କଥା କାଦମ୍ବରୀଭାଗ ୨୨
କଥା କାଦମ୍ବରୀଭାଗ ୨୨
ମହାଭାରତ କାଳ ଆନୁମାନିକ ପାଞ୍ଚ ହଜାରରୁ ସାତ ହଜାର ବର୍ଷ ତଳର ଘଟଣା।ସେ ସମୟର ସାମାଜିକ, ସାଂସ୍କୃତିକ ଏବଂ ନୈତିକ ଜୀବନ ଆଜିକାଲିର ଜୀବନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। "ନିଯୋଗ ବିଧାନ"ରେ ପରପୁରୁଷ ସହିତ ଦୈହିକ ସମ୍ପର୍କ ରଖି, ବଂଶରକ୍ଷା ପାଇଁ ପୁତ୍ର ସନ୍ତାନ ଜନ୍ମ କରିବା ନିୟମ ସେ ସମୟରେ ସମାଜରେ ସ୍ବୀକୃତ ପ୍ରଥା ଥିଲ।ଆଧୁନିକ ସମାଜରେ ତା ଉପରେ ନୀତିଗତ ପ୍ରଶ୍ନ ଉଠିବା ସ୍ବଭାବିକ।ବର୍ତ୍ତମାନ ସମୟର ସାମାଜିକ ନୀତି ମାପଦଣ୍ଡରେ କୁନ୍ତୀ ଏବଂ ମାଦ୍ରୀଙ୍କଠାରୁ ପରପୁରୁଷ ଔରସରୁ ଜନ୍ମିତ ସନ୍ତାନମାନେ ଆମ ଦୃଷ୍ଟିରେ ଜାରଜ ହୋଇ ପାରନ୍ତି;ବାସ୍ତବରେ ସେମାନେ ଦେବପୁତ୍ର ଭାବରେ ସେ ସମୟରେ ସାମାଜିକ ସ୍ବୀକୃତି ପାଇଥିଲେ।
ପଣ୍ଡୁଙ୍କ ବନବାସ ସମୟରେ ଘଟଣା।କିନ୍ଦମ ଋଷିଙ୍କ ଅଭିଶାପ ଯୋଗୁ ରାଜା ପଣ୍ଡୁ, ଦୁଇ ରାଣୀ କୁନ୍ତୀ ଏବଂ ମାଦ୍ରୀଙ୍କ ସହିତ ଦୈହିକ ସମ୍ପର୍କ ରଖି ପାରୁନଥିଲେ। ଯେଉଁ ଦିନ ପତ୍ନୀଙ୍କ ସହିତ ମିଳନ ହେବ ସେହିଦିନ ହିଁ ରାଜାଙ୍କ ପାଇଁ ମର୍ତ୍ତ୍ୟଲୋକରେ ଶେଷଦିନ ହେବ,ଏହା ଥିଲା କିନ୍ଦମଙ୍କ ଅଭିଶାପ।ତେଣୁ ଘୋର ମନସ୍ତାପରେ ପଣ୍ଡୁ କାଳାତିପାତ କରୁଥାନ୍ତି।ଦିନେ ମହର୍ଷି ଅଗସ୍ତିଙ୍କର ଆଗମନ ହେଲା ପଣ୍ଡୁଙ୍କ ଆଶ୍ରମକୁ। କୁନ୍ତୀ ଓ ମାଦ୍ରୀ ମହର୍ଷିଙ୍କୁ ସେବାରେ ସନ୍ତୁଷ୍ଟ କଲେ।ନିଜ ଜୀବନରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଅଭିଶାପ ଘଟଣା ବର୍ଣ୍ଣନା କରି, ନିଜର ମନୋବେଦନା ପ୍ରକାଶ କରି ପଣ୍ଡୁଦମ୍ପତି ମହର୍ଷିଙ୍କୁ କହିଲେ...ହେ ମହାତ୍ମା ! ଏ ଜୀବନରେ ପୁତ୍ରମୁଖ ଦର୍ଶନ କରିବା ସମ୍ଭବ ହେବନାହିଁ। ତେଣୁ ମୃତ୍ୟୁ ପରେ ପୁତ୍ ନର୍କରେ ଘାଣ୍ଟି ହେବା ନିଶ୍ଚିତ। ସେଥିପାଇଁ କିଛି ଉପିୟ କରନ୍ତୁ ଭଗବନ୍।"
