କଳା ଠାକୁର ପୁଅ ମୋହର
କଳା ଠାକୁର ପୁଅ ମୋହର
"ବଡ ଦାଣ୍ଡରେ କହି ବୁଲିବି କାଳିଆ ପୁଅ ମୋର ; ଜଗତ ଲାଗି ଖୋଲି ଦେଇଛି ସିଂହ ଦୁଆର ତାର , ପୁଅ ମୋହର କଳା ଠାକୁର; କଳାଠାକୁର ପୁଅ ମୋହ... " ସେଦିନର ସେ କାଳିଆ ପୁଅ ଆଜି ଆଉ ନାହାନ୍ତି । ସେହି ବର୍ଷିଆନ ଅଭିନେତା ଆମକୁ ଛାଡି ଚାଲିଯାଇଛନ୍ତି ସେହି କଳା ଠାକୁର ପାଖକୁ । କାହିଁକି କେଜାଣି ଆଜି ସେ ବହୁତ ମନେପଡନ୍ତି; ତାଂକ ଅଭିନୟ ପାଇଁ ତାଂକ ବ୍ୟକ୍ତିତ୍ବ ପାଇଁ । ତାଂକ ଜୀବନ୍ତ ଅଭିନୟ ଦେଖି ଦେଖି ସ୍ନେହ ସମ୍ପର୍କ ଆଉ ପରିବାର ର ମୂଲ୍ୟ ଯେ ଜୀବନରେ କେତେ ମହତ୍ତ୍ବ ରଖେ ତାହା ବୁଝିପାରିଥିଲି । ସେଦିନର ତାଂକ ପ୍ରତ୍ୟେକଟି ଚଳଚ୍ଚିତ୍ର ର ପ୍ରତ୍ୟେକଟି ଚରିତ୍ର ରେ ଭରିରହିଥିଲା ସମ୍ପର୍କକୁ ନେଇ ଅନେକ ଶିକ୍ଷା ; ପରିବାର ପାଇଁ କରାଯିବାକୁ ଥିବା ତ୍ୟାଗ । ସେ ଛାଡିଯାଇଛନ୍ତି ଜୀବନ୍ତ ଅଭିନୟର ଅନେକ ଦୃଷ୍ଟାନ୍ତ । ଅନେକ ଚଳଚ୍ଚିତ୍ର ତାଂକର ଜଗା ନାଁର ଆଖପାଖରେ ଛନ୍ଦାଛନ୍ଦି । ଆଜି ସେ ଦିନର ଜଗାକୁ ବୋଧେ ଚକା ଆଖିର ବହୁତ ମନେପଡିଗଲା । ତେବେ ସେ ଦିନର ଜଗା ସିନା ଅଣଲେଉଟା ରଥରେ ଚଢି ଚାଲିଗଲେ ! ହେଲେ ମୋ ଜଗା ! ସେ ବି ତ ବୟସର ଅପରାହ୍ନରେ । ତାଂକରି ଭଳି ନିଶ ତାଂକରି ଭଳି ହସ ତାଂକରି ଭଳି ଚାଲି ରଂଗ ଢଂଗ ରୂପ ଭେକ ସବୁକିଛି । ଫରକଟା ଏତିକି ସେ ଜଗାକୁଂ ଦୁନିଆଁ ଜାଣିଛି ବିଜୟ ମହାନ୍ତି ବୋଲି ଆଉ ମୋ ଜଗା ଦୁନିଆଁ ଭିଡରେ ଅଜଣା ହୋଇ ରହିଯାଇଛନ୍ତି ବାପାର ସଂଜ୍ଞା ନେଇ । ମୋ ଜଗା ପରି ସେଦିନର ଅନେକ ଅଜଣା ଜଗା ରହିଥିବେ ଦୁନିଆଁର କୋଣ ଅନୁକୋଣରେ ; ବୟସର ଅପରାହ୍ନରେ ; କ୍ଳାନ୍ତ ଶରୀରଟା ବୟସର ଆଶ୍ରାରେ । ମୋ ଜଗା ପରି ସେହି ଜଗା ମାନେ ବି ଦିନେ ନା ଦିନେ ଗାଇ ଆମକୁ ଶୁଆଇଥିବେ ' ନିଦ ମାଉସୀ ଦେ ଆଉଁଷି ଧନକୁ ମୋର ଆସି...' । ଆଜି ବୟସର ଅପରାହ୍ନରେ ସାହା ଖୋଜୁଥିବା ସେହି ଜଗା ମାନକୁଂ ଲୋଡା କେହିଜଣେ ଯିଏ ଆଜି ସେମାନକୁଂ ନିଦ ମାଉସୀ ଗ
