Kulamani Sarangi

Classics

5  

Kulamani Sarangi

Classics

କଥା କାଦମ୍ବରୀଭାଗ ୩୦

କଥା କାଦମ୍ବରୀଭାଗ ୩୦

5 mins
385



ଏକଚକ୍ର ପୁରରେ ମହାବଳୀ

***************************

ହିଡିମ୍ବାଙ୍କ ସହିତ କିଛି ଦିନ ରହିବା ପରେ ଭୀମଙ୍କ ମନ ବ୍ୟଗ୍ର ହେଲା ମାତା ଏବଂ ଭ୍ରାତାଙ୍କ ସହିତ ଏକଚକ୍ର ପୁରରେ ମିଳନ ପାଇଁ।ବିଦାୟ ସମୟରେ ପୁତ୍ର ବିରୋଚନ କପାଳରେ ଚୁମ୍ବନ ଦେଇ ହିଡିମ୍ବାଙ୍କୁ ଗଭୀର ଆଶ୍ଳେଷରେ ହୃଦୟରେ ଭିଡ଼ି ଧରିଲେ ଭୀମସେନ।ରାକ୍ଷସ-ରାଣୀ ହିଡିମ୍ବାଙ୍କ ଆଖିରୁ ବହି ଯାଉଥାଏ ଧାରଧାର ଅଶ୍ରୁ।ସେ ଜାଣନ୍ତି ଏହା ତାଙ୍କର ଭୀମଙ୍କ ସହିତ ଶେଷ ସାକ୍ଷାତ। ଭବିଷ୍ୟତରେ ହସ୍ତିନା ରାଜପ୍ରାସାଦ ତାଙ୍କପରି ରାକ୍ଷସୀ ବଧୂଙ୍କୁ ଫଫକଦାପି ଗ୍ରହଣ କରିବ ନାହିଁ ବୋଲି ସେ ସ୍ଥିର ନିଶ୍ଚିତ ଥିଲେ।ଘଟୋତ୍କଚ(ବିରୋଚନ)କୁରୁ-କୁଳର ପ୍ରଥମ ପ୍ରଦୀପ ହେଲେ ମଧ୍ୟ ହସ୍ତିନା ସିଂହାସନ ରାକ୍ଷସୀ ପୁତ୍ରକୁ କଦାପି ଆର୍ଯ୍ୟ ବଂଶର ଉତ୍ତର ଦାୟିତ୍ଵ ଦେବନାହିଁ,ଭଲ ଭାବରେ ଜାଣିଥିଲେ ହିଡିମ୍ବା।ଅଶ୍ରୁଳ ନେତ୍ରରେ ଭୀମଙ୍କୁ ବିଦାୟ ଦେଲେ ସେ।


ଭୀମ, ମାତା ଓ ଭ୍ରାତାମାନଙ୍କୁ ଏକଚକ୍ର ନଗ୍ରରେ ଭେଟିଲେ।ଅନ୍ୟ ଚାରି ପୁତ୍ରଙ୍କ ସହିତ କୁନ୍ତୀ ଜଣେ ବ୍ରାହ୍ମଣ ପରିବାରରେ ଅତିଥି ଭାବରେ ରହିଥିଲେ।ଭୀମଙ୍କ ଆଗମନରେ ପାଣ୍ଡବ ପରିବାରରେ ଯେଉଁ ଅଭାବ ଥିଲା ତାହା ପୂର୍ଣ୍ଣ ହୋଇଗଲା। ପାଣ୍ଡବମାନେ

ସତେଅବା ନୂଆ ଉଦ୍ଦିପନା ଏବଂ ନୂତନ ଜୀବନ ପାଇଲେ। ବ୍ରାହ୍ମଣ କୁଟୀରରେ ବ୍ରାହ୍ମଣ ବେଶରେ ରହିଲେ ପାଞ୍ଚଭାଇ। ଆଶ୍ରୟଦାତା ବଡ଼ ପ୍ରଶସ୍ତ ହୃଦୟ ଏବଂ ଦୟାବାନ୍ ବ୍ୟକ୍ତି ଥିଲେ।


