Kulamani Sarangi

Classics

5  

Kulamani Sarangi

Classics

କଥା କାଦମ୍ବରୀଭାଗ ୨୯

କଥା କାଦମ୍ବରୀଭାଗ ୨୯

5 mins
356



ମହାବଳୀଙ୍କ ପୁତ୍ର ଲାଭ

===============

ପଞ୍ଚପାଣ୍ଡବ ଓ କୁନ୍ତୀ ବିଳ ବାହାରକୁ ଆସି ଦୂରରୁ ଦେଖିଲେ ଜତୁଗୃହର ନିଆଁ ଆକାଶ ଛୁଇଁଛି।ନଗ୍ରବାସୀଙ୍କର କୋଳାହଳ ଏବଂ ଇତସ୍ତତ ଧାଁ'ଧଉଡ ଦୂରରୁ ଶୁଣାଯାଉଥାଏ। କାଳବିଳମ୍ବ ନକରି ପାଞ୍ଚଭାଇ ମାତା କୁନ୍ତୀଙ୍କ ସହିତ ରାତିର ଅନ୍ଧାର ଚିରି ଆଗେଇ ଯାଉଥିଲେ।ବିଦୂର ସମ୍ବାଦ ବାହକ ହାତରେ ନିର୍ଦ୍ଦେଶ ଦେଇଥିଲେ ଗଙ୍ଗା କୂଳରେ ଏକ ନିର୍ଦ୍ଦିଷ୍ଟ ଘାଟରେ ପହଞ୍ଚି ସେଠାରେ ଗଙ୍ଗା ନଦୀ ପାର ହୋଇ ହସ୍ତିନାର ସୀମା ଅତିକ୍ରମ କରିବା ପାଇଁ। ଲତା ଗୁଳ୍ମ ଏବଂ କଙ୍କରିତ ପଥରେ କୁନ୍ତୀ ଏବଂ ଭାଇମାନଙ୍କୁ ଚାଲିବାରେ କଷ୍ଟ ହେବାର ଜାଣି ଭୀମ ସେମାନଙ୍କୁ ନିଜ ବାହୁ କାନ୍ଧ ଓ ଜଙ୍ଘରେ ବହନକରି ଆଗେଇ ଯାଉଥାନ୍ତି। ମାତା କୁନ୍ତୀଙ୍କୁ କାନ୍ଧରେ ବସାଇ, ଦୁଇ ବିଶାଳ ବାହୁରେ ତୋଳି ଧରିଥାନ୍ତି ଯୁଧିଷ୍ଠିର ଏବଂ ଅର୍ଜୁନଙ୍କୁ,ନକୁଳ ଏବଂ ସହଦେବ ଜଙ୍ଘକୁ ଜାବୁଡ଼ି ଧରି ଝୁଲୁ ଥାନ୍ତି।ମହାକାୟ ହସ୍ତି ବୃକ୍ଷଲତାକୁ ଆଡେଇ ମାଡ଼ିଗଲା ଭଳି ଆଗେଇ ଚାଲିଥାନ୍ତି ମହାବଳୀ ଭୀମସେନ। ଅତି କ୍ଷୀପ୍ର ଗତିରେ ନିର୍ଦ୍ଧାରିତ ଗଙ୍ଗା ଘାଟରେ ପହଞ୍ଚିଲେ ଭୀମ।ବିଦୂରଙ୍କ ନିର୍ଦ୍ଦେଶ ଅନୁଯାୟୀ ଘାଟରେ ଅପେକ୍ଷା କରିଥିଲା ନାବିକ।ନାବରେ ବସି ଗଙ୍ଗା ନଦୀ ପାର ହୋଇ ନିଘଞ୍ଚ ଅରଣ୍ୟ ଭିତରେ ହଜିଗଲେ ପଞ୍ଚପାଣ୍ଡବ ଏବଂ ମାତା କୁନ୍ତୀ।


