Kulamani Sarangi

Classics

5.0  

Kulamani Sarangi

Classics

କଥା କାଦମ୍ବରୀଭାଗ ୨୩

କଥା କାଦମ୍ବରୀଭାଗ ୨୩

4 mins
593



ହସ୍ତିନା ରାଜପ୍ରସାଦ ଆଜି ଏକଶତ କୁରୁ-ପୁତ୍ର,ପାଞ୍ଚ ପଣ୍ଡୁ-ପୁତ୍ର ଏବଂ ସୁନାନାକୀ ଝିଅ ଦୁଃଶୀଳାର ଉପସ୍ଥିତିରେ ଆନନ୍ଦ ମୁଖରିତ।ପିତାମହ ଭୀଷ୍ମ ଏବଂ ରାଜମାତା ସତ୍ୟବତୀଙ୍କ ପାଦ ତଳେ ପଡୁନଥାଏ। ବିଚିତ୍ରବୀର୍ଯ୍ୟଙ୍କ ଦେହାନ୍ତ ପରେ ଏପରି ଏକ ସମୟ ଥିଲା ଯେତେବେଳେ ଉତ୍ତରାଧିକାରୀ ଅଭାବରେ କୁରୁବଂଶ ଲୋପ ପାଇବାକୁ ବସିଥିଲା; ଆଜି କିନ୍ତୁ ସନ୍ତାନ ପ୍ରାବଲ୍ୟ କୁରୁ ଶ୍ରେଷ୍ଠଙ୍କ ଅନ୍ତରରେ ଆନନ୍ଦ ଳହରୀ ସୃଷ୍ଟି କରୁଥିଲା।ସବୁ ନାତି ମାନଙ୍କ ଭିତରୁ ଅର୍ଜୁନ ଥିଲେ ସୁନ୍ଦର,ଚଞ୍ଚଳ ଏବଂ ବୁଦ୍ଧିମାନ। ଅର୍ଜୁନ ପିତାମହଙ୍କ ପାଖ ଛାଡୁ ନଥିଲେ। ପାଣ୍ଡୁ ପାଞ୍ଚଭାଇ ମାତା କୁନ୍ତୀଙ୍କ ଠାରୁ ବିନମ୍ରତା,ନିୟମାନୁବର୍ତ୍ତିତା,ଏବଂ ସମୟାନୁବର୍ତ୍ତିତା ଆଦି ଯେଉଁ ସଂସ୍କାର ପାଇଥିଲେ ତାହା ତାଙ୍କୁ ମୁରବି ମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲା। ସେଥିପାଇଁ ଦୁର୍ଯ୍ୟୋଧନ ଏବଂ ତାଙ୍କର ଶହେଭାଇ ପାଣ୍ଡବ ମାନଙ୍କ ଉପରେ ଈର୍ଷାରେ ଜଳି ଯାଉଥିଲେ।

ଭୀଷ୍ମ ରାଜପୁତ୍ର ମାନଙ୍କର ବାଲ୍ୟ ଶିକ୍ଷା ଦାୟିତ୍ଵ କୁଳଗୁରୁ କୃପାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କଲେ। ମହାଭାରତରେ କୃପାଚାର୍ଯ୍ୟ ଏକ ସ୍ବଳ୍ପ ଆଲୋଚିତ ଚରିତ୍ର। ବହୁତ୍ କମ୍ ପାଠକ ତାଙ୍କ ବିଷୟରେ ଜାଣନ୍ତି। ମହାଭାରତର ଏହି ଅଳ୍ପ ଆଲୋଚିତ ଚରିତ୍ର ଉପରେ ଆସନ୍ତୁ କିଛି ବିହଙ୍ଗାବଲୋକନ କରିବା.....