ଦିନସାରା ଭିକ୍ଷାବୃତ୍ତି କରି ସନ୍ଧ୍ୟା ସମୟକୁ ପାଣ୍ଡବ ଭାଇମାନେ ଯେବେ କୁଟୀରକୁ ଫେରନ୍ତି, ସେମାନଙ୍କ ମଧ୍ୟରେ ଖାଦ୍ୟ ସମଭାବରେ ବାଣ୍ଟି ଦିଅନ୍ତି କୁନ୍ତୀ। କିନ୍ତୁ ଭୀମଙ୍କୁ ସେ ଖାଦ୍ୟ ନିଅଣ୍ଟ ପଡେ।ଭୀମଙ୍କୁ ବୁଭୁକ୍ଷୁ ଅବସ୍ଥାରେ ଦେଖି ଭୋଜନ ସମୟରେ ଅନ୍ୟ ଚାରିଭାଇ ନିଜ ନିଜ ଖାଦ୍ୟରୁ ଅଧା ଭୀମଙ୍କୁ ଦିଅନ୍ତି।ତଥାପି ଯେତେ ଭକ୍ଷଣ କଲେ ମଧ୍ୟ ବୃକୋଦରଙ୍କ ଉଦର ପୂର୍ଣ୍ଣ ହୁଏ ନାହିଁ। ସେଥିପାଇଁ ବେଳେ ବେଳେ ପାଖରେ ଥିବା କୁମ୍ଭକାର ଶାଳରେ ଶ୍ରମଦାନ କରି ଭୀମ ଯାହା ପାରିଶ୍ରମିକ ପାଆନ୍ତି , ନିଜ ଉଦର ଭରଣ ପାଇଁ ବ୍ୟୟ କରନ୍ତି।ଦିନକୁ ଦିନ ଭୀମଙ୍କର ଶରୀର କ୍ଷୀଣ ହେବାରେ ଲାଗିଲା।ହିଡିମ୍ବ ରାଜ୍ୟରେ ଥିବା ସମୟରେ ଖିର ଘିଅ ଦହି ଆକଣ୍ଠ ଭୋଜନ କରି ଭୀମ ହୃଷ୍ଟପୃଷ୍ଟ ହୋଇ ରହିଥିଲେ। ଏକଚକ୍ର ନଗ୍ରରେ ଭୀମଙ୍କ କ୍ଷୀଣ ସ୍ବାସ୍ଥ୍ୟ ଦେଖି କୁନ୍ତୀ ଚିନ୍ତିତା ଥିଲେ...କଣ କରିବି,ସର୍ବ-ଭକ୍ଷ ମୋ ପୁତ୍ରକୁ କୁଆଡୁ କ'ଣ ଆଣି ଖାଇବାକୁ ଦେବି?


ଦିନେ ଏହି ଭଳି ଚିନ୍ତାରେ କୁନ୍ତୀ ମଗ୍ନ ଥିବା ସମୟରେ ଆଶ୍ରୟଦାତା ବ୍ରାହ୍ମଣଙ୍କ ଘର ଭିତରୁ କ୍ରନ୍ଦନ ରୋଳ ଶୁଣିବାକୁ ପାଇଲେ। କୁନ୍ତୀଙ୍କ ମନ ଚଞ୍ଚଳ ହୋଇ ଉଠିଲା।କାନ ଡେରି ସେ ଶୁଣିଲେ ଗୃହସ୍ବମୀ ତାଙ୍କ ପତ୍ନୀଙ୍କୁ କହୁଛନ୍ତି.."ମୋ କଥା ନମାନି ଏଠାରେ ରହିବା ପାଇଁ ଜିଦ୍ କଲ, ସେଥିପାଇଁ ଏବେ ଆମେ ବିପଦରେ ଛନ୍ଦି ହୋଇ ଗଲେ। ମୁଁ ଆଗରୁ ତୁମକୁ କହୁଛି ଏ ସ୍ଥାନ ଛାଡି ଆମେ ଅନ୍ୟ ରାଜ୍ୟକୁ ଚାଲିଯିବା; ଯେଉଁ ଦେଶର ରାଜା ଭୀରୁ ଓ ପଳାତକ, ସେଠାରେ ପ୍ରଜାମାନଙ୍କୁ ଅଭୟ ଦେଇ କିଏ ରକ୍ଷା କରିବ ?ବକାସୁର ଡରରେ ଆମ ରାଜ୍ୟର ରାଜା ଭୟରେ "ବେତ୍ରକୀୟ ପୁର" ରାଜ୍ୟରେ ଯାଇ ଆଶ୍ରୟ ନେଇଛନ୍ତି।ସେହି ଦିନଠାରୁ ବକାସୁର ଅତ୍ୟାଚାରରେ ପ୍ରଜାମାନେ ଏଠାରେ ଘୋର କଷ୍ଟରେ ରହିଛନ୍ତି। 