ାଇ ଶୁଆଇ ଦେଉଥିବ ! ମୋର ଅନୁରୋଧ ସବୁ ସନ୍ତାନ ମାନକୁଂ ଯେ ସେମାନେ ତାଂକ ଜଗାର ଯତ୍ନ ନିଅନ୍ତୁ । କିଏ ଜାଣେ ଜଗା ମାନକରି ଅଣଲେଉଟା ରଥରେ ବସି କେବେ ଚାଲିଯିବ ! ତାପରେ ମନ ଯେତେ ଝୁରିଲେବି ଆଖି ଯେତେ ଖୋଜିଲେବି ଅବଶୋଷର ମରିଚିକା ଭିତରେ ଅଶ୍ରୁ ଦିଗହରା ହୋଇ ବର୍ଷିବ ସିନା ହେଲେ ସ୍ମୃତିର ରାଇଜରେ ତୃଷା ର ନିବାରଣ ହେବନାହିଁ । ସେଦିନ ବି ଆସିବ ଯେଉଁଦିନ ସବୁଦିନ ପାଇଁ ହଠାତ୍ ବିଲୀନ ହୋଇଯିବ ଜଗା ! ଆଉ ତାପରେ ! ସେ ବାପା ଡାକରେ ଆପଣାର ମାଧୁର୍ଯ୍ୟତା ନଥିବ ; ପ୍ରଶ୍ନର ଉତ୍ତର ନଥିବ ! ଧ୍ବନି ଖାଲି ପ୍ରତିଧ୍ବନିତ ହେଉଥିବ ! ପ୍ରେମ ର ସ୍ପର୍ଶ ଭିତରେ ମନଟା ସ୍ନେହର ଅମୂଲ୍ୟ ସ୍ପର୍ଶକୁ ଝୁରୁଥିବ ! ବାପା ମୁହଁରୁ ଆଉ ବାପାରେ କି ମା ରେ ଶୁଭୁନଥିବ ! କେମିତି ଲାଗିବ ଜୀବନ ! ଯାହାକୁ କିଛି ନଲାଗିବ ସେ ନିଶ୍ଚୟ ସ୍ବାର୍ଥର ବେଡିରେ ବନ୍ଧାଥିବ ! କିଛି ସମ୍ପତ୍ତି ଆଶା କିଛି ଲୋଭ କିଛି ମାନ ଅଭିମାନ ନହେଲେ କିଛି କୁମନ୍ତ୍ରଣା ! ଏସବୁର ସେପାଖରେ କିଛି ସୁନ୍ଦର ସମ୍ପର୍କ ସ୍ନେହ ସହାନୁଭୂତି ଭଲପାଇବାର ବିହୁନେ ଜର୍ଜରିତ । ସଭିଁଏ ଜାଣନ୍ତି ସମସ୍ତେ ଦିନେ ସେ ଅଣଲେଉଟା ରଥର ଯାତ୍ରୀ । ତଥାପି କିଛି ସମୟର ଅଭିନୟ ଭିତରେ ଆମେ ସମ୍ପର୍କକୁ ଭାଂଗିବାରେ ବ୍ୟସ୍ତ ! ନିଜ ଚରିତ୍ରକୁ ସଂକୁଚିତ କରିବାରେ ବ୍ୟସ୍ତ ! ସମୟ ଚାଲିଯାଉଛି ଅବିଶ୍ରାନ୍ତ ନଦୀଟିଏ ଭଳି । ତେଣୁ ସବୁ ସନ୍ତାନ ମାନକୁଂ ମୋର ପୁଣି ଅନୁରୋଧ ଆଜି ଯେଉଁ ଜଗାକୁ ଦେଖୁଛ କାଲି ସେମାନେ ଚକ୍ଷୁର ଦୃଶ୍ୟପଟ୍ଟରୁ ଅଦୃଶ୍ୟ ହୋଇଯିବେ ! ତେଣୁ ସେମାନେ ଅଦୃଶ୍ୟ ହେବା ଆଗରୁ ମନଭରି ତାଂକ ସହ ଜୀବନକୁ ଉପଭୋଗ କର ! ଜୀବନକୁ ତାଂକ ସହ ଜୀଇଁବାକୁ ଚେଷ୍ଟାକର ! ତାଂକ ମନରେ ଅବଶୋଷ ର ଚିହ୍ନ ନରହୁ । ଦେଖିବ ସବୁ ଜଗାକଂ ମୁହଁରୁ ଶୁଭୁଥିବ " କଳା ଠାକୁର ପୁଅ ମୋହର; ପୁଅ ମୋହର କଳା ଠାକୁର" ।