==== ଏଣେ ପାଉଁଶରେ ପରିଣତ ହୋଇଥିଲା ବାରୁଣାବନ୍ତର ଲାକ୍ଷାଗୃହ।କିରାତ ପରିବାରର ଶବ ଏବଂ ପୁରୋଚନର ଅର୍ଦ୍ଧଦଗ୍ଧ ଶରୀର ଦେଖି ନଗ୍ରବାସୀ ସ୍ଥିର ନିଶ୍ଚିତ ହୋଇଗଲେ ଯେ କୌରବଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ପଣ୍ଡୁପରିବାର।ପଣ୍ଡୁ-ପରିବାର ଜୀବନ୍ତ ଦଗ୍ଧ ହେବା ସମ୍ବାଦ ବନଅଗ୍ନି ଭଳି ଖେଳିଗଲା।ପାଣ୍ଡବଙ୍କ ମୃତ୍ୟୁ ସମ୍ବାଦ ହସ୍ତିନା ରାଜପ୍ରସାଦରେ ପହଞ୍ଚିଗଲା।

ସମ୍ବାଦ ଶୁଣି କୁମ୍ଭୀର କାନ୍ଦଣାରେ କୁରୁ ପରିବାର ମୁଖରିତ ହୋଇ ଉଠିଲା।"ହାୟ ମୋର ପ୍ରିୟ ଭ୍ରାତା ଭୀମ,ଆଉ କାହା ସହିତ ଲଢେ଼ଇ କରିବି ?‌ ହାୟ ଭ୍ରା


ତା ଯୁଧିଷ୍ଠିର,କାହା ସହିତ ଆଉ ରାଜସିଂହାସନ ପାଇଁ ଝଗଡ଼ା କରିବି" କହି ଦି'ଟୋପା କୃତ୍ରିମ ଲୁହ ଝରାଇ ଦେଲେ ଦୁର୍ଯ୍ୟୋଧନ। ଧୃତରାଷ୍ଟ୍ର ମୁଣ୍ଡରେ ହାତ ଦେଇ ଦୁଃଖରେ ମ୍ରିୟମାଣ ହେବାର ଅଭିନୟ କରୁଥାନ୍ତି। ଗଭୀର ଜଳାଶୟ ଯେପରି ଭିତରେ ଶୀତଳ ଥାଏ ଏବଂ ଉପରେ ଉଷ୍ମ ଲାଗୁଥାଏ, ସେହିପରି ଥିଲା ଧୃତରାଷ୍ଟ୍ରଙ୍କର ଅବସ୍ଥା ;ଉପରେ ଦୁଃଖର ଛାୟା କିନ୍ତୁ ଅନ୍ତର ଭିତରେ ଖୁସି ଥିଲେ ଅନ୍ଧରାଜା।

==== ବିଦୂରଙ୍କ ମୁଖରେ କୌଣସି ପ୍ରତିକ୍ରିୟା ଦେଖା ଯାଉନଥିଲା। ଯେତେବେଳେ ସେ ମନଶ୍ଚକ୍ଷୁରେ ପାଣ୍ଡୁ ପରିବାରର ଅରଣ୍ୟରେ ଭୋଗୁଥିବା ଦୁଃଖ କଥା ଚିନ୍ତା କରୁଥିଲେ,ସେତେବେଳେ କେବଳ ତାଙ୍କ ମୁଖମଣ୍ଡଳରେ ଦୁଃଖର ଗଭୀର ଛାୟା ଖେଳିଯାଉଥିଲା।ପିତାମହ ଭୀଷ୍ମ ପ୍ରଥମେ ଦୁଃଖରେ ଭାଙ୍ଗି ପଡିଥିଲେ, କିନ୍ତୁ ବିଦୂରଙ୍କ ସହିତ କିଛି କଥୋପକଥନରୁ ପାଣ୍ଡବଙ୍କ ବିଷୟରେ ପ୍ରକୃତ ତଥ୍ୟ ଜାଣିବା ପରେ କୋଠରୀ ଭିତରେ ନିଜକୁ ଆବଦ୍ଧ କରି ଅଭିନୟ କଲେ ଯେପରି କି ଗଭୀର ଦୁଃଖରେ ମ୍ରିୟମାଣ।

 ଧୃତରାଷ୍ଟ୍ରଙ୍କ ପରିବାର ଶୋକ ପାଳନ କରିବା ସଙ୍ଗେ ସଙ୍ଗେ ପାଣ୍ଡବ ମାନଙ୍କର ଶେଷକୃତ୍ୟ ସମାପନ କରି ଶାନ୍ତିରେ ନିଶ୍ୱାସ ମାରିଲେ।

==== ପାଣ୍ଡବମାନେ ଗଭୀର ଅରଣ୍ୟ ଅତିକ୍ରମ କରି ରାକ୍ଷସାବର୍ତ୍ତରେ ପହଞ୍ଚିଲେ।ତା'ପୂର୍ବରୁ ସେମାନଙ୍କର ପଥମଧ୍ୟରେ ମୁନି ଶ୍ରେଷ୍ଠ ବ୍ୟାସଦେବଙ୍କ ସହିତ ଭେଟ ହେଲା।ମହା ଦୁଃଖରେ କୁନ୍ତୀ ନିଜର ଦୁର୍ଭାଗ୍ୟ ବର୍ଣ୍ଣନା କରି କହିଲେ..ହେ ମହାତ୍ମା ! ଧର୍ମ ପଥରେ ସର୍ବଦା ଥାଇ ମଧ୍ୟ କେଉଁ ଅପରାଧରୁ ମୋର ପୁତ୍ରମାନେ ଏ ଦୁର୍ଦ୍ଦଶା ଭୋଗ କରୁଛନ୍ତି ?

କୁନ୍ତୀଙ୍କୁ ଆଶ୍ଵସନା ଦେଇ ମହାମୁନି କହିଲେ ...ପୁତ୍ରୀ ! ଜଗତରେ ସମସ୍ତଙ୍କ ଜୀବନ କର୍ମଫଳର ବୁଢିଆଣୀ ଜାଲ ଭିତରେ ବିଜଡ଼ିତ।ଜୀବନରେ ସୁଖ ବା ଦୁଃଖ ଚିରସ୍ଥାୟୀ ନୁହନ୍ତି। କର୍ମର ଫଳ ଅନୁସାରେ କେତେବେଳ ଦୁଃଖ ଭୋଗହେବ ତ ପୁଣି କେତେବେଳେ ସୁଖ।କେବଳ କର୍ତ୍ତବ୍ୟକର୍ମ ବ୍ୟତୀତ ମନୁଷ୍ୟ ହାତରେ କିଛି ନଥାଏ। ସେଥିପାଇଁ ଚିନ୍ତିତ ହେବା ଉଚିତ ନୁହେଁ।"


==== ବ୍ୟାସଦେବ ବିଦାୟ ନେଇ ଚାଲିଯିବା ପରେ ପାଣ୍ଡବମାନେ ରାକ୍ଷସାବର୍ତ୍ତରେ ଏକ ସୁଶୀତଳ ଅରଣ୍ୟ ସ୍ଥଳୀରେ ବିଶ୍ରାମ କଲେ।ଭୀମସେନ ବସିଥାନ୍ତି;ତାଙ୍କ ବିଶାଳ ଜାନୁ ଉପରେ ମଥା ରଖି ଚାରିଭାଇ ଏବଂ ମାତା କୁନ୍ତୀ ନିଦ୍ରା ଯାଇଥାନ୍ତି।ସେ ଅରଣ୍ୟ ଯେ ହିଡିମ୍ବ ରାକ୍ଷସର ରାଜ୍ୟର ଅଧୀନ ତାହା ପାଣ୍ଡବ ମାନଙ୍କୁ ଜଣା ନଥିଲା।ହିଡିମ୍ବ, ହୃଷ୍ଟପୃଷ୍ଟ ପାଞ୍ଚଭାଇ ଏବଂ କୁନ୍ତୀ ଙ୍କୁ ଦେଖି,ଏତେ ଦିନ ପରେ ସୁମିଷ୍ଟ ନରମାଂସ ମିଳିବ ଭାବି ମନେମନେ ବହୁତ ଆନନ୍ଦିତ ହେଲା। ନିଜ ଭଉଣୀ ହିଡିମ୍ବାକୁ ପଠାଇଲା ପାଣ୍ଡବ ମାନଙ୍କୁ ବଧ କରି ସେମାନଙ୍କ ମାଂସ ରନ୍ଧନ କରି ତାକୁ ପରୋଷିବା ପାଇଁ।ଭୀମସେନଙ୍କର ବଳିଷ୍ଠ ଶରୀର ଦେଖି ହିଡିମ୍ବା ରାକ୍ଷସୀ କାମ ବାଣରେ ଜର୍ଜରିତ ହେଲେ।ନିଜର ରାକ୍ଷସୀ ରୂପ ପରିତ୍ୟାଗ କରି ଏକ ଅପରୂପା ସୁନ୍ଦରୀ ତରୁଣୀ ବେଶରେ ସେ ଭୀମଙ୍କ ପାଖରେ ପହଞ୍ଚି ପ୍ରୀତି ଭିକ୍ଷା କଲେ। ଆଶ୍ଚର୍ଯ଼୍ୟ ହୋଇ ଦ୍ଵିତୀୟ ପାଣ୍ଡବ ପଚାରିଲେ ...କିଏ ତୁମେ ସୁନ୍ଦରୀ !ସ୍ବର୍ଗ ଅପ୍ସରା ବିନିନ୍ଦିତ ରୂପଧାରଣ କରିଛ,ମୋପରି ଜଣେ ନିଶ୍ବ ଭିକାରୀ ପାଖରେ କଣ ଦେଖି ପ୍ରେମ ଭିକ୍ଷା କରୁଛ ?