ପ୍ରତିଦିନ ଆସି ନଗର ଭିତରେ ଧ୍ବଂସ ଲୀଳା ସୃଷ୍ଟି କରିବାରୁ ଏବଂ ଅନେକ ଧନ ଜୀବନ ନଷ୍ଟ କରିବାରୁ ନଗ୍ରବାସୀ ବକାସୁର ସହିତ ଚୁକ୍ତି କରିଛନ୍ତି ଯେ ପ୍ରତି ସପ୍ତାହରେ ଗୋଟିଏ ଦିନ ଜଣେ ବ୍ୟକ୍ତି ନିଜ ଘରୁ ପୂର୍ଣ୍ଣ ଶକଟରେ ସୁସ୍ବାଦୁ ଭୋଜନ ନେଇ ବକାସୁର ଗୁମ୍ଫା ପାଖରେ ପହଞ୍ଚିବ। ମିଷ୍ଟାନ୍ନ ସହିତ ଶକଟରେ ଯୋଡ଼ାଯାଇଥିବା ବଳଦ ଦୁଇଟି,ଦୁଇଟି ଛେଳି ଏବଂ ଶକଟ ବାହକକୁ ବକାସୁର ବଧକରି ଭୋଜନ କରିବ ଏବଂ ଶେଷରେ ହାଣ୍ଡିଏ ନବାତ ପଣା ପିଇବ। ଏହି ସର୍ତ୍ତରେ ତିଳେ ମାତ୍ର ବିଚ୍ୟୁତି ଘଟିଲେ ବକାସୁର ନଗ୍ରଭିତରେ ପଶି ପୂର୍ବପରି ଉତ୍ପାତ କରିବ। 

ଆଜି ଆମର ପାଳି ପଡ଼ିଛି।ମୋର ମୃତ୍ୟୁ ପରେ କିଏ ଆମର ଏ ଦରିଦ୍ର ସଂସାରକୁ ପାଳନ କରିବ ?ପୁଅ ମୋର ବାଳୁତ,ସହଜେ ତ ଝିଅ ଶାଶୁଘରର ସମ୍ପତ୍ତି।"


