କଥା କାଦମ୍ବରୀଭାଗ୨୫
କଥା କାଦମ୍ବରୀଭାଗ୨୫


ହିଂସ୍ର ଜନ୍ତୁଙ୍କ ଗୁମ୍ଫାରେ ପାଣ୍ଡବ
=================================
ପଣ୍ଡୁଙ୍କ ଦେହତ୍ୟାଗ ପରେ କୁନ୍ତୀ ପାଞ୍ଚପୁତ୍ରଙ୍କୁ ଧରି ଅରଣ୍ୟରୁ ହସ୍ତିନା ରାଜ ପ୍ରାସାଦକୁ ଫେରି ଆସିଲେ ସିନା,କିନ୍ତୁ ରାଜ ପ୍ରାସାଦ କୌଣସି ହିଂସ୍ରଜନ୍ତୁଙ୍କ ଗୁମ୍ଫା ଠାରୁ କମ୍ ନଥିଲା। ଦୁର୍ଯ୍ୟୋଧନ ଏବଂ ତାଙ୍କର ଅନେଶ୍ବତ ଭାଇ ଯୁଧିଷ୍ଠିରଙ୍କୁ ଜ୍ୟେଷ୍ଠ ଭ୍ରାତାର ଆସନ ଦେବାକୁ ପ୍ରସ୍ତୁତ ନଥିଲେ। ସେମାନେ ଭାବୁଥିଲେ ଜ୍ୟେଷ୍ଠତା ଦେଖାଇ ,କୁରୁ ରାଜସିଂହାସନ ହସ୍ତଗତ କରିବାପାଇଁ ଯୁଧିଷ୍ଠିର ଭାଇମାନଙ୍କ ସହିତ ଅରଣ୍ୟରୁ ଫେରି ଆସିଛନ୍ତି। ଦୁର୍ଯ୍ୟୋଧନ ଭାବିଲେ ଯୁଧିଷ୍ଠିର ବୟସରେ ବଡ଼ ହେଲେ କଣ ହେଲା, ସିଂହାସନରେ ପ୍ରଥମ ଅଧିକାର କୌରବମାନଙ୍କର କାରଣ ସେମାନେ ଗାଦିସୀନ ରାଜା ଧୃତରାଷ୍ଟ୍ରଙ୍କ ପୁତ୍ର।
କେବଳ ଘୃଣାପୂର୍ଣ୍ଣ ବ୍ୟବହାର ନୁହେଁ,ପାଣ୍ଡବ ମାନଙ୍କର ପିତୃତ୍ବକୁ ନେଇ ଅନେକ ଅପଶବ୍ଦ କହିବା ଆରମ୍ଭ କରିଦେଲେ ଦୁର୍ଯ୍ୟୋଧନ। ତାତ୍ସଲ୍ୟ କରି କୌରବମାନେ ପାଣ୍ଡବ ମାନଙ୍କୁ କହୁଥିଲେ.. କେଉଁ ଜଙ୍ଗଲରୁ ଆସିଛ ଜନ୍ତୁଗଣ? ଦେଖା ଯାଉଛ ମର୍କଟ ପରି, ପିତା କିଏ ଠିକ୍ ନାହିଁ, ଆସିଛ ପ୍ରାସାଦ ଭିତରେ ରହିବ?କେଉଁ ବାପର ସମ୍ପତ୍ତି ରାଜ-ନବର ଭିତରେ ତୁମର ଅଛିଯେ ଆସିଛ ଭୋଗ କରିବାକୁ ? ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କୁ "ଧର୍ମଙ୍କ ନନ୍ଦନ" ନାମରେ ସମ୍ବୋଧନ କରୁଥିଲେ।ଭୀମଙ୍କୁ ଡାକିଲାବେଳେ କହୁଥିଲେ"ଆସ ହେ ପବନ ନନ୍ଦନ"। ସେହିପରି ଅର୍ଜୁନଙ୍କୁ ଇନ୍ଦ୍ରଙ୍କ ନନ୍ଦନ ଏବଂ ନକୁଳ ସହଦେବଙ୍କୁ "ସ୍ବର୍ଗବୈଦ୍ୟଙ୍କ ନନ୍ଦନ"ବୋଲି ସମ୍ବୋଧନ କରୁଥିଲେ।