==== ହିଡିମ୍ବା ନିଜର ପ୍ରକୃତ ପରିଚୟ ଦେବାକୁ ଯାଇ କହିଲେ .. ଆର୍ଯ୍ୟପୁତ୍ର ! ମୁଁ ଜାତିରେ ରାକ୍ଷସୀ। ମୋର ଚାରି ଭାଇଙ୍କ ନାମ ହେଉଛି ବକ,ହିଡିମ୍ବ, କୁମ୍ଭୀର ଏବଂ କିନ୍ନର। ମୁଁ ସେମାନଙ୍କର ଏକମାତ୍ର ଭଉଣୀ। ଏହି ହିଡିମ୍ବ-କଟକ ହେଉଛି ମୋ ଭାଇର ରାଜ୍ୟ।ମୋର ଅନ୍ୟ ଏକ ଭାଇ "ବକ" ଏକଚକ୍ର ପୁରରେ ନିବାସ କରନ୍ତି। ବିବାହ ଯୋଗ୍ୟା ହୋଇ ରହିଥିଲେ ମଧ୍ୟ ମୋ ଭାଇ ହିଡିମ୍ବ କେଉଁଠାରେ ମୋ ବିବାହର ଆୟୋଜନ କରୁନାହିଁ। ସବୁବେଳେ ମୋ ଉପରେ ଭାଇର ଅତ୍ୟାଚାର ଲାଗିରହିଛି। ମୁଁ ସେ ଅତ୍ୟଚାରରୁ ମୁକ୍ତି ପାଇବାକୁ ଚାହେଁ।ତୁମ ରୂପରେ ପ୍ରଲୁଵ୍ଧ ହୋଇ ତୁମକୁ ବିବାହ କରିବା ଆଶାରେ ମୁଁ ମୋର ରୂପ ପରିବର୍ତ୍ତନ କରିଛି।" 


ରାକ୍ଷସୀ ରାଜକନ୍ୟାର ସରଳ ଭାବରେ ପରିଚୟ ପ୍ରଦାନ ଏବଂ ମନୋବାଞ୍ଛା ବ୍ୟକ୍ତ କରିବା ଭୀମଙ୍କୁ ପ୍ରଭାବିତ କଲା। ଭୀମ କହିଲେ .. ଓଃ, ତାହେଲେ ତୁମେ ରାଜକନ୍ୟା ହିଡିମ୍ବା ? କିନ୍ତୁ ତୁମକୁ ମୁଁ ପ୍ରେମକଲେ ନିଶ୍ଚିତ ଭାବରେ ତୁମ ଭାଇଙ୍କ କ୍ରୋଧର ଶିକାର ହେବି।ତୁମ ଭାଇ ମୋ ସହିତ ଯୁଦ୍ଧ କଲେ ମୁଁ ତାକୁ ନିଶ୍ଚିତ ଭାବରେ ହତ୍ୟା କରିବି।ସେତେବେଳେ ମଧ୍ୟ ତୁମେ କଣ ମତେ ଭଲ ପାଇବ?"