ମହାରାଜା ଶାନ୍ତନୁଙ୍କ ରାଜତ୍ଵ ସମୟ।ସେ ସମୟରେ 'ଶରଦ୍ବାନ' ନାମକ ଜଣେ ପ୍ରସିଦ୍ଧ ତପସ୍ୱୀ ଥିଲେ। ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟାରେ ସେ ମହାନ ପାଣ୍ଡିତ୍ୟ ଲାଭ କରିଥିଲେ।ସେ ଥିଲେ ମହର୍ଷି ଅଙ୍ଗିରାଙ୍କ ବଂଶଧର ତଥା ମହର୍ଷି ଗୌତମଙ୍କ ନାତି।କଥିତ ଅଛି ଶରଦ୍ବାନ ମାତାଙ୍କ ଗର୍ଭରୁ ଜନ୍ମ ହେବା ସମୟରେ ହାତରେ ଧନୁର୍ବାଣ ଧରି ଭୂମିଷ୍ଠ ହୋଇଥିଲେ।ଶାସ୍ତ୍ର ବିଦ୍ୟା ସଙ୍ଗେ ସଙ୍ଗେ ଯୁଦ୍ଧ ବିଦ୍ୟାରେ ଶ୍ରେଷ୍ଠତ୍ବ ପାଇବାପାଇଁ ଶରଦ୍ବାନ ଘୋର ତପସ୍ୟାରେ ମଜ୍ଜିଗଲେ।ସେ ସମୟରେ ଏଭଳି ତପସ୍ୟାରେ କେହି ମଜ୍ଜିଗଲେ ଦେବତା ମାନେ ଡରିଯାଉଥିଲେ।ଇନ୍ଦ୍ରଙ୍କୁ ଡର ମାଡ଼ି ବସିଲା,କାଳେ ତପୋବଳରେ ବଳୀୟାନ ହୋଇ ଶରଦ୍ବାନ ଇନ୍ଦ୍ରପଦ ଛଡ଼ାଇ ନେବେ।


ଜ୍ଞାନପଦୀ ନାମକ ଏକ ଅପୂର୍ବ ସୁନ୍ଦରୀ ଅପ୍ସରାଙ୍କୁ ପାଖକୁ ଡାକି ଇନ୍ଦ୍ରଦେବ କହିଲେ..ସୁଶୀଳେ ! ମୋ ଇନ୍ଦ୍ରପଦ ତୁମ ହାତରେ।ଶରଦ୍ବାନ ଘୋର ତପ ସାଧନା କରି ମୋ ଇନ୍ଦ୍ରପଦ ଛଡ଼ାଇ ନେବା ପୂର୍ବରୁ ତୁମେ ଋଷିଙ୍କ ତପସ୍ଥଳକୁ ଯାଇ ତୁମ ରୂପଲାବଣ୍ୟର ଯାଦୁରେ ତାଙ୍କୁ ବିମୋହିତ କରି, ତାଙ୍କ ତପ ଭଙ୍ଗକରି ମୋ ଇନ୍ଦ୍ରପଦ ରକ୍ଷାକର।ଇନ୍ଦ୍ରଙ୍କ ଆକୁଳ ଅନୁରୋଧରେ ଦେବ-ଲଳନା ଜ୍ଞାନପଦୀଙ୍କ ହୃଦୟ ବିଗଳିତ ହୋଇଗଲା।କାଳ ବିଳମ୍ବ ନକରି ସେ ପହଞ୍ଚିଲେ ଅରଣ୍ୟ ପ୍ରଦେଶରେ, ଯେଉଁଠାରେ ଶରଦ୍ବାନ ଘୋର ତପସ୍ୟାରେ ନିମଗ୍ନ ଥିଲେ।


ନିଜ ରୂପ ଲାବଣ୍ୟରେ ଶରଦ୍ବାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କଲେ ରୂପସୀ ଦେବକନ୍ୟା। ମହର୍ଷିଙ୍କ ଶରୀର କାମବାଣରେ ଜର୍ଜରିତ ହେଲା।ସେ ସ୍ଥାନକୁ ପରିତ୍ୟାଗ କରି ଏକପ୍ରକାର ଦଉଡିବାକୁ ଲାଗିଲେ ଋଷି।ପଛରେ ଅନୁଧାବନ କରୁଥାନ୍ତି ଅପ୍ସରା ଜ୍ଞାନପଦୀ। ଉତ୍ତେଜନା ବଶତଃ ଋଷିଙ୍କ ବୀର୍ଯ୍ୟ ସ୍ଖଳିତ ହୋଇ ଗୋଟିଏ ତୃଣ ଉପରେ ପତିତ ହେଲା।ତୃଣଟି ସଙ୍ଗେ ସଙ୍ଗେ ଦୁଇଖଣ୍ଡ ହୋଇ ଗଲା। ଗୋଟିଏ ଖଣ୍ଡ ପରିଣତ ହେଲା ଏକ ବାଳକରେ; ଦ୍ବିତୀୟ ଭାଗଟି ହେଲା ଏକ କନ୍ୟା। 