ଧୀର କଣ୍ଠରେ ଅଗସ୍ତି କହିଲେ... ମୁଁ ତୁମର ଦୁର୍ଭାଗ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛି ପଣ୍ଡୁ।ତପୋବଳରେ ଅତୀତର ଗୋପ୍ୟ କଥା ଏବଂ ଆଗତ ଭବିଷ୍ୟତ ବିଷୟ ମୋର ସମ୍ପୂର୍ଣ୍ଣ ଜ୍ଞାତସାରରେ ରହିଛି।ଅତୀତରେ ଦୁର୍ବାସାଙ୍କଠାରୁ ଯେଉଁ ଅଭିମନ୍ତ୍ରିତ ମାଳା ଏବଂ ମନ୍ତ୍ର କୁନ୍ତୀ ଲାଭ କରିଛନ୍ତି ତାହା ପ୍ରୟୋଗ କରି ସୁଯୋଗ୍ୟ ଦେବତା ମାନଙ୍କୁ ଆବାହନ କରି ନିଯୋଗ ବିଧିରେ ସେମାନଙ୍କଠାରୁ ପୁତ୍ର ସନ୍ତାନ ଲାଭ କରିପାରିବେ କୁନ୍ତୀ ଓ ମାଦ୍ରୀ।ଏହା ଯୁଗଧର୍ମ ଅନୁସାରେ କୌଣସି ଅନୀତିକର କାର୍ଯ୍ୟ ନୁହେଁ। ମହର୍ଷି ବେଦବ୍ୟାସଙ୍କ ଭଳି ଜ୍ଞାନବାନ ମହାପୁରୁଷ, କୁରୁବଂଶ ରକ୍ଷାପାଇଁ ନିଜ ଭ୍ରାତୃପତ୍ନୀ ସହିତ ନିଯୋଗ ବିଧାନରେ ସେମାନଙ୍କ ଗର୍ଭରୁ ତୁମକୁ ଏବଂ ଧୃତରାଷ୍ଟ୍ରଙ୍କୁ ସୃଷ୍ଟି କରିଥିଲେ। ତେଣୁ ଯେବେ ବଂଶ ରକ୍ଷା ଏବଂ ପୁତ୍ର ମୁଖ ଦର୍ଶନ କରିବା ପାଇଁ ଚାହୁଁଛ, କାଳ ବିଳମ୍ବ ନକରି ତୁମେ ମଧ୍ୟ ସେହି ମାର୍ଗ ଅନୁସରଣ କର।"
ମହର୍ଷି ଅଗସ୍ତିଙ୍କ ପ୍ରସ୍ଥାନ ପରେ ପଣ୍ଡୁ କୁନ୍ତୀଙ୍କୁକହିଲେ.."ଦେବୀ ! ମହର୍ଷି ଦୁର୍ବାସାଙ୍କ ପ୍ରଦତ୍ତ ଅଭିମନ୍ତ୍ରିତ ମାଳା ବିଷୟରେ ତୁମେ ମୋତେ କେବେ ଜଣାଇନାହଁ ।
କୁନ୍ତୀ କହିଲେ..ଜଣାଇବା ଆବଶ୍ୟକ ନଥିଲା।ଜଣେ ପତିବ୍ରତା ନାରୀ ପାଇଁ ଏଭଳି ମାଳା ମୂଲ୍ୟହୀନ। ବିବାହ ପୂର୍ବରୁ ବାଲ୍ୟ ଚପଳତା ଯୋଗୁଁ ଥରେ ତାହା ପ୍ରୟୋଗ କରି ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରୁ କର୍ଣ୍ଣକୁ ଲାଭ କରିଥିଲି, କିନ୍ତୁ ସେ ବର୍ତ୍ତମାନ ଅନ୍ୟର ସନ୍ତାନ। ବିବାହ ପରେ ପତିଧର୍ମ ପାଳନ କରିଆସିଛି,ତୁମ ଚିନ୍ତା ବ୍ୟତୀତ ଅନ୍ୟ କାହା ଚିନ୍ତା ମନକୁ ଛୁଇଁ ନାହିଁ।ତୁମ ଆଦେଶ ସବୁବେଳେ ମୋର ଶୀରୋଧାର୍ଯ୍ୟ ହୋଇଛି ସ୍ବାମୀ।"
ପଣ୍ଡୁ କହିଲେ..ଏବେ ମୋ ଆଜ୍ଞା ପାଳନ କରି ନିଯୋଗ ବିଧିରେ ମୋତେ ପୁତ୍ର ମୁଖ ଦର୍ଶନ କରିବା ସୌଭାଗ୍ୟ ଦିଅ ରାଣୀ।ଜୀବନର କଣ ଭରସା ? ମୃତ୍ୟୁ ପୂର୍ବରୁ ମୁଁ ପୁତ୍ର ମୁଖ ଦର୍ଶନ କରିବାପାଇଁ ଚାହେଁ।
