The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kulamani Sarangi

Classics

5.0  

Kulamani Sarangi

Classics

କଥା କାଦମ୍ବରୀ ଭାଗ ୨୪

କଥା କାଦମ୍ବରୀ ଭାଗ ୨୪

5 mins
348



ହସ୍ତିନା ରାଜ ପ୍ରାସାଦର କ୍ରୀଡା ପ୍ରାଙ୍ଗଣ।ସେଠାରେ ସମବେତ ହୋଇଥିଲେ ଧୃତରାଷ୍ଟ୍ରଙ୍କ ଏକଶତ ପୁତ୍ର ଏବଂ ପାଣ୍ଡବ ପାଞ୍ଚ ଭାଇ। ସମସ୍ତେ ଗୋଟିଏ କୂପ ପାଖରେ ଏକତ୍ରିତ ହୋଇ ଚିନ୍ତାରେ ଥିଲେ, କିପରି ତା' ଭିତରେ ପଡ଼ିଯାଇଥିବା କନ୍ଦୁକଟି ଉଦ୍ଧାର କରିବେ।


ଯୁଧିଷ୍ଠିର ଇତସ୍ତତ ହୋଇ ଚାହୁଁଥିଲେ, ହଠାତ୍ ସେ ଆଗରେ ଦେଖିଲେ ଜଣେ‌ ଦୀର୍ଘକାୟ ବ୍ରାହ୍ମଣ ସେମାନଙ୍କ ଆଡ଼କୁ ଅଗ୍ରସର ହେଉଛନ୍ତି। ଶ୍ବେତ ବସ୍ତ୍ରରେ ଶରୀର ଆଚ୍ଛାଦିତ,କାନ୍ଧରେ ଉପବୀତ ଏବଂ ଶ୍ମଶ୍ରୁ ବହୁଳ ଥିଲା ମୁଖ ମଣ୍ଡଳ।ମୁଖ ମଣ୍ଡଳରୁ ଦିବ୍ୟ ଜ୍ୟୋତି ନିର୍ଗତ ହେଉଥିଲା। ନିକଟରେ ପହଞ୍ଚି ବ୍ରାହ୍ମଣ,ରାଜପୁତ୍ର ମାନଙ୍କର ଉଦ୍ବେଗର କାରଣ ପଚାରିଲେ। ଯୁଧିଷ୍ଠିର କହିଲେ..ବ୍ରାହ୍ମଣ ମହାରାଜ ! ଏହି କୂପ ଭିତରେ ଆମର କନ୍ଦୁକଟି ପଡ଼ିଯାଇଛି, ତେଣୁ ଆମର ଖେଳକୁଦ ଅଟକି ଯାଇଛି;ଆମେ ଚିନ୍ତାରେ ଅଛୁ କିପରି ତାହା ଉଦ୍ଧାର କରିବୁ।


ହସିଲେ ବ୍ରାହ୍ମଣ; କହିଲେ..ହେ ବିଶାଳ କୁରୁ ବଂଶର ରାଜପୁତ୍ର ଗଣ ! ଏହି ସାମାନ୍ୟ କାର୍ଯ୍ୟ ତୁମ ମାନଙ୍କ ଦ୍ବାରା ସମ୍ଭବ ହେଉନାହିଁ; କିପରି ବିଶାଳ ହସ୍ତିନା ସାମ୍ରାଜ୍ୟ ତୁମେମାନେ ଶାସନ କରିବ ?


ନିଜକୁ ଅପମାନିତ ମନେ କଲେ ରାଜପୁତ୍ରଗଣ...ଏ ଅନାହୂତ ପ୍ରାଣୀ ଆମ୍ଭମାନଙ୍କୁ ଏପରି ଅପମାନିତ କରିବାକୁ କିଏ! ଯୁଧିଷ୍ଠିର କହିଲେ...ସତେ ଯେପରି ତୁମେ ମନ୍ତ୍ର ବଳରେ କନ୍ଦୁକଟି ବାହାର କରିଦେବ !