ହିଡିମ୍ବା ଭୀମଙ୍କ ରୂପଦେଖି ପାଗଳ ହୋଇଯାଇଥିଲେ ଏବଂ ହିଡିମ୍ବ ଅତ୍ୟାଚାରରୁ ମୁକ୍ତି ଚାହୁଁଥିଲେ। କହିଲେ.. ନିଶ୍ଚିତ ଭାବରେ ଆର୍ଯ୍ୟପୁତ୍ର, ମୁଁ ମୋ ଭାଇ ଠାରୁ ମୁକ୍ତି‌ଚାହେଁ ଏବଂ ତୁମ ସହିତ ବିବାହ କରିବାକୁ ଚାହେଁ।


==== ହିଡିମ୍ଵାର ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବାର ଦେଖି ହିଡିମ୍ବ ରାକ୍ଷସ ମହାକ୍ରୋଧରେ ବିକଟାଳ ଗର୍ଜନ କରି ଭୀମଙ୍କ ପାଖରେ ପହଞ୍ଚି, ଭଉଣୀ ହିଡିମ୍ବାକୁ ପ୍ରେମାଳାପରେ ମଗ୍ନ ଦେଖି କ୍ରୋଧରେ ହତଜ୍ଞାନ ହୋଇ କହିଲା..ନିର୍ଲ୍ଲଜୀ କୁଳଟା,ମାନବ ସହିତ ପ୍ରେମାଳାପରେ ମଗ୍ନ ହୋଇ ମୋ ଆଦେଶର ଅବମାନନା କରୁଛୁ।ପ୍ରଥମେ ଏହି ମନୁଷ୍ୟ ମାନଙ୍କୁ ହତ୍ୟା କରିବାପରେ ମୁଁ ତୋ କଥା ବୁଝିବି।"ଏହା କହି ହିଡିମ୍ବ ଗୋଟାଏ ବୃକ୍ଷ ଉପାଡି ସେଥିରେ ଭୀମଙ୍କୁ ଆଘାତ କରିବାପାଇଁ ମହାବେଗରେ ଧାଇଁ ଆସିଲା।


==== ସେପର୍ଯ୍ୟନ୍ତ କୁନ୍ତୀ ଏବଂ ଚାରିଭାଇ ଘୋର ନିଦ୍ରାରେ ମଗ୍ନ। ସେମାନଙ୍କ ନିଦ୍ରାରେ ବ୍ୟାଘାତ ନ'ଆଣିବା ପାଇଁ ଭୀମ ହିଡିମ୍ବାକୁ କହିଲେ..ରାକ୍ଷସ ରାଜକୁମାରୀ,ତୁମେ ମୋ ମାତା ଏବଂ ଭାଇମାନଙ୍କ ପାଖରେ ଥାଅ ମୁଁ ତୁମ ଭାଇଙ୍କ ସହିତ ଶକ୍ତି ପରୀକ୍ଷା କରି ଫେରୁଛି। ଶକ୍ତି ପରୀକ୍ଷା ଅବସରରେ ଯେବେ ତୁମ ଭ୍ରାତାଙ୍କର ସ୍ବର୍ଗ ବା ନର୍କ ପ୍ରାପ୍ତି ହୁଏ ସେଥିପାଇଁ ମନରେ ଦୁଃଖ ଆଣିବ ନାହିଁ।


===ତା'ପରେ ଭୀଷଣ ସଂଗ୍ରାମ ଲାଗିଲା ହିଡିମ୍ବ ଏବଂ ଭୀମଙ୍କ ମଧ୍ୟରେ।ଉଭୟଙ୍କର ଘୋର ଗର୍ଜନରେ ବନଭୂମି ପ୍ରକମ୍ପିତ ହେଲା। ସେହି ଗର୍ଜନ ତର୍ଜନରେ କୁନ୍ତୀ ଏବଂ ଚାରିଭାଇଙ୍କର ନିଦ୍ରା ଭଙ୍ଗ ହେଲା।ନିଦରୁ ଉଠି କୁନ୍ତୀ ହିଡିମ୍ବାଠାରୁ ସବୁ ଶୁଣି ଆଶ୍ଚର୍ଯ୍ୟ ହେଲେ।ଇତି ମଧ୍ୟରେ ଭୀମ ହିଡିମ୍ବ ରାକ୍ଷସଙ୍କୁ ବଧ କରି ମାଆ ଏବଂ ଭାଇ ମାନଙ୍କ ନିକଟକୁ ଆସିଲେ। କୁନ୍ତୀ ଯେତେବେଳେ ଜାଣିବାକୁ ପାଇଲେ ଯେ ରାକ୍ଷସ ରାଜକନ୍ୟା, ପୁତ୍ର ଭୀମଙ୍କ ରୂପ ଉପବନରେ ନିଜର ମନ ହରିଣୀଟି ହଜେଇ ଦେଇଛି, ଭୀମଙ୍କ ବିବାହ ହିଡିମ୍ବା ସହିତ କରିବାପାଇଁ ସେ ସମ୍ମତି ଦେଲେ।