ସ୍ବାମୀଙ୍କ କଥା ଶୁଣି ବ୍ରାହ୍ମଣୀ କାନ୍ଦିବା ଆରମ୍ଭ କରିଦେଲେ; କହିଲେ..ମୋଠାରୁ ବଳି ଆଉ କିଏ ଭାଗ୍ୟହୀନା ଅଛି?ତୁମେ ବକାସୁର ପାଖରେ ପ୍ରାଣ ବିସର୍ଜନ କଲେ ଏ ସଂସାରରେ ତୁମ ବିନା ଜୀବନ ଦୁଷ୍କର ହୋଇଯିବ। ମାଂସଖଣ୍ଡ ଦେଖି ଗୃଧ୍ର ପକ୍ଷୀଗଣ ଯେପରି ପ୍ରଚଣ୍ଡ ବେଗରେ ଝାମ୍ପି ନେବାପାଇଁ ପରସ୍ପର ଭିତରେ ଲଢେଇ କରନ୍ତି ସେହିପରି ଲମ୍ପଟମାନେ ମୋ ଅସହାୟତାର ସୁଯୋଗ ନେବେ। ମୋ ଜୀବନ ଦୁର୍ବିସହ ହୋଇପଡିବ।ସ୍ବାମୀହୀନା ନାରୀ ସମାଜରେ ଘୃତସିକ୍ତ ବସ୍ତ୍ର ଭଳି। ବୁଭୁକ୍ଷୁ ମାର୍ଜାର ତାକୁ ଟାଣିଲାପରି କାମାସକ୍ତ ବ୍ୟକ୍ତି ମାନେ ମୋ ଜୀବନକୁ ନର୍କରେ ପରିଣତ କରିଦେବେ।ତେଣୁ ମୋ କଥା ମାନିଯିଅ ସ୍ବାମୀ; ମୋତେ ଖାଦ୍ୟପୂର୍ଣ୍ଣ ଶକଟ ନେଇ କାଲି ସକାଳେ ବକାସୁର ପାଖକୁ ଯିବାପାଇଁ ଅନୁମତି ଦିଅ ।"

 

ପିତା-ମାତାଙ୍କର ଏ ପ୍ରକାର ଦୁଃଖ ଦେଖି‌ ବ୍ରାହ୍ମଣଙ୍କ କନ୍ୟା କହିଲେ...ମୋର ଏ ତୁଚ୍ଛ ଜୀବନ ତୁମ ଦୁହିଁଙ୍କର ଦାନ। ଦାରିଦ୍ର୍ୟ ଯୋଗୁଁ ମୋ ବିବାହ ନେଇ ତୁମେ ଦୁହେଁ ସଦା ସର୍ବଦା ବ୍ୟତିବ୍ୟସ୍ତ।ବକାସୁର ହାତରେ ପ୍ରାଣଗଲେ ତୁମକୁ ସେ ବ୍ୟସ୍ତତାରୁ ମୁକ୍ତି ମିଳିବ ତଥା ପରିବାର ପାଇଁ ପ୍ରାଣ ବିସର୍ଜନ କରି ମୋର ଜୀବନ ଧନ୍ୟ ହେବ। ତେଣୁ ମନା କର ନାହିଁ,କାଲି ପ୍ରଭାତରୁ ଖାଦ୍ୟ ଶକଟ ନେଇ ମୁଁ ବକାସୁର ପାଖକୁ ଯିବି।"


ପାଖରେ ବ୍ରାହ୍ମଣଙ୍କର ଦେଢ ବର୍ଷର ପୁଅଟିଏ ଖେଳୁଥିଲା।ଭଲଭାବେ କଥା କହି ଶିଖିନାହିଁ। ମୁହଁ ରେ ଦରୋଟି କଥା; କହିଲା..."ମାମା ବାବା, ମୁଁ କାଲି ଯାଇକିଲି, ଏଇମିତି ଅଥୁଲକୁ ଉପୁଲୁକୁ ତେକିକି କଚାଲିକି ମାଲିଦେବି,ତମେ କାହିଁକି କାନ୍ଦୁତ ?"

ଛୋଟ ଛୁଆର ଦରୋଟି କଥା ସହିତ ଅଭିନୟ ଦେଖି ଏପରି ବିପଦ ସମୟରେ ମଧ୍ୟ ବ୍ରାହ୍ମଣ ପରିବାରର ସମସ୍ତେ ନ'ହସି ରହିପାରିବେ ନାହିଁ। ବ୍ରାହ୍ମଣ ପୁଅକୁ କୋଳାଗ୍ରତ କଲେ;ନୟନରୁ ଝରି ଗଲା ଅଶ୍ରୁ।