ଏହି ସମୟରେ ହସ୍ତିନା ନରେଶ ଶାନ୍ତନୁ ମୃଗୟା ପାଇଁ ଅରଣ୍ୟକୁ ଆସିଥାନ୍ତି। ଏହି ପରିତ୍ୟକ୍ତ ବାଳକ ଓ‌ ବାଳିକାର କ୍ରନ୍ଦନ ରାଜାଙ୍କ କାନରେ ପଡ଼ିଲା।ଯମଜ ସନ୍ତାନ ଦୁହିଁଙ୍କୁ ସାଙ୍ଗରେ ନେଇ ,ଲାଳନ ପାଳନ ପାଇଁ ହସ୍ତିନା ରାଜ ପ୍ରାସାଦରେ ପରିଚାରିକାଙ୍କ ତତ୍ତ୍ଵାବଧାନରେ ଦେଲେ ଶାନ୍ତନୁ।ବାଳକଟିର ନାମ ରଖାଗଲା କୃପ ଏବଂ ବାଳିକା ନାମ କୃପୀ। ଭୀଷ୍ମଙ୍କ ତତ୍ବାବଧାନରେ କୃପ ସମସ୍ତ ପ୍ରକାର ଶସ୍ତ୍ର ଏବଂ ଶାସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇ ଗଲେ।


ମହାଭାରତରେ ଏଭଳି ଅଦ୍ଭୁତ ଜନ୍ମ ବୃତ୍ତାନ୍ତ କେବଳ କୃପ/କୃପୀଙ୍କ କ୍ଷେତ୍ରରେ ବର୍ଣ୍ଣନା କରାଯାଇନାହିଁ;କୌରବ ଶହେ ଭାଇଙ୍କର ମାଂସ ଗୋଲକରୁ ଜନ୍ମ, ପାଣ୍ଡବ ପାଞ୍ଚଭାଇଙ୍କର ମନ୍ତ୍ର ଆବାହନରୁ ଜନ୍ମ, ଦ୍ରୌପଦୀ ଏବଂ ଧୃଷ୍ଟଦ୍ୟୃମ୍ନଙ୍କର ଯଜ୍ଞ କୁଣ୍ଡରୁ ତଥା ଗୁରୁ ଦ୍ରୋଣଙ୍କର ଏକ ମାଟି ସରା ଭିତରୁ ଜନ୍ମ ଇତ୍ୟାଦି ଅନେକ ଅଲୋୖକିକ କାହାଣୀରେ ମହାଭାରତର ପୃଷ୍ଠା ପରିପୂର୍ଣ୍ଣ। ପୁରାଣ ଓ ମହାଭାରତର କାହାଣୀ ଭିତରେ ସମାଜ ପ୍ରତି ଅନେକ ସନ୍ଦେଶ ଓ ଦିଗ ଦର୍ଶନ ରହିଛି।ମନେହୁଏ ସାମାଜିକ ମୂଲ୍ୟବୋଧ ବହନ କରୁଥିବା ଏହି ଗ୍ରନ୍ଥଗୁଡିକୁ ରୋଚକ କରିବାପାଇଁ ଗ୍ରନ୍ଥକାର ଏଭଳି ଅଦ୍ଭୁତ ଘଟଣାର ଆଶ୍ରୟ ନେଇଛନ୍ତି।


କୃପ ଏବଂ କୃପୀ ହସ୍ତିନାର ରାଜପ୍ରାସାଦ ଭିତରେ ସମସ୍ତ ପ୍ରକାର ଶିକ୍ଷା ଦୀକ୍ଷା ଓ ସଂସ୍କାର ପାଇ ଆନନ୍ଦରେ ପ୍ରତିପାଳିତ ହେଲେ।ଋଷି ଶରଦ୍ବାନ, ରାଜପ୍ରସାଦରେ ପହଞ୍ଚି ପୁତ୍ର କୃପଙ୍କର ବ୍ରତୋପନୟନ ସମାପ୍ତି ପରେ ତାଙ୍କୁ ସମସ୍ତ ପ୍ରକାର ଶସ୍ତ୍ରବିଦ୍ୟା ଏବଂ ବେଦରେ ପାରଙ୍ଗମ କରି ଦେଲେ।କାଳକ୍ରମେ କୃପୀଙ୍କ ବିବାହ ଭରଦ୍ୱାଜଙ୍କ ପୁତ୍ର ଦ୍ରୋଣଙ୍କ ସହିତ ସମ୍ପନ୍ନ ହେଲା।କୌରବ ଶହେ ଭାଇ ଏବଂ ପାଣ୍ଡବ ପାଞ୍ଚ ଭାଇଙ୍କର ବାଲ୍ୟଶିକ୍ଷାର ଦାୟିତ୍ଵ କୃପଙ୍କ ହାତରେ ସମର୍ପଣ କଲେ ପିତାମହ ଭୀଷ୍ମ। ସେହି ଦିନଠାରୁ କୃପଙ୍କ ନାମ ସହିତ ଆଚାର୍ଯ୍ୟ ଯୋଡ଼ା ହେଲା ଏବଂ କୃପାଚାର୍ଯ୍ୟ ନାମରେ ସମଗ୍ର ଆର୍ଯ୍ୟାବର୍ତ୍ତରେ ତାଙ୍କୁ ସମସ୍ତେ ଜାଣିଲେ।