ସ୍ବାମୀଙ୍କ ଅନୁରୋଧ ଯୋଗୁଁ କୁନ୍ତୀ ପ୍ରଥମେ ମନ୍ତ୍ର ବଳରେ ଧର୍ମ ଦେବତାଙ୍କୁ ଆବାହନ କଲେ।ଧର୍ମଦେବତାଙ୍କ ଆଶୀର୍ବାଦରୁ ଯୁଧିଷ୍ଠିର ଭୂମିଷ୍ଠ ହେଲେ। କୁରୁବଂଶର ଏହି ପ୍ରଥମ ସନ୍ତାନ ଜନ୍ମ ହେଲାପରେ ମହା ଆନନ୍ଦରେ ପଣ୍ଡୁ ହସ୍ତିନାକୁ ଏହି ସୁସମ୍ବାଦ ଜଣାଇଦେଲେ।
ସେ ସମୟରେ ହସ୍ତିନା ରାଜପ୍ରସାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ମହର୍ଷି ବେଦବ୍ୟାସ ପୁତ୍ରବଧୂ ଗାନ୍ଧାରୀଙ୍କ ସେବାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶହେଟି ବୀରପୁତ୍ରର ଜନନୀ ହେବାର ଆଶୀର୍ବାଦ ଦେଇଥାଆନ୍ତି। କିନ୍ତୁ ଗର୍ଭଧାରଣର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଗାନ୍ଧାରୀ ସନ୍ତାନ ପ୍ରସବ କରିନଥାନ୍ତି। କୁନ୍ତୀଙ୍କ ଗର୍ଭରୁ ଜ୍ୟେଷ୍ଠ କୁରୁ-ପୁତ୍ର ଯୁଧିଷ୍ଠିର ଭୂମିଷ୍ଠ ହେବା ସମ୍ବାଦ ପାଇ ଈର୍ଷାରେ ଗାନ୍ଧାରୀଙ୍କ ହୃଦୟ ବିଦୀର୍ଣ୍ଣ ହେବାକୁ ଲାଗିଲା। ଈର୍ଷା ଭୟଙ୍କର କ୍ରୋଧରରୂପ ନେଲା ଏବଂ ନିଜ ଅସଫଳ ଗର୍ଭକୁ ଭର୍ତ୍ସନାକରି ସେ ନିଜ ଉଦରକୁ ବାରମ୍ବାର ଆଘାତ କରିବାକୁ ଲାଗିଲେ। ଜରାୟୁ ବିଦୀର୍ଣ୍ଣ କରି ଉଦରରୁ ଗଳି ପଡ଼ିଲା ଏକ ମାଂସପିଣ୍ଡୁଳା ବା ମାଂସ ଗୋଲକ। ଏହି ସମ୍ବାଦ ପାଇ ଶୀଘ୍ରାତିଶୀଘ୍ର ମହର୍ଷି ବ୍ୟାସଦେବ ହସ୍ତିନା ପ୍ରାସାଦରେ ପହଞ୍ଚିଲେ।
ବେଦବ୍ୟାସଙ୍କୁ ସମ୍ମୁଖରେ ଦେଖି ଗାନ୍ଧାରୀ ବିଳାପ କରିବାକୁ ଲାଗିଲେ ଏବଂ କହିଲେ..ମୋତେ କ୍ଷମା କରନ୍ତୁ ମୁନି ଶ୍ରେଷ୍ଠ, ଯୁଧିଷ୍ଠିରର ଜନ୍ମ ସମ୍ବାଦ ପାଇ ମୁଁ କୁନ୍ତୀ ଉପରେ ଈର୍ଷା ପ୍ରଣୋଦିତ ହୋଇ ନିଜ ଉଦରକୁ ବାରମ୍ବାର ଆଘାତ କରିବା ଫଳରେ ମାଂସ ଗୋଲକଟିଏ ମୋ ଉଦରରୁ ନିର୍ଗତ ହୋଇଛି।ଆପଣ ମୋତେ ଶତପୁତ୍ରର ଜନନୀ ହେବାପାଇଁ ଆଶୀର୍ବାଦ ଦେଇଥିଲେ,ଏଇ କଣ ତାର ଫଳ?