ଭୀମ ମଧ୍ୟ ଛାଡୁନଥିଲେ।କୌଣସି ସୂତ୍ରରୁ ସେ ଜାଣିଥିଲେ ଯେ ଗାନ୍ଧାରୀ ଉଁଆସୀ କନ୍ୟା ହୋଇ ଥିବାରୁ, ଧୃତରାଷ୍ଟ୍ରଙ୍କ ସହିତ ବିବାହ ପୂର୍ବରୁ ତାଙ୍କୁ ସାହାଡା ଗଛକୁ (ଗୋଲକ ବୃକ୍ଷ)ପ୍ରଥମେ ବିବାହ କରାଇ ଥିଲେ।ସାହାଡ଼ା ଗଛଟି ମରିଯିବା ପରେ ଗାନ୍ଧାରୀ ଉଁଆସୀ-ଦୋଷ ମୁକ୍ତ ହୋଇ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ।ତେଣୁ ଭୀମସେନ କୌରବ ମାନଙ୍କୁ "ଗୋଲକ ନନ୍ଦନ" କହି ମଧ୍ୟ ଅପମାନିତ କରୁଥିଲେ ।
କୁଳଗୁରୁ କୃପାଚାର୍ଯ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଉପଯୁକ୍ତ ଶିକ୍ଷା ପାଇ ପାଣ୍ଡବମାନେ ଶସ୍ତ୍ର ବିଦ୍ୟାରେ କୌରବଙ୍କ ଠାରୁ ଅଧିକ ପଟୁତା ପ୍ରଦର୍ଶନ କଲେ। ଅର୍ଜୁନଙ୍କ ଭଳି ଅଜେୟ ଧନୁର୍ଦ୍ଧର ସେ ସମୟରେ ବିଶ୍ବରେ କେହି ନଥିଲେ।ଗଦାଯୁଦ୍ଧରେ ଭୀମସେନ ପ୍ରଚଣ୍ଡ ପ୍ରତିଭାଧର ହୋଇ ବାହାରିଲେ।ଭାଲ ଯୁଦ୍ଧରେ ଯୁଧିଷ୍ଠିରଙ୍କ ସମକକ୍ଷ ବିଶ୍ବରେ କେହି ନଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିଭଳି କୁନ୍ତ ଓ ଖଡ୍ଗଯୁଦ୍ଧରେ ଅଜେୟ ଥିଲେ ନକୁଳ ଓ ସହଦେବ।ପାଣ୍ଡବ ମାନଙ୍କର ଏହି ନିପୁଣତା ଦୁର୍ଯ୍ୟୋଧନଙ୍କ ଈର୍ଷାର ଅନ୍ୟ ଏକ କାରଣ ଥିଲା।
ଦୁର୍ଯ୍ୟୋଧନଙ୍କୁ ପଣ୍ଡୁପୁତ୍ର ମାନଙ୍କ ବିରୁଦ୍ଧରେ ଉତ୍ସାହିତ କରୁଥିଲେ ମାମୁଁ ଶକୁନି,ଭ୍ରାତା ଦୁଃଶାସନ ଏବଂ ଗୁରୁ ଦ୍ରୋଣଙ୍କର ପୁତ୍ର ଅଶ୍ଵତ୍ଥାମା।ପାଣ୍ଡବ ମାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ଆରମ୍ଭ କରିଦେଲେ କୁରୁ ରାଜପୁତ୍ରଗଣ।ଏହି ଷଡଯନ୍ତ୍ରର ସ୍ପଷ୍ଟ ଆଭାସ ପାଇ ଭୟରେ ଶିହରି ଉଠିଲେ କୁନ୍ତୀ।