==== ହିଡିମ୍ଵ ରାକ୍ଷସର ମୃତ୍ୟୁ ପରେ ରାକ୍ଷସ ରାଜ୍ୟର ଶାସନ ଭାର ହିଡିମ୍ବାଙ୍କ ଉପରେ ପଡ଼ିଲା।ଭୀମଙ୍କର ହିଡିମ୍ବା ସହିତ ପ୍ରେମର ଫଳ ସ୍ବରୂପ ରକ୍ଷକନ୍ୟା ଅନ୍ତଃସତ୍ବା ହେଲେ।ଭୀମଙ୍କୁ ହିଡିମ୍ଵାଙ୍କ ପାଖରେ କିଛି ଦିନ ପାଇଁ ଛାଡ଼ିଦେଇ କୁନ୍ତୀ ଏବଂ ଅନ୍ୟ ଚାରିଭାଇ ଏକଚକ୍ର ନଗ୍ରକୁ ବ୍ରାହ୍ମଣ ବେଶରେ ଚାଲିଗଲେ।

ଗୋଟିଏ ବର୍ଷ ପୂର୍ଣ୍ଣ ହେବାପରେ ଭୀମଙ୍କ ଔରସରୁ ହିଡିମ୍ବାଙ୍କ କୋଳକୁ ଆସିଲା ଗୋଟିଏ ପୁତ୍ର ସନ୍ତାନ। ପୁତ୍ରର ନାମ ଦିଆଗଲା "ବିରୋଚନ"। ମସ୍ତକରେ କେଶ ନଥିବାରୁ ଘଟୋତ୍କଚ(ଘଟ ଉତ୍କଚ)ନାମରେ ମଧ୍ୟ ସେ ପରିଚିତ ହେଲେ। ମହାଭାରତ ଯୁଦ୍ଧରେ ଘଟୋତ୍କଚ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


==== କିଛି ଦିନ ପରେ ଭୀମ ହିଡିମ୍ବ ରାଜ୍ୟ ଛାଡି ମାତା ଏବଂ ଚାରିଭାଇଙ୍କ ସହିତ ଯୋଗ ଦେଲେ।

ମହାଭାରତରେ ହିଡିମ୍ବା ଏକ ଅବହେଳିତ ଚରିତ୍ର। ରାକ୍ଷସୀ କନ୍ୟା ହୋଇ ଥିବାରୁ ପଣ୍ଡୁ ପରିବାରରେ ତାଙ୍କୁ ଆବଶ୍ୟକ ସମ୍ମାନ ମିଳୁନଥିଲା। ଆର୍ଯ୍ୟକୁଳର ରୀତିନୀତି ସହିତ ଖାପଖୁଆଇ ଚଳି ନପାରିବାର ଡର ଥିଵାରୁ ବୋଧହୁଏ ପାଣ୍ଡୁ ପରିବାରରେ ତାଙ୍କର ପ୍ରବେଶ ନଥିଲା। କିନ୍ତୁ ଆବଶ୍ୟକ ସମୟରେ ପାଣ୍ଡବ ମାନଙ୍କର "ଘଟୋତ୍କଚ"ମନେ ପଡ଼ିଲା। 