ଗାନ୍ଧାରୀଙ୍କୁ ଆଶ୍ଵାସନା ଦେଇ ବେଦବ୍ୟାସ କହିଲେ..ପୁତ୍ରୀ,ମୋ ଆଶୀର୍ବାଦ କଦାପି ବିଫଳ ହେବନାହିଁ। ତୁମେ ଶତପୁତ୍ରର ଜନନୀ ନିଶ୍ଚୟ ହେବ।
ଏହା କହି ଶହେ ଏକଗୋଟି ଘଟରେ ଘୃତ ରଖି ମାଂସ ପିଣ୍ଡଟିକୁ ଶହେଏକ ଭାଗ କରି ପ୍ରତି ଘଟରେ ଗୋଟିଏ ଗୋଟିଏ ଭାଗ ରଖିଲେ ବ୍ୟାସଦେବ। ତାପରେ ମହର୍ଷି ଗାନ୍ଧାରୀଙ୍କୁ କହିଲେ..ପୁତ୍ରୀ ମୋ ଆଶୀର୍ବାଦର ଫଳସ୍ବରୂପ ଶହେଟି ଘଟରୁ ଶହେଟି ବୀରପୁତ୍ର ଜନ୍ମଲାଭ କରିବେ।ତୁମ ଅନୁରୋଧ ଥିଲା କନ୍ୟା ସନ୍ତାନଟିଏ ପାଇଁ।ଶହେ ଏକତମ ଘଟରୁ ଜନ୍ମ ହେବ ସେହି କନ୍ୟା। କିନ୍ତୁ ପୁତ୍ରୀ, ଅଧୈର୍ଯ୍ୟ ହେଲେ ହେବନାହିଁ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପାଇଁ ଦୁଇବର୍ଷ ସମୟଲାଗିବ। ଏହି ଶହେ ଏକଗୋଟି ଘଟ ପରୀକ୍ଷାଗାର ଭିତରେ ଅତି ସନ୍ତର୍ପଣରେ ରଖିବାପାଇଁ ପଡ଼ିବ।
ଦୁଇବର୍ଷ ବିତି ଯିବା ପରେ ଦୁର୍ଯ୍ୟୋଧନ ଦୁଃଶାସନ ସମେତ ଏକଶତ କୁରୁ ପୁତ୍ର ଏବଂ ଦୁଃଶୀଳା ନାମକ ଏକ କନ୍ୟାରତ୍ନ ସେହି ଘଟରୁ ଜନ୍ମ ଲାଭ କଲେ।ସର୍ବପ୍ରଥମେ ଜନ୍ମଲାଭକଲା ଦୁର୍ଯ୍ୟୋଧନ।ତାର ଜନ୍ମ ସମୟରେ ସେ ଗର୍ଦ୍ଧଭ ସ୍ବରରେ ଚିତ୍କାର କଲା।ଝଡ଼, ଭୂକମ୍ପ ଏବଂ ଉଲ୍କାପାତ ଭଳି ନାନା ପ୍ରକାର ଅଶନିସଙ୍କେତ ଦେଖାଗଲା।ବ୍ୟାସଦେବ, ଭୀଷ୍ମ ଏବଂ ବିଦୁର ଭଳି ଅନେକ କୁରୁ ଶ୍ରେଷ୍ଠ ଏହି ସନ୍ତାନକୁ ପରିତ୍ୟାଗ କରିବାପାଇଁ ଧୃତରାଷ୍ଟ୍ରଙ୍କୁ ଉପଦେଶ ଦେଲେ କାରଣ ଭବିଷ୍ୟତରେ ଏହାଦ୍ବାରା ବଂଶ ନାଶ ହେବାର ସମ୍ଭାବନା ରହିଥିଲା। କିନ୍ତୁ ପୁତ୍ରମୋହ ବଶବର୍ତ୍ତୀ ହୋଇ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ଦୁର୍ଯ୍ୟୋଧନକୁ ପରିତ୍ୟାଗ କରିବାକୁ ଅସମ୍ମତ ହେଲେ।