କୌରବମାନଙ୍କ ତାତ୍ସଲ୍ୟ ଓ ଅପଶବ୍ଦକୁ ଯୁଧିଷ୍ଠିର ସହ୍ୟ କରି ଯାଉଥିଲେ। କିନ୍ତୁ ଭୀମ ଛାଡ଼ିବା ବ୍ୟକ୍ତି ନୁହନ୍ତି। ସୁଯୋଗ ମିଳିଲେ ସେ କୌରବ ମାନଙ୍କୁ ହନ୍ତସନ୍ତ କରୁଥିଲେ।ନିଜେ ଭୀମ ସନ୍ତରଣ ପଟୁ ଥିଲେ।ତେଣୁ କୌରବ ଭାଇ ମାନଙ୍କୁ ଗଙ୍ଗାନଦୀ ଜଳରେ ଡୁବାଇ ପେଟେ ପେଟେ ପାଣି ପିଇବାପରେ ଛାଡୁଥିଲେ।କେତେବେଳେ କାହାକୁ ମାଙ୍କଡ ଭଳି ଗୋଡ ଉପରକୁ ଓ ମୁଣ୍ତ ତଳକୁ କରି ବୁଲାଇ ବୁଲାଇ ଗଙ୍ଗାନଦୀ ଭିତରକୁ ଫିଙ୍ଗୁଥିଲେ ତ କାହାକୁ ବୃକ୍ଷର ଉପର ଡାଳରେ ବସାଇ ଦେଇ ଚାଲି ଯାଉଥିଲେ। ତେଣୁ ଭୀମସେନଙ୍କୁ ଦେଖି ଭୟରେ କୌରବ ଭାଇମାନେ ଯିଏ ଯୁଆଡେ ପଳାଉଥିଲେ।
କୁନ୍ତୀଙ୍କୁ ରାଜପ୍ରସାଦ ଭିତରେ ଖୁବ୍ ଏକା ଏକା ଏବଂ ଅସହାୟ ଲାଗୁଥିଲା। ଦିନେ ଏହି ରାଜପୁରୀରେ ରାଣୀ ଭାବରେ ଶହ ଶହ ଦାସୀଙ୍କୁ ସେ ନିର୍ଦ୍ଦେଶ ଦେଉଥିଲେ,ଆଜି କିନ୍ତୁ ତାଙ୍କ ପାଖରେ ଦଣ୍ଡେ ବସିବା ପାଇଁ କାହାପାଖରେ ସମୟ ନାହିଁ। ପାଟରାଣୀ ଭାବରେ ଦିନେ ଏହି ପ୍ରାସାଦର ଭଣ୍ଡାର ଘରର ଦାୟିତ୍ଵ ଥିଲା ତାଙ୍କ ହାତରେ, କିନ୍ତୁ ଆଜି ସେ ନିଜେ କପର୍ଦ୍ଦକ ଶୂନ୍ୟ,ଅନ୍ୟ ପାଖରେ ହାତପାତି ବସିଛନ୍ତି ନିଜର ଏବଂ ପୁତ୍ର ମାନଙ୍କର ପାଳନ ପୋଷଣ ପାଇଁ।
ଦେହରେ ରହିଛି ଶୂଭ୍ରବାସ,ଅବୟବରେ ନାହିଁ କିଛି ଅଳଙ୍କାର ନ୍ୟାସ ,ରାଜପୁରୀରେ ପୁତ୍ରମାନେ ତପସ୍ବୀ ସନ୍ତାନ ପରି ଜୀବନ ଯାପନ କରୁଛନ୍ତି;ଏ ପରିବେଶରେ ନିଜକୁ ବଡ଼ ଅସହାୟ ମନେ କଲେ କୁନ୍ତଭୋଜ କନ୍ୟା।
ଦୁର୍ଯ୍ୟୋଧନ ଭୀମଙ୍କୁ ଦେଖିଲେ ଈର୍ଷାରେ ରକ୍ତଚାଉଳ ଚୋବାଉଥିଲେ। ତାଙ୍କର ମନେହେଲା ଭୀମସେନ ହିଁ ତାଙ୍କର ରାଜସିଂହାସନ ପ୍ରାପ୍ତି ପଥରେ ଅନ୍ତରାୟ ହେବେ। ତାଙ୍କୁ କୌଣସି ପ୍ରକାରେ ବାଟରୁ ହଟାଇଦେଲେ ଅନ୍ୟ ପଣ୍ଡୁ ଚାରିଭାଇ ବଳେଇ ଯିବେ ନାହିଁ। ତେଣୁ ଦିନେ ମାତୁଳ ଶକୁନି ଏବଂ ଭ୍ରାତା ଦୁଃଶାସନ ସହିତ ଖଳ ମନ୍ତ୍ରଣା କରି ଭୀମଙ୍କୁ ଚିରନିଦ୍ରାରେ ଶୁଆଇ ଦେବାର ଯୋଜନା କଲେ ଦୁର୍ଯ୍ୟୋଧନ।