ହସିହସି ବ୍ରାହ୍ମଣ କହିଲେ.. "ହଁ, ନିଶ୍ଚିତ ଭାବରେ ମନ୍ତ୍ର ବଳରେ ହିଁ ବାହାର କରିବି।" ଏହା କହି ପାଖରେ ଥିବା କିଛି ତୃଣକୁ,ମନ୍ତ୍ର ପଢି, ଗୋଟିଏ ପରେ ଗୋଟିଏ ଯୋଡ଼ି କନ୍ଦୁକ ପର୍ଯ୍ୟନ୍ତ ଲମ୍ବାଇ ଦେଲେ ଏବଂ ଧୀରେ ତାହା କୂପ ଭିତରୁ ବାହାର କରି ଆଣିଲେ।

ଆଶ୍ଚର୍ଯ୍ୟ ଚକିତ ରାଜପୁତ୍ରମାନେ ପଚାରିଲେ... ଏପରି ଅଲୌକିକ ଶକ୍ତିର ଅଧିକାରୀ କିଏ ତୁମେ ମହାତ୍ମା !"

ବ୍ରାହ୍ମଣ କହିଲେ... ମୁଁ ଭରଦ୍ୱାଜ ମହର୍ଷିଙ୍କ ପୁତ୍ର ଦ୍ରୋଣ।ପିତାମହ ଭୀଷ୍ମଙ୍କୁ ମୋର ବିଶେଷ ପରିଚୟ ଜଣା।


ରାଜପୁତ୍ରମାନେ ଦ୍ରୋଣଙ୍କୁ ଛାଡ଼ିଲେ ନାହିଁ।ସାଙ୍ଗରେ ଧରି ପହଞ୍ଚିଲେ ପିତାମହ ଭୀଷ୍ମଙ୍କ ପାଖରେ ଏବଂ ତାଙ୍କୁ ଶିକ୍ଷା ଗୁରୁ ଭାବରେ ନିଯୁକ୍ତ କରିବାପାଇଁ ପିତାମହଙ୍କୁ ଅନୁରୋଧ କଲେ।

ଭୀଷ୍ମ ଏହି ବିଚକ୍ଷଣ ବ୍ରାହ୍ମଣଙ୍କ ବିଷୟରେ କୃପାଚାର୍ଯ୍ୟଙ୍କଠାରୁ ଆଗରୁ ସବିଶେଷ ଅବଗତ ଥିଲେ,କାରଣ କୃପାଚାର୍ଯ୍ୟ ଦ୍ରୋଣଙ୍କ ଶାଳକ ଥିଲେ। ଶସ୍ତ୍ର ଏବଂ ଶାସ୍ତ୍ରରେ ପର୍ଶୁରାମଙ୍କ ଠାରୁ ଅଲୌକିକ ପାଣ୍ଡିତ୍ୟ ଲାଭ କରିଥିବାଏହି ବିଚକ୍ଷଣ ଆଚାର୍ଯ୍ୟଙ୍କୁ ଭୀଷ୍ମ ହାତଛଡ଼ା କରିବାକୁ ଚାହୁଁ ନଥିଲେ। ପର୍ଶୁରାମଙ୍କ ଠାରୁ ପ୍ରାପ୍ତ ଶିକ୍ଷା ଯେବେ କୁରୁବଂଶର ରାଜକୁମାରମାନେ ପାଇବେ,ଆର୍ଯ୍ୟାବର୍ତ୍ତରେ କିଏ ସେମାନଙ୍କ ସମକକ୍ଷ ହୋଇ ପାରିବ? ସଙ୍ଗେ ସଙ୍ଗେ ପିତାମହ ଦ୍ରୋଣଙ୍କୁ ରାଜପୁତ୍ର ମାନଙ୍କର ଗୁରୁ ଭାବରେ ନିୟୋଜିତ କଲେ।ସେତିକି ନୁହେଁ, ହସ୍ତିନାର ବିଶାଳ ସେନା ବାହିନୀର ଅସ୍ତ୍ର ଶିକ୍ଷା ଦାୟିତ୍ଵ ମଧ୍ୟ ଦ୍ରୋଣଙ୍କ ଉପରେ ସମର୍ପଣ କଲେ ପିତାମହ ଭୀଷ୍ମ।


