍କ ଭିତରେ ରାଜ୍ କିନ୍ତୁ ବୁଝିବା ଶୁଝିବା ପିଲାଟିଏ ! ସେ ଠିକ୍ ବୁଝିଛି ଏ ମହାମାରୀର ଭୟାବହତା । ପ୍ରତି ମୁହୂର୍ତ୍ତରେ ସେ ବିଚଳିତ ଏ ମହାମାରୀ ପାଇଁ । କାହିଁକି ନହେବ ସେ ! ଘରେ ତାର ଚାରି ବର୍ଷର ବାଳୁତ ପୁଅଟା ଅଛି ପରା ! ଆଉ ତାର ଅତି ପ୍ରାଣପ୍ରିୟା ପତ୍ନୀ ରାଧା !! ସେ ପୁଣି ଛଅ ମାସର ଅନ୍ତଃସତ୍ତ୍ୱା ! ତେଣୁ ରାଜର ଟିକିଏ ଅସାବଧାନତା ତାର ହସଖୁସିର ସଂସାରକୁ ଉଜାଡିଦେବାକୁ ଯେ ବେଶି ସମୟ ନେବ ନାହିଁ ସେ କଥା ତାକୁ ବେଶ୍ ଭଲଭାବେ ଜଣା । ଏତେସବୁ ଭିତରେ ଗୋଟିଏ କଥା ସତଯେ ଏ ମହାମାରୀରେ ସାରା ବିଶ୍ୱରେ ଲକ୍ଷାଧିକ ଲୋକ ମୃତ୍ୟୁର କୋଳରେ ! ଲକ୍ଷ ଲକ୍ଷ ପରିବାରରେ ମୃତ୍ୟୁର ଭୟଙ୍କର ତାଣ୍ଡବ ! ତେଣୁ ରାଜଧାନୀର ବଡ ଡାକ୍ତରଖାନାରେ ଲେବରେଟୋରୀ ଟେକନିସିୟନ ଭାବେ କାମ କରୁଥିବା ରାଜ୍ ଭାବିଛି ଦୁଇ ମାସ ଛୁଟିରେ ରହିବ । ନିଜ ସଂସାରର ଯତ୍ନ ନେବ ! ହେଲେ ତା ଛୁଟି ଦରଖାସ୍ତ ଗ୍ରହଣୀୟ ହେଲାନାହିଁ ! ବଡ ଅଫିସରଙ୍କ ସହ ଅନେକ ଯୁକ୍ତିତର୍କ ପରେ ମଧ୍ୟ ତାକୁ ଛୁଟିରେ ରହିବାକୁ ଅନୁମତି ମିଳିଲା ନାହିଁ । ବଡ ଅସହାୟ ମନେକଲା ରାଜ୍ ନିଜକୁ । ଅଫିସରଙ୍କର କଠୋରତା ପୂର୍ଣ୍ଣ ବ୍ୟବହାର ତାକୁ ମନେମନେ ବହୁତ ଆଘାତ ଦେଲା । ବଡ ଅଫିସର କହିଥିବା କଥା ' ହୋଇହୋ ! ରାଜ୍ ବାବୁ ! କୌଣସି ସରକାରୀ କର୍ମଚାରୀକଂ ଛୁଟି ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସରକାରଙ୍କର ଚରମବାଣୀ । ଇଚ୍ଛା ହେଉଛି ଯଦି ଚାକିରି କର ନଚେତ୍ ଚାରିକି ଛାଡି ଘର ଜଗିବ ଯାଅ ! ଛୁଟିର ପ୍ରଶ୍ନ ଉଠୁ ନାହିଁ ! ଦେଖୁଛ ବଡ ମେଡିକାଲରେ ତିନିଜଣ ଡାକ୍ତର ଏକ୍ସପାଡ୍ କଲାପରେବି କର୍ମଚାରୀଙ୍କୁ ଛୁଟି ମିଳିନି ! ଆଉ ତୁମ ଛୁଟି ଗ୍ରାଣ୍ଟ କରିବ କିଏ ? ଏତେ ଯଦି ଡର ଲାଗୁଛି ମିସେସ୍ର ପଣତକାନି ତଳେ ଲୁଚିବ ଯାଅ ! ଅଯଥା ମୋ ସହ ଛୁଟି ପାଇଁ ଯୁକ୍ତିତର୍କ କରନାହିଁ ' ରାଜ୍ ମନରେ ବରମ୍ବାର ପ୍ରତିଧ୍ୱନିତ ହେଉଥିଲା । ମନଟା ପ୍ରତିବାଦ କରି କହୁଥିଲା " ନା ! ଏ ନିଆଁଲଗା ଚାକିରି ଆଉ କରିପାରିବିନି " ! ହେଲେ ପରମୁହୂର୍ତ୍ତରେ ପୁଣି ଭାବୁଥିଲା " ଯଦି ଚାକିରି ଗଲା ତେବେ ମୋ ପରିବାର ଚଳିବ କେମିତି ? ସାଂଗେସାଂଗେ ପରିବାର ଚଳେଇବାକୁ ଏ କରୋନା ମହାମାରୀ ସମୟରେ ମୋତେ ଟଂକା ବା ଦେବ କିଏ " ? ବିବଶତାର ଅନ୍ୟ ଏକ ନାଁ ବୋଧେ ସରକାରୀ ଚାକିରି ବୋଲି ଆଜି ମନେମନେ ଅନୁଭବ କରିଥିଲା ରାଜ୍ ! ଆଜି ଅନୁଭବ କରୁଥିଲା ନିଜ ସ୍ୱାଧୀନତାର ହତ୍ୟା ହେଲାପରେ ବି ଗୋଟିଏ ସ୍ବାଧୀନ ଦେଶରେ ଜଣେ କିପରି ଦାସତ୍ବର ମୌନ ଶିକୁଳିରେ ନିରବ ! ରାଜର ଆଜି ଇଚ୍ଛା ହେଉଛି ନେଇପାରନ୍ତା କି ନିଜ ପ୍ରିୟଜନଙ୍କୁ କେଉଁ ଏକ ଅଜଣା ରାଇଜକୁ ଯେଉଁଠି ନଥିବ ଭୟର ପଦଧ୍ୱନି ! ହେଉନଥିବ ସ୍ୱାଧିନତାର ହତ୍ୟା ! ଥିବ ମଣିଷର ମୌଳିକ ଅଧିକାର ଆଉ କର୍ତ୍ତବ୍ୟର ସମ୍ମାନ ! ନଥିବ ମାନବ ସମ୍ବଳ ଉପରେ ଲୋଲୁପ ଦୃଷ୍ଟି ! ହେଲେ ଏହା କଣ ସମ୍ଭବ ! ଆଜିବି ମନେଅଛି ରାଜର ଷଷ୍ଠ / ସପ୍ତମ ଶ୍ରେଣୀରେ ପଢିଥିବା ମୌଳିକ ଅଧିକାର ଆଉ କର୍ତ୍ତବ୍ୟ ! ସାର୍ କହିଥିଲେ ସମ୍ବିଧାନରେ ଥିବା ମୌଳିକ ଅଧିକାର ଆଉ କର୍ତ୍ତବ୍ୟ ସମାଜର ଦୁର୍ବଳ ଶ୍ରେଣୀର ସବୁଠାରୁ ବଡ ବଳ ! ହେଲେ ଆଜି ନିଜ ଇଚ୍ଛାର ମୃତ୍ୟୁ ହେବା ଦେଖି ରାଜ୍ ମନରେ ଅନେକ ସନ୍ଦେହାତ୍ମକ ପ୍ରଶ୍ନ । କ୍ଳାନ୍ତ ଶରୀର ଭଗ୍ନ ମନକୁ ନେଇ ରାଜ୍ ଆସି ଘରେ ପହନ୍ଚିଲା । ସେଦିନ ରାତିରେ ହଠାତ୍ କାହିଁକି କେଜାଣି ରାଜ୍ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କଲା ! ହେଲେ କରୋନାର ଆତଂକରେ ରାଜ୍ କୁ ହସ୍ପିଟାଲ ନେଇ ପହନ୍ଚାଇବାରେ କିଛିଟା ବିଳମ୍ବ ହୋଇଗଲା । କାହିଁକିନା ଏ କରୋନା କାଳରେ ଅସୁସ୍ଥତାଟା ପରା ଅସ୍ପୃଶ୍ୟତା । ତେବେ ରାଜ୍ କୁ ନେଇ ଭେଣ୍ଟିଲେଟର ଭିତରେ ରଖାଗଲା । ଏପଟେ ରିପୋର୍ଟ ଆସିଲା କରୋନା ପଜିଟିଭ୍ । ଅନ୍ୟ ଲୋକଙ୍କୁ କରୋନାର ଠିକଣା କହୁଥିବା ରାଜକୁ ଆଜି କରୋନା ନିଜ ଠିକଣା କରିନେଇଥିଲା । ବନ୍ଧୁ ପରିଜନମାନଙ୍କ ପାଖରୁ ରାଜ୍ ଏବେ ଥିଲା ଅନେକ ଦୂରରେ । ବର୍ତ୍ତମାନ ସେ ପାଲଟିଯାଇଥିଲା ଅନ୍ୟ ପାଇଁ ଅସ୍ପୃଶ୍ୟ । କରୋନାର ଲକ୍ଷ୍ମଣରେଖା ସେପଟେ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଥିଲା ରାଜ୍ । ସେହି ଭେଣ୍ଟିଲେଟର ଭିତରୁ ନିଜକୁ ବାଲ୍ୟ ସମୟର ଭିନ୍ନ ଏକ ଦୁନିଆଁରେ ଠାବକରିଥିବା ରାଜକୁ ତାର ବିଜ୍ଞାନ ଶିକ୍ଷକ ହରି ମାଷ୍ଟ୍ରେ ପ୍ରଶ୍ନ କରୁଥିଲେ " ତୋର କେତେବେଳେ ଏହାର ଉତ୍ତରଟା ମନେରହୁନି ! କହିଲୁ ଡାରଉଇନ୍ ଥିଓରୀ କଣ "? ଉତ୍ସହର ସହ ରାଜ୍ କହୁଥିଲା " ସାର୍ ! ସାର୍ ! ଆଜି ମୁଁ ମୁଖସ୍ତ କରିଆସିଛି ! ଡାରଉଇନ୍ ଥିଓରୀ ହେଲା ଷ୍ଟ୍ରଗଲ ଫର୍ ଏଗଜିଷ୍ଟେନସ୍ ଏଣ୍ଡ ସରଭାଇବାଲ୍ ଅଫ୍ ଫିଟେଷ୍ଟ .... ... ... " ! " ଆରେ ବାଃ ! ଏତେଦିନପରେ ଯାଇ ଉତ୍ତରଟା ମନେରଖିଛୁ ..." ବୋଲି କହୁଥାନ୍ତି ହରି ମାଷ୍ଟ୍ରେ ଆଉ ତାଂକ ମୁହଁରୁ ପ୍ରଶଂସା ଟିକିଏ ଶୁଣି ରାଜ୍ ମୁହଁରେ ଖେଳିବୁଲୁଥିଲା ଆତ୍ମସନ୍ତୋଷ ହେଲେ ଏପଟେ ଇସିଜି ମେସିନ ସୂଚାଇଦେଉଥାଏ ହୃଦସ୍ପନ୍ଦନର ନିରବତା ସେପଟେ ଭେଣ୍ଟିଲେଟର ଭିତରେ ରାଜର ନିରବ ମୁଖମଣ୍ଡଳରେ ଶେଷଥର ପାଇଁ ଖେଳିଥିଲା ଧାରେ ହସ ! ! !



Rate this content
Log in

Similar oriya story from Tragedy