ବ୍ରାହ୍ମଣ ପରିବାରରେ ପରସ୍ପର ପ୍ରତି ଏପରି ସ୍ନେହର ବନ୍ଧନ ଦେଖି କୁନ୍ତୀଙ୍କ ଆଖିରେ ଲୁହ ଆସିଗଲା।ସେ ଭାବିଲେ.. ଆଶ୍ରୟଦାତା ବ୍ରାହ୍ମଣ ପରିବାରର ଋଣ ଶୁଝିବାର ଏହା ହିଁ ଉପଯୁକ୍ତ ସମୟ।ଏହା ଚିନ୍ତା କରି କୁନ୍ତୀ ବ୍ରାହ୍ମଣଙ୍କ ଗୃହରେ ପ୍ରବେଶ କରି କହିଲେ.. ଆପଣଙ୍କ କଥୋପକଥନ ମୁଁ ସବୁ ଶୁଣିଛି;ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ,ମନରୁ ବ୍ୟଥା ଦୂର କରିଦିଅନ୍ତୁ।କାଲି ପ୍ରଭାତରେ ମୋ ଦ୍ବିତୀୟ ପୁତ୍ର ଖାଦ୍ୟ ଶକଟ ନେଇ ବକାସୁର ନିକଟକୁ ଯିବ।


ଏହାଶୁଣି ବ୍ରାହ୍ମଣ କାନରେ ହାତ ରଖି କହିଲେ..ଅତିଥି ଦେବତା,ଏପରି କଥା କୁହନ୍ତୁ ନାହିଁ।ନିଜ ସ୍ବାର୍ଥ ପାଇଁ ଅତିଥିଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଲେ ଆମର ନର୍କଗତି ହେବ।କାଲି ପ୍ରଭାତରୁ ମୁଁ ହିଁ ବକାସୁର ପାଖକୁ ଯିବି।


କୁନ୍ତୀ କହିଲେ...ମୋ ପୁତ୍ରର ନିରାପତ୍ତା ପାଇଁ ଚିନ୍ତା କରନ୍ତୁ ନାହିଁ; ମୁଁ ନିଜେ ମାଆ ହୋଇ ମଧ୍ୟ ଚିନ୍ତା କରୁନାହିଁ,କାରଣ ସେ ମହା ବଳଶାଳୀ ଏବଂ ବକାସୁରକୁ ତା'ଗୁମ୍ଫା ଭିତରେ ଦଳିଦେବା ତା' ବାମ ହାତର ଖେଳ। ଆଶ୍ରୟଦାତା ! ଆମକୁ ଆଶ୍ରୟ ଦେଇ ଆପଣ ଯେଉଁ ଉପକାର ମୋ ପରିବାର ଉପରେ କରିଛନ୍ତି,ସେ ଋଣ ପରିଶୋଧ କରିବା ସୁଯୋଗରୁ ଆମକୁ ବଞ୍ଚିତ କରନ୍ତୁନାହିଁ।


ମାତାଙ୍କଠାରୁ,ବକାସୁର ଗୁମ୍ଫାକୁ ପ୍ରଭାତରେ ଖାଦ୍ୟ ଶକଟ ନେଇ ଯିବା ଆଦେଶ ପାଇ ମହାବଳୀ ଭୀମ ମହା ଉଲ୍ଲାସରେ ଡେଇଁଲେ।ସକାଳୁ ସକାଳୁ ସୁସଜ୍ଜିତ ଖାଦ୍ୟ ଶକଟ ଦେଖି ପାଟିରୁ ନାଳ ବୋହିଗଲା।ରାକ୍ଷସକୁ ବିରକ୍ତ କରିବା ପାଇଁ ଭୀମ ଜାଣିଶୁଣି ଡେରିରେ ରାକ୍ଷସ ଗୁମ୍ଫା ନିକଟରେ ପହଞ୍ଚି ଶକଟରୁ ଖାଦ୍ୟ ବାହାର କରି ଭୋଜନ କରିବା ଆରମ୍ଭ କରିଦେଲେ।ମହା ଆନନ୍ଦରେ ଖିରୀ, ସରପୁଳି,ଗଜା ଏବଂ ଭଳି ଭଳି ମିଷ୍ଟାନ୍ନ ଖାଇବାରେ ଲାଗିଲେ ମହାବଳୀ।ଏହାଦେଖି ବକାସୁର ପ୍ରବଳ ଗର୍ଜନ କରି ମାଡିଆସି କହିଲା...କିଏ ରେ ତୁ ମୁର୍ଖ ନରାଧମ ! ତୋର ଏବେ ସାହସ ! ତୋର ବିଳମ୍ବରେ ଆସିବା ଯୋଗୁ କ୍ଷୁଧାରେ ମୁଁ ଆଉଟୁ ପାଉଟୁ ହେଉଛି,ମୋତେ ବିରକ୍ତ କରି,ମୋ ପାଇଁ ଆଣିଥିବା ସବୁ ଅନ୍ନ ବ୍ୟଞ୍ଜନ ଭକ୍ଷଣ କରୁଛୁ !! କାନ୍ଧ ଉପରେ ତୋର ମୁଣ୍ଡ ଭାରି ଲାଗିଲାଣି କି?"