ଏହା ପୂର୍ବରୁ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଦ୍ରୋଣ ଜୀବିକା ଅନୁସନ୍ଧାନରେ ଆକାଶର ଭାସମାନ ମେଘଖଣ୍ଡ ପରି ଘୂରି ବୁଲୁଥିଲେ।ରାଜପୁତ୍ର ମାନଙ୍କର ଗୁରୁ ଭାବରେ ନିଯୁକ୍ତି ପାଇବା ପରେ, ନଦୀ ବଢିରେ ତୃଣପରି ଭାସି ଯାଉଥିବା ତାଙ୍କ ଜୀବନକୁ ସତେ ଯେମିତି ସାହାରା ମିଳିଗଲା।ସେତିକି ନୁହେଁ,ରାଜପୁତ୍ର ମାନଙ୍କୁ ଯୁଦ୍ଧ ବିଦ୍ୟାରେ ପ୍ରଶିକ୍ଷିତ କରି ପାଞ୍ଚାଳ ରାଜା ଦ୍ରୁପଦଙ୍କଠାରୁ ପାଇଥିବା ଅପମାନର ପ୍ରତିଶୋଧ ନେବା ଇଚ୍ଛା ତାଙ୍କ ମନରେ ବଳବତ୍ତର ହୋଇଉଠିଲା।


ସେ ଅପମାନ କଣ ଥିଲା ଜାଣିବାକୁ ହେଲେ ଆମକୁ ଦ୍ରୋଣଙ୍କ ବାଲ୍ୟକାଳକୁ ଫେରି ଯିବାକୁ ପଡ଼ିବ। ଦ୍ରୋଣ ଅଯୋନି ସମ୍ଭୂତ ଥିଲେ ଅର୍ଥାତ୍ ମାତା ଗର୍ଭରୁ ସେ ଜନ୍ମଗ୍ରହଣ କରିନଥିଲେ।ଥରେ ଋଷି ଭରଦ୍ୱାଜ ଗଙ୍ଗାନଦୀରେ ସ୍ନାନ କରୁଥିଲେ। ସେହି ସମୟରେ, ସେଠାରେ ସ୍ନାନ କରୁଥିବା'ଘୃତାଚୀ' ନାମ୍ନୀ ଏକ ଅପ୍ସରାର ନିଟୋଳ ଯୌବନ ଦର୍ଶନରେ ସେ କାମବାଣରେ ପ୍ରପୀଡ଼ିତ ହେଲେ। ଉତ୍ତେଜନାର ଫଳସ୍ବରୂପ ତାଙ୍କ ଶରୀରରୁ ଯେଉଁ ବୀର୍ଯ୍ୟ ବହିର୍ଗତ ହେଲା ତାହା ସେ ଏକ ପାତ୍ର ବା "ଦ୍ରୋଣ"ରେ ସାଇତି ରଖିଲେ। ସେହି ଦ୍ରୋଣ ଭିତରୁ ଯେଉଁ ଶିଶୁ ଜନ୍ମ ହେଲା,ମହର୍ଷି ତାଙ୍କ ନାମ ରଖିଲେ ଦ୍ରୋଣ।ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ଅନ୍ୟ‌ ଅନେକ ଅଯୋନୀ ସମ୍ଭୂତ/ସମ୍ଭୂତାଙ୍କ ପରି ଥିଲା ଦ୍ରୋଣଙ୍କର ଏହି ଜନ୍ମ ଉପାଖ୍ୟାନ। ଭରଦ୍ୱାଜଙ୍କ ପୁତ୍ର ହୋଇଥିବାରୁ ତାଙ୍କର ଅନ୍ୟ ଏକ ନାମ ଥିଲା ଭାରଦ୍ବାଜ। ଓଡ଼ିଆ ମହାଭାରତକାର ଶାରଳା ଦାସ ଦ୍ରୋଣଙ୍କ ଜନ୍ମକାହାଣୀ ଭିନ୍ନ ପ୍ରକାରେ ବର୍ଣ୍ଣନା କରିଛନ୍ତି।ସେ ବର୍ଣ୍ଣନା ଅନୁଯାୟୀ ମହର୍ଷି ପରାଶରଙ୍କର ଦୈହିକ ମିଳନ ପ୍ରତି ବିତସ୍ପୃହତା ଯୋଗୁଁ ପତ୍ନୀ ସରସ୍ବତୀ ସନ୍ତାନ ସମ୍ଭବା ହୋଇ ପାରୁନଥିଲେ। ଅଗସ୍ତି ଋଷିଙ୍କ ନିର୍ଦ୍ଦେଶ ଅନୁଯାୟୀ,ପ୍ରୟାଗ କ୍ଷେତ୍ରରେ ବାଞ୍ଛାବଟ ବୃକ୍ଷ ତଳେ ବସି ସେ ଦ୍ରୋଣ ନାମକ ଏକ ପକ୍ଷୀକୁ 🐦 ଅନୁରୋଧ କଲେ ପୁତ୍ର ଦାନ ପାଇଁ। ଦ୍ରୋଣ ପକ୍ଷୀ ତାଙ୍କୁ ଗୋଟିଏ ଅଣ୍ଡା ଦାନକଲା। ସେହି ଅଣ୍ଡାଟି ପନ୍ଦର ବର୍ଷ ପରେ ଫୁଟିଲା ଏବଂ ତାହା ଭିତରୁ ପ୍ରକଟ ହେଲେ ଦ୍ରୋଣ ନାମକ ଶିଶୁ।