ଉପରୋକ୍ତ ଘଟଣାବଳୀ ଅନୁଧ୍ୟାନ କଲେ ଜଣାଯାଏ ଯେ ଯୁଧିଷ୍ଠିର ଦୁର୍ଯ୍ୟୋଧନ ଠାରୁ ବୟସରେ ଦୁଇବର୍ଷ ବଡ଼ ଥିଲେ।
ଏଣେ ପଣ୍ଡୁଙ୍କ ଅନୁମତି ନେଇ କୁନ୍ତୀ ପବନ ଦେବତା ଏବଂ ଇନ୍ଦ୍ର ଦେବତାଙ୍କୁ ମନ୍ତ୍ର ବଳରେ ଆବାହନ କରି ଯଥାକ୍ରମେ ଭୀମସେନ ଏବଂ ଅର୍ଜୁନଙ୍କୁ ସେମାନଙ୍କ ଆଶୀର୍ବାଦରୁ ଲାଭକଲେ।ପଣ୍ଡୁଙ୍କ ଅନୁମତି ନେଇ ମାଦ୍ରୀଙ୍କ ପାଇଁ କୁନ୍ତୀ ଅଶ୍ବିନୀ କୁମାରଙ୍କୁ ଆବାହନ କଲେ। ସେମାନଙ୍କ ଆଶୀର୍ବାଦରୁ ମାଦ୍ରୀଙ୍କ ଗର୍ଭରୁ ନକୁଳ ଏବଂ ସହଦେବ ଜନ୍ମହୋଇ ପଣ୍ତୁ ଦମ୍ପତି ଙ୍କ କୋଳ ମଣ୍ଡନ କଲେ।
ପାଞ୍ଚ ପଣ୍ଡୁପୁତ୍ର ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲେ।ସମୟ କେବଳ ଚଞ୍ଚଳ ନୁହେଁ,ଚଞ୍ଚକ ମଧ୍ୟ। ଋଷି କିନ୍ଦମଙ୍କ ଅଭିଶାପ ଫଳବତୀ ହେବା ସମୟ ଆସିଗଲା। ଦିନେ ମଦ୍ରନନ୍ଦିନୀଙ୍କ ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ,ଲକ୍ଷେ ବାରଣ ସତ୍ତ୍ୱେ ପାଣ୍ଡୁ ତାଙ୍କ ସହ ସହବାସ କରିବା ପ୍ରଚେଷ୍ଟା କଲେ।ସଙ୍ଗେ ସଙ୍ଗେ ପଣ୍ଡୁଙ୍କ ପ୍ରାଣବାୟୁ ଉଡିଗଲା।ନିଜକୁ ଦୋଷୀ ମନେକରି ମାଦ୍ରୀ, ପଣ୍ଡୁଙ୍କ ଚିତାରେ ନିଜକୁ ବିସର୍ଜନ କରିଦେଲେ।ପଣ୍ଢୁଙ୍କ ଦେହତ୍ୟାଗ ବାର୍ତ୍ତା ବନଅଗ୍ନି ପରି ଚତୁର୍ଦିଗରେ ଖେଳିଗଲା। ହସ୍ତିନା ରାଜପରିବାର ସମେତ ପ୍ରଜାପୁଞ୍ଜ ଘୋର ଦୁଃଖରେ ମ୍ରିୟମାଣ ହୋଇ ପଡିଲେ।ପାଞ୍ଚ ରାଜକୁମାରଙ୍କୁ ସାଙ୍ଗରେ ଧରି କୁନ୍ତୀ ଫେରି ଆସିଲେ ହସ୍ତିନା ରାଜପ୍ରସାଦକୁ।
କ୍ରମଶଃ....