ଭୀମ କିଛି ନଶୁଣି ଭୋଜନରେ ନିମଜ୍ଜିତ ଥାଆନ୍ତି,ଏତେ ଦିନ ପରେ ସୁମିଷ୍ଟ ଭୁରି ଭୋଜନ ମିଳିଛି।ଭୀମ କର୍ଣ୍ଣପାତ ନ'କରିବାରୁ ଭୟଙ୍କର ଗର୍ଜନକରି ଭୀମଙ୍କୁ ବିଧା ଗୋଇଠା ମାରିବାରେ ଲାଗିଗଲା ବକାସୁର।ଭୀମ, ଦେହରେ ବସିଥିବା ମାଛିକୁ ଉଡ଼ାଇ ଦେଲାପରି ହାତ ଝାଡି ଦେଇ କହୁଥାନ୍ତି...ରହ,ଅପେକ୍ଷା କର,ଉପରକୁ ଯିବାପାଇଁ ଏତେ ଆତୁର କାହିଁକି?ମୋର ଭୋଜନ ଶେଷ ହେବାପରେ ତୋ କଥା ବୁଝିବି। ତୋର ପ୍ରିୟତମ ଭାଇ ହିଡିମ୍ବ ପାଖକୁ ତୋତେ ଅତି ଶୀଘ୍ର ତତେ ପଠାଇବି।


ଭୋଜନ ଶେଷ ହେବାପରେ ଭୀମ ହାଣ୍ଡିଏ ଅମୃତ ପଣା ପିଇସାରି କହିଲେ..ଏଥର ଆ, ହାତାହାତି ହେଇଯିବା।"

ପର୍ବତକାୟ ଦୈତ୍ୟର ଆଖିରୁ ରାଗରେ ନିଆଁ ଝୁଲ ଝଡୁଥାଏ। ଗୋଟାଏ ଗଛ ଉପାଡି ସେ ଭୀମଙ୍କ ଉପରେ ପ୍ରହାର କରିବାକୁ ଧାଇଁ ଆସିଲା।ଭୀମ ସଙ୍ଗେ ସଙ୍ଗେ ସେ ବୃକ୍ଷକୁ ଦୁଇଖଣ୍ଡ କରି ଫୋପାଡି ଦେଲେ।ତାପରେ ଶଗଡ଼ ଗାଡ଼ିକୁ ଧରି ଚକ୍ରାକାରରେ ବୁଲାଇ ବୁଲାଇ ଭୀମଙ୍କ ଉପରେ ପ୍ରହାର କଲା ବକାସୁର।ଭୀମଙ୍କ ଦେହରେ ବାଜି ତାହା ଖଣ୍ଡ ଖଣ୍ଡ ହୋଇଗଲା।

ଭୀମ କହିଲେ...ଖେଳ ବହୁତ୍ ହେଲା,ଏବେ ବଳ କଷାକଷି ହେବା,ଆସ।"