ବାଃ କି ଚମତ୍କାର କଳ୍ପନାର ଗଳ୍ପଟିଏ ! ଆମ ପୁରାଣମାନଙ୍କ ପୃଷ୍ଠା ଏହିଭଳି କଳ୍ପନା ପ୍ରସୂତ କାହାଣୀରେ ପରିପୂର୍ଣ୍ଣ। ହନୁମାନଙ୍କ ଝାଳରୁ ମକରଧ୍ବଜର ଜନ୍ମ ହେଉ ବା ପାର୍ବତୀଙ୍କ ଶ୍ରୀଅଙ୍ଗର ହଳଦୀ ଉକୁଟା ମଳିରୁ ଗଣେଶଙ୍କ ଜନ୍ମ ହେଉ ଅଥବା ଖୁମ୍ବ ଭିତରୁ ନୃସିଂହଙ୍କ ଜନ୍ମ ହେଉ, ଅଲୌକିକ ରୋମାଞ୍ଚରେ ପରିପୂର୍ଣ୍ଣ ଆମ ପୁରାଣ ପୃଷ୍ଠା।ସମୟକ୍ରମେ କବି ଓ ଲେଖକ ମାନଙ୍କର କଳ୍ପନା ତା ସହିତ ଯୋଡ଼ି ହୋଇ ସୃଷ୍ଟି କରିଛି ପୁଣି ଅନେକ ନୂଆ ନୂଆ କାହାଣୀ।   


ବାଲ୍ୟକାଳରେ ପିତାଙ୍କ ଗୁରୁ-କୁଳରେ ଶାସ୍ତ୍ର ଏବଂ ଶସ୍ତ୍ର ଶିକ୍ଷା କରିଥିଲେ ଦ୍ରୋଣ।ପିତା ଭରଦ୍ୱାଜଙ୍କର ସଂସାର ସଂଗ୍ରହରେ ତିଳେ ମାତ୍ର ଇଚ୍ଛା ନଥିଲା।ଦିନକୁ ଚାରିମୁଠା ଅନ୍ନ ତାଙ୍କର ଆବଶ୍ୟକ,ତା'ଠାରୁ ଅଧିକ ସେ ସଂଗ୍ରହ କରି ରଖୁନଥିଲେ।ଅପର ପକ୍ଷେ ଦ୍ରୋଣ ଭବିଷ୍ୟତରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ହେବାର ସୁନ୍ଦର ସ୍ୱପ୍ନ ଦେଖୁଥିଲେ।ଗୁରୁକୁଳରେ ପାଞ୍ଚାଳ ଯୁବରାଜ ଦ୍ରୁପଦଙ୍କ ସହିତ ନିବିଡ଼ ବନ୍ଧୁତାରେ ସେ ବାନ୍ଧି ହୋଇ ଗଲେ। ବନ୍ଧୁତା ଆବେଗରେ ହେଉ କିମ୍ବା ଯୁବକ ସୁଲଭ ଚପଳତା ବଶତଃ ହେଉ, ଦ୍ରୁପଦ ଦିନେ ତ୍ରିବାର ସତ୍ୟ କରି କହିଲେ ଯେ ଭବିଷ୍ୟତରେ ସେ ଯେବେ ପାଞ୍ଚାଳ ରାଜ୍ୟର ସିଂହାସନ ଆରୋହଣ କରିବେ,ସେ ସମୟରେ ରାଜ୍ୟରୁ ଅର୍ଦ୍ଧଭାଗ ପ୍ରିୟ ବନ୍ଧୁ ଦ୍ରୋଣଙ୍କୁ ଦାନ କରିବେ।