ବଡ଼ ଖାଦ୍ୟପ୍ରିୟ ଥିଲେ ଭୀମସେନ। ଦ୍ବିତୀୟ-ପାଣ୍ଡବଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଦୁର୍ଯ୍ୟୋଧନ ଭୀମଙ୍କୁ ଗଙ୍ଗା ତଟକୁ ଡ଼ାକିନେଇ, ସୁମିଷ୍ଟ ଲଡୁରେ ବିଷ ମିଶାଇ ପେଟ ପୁରା ଖୁଆଇ ଦେଲେ।ବିଷ ପ୍ରଭାବରେ ଭୀମସେନ ଅଚେତ ହୋଇ ଯିବାପରେ କୌରବମାନେ ତାଙ୍କ ହାତ ପାଦ ବାନ୍ଧିଦେଇ ଗଙ୍ଗା ନଦୀର ଅଥଳ ଗଣ୍ଡ ଭିତରକୁ ଭିଙ୍ଗିଦେଇ ପ୍ରାସାଦକୁ ଫେରି ଆସିଲେ।
ପଣ୍ଡୁ-ଭାଇମାନଙ୍କ ମଧ୍ୟରେ ଭାଳେଣି ପଡିଗଲା...କୁଆଡେ ଗଲେ ବୃକୋଦର ! ମାଆ କୁନ୍ତୀଙ୍କ ଆଖିରୁ ବହିଲା ଅଜସ୍ର ଅଶ୍ରୁ ଧାର..କୁଆଡେ ଗଲା ମୋ ଭୀମ ! ଗଙ୍ଗାକୂଳ ଖୋଜି ଖୋଜି ବ୍ୟସ୍ତ ହୋଇ ପଡିଲେ ଭାଇମାନେ।ପିତାମହ ଭୀଷ୍ମ ଏବଂ ବିଜ୍ଞ ବିଦୁରଙ୍କ କପାଳରେ ଚିନ୍ତାର ରେଖା ସୁସ୍ପଷ୍ଟ;ଦୁର୍ଯ୍ୟୋଧନ ଏବଂ ଦୁଃଶାସନଙ୍କର ଭୀମଙ୍କପ୍ରତି ଅସୂୟା ଭାବ ତାଙ୍କୁ ଅଜଣା ନଥିଲା;ଲେଙ୍ଗେଡା ମାମୁଁ ଶକୁନିଙ୍କ କୁଟିଳ ବୁଦ୍ଧି ବିଷୟରେ ମଧ୍ୟ ସେମାନେ ଅବଗତ ଥିଲେ ... କିଛି ଅଘଟଣ ଘଟିନାହିଁ ତ!
କୁନ୍ତୀ ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥାନ୍ତି।ତାଙ୍କୁ ପ୍ରବୋଧନା ଦେଉଥାନ୍ତି ଯୁଧିଷ୍ଠିର।ମାତା କୁନ୍ତୀ କହୁଥାନ୍ତି... କାହିଁକି ତୁମେ ଭୀମଙ୍କୁ ଏକା ଛାଡ଼ି ଆସିଲ?
ଯୁଧିଷ୍ଠିର କହିଲେ..ଆମର ତାଙ୍କ ସହିତ ଶେଷ ଦେଖାବେଳେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କ ସହିତ କ୍ରୀଡାରତ ଥିଲେ ଭୀମ; ବର୍ତ୍ତମାନ ଦୁର୍ଯ୍ୟୋଧନ କହୁଛନ୍ତି ସେ ଭୀମଙ୍କୁ ଦେଖି ନାହାନ୍ତି!