ବକାସୁରକୁ ଭୀମ ଟେକିଧରି ବୁଲାଇ ବୁଲାଇ ଉପରକୁ ଫିଙ୍ଗିଦେଲେ। ନିର୍ଘାତ କଚଡା ଖାଇ ତଳେ ପଡ଼ିଲା ରାକ୍ଷସ।ତାପରେ ବକାର ବୁକୁରେ ପାଦ ରଖି ତା'ର ଦକ୍ଷିଣ ଭୁଜକୁ ଉପାଡିଦେଲେ।ଦୈତ୍ୟର ଭୟଙ୍କର ଚିତ୍କାରରେ କମ୍ପି ଉଠିଲା ବନଭୂମି।ଉତ୍ପାଟିତ ଭୁଜ ଶୂନ୍ୟକୁ ଫିଙ୍ଗିଦେଲେ ଭୀମସେନ।

ଆକାଶରେ ଉଡୁଥିବା ଶ୍ବେନପକ୍ଷୀ ଝାମ୍ପିନେଲା ସେ ବିଶାଳ ଭୁଜ।

ଭୀମ ଆକାଶକୁ ଚାହିଁ ହସିଦେଲେ, କହିଲେ.. ଯେତେବେଳେ ବି ରାକ୍ଷସଙ୍କ ସହିତ ମୋର ଯୁଦ୍ଧ ହେଲା, ଖାଦ୍ୟ ଲୋଭରେ ଚାଲିଆସୁଛ ! ଏଇ ନିଅ ତୁମର ଇପ୍ସିତ ଖାଦ୍ୟ।"ଏହା କହି ବକାସୁରର ଦକ୍ଷିଣ ଭୁଜ ଉତ୍ପାଟନ କରି ଆକାଶକୁ ଫିଙ୍ଗିଦେଲେ ମହାବଳୀ।ଅନ୍ୟ ଏକ ବିଶାଳ ଶ୍ବେନ ପକ୍ଷୀ ଆକାଶରୁ ଝାମ୍ପିନେଲା ସେ ଉତ୍ପାଟିତ ଭୁଜ।


ଭୁଜ ଉପାଡିବା ସମୟରେ ବୃକ୍ଷ ଉପୁଡିବା ପରି କଡମଡ ଶବ୍ଦରେ ପୃଥିବୀ କମ୍ପି ଉଠିଲା।ଛାତିରେ ତାର ନିର୍ଘାତ ପ୍ରହାର କରିବାରୁ ରକ୍ତବାନ୍ତି କରି ପ୍ରାଣତ୍ୟାଗ କଲା ଦୁଷ୍ଟ ବକାସୁର। ଚିରଦିନ ପାଇଁ ଦୂର ହୋଇଗଲା ଏକଚକ୍ର ନଗ୍ରର କଣ୍ଟକ। 

ବକାସୁରକୁ ବିନାଶକରି ଭୀମ ନଗର ଉପକଣ୍ଠରେ ଥିବା ସୁଶୀତଳ ପୁଷ୍କରିଣୀରେ ସ୍ନାନ କରି ମାତାଙ୍କ ପାଖରେ ପହଞ୍ଚିଲେ। ଏକଚକ୍ର ନଗରୀର ଘରେ ଘରେ ଲାଗିଗଲା ଆନନ୍ଦ ଉତ୍ସବ।ଭୀମଙ୍କ ଗଳାରେ ପଡିଲା ଶହ ଶହ ଫୁଲମାଳ।ଭୀମ ରାତି ରାତି ପ୍ରଖ୍ୟାତ ହୋଇଗଲେ। କୁନ୍ତୀ ଏବେ ଏକଚକ୍ର ନଗ୍ର ଛାଡ଼ିବାକୁ ଚିନ୍ତା କଲେ;ନହେଲେ ପାଣ୍ଡବ ମାନଙ୍କ ପ୍ରକୃତ ପରିଚୟ ଜଣା ପଡ଼ିଯିବ ଏବଂ ହସ୍ତିନା ଆଡୁ ବିପଦ ମାଡିଆସିବ।



Rate this content
Log in

Similar oriya story from Classics