ଶୌର୍ଯ୍ୟବୀର୍ଯ୍ୟରେ ଆଚାର୍ଯ୍ୟ ଯେ କୌଣସି ମହାନ ଯୋଦ୍ଧାର ସମକକ୍ଷ ଥିଲେ। ମହାଭାରତରେ ବର୍ଣ୍ଣିତ ଅଛି ଯେ ଏକାକୀ ସେ ଷାଠିଏ ହଜାର ସୈନ୍ୟଙ୍କ ମୁକାବିଲା କରିପାରୁଥିଲେ। ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରେ ରହି ସେ ପାଣ୍ଡବଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବଙ୍କୁ ସେ‌ ଅନ୍ତରରୁ ଭଲ ପାଉଥିଲେ କାରଣ ପାଣ୍ଡବମାନେ ଧର୍ମର ଆଶ୍ରୟ ନେଇଥିଲେ।ଅନ୍ୟ ଦୁଇ ବୟୋବୃଦ୍ଧ ଭୀଷ୍ମ ଏବଂ ଦ୍ରୋଣଙ୍କ ପରି ସେ କୌରବଙ୍କ ଅନୁଗତ ଥିଲେ କାରଣ ରାଜପରିବାରର ଅନ୍ନରେ ସେ ପ୍ରତିପାଳିତ ହୋଇଥିଲେ। ଏହି ବିବଶତା ତାଙ୍କୁ ଅଧର୍ମ ସହିତ ରହିବାକୁ ବାଧ୍ୟ କରିଥିଲା। ଆଚାର୍ଯ୍ୟ ଆଚାର ଶ୍ରେଷ୍ଠ ଥିଲେ; ସେଥିପାଇଁ କୃଷ୍ଣ ଏବଂ ପାଣ୍ଡବମାନେ ତାଙ୍କୁ ସମ୍ମାନ ଦେଉଥିଲେ।


ପ୍ରଥମେ ସେ ରାଜପୁତ୍ର ମାନଙ୍କର ଶିକ୍ଷା ଗୁରୁ ଥିଲେ।ପରେ ପର୍ଶୁରାମ-ଶିଷ୍ୟ ଦ୍ରୋଣ ରାଜପୁତ୍ର ମାନଙ୍କର ଶିକ୍ଷାଦାୟିତ୍ବ ତୁଲାଇବା ପରେ କୁରୁ ବଂଶର କୁଳଗୁରୁ ଭାବରେ କୃପ ଶେଷ ପର୍ଯ୍ୟନ୍ତ ଦାୟିତ୍ଵ ପାଳନ କରିଥିଲେ। 

କୃପାଚାର୍ଯ୍ୟ ସାଧାରଣ ବୀର ନଥିଲେ। ମହାଭାରତ ଯୁଦ୍ଧଶେଷ ହେଲା ବେଳକୁ ଆର୍ଯ଼୍ୟାବର୍ତ୍ତ ପ୍ରାୟ ବୀର ଶୂନ୍ୟ ହୋଇ ଯାଇଥିଲା।ଅନେକ ରାଜା ଏବଂ ସେମାନଙ୍କ ଅଜେୟ ବାହିନୀ ମୃତ୍ୟୁ ବରଣ କରିଥିଲେ।ରକ୍ତର ନଦୀ ବହି ଯାଇଥିଲା କୁରୁକ୍ଷେତ୍ରରେ। କିନ୍ତୁ କୃପଙ୍କୁ ମୃତ୍ୟୁ ଛୁଇଁ ପାରିନଥିଲା। କୌରବଙ୍କ ପକ୍ଷରୁ ତିନିଜଣ ବୀର ଜୀବିତ ରହିଥିଲେ...କୃପ, ଅଶ୍ଵତ୍ଥାମା ଏବଂ କୃତବର୍ମା(ନାରାୟଣୀ ସେନା ଅଧ୍ୟକ୍ଷ)।ଜାନୁଭଗ୍ନ ହୋଇ ଯେତେବେଳେ ଦୁର୍ଯ୍ୟୋଧନ ମୁମୂର୍ଷୁ ଅବସ୍ଥାରେ ପଡ଼ି ମୃତ୍ୟୁକୁ ଅପେକ୍ଷା କରୁଥିଲେ,ସେ ସମୟରେ ତାଙ୍କ ପାଖରେ ପହଞ୍ଚିଲେ ଏହି ତିନି ବୀର। ଅଶ୍ଵତ୍ଥାମା ମଥାରେ ସେନାପତି ଶାଢ଼ି ବାନ୍ଧି ଦୁର୍ଯ୍ୟୋଧନ ପାଣ୍ଡବ ମାନଙ୍କୁ ସଂହାର କରିବାକୁ ଆଦେଶ ଦେଇଥିଲେ।