ଗଙ୍ଗା କୂଳରେ ପହଞ୍ଚି ଉଚ୍ଚ ସ୍ବରରେ ଭୀମଙ୍କୁ ଡାକୁଥାନ୍ତି ସମସ୍ତେ। ଦୁର୍ଯ୍ୟୋଧନ ମନେମନେ ହସୁଥାନ୍ତି, ଭାବୁଥାନ୍ତି..."ଆଉ ଅଛି ଯେ ଡାକଶୁଣି ଆସିବ?ଗଙ୍ଗାର ଅଥଳ ଜଳଭିତରେ ବିଷଧର ସର୍ପମାନେ ଭୀମକୁ ଦଂଶନ କରି ମାରିସାରିବେଣି।"
ଦୁର୍ଯ୍ୟୋଧନଙ୍କ ଅନୁମାନ ଠିକ୍ ଥିଲା।ଗଣ୍ଡ ଭିତରେ ଥିବା ବିଷଧର ସର୍ପମାନେ ଭୀମଙ୍କୁ ଦଂଶନ କଲେ। କିନ୍ତୁ ସେ ଦଂଶନ ତାଙ୍କ ପାଇଁ ବରଦାନ ହେଲା। ସର୍ପବିଷ,ଦେହଭିତରେ ଥିବା ବିଷକୁ ନିଷ୍କ୍ରିୟ କରିଦେଲା।ଫଳରେ ଚେତନା ପାଇ ମହାବଳୀ ଭୀମ, ଦେହରେ ଵନ୍ଧାଯାଇଥିବା ରଜ୍ଜୁକୁ ଛିଣ୍ଡାଇ ଜଳ ଉପରକୁ ଉଠିଲେ। ଜଳ ଭିତରୁ କୂଳକୁ ଉଠିବା ବେଳେ ଜଣାଯାଉଥିଲେ ସତେ ଅବା ଏକ ବିଶାଳ ହସ୍ତି ଜଳକ୍ରୀଡା ଶେଷକରି ନଦୀ ଉପରକୁ ଉଠୁଛି।
ଭୀମଙ୍କର ରାଜପ୍ରସାଦକୁ ପ୍ରତ୍ୟାବର୍ତ୍ତନ ପରେ ପାଣ୍ଡବ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଗଲା। ଦୁର୍ଯ୍ୟୋଧନ ଏବଂ ଷଡ଼ଯନ୍ତ୍ରକାରୀ ମାନେ ମୁହଁ ଲୁଚାଇ ଯେ ଯାହା ବାଟରେ ଚାଲିଗଲେ।ଦେହରେ ଚରିଯାଇଥିବା ବିଷକୁ ସର୍ପବିଷ କାଟିବା ପରେ ପୂର୍ବ ଅପେକ୍ଷା ଆହୁରି ବଳଶାଳୀ ହୋଇଉଠିଲେ ଭୀମସେନ। ଦୁର୍ଯ୍ୟୋଧନ ବିଷଲଡୁ ଖୁଆଇବା କଥା ବିଦୁରଙ୍କ ଆଗରେ ବର୍ଣ୍ଣନା କରୁ କରୁ କୁନ୍ତୀ ଚିନ୍ତିତ ହୋଇ ପଡିଲେ।ବିଦୂର ବିଜ୍ଞ ବ୍ୟକ୍ତି ଥିଲେ। ଏହି ଘଟଣା ପ୍ରଘଟ ନକରିବାକୁ ସେ ଉପଦେଶ ଦେଲେ। ଘଟଣାଟି ପ୍ରଘଟ ହେଲେ ପ୍ରଥମତଃ ରାଜପରିବାରର ଗୁମର ପଦାରେ ପଡ଼ିଯିବ ଏବଂ ପ୍ରଜାମାନଙ୍କର କୁରୁବଂଶ ପ୍ରତି ଖରାପ ଧାରଣା ସୃଷ୍ଟି ହେବ। ଦ୍ବିତୀୟରେ ଘଟଣା ପ୍ରଘଟ ହେଲେ ଭାଇମାନଙ୍କ ଭିତରେ ଅଯଥା ବିଦ୍ୱେଷ ବଢିବ ଏବଂ ଦୁର୍ଯ୍ୟୋଧନ ଓ ଚକ୍ରାନ୍ତକାରୀମାନେ ପ୍ରତିଶୋଧ ପରାୟଣ ହୋଇ ପାଣ୍ଡବମାନଙ୍କର ଅଧିକ କ୍ଷତି ଘଟାଇବେ।