ଗୁରୁକୁଳ ପରେ ଦ୍ରୁପଦ ନିଜ ରାଜ୍ୟକୁ ଫେରିଗଲେ। ଦ୍ରୋଣ ରହିଗଲେ ଆଶ୍ରମରେ। ଏକଦା ଦ୍ରୋଣଙ୍କର କର୍ଣ୍ଣଗୋଚର ହେଲା ଯେ ପର୍ଶୁରାମ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଦାନ କରୁଛନ୍ତି। ପର୍ଶୁରାମଙ୍କଭଳି ମହାନ୍ ଯୋଦ୍ଧାଙ୍କ ଠାରୁ କିଛି ପାଇବା ଆଶାରେ ଦ୍ରୋଣ ମହେନ୍ଦ୍ରଗିରିରେ ପହଞ୍ଚିଲେ। ଭରଦ୍ୱାଜଙ୍କ ପୁତ୍ର ଭାବରେ ଦ୍ରୋଣଙ୍କ ପରିଚୟ ପାଇ ଭାର୍ଗବ ପର୍ଶୁରାମ କହିଲେ...ବଡ଼ ଡେରିରେ ଆସିଲ ବତ୍ସ ! ମୁଁ ତ ସବୁ ଦାନ କରିସାରିଛି,କେବଳ ନିଜ ଭିତରେ ଯେଉଁ ବିଦ୍ୟା ଅଛି ଏବଂ ପାଖରେ କିଛି ଦିବ୍ୟ ଅସ୍ତ୍ର ଅଛି, ତାହା ମୁଁ ତୁମକୁ ଦାନକରିପାରେ।


ଦ୍ରୋଣ କହିଲେ...ଭଗବନ୍ ! ବିଦ୍ୟା ଠାରୁ ବଳି ମହାନ ଧନ ଆଉ କ'ଣ ଅଛି, ତାହା ହିଁ ମୋ ପାଇଁ ମହା ଭାଗ୍ୟ।"

ପର୍ଶୁରାମଙ୍କ ଠାରୁ ଅନେକ ଦିବ୍ୟାସ୍ତ୍ର ଏବଂ ତା'ର ପ୍ରୟୋଗ ବିଧି ସହିତ ଅନ୍ୟାନ୍ୟ ଶାସ୍ତ୍ର ଶିକ୍ଷା ଲାଭକରି ଦ୍ରୋଣ ଫେରିଲେ।


କୃପଙ୍କ ଭଗ୍ନୀ କୃପୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ଦ୍ରୋଣ ଏବଂ କୋଳକୁ ତାଙ୍କର ଅଶ୍ଵତ୍ଥାମା ନାମକ ପୁତ୍ରଟିଏ ଆସିଲା। କିନ୍ତୁ ଦାରିଦ୍ର୍ୟ ଦ୍ରୋଣଙ୍କ ପିଛା ଛାଡ଼ିଲା ନାହିଁ। ଦିନେ ଗୋଟିଏ ଦୃଶ୍ୟ ତାଙ୍କୁ ଅତ୍ୟନ୍ତ ବିଚଳିତ କଲା।ସେ ଦେଖିଲେ ଆଶ୍ରମ ବାହାରେ ପୁତ୍ର ଅଶ୍ଵତ୍ଥାମାକୁ ସାଥି ବାଳକ ମାନେ ଦୁଗ୍ଧ ବୋଲି କହି ଚୁନପାଣି ଧରାଇ ଦେଇଛନ୍ତି।ତାକୁ ପିଇ ଅଶ୍ଵତ୍ଥାମା ଡେଇଁ ଡେଇଁ ଘରକୁ ଆସି କହୁଛି ...ଦେଖ ପିତାଶ୍ରୀ ! ମୁଁ ଆଜି କ୍ଷୀର ପିଇଛି। ଦ୍ରୋଣଙ୍କ ଆଖିରୁ ବହିଗଲା ଦୁଇଧାର ଅଶ୍ରୁ।ଭାବିଲେ..ଧିକ୍ ଏ ଜୀବନ,ନିଜ ସନ୍ତାନ ପାଇଁ କ୍ଷୀର ଟୋପାଏ ଯୋଗାଡ଼ କରି ପାରୁନାହାନ୍ତି !ଏଭଳି ଗାର୍ହସ୍ତ୍ୟର ଯନ୍ତ୍ରଣା ଆଉ କେତେଦିନ ଭୋଗିବେ ସେ ? ସେଦିନ ଆଶ୍ରମ ତ୍ୟାଗ କରି ଦ୍ରୋଣ ପଣ ନେଲେ ,ସ୍ବାଛନ୍ଦ୍ୟ ଗାର୍ହସ୍ତ୍ୟ ପାଇଁ ଯାହା ସଂସାର ସଂଗ୍ରହ ଆବଶ୍ୟକ ତାହା ନକରି ସେ ଫେରିବେ ନାହିଁ।


ଦ୍ରୋଣଙ୍କର ବାଲ୍ୟ-ସଖା ଦ୍ରୁପଦଙ୍କ କଥା ମନେପଡିଲା; ମନେପଡିଲା ଗୁରୁକୁଳରେ ଥିବା ସମୟରେ ଦ୍ରୁପଦ କରିଥିବା ପଣ କଥା।ସେ ଯାଇ ପହଞ୍ଚିଲେ ପାଞ୍ଚାଳ ରାଜଧାନୀ କାମ୍ପିଲ୍ୟରେ।

ଗହ ଗହ ସଭା କମ୍ପୁଛି। ସିଂହାସନରେ ବିରାଜମାନ ପାଞ୍ଚାଳ ନରେଶ ଦ୍ରୁପଦ। ଦ୍ରୋଣ ହସ ହସ ମୁହଁରେ ବନ୍ଧୁଙ୍କୁ କୋଳାଗ୍ରତ କରିବାକୁ ଆଗେଇ ଗଲେ।ଦ୍ରୁପଦଙ୍କ ନିର୍ଦ୍ଦେଶରେ ବାଧା ଦେଲେ ରକ୍ଷୀଗଣ।


 ଆଶ୍ଚର୍ଯ଼୍ୟ ହେଲେ ଦ୍ରୋଣ।କହିଲେ...ଏ କଣ ଦ୍ରୁପଦ ! ତୁମେ ଚିହ୍ନି ପାରୁନାହଁ ତୁମ ବାଲ୍ୟ ସଖାକୁ ! ମୁଁ ଦ୍ରୋଣ,ଆମର ନିବିଡ଼ ବନ୍ଧୁତା କଥା ତୁମର କଣ ମନେ ନାହିଁ ଦ୍ରୁପଦ?ତୁମେ କଥା ଦେଇଥିଲ ସିଂହାସନ ଆରୋହଣ ପରେ ପାଞ୍ଚାଳରୁ ଅର୍ଦ୍ଧେକ ରାଜ୍ୟ ମୋତେ ଦାନ କରି ସେଠାରେ ମୋତେ ରାଜା କରାଇବ। ସବୁ ଭୁଲିଗଲ ! ବନ୍ଧୁତା ମଧ୍ୟ !


ଅଟ୍ଟହାସ କରି ଦ୍ରୁପଦ କହିଲେ.. ନିର୍ବୋଧ ବ୍ରାହ୍ମଣ, ବନ୍ଧୁତା ସମାସ୍କନ୍ଦ ବ୍ୟକ୍ତିଙ୍କ ଭିତରେ ହୁଏ। ଭିକ୍ଷୁକ ସହିତ ରାଜାର କେବେ ବନ୍ଧୁତା ସମ୍ଭବ ?