ଘୋର ଅନ୍ଧକାର ରାତିରେ ଗୋଟିଏ ଗଛ ମୂଳରେ ବସି ତିନି ବୀର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରୁଥିଲେ। ଏହି ସମୟରେ, ଅନ୍ଧକାରର ସୁଯୋଗ ନେଇ, ଗଛ ଉପରେ ଥିବା ଚଢ଼େଇ ବସା ଭିତରକୁ ପଶି ଗୋଟିଏ ସାପ ଚଢେଇର ଛୁଆ ମାନଙ୍କ ଭକ୍ଷଣ କଲା। ଅଶ୍ଵତ୍ଥାମାଙ୍କୁ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ଦେଖାଗଲା।ପାଣ୍ଡବ ଶିବିରରେ ଅନ୍ଧକାର ରାତିରେ ପ୍ରବେଶ କରି ପାଣ୍ଡବ ମାନଙ୍କୁ ଶୟନ ସମୟରେ ହତ୍ୟା କରିବା ଖଳବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଲା। ଏକଥା ଶୁଣି କୃପାଚାର୍ଯ଼୍ୟ କହିଥିଲେ ଯେ ଏହା ଘୋର ଅନ୍ୟାୟ ଏବଂ ଏହି କାର୍ଯ୍ୟରେ ସେ ଅଶ୍ଵତ୍ଥାମାଙ୍କୁ ସମର୍ଥନ ଦେଇ ପାରିବେ ନାହିଁ।କୃପାଚାର୍ଯ୍ୟ ଏବଂ କୃତବର୍ମା ସେ ସ୍ଥାନ ତ୍ୟାଗକରି ଚାଲିଗଲେ ଏବଂ ପାଣ୍ଡବ ଶିବିରରେ ପଶି ଅଶ୍ଵତ୍ଥାମା ,ପାଣ୍ଡବ ପାଞ୍ଚଭାଇ ବୋଲି ଭାବି, ଦ୍ରୌପଦୀଙ୍କ ପାଞ୍ଚପୁତ୍ରଙ୍କ ମସ୍ତକ ଛେଦନ କରିଥିଲେ।


ମହାଭାରତ ଯୁଦ୍ଧ ଶେଷରେ ଯେତେବେଳେ ଯୁଧିଷ୍ଠିର ହସ୍ତିନାର ରାଜଦଣ୍ଡ ଗ୍ରହଣ କଲେ ସେତେବେଳେ କୃପାଚାର୍ଯ୍ୟଙ୍କୁ ସେ ହସ୍ତିନାର କୁଳଗୁରୁ ଭାବରେ ପୁନଃ ନିଯୁକ୍ତି ଦେଇଥିଲେ,କାରଣ ସେ ଜାଣିଥିଲେ ଯେ କୃପାଚାର୍ଯ୍ୟ ପାଣ୍ଡବଙ୍କ ଶତ୍ରୁ ନୁହନ୍ତି;କେବଳ କର୍ତ୍ତବ୍ୟ ପାଳନ ଦୃଷ୍ଟିରୁ କୌରବଙ୍କ ପକ୍ଷରେ ରହି ସେ ଯୁଦ୍ଧ କରୁଥିଲେ।


ଦେବୋପମ ଚରିତ୍ର,କର୍ତ୍ତବ୍ୟନିଷ୍ଠା ସହିତ ବିହିତ କର୍ମର ଅନୁପାଳନ ତଥା ନିରପେକ୍ଷ ବିଚାର ଧାରା ଯୋଗୁଁ କୃପାଚାର୍ଯ୍ୟ ଆଠଜଣ ଚିରଞ୍ଜିବୀ ମାନଙ୍କ ମଧ୍ୟରୁ ଅନ୍ୟତମ।ଅନ୍ୟ ସାତଜଣ ହେଲେ ବଳି,ବିଭୀଷଣ,ହନୁମାନ,ବ୍ୟାସଦେବ, ମାର୍କଣ୍ଡେୟ, ପର୍ଶୁରାମ ଏବଂ ଅଶ୍ଵତ୍ଥାମା।


କ୍ରମଶଃ........


Rate this content
Log in

Similar oriya story from Classics