ବିଜ୍ଞ ବିଦୁରଙ୍କ ପରାମର୍ଶ ମାନିଲେ ପାଣ୍ଡବମାନେ। କିନ୍ତୁ ସେହି ଦିନଠାରୁ କୁନ୍ତୀ ପୁତ୍ର ମାନଙ୍କ ଠାରୁ ଶପଥ କରାଇନେଲେ ଯେ ଯେକୌଣସି ପରିସ୍ଥିତିରେ ପାଞ୍ଚଭାଇ ଏକତ୍ରିତ ହୋଇ ରହିବେ ଏବଂ ମାତାଙ୍କ ଆଦେଶକୁ ସର୍ବଦା ପାଳନ କରିବେ;"ଷଡ ଶରୀର,ଏକ ଆତ୍ମା" ହୋଇ ରହିବେ ପଣ୍ଡୁ-ପରିବାର। ଏହି ଘଟଣା ପରଠାରୁ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହୋଇ ଶତ୍ରୁତା ଦୃଢ଼ ହେବାରେ ଲାଗିଲା।
ଓଡ଼ିଆ ମହାଭାରତକାର ଶାରଳା ଦାସ ଭୀମଙ୍କ ବିଷଲଡୁ ଭୋଜନ ଘଟଣାକୁ କିଛି ଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି। ଶାରଳା ମହାଭାରତ ଅନୁସାରେ ଭୀମ ବିଷଲଡୁ ଖାଇ ମୃତ୍ୟୁ ବରଣ କରିଥିଲେ।ତାଙ୍କ ଶବକୁ ହାତପାଦ ବାନ୍ଧି ଯମୁନା ଜଳରେ କୌରବମାନେ ଫିଙ୍ଗି ଦେଇଥିଲେ।ଭୀମଙ୍କ ମୃତ ଦେହକୁ ବେଲାମାଳୀ ନାମ୍ନୀ ନାଗକନ୍ୟା ନାଗଲୋକକୁ ନେଇ ଜୀବନ୍ୟାସ ଦେଇଥିଲେ।ବେଲାମାଳୀଙ୍କ ପିତା ଅନନ୍ତନାଗ କନ୍ୟାର ବିବାହ ଭୀମସେନଙ୍କ ସହିତ ସମ୍ପନ୍ନ କରିଥିଲେ । ଭୀମସେନ କିଛିଦିନ ନାଗପୁରୀରେ ବିତାଇଵା ପରେ ଭାଇ ମାନଙ୍କ ପାଖକୁ ଫେରି ଆସିଥିଲେ।ଭୀମଙ୍କ ଔରସରୁ, ବେଲାମାଳୀ ନାଗକନ୍ୟାଙ୍କ ଗର୍ଭରୁ "ବେଲାଳସେନ"ନାମକ ପୁତ୍ର ଜନ୍ମଲାଭ କରିଥିଲା। ଶାରଳା ଦାସଙ୍କର ଏହି ବର୍ଣ୍ଣନା ମୂଳ ମହାଭାରତରେ ନାହିଁ। କିନ୍ତୁ ମୂଳ ମହାଭାରତ ଗୋଟିଏ ବିଶାଳ ବଟବୃକ୍ଷ ହେଲେ ଏହି ଯୋଡ଼ାଯାଇଥିବା କଥା ଗୁଡିକ,ବୃକ୍ଷକୁ ସୁଦୃଢ କରୁଥିବା ତାର ଓହଳ ସଦୃଶ। ଏହି ଉପକଥାଗୁଡିକ ପାଠକ ପାଇଁ ଅଶେଷ ଆନନ୍ଦ ଦାୟକ।