ମହାଭାରତଯୁଦ୍ଧର ଚତୁର୍ଦ୍ଦଶ ଦିନରକଥା। ଇନ୍ଦ୍ରଙ୍କଠାରୁ ପାଇଥିବା ଅମୋଘ ବାସବୀ-ବାଣ ବ୍ୟବହାର କରି ଅର୍ଜୁନଙ୍କୁ ବଧ କରି ଯୁଦ୍ଧକୁ ନିର୍ଣ୍ଣାୟକ ସ୍ଥିତିକୁ ଆଣିବେ ବୋଲି କର୍ଣ୍ଣ, ସଖା ଦୁର୍ଯ୍ୟୋଧନଙ୍କୁ କଥା ଦେଇଥିଲେ।ଦୂର ଅତୀତରେ,ନିଜ ପୁତ୍ର ଅର୍ଜୁନଙ୍କୁ ବିଶ୍ଵରେ ଶ୍ରେଷ୍ଠ ବୀର ଭାବରେ ପ୍ରତିପାଦିତ କରିବାପାଇଁ, ଇନ୍ଦ୍ର ଛଦ୍ମ ବ୍ରାହ୍ମଣ ବେଶରେ ଦାନବୀର କର୍ଣ୍ଣଙ୍କ ଠାରୁ ବକ୍ଷର କବଚ ମାଗି ନେଇ ଥିଲେ।କର୍ଣ୍ଣଙ୍କ ବଦାନ୍ୟତାରେ ସନ୍ତୁଷ୍ଟ ହୋଇ ଇନ୍ଦ୍ର ଏହି ଅମୋଘ ଶକ୍ତି "ବାସବୀବାଣ" କର୍ଣ୍ଣଙ୍କୁ ଦାନ କରିଥିଲେ। ଏହି ଶକ୍ତି ଥରେମାତ୍ର ବ୍ୟବହାର କରାଯାଇ ପାରିବ ଏବଂ ବ୍ୟବହାର କଲାପରେ ଇନ୍ଦ୍ରଙ୍କ ପାଖକୁ ଫେରିଯିବ ବୋଲି କହିଥିଲେ ବାସବ।ବାସବୀ-ବାଣର ସମ୍ମୁଖୀନ ହେବାପାଇଁ , ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଘଟୋତ୍କଚକୁ ଡ଼କାଇଥିଲେ ଭୀମ। ଯେଉଁ ବାଣରେ ଅର୍ଜୁନ ମୃତ୍ୟୁ ମୁଖରେ ପଡିବା କଥା ସେ ବାଣ ଆଗରେ ନିଜର ଛାତି ଦେଖାଇ ବୀରଗତି ପ୍ରାପ୍ତ ହୋଇ ଥିଲେ ହିଡିମ୍ବା-ପୁତ୍ର ଘଟୋତ୍କଚ।


ମାୟାବୀ ଯୁଦ୍ଧ ବିଦ୍ୟାରେ ଧୁରନ୍ଧର ଥିଲେ ଏହି ଭୀମ ପୁତ୍ର ଘଟୋତ୍କଚ। ଏଭଳି ମାୟାଯୁଦ୍ଧ ସୃଷ୍ଟି କରି ସେ କୌରବ ପକ୍ଷର ସୈନ୍ୟ ବିନାଶ କରୁଥିଲେ ଯେ ବାଧ୍ୟ ହୋଇ କର୍ଣ୍ଣଙ୍କୁ, ଅର୍ଜୁନଙ୍କ ବଧ ପାଇଁ ରଖିଥିବା ଇନ୍ଦ୍ର-ପ୍ରଦତ୍ତ ବାସବୀ ବାଣକୁ ବ୍ୟବହାର କରିବାପାଇଁ ପଡ଼ିଲା। ବର୍ଣ୍ଣିତ ଅଛି ଆକାଶ ମଣ୍ଡଳରେ ଯୁଦ୍ଧ କରୁଥିବା ଏହି ମହାକାୟ ଦୈତ୍ୟ ଯେତେବେଳେ କର୍ଣ୍ଣଙ୍କ ବାଣରେ ମୃତ ହୋଇ ଯୁଦ୍ଧ ଭୂମିରେ ଟଳି ପଡୁଥିଲେ, ସେତେବେଳେ ଭୀମ କ‌ହିଥିଲେ...କୌରବ ବାହିନୀ ଉପରେ ନିପତିତ ହୁଅ ପୁତ୍ର,ପାଣ୍ଡବ ବାହିନୀ ଉପରେ ନୁହେଁ।"

ପିତାଙ୍କର ସେହି ନିର୍ଦ୍ଦେଶ ଅନୁଯାୟୀ ଘଟୋତ୍କଚ ନିଜ ବିଶାଳ ଶରୀରକୁ କୌରବ ସେନାଙ୍କ ଉପରେ ନିପତିତ କରିଥିଲେ, ଯାହା ଫଳରେ ଏକ ଅକ୍ଷ୍ୟୋଣୀ କୁରୁସେନା ବୀରଗତି ପ୍ରାପ୍ତ ହୋଇଥିଲେ।

ମାତା ହିଡିମ୍ବା ଏବଂ ପୁତ୍ର ଘଟୋତ୍କଚଙ୍କର ବଳିଦାନର ପଟ୍ଟାନ୍ତର ନାହିଁ।


.


Rate this content
Log in

Similar oriya story from Classics