ଲଜ୍ଜା ଓ ଅପମାନରେ ଆରକ୍ତ ହୋଇଗଲା ଦ୍ରୋଣଙ୍କ ମୁଖମଣ୍ଡଳ। କ୍ରୋଧରେ କମ୍ପି ଉଠିଲେ ବ୍ରାହ୍ମଣ। ଆସିଥିଲେ ବନ୍ଧୁଙ୍କ ସହିତ ଦେଖା କରି କିଛି ଗାଈ ନେଇ ପୁତ୍ର ଅଶ୍ଵତ୍ଥାମା ପାଇଁ ଦୁଗ୍ଧ ବ୍ୟବସ୍ଥା କରିବାପାଇଁ।ଏବେ କିନ୍ତୁ ଦ୍ରୁପଦଙ୍କ ଅହଂକାର ତାଙ୍କୁ ବାଧ୍ୟକଲା ଅର୍ଦ୍ଧେକ ରାଜ୍ୟ ମାଗିବା ପାଇଁ। କହିଲେ... କ୍ଷମତା ଲୋଭରେ ଅନ୍ଧ ଅହଂକାରୀ ଦ୍ରୁପଦ ! ସତ୍ୟ ଅନୁଯାୟୀ ପାଞ୍ଚାଳରୁ ଅର୍ଦ୍ଧେକ ରାଜ୍ୟ ମୋତେ ଦାନକର,ନହେଲେ ସତ୍ୟଭଙ୍ଗ ଦୋଷରେ ଧର୍ମଦ୍ରୋହୀ ହେବ।"


ଦ୍ରୁପଦ କ୍ରୋଧରେ ଗର୍ଜିଉଠି କହିଲେ...ମୋ ବାହୁବଳରେ ଏ ରାଜ୍ୟ ମୁଁ ସୃଷ୍ଟି କରିଛି। ଏହା ତଣ୍ଡୁଳ ନୁହେଁ ଯେ ଭିକ୍ଷାଶୀର ଥାଳରେ ଦାନ କରିଦେବି।ଯଦି ଶକ୍ତି ଅଛି ଵାହୁବଳରେ ଜୟକରି ନିଜର ରାଜ୍ୟ ସ୍ଥାପନ କର।

ଘୋର ଗର୍ଜନ କରି କାମ୍ପିଲ୍ୟ ଛାଡ଼ିଲେ ବ୍ରାହ୍ମଣ। ଉର୍ଦ୍ଧ୍ବକୁ ବାହୁ ତୋଳି ଚିତ୍କାର କରୁଥାନ୍ତି.. "ଉଦ୍ଧତ ଦ୍ରୁପଦ, ବନ୍ଧୁ ପ୍ରତି ତୁମର ଏହି କୃତଘ୍ନତାର ଶାସ୍ତି ଦିନେ ଭୟାବହ ହେବ।ବାହୁବଳରେ ଦିନେ ନା ଦିନେ ପାଞ୍ଚାଳରୁ ଅର୍ଦ୍ଧେକ ରାଜ୍ୟ ମୁଁ ଛଡାଇନେବି।ଏହା ଭରଦ୍ଵାଜ-ପୁତ୍ର ଦ୍ରୋଣର ଶପଥ।"


ଦ୍ରୋଣ ଆଉ ନିଜ ଆଶ୍ରମକୁ ନ'ଫେରି ସିଧା ପହଞ୍ଚିଲେ ହସ୍ତିନାରେ।ହସ୍ତିନାରେ କୌରବ ଏବଂ ପାଣ୍ଡବ ରାଜପୁତ୍ର ମାନଙ୍କର ଶିକ୍ଷା ଭାର ଗ୍ରହଣ କଲାପରେ, ସେମାନଙ୍କୁ ଅଜେୟ ବୀର ଭାବରେ ପ୍ରତିଷ୍ଠା କରି କେଉଁପରି ଦ୍ରୁପଦଙ୍କ ଉପରେ ପ୍ରତିଶୋଧ ନେବେ, ସେହି ଚିନ୍ତାରେ ଥିଲେ ଭରଦ୍ୱାଜ-ନନ୍ଦନ ଦ୍ରୋଣ।



Rate this content
Log in

More oriya story from Kulamani Sarangi

Similar